Revised Common Lectionary (Semicontinuous)
ପ୍ରଧାନ ବାଦ୍ୟକର ନିମନ୍ତେ, ଦାଉଦଙ୍କର ଏକ ପ୍ରଶଂସାର ଗୀତ।
65 ହେ ସିୟୋନର ପରମେଶ୍ୱର, ତୁମ୍ଭେ ପ୍ରଶଂସିତ ହେବାର ହକ୍ଦାର।
ଆମ୍ଭେମାନେ ତୁମ୍ଭଠାରେ କରିଥିବା ପ୍ରତିଜ୍ଞା ପୂରଣ କରିବୁ।
2 ଯିଏକି ଆମ୍ଭର ପ୍ରାର୍ଥନା ଶୁଣନ୍ତି,
ସମସ୍ତ ଲୋକମାନେ ତୁମ୍ଭ ପାଖକୁ ଆସିବେ।
3 ଯେତେବେଳେ ଆମ୍ଭର ପାପ ଆମ୍ଭ ଉପରେ ଅତ୍ୟଧିକ ହୁଏ ଓ ସହି ହୁଏ ନାହିଁ,
ସେତେବେଳେ ତୁମ୍ଭେ ହିଁ ଏକ ଯିଏ ଆମ୍ଭର ପାପକୁ କ୍ଷମା କରିବ।
4 କେତେ ଭାଗ୍ୟବାନ୍ ସେମାନେ,
ଯେଉଁମାନଙ୍କୁ ତୁମ୍ଭେ ତୁମ୍ଭ ମନ୍ଦିରର ଅଗଣାରେ
ରଖିବା ପାଇଁ ମନୋନୀତ କର।
ତୁମ୍ଭ ପବିତ୍ର ମନ୍ଦିରରେ ଆମ୍ଭେ ଆଶୀର୍ବାଦର ଗୃହସହ ପରିପୂର୍ଣ୍ଣ ହେଉ।
5 ହେ ପରମେଶ୍ୱର, ଆମ୍ଭମାନଙ୍କର ରକ୍ଷାକର୍ତ୍ତା,
ତୁମ୍ଭେ ଆଶ୍ଚର୍ଯ୍ୟ କାର୍ଯ୍ୟ ମାଧ୍ୟମରେ ଉତ୍ତର ଦିଅ
ଓ ଯାହା ଯଥାର୍ଥ ତାହା କର।
ସମଗ୍ର ବିଶ୍ୱର ଲୋକମାନେ ତୁମ୍ଭଠାରେ ବିଶ୍ୱାସ ରଖନ୍ତି।
6 ପରମେଶ୍ୱର, ତୁମ୍ଭେ ମହାଶକ୍ତିର ସହ ପର୍ବତ ତିଆରି କରିଅଛ।
ତୁମ୍ଭେ ଆପଣା ଶକ୍ତିରେ ବସ୍ତ୍ରାବୃତ କରିବ।
7 ପରମେଶ୍ୱର “ଅଶାନ୍ତ ସମୁଦ୍ରକୁ” ଓ ଉତ୍ତାଳ ତରଙ୍ଗକୁ ଶାନ୍ତ କର।
ଏପରିକି ଆମ୍ଭ ଚତୁର୍ପାର୍ଶ୍ୱର ଭୟଙ୍କର ଦେଶଗୁଡ଼ିକୁ।
8 ଯେଉଁସବୁ ଅଦ୍ଭୂତ କାର୍ଯ୍ୟ ତୁମ୍ଭେ କର, ତାହା ଦେଖି ସମଗ୍ର ପୃଥିବୀର ଲୋକମାନେ ଭୟରେ ଛିଡ଼ା ହୋଇଯାଆନ୍ତି।
ତୁମ୍ଭେ ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ସମସ୍ତ ଲୋକଙ୍କୁ ଆନନ୍ଦରେ ଗୀତ ଗାନ କରାଅ।
ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଆମ୍ଭମାନଙ୍କୁ ଖୁସୀ କରେ।
9 ତୁମ୍ଭେ ପୃଥିବୀର ଯତ୍ନ ନିଅ।
ତୁମ୍ଭେ ପୃଥିବୀରେ ବର୍ଷା କରାଇ ଭୂମିକୁ ବହୁତ ଉର୍ବର କରାଅ।
ହେ ପରମେଶ୍ୱର, ତୁମ୍ଭେ ଝରଣାରେ ଜଳ ସୃଷ୍ଟି କର।
ତୁମ୍ଭେ ଶସ୍ୟକ୍ଷେତ୍ରମାନ ବଢ଼ାଇ ଥାଅ।
10 ତୁମ୍ଭେ କୃଷିକ୍ଷେତ୍ରକୁ ଯଥେଷ୍ଟ ପରିମାଣରେ ବୃଷ୍ଟି ପଠାଅ।
ତୁମ୍ଭେ ଲଙ୍ଗଳ ଗାରକୁ ଶୋଷିଲ।
ତୁମ୍ଭେ ପୃଥିବୀର ମାଟିକୁ ନରମ କର।
ତୁମ୍ଭେ ପୃଥିବୀରେ ଶସ୍ୟକ୍ଷେତ୍ରକୁ ବୃଦ୍ଧି କରାଅ।
11 ତୁମ୍ଭେ ପ୍ରତ୍ୟେକ ନୂତନ ବର୍ଷରେ ଉତ୍ତମ ଶସ୍ୟଅମଳ କରାଅ।
ଉତ୍ତମ ଶସ୍ୟରେ ଶଗଡ଼ ଭରିଦିଅ।
12 ମରୁଭୂମି ଓ ପର୍ବତଗୁଡ଼ିକୁ ତୁମ୍ଭେ ସବୁଜ ଘାସରେ ଆଚ୍ଛାଦିତ କର।
13 ଗ୍ଭରଣଭୂମି ସବୁ ମେଷପଲରେ ପୁରି ଉଠନ୍ତି।
ଉପତ୍ୟକା ସକଳ ଶସ୍ୟରେ ଆଚ୍ଛନ୍ନ ହୁଅନ୍ତି।
ପ୍ରତ୍ୟେକେ ଆନନ୍ଦରେ ଗୀତ ଗାଆନ୍ତି ଓ ଜୟଧ୍ୱନି କରନ୍ତି।
ସଦାପ୍ରଭୁ ଲୋକମାନଙ୍କୁ ପରିବର୍ତ୍ତନ ହେବାକୁ କୁହନ୍ତି
12 ଏହା ସଦାପ୍ରଭୁଙ୍କର ବାର୍ତ୍ତା:
“ବର୍ତ୍ତମାନ ତୁମ୍ଭେମାନେ ସର୍ବାନ୍ତକରଣରେ ଆମ୍ଭ ନିକଟକୁ ଫେରି ଆସ।
ମନ୍ଦ କର୍ମ କରିଥିଲ ବୋଲି ବିଳାପ କର।
ସେଥିପାଇଁ ଉପବାସ କରି ପ୍ରାର୍ଥନା କର।
13 ନିଜର ବସ୍ତ୍ରକୁ ନ ଫୋପାଡ଼ି ହୃଦୟକୁ ଚିର।”
ତୁମ୍ଭର ପ୍ରିୟ ସଦାପ୍ରଭୁ ପରମେଶ୍ୱରଙ୍କ ନିକଟକୁ ଫେରି ଆସ।
ସେ ଅତି ଦୟାଳୁ ଓ କରୁଣାମୟ।
ସେ ହଠାତ୍ ରାଗନ୍ତି ନାହିଁ।
ତାଙ୍କର ଅନନ୍ତ ପ୍ରେମ ଅଛି।
ସେ ହୁଏତ ତାଙ୍କର ମନକୁ ବଦଳାଇ ପାରନ୍ତି।
ଯେଉଁ କଠୋର ଦଣ୍ତ ଦେବାକୁ ଯୋଜନା କରିଥିଲେ
ହୁଏତ ତାହା ଦେଇ ନ ପାରନ୍ତି।
14 କିଏ ଜାଣେ ସଦାପ୍ରଭୁ ତାଙ୍କର ହୃଦୟ ପରିବର୍ତ୍ତନ କରିବେ,
ଏବଂ ତୁମ୍ଭମାନଙ୍କ ପାଇଁ ଆଶୀର୍ବାଦ ରଖିଯିବେ।
ତା’ପରେ ତୁମ୍ଭେମାନେ ତୁମ୍ଭ ପ୍ରିୟ ସଦାପ୍ରଭୁ ପରମେଶ୍ୱରଙ୍କୁ ଭକ୍ଷ୍ୟ ନୈବେଦ୍ୟ
ଓ ପେୟନୈବେଦ୍ୟ ଦେଇ ପାରିବ।
ସଦାପ୍ରଭୁଙ୍କୁ ପ୍ରାର୍ଥନା କର
15 ସିୟୋନରେ ତୂରୀ ବଜାଅ।
ମହାସଭା ପାଇଁ ଆହ୍ୱାନ କର।
ପ୍ରଭୁଙ୍କ ପାଇଁ ଉପବାସ କରିବାକୁ ଆହ୍ୱାନ କର।
16 ସବୁ ଲୋକଙ୍କୁ ଏକତ୍ରିତ କର।
ସ୍ୱତନ୍ତ୍ର ସଭାର ଆୟୋଜନ କର।
ବୃଦ୍ଧ, ପିଲା, ଶିଶୁ
ଓ ଦୁଗ୍ଧପୋଷ୍ୟ ଶିଶୁମାନଙ୍କୁ ଏକତ୍ରିତ କର।
ନବ ବିବାହିତ ବର କନ୍ୟା
ନିଜ ଶୟନକକ୍ଷରୁ ବାହାରକୁ ଆସନ୍ତୁ।
17 ସଦାପ୍ରଭୁଙ୍କର ସେବକଗଣ, ଯାଜକମାନେ
ମଣ୍ତପ ଓ ଯଜ୍ଞବେଦିରେ ନିଶ୍ଚିତ କାନ୍ଦିବେ
ଓ ଆକୁଳରେ ସଦାପ୍ରଭୁଙ୍କୁ ନିବେଦନ କରିବେ, “ହେ ସଦାପ୍ରଭୁ, ଆପଣଙ୍କର ଲୋକମାନଙ୍କୁ ଦୟାକର,
ଏବଂ ଆପଣଙ୍କର ଲୋକମାନଙ୍କୁ ଲଜ୍ଜିତ କରାଅ ନାହିଁ।
ଅନ୍ୟମାନଙ୍କ ଦ୍ୱାରା ନିଜର ଲୋକଙ୍କୁ ପରିହାସ କରିବାକୁ ଦିଅ ନାହିଁ
ଏବଂ ଅନ୍ୟ ଦେଶର ଲୋକମାନଙ୍କ ଦ୍ୱାରା ଆପଣାର ଲୋକଙ୍କୁ ଶାସନ କରିବାକୁ ଦିଅ ନାହିଁ
ଏବଂ ସେମାନଙ୍କୁ କହିବାକୁ ସୁଯୋଗ ଦିଅ ନାହିଁ ଯେ,
‘ତୁମ୍ଭର ସଦାପ୍ରଭୁ କାହାନ୍ତି?’”
ସଦାପ୍ରଭୁ ଆପଣାର ଦେଶକୁ ପୁନରୁଦ୍ଧାର କରିବେ
18 ତା’ପରେ ସଦାପ୍ରଭୁ ନିଜ ଭୂମି ପାଇଁ ଈର୍ଷାପରାୟଣ ହେଲେ।
ସେ ତାଙ୍କର ଲୋକମାନଙ୍କ ଉପରେ ଦୟା ଦେଖାଇଲେ।
19 ସଦାପ୍ରଭୁ ତାଙ୍କ ନିଜ ଲୋକଙ୍କୁ କହିଲେ,
“ଆମ୍ଭେ ତୁମ୍ଭମାନଙ୍କୁ ଶସ୍ୟ, ଦ୍ରାକ୍ଷାରସ ଓ ତୈଳ ପ୍ରଚୁର ପରିମାଣରେ ଦେବା
ଓ ତୁମ୍ଭେମାନେ ସେଥିରେ ତୃପ୍ତ ହେବ।
ଆଉ ଏଣିକି ତୁମ୍ଭମାନଙ୍କୁ ଅନ୍ୟ ଦେଶର ଲୋକମାନଙ୍କ ଦ୍ୱାରା ନିନ୍ଦିତ କରିବା ନାହିଁ।
20 ଆମ୍ଭେ ସେହି ଲୋକମାନଙ୍କୁ ତୁମ୍ଭର ରାଜ୍ୟ ଛାଡ଼ି ଯିବାକୁ ଉତ୍ତର ଦିଗକୁ ବିତାଡ଼ିତ କରିବା।
ସେମାନଙ୍କୁ ଏକ ଶୁଷ୍କ, ଶୂନ୍ୟ ସ୍ଥାନକୁ ତଡ଼ିଦେବା।
ସେମାନଙ୍କ ମଧ୍ୟରୁ କେତେକ ପୂର୍ବ ସମୁଦ୍ର ଆଡ଼େ ଯିବେ
ଓ ଆଉ କେତେକ ପଶ୍ଚିମ ସମୁଦ୍ର ଆଡ଼େ ଯିବେ।
ସେମାନେ ଏପରି ଭୟଙ୍କର କାର୍ଯ୍ୟ କରିଛନ୍ତି,
ସେମାନେ ମୃତ ପ୍ରାୟ ହେବେ,
ପଚିଯିବେ ଓ ସେଠାରୁ ଦୁର୍ଗନ୍ଧ ନିର୍ଗତ ହେବ।”
ପୁନର୍ବାର ନୂତନ ରାଜ୍ୟ ନିର୍ମିତ ହେବ
21 ହେ ଦେଶ, ଭୟ କର ନାହିଁ।
ସୁଖୀ ହୁଅ, ଆନନ୍ଦ କର
କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପାଇଁ ମହାନ କାର୍ଯ୍ୟ କରିବେ।
22 ହେ କ୍ଷେତ୍ରସ୍ଥ ପଶୁଗଣ, ଭୟଭୀତ ହୁଅ ନାହିଁ।
ମରୁପ୍ରାୟ ଗ୍ଭରଣଭୂମି ତୃଣାଚ୍ଛାଦିତ ହେବ।
ବୃକ୍ଷଗୁଡ଼ିକ ଫଳ ଧାରଣ କରିବେ।
ଡିମ୍ବିରି ବୃକ୍ଷ ଓ ଦ୍ରାକ୍ଷାଲତା ପ୍ରଚୁର ଫଳ ଧାରଣ କରିବ।
ମରିୟମ ପରମେଶ୍ୱରଙ୍କ ସ୍ତୁତି କଲେ
46 ତା’ପରେ ମରିୟମ କହିଲେ,
“ମୋର ଆତ୍ମା ପ୍ରଭୁଙ୍କର ସ୍ତୁତି କରୁଛି।
47 ମୋର ହୃଦୟ ଆନନ୍ଦରେ ପରିପୂର୍ଣ୍ଣ। କାରଣ ପରମେଶ୍ୱର ମୋର ଉଦ୍ଧାର କର୍ତ୍ତା।
48 ମୋର କିଛି ମହତ୍ତ୍ୱ ନାହିଁ,
କିନ୍ତୁ ପରମେଶ୍ୱର ମୋ’ ଭଳି ଦୀନହୀନ ଦାସୀ ଉପରେ କୃପାଦୃଷ୍ଟି ପକାଇଲେ।
ଆଜିଠାରୁ ସମସ୍ତେ ମୋତେ ଧନ୍ୟ କହିବେ।
49 କାରଣ ସର୍ବଶକ୍ତିମାନ ପରମେଶ୍ୱର ମୋ’ ପାଇଁ ମହାନ୍ କାର୍ଯ୍ୟ ସବୁ କରିଛନ୍ତି।
ତାହାଙ୍କର ନାମ ପବିତ୍ର ହେଉ।
50 ଯେଉଁମାନେ ତାହାଙ୍କର ଉପାସନା କରନ୍ତି,
ସେ ସେମାନଙ୍କୁ ସଦାସର୍ବଦା ଦୟା କରନ୍ତି।
51 ସେ ତାହାଙ୍କର ବାହୁର ଶକ୍ତି ଦେଖାଇଛନ୍ତି।
ସେ ଅହଂକାରୀ ଲୋକମାନଙ୍କୁ ଛିନ୍ନଛତ୍ର କରି ସେମାନଙ୍କର ସମସ୍ତ ଯୋଜନା ଧ୍ୱଂସ କରିଦେଲେ।
52 ପରମେଶ୍ୱର ରାଜାମାନଙ୍କୁ ସିହାଂସନରୁ ତଳକୁ ଖସାଇ ଆଣିଲେ
ଓ ଦୀନହୀନ ଲୋକଙ୍କୁ ଉପରକୁ ଉଠାଇଲେ।
53 ସେ ଭୋକିଲା ଲୋକଙ୍କୁ ଭଲ ବିଷୟ ଦେଇ ତୃପ୍ତ କଲେ,
କିନ୍ତୁ ଧନୀ ଓ ସ୍ୱାର୍ଥପର ଲୋକଙ୍କୁ ଖାଲି ହାତରେ ଫେରାଇଦେଲେ।
54 ତାହାଙ୍କର ସେବା କରିବା ପାଇଁ ସେ ନିଜେ ବାଛିଥିବା ଇସ୍ରାଏଲର ଲୋକମାନଙ୍କୁ ସାହାଯ୍ୟ କଲେ।
ସେ ଆମ୍ଭମାନଙ୍କୁ ତାହାଙ୍କର କୃପା ପ୍ରଦାନ କରିଛନ୍ତି।
55 ସେ ଆମ୍ଭମାନଙ୍କ ପୂର୍ବପୁରୁଷଙ୍କୁ, ଅବ୍ରହାମ ଓ ତାହାଙ୍କର ସନ୍ତାନମାନଙ୍କୁ ସଦାସର୍ବଦା ଦୟା ଦେଖାଇବା ପାଇଁ ଦେଇଥିବା,
ତାହାଙ୍କ ପୂର୍ବ ପ୍ରତିଶ୍ରୁତି ପାଳନ କରିଛନ୍ତି।”
2010 by World Bible Translation Center