Old/New Testament
ସଦାପ୍ରଭୁଙ୍କ ମନ୍ଦିରରୁ ଜଳ ନିର୍ଗତ ହେବ
47 ଅନନ୍ତର ସେ ମୋତେ ଫେରାଇ ମନ୍ଦିରର ଦ୍ୱାର ନିକଟକୁ ଆଣିଲେ। ଗୃହର ପ୍ରବେଶ ସ୍ଥାନରେ ତଳୁ ଜଳ ନିର୍ଗତ ହୋଇ ପୂର୍ବଦିଗରେ ବହୁଥିବାର ମୁଁ ଦେଖିଲି କାରଣ ମନ୍ଦିର ସମ୍ମୁଖଭାଗ ପୂର୍ବାଭିମୂଖୀ ଥିଲା। ଆଉ ସେହି ଜଳ ତଳୁ ମନ୍ଦିରର ଦକ୍ଷିଣପାର୍ଶ୍ୱ ଦେଇ ଯଜ୍ଞବେଦିର ଦକ୍ଷିଣ ଦିଗରେ ବହିଲା। 2 ଏବଂ ସେ ମୋତେ ଉତ୍ତର ଦ୍ୱାରର ପଥଦେଇ ବାହାରକୁ ଆଣିଲେ। ଆଉ ବାହାର ପଥଦେଇ ବୁଲାଇ ପୂର୍ବାଭିମୁଖ ଦ୍ୱାରର ପଥ ଉପରଦେଇ ବାହାର ଦ୍ୱାରକୁ ନେଇଗଲେ। ସେହି ସ୍ଥାନରେ ଦକ୍ଷିଣ ପାର୍ଶ୍ୱରେ ଜଳ ବହୁଥିବାର ମୁଁ ଦେଖିଲି।
3 ସେହି ବ୍ୟକ୍ତି ମାପ ଫିତା ଓ ନିଜ ହାତରେ ନେଇ ପୂର୍ବଆଡ଼େ ଗଲେ ଓ 1000 ହାତ ମାପିଲେ। ଆଉ ମୋତେ ସେ ଜଳ ମଧ୍ୟଦେଇ ଗମନ କରାଇଲେ। ଜଳ ଆଣ୍ଠୁଏ ପର୍ଯ୍ୟନ୍ତ ହେଲା। 4 ପୁଣି ସେ 1000 ହାତ ମାପିଲେ ଓ ମୋତେ ଜଳ ମଧ୍ୟଦେଇ ଗମନ କରାଇଲେ, ଜଳ ଆଣ୍ଠୁ ପର୍ଯ୍ୟନ୍ତ ହେଲା। ପୁନର୍ବାର 1000 ହାତ ମାପିଲେ ଓ ଜଳ ମଧ୍ୟଦେଇ ମୋତେ ଗମନ କରାଇଲେ, ଜଳ ଅଣ୍ଟା ପର୍ଯ୍ୟନ୍ତ ହେଲା। 5 ତାହାପରେ ସେ ଆଉ 1000 ହାତ ମାପିଲେ। ସେତେବେଳେ ତାହା ଏକ ଗଭୀର ନଦୀ ହେଲା ଓ ମୁଁ ତାହା ମଧ୍ୟଦେଇ ଗମନ କରିପାରିଲି ନାହିଁ। କାରଣ ଜଳ ଏତେ ଗଭୀର ଥିଲା ଯେ, ଜଣକୁ ପହଁରିବା ପାଇଁ ପଡ଼ିଥା’ନ୍ତା, କିନ୍ତୁ କେହି ପାର ହୋଇ ପାରିବେ ନାହିଁ। 6 ତା’ପରେ ସେ ମୋତେ କହିଲେ, “ହେ ମନୁଷ୍ୟ ସନ୍ତାନ, ତୁମ୍ଭେ ଏହା ଦେଖିଲ କି?”
ତହୁଁ ସେ ମୋତେ ଫେରାଇ ନଦୀ ତୀରକୁ ଆଣିଲେ। 7 ମୁଁ ଫେରି ଆସିଲା ବେଳେ ନଦୀ ତୀରର ଉଭୟ ପାର୍ଶ୍ୱରେ ଅନେକଗୁଡ଼ିଏ ବଡ଼ ବଡ଼ ବୃକ୍ଷ ଥିବାର ଦେଖିଲି। 8 ଲୋକଟି ମୋତେ କହିଲେ, “ଏହି ଜଳସବୁ ପୂର୍ବ ଅଞ୍ଚଳ ଆଡ଼େ ବହୁଅଛି। ଆଉ ତାହା ପ୍ରବାହିତ ହୋଇ ଆରବ୍ବାକୁ ଯିବ, ଆଉ ତାହା ମୃତ ସମୁଦ୍ରକୁ ଯିବ, ଏବଂ ଯେତେବେଳେ ଏହା ସମୁଦ୍ରରେ ପ୍ରବେଶ କରେ, ଏହାର ଜଳ ନିର୍ମଳ ହୋଇଯାଏ। 9 ପୁନଶ୍ଚ ଏହି ଦନୀସବୁ ଯେଉଁ ସମସ୍ତ ସ୍ଥାନ ଦେଇ ବହିବ, ସେ ସ୍ଥାନସ୍ଥିତ ବହୁସଂଖ୍ୟକ ଜୀବଜନ୍ତୁ ସବୁ ବଞ୍ଚିବେ ଓ ସେ ସ୍ଥାନରେ ଅପାର ମତ୍ସ୍ୟ ହେବେ। କାରଣ ଏହିସବୁ ଜଳ ସେ ସ୍ଥାନକୁ ଆସିଅଛି ଓ ସମୁଦ୍ରର ଜଳ ଉତ୍ତମ ହେବ। ଆଉ ଯେଉଁ ସ୍ଥାନ ଦେଇ ଏହା ପ୍ରବାହିତ ହେବ, ସେ ସ୍ଥାନରେ ସମସ୍ତେ ସଂଜୀବିତ ହେବେ। 10 ଏବଂ ତୁମ୍ଭେ ତାହା ନିକଟରେ ମତ୍ସ୍ୟଧରାଳି ଠିଆ ହୋଇଥିବାର ଦେଖି ପାରିବ। ଐନ-ଗଦୀଠାରୁ ଐନ-ଇଗ୍ଳଇମ୍ ପର୍ଯ୍ୟନ୍ତ ଜାଲ ପକାଇବାର ସ୍ଥାନ ହେବ। ସେଠାରେ ବିଭିନ୍ନ ଜାତିର ଓ ବିଭିନ୍ନ ପ୍ରକାରର ମାଛ ଧରିବା ପାଇଁ ଜାଲ ପକାଇବେ। ଏବଂ ଏହାର ମାଛସବୁ ଭୂମଧ୍ୟସାଗରର ମାଛ ପରି ଅନେକ ପ୍ରକାର ହେବେ। 11 ମାତ୍ର ସେ ସ୍ଥାନରେ ପଙ୍କ ଓ ଝିଲ ଭୂମିସବୁ ଉତ୍ତମ ହେବ ନାହିଁ, ସେହିସବୁ ଲବଣ ପାଇଁ ସମର୍ପିତ ହେବ। 12 ନଦୀର ଉଭୟ ପାର୍ଶ୍ୱରେ ସବୁପ୍ରକାର ଖାଦ୍ୟ ଉପଯୋଗୀ ଫଳବୃକ୍ଷ ହେବ ଓ ସେଗୁଡ଼ିକର ପତ୍ର ମଳିନ ହେବ ନାହିଁ ଏବଂ ଫଳର ଅଭାବ ହେବ ନାହିଁ। କାରଣ ସେହି ବୃକ୍ଷଗୁଡ଼ିକ ପବିତ୍ର ସ୍ଥାନର ନିର୍ଗତ ଜଳରେ ବଢ଼ିଥିବା ହେତୁ ପ୍ରତି ମାସରେ ନୂତନ ଫଳ ଧାରଣ କରିବେ। ଆଉ ତାହାର ଫଳ ଆହାରାର୍ଥେ ଓ ପତ୍ର ଆରୋଗ୍ୟାର୍ଥେ ଔଷଧ ରୂପେ ବ୍ୟବହୃତ ହେବ।”
ବିଭିନ୍ନ ଗୋଷ୍ଠୀ ନିମନ୍ତେ ଭୂମି ବଣ୍ଟନ
13 ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ତୁମ୍ଭେମାନେ ଇସ୍ରାଏଲର ବଂଶର ଦ୍ୱାଦଶ ଗୋଷ୍ଠୀ ମଧ୍ୟରେ ଉତ୍ତରାଧିକାର ନିମନ୍ତେ ଯେଉଁ ଦେଶ ବିଭାଗ କରିବ, ତାହାର ସୀମା ଏହି। ଯୋଷେଫ ଦୁଇ ଭାଗ ପାଇବ। 14 ତୁମ୍ଭେମାନେ ଏହା ସମାନ ସମାନ ଭାଗ କରିବ। କାରଣ ଏହି ଦେଶ ଦେବା ପାଇଁ ମୁଁ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କଠାରେ ପ୍ରତିଜ୍ଞା କରିଥିଲି ଏବଂ ଏହି ଦେଶ ତୁମ୍ଭେମାନେ ଅଧିକାର କରିବ।
15 “ପୁଣି ଦେଶର ସୀମା ଏହି ହେବ। ଉତ୍ତର ଦିଗରେ ହିତ୍ଲୋନ ପଥ ନିକଟସ୍ଥ ମହାସମୁଦ୍ରଠାରୁ ସଦାଦର ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ। 16 ହମାତ୍, ବରୋଥା, ଦମ୍ମେଶକ ଓ ହମାତର ସୀମାର ମଧ୍ୟସ୍ଥିତ ସିବ୍ରୟିମ; ହୌରଣର ସୀମା ନିକଟସ୍ଥ ହତ୍ତ୍ସର ହତ୍ତୀକୋନ୍। 17 ପୁଣି ସମୁଦ୍ରଠାରୁ ସୀମା ଦମ୍ମେଶକ ସୀମା ନିକଟସ୍ଥ ହତ୍ସର-ଐନନ ହେବ, ଆଉ ଉତ୍ତର ଦିଗରେ ଉତ୍ତରରେ ହମାତର ସୀମା। ଏହା ଉତ୍ତର ସୀମା।
18 “ପୂର୍ବ ଦିଗର ସୀମା ହାମୋର, ନୋନ୍ ମଧ୍ୟରେ ହୌରଣ, ଦମ୍ମେଶକ ଦେଇ ଯର୍ଦ୍ଦନ ନଦୀ ଦେଇ ଗିଲିୟଦ ଓ ଇସ୍ରାଏଲ ମଧ୍ୟଦେଇ ଯିବ। ପୂର୍ବ ସମୁଦ୍ର ହୌରଣ, ଦମ୍ମେଶକ ଓ ଗିଲିୟଦ। ଆଉ ଇସ୍ରାଏଲର ଦେଶର ମଧ୍ୟବର୍ତ୍ତୀ ଯର୍ଦ୍ଦନ ହେବ। ଉତ୍ତର ସୀମାରୁ ପୂର୍ବ ସମୁଦ୍ର ପର୍ଯ୍ୟନ୍ତ ମାପିବ। ଏହା ପୂର୍ବ ସୀମା ହେବ।
19 “ପୁଣି ଦକ୍ଷିଣ ଦିଗରେ ଦକ୍ଷିଣ ସୀମା ତାମରଠାରୁ ମରୀବତ୍-କାଦେଶସ୍ଥ ଜଳ, ମିଶରର ସ୍ରୋତୋମାର୍ଗ ଓ ମହାସମୁଦ୍ର ପର୍ଯ୍ୟନ୍ତ ହେବ। ଏହା ଦକ୍ଷିଣ ଦିଗର ଦକ୍ଷିଣ ସୀମା।
20 “ପୁଣି ଦକ୍ଷିଣ ସୀମାଠାରୁ ହମାତର ସମ୍ମୁଖ ସ୍ଥାନ ପର୍ଯ୍ୟନ୍ତ ମହାସମୁଦ୍ର ପଶ୍ଚିମ ସୀମା ହେବ। ଏହା ପଶ୍ଚିମ ସୀମା।
21 “ତୁମ୍ଭେମାନେ ଇସ୍ରାଏଲର ପରିବାରବର୍ଗଙ୍କ ମଧ୍ୟରେ ଏହି ଦେଶ ଭାଗ କରିବ। 22 ପୁଣି ତୁମ୍ଭେମାନେ ତୁମ୍ଭମାନଙ୍କ ଉତ୍ତରାଧିକାରୀମାନଙ୍କ ମଧ୍ୟରେ ଓ ତୁମ୍ଭମାନଙ୍କ ମଧ୍ୟରେ ବାସ କରୁଥିବା ବିଦେଶୀମାନଙ୍କ ନିମନ୍ତେ ଓ ସେମାନଙ୍କଠାରୁ ଉତ୍ପନ୍ନ ସନ୍ତାନସନ୍ତତି ନିମନ୍ତେ ଓ ଉତ୍ତରାଧିକାରୀ ନିମନ୍ତେ ଗୁଲିବାଣ୍ଟ ଦ୍ୱାରା ଦେଶ ବିଭାଗ କରିବ ଏବଂ ସେମାନେ ଇସ୍ରାଏଲ ଲୋକମାନେ ସ୍ୱଜନ୍ମସ୍ଥାନ ତୁଲ୍ୟ ବିବେଚିତ ହେବା ଉଚିତ୍। ସେମାନେ ମଧ୍ୟ କିଛି ଇସ୍ରାଏଲ ଭୂମିର ଉତ୍ତରାଧିକାରୀ ହେବା ଉଚିତ୍। ଇସ୍ରାଏଲ ପରିବାରବର୍ଗମାନଙ୍କ ମଧ୍ୟରୁ ସେମାନଙ୍କ ପାଇଁ ଭୂମି ପ୍ରାପ୍ତ କର। 23 ସେମାନେ ନିଜର ବାସ କରୁଥିବା ପରିବାରବର୍ଗ ଅନୁସାରେ ଅଧିକାର ପାଇବେ।” ସଦାପ୍ରଭୁ, ମୋର ପ୍ରଭୁ ଏହା କହନ୍ତି।
ଇସ୍ରାଏଲର ପରିବାରବର୍ଗ ପାଇଁ ଦେଶ
48 “ଉତ୍ତର ସୀମା ଭୂମଧ୍ୟସାଗରଠାରୁ ପୂର୍ବକୁ ହତ୍ଲୋନ, ହମାତ୍ ମଧ୍ୟରେ ଏବଂ ହତ୍ସରେ-ଐନନ୍ ପର୍ଯ୍ୟନ୍ତ ବିସ୍ତାର କରିଥିଲା। ଏହା ଦମ୍ମେଶକ ଓ ହମାତର ସୀମା ଉପରେ ଥିଲା। ପରିବାରବର୍ଗଙ୍କ ନିମନ୍ତେ ପୂର୍ବରୁ ପଶ୍ଚିମ ସୀମା ମଧ୍ୟରେ ଦେଶ ବିଭାଗ ହେବ ଓ ଉତ୍ତରରୁ ଦକ୍ଷିଣ ସୀମା ମଧ୍ୟରେ ପରିବାରବର୍ଗଙ୍କ ପାଇଁ ଦେଶ ବିଭାଗ ହେବ। ଆଉ ପରିବାରବର୍ଗଙ୍କ ନାମ ଏହିପରି ଯଥା: ଦାନ, ଆଶେର, ନପ୍ତାଲି, ମନଃଶି, ଇଫ୍ରୟିମ, ରୁବେନ୍ ଓ ଯିହୁଦା।
ଭୂମିର ସ୍ୱତନ୍ତ୍ର ବିଭାଗ
8 “ପୁଣି ଦେଶ ତୁମ୍ଭେ ଉପହାର ରୂପେ ଦେଇଛ ତାହା ଯିହୁଦାର ଉତ୍ତର ସୀମାରେ ରହିବ। ପୁଣି ଯିହୁଦାର ସୀମା ନିକଟରେ ପୂର୍ବରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ ତୁମ୍ଭମାନଙ୍କ ଦତ୍ତ ଉପହାର ଭୂମି ରହିବ। ତାହାର ଲମ୍ବ 25,000 ହାତ ଓ ପୂର୍ବରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ ଅନ୍ୟାନ୍ୟ ଅଂଶର ସମାନ ହେବ। ଆଉ ଏହାର ମଧ୍ୟବର୍ତ୍ତୀ ସ୍ଥାନରେ ମନ୍ଦିର ହେବ। 9 ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଉପହାର ଭୂମି ନିବେଦନ କରିବ, ତାହାର ଦୈର୍ଘ୍ୟ 25,000 ଓ ପ୍ରସ୍ଥ 10,000 ହାତ [a] ହେବ। 10 ସେହି ବିଶେଷ ଭୂମି
“ଯାଜକମାନଙ୍କ ପାଇଁ ହେବ। ତାହା ଉତ୍ତରରେ 25,000 ହାତ ଦୈର୍ଘ୍ୟ ଓ ପଶ୍ଚିମରେ 10,000 ହାତ ପ୍ରସ୍ଥ ହେବ। ପୁଣି ପୂର୍ବ ଆଡ଼େ 10,000 ହାତ ପ୍ରସ୍ଥ ଓ ଦକ୍ଷିଣ ଆଡ଼େ 25,000 ହାତ ଦୈର୍ଘ୍ୟ ହେବ। ଏହାର ମଧ୍ୟସ୍ଥାନରେ ସଦାପ୍ରଭୁଙ୍କର ମନ୍ଦିର ହେବ। 11 ତାହା ସାଦୋକର ସନ୍ତାନଗଣ ମଧ୍ୟରୁ ପବିତ୍ରୀକୃତ ଯାଜକମାନଙ୍କ ବଂଶଧର ନିମନ୍ତେ ହେବ। ଯେଉଁମାନେ ମୋତେ ବିଶ୍ୱସ୍ତ ଭାବରେ ସେବା କରିଛନ୍ତି, କାରଣ ସେମାନେ ଆମର ରକ୍ଷଣୀୟ। ଇସ୍ରାଏଲର ପରିବାରବର୍ଗ ବିପଥଗାମୀ ହେବା ସମୟର ଲେବୀୟମାନେ ଯେପରି ବିପଥଗାମୀ ହେଲେ, ସେମାନେ ସେପରି ବିପଥଗାମୀ ହେଲେ ନାହିଁ। 12 ସେମାନେ ମହାପବିତ୍ର ଭୂମିରୁ ଲେବୀୟମାନଙ୍କ ସୀମା ପାଖରେ ଏକ ବିଶେଷ ଭାଗ ପାଇବେ।
13 “ସୀମା ସହିତ ଯାଜକମାନେ, ଲେବୀୟମାନେ 25,000 ହାତ ଦୈର୍ଘ୍ୟ, 10,000 ହାତ ପ୍ରସ୍ଥ ବିଶିଷ୍ଟ ଭୂମି ପାଇବେ। ସମୁଦାୟ ଭୂମିର ଦୈର୍ଘ୍ୟ 25,000 ଓ ପ୍ରସ୍ଥ 10,000 ହାତ ହେବ। 14 ସେମାନେ ସେହି ଭୂମିରୁ କିଛି ବିକ୍ରୟ କରିବେ ନାହିଁ କି ତାହା ପରିବର୍ତ୍ତନ କରିବେ ନାହିଁ। ଏହା ଭୂମିର ସବୁଠୁ ଉତ୍ତମ ଅଂଶ, ଆଉ ତାହା ହାତେ ମଧ୍ୟ ପରିବର୍ତ୍ତିତ ହେବ ନାହିଁ। କାରଣ ଏହା ସଦାପ୍ରଭୁଙ୍କୁ ଉତ୍ସର୍ଗିକୃତ ହୋଇଅଛି।
ନଗର ସମ୍ପତ୍ତି ପାଇଁ ବିଭାଗ ବଣ୍ଟନ
15 “ଆଉ 25,000 ହାତ ଦୈର୍ଘ୍ୟ ଓ 5000 ହାତ ପ୍ରସ୍ଥ ବିଶିଷ୍ଟ ଭୂମି ଯେଉଁ ଅବଶିଷ୍ଟ ରହିବ ତାହା ସର୍ବସାଧାରଣ ବ୍ୟବହାର, ନଗର, ବସତିସ୍ଥାନ ଓ ଗ୍ଭରଣଭୂମି ନିମନ୍ତେ ରହିବ ଓ ତାହାର ମଧ୍ୟସ୍ଥାନରେ ନଗର ରହିବ। 16 ନଗରର ପରିମାପ ଏହିପରି ହେବ। ଏହାର ଉତ୍ତର ସୀମା, ଦକ୍ଷିଣ ସୀମା, ପୂର୍ବ ସୀମା ଓ ପଶ୍ଚିମ ସୀମା ପ୍ରତ୍ୟେକ 4500 ହାତ ବିଶିଷ୍ଟ ହେବ। 17 ଆଉ ନଗରର ଗ୍ଭରଣଭୂମି ହେବ। ତାହାର ଉତ୍ତର ଦକ୍ଷିଣ, ପୂର୍ବ ଓ ପଶ୍ଚିମ ସୀମା ପ୍ରତ୍ୟେକ 250 ହାତ ବିଶିଷ୍ଟ ଭୂମି ହେବ। 18 ପୁଣି ପବିତ୍ର ଉପହାର ଭୂମି ଦୈର୍ଘ୍ୟାନୁସାରେ ଯେଉଁ ଅବଶିଷ୍ଟ ଭୂମି ପୂର୍ବ ଆଡ଼େ 10,000 ହାତ ଓ ପଶ୍ଚିମ ଆଡ଼େ 10,000 ହାତ ହେବ। ଆଉ ତାହା ନଗରର କାର୍ଯ୍ୟ କର୍ତ୍ତାମାନଙ୍କ ପାଇଁ ଖାଦ୍ୟ ଉତ୍ପନ୍ନ କରିବ। 19 ଆଉ ଇସ୍ରାଏଲର ଯାବତୀୟ ପରିବାରବର୍ଗ ସେହି ଭୂମିରେ କୃଷି କରିବେ।
20 “ସମୁଦାୟ ଉପହାର ଭୂମିର ଦୈର୍ଘ୍ୟ 25,000 ହାତ ଓ ପ୍ରସ୍ଥ 25,000 ହାତ ହେବ। ସ୍ୱତନ୍ତ୍ର ବ୍ୟବହାର ନିମନ୍ତେ ଏହି ଭୂମିକୁ ବ୍ୟବହାର କରାଯିବ। ସେଥିରୁ ଏକ ଭାଗ ଯାଜକମାନଙ୍କ ନିମନ୍ତେ, ଏକ ଭାଗ ଲେବୀୟମାନଙ୍କ ନିମନ୍ତେ ଓ ଏକ ଭାଗ ନଗର ନିମନ୍ତେ ରହିବ।
21-22 “ଭୂମିର ଅଂଶ ପବିତ୍ର ମନ୍ଦିର ପାଇଁ ଅଲଗା ରଖାଗଲା ଏବଂ ସହର ମୁଖ୍ୟଙ୍କ ପାଖକୁ ଯିବା ଉଚିତ୍। ଅର୍ଥାତ୍ ଅନ୍ୟାନ୍ୟ ଅଂଶ ଅନୁସାରେ ପୂର୍ବସୀମା ଆଡ଼େ 25,000 ହାତ ପରିମିତ ଉପହାର ଭୂମିର ସମ୍ମୁଖସ୍ଥ ଭୂମି ଓ ପଶ୍ଚିମ ଦିଗରେ ପଶ୍ଚିମ ଆଡ଼େ 25,000 ହାତ ପରିମିତ ଭୂମିର ସମ୍ମୁଖସ୍ଥ ଭୂମି ଅଧିପତିଙ୍କର ହେବ। ଆଉ ପବିତ୍ର ଉପହାର ଭୂମି ଓ ମନ୍ଦିରର ପବିତ୍ର ସ୍ଥାନ ତହିଁର ମଧ୍ୟବର୍ତ୍ତୀ ହେବ। ଆହୁରି ଅଧିପତିଙ୍କ ଅଂଶର ମଧ୍ୟସ୍ଥିତ ଲେବୀୟମାନଙ୍କ ଅଧିକାରର ସୀମା ଓ ନଗର ଅଧିକାରର ସୀମାଠାରୁ ଯେଉଁ ଭୂମି ଯିହୁଦା ଓ ବିନ୍ୟାମୀନର ସୀମାର ମଧ୍ୟବର୍ତ୍ତୀ ଅଛି ତାହା ଅଧିପତିଙ୍କ ପାଇଁ ହେବ।
23-27 “ଯର୍ଦ୍ଦନ ନଦୀର ପୂର୍ବରେ ବାସ କରୁଥିବା ପରିବାରବର୍ଗଙ୍କ ପାଇଁ ଏହି ସ୍ୱତନ୍ତ୍ର ଭୂମିର ଦକ୍ଷିଣରେ ରହିବ। ଏହିସବୁ ପରିବାରବର୍ଗମାନେ ଯର୍ଦ୍ଦନ ନଦୀର ପୂର୍ବଦିଗରେ ବାସ କରନ୍ତି। ପୂର୍ବ ସୀମାରୁ ମହାସମୁଦ୍ର ପର୍ଯ୍ୟନ୍ତ ପ୍ରତ୍ୟେକ ପରିବାରବର୍ଗଙ୍କର ଗୋଟିଏ ଗୋଟିଏ ବିଭାଗ ଭୂମି ରହିବ। ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ଯେଉଁ ପରିବାରଗୁଡ଼ିକ ରହିବେ ସେହି ପରିବାରବର୍ଗଗୁଡ଼ିକ ହେଲେ: ବିନ୍ୟାମୀନ, ଶିମିୟୋନ, ଇଷାଖର, ସବଲୁନ ଓ ଗାଦ୍।
28 “ପୁଣି ଗାଦ୍ର ସୀମା ନିକଟସ୍ଥ ଦକ୍ଷିଣ ଆଡ଼େ ଦକ୍ଷିଣ ସୀମା ନିକଟରେ ତାମରଠାରୁ ମରୀବତ୍-କାଦେଶସ୍ଥ ଜଳ ପର୍ଯ୍ୟନ୍ତ ଅର୍ଥାତ୍ ମିଶରର ନଦୀ ଓ ମହାସମୁଦ୍ର ପର୍ଯ୍ୟନ୍ତ ଦେଶର ସୀମା ହେବ। 29 ସେହି ହେଉଛି ଦେଶ ଯାହାକୁ ତୁମ୍ଭେମାନେ ଇସ୍ରାଏଲ ପରିବାରବର୍ଗର ଉତ୍ତରାଧିକାରୀମାନଙ୍କ ମଧ୍ୟରେ ଭାଗ କରିବ ଓ ଏଗୁଡ଼ିକ ସେମାନଙ୍କର ଭିନ୍ନ ଭିନ୍ନ ଅଂଶ ଅଟେ।” ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି।
ନଗରର ଦ୍ୱାରସମୂହ
30 “ଆଉ ଏହିସବୁ ନଗରର ନିର୍ଗମନ ସ୍ଥାନ ହେବ। ଇସ୍ରାଏଲଙ୍କ ପରିବାରବର୍ଗ ପରେ ସେମାନେ ନାମିତ ହେବେ।
“ଉତ୍ତର ଆଡ଼େ 4500 ହାତ ପରିମିତ ଭୂମି ହେବ। 31 ଇସ୍ରାଏଲର ପରିବାରବର୍ଗର ନାମାନୁସାରେ ଉତ୍ତରରେ ତିନି ଦ୍ୱାର ହେବ। ସେଗୁଡ଼ିକ ହେଲେ ରୁବେନ୍ର ଦ୍ୱାର, ଯିହୁଦାର ଦ୍ୱାର ଓ ଲେବୀର ଦ୍ୱାର।
32 “ନଗରର ପୂର୍ବଦିଗରେ 4500 ହାତ ପରିମିତ ଭୂମି ହେବ ଓ ସେଠାରେ ତିନି ଦ୍ୱାର ହେବ। ଯଥା: ଯୋଷେଫଙ୍କର ଦ୍ୱାର, ବିନ୍ୟାମୀନର ଦ୍ୱାର ଓ ଦାନର ଦ୍ୱାର।
33 “ନଗରର ଦକ୍ଷିଣ ପାର୍ଶ୍ୱ 4500 ହାତ ହେବ ଓ ସେଠାରେ ମଧ୍ୟ ତିନି ଦ୍ୱାର ରହିବ। ଯଥା: ଶିମିୟୋନର ଦ୍ୱାର, ଇଷାଖରର ଦ୍ୱାର ଓ ସବୂଲୂନର ଦ୍ୱାର।
34 “ପୁଣି ପଶ୍ଚିମ ପାର୍ଶ୍ୱର ଭୂମି 4500 ହାତ ପରିମିତ ହେବ ଓ ସେଠାରେ ମଧ୍ୟ ତିନିଦ୍ୱାର ହେବ। ଯଥା: ଗାଦ୍ର ଦ୍ୱାର, ଆଶେରର ଦ୍ୱାର ଓ ନପ୍ତାଲିର ଦ୍ୱାର।
35 “ନଗରର ଚତୁର୍ଦ୍ଦିଗର ଦୈର୍ଘ୍ୟ 18,000 ହାତ ପରିମିତ ହେବ। ଆଉ ବର୍ତ୍ତମାନଠାରୁ ନଗରର ନାମ ହେବ, ସଦାପ୍ରଭୁ ତହିଁ ବିଦ୍ୟମାନ।”
ଆମ୍ଭେ ପରମେଶ୍ୱରଙ୍କ ସନ୍ତାନ
3 ପରମପିତା ଆମ୍ଭମାନଙ୍କୁ ଅତ୍ୟଧିକ ପ୍ରେମ କଲେ। ଆମ୍ଭେ ପରମେଶ୍ୱରଙ୍କର ସନ୍ତାନ ରୂପେ ନାମିତ ହେବା ଦ୍ୱାରା ଆମ୍ଭ ପ୍ରତି ତାଙ୍କର ମହାନ୍ ପ୍ରେମ ପ୍ରକାଶ ପାଏ। ଆମ୍ଭେ ପ୍ରକୃତରେ ତାଙ୍କର ସନ୍ତାନ ଅଟୁ। କିନ୍ତୁ ଏ ଜଗତ (ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ) ପରମେଶ୍ୱରଙ୍କୁ ଚିହ୍ନି ପାରି ନ ଥିବାରୁ ଆମ୍ଭକୁ ମଧ୍ୟ ପରମେଶ୍ୱରଙ୍କ ସନ୍ତାନ ବୋଲି ଚିହ୍ନି ପାରୁ ନାହିଁ। 2 ପ୍ରିୟ ବନ୍ଧୁମାନେ, ଆମ୍ଭେ ବର୍ତ୍ତମାନ ପରମେଶ୍ୱରଙ୍କର ସନ୍ତାନ, କିନ୍ତୁ ଭବିଷ୍ୟତରେ ଆମ୍ଭେ କ’ଣ ହେବା ତାହା ଆମ୍ଭକୁ ଜଣାଇ ଦିଆଯାଇ ନାହିଁ। ଆମ୍ଭେ ଏହା ଜାଣିଛୁ ଯେ ଖ୍ରୀଷ୍ଟଙ୍କ ପୁନରାଗମନ ସମୟରେ ଆମ୍ଭେ ସବୁ ତାହାଙ୍କ ଭଳି ହୋଇଯିବା। ସେ ଯେପରି, ଆମ୍ଭେ ତାହାଙ୍କୁ ସେହି ରୂପରେ ଦେଖିବା। 3 ଖ୍ରୀଷ୍ଟ ପବିତ୍ର। ଯେ କେହି ଖ୍ରୀଷ୍ଟଙ୍କଠାରେ ଆଶା ରଖେ, ସେ ଖ୍ରୀଷ୍ଟଙ୍କ ଭଳି ନିଜକୁ ପବିତ୍ର ରଖେ।
4 ଯେଉଁ ଲୋକ ପାପ କରେ, ସେ ପରମେଶ୍ୱରଙ୍କର ନିୟମ ଭାଙ୍ଗେ। କାରଣ ନିୟମର ଲଙ୍ଘନ ହେଉଛି ପାପ। 5 ତୁମ୍ଭେ ତ ଜାଣିଛ, ଲୋକମାନଙ୍କର ପାପ ଦୂର କରିବା ପାଇଁ ଖ୍ରୀଷ୍ଟ ସଂସାରକୁ ଆସିଥିଲେ। ତାହାଙ୍କ ଭିତରେ କୌଣସି ପାପ ନାହିଁ। 6 ତାହାଙ୍କଠାରେ ରହୁଥିବା ଲୋକ ପାପ କରେ ନାହିଁ। ପାପ କରୁଥିବା ଲୋକ ଖ୍ରୀଷ୍ଟଙ୍କୁ କଦାପି ଜାଣି ନାହିଁ କି ବୁଝି ପାରି ନାହିଁ।
7 ପ୍ରିୟ ପିଲାମାନେ, କେହି ତୁମ୍ଭମାନଙ୍କୁ ମନ୍ଦ ପଥରେ ଯିବା ପାଇଁ ନ ଭୁଲାଉ। ଖ୍ରୀଷ୍ଟ ଧାର୍ମିକ ଅଟନ୍ତି। ତେଣୁ ଯେକେହି ଖ୍ରୀଷ୍ଟଙ୍କ ପରି ଉତ୍ତମ ହେବାକୁ ଇଚ୍ଛା କରେ, ସେ ଉଚିତ୍ କର୍ମ କରୁ। 8 ଶୟତାନ ଆରମ୍ଭରୁ ପାପ କରି ଆସୁଅଛି। ଯେଉଁ ଲୋକ ପାପ କରେ, ସେ ଶୟତାନର ଅଟେ। ତେଣୁ ଶୟତାନର ପାପ କାମକୁ ଧ୍ୱଂସ କରିବା ପାଇଁ ପରମେଶ୍ୱରଙ୍କର ପୁତ୍ର ଏହି ସଂସାରକୁ ଆସିଛନ୍ତି।
9 ପରମେଶ୍ୱରଙ୍କର ସନ୍ତାନ ହେବା ଲୋକ ଆଉ ପାପ କରେ ନାହିଁ, କାରଣ ଯେଉଁ ନୂଆ ଜୀବନ ପରମେଶ୍ୱର ସେହି ଲୋକକୁ ଦିଅନ୍ତି, ତାହା ତା’ଠାରେ ଥାଏ। ତେଣୁ ସେ ଆଉ ପାପ କରିପାରେ ନାହିଁ ଯେହେତୁ ସେ ପରମେଶ୍ୱରଙ୍କର ସନ୍ତାନ ହୋଇସାରିଥାଏ। 10 ତେଣୁ କେଉଁମାନେ ପରମେଶ୍ୱର ସନ୍ତାନ ଓ କେଉଁମାନେ ଶୟତାନର ସନ୍ତାନ, ତାହା ତୁମ୍ଭେମାନେ ଜାଣି ପାରିବ। ଯେଉଁମାନେ ସତ୍କର୍ମ କରନ୍ତି ନାହିଁ, ସେମାନେ ପରମେଶ୍ୱରଙ୍କର ସନ୍ତାନ ନୁହନ୍ତି, ଯେ କେହି ନିଜ ଭାଇକୁ ପ୍ରେମ କରେ ନାହିଁ, ସେ ମଧ୍ୟ ଈଶ୍ୱରଙ୍କର ସନ୍ତାନ ନୁହେଁ।
ଆମ୍ଭେ ନିଶ୍ଚୟ ପରସ୍ପରକୁ ଭଲ ପାଇବା ଉଚିତ୍
11 ତୁମ୍ଭେମାନେ ଆରମ୍ଭରୁ ଏହି ଶିକ୍ଷା ଶୁଣିଛ, ଆମ୍ଭର ପରସ୍ପରକୁ ନିଶ୍ଚୟ ପ୍ରେମ କରିବା ଉଚିତ୍। 12 ଆମ୍ଭେ କୟିନ [a] ଭଳି ହେବା ଉଚିତ୍ ନୁହେଁ। କାରଣ ତାହାଙ୍କଠାରେ ପାପାତ୍ମା ଥିଲା। ସେ ନିଜ ଭାଇ ହେବଲକୁ ହତ୍ୟା କଲା। ସେ ତା’ର ଭାଇକୁ କାହିଁକି ହତ୍ୟା କଲା? ସେ ଏପରି କଲା, କାରଣ ତା’ର କାର୍ଯ୍ୟଗୁଡ଼ିକ ମନ୍ଦ ଥିଲା ଓ ତା’ ଭାଇର କର୍ମଗୁଡ଼ିକ ଭଲ ଥିଲା।
13 ଭାଇ ଓ ଭଉଣୀମାନେ, ଯଦି ଜଗତ ତୁମ୍ଭକୁ ଘୃଣା କରେ, ତେବେ ଆଶ୍ଚର୍ଯ୍ୟ ହୁଅ ନାହିଁ। 14 ଆମ୍ଭେ ଜାଣୁ ଯେ, ଆମ୍ଭେ ମୃତ୍ୟୁର ସୀମା ପାରି ହୋଇ ଜୀବନରେ ପ୍ରବେଶ କରିଛୁ, କାରଣ ଆମ୍ଭେ ନିଜ ଭାଇ ଓ ଭଉଣୀମାନଙ୍କୁ ପ୍ରେମ କରୁ। ଯେଉଁ ଲୋକ ପ୍ରେମ କରେ ନାହିଁ, ସେ ମୃତ୍ୟୁ ସୀମା ମଧ୍ୟରେ ଥାଏ। 15 ନିଜ ଭାଇକୁ ଘୃଣା କରୁଥିବା ପ୍ରତ୍ୟେକ ଲୋକ ନିଜେ ହତ୍ୟାକାରୀ ଅଟେ। ତୁମ୍ଭେ ତ ଜାଣିଛ ଯେ, କୌଣସି ହତ୍ୟାକାରୀଠାରେ ଅନନ୍ତ ଜୀବନ ନାହିଁ।
16 ଯୀଶୁ ଆମ୍ଭମାନଙ୍କ ପାଇଁ ନିଜ ଜୀବନ ଦେଇଛନ୍ତି। ଏଥିରୁ ପ୍ରକୃତ ପ୍ରେମ କ’ଣ, ତାହା ଆମ୍ଭେ ଜାଣିଛୁ। ଆମ୍ଭେ ମଧ୍ୟ ନିଜ ଭାଇମାନଙ୍କ ପାଇଁ ଜୀବନ ଦାନ କରିବା ଉଚିତ୍। 17 ଯେଉଁ ବିଶ୍ୱାସୀ ଜଗତର ସମସ୍ତ ଧନରେ ଧନୀ, କିନ୍ତୁ ନିଜ ଭାଇକୁ ଅଭାବ ଅବସ୍ଥାରେ ଦେଖି ମଧ୍ୟ ତାହାକୁ ସାହାଯ୍ୟ କରେ ନାହିଁ, ତା’ ହୃଦୟରେ ପରମେଶ୍ୱରଙ୍କର ପ୍ରେମ ନାହିଁ। 18 ପ୍ରିୟ ପିଲାମାନେ, ଆମ୍ଭର ପ୍ରେମ କେବଳ ଶବ୍ଦ ଓ କଥା ମଧ୍ୟରେ ସୀମିତ ରହିବା ଉଚିତ୍ ନୁହେଁ। ମାତ୍ର ଏହା ସତ୍ୟପ୍ରେମ ହେବା ଆବଶ୍ୟକ ଓ ଆଚରଣରେ ଆମ୍ଭେ ଏହା ଦେଖାଇବା ଉଚିତ୍।
19-20 ଏହିପରି ଭାବରେ ଆମ୍ଭେ ସତ୍ୟମାର୍ଗରେ ଅଛୁ ବୋଲି ଜାଣି ପାରିବା। ପୁଣି ଯଦି କୌଣସି ବିଷୟରେ ଆମ୍ଭମାନଙ୍କ ହୃଦୟ ଆମ୍ଭମାନଙ୍କୁ ଦୋଷୀ କରେ, ତେବେ ମଧ୍ୟ ଆମ୍ଭେମାନେ ପରମେଶ୍ୱରଙ୍କ ଛାମୁରେ ଶାନ୍ତ ରହି ପାରିବା, କାରଣ ପରମେଶ୍ୱର ଆମ୍ଭମାନଙ୍କ ହୃଦୟଠାରୁ ମହାନ ଓ ସେ ସବୁ ଜାଣନ୍ତି।
21 ପ୍ରିୟ ବନ୍ଧୁମାନେ, ଆମ୍ଭମାନଙ୍କ ହୃଦୟ ଯଦି ଆମ୍ଭମାନଙ୍କୁ ଦୋଷୀ ନ କରେ, ତାହାହେଲେ ପରମେଶ୍ୱରଙ୍କ ଛାମୁରେ ଆମ୍ଭମାନଙ୍କର ସମ୍ପୂର୍ଣ୍ଣ ଭରସା ଅଛି। 22 ଆମ୍ଭେ ଯାହା ତାହାଙ୍କଠାରୁ ମାଗୁ, ଆମ୍ଭେ ତାହାଙ୍କଠାରୁ ପାଇଥାଉ। ଆମ୍ଭେ ତାଙ୍କ ଆଦେଶ ପାଳନ କରୁ ଏବଂ ଆମ୍ଭେ ସେହି କାମଗୁଡ଼ିକ କରୁ, ଯାହା ତାହାଙ୍କୁ ସନ୍ତୁଷ୍ଟ କରେ। 23 ପରମେଶ୍ୱରଙ୍କର ଏହା ଆଦେଶ: ତାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆମ୍ଭେମାନେ ବିଶ୍ୱାସ କରିବା ଓ ପରସ୍ପରକୁ ଭଲ ପାଇବା। 24 ଯେଉଁ ଲୋକ ତାହାଙ୍କ ଆଦେଶଗୁଡ଼ିକ ପାଳନ କରେ, ସେ ପରମେଶ୍ୱରଙ୍କଠାରେ ରୁହେ ଓ ପରମେଶ୍ୱର ସେହି ଲୋକଠାରେ ରୁହନ୍ତି। ପରମେଶ୍ୱର ଯେ ଆମ୍ଭମାନଙ୍କଠାରେ ବାସ କରନ୍ତି, ତାହା ଆମ୍ଭେମାନେ କିପରି ଜାଣିବା? ପରମେଶ୍ୱରଙ୍କ ଦତ୍ତ ପବିତ୍ରଆତ୍ମାଙ୍କ ଦ୍ୱାରା ଆମ୍ଭେମାନେ ତାହା ଜାଣି ପାରିବା।
2010 by World Bible Translation Center