Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଯିରିମିୟଙ୍କ ବିଳାପ 3:19-26

19 ହେ ସଦାପ୍ରଭୁ, ମୋର ଦୁଃଖ, ଦୁର୍ଗତି ସ୍ମରଣ କର।
    ତାହା ନାଗଦଅଣା ଓ ବିଷ ସ୍ୱରୂପ।
20 ମୋର ସମସ୍ତ କ୍ଳେଶକୁ ସ୍ମରଣ କରି
    ମୁଁ ଅତି ଅବସନ୍ନ ହୋଇ ପଡ଼ୁଛି।
21 ଏହା ମୁଁ ସ୍ମରଣ କରୁଛି,
    ଏଥିପାଇଁ ଏପର୍ଯ୍ୟନ୍ତ ମୋର ଆଶା ଅଛି।
22 ସଦାପ୍ରଭୁଙ୍କର ପ୍ରେମ
    ଓ ଦୟା ଶେଷ ହୁଏ ନାହିଁ।
23 ତାହା ପ୍ରତି ପ୍ରଭାତରେ ନୂତନ ହୋଇଥାଏ
    ଓ ସଦାପ୍ରଭୁଙ୍କର ବିଶ୍ୱସ୍ତତା ମହାନ ଅଟେ।
24 ତେଣୁ ମୋର ଅନ୍ତର କହୁଛି, “ସଦାପ୍ରଭୁ ମୋର ପରମେଶ୍ୱର
    ମୁଁ ତାଙ୍କଠାରେ ବିଶ୍ୱାସ ରଖିବି।”

25 ଯେଉଁମାନେ ସଦାପ୍ରଭୁଙ୍କ ଉପରେ ସେମାନଙ୍କର ଆଶା ରଖନ୍ତି
    ଓ ଯେଉଁମାନଙ୍କର ହୃଦୟ ତାଙ୍କୁ ଖୋଜେ, ସେମାନଙ୍କ ପ୍ରତି ସଦାପ୍ରଭୁ ମଙ୍ଗଳମୟ ଅଟନ୍ତି।
26 ସଦାପ୍ରଭୁଙ୍କ ଦ୍ୱାରା ମୁକ୍ତି ପ୍ରାପ୍ତ ପାଇଁ
    ଶାନ୍ତ ଭାବରେ ଅପେକ୍ଷା କରିବା ଜଣକ ପ୍ରତି ଭଲ।

ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 52:1-11

ଯିରୁଶାଲମର ପତନ

52 ସିଦିକିୟ ଏକୋଇଶ ବର୍ଷ ବୟସରେ ଯିହୁଦାର ରାଜା ହେଲେ। ସେ ଯିରୁଶାଲମରେ ଏଗାର ବର୍ଷ ରାଜତ୍ୱ କଲେ। ତାହାର ମାତାର ନାମ ହମୂଟଲ ଓ ସେ ଲି‌‌‌ବ୍‌‌‌ନା ନିବାସୀ ଯିରିମିୟଙ୍କ କନ୍ୟା ଥିଲା। ସିଦିକିୟ ଯିହୋୟାକୀ‌‌‌ମ୍‌‌‌ଙ୍କ ଦୁଷ୍କର୍ମ ପରି ସଦାପ୍ରଭୁଙ୍କ ଦୃଷ୍ଟିରେ ନାନା କୁକର୍ମ କଲା। ଯିରୁଶାଲମ ଓ ଯିହୁଦାରେ ଭୟଙ୍କର ଘଟଣାମାନ ଘଟିଲା, କାରଣ ସଦାପ୍ରଭୁ ସେମାନଙ୍କ ପ୍ରତି କ୍ରୋଧାନ୍ୱିତ ଥିଲେ। ଶେଷରେ ସଦାପ୍ରଭୁ ସେମାନଙ୍କୁ ଆପଣା ସମ୍ମୁଖରୁ ଦୂର କରିଦେଲେ।

ସିଦିକିୟ ବାବିଲ ରାଜାର ବିଦ୍ରୋହୀ ହେଲା। ତା’ପରେ ରାଜତ୍ୱର ନବମ ବର୍ଷର, ଦଶମ ମାସର ଦଶମ ଦିନରେ, ବାବିଲର ରାଜା ନବୂଖ‌ଦ୍‌ନିତ୍ସର ଓ ତାହାର ସମସ୍ତ ସୈନ୍ୟ ଯିରୁଶାଲମକୁ ଆସିଲେ ଓ ତାହା ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ସେମାନଙ୍କର ଛାଉଣି ସ୍ଥାପନ କଲେ। ସେମାନେ ଏହାର ଚତୁର୍ଦ୍ଦିଗରେ ପ୍ରବେଶ କରି ଅବରୋଧର କାର୍ଯ୍ୟ କଲେ। ସିଦିକିୟ ରାଜାର ଏଗାର ବର୍ଷ ପର୍ଯ୍ୟନ୍ତ ବାବିଲ ସୈନ୍ୟଙ୍କ ଦ୍ୱାରା ଯିରୁଶାଲମ ନଗର ଅବରୁଦ୍ଧ ହୋଇ ରହିଲା। ସେହି ବର୍ଷ ଚତୁର୍ଥ ମାସର ନବମ ଦିନରେ ନଗରରେ ମହା ଦୁର୍ଭିକ୍ଷ ଦେଖା ଦେଲା। ତହିଁରେ ଦେଶୀୟ ଲୋକମାନଙ୍କ ପାଇଁ କିଛି ଖାଦ୍ୟ ମିଳିଲା ନାହିଁ। ନଗରର ଏକ ସ୍ଥାନ ଭଗ୍ନ ହେବାରୁ ସମସ୍ତ ଯୋଦ୍ଧା ରାତ୍ରି ସମୟରେ ରାଜାର ଉଦ୍ୟାନ ନିକଟସ୍ଥ ଦୁଇ ପ୍ରାଚୀରର ମଧ୍ୟବର୍ତ୍ତୀ ଦ୍ୱାରପଥ ଦେଇ ପଳାଇଲେ। ସେ ସମୟରେ କ‌‌ଲ୍‌‌ଦୀୟମାନେ ନଗରର ବିରୁଦ୍ଧରେ ଚତୁର୍ଦ୍ଦିଗରେ ଘେରି ରହିଥିଲେ। ସେମାନେ ପ୍ରାନ୍ତର ଆଡ଼କୁ ପଳାୟନ କଲେ।

ମାତ୍ର କ‌‌ଲ୍‌‌ଦୀୟମାନେ ରାଜା ସିଦିକିୟଙ୍କ ପଛେ ପଛେ ଗୋଡ଼ାଇ ଯିରୀହୋ ସମତଳ ଭୂମିରେ ତାଙ୍କୁ ଧରିଲେ। ସିଦିକିୟଙ୍କ ସମସ୍ତ ସୈନ୍ୟ ତାଙ୍କୁ ଛାଡ଼ି ପଳାଇଲେ। ତା’ପରେ ସେମାନେ ଧରିଥିବା ରାଜାଙ୍କୁ ହମାତ୍ ଦେଶସ୍ଥ ରି‌‌‌ବ୍‌‌‌ଲାକୁ ନେଇଗଲେ। ତା’ପରେ ସେଠାରେ ରାଜା ତା’ ଉପରେ ଦଣ୍ଡ ବିଧାନ କଲେ। 10 ଆଉ ବାବିଲର ରାଜା ସିଦିକିୟର ପୁତ୍ରମାନଙ୍କୁ ତାହାର ସମ୍ମୁଖରେ ବଧ କଲା। ଆଉ ମଧ୍ୟ ଯିହୁଦାର ସମସ୍ତ ଅଧିପତିଙ୍କୁ ରି‌‌‌ବ୍‌‌‌ଲାରେ ବଧ କଲା। 11 ତା’ପରେ ବାବିଲର ରାଜା ସିଦିକିୟର ଚକ୍ଷୁ ଉତ୍ପାଟନ କରି, ତାକୁ ଶୃଙ୍ଖଳବଦ୍ଧ କରି ବାବିଲକୁ ନେଇଗଲା ଓ କାରାଗାରରେ ନିକ୍ଷେପ କଲା। ସେ ମୃତ୍ୟୁ ପର୍ଯ୍ୟନ୍ତ କାରାଗାରରେ ରହିଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 2:8-11

ସ୍ମୁର୍ଣ୍ଣା ମଣ୍ଡଳୀକୁ ଯୀଶୁଙ୍କର ପତ୍ର

“ସ୍ମୁର୍ଣ୍ଣା ମଣ୍ଡଳୀର ଦୂତଙ୍କୁ ଏହା ଲେଖ:

“ଯେ ପ୍ରଥମ ଓ ଶେଷ, ଯେ ମୃତ ହୋଇ ପୁଣି ଥରେ ଜୀବିତ ହୋଇଥିଲେ, ସେ ତୁମ୍ଭକୁ ଏହି କଥା କହୁଛନ୍ତି,

“ମୁଁ ତୁମ୍ଭର କଷ୍ଟ ଜାଣେ। ମୁଁ ଜାଣେ, ତୁମ୍ଭେ ଗରିବ। କିନ୍ତୁ ପ୍ରକୃତରେ ତୁମ୍ଭେ ଧନୀ। ତୁମ୍ଭ ବିରୁଦ୍ଧରେ ଅପବାଦ ମୁଁ ଶୁଣିଛି। ସେହି ମନ୍ଦକଥା କହିବା ଲୋକମାନେ ଯିହୂଦୀ ଅଟନ୍ତି। କିନ୍ତୁ ସେମାନେ ପ୍ରକୃତ ଯିହୂଦୀ ନୁହନ୍ତି। ସେମାନେ ଶୟତାନର ଦଳର ଲୋକ। 10 ତୁମ୍ଭ ପାଇଁ ଯେଉଁସବୁ ଦୁଃଖ ଆସୁଛି, ସେଥିପାଇଁ ଭୟ କର ନାହିଁ। ମୁଁ ଜାଣେ, ତୁମ୍ଭମାନଙ୍କ ଭିତରୁ କେତେ ଜଣଙ୍କୁ ଶୟତାନ କାରାଗାରରେ ରଖିବ। ସେ ତୁମ୍ଭମାନଙ୍କୁ ପରୀକ୍ଷା କରିବା ପାଇଁ ଏପରି କରିବ। ତୁମ୍ଭେମାନେ ଦଶ ଦିନ ପର୍ଯ୍ୟନ୍ତ ଦୁଃଖ କଷ୍ଟ ସହିବ। କିନ୍ତୁ ବିଶ୍ୱସ୍ତ ରୁହ, କାରଣ ତୁମ୍ଭକୁ ହୁଏତ ମୃତ୍ୟୁବରଣ କରିବାକୁ ପଡ଼ିପାରେ। ତୁମ୍ଭେ ଯଦି ବିଶ୍ୱସ୍ତ ରହିବ, ତେବେ ମୁଁ ତୁମ୍ଭକୁ ଜୀବନରୂପକ ମୁକୁଟ ଦେବି।

11 “ଯାହାର ଶୁଣିବା ନିମନ୍ତେ କାନ ଅଛି, ମଣ୍ଡଳୀଗୁଡ଼ିକୁ ଆତ୍ମା କହୁଥିବା କଥା ସବୁ ସେ ଶୁଣିବା ଉଚିତ୍। ଯେ ବିଜୟୀ ହୁଏ, ସେ ଦ୍ୱିତୀୟ ମୃତ୍ୟୁ ଦ୍ୱାରା ଆଦୌ କ୍ଷତିଗ୍ରସ୍ତ ହେବ ନାହିଁ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center