New Testament in a Year
44 “ଆମ୍ଭ ପୂର୍ବପୁରୁଷମାନଙ୍କ ପବିତ୍ର ତମ୍ବୁ ମଧ୍ୟ ପ୍ରାନ୍ତରରେ ଥିଲା। ପରମେଶ୍ୱର ମୋଶାଙ୍କୁ ଗୋଟିଏ ନକ୍ସା ଦେଖାଇଲେ ଏବଂ ସେ ଦେଖିଥିବା ନକ୍ସା ଅନୁସାରେ ଗୋଟିଏ ସାକ୍ଷ୍ୟ ତମ୍ବୁ ତିଆରି କରିବାକୁ ତାହାଙ୍କୁ କହିଥିଲେ। 45 ଆମ୍ଭର ପୂର୍ବପୁରୁଷମାନେ ସେହି ପବିତ୍ର ତମ୍ବୁ ସାଙ୍ଗରେ ଆଣିଥିଲେ। ସେହି ସମୟରେ ଯିହୋଶୂୟଙ୍କ ନେତୃତ୍ୱରେ ସେମାନେ ଅନ୍ୟଜାତି ଗଣର ଦେଶ ଅଧିକାର କରି ନେଇଥିଲେ। ଏହି ଜାତିମାନଙ୍କୁ ଆମ୍ଭ ପୂର୍ବପୁରୁଷମାନଙ୍କ ସାମନାରେ ବାହାର କରିଦେଲେ। ତମ୍ବୁଟି ଦାଉଦଙ୍କ ସମୟ ପର୍ଯ୍ୟନ୍ତ ଥିଲା। 46 ଦାଉଦ ପରମେଶ୍ୱରଙ୍କ କୃପା ପ୍ରାପ୍ତ ହେଲେ। ସେ ଯାକୁବର ପରମେଶ୍ୱରଙ୍କ ପାଇଁ ଗୋଟିଏ ମନ୍ଦିର ତୋଳିବାକୁ ଅନୁମତି ଦେବା ପାଇଁ ପରମେଶ୍ୱରଙ୍କୁ ଅନୁରୋଧ କଲେ। 47 କିନ୍ତୁ ଶଲୋମନ ତାହାଙ୍କ ପାଇଁ ଗୋଟିଏ ମନ୍ଦିର ନିର୍ମାଣ କଲେ।
48 “ମାତ୍ର ସର୍ବୋପରିସ୍ଥ ପରମେଶ୍ୱର କୌଣସି ହାତ ତିଆରି ମନ୍ଦିରରେ ବାସ କରନ୍ତି ନାହିଁ। ଭବିଷ୍ୟଦ୍ବକ୍ତା ଏହିପରି ଲେଖନ୍ତି,
49 ‘ସ୍ୱର୍ଗ ମୋହର ସିଂହାସନ
ପୃଥିବୀ ମୋହର ପାଦପୀଠ।
ତୁମ୍ଭେମାନେ ମୋ’ ପାଇଁ କି ପ୍ରକାରର ମନ୍ଦିର ନିର୍ମାଣ କରିବ?
ମୋର ବିଶ୍ରାମ ନେବା ପାଇଁ ସ୍ଥାନ କେଉଁଠି?
50 ମନେରଖ, ମୁଁ ଏସବୁ ସୃଷ୍ଟି କରିଛି।’”(A)
51 ସ୍ତିଫାନ କହିଲେ, “ହେ ଯିହୂଦୀ ଲୋକମାନେ, ତୁମ୍ଭେମାନେ କେଡ଼େ ଜିଦ୍ଖୋର! ତୁମ୍ଭମାନଙ୍କର ହୃଦୟ ପରମେଶ୍ୱରଙ୍କର ନୁହେଁ। ତୁମ୍ଭେମାନେ ତାହାଙ୍କ କଥା ଶୁଣିବାକୁ ମନା କରୁଛ। ତୁମ୍ଭେମାନେ ସର୍ବଦା ପବିତ୍ରଆତ୍ମାଙ୍କର ବିରୋଧ କରିଛ। ତୁମ୍ଭେମାନେ ସବୁ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କ ପରି ହେଉଛ। 52 ତୁମ୍ଭମାନଙ୍କର ପୂର୍ବପୁରୁଷମାନେ କୌଣସି ଭାବବାଦୀଙ୍କୁ ତାଡ଼ନା ନ କରି ଛାଡ଼ି ନାହାନ୍ତି। ଏହି ଭାବବାଦୀମାନେ ପୂର୍ବରୁ ସେହି ଧାର୍ମିକ ବ୍ୟକ୍ତିଙ୍କର ଆଗମନ କଥା କହିଥିଲେ। କିନ୍ତୁ ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ସେହି ଲୋକମାନଙ୍କୁ ମଧ୍ୟ ମାରି ଦେଇଥିଲେ। ବର୍ତ୍ତମାନ ତୁମ୍ଭେମାନେ ସେହି ଧାର୍ମିକ ବ୍ୟକ୍ତିଙ୍କୁ ପ୍ରତାରିତ ଓ ହତ୍ୟା କରିଛ। 53 ତୁମ୍ଭେମାନେ ପରମେଶ୍ୱରଙ୍କ ଦୂତ ଦ୍ୱାରା ମୋଶାଙ୍କୁ ଦିଆଯାଇଥିବା ବ୍ୟବସ୍ଥାକୁ ଗ୍ରହଣ କରିଛ, କିନ୍ତୁ ତାହାର ବାଧ୍ୟ ହୋଇ ନାହଁ।”
ସ୍ତିଫାନଙ୍କ ହତ୍ୟା
54 ଯିହୂଦୀ ନେତାମାନେ ଏହା ଶୁଣି ସ୍ତିଫାନଙ୍କର ଉପରେ ଭୀଷଣ ରାଗି ଦାନ୍ତ କଡ଼ମଡ଼ କଲେ। 55 କିନ୍ତୁ ସ୍ତିଫାନ ପବିତ୍ରଆତ୍ମାରେ ପୂର୍ଣ୍ଣ ହୋଇ ଆକାଶକୁ ଗ୍ଭହିଁଲେ। ସେଠାରେ ସେ ପରମେଶ୍ୱରଙ୍କ ଗୌରବ ଦେଖିଲେ। ସେ ଯୀଶୁଙ୍କୁ ପରମେଶ୍ୱରଙ୍କ ଡାହାଣ ପଟେ ଠିଆ ହେବାର ଦେଖିଲେ। 56 ସ୍ତିଫାନ କହିଲେ, “ଦେଖ, ମୁଁ ସ୍ୱର୍ଗକୁ ଖୋଲା ଅବସ୍ଥାରେ ଓ ପରମେଶ୍ୱରଙ୍କ ଡାହାଣ ପଟେ ମନୁଷ୍ୟପୁତ୍ରଙ୍କୁ ଠିଆ ହେବାର ଦେଖୁଛି।”
57 ଏଥିରେ ଯିହୂଦୀ ନେତାମାନେ କାନରେ ହାତ ଦେଇ ଖୁବ୍ ଜୋର୍ରେ ପାଟି କଲେ। ସେମାନେ ଏକାଠି ହୋଇ ସ୍ତିଫାନଙ୍କ ଆଡ଼କୁ ଦୌଡ଼ିଲେ। 58 ସେମାନେ ତାହାଙ୍କୁ ନଗର ବାହାରକୁ ଟାଣି ନେଇ ପଥର ମାରିବା ଆରମ୍ଭ କରିଦେଲେ। ସାକ୍ଷୀମାନେ ଶାଉଲ ନାମକ ଜଣେ ଯୁବକର ପାଖରେ ସେମାନଙ୍କର ଲୁଗାପଟା ରଖିଲେ। 59 ପଥର ଫୋପାଡ଼ିବା ସମୟରେ ସ୍ତିଫାନ ପ୍ରାର୍ଥନା କରି କହିଲେ, “ହେ ପ୍ରଭୁ ଯୀଶୁ, ମୋ’ ଆତ୍ମାକୁ ଗ୍ରହଣ କର।” 60 ତା’ପରେ ସେ ଆଣ୍ଠୁମାଡ଼ି ପଡ଼ି ଜୋର୍ରେ କହିଲେ, “ହେ ପ୍ରଭୁ, ଏହି ପାପ ନିମନ୍ତେ ଏମାନଙ୍କୁ ଅପରାଧୀ ଗଣନା କର ନାହିଁ।” ଏହା କହି ସେ ମୃତ୍ୟୁବରଣ କଲେ।
2010 by World Bible Translation Center