New Testament in a Year
ପାଉଲ ଓ ଶୀଲାଙ୍କର ଥେସଲନିକୀରେ ପ୍ରବେଶ
17 ପାଉଲ ଓ ଶୀଲା ଆଂଫିପଲି ଓ ଆପଲ୍ଲୋନିଆ ନଗର ଦେଇ ଥେସଲନୀକୀ ନଗରରେ ପହଞ୍ଚିଲେ। ସେଠାରେ ଯିହୂଦୀୟମାନଙ୍କର ଗୋଟିଏ ସମାଜଗୃହ ଥିଲା। 2 ପାଉଲ ସେମାନଙ୍କ ପାଖକୁ ଗଲେ। ଏପରି ସେ ସର୍ବଦା କରୁଥିଲେ। ସେ ତିନି ବିଶ୍ରାମବାର ଦିନ ପର୍ଯ୍ୟନ୍ତ ସେମାନଙ୍କ ସହିତ ଶାସ୍ତ୍ର ଆଲୋଚନା କଲେ। 3 ସେ ପବିତ୍ର ବାକ୍ୟ ବୁଝେଇଲେ ଓ ସେମାନଙ୍କୁ ପ୍ରମାଣ ଦେଇ କହିଲେ ଯେ, ଖ୍ରୀଷ୍ଟଙ୍କର ଦୁଃଖ ଭୋଗ କରିବାର ଓ ମୃତ୍ୟୁରୁ ପୁନର୍ଜୀବିତ ହେବାର ଆବଶ୍ୟକତା ଥିଲା। ପାଉଲ କହିଲେ, “ଏହି ଯୀଶୁ, ଯାହାଙ୍କ ବିଷୟରେ ମୁଁ ତୁମ୍ଭମାନଙ୍କ ନିକଟରେ ପ୍ରଗ୍ଭର କରୁଛି, ସେ ହେଉଛନ୍ତି ଖ୍ରୀଷ୍ଟ।” 4 ସେମାନଙ୍କ ମଧ୍ୟରୁ କେତେକ ଲୋକ ପରିବର୍ତ୍ତିତ ହେଲେ, ଏବଂ ପାଉଲ ଓ ଶୀଲାଙ୍କ ସହିତ ଯୋଗ ଦେଲେ। ସତ୍ୟ ପରମେଶ୍ୱରଙ୍କୁ ପୂଜା କରୁଥିବା ଅନେକ ଗ୍ରୀକ୍ ଲୋକ ଓ ଅନେକ ପ୍ରଭାବଶାଳୀ ସ୍ତ୍ରୀମାନେ ମଧ୍ୟ ସେମାନଙ୍କ ସହିତ ଯୋଗଦେଲେ।
5 କିନ୍ତୁ ଅବିଶ୍ୱାସୀ ଯିହୂଦୀୟମାନେ ଈର୍ଷାପରାୟଣ ହୋଇ ବଜାରରୁ ଦୁଷ୍ଟ ଲୋକଙ୍କ ମଧ୍ୟରୁ ଗୋଟିଏ ଦଳ ଏକାଠି କଲେ ଓ ନଗରରେ ଗଣ୍ଡଗୋଳ ସୃଷ୍ଟିକଲେ। ସେମାନେ ନଗରରେ ଉପଦ୍ରବ କରି ଯାସୋନଙ୍କ ଘର ଉପରେ ଆକ୍ରମଣ କଲେ। ସେମାନେ ପାଉଲ ଓ ଶୀଲାଙ୍କୁ ଲୋକମାନଙ୍କ ଆଗକୁ ଧରି ଆଣିବା ପାଇଁ ଚେଷ୍ଟା କଲେ। 6 ସେମାନେ ତାହାଙ୍କୁ ନ ପାଇ ଯାସୋନ ଓ କେତେକ ଭାଇମାନଙ୍କୁ ନଗରକର୍ତ୍ତାମାନଙ୍କ ନିକଟକୁ ଟାଣି ନେଲେ। ସେମାନେ ପାଟି କରି କହିଲେ, “ଏହି ଲୋକମାନେ ସାରା ଜଗତରେ ଭୟଙ୍କର ଅରାଜକତା ସୃଷ୍ଟି କରୁଛନ୍ତି। ସେମାନେ ବର୍ତ୍ତମାନ ଏଠାକୁ ମଧ୍ୟ ଆସିଲେଣି। 7 ଯାସୋନ ସେହିମାନଙ୍କୁ ଆଣି ନିଜ ଘରେ ରଖିଛି। ଯୀଶୁ ନାମରେ ଯେ ଆଉ ଜଣେ ରାଜା ଅଛି, ଏହା କହି ସେମାନେ ସମସ୍ତେ ଦାବୀ କରି କାଇସରଙ୍କ ନିୟମର ବିରୁଦ୍ଧାଚରଣ କରୁଛନ୍ତି।”
8 ଜନସମୂହ ଓ ନଗରର ଶାସନକର୍ତ୍ତାମାନେ ସେମାନଙ୍କ କଥା ଶୁଣି ବିଚଳିତ ହୋଇ ପଡ଼ିଲେ। 9 ପରେ ସେମାନେ ଯାସୋନ ଓ ଅନ୍ୟମାନଙ୍କଠାରୁ ଜାମିନ ନେଇ ଛାଡ଼ି ଦେଲେ।
ପାଉଲ ଓ ଶୀଲାଙ୍କର ବେରେୟାରେ ପ୍ରବେଶ
10 ପାଉଲ ଓ ଶୀଲାଙ୍କୁ ଭାଇମାନେ ସେହି ରାତିରେ ସାଙ୍ଗେ ସାଙ୍ଗେ ବେରୟା ନଗରକୁ ପଠାଇ ଦେଲେ। ସେମାନେ ସେଠାରେ ପହଞ୍ଚି ଯିହୂଦୀୟମାନଙ୍କ ସମାଜଗୃହକୁ ଗଲେ। 11 ସେଠାରେ ଲୋକମାନେ ଥେସଲନୀକୀୟ ଲୋକମାନଙ୍କ ଅପେକ୍ଷା ବେଶି ଭଦ୍ର ଓ ଉତ୍ତମ ଥିଲେ। ସେମାନେ ପାଉଲ ଓ ଶୀଲାଙ୍କର କଥା ଅତି ଉତ୍ସୁକତାର ସହ ଶୁଣିଲେ। ସେମାନଙ୍କର କଥା ସତ୍ୟ ନା ମିଥ୍ୟା, ଏହି କଥା ଜାଣିବା ପାଇଁ ସେମାନେ ପ୍ରତିଦିନ ଶାସ୍ତ୍ର ପରୀକ୍ଷା କରି ଦେଖିଲେ। 12 ଅତଏବ, ଅନେକ ଯିହୂଦୀୟ ଲୋକ ବିଶ୍ୱାସ କଲେ। ଅନେକ ସମ୍ରାନ୍ତ ଗ୍ରୀକ ସ୍ତ୍ରୀ ଓ ପୁରୁଷମାନେ ମଧ୍ୟ ବିଶ୍ୱାସ କଲେ।
13 ଥେସଲନୀକୀୟ ଯିହୂଦୀୟମାନେ ବେରୟା ନଗରରେ ପାଉଲ ପରମେଶ୍ୱରଙ୍କର ବାକ୍ୟ ପ୍ରଗ୍ଭର କରୁଛନ୍ତି ବୋଲି ଜାଣି ପାରିଲେ। ତେଣୁ ସେମାନେ ସେଠାକୁ ଆସି ଆନ୍ଦୋଳନ କରି ଲୋକ ସମୂହକୁ ମତେଇଲେ। 14 ସେଥିପାଇଁ ଭାଇମାନେ ପାଉଲଙ୍କୁ ସମୁଦ୍ର କୂଳକୁ ପଠାଇଦେଲେ, କିନ୍ତୁ ଶୀଲା ଓ ତୀମଥି ସେଠାରେ ରହିଲେ। 15 ଯେଉଁମାନେ ପାଉଲଙ୍କୁ ସାଙ୍ଗରେ ନେଇ ଯାଇଥିଲେ ସେମାନେ ତାହାଙ୍କୁ ଆଥୀନୀ ନଗର ପର୍ଯ୍ୟନ୍ତ ପହଞ୍ଚାଇ ଦେଲେ। ପାଉଲ ସେମାନଙ୍କ ଦ୍ୱାରା ଖବର ଦେଲେ ଯେ, ଶୀଲା ଓ ତୀମଥି ଆସି ତାହାଙ୍କ ସହିତ ଯୋଗଦାନ କରନ୍ତୁ। ତା’ପରେ ସେମାନେ ଫେରିଗଲେ।
2010 by World Bible Translation Center