Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 117

117 ହେ ସମସ୍ତ ଜାତିଗଣ, ସଦାପ୍ରଭୁଙ୍କର ପ୍ରଶଂସା କର।
    ହେ ସମସ୍ତ ଲୋକ, ସଦାପ୍ରଭୁଙ୍କର ପ୍ରଶଂସା କର।
କାରଣ ପରମେଶ୍ୱର ଆମ୍ଭମାନଙ୍କୁ ବହୁତ ପ୍ରେମ କରନ୍ତି!
    ସେ ଚିରକାଳ ଆମ୍ଭମାନଙ୍କ ପାଇଁ ସତ୍ୟ ରହିବେ।

ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।

ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 30:18-24

18 ସଦାପ୍ରଭୁ କହନ୍ତି,
“ମୁଁ ଯାକୁବର ତମ୍ବୁଗୁଡ଼ିକର
    ବନ୍ଦୀତ୍ୱର ପରିବର୍ତ୍ତନ କରିବି
    ଓ ତାହାର ସମସ୍ତ ବାସସ୍ଥାନ ପ୍ରତି ଦୟା କରିବି।
ସେହି ଧ୍ୱଂସ ସ୍ଥାନରେ ନଗର ନିର୍ମିତ ହେବ
    ଓ ରାଜଗୃହ ଯଥା ସ୍ଥାନରେ ପୁନଃନିର୍ମିତ ହେବ।
19 ସେହି ସ୍ଥାନମାନଙ୍କରୁ ଧନ୍ୟବାଦ
    ଓ ଆନନ୍ଦର ଧ୍ୱନି ବାହାରିବ।
ଆମ୍ଭେ ସେମାନଙ୍କୁ ଅସଂଖ୍ୟ କରିବା।
    ସେମାନେ ଅଳ୍ପ ସଂଖ୍ୟକ ହୋଇ ରହିବେ ନାହିଁ
ଆଉ ଆମ୍ଭେ ସେମାନଙ୍କୁ ଗୌରବାନ୍ୱିତ କରିବା।
    କେହି ସେମାନଙ୍କୁ ଘୃଣା କରିବେ ନାହିଁ।
20 ଯାକୁବର ସନ୍ତାନଗଣ ଇସ୍ରାଏଲର ପୂର୍ବପରି ହେବେ।
    ଆମ୍ଭେ ଇସ୍ରାଏଲ ଓ ଯିହୁଦାକୁ ଶକ୍ତିଶାଳୀ କରାଇବା।
    ଯେଉଁମାନେ ସେମାନଙ୍କ ଉପରେ ଉପଦ୍ରବ କରିବେ ଆମ୍ଭେ ସେମାନଙ୍କୁ ଶାସ୍ତି ଦେବା।
21 ପୁଣି ସେମାନଙ୍କର ଅଧିପତି ସେମାନଙ୍କ ମଧ୍ୟରୁ ହେବେ।
ସେମାନଙ୍କର ଶାସନକର୍ତ୍ତା ସେମାନଙ୍କ ମଧ୍ୟରୁ ସୃଷ୍ଟି ହେବେ।
    ଆଉ ଆମ୍ଭେ ତାହାକୁ ଆପଣାର ନିକଟବର୍ତ୍ତୀ କରାଇବା
ଓ ସେ ଆମ୍ଭ ନିକଟକୁ ଆସିବେ।”
    କାରଣ ସଦାପ୍ରଭୁ କହନ୍ତି,
    “ଆମ୍ଭ ନିକଟକୁ ଯେ ଆସିବା ପାଇଁ ସାହସ କରିଅଛନ୍ତି, ସେ କିଏ?
22 ପୁଣି ତୁମ୍ଭେମାନେ ଆମ୍ଭର ଲୋକ ହେବ
    ଓ ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ୱର ହେବା।”

23 “ଆଉ ସଦାପ୍ରଭୁଙ୍କର ପ୍ରଚଣ୍ଡ କ୍ରୋଧ
    ସର୍ବନାଶକାରୀ ଝଡ଼
ଓ ତୋଫାନ ସଦୃଶ
    ଦୁଷ୍ଟମାନଙ୍କ ମସ୍ତକରେ ଆସି ଲାଗିବ।
24 ପୁଣି ସଦାପ୍ରଭୁଙ୍କର ମନର ଅଭିପ୍ରାୟ ସଫଳ ଓ ସିଦ୍ଧ ନ ହେବା ପର୍ଯ୍ୟନ୍ତ
    ତାଙ୍କର ପ୍ରଜ୍ୱଳିତ କ୍ରୋଧ ପ୍ରଶମିତ ହେବ ନାହିଁ।
ତୁମ୍ଭେମାନେ ଅନ୍ତିମ ସମୟରେ
    ତାହା ବୁଝିବ।”

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 22:8-21

ମୁଁ ଯୋହନ। ମୁଁ ଏସବୁ ଶୁଣିଛି ଓ ଦେଖିଛି। ପୁଣି କଥା ଶୁଣିବା ଓ ଦେଖିବା ପରେ ମୁଁ ଏସବୁ କହିବାଦୂତଙ୍କ ପାଦତଳେ ପ୍ରଣାମ କରିବା ପାଇଁ ପଡ଼ିଗଲି। କିନ୍ତୁ ସେହି ଦୂତ ମୋତେ କହିଲେ, “ମୋତେ ପ୍ରଣାମ କର ନାହିଁ! ମୁଁ ତୁମ୍ଭର ପରି, ଓ ତୁମ୍ଭର ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନଙ୍କ ପରି ଜଣେ ସେବକ। ମୁଁ ସେହିମାନଙ୍କ ପରି ଜଣେ ସେବକ ଯିଏ, ଏହି ପୁସ୍ତକର ବାକ୍ୟଗୁଡ଼ିକୁ ପାଳନ କରେ। ତେଣୁ ତୁମ୍ଭେ କେବଳ ପରମେଶ୍ୱରଙ୍କୁ ପ୍ରଣାମ କର।”

10 ତା’ପରେ ସ୍ୱର୍ଗଦୂତ ମୋତେ କହିଲେ, “ଏହି ପୁସ୍ତକରେ ଥିବା ଭବିଷ୍ୟ‌‌ଦ୍‌‌‌‌ବାଣୀର ବାକ୍ୟଗୁଡ଼ିକୁ ଗୋପନୀୟ ରଖ ନାହିଁ। ଏସବୁ ଘଟିବାର ସମୟ ପାଖେଇ ଆସିଲାଣି। 11 ଯେ ମନ୍ଦ କରୁଛି, ତାହାକୁ ମନ୍ଦ କରିବାକୁ ଦିଅ। ଯେ ଅଶୁଚି, ସେ ଅଶୁଚି ହୋଇ ରହୁ। ଯେ ଭଲ କରୁଛି, ତାହାକୁ ଭଲ କରିବାକୁ ଦିଅ। ଯେ ପବିତ୍ର, ତାହାକୁ ପବିତ୍ର ହୋଇ ରହିବାକୁ ଦିଅ।”

12 “ଶୁଣ! ଆମ୍ଭେ ଶୀଘ୍ର ଆସୁଛୁ, ଆମ୍ଭେ ସାଙ୍ଗରେ ପୁରସ୍କାର ନେଇ ଆସିବା। ଆମ୍ଭେ ପ୍ରତ୍ୟେକ ବ୍ୟକ୍ତିକୁ ତା’ର କର୍ମ ଅନୁସାରେ ପ୍ରତିଦାନ ଦେବା। 13 ଆମ୍ଭେ ପ୍ରଥମ ଓ ଶେଷ; କ ଓ କ୍ଷ, ଆଦି ଓ ଅନ୍ତ।”

14 “ଯେଉଁ ଲୋକମାନେ ନିଜର ରାଜ ପୋଷାକ ଧୋଇଛନ୍ତି, ସେମାନେ ଧନ୍ୟ ହେବେ। ଜୀବନ ବୃକ୍ଷର ଫଳ ଖାଇବା ପାଇଁ ସେମାନଙ୍କର ଅଧିକାର ରହିଛି। ସେମାନେ ନଗରୀ ଭିତରକୁ ନଗରୀ ଦ୍ୱାର ଦେଇ ପ୍ରବେଶ କରି ପାରିବେ। 15 କିନ୍ତୁ କୁକୁରମାନେ, ମନ୍ଦ କୁହୁକ କରୁଥିବା ଲୋକମାନେ, ଯେଉଁମାନେ ଯୌନଗତ ପାପ କରନ୍ତି, ନରହନ୍ତାମାନେ, ପ୍ରତିମାପୂଜକଗଣ, ମିଥ୍ୟାପ୍ରିୟ ଓ ମିଥ୍ୟାବାଦୀମାନେ ନଗରର ବାହାରେ ରହିବେ।”

16 “ଆମ୍ଭେ ନିଜେ ଯୀଶୁ। ମୁଁ ମଣ୍ଡଳୀଗୁଡ଼ିକୁ ଏହି ସମସ୍ତ କହିବା ପାଇଁ ମୋର ଦୂତଙ୍କୁ ତୁମ୍ଭ ପାଖକୁ ପଠାଇଛି। ଆମ୍ଭେ ଦାଉଦଙ୍କ ପରିବାରର ବଂଶଜାତ। ଆମ୍ଭେ ଉଜ୍ଜ୍ୱଳ ପ୍ରଭାତୀ ତାରା।”

17 ଆତ୍ମା ଓ କନ୍ୟା କହନ୍ତି, “ଆସ!” ଏସବୁ ଶୁଣୁଥିବା ପ୍ରତ୍ୟେକ ଲୋକ ମଧ୍ୟ କହୁ, “ଆସ!” ଯେ ତୃଷାର୍ତ୍ତ, ସେ ଆସୁ; ଯେ ଇଚ୍ଛା କରେ, ସେ ବିନା ମୂଲ୍ୟରେ ଜୀବନର ଜଳପାନ କରିପାରେ।

18 ଏହି ପୁସ୍ତକର ଭବିଷ୍ୟ‌‌ଦ୍‌‌‌‌ବାଣୀର ବାକ୍ୟଗୁଡ଼ିକୁ ଶୁଣୁଥିବା ପ୍ରତ୍ୟେକ ଲୋକକୁ ମୁଁ ସତର୍କ କରିଦିଏ। କେହି ଯଦି ଏହି ବାକ୍ୟଗୁଡ଼ିକ ସହିତ କିଛି ଯୋଗକରେ ତେବେ ପରମେଶ୍ୱର ତାହାକୁ ଏହି ପୁସ୍ତକରେ ଲେଖାଥିବା କ୍ଳେଶଗୁଡ଼ିକ ଦେବେ। 19 ଯଦି କୌଣସି ବ୍ୟକ୍ତି ଏହି ପୁସ୍ତକରେ ଲିଖିତ ଭବିଷ୍ୟ‌‌ଦ୍‌‌‌‌ବାଣୀର ବାକ୍ୟଗୁଡ଼ିକରୁ କିଛି କାଢ଼ି ଦିଏ, ତେବେ ପରମେଶ୍ୱର ଏହି ପୁସ୍ତକରେ ଲିଖିତ ଜୀବନବୃକ୍ଷ ଓ ପବିତ୍ର ନଗରୀରୁ ତାହାର ଅଧିକାର କାଢ଼ିନେବେ।

20 ଯୀଶୁ ହିଁ ଏସବୁ ସତ୍ୟ କହନ୍ତି। ବର୍ତ୍ତମାନ ସେ କହନ୍ତି, “ହଁ, ଆମ୍ଭେ ଶୀଘ୍ର ଆସୁଛୁ।”

ଆମେନ୍। ହେ ପ୍ରଭୁ ଯୀଶୁ ଆସନ୍ତୁ।

21 ପ୍ରଭୁ ଯୀଶୁଙ୍କର ଅନୁଗ୍ରହ ସମସ୍ତ ଲୋକମାନଙ୍କ ସହିତ ରହିଥାଉ। ଆମେନ୍।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center