New Testament in a Year
ପବିତ୍ରଆତ୍ମାଙ୍କର ଆଗମନ
2 ଯେତେବେଳେ ପେଣ୍ଟିକଷ୍ଟ [a] ଦିନ ଆସିଲା ସେମାନେ ସମସ୍ତେ ଗୋଟିଏ ସ୍ଥାନରେ ଏକାଠି ଜମା ହୋଇଥିଲେ। 2 ସେତେବେଳେ ହଠାତ୍ ଆକାଶରୁ ଗୋଟିଏ ଶବ୍ଦ ଶୁଣାଗଲା। ଏହି ଶବ୍ଦ ଗୋଟିଏ ଭୀଷଣ ଝଡ଼ ବହିବା ପରି ଥିଲା। ଶବ୍ଦଟି ସେମାନେ ଯେଉଁ ଘର ଭିତରେ ବସିଥିଲେ, ସେହି ଘରର ଗ୍ଭରିଆଡ଼େ ବ୍ୟାପି ଗଲା। 3 ସେମାନେ ଅଗ୍ନିଶିଖା ପରି ଜିହ୍ୱାଗୁଡ଼ିକ କିଛି ଦେଖିଲେ। ଏହି ଅଗ୍ନିଶିଖାସବୁ ଭାଗ ଭାଗ ହୋଇ ସେଠାରେ ଥିବା ପ୍ରତ୍ୟେକ ବ୍ୟକ୍ତିର ଉପରେ ରହିଲା। 4 ସମସ୍ତେ ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହେଲେ। ପବିତ୍ରଆତ୍ମାଙ୍କ ଦ୍ୱାରା ପାଉଥିବା ଶକ୍ତି ସାହାଯ୍ୟରେ ସେମାନେ ଭିନ୍ନ ଭିନ୍ନ ଭାଷାରେ କଥା କହିବାକୁ ଆରମ୍ଭ କଲେ।
5 ସେ ସମୟରେ ପୃଥିବୀର ସବୁ ଦେଶରୁ ଯିହୂଦୀ ଭକ୍ତମାନେ ଆସି ଯିରୁଶାଲମରେ ରହୁଥିଲେ। 6 ଏହି ଶବ୍ଦ ଶୁଣିବା ମାତ୍ରେ ସେମାନଙ୍କ ଭିତରୁ ବହୁତ ଲୋକ ଆସି ଜମା ହୋଇଗଲେ। ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ, କାରଣ ସେମାନେ ନିଜେ ଯେଉଁ ଭାଷାରେ କଥା ହେଉଥିଲେ, ପ୍ରେରିତମାନେ ସେହି ସେହି ଭାଷାରେ କଥା ହେଉଥିବାର ଶୁଣିଲେ।
7 ଏଥିରେ ଯିହୂଦୀମାନେ ଆଶ୍ଚର୍ଯ୍ୟ ହୋଇ ପରସ୍ପର ମଧ୍ୟରେ କଥାବାର୍ତ୍ତା ହେଲେ, “ଦେଖ, ଏହିପରି କଥା କହିଥିବା ଏହି ସମସ୍ତ ଲୋକେ ଗାଲିଲୀର ନୁହନ୍ତି କି? 8 କିନ୍ତୁ ଆମ୍ଭେମାନେ ସେମାନଙ୍କୁ ଆମ୍ଭ ମାତୃଭାଷାରେ କଥା କହିବାର କିପରି ଶୁଣୁଛୁ? ଏହା କିପରି ସମ୍ଭବ! 9 ଆମ୍ଭେ ଏଠାକୁ ଭିନ୍ନ ଭିନ୍ନ ସ୍ଥାନରୁ ଆସିଛୁ। ପାର୍ଥୀୟ, ମାଦୀୟ ଓ ଏଲାମୀୟ ପୁଣି ମେସପତାମିଆର ଲୋକମାନେ, 10 ଏବଂ ଯିହୂଦା, କାପ୍ପାଦକିଆ, ପନ୍ତ ଓ ଆସିଆ, ଫ୍ରୁଗିଆ ଓ ପ୍ରଫୂଲ୍ଲିଆ, ମିଶର ନିବାସୀ କୂରୀଣୀ ନିକଟବର୍ତ୍ତୀ ଲିବିୟା ପ୍ରଦେଶ ଲୋକେ ରୋମ ନଗରରୁ ଆସିଥିବା ତଥା କ୍ରୀତୀୟ ଓ ଆରବୀୟ ପରିଦର୍ଶକଗଣ। ଆମ୍ଭ ଭିତରୁ କେତେଜଣ ଜନ୍ମରୁ ଯିହୂଦୀ ଏବଂ ଅନ୍ୟ କେତେକ ଯିହୂଦୀ ଧର୍ମଗ୍ରହଣ କରିଥିବା ଲୋକମାନେ। 11 ଆମ୍ଭେ ସମସ୍ତେ ଭିନ୍ନ ଭିନ୍ନ ଦେଶରୁ ଆସିଛୁ। କିନ୍ତୁ ଆମ୍ଭେ ଏହି ଲୋକମାନଙ୍କଠାରୁ ଆମ୍ଭ ନିଜ ଭାଷା କହିବାର ଶୁଣୁଛୁ। ସେମାନେ ପରମେଶ୍ୱରଙ୍କର ମହତ୍ ଓ ଆଶ୍ଚର୍ଯ୍ୟ ପୂର୍ଣ୍ଣ କାର୍ଯ୍ୟକୁ ଆମ୍ଭ ଭାଷାରେ ବର୍ଣ୍ଣନା କରୁଛନ୍ତି। ଆମ୍ଭେ ଏହା ବୁଝି ପାରୁଛୁ।”
12 ସେମାନେ ସମସ୍ତେ ଆଶ୍ଚର୍ଯ୍ୟ ଓ ବିଭ୍ରାନ୍ତ ହୋଇ ପଡ଼ିଲେ। ସେମାନେ ପରସ୍ପର ଭିତରେ ପଚରା ଉଚରା ହେଲେ, “ଏ ସବୁ କ’ଣ ହେଉଛି?” 13 କିନ୍ତୁ ଅନ୍ୟ ଲୋକମାନେ ପ୍ରେରିତମାନଙ୍କୁ ଉପହାସ କରି କହିଲେ, “ଏମାନେ ସମସ୍ତେ ମଦପିଇ ମାତାଲ ହୋଇଛନ୍ତି।”
ପିତରଙ୍କର ଲୋକମାନଙ୍କୁ ସମ୍ବୋଧନ
14 ପିତର ସେହି ଏଗାର ଜଣ ପ୍ରେରିତଙ୍କ ସହ ଠିଆ ହୋଇ ସେହି ଲୋକମାନଙ୍କୁ ବଡ଼ ପାଟିରେ କହିଲେ, “ହେ ଯିହୂଦୀୟମାନେ, ହେ ଯିରୁଶାଲମ ବାସିନ୍ଦାମାନେ, ସମସ୍ତେ ମୋ’ କଥା ଶୁଣ। 15 ତୁମ୍ଭେମାନେ ଯାହା ଅନୁମାନ କରୁଛ ଯେ, ଏମାନେ ମାତାଲ, ତାହା ନୁହେଁ, କାରଣ ବର୍ତ୍ତମାନ ତ’ ସକାଳ ନ’ଟା ବାଜିଛି। 16 ଏବେ ଯାହା ଘଟୁଛି ସେ ବିଷୟରେ ଭାବବାଦୀ ଯୋୟେଲ କହିଥିଲେ:
17 “ପରମେଶ୍ୱର କହନ୍ତି, ମୁଁ ଶେଷ ସମୟରେ
ସମସ୍ତଙ୍କ ଉପରେ ମୋର ଆତ୍ମା ଢାଳିଦେବି।
ଯାହାଦ୍ୱାରା ତୁମ୍ଭମାନଙ୍କର ପୁଅ ଝିଅମାନେ ଭବିଷ୍ୟଦ୍ବାଣୀ କହି ପାରିବେ।
ତୁମ୍ଭମାନଙ୍କର ଯୁବକମାନେ ଦର୍ଶନ ପାଇବେ
ଓ ବୃଦ୍ଧ ଲୋକମାନେ ସ୍ୱପ୍ନ ଦେଖିବେ।
18 ହଁ, ସେତେବେଳେ ମୁଁ ନିଜ ସେବକ ସେବିକାମାନଙ୍କ ଉପରେ ନିଜ ଆତ୍ମା ଢାଳି ଦେବି,
ସେମାନେ ଭବିଷ୍ୟଦ୍ବାଣୀ କହିବେ।
19 ମୁଁ ଉପରିସ୍ଥ ଆକାଶରେ ବିସ୍ମୟଜନକ କାର୍ଯ୍ୟ
ଓ ନୀଚ୍ଚସ୍ଥ ପୃଥିବୀରେ ରକ୍ତ, ନିଆଁ, ମେଘ,
ଧୂଆଁର ଚିହ୍ନମାନ ଦେଖାଇବି।
20 ପ୍ରଭୁଙ୍କର ସେହି ମହତ୍ ଓ ପ୍ରସିଦ୍ଧ ଦିନ ଆସିବା ପୂର୍ବରୁ
ସୂର୍ଯ୍ୟ ଅନ୍ଧକାରମୟ
ଓ ଚନ୍ଦ୍ର ରକ୍ତ ବର୍ଣ୍ଣ ହୋଇଯିବ।
21 ସେତେବେଳେ ଯେ କେହି ପ୍ରଭୁଙ୍କ ନାମ ଉଚ୍ଚାରଣ କରିବ, ସେ ଉଦ୍ଧାର ପାଇବ।’(A)
2010 by World Bible Translation Center