Old/New Testament
13 ମାତ୍ର ସେତେବେଳେ, ଏକ ନିର୍ଝର ଦାଉଦର ପରିବାର ଓ ଯିରୁଶାଲମ ନିବାସୀ ପାଇଁ ଖୋଲା ହେବ। ସେହି ଝରଣା ସେମାନଙ୍କର ପାପସବୁ ଓ ଅପବିତ୍ରତାକୁ ଧୋଇଦେବ।
ମିଥ୍ୟା ଭବିଷ୍ୟଦ୍ବକ୍ତା ଆଉ ହେବେ ନାହିଁ
2 ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, “ଆମ୍ଭେ ଦେଶରୁ ମୂର୍ତ୍ତି ବିନଷ୍ଟ କରିଦେବା। ଏପରିକି ଲୋକମାନେ ସେମାନଙ୍କର ନାମକୁ ସ୍ମରଣ କରିବେ ନାହିଁ। ଆଉ ମଧ୍ୟ ଆମ୍ଭେ ସମସ୍ତ ଭବିଷ୍ୟଦ୍ବକ୍ତାଗଣ ଓ ଅପବିତ୍ର ଆତ୍ମାଗୁଡ଼ିକୁ ପୃଥିବୀରୁ ବିଲୋପ କରିବା। 3 ଯଦି କେହି ଭବିଷ୍ୟଦ୍ବାଣୀ କରୁଛି ତା’ର ପିତାମାତା ତାକୁ କହିବେ, ‘ତୁମ୍ଭେ ବଞ୍ଚିବ ନାହିଁ କାରଣ ତୁମ୍ଭେ ସଦାପ୍ରଭୁଙ୍କ ନାମରେ ମିଥ୍ୟା ବାକ୍ୟ କହିଛ।’ ତା’ର ପିତା ଏବଂ ମାତା ଯିଏ ତାକୁ ଧାରଣ କରିଛନ୍ତି ସେ ଯେତେବେଳେ ଭବିଷ୍ୟଦ୍ବାଣୀ କରିବ ତାକୁ ଖଡ଼୍ଗରେ ବିନାଶ କରିବେ। 4 ସେଦିନ ପ୍ରତ୍ୟେକ ଭବିଷ୍ୟଦ୍ବକ୍ତା ନିଜର କଳ୍ପିତ ଦର୍ଶନ ପାଇଁ ଲଜ୍ଜିତ ହେବେ। ସେମାନେ ଭବିଷ୍ୟଦ୍ବକ୍ତା ପରି ପ୍ରତାରିତ କରିବା ପାଇଁ ଲୋମଶ ବସ୍ତ୍ର ପରିଧାନ କରିବେ ନାହିଁ। 5 ସେହି ଲୋକମାନେ କହିବେ, ‘ମୁଁ ଜଣେ ଭବିଷ୍ୟଦ୍ବକ୍ତା ନୁହେଁ, ମୁଁ ଜଣେ କୃଷକ। ଏହି ଭୂମି ମୋର ବାଲ୍ୟକାଳରୁ ମୋର ଅଧିକାରରେ ଅଛି।’ 6 କିନ୍ତୁ ଅନ୍ୟଲୋକମାନେ କହିବେ, ‘ତୁମ୍ଭର ହାତରେ ଏହି କ୍ଷତଗୁଡ଼ିକ କ’ଣ? ସେ ଉତ୍ତର ଦେବେ, ‘ମୁଁ ମୋ’ ବନ୍ଧୁମାନଙ୍କ ଗୃହରେ କ୍ଷତ ବିକ୍ଷତ ହୋଇଥିଲି।’”
7 ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, “ହେ ଖଡ଼୍ଗ, ଯାଅ! ଏବଂ ମେଷପାଳକ ଆମ୍ଭର ଘନିଷ୍ଟ ବନ୍ଧୁଙ୍କୁ ଆଘାତ କର। ମେଷପାଳକଙ୍କୁ ଆଘାତ କର, ଯେପରି ମେଷପଲ ପଳାୟନ କରିବେ। ଆମ୍ଭେ ଆପଣା ହସ୍ତ ସେହି କ୍ଷୁଦ୍ରମାନଙ୍କ ବିରୁଦ୍ଧରେ ଉଠାଇବା। 8 ଦେଶର ଦୁଇ ତୃତୀୟାଂଶ ଲୋକ ଚ୍ଛେଦନ ହେବେ ଓ ମୃତ୍ୟୁବରଣ କରିବେ। ମାତ୍ର ଏକ ତୃତୀୟାଂଶ ଜୀବିତ ରହିବେ। 9 ତା’ପରେ ଆମ୍ଭେ ସେହି ଏକ ତୃତୀୟାଂଶ ଲୋକଙ୍କୁ ଅଗ୍ନିରେ ପରୀକ୍ଷା କରିବା। ଆମ୍ଭେ ସେମାନଙ୍କୁ ରୂପା ଯେପରି ନିର୍ମଳ ହୁଏ ସେହିପରି ବିଶୁଦ୍ଧ କରିବା। ସୁବର୍ଣ୍ଣକୁ ପରୀକ୍ଷା କଲାପରି ଆମ୍ଭେ ସେହି ଲୋକଙ୍କୁ ପରୀକ୍ଷା କରିବା। ଆମ୍ଭ ନାମ ଧରି ଆମ୍ଭକୁ ସେମାନେ ଡାକିବେ ଏବଂ ଆମ୍ଭେ ସେମାନଙ୍କୁ ଉତ୍ତର ଦେବା, ‘ଏମାନେ ଆମ୍ଭର ଲୋକ’, ଆଉ ସେମାନେ କହିବେ, ‘ସଦାପ୍ରଭୁ ଆମ୍ଭର ପରମେଶ୍ୱର ଅଟନ୍ତି।’”
ସୁବିଗ୍ଭର ଦିନ
14 ଦେଖ, ସଦାପ୍ରଭୁଙ୍କର ପାଇଁ ଏକ ବିଶେଷ ଦିନ ଆସୁଛି। ତୁମ୍ଭେମାନେ ଯେଉଁ ସମ୍ପତ୍ତି ନେଇଛ ତାହା ତୁମ୍ଭମାନଙ୍କ ମଧ୍ୟରେ ଭାଗ କରାଯିବ। 2 ଆମ୍ଭେ ସମସ୍ତ ଗୋଷ୍ଠୀକୁ ଯିରୁଶାଲମ ବିରୁଦ୍ଧରେ ଲଢ଼ିବାକୁ ଏକତ୍ରିତ କରିବା। ନଗରଟି ପରାଜିତ ହେବ ଓ ଗୃହଗୁଡ଼ିକ ଲୁଣ୍ଠିତ ହେବ। ସ୍ତ୍ରୀମାନେ ଧର୍ଷିତ ହେବେ ଏବଂ ଦେଶର ଅର୍ଦ୍ଧେକ ଲୋକ ନିର୍ବାସିତ ହେବେ। ଅବଶିଷ୍ଟ ଲୋକମାନେ ନଗରରୁ ନିଆଯିବେ ନାହିଁ। 3 ସେତେବେଳେ ସଦାପ୍ରଭୁ ବାହାରି ସେ ଦେଶମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବେ, ସେ ଏପରି କରିବେ ଯେପରି ସେ ସଂଗ୍ରାମ ସମୟରେ କରନ୍ତି। 4 ସେତେବେଳେ ସଦାପ୍ରଭୁଙ୍କର ଦୁଇ ପଦ ଯିରୁଶାଲମର ପୂର୍ବ ଦିଗରେ ଥିବା ଅଲିଭ ପର୍ବତ ଉପରେ ଠିଆ ହେବ। ସେହି ଅଲିଭ୍ ପର୍ବତ ବିଦୀର୍ଣ୍ଣ ହେବ ଓ ଏହାର ଗୋଟିଏ ଅଂଶ ଉତ୍ତର ଦିଗକୁ ଓ ଅନ୍ୟ ଅଂଶଟି ଦକ୍ଷିଣ ଦିଗକୁ ଗତି କରିବ। ଗୋଟିଏ ଗଭୀର ଉପତ୍ୟକା ପୂର୍ବ ପଶ୍ଚିମ ହୋଇ ବିସ୍ତୃତ ହେବ। 5 ସେହି ପାର୍ବତ୍ୟ ଉପତ୍ୟକା ଯେତେବେଳେ ତୁମ୍ଭମାନଙ୍କର ନିକଟତର ହେବ ତୁମ୍ଭେମାନେ ଖସିଯିବାକୁ ଚେଷ୍ଟା କରିବ। ଯିହୁଦାର ରାଜା ଉଷିୟଙ୍କ ସମୟରେ ହୋଇଥିବା ଭୂମିକମ୍ପ ବେଳେ ଯେଉଁପରି ଭାବରେ ଲୋକମାନେ ପଳାୟନ କରୁଥିଲେ ସେହିପରି ତୁମ୍ଭେମାନେ ଦୌଡ଼ିବ। ମାତ୍ର ସଦାପ୍ରଭୁ ମୋର ପରମେଶ୍ୱର ଆସିବେ ଏବଂ ତୁମ୍ଭ ସହିତ ସମସ୍ତ ପବିତ୍ର ପ୍ରାଣୀ ଥିବେ।
6-7 ସେହି ଦିନ ଆଲୋକ ରହିବ ନାହିଁ, ଶୀତଳତା କି ତୁଷାର ହେବ ନାହିଁ। ଗୋଟିଏ ବିଶେଷଦିନ କେବଳ ସଦାପ୍ରଭୁଙ୍କୁ ଜଣା କୌଣସି ଦିନ ବା ରାତ୍ରି ହେବ ନାହିଁ। ସନ୍ଧ୍ୟା ସମୟରେ ଆଲୋକ ଥିବ। 8 ସେଦିନ, ଯିରୁଶାଲମରୁ ସ୍ୱଚ୍ଛ ଜଳ ପ୍ରବାହିତ ହେବ। ସେ ଅଧା ପ୍ରବାହିତ ହେବ ସମୁଦ୍ର ଆଡ଼କୁ ପୂର୍ବ ଦିଗକୁ ଓ ଅନ୍ୟ ଅଧା ପଶ୍ଚିମ ଦିଗ ସମୁଦ୍ର ଆଡ଼କୁ। ଏହା ଉଭୟ ଗ୍ରୀଷ୍ମକାଳ ଓ ଶୀତକାଳରେ ହେବ। 9 ସେହି ଦିନ ସଦାପ୍ରଭୁ ସମଗ୍ର ପୃଥିବୀ ଉପରେ ରାଜା ହେବେ। କେବଳ ସେଠାରେ ଜଣେ ସଦାପ୍ରଭୁ ଓ ତାଙ୍କର ଗୋଟିଏ ମାତ୍ର ନାମ ରହିବ। 10 ଆଉ ମଧ୍ୟ ସେହି ସମୟରେ, ସମସ୍ତ ଦେଶ ଯିରୁଶାଲମର ଦକ୍ଷିଣ ଗେବାଠାରୁ ରିମ୍ମୋନ ପର୍ଯ୍ୟନ୍ତ ଭୂମି ସମତଳ ଭୂମିରେ ପରିଣତ ହେବ। କିନ୍ତୁ ଯିରୁଶାଲମ ତା’ ସ୍ଥାନରୁ ଉଚ୍ଚରେ ଠିଆ ହେବ। ଏହା ବିନ୍ୟାମୀନ ଫାଟକଠାରୁ ପ୍ରଥମ ଫାଟକ ପର୍ଯ୍ୟନ୍ତ ହନ୍ନେଲର କୋଣ ଫାଟକଠାରୁ ରାଜାଙ୍କର ଦ୍ରାକ୍ଷାକ୍ଷେତ୍ର ପର୍ଯ୍ୟନ୍ତ ବିସ୍ତୁତ ହେବ। 11 ଲୋକମାନେ ଯିବେ ଓ ସେଠାରେ ବାସ କରିବେ। ପୁନର୍ବାର ଯିରୁଶାଲମ ସମ୍ପୂର୍ଣ୍ଣ ଧ୍ୱଂସ ହେବ ନାହିଁ। ଯିରୁଶାଲମ ନିରାପଦ ହେବ।
12 ଏହା ହେଉଛି ମହାମାରୀର ବିବରଣୀ। ସଦାପ୍ରଭୁ ଏହା ପଠାଇବେ, ସେହିମାନଙ୍କ ବିରୁଦ୍ଧରେ ଯେଉଁମାନେ ଯିରୁଶାଲମ ବିରୁଦ୍ଧରେ ଲଢ଼ୁଥିଲେ। ଲୋକମାନେ ଛିଡ଼ା ହୋଇ ଥିବା ବେଳେ ସେମାନଙ୍କର ଚର୍ମ ପଚିଯିବ। ସେମାନଙ୍କର ଚକ୍ଷୁ କୋଟର ମଧ୍ୟରେ ପଶିଯିବ ଓ ଜିହ୍ୱା ପାଟି ମଧ୍ୟରେ ପଶିଯିବ। 13-15 ସେହି ଭୟଙ୍କର ବ୍ୟାଧି ସେହି ଶିବିରରେ ରହିବ। ଆଉ ମଧ୍ୟ ସେମାନଙ୍କର ଅଶ୍ୱ, ଖଚର, ଓଟ ଓ ଗର୍ଦ୍ଦଭ ସେହି ଭୟଙ୍କର ବ୍ୟାଧିରେ ଆକ୍ରାନ୍ତ ହେବେ।
ସେହି ଦିନ ସଦାପ୍ରଭୁଙ୍କ ଦ୍ୱାରା ପ୍ରେରିତ ଭୟଙ୍କର ଆତଙ୍କ ଆତଙ୍କିତ ରୂପେ ସେମାନଙ୍କୁ ଧରିବ। ପ୍ରତ୍ୟେକ ଲୋକ ତାଙ୍କର ପ୍ରତିବାସୀର ହସ୍ତକୁ ଧରିବେ ଓ ସେମାନେ ପରସ୍ପର ମଧ୍ୟରେ ଯୁଦ୍ଧରେ ବ୍ୟାପ୍ତ ହେବେ। ଏପରିକି ଯିହୁଦା ଯିରୁଶାଲମ ବିପକ୍ଷରେ ଲଢ଼ିବ। ସମଗ୍ର ଗୋଷ୍ଠୀର ଧନସମ୍ପଦ ନଗରୀର ଚତୁର୍ଦ୍ଦିଗରେ ଏକତ୍ର ଠୁଳ ହେବ। ସେଠାରେ ସୁବର୍ଣ୍ଣ, ରୌପ୍ୟ ଓ ବସ୍ତ୍ର ବହୁତ ପରିମାଣରେ ସଂଗୃହୀତ ହେବ। 16 ପ୍ରତ୍ୟେକ ବ୍ୟକ୍ତି ଯିଏ ଦେଶ ଛାଡ଼ି ଯିରୁଶାଲମ ବିରୁଦ୍ଧରେ ଆସିଛନ୍ତି, ପ୍ରତ୍ୟେକ ବର୍ଷ ଉପାସନା କରିବା ପାଇଁ ଆସିବେ। ପ୍ରତି ବର୍ଷ ସେମାନଙ୍କର ରାଜା ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କୁ ଉପାସନା କରିବାକୁ ଏବଂ ପତ୍ରକୁଟୀର ପର୍ବ ପାଳନ କରିବାକୁ ଆସିବେ। 17 ଯଦି କୌଣସି ଦେଶର ପରିବାର ସର୍ବଶକ୍ତିମାନ ସଦାପ୍ରଭୁଙ୍କୁ ଉପାସନା କରିବା ପାଇଁ ଆସିବେ ନାହିଁ, ବର୍ଷା ସେମାନଙ୍କ ଉପରେ ପଡ଼ିବ ନାହିଁ। 18 ଯଦି ମିଶରର ପରିବାର ନ ଆସନ୍ତି, ବର୍ଷା ସେମାନଙ୍କ ଉପରେ ଆସିବ ନାହିଁ। ତା’ ବଦଳରେ ସଦାପ୍ରଭୁ ମହାମାରୀ ପଠାଇବେ ଯାହା ସେ ଦେଶସବୁ ବିରୁଦ୍ଧରେ ପଠାଇଥିଲେ ଏବଂ ଯେଉଁମାନେ ପତ୍ରକୁଟୀର ପର୍ବ ପାଳନ କରିବା ପାଇଁ ଯାଇ ନ ଥିଲେ। 19 ତାହା ମିଶରର ପାପ ହେବ ଏବଂ ପ୍ରତ୍ୟେକ ଦେଶର ପାପ, ଯେଉଁମାନେ ଯାଆନ୍ତି ନାହିଁ ଓ ପତ୍ରକୂଟୀର ପର୍ବ ପାଳନ କରନ୍ତି ନାହିଁ।
20 ସେହି ଦିନ ‘ସଦାପ୍ରଭୁଙ୍କ ପବିତ୍ର’ ଏପରିକି ଅଶ୍ୱଗଣର ଘଣ୍ଟିରେ ମଧ୍ୟ ଲେଖାଯିବ। ଆଉ ମଧ୍ୟ ସଦାପ୍ରଭୁଙ୍କ ମନ୍ଦିରରେ ବ୍ୟବହୃତ ସମସ୍ତ ପାତ୍ର ଯଜ୍ଞବେଦିର ଜଳପାତ୍ର ତୁଲ୍ୟ ହେବ। 21 ସମସ୍ତ ଜଳପାତ୍ର ଯିରୁଶାଲମ ଓ ଯିହୁଦାରେ ‘ସର୍ବଶକ୍ତିମାନ ସଦାପ୍ରଭୁଙ୍କ ପାଇଁ ପବିତ୍ର ହେବ।’ ନୈବେଦ୍ୟ ବଳିଦାନ ପ୍ରଦାନ କରୁଥିବା ସମସ୍ତ ଲୋକ ଆସିବେ ଏବଂ ସେମାନଙ୍କଠାରୁ ଜଳପାତ୍ର ନେବେ ଏବଂ ବଳିଦାନର ମାଂସ ରନ୍ଧନ କରିବେ।
ସେହି ଦିନ ସର୍ବଶକ୍ତିମାନ ସଦାପ୍ରଭୁଙ୍କ ମନ୍ଦିରରେ ଆଉ ବ୍ୟବସାୟୀ ନ ଥିବେ।
ନୂତନ ଯିରୁଶାଲମ
21 ଏହା ପରେ ମୁଁ ଗୋଟିଏ ନୂତନ ସ୍ୱର୍ଗ ଓ ନୂତନ ପୃଥିବୀ ଦେଖିଲି। ପ୍ରଥମ ସ୍ୱର୍ଗ ଓ ପ୍ରଥମ ପୃଥିବୀ ଅଦୃଶ୍ୟ ହୋଇଯାଇଥିଲା। ସେଠାରେ ଆଉ ସମୁଦ୍ର ନ ଥିଲା। 2 ତା’ପରେ ମୁଁ ପରମେଶ୍ୱରଙ୍କଠାରୁ ସ୍ୱର୍ଗରୁ ପବିତ୍ର ନଗରୀ ତଳକୁ ଆସିବାର ଦେଖିଲି। ଏହି ପବିତ୍ର ନଗରୀ ନୂତନ ଯିରୁଶାଲମ ଅଟେ। ବର ପାଇଁ କନ୍ୟା ଯେପରି ସୁସଜ୍ଜିତା ହୋଇଥାଏ, ଠିକ୍ ସେହିପରି ଏହା ପ୍ରସ୍ତୁତ ଥିଲା।
3 ମୁଁ ସିଂହାସନରୁ ଏକ ଉଚ୍ଚ ସ୍ୱର ଶୁଣିଲି। ସେହି ସ୍ୱର କହିଲା, “ବର୍ତ୍ତମାନ ପରମେଶ୍ୱରଙ୍କର ବାସସ୍ଥାନ ଲୋକମାନଙ୍କ ପାଖରେ ଅଛି। ସେ ସେମାନଙ୍କ ସହିତ ରହିବେ। ସେମାନେ ତାହାଙ୍କର ଲୋକ ହେବେ। ପରମେଶ୍ୱର ନିଜେ ସେମାନଙ୍କ ସହିତ ରହିବେ ଓ ସେମାନଙ୍କର ପରମେଶ୍ୱର ହେବେ। 4 ପରମେଶ୍ୱର ସେମାନଙ୍କ ଆଖିରୁ ସମସ୍ତ ଲୁହ ପୋଛି ଦେବେ। ଆଉ ଅଧିକ ମୃତ୍ୟୁ, ବିଷାଦ, କ୍ରନ୍ଦନ ବା କଷ୍ଟ ରହିବ ନାହିଁ। ସବୁ ପୁରାତନ ବିଷୟ ଲୋପପାଇଛି।”
5 ସିଂହାସନ ଉପରେ ଯିଏ ବସିଥିଲେ, ସେ କହିଲେ, “ମୁଁ ସମସ୍ତ ବିଷୟ ନୂତନ କରୁଅଛି।” ତା’ପରେ ସେ କହିଲେ, “ଏହା ଲେଖି ରଖ, କାରଣ ଏହି କଥାସବୁ ବିଶ୍ୱାସ ଯୋଗ୍ୟ ଓ ସତ୍ୟ।”
6 ସିଂହାସନରେ ବସିଥିବା ବ୍ୟକ୍ତି ମୋତେ କହିଲେ, “ଏହା ସମାପ୍ତ ହୋଇଯାଇଛି। ମୁଁ ହେଉଛି ପ୍ରଥମ ଓ ଶେଷ। [a] ମୁଁ ତୃଷାର୍ତ୍ତ ଲୋକକୁ ବିନା ମୂଲ୍ୟରେ ଜୀବନ୍ତଜଳ ନିର୍ଝରରୁ ପାନ କରିବାକୁ ଦେବି। 7 ଯେ ବିଜୟୀ ହେବ, ସେ ଏହିସବୁ ପାଇବ। ମୁଁ ତାହାର ପରମେଶ୍ୱର ହେବି ଓ ସେ ମୋର ପୁତ୍ର ହେବ। 8 କିନ୍ତୁ ଯେଉଁ ଲୋକମାନେ ଭୀରୁ, ଅବିଶ୍ୱାସୀ, ଘୃଣାକାର୍ଯ୍ୟ, ନରହତ୍ୟା, ଯୌନଗତ ପାପ, ମନ୍ଦ କୁହୁକ କରନ୍ତି ଓ ପ୍ରତିମାପୂଜକ ଏବଂ ମିଥ୍ୟାବାଦୀ ସେମାନେ ଅଗ୍ନି ଓ ଗନ୍ଧକ ଜଳୁଥିବା ହ୍ରଦରେ ସ୍ଥାନ ପାଇବେ। ଏହା ଦ୍ୱିତୀୟ ମୃତ୍ୟୁ।’’
9 ତା’ପରେ ସାତ ଜଣ ସ୍ୱର୍ଗଦୂତଙ୍କ ମଧ୍ୟରୁ ଯେଉଁମାନଙ୍କ ପାଖରେ ସାତୋଟି ଶେଷ କ୍ଳେଶର ସାତ ପାତ୍ର ଥିଲା, ସେହିମାନଙ୍କ ମଧ୍ୟରୁ ଜଣେ ମୋ’ ପାଖକୁ ଆସିଲେ। ସେହି ସ୍ୱର୍ଗଦୂତ ମୋତେ କହିଲେ, “ମୋ’ ସହିତ ଆସ। ମୁଁ ତୁମ୍ଭକୁ ବଧୂକୁ ଦେଖାଇବି। ସେ ମେଷଶାବକଙ୍କର ସ୍ତ୍ରୀ। 10 ସେ ଦୂତ ମୋତେ ଆତ୍ମା ଦ୍ୱାରା ଗୋଟିଏ ବହୁତ ବଡ଼ ଓ ଉଚ୍ଚ ପର୍ବତକୁ ନେଇଗଲେ। ସେ ମୋତେ ପବିତ୍ର ନଗରୀ ଯିରୁଶାଲମ ଦେଖାଇଲେ। ମୁଁ ସେହି ନଗରୀକୁ ପରମେଶ୍ୱରଙ୍କ ପାଖରୁ ସ୍ୱର୍ଗରୁ ଆସିବାର ଦେଖିଲି।
11 ସେହି ନଗରୀ ପରମେଶ୍ୱରଙ୍କ ଗୌରବରେ ଉଜ୍ଜ୍ୱଳମୟ ଦେଖାଯାଉଥିଲା। ଏହା ମୂଲ୍ୟବାନ ମଣି, ସୂର୍ଯ୍ୟକାନ୍ତ ପରି ଉଜ୍ଜ୍ୱଳ ହୋଇ ଝଲକୁଥିଲା। ଏହା ସ୍ଫଟିକ ପରି ସ୍ୱଚ୍ଛ ଥିଲା। 12 ନଗରୀର ଗୋଟିଏ ବଡ଼ ଉଚ୍ଚ କାନ୍ଥ ଥିଲା। ଏହାର ବାରଟି ପ୍ରବେଶଦ୍ୱାର ଥିଲା। ସେହି ଦ୍ୱାରମାନଙ୍କରେ ବାରଟି ସ୍ୱର୍ଗଦୂତ ଥିଲେ। ପ୍ରତ୍ୟେକ ପ୍ରବେଶ ଦ୍ୱାରରେ ଇସ୍ରାଏଲର ବାରଟି ପରିବାରର ଗୋଟିଏ ଗୋଟିଏ ଦଳର ନାମ ଖୋଦିତ ଥିଲା। 13 ସେଠାରେ ପୂର୍ବ ଦିଗରେ ତିନୋଟି ପ୍ରବେଶ ଦ୍ୱାରା, ଉତ୍ତରରେ ତିନୋଟି ପ୍ରବେଶ ଦ୍ୱାର, ଦକ୍ଷିଣରେ ତିନୋଟି ପ୍ରବେଶ ଦ୍ୱାର ଏବଂ ପଶ୍ଚିମ ଦିଗରେ ତିନୋଟି ଦ୍ୱାର ଥିଲା। 14 ନଗରୀର କାନ୍ଥସବୁ ବାରଟି ମୂଳଦୁଆ ପଥର ଉପରେ ଥିଲା। ସେହି ପଥର ଉପରେ ମେଷଶାବକଙ୍କର ବାରଜଣ ପ୍ରେରିତଙ୍କର ନାମ ଲେଖାଯାଇଥିଲା।
15 ମୋ’ ସହିତ କଥାବାର୍ତ୍ତା ହେଉଥିବା ସ୍ୱର୍ଗଦୂତଙ୍କ ହାତରେ ଗୋଟିଏ ସୁନାର ମାପଦଣ୍ଡ ଥିଲା। ସେ ନଗର, ଏହାର ପ୍ରବେଶ ଦ୍ୱାର ଏବଂ ଏହାର କାନ୍ଥ ମାପ କରିବା ପାଇଁ ଏହି ମାପଦଣ୍ଡ ନିଜ ହାତରେ ରଖିଥିଲେ। 16 ସେହି ନଗରୀଟି ଗ୍ଭରି କୋଣିଆ ଥିଲା। ଏହାର ଲମ୍ବା ଓ ଚଉଡ଼ା ସମାନ। ସେହି ଦୂତ ମାପଦଣ୍ଡରେ ନଗରୀକୁ ମାପିଲେ। ନଗରୀର ଲମ୍ବା 12,000 ଷ୍ଟାଡ଼ିଆ, ଚଉଡ଼ା 12,000 ଷ୍ଟାଡ଼ିଆ ଓ ଉଚ୍ଚତା ମଧ୍ୟ 12,000 ଷ୍ଟାଡ଼ିଆ [b] ଥିଲା। 17 ସେ ଦୂତ କାନ୍ଥର ଉଚ୍ଚତା ମଧ୍ୟ ମାପିଲେ ଏହା 144 ହାତ ହେଲା। ଦୂତ ମନୁଷ୍ୟମାନଙ୍କ ଦ୍ୱାରା ବ୍ୟବହୃତ ମାନଦଣ୍ଡରେ ମାପିଥିଲେ। 18 ସେହି ନଗରୀର କାନ୍ଥ ସୂର୍ଯ୍ୟକାନ୍ତମଣିରେ ତିଆରି ହୋଇଥିଲା। ସେହି ନଗରୀ ସ୍ୱଚ୍ଛକାଚ ପରି ଉଜ୍ଜ୍ୱଳ ଖାଣ୍ଟି ସୁନାରେ ତିଆରି ହୋଇଥିଲା।
19 ନଗରୀ କାନ୍ଥର ମୂଳଦୁଆ ପଥରରେ ବହୁମୂଲ୍ୟ ମଣି ଖଚିତ ଥିଲା। ପ୍ରଥମ କୋଣ ପଥରଟି ହୀରକମଣି, ଦ୍ୱିତୀୟଟି ନୀଳକାନ୍ତମଣି, ତୃତୀୟ ବୈଦୂର୍ଯ୍ୟମଣି, ଚତୁର୍ଥଟି ମରକତମଣି ଥିଲା। 20 ପଞ୍ଚମରେ ପୁଲକମଣି, ଷଷ୍ଠ ମାଣିକ୍ୟମଣି, ସପ୍ତମଟି ପୁଷ୍ପରାଗମଣି, ଅଷ୍ଟମରେ ଫିରୋଜମଣି, ନବମରେ ଗୋମେଦକମଣି, ଦଶମରେ ଲଶୁନୀୟମଣି, ଏକାଦଶରେ ଇନ୍ଦ୍ରନୀଳମଣି, ଓ ଦ୍ୱାଦଶରେ ସୁଗନ୍ଧମଣି ଖଚିତ ଥିଲା। 21 ବାରଟି ପ୍ରବେଶ ଦ୍ୱାର ହେଉଛି ବାର ଗୋଟି ମୁକ୍ତା। ପ୍ରତ୍ୟେକ ପ୍ରବେଶ ଦ୍ୱାର ଗୋଟିଏ ଲେଖା ମୁକ୍ତାରେ ତିଆରି ହୋଇଥିଲା। ନଗରର ରାଜପଥ ନିର୍ମିତ କାଚପରି, ଖାଣ୍ଟି ସୁନାରେ ତିଆରି ହୋଇଥିଲା।
22 ମୁଁ ସେହି ନଗରୀ ଭିତରେ କୌଣସି ମନ୍ଦିର ଦେଖିଲି ନାହିଁ। ସର୍ବଶକ୍ତିମାନ୍ ପ୍ରଭୁ ପରମେଶ୍ୱର ଓ ମେଷଶାବକ ହେଉଛନ୍ତି ସେହି ନଗରର ମନ୍ଦିର। 23 ସେହି ନଗରୀକୁ ଆଲୋକ ଦେବା ପାଇଁ ସୂର୍ଯ୍ୟ ବା ଚନ୍ଦ୍ରର ଆବଶ୍ୟକତା ନାହିଁ। ପରମେଶ୍ୱରଙ୍କର ମହିମା ନଗରୀକୁ ଆଲୋକ ଦିଏ। ମେଷଶାବକ ସେହି ନଗରୀର ପ୍ରଦୀପ ସ୍ୱରୂପ।
24 ନଗରୀର ଆଲୋକରେ ଜାତିସମୂହର ଲୋକମାନେ ଗ୍ଭଲିବେ। ପୃଥିବୀର ରାଜାମାନେ ସେମାନଙ୍କର ଐଶ୍ୱର୍ଯ୍ୟ ଏହି ନଗରୀକୁ ଦେବେ। 25 ସେହି ନଗରୀର ଦ୍ୱାରଗୁଡ଼ିକ କୌଣସି ଦିନ ବନ୍ଦ ରହିବ ନାହିଁ, କାରଣ ସେଠାରେ କେବେ ହେଲେ ରାତି ହେବ ନାହିଁ। 26 ସେହି ନଗରକୁ ଜାତିସମୂହର ଐଶ୍ୱର୍ଯ୍ୟ ଓ ମହିମା ଅଣାଯିବ। 27 କୌଣସି ଅଶୁଚି ଜିନିଷ ତା’ ଭିତରେ ପ୍ରବେଶ କରିବ ନାହିଁ। ଲଜ୍ଜାପୂର୍ଣ୍ଣ କାର୍ଯ୍ୟ କରିବା ଲୋକ ଓ ମିଥ୍ୟା କହିବା ଲୋକ ତା’ ଭିତରେ ପଶିପାରିବେ ନାହିଁ। ମେଷଶାବକଙ୍କ ଜୀବନପୁସ୍ତକରେ ନାମ ଲେଖା ହୋଇଥିବା ଲୋକମାନେ ସେହି ନଗରୀ ଭିତରେ ପ୍ରବେଶ କରିବେ।
2010 by World Bible Translation Center