Revised Common Lectionary (Semicontinuous)
68 “ଇସ୍ରାଏଲର ପ୍ରଭୁ ପରମେଶ୍ୱରଙ୍କର ସ୍ତୁତି ଗାନ କର।
ସେ ନିଜ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଆସିଛନ୍ତି
ଏବଂ ସେମାନଙ୍କୁ ସ୍ୱାଧୀନତା ଦେଇଛନ୍ତି।
69 ସେ ଆମ୍ଭମାନଙ୍କ ପାଇଁ ତାହାଙ୍କ ସେବକ ଦାଉଦଙ୍କ ପରିବାରରୁ,
ଜଣେ ଶକ୍ତିଶାଳୀ ଉଦ୍ଧାରକର୍ତ୍ତାଙ୍କୁ ଦେଇଛନ୍ତି।
70 ବହୁତ ଦିନ ପୂର୍ବେ ବାସ କରୁଥିବା ନିଜ ପବିତ୍ର ଭବିଷ୍ୟଦ୍ବକ୍ତାମାନଙ୍କ ମାଧ୍ୟମରେ
ପରମେଶ୍ୱର ଏହା କରିବେ ବୋଲି କହିଥିଲେ।
71 ସେ ଆମ୍ଭମାନଙ୍କୁ ଆମ୍ଭମାନଙ୍କର ଶତ୍ରୁମାନଙ୍କଠାରୁ
ତଥା ଆମ୍ଭମାନଙ୍କୁ ଘୃଣା କରୁଥିବା ସମସ୍ତଙ୍କ ହାତରୁ ରକ୍ଷା କରିବାକୁ ପ୍ରତିଶ୍ରୁତି ଦେଇଥିଲେ।
72 ସେ ଆମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଦୟା ଦେଖାଇବେ ବୋଲି କହିଥିଲେ
ଏବଂ ସେ ତାହାଙ୍କର ପବିତ୍ର ପ୍ରତିଜ୍ଞା ମନେ ରଖିଛନ୍ତି।
73 ସେ ଆମ୍ଭମାନଙ୍କର ପୂର୍ବପୁରୁଷ ଅବ୍ରହାମଙ୍କୁ ପ୍ରତିଜ୍ଞା ଦେଇଥିଲେ।
74 ଯେ ସେ ଆମ୍ଭମାନଙ୍କୁ ଆମ୍ଭମାନଙ୍କ ଶତ୍ରୁଙ୍କ ଶକ୍ତି କବଳରୁ ମୁକ୍ତ କରିବେ।
ତା ଫଳରେ ଆମ୍ଭେମାନେ ନିର୍ଭୟରେ ପରମେଶ୍ୱରଙ୍କ ସେବା କରି ପାରିବୁ।
75 ଆମ୍ଭେମାନେ ବଞ୍ଚିଥିବା ପର୍ଯ୍ୟନ୍ତ ପରମେଶ୍ୱରଙ୍କ ଆଗରେ ଧାର୍ମିକ ଓ ପବିତ୍ର ରହିବୁ।
76 “ଏବଂ ତୁମ୍ଭେ ହେ ଶିଶୁ! ତୁମ୍ଭେ ସେହି ପର୍ବୋପରିସ୍ଥ ପରମେଶ୍ୱରଙ୍କ ଭବିଷ୍ୟଦ୍ବକ୍ତା ରୂପେ ଖ୍ୟାତ ହେବ।
ପ୍ରଭୁଙ୍କ ଆଗମନ ପାଇଁ ଲୋକମାନଙ୍କୁ ପ୍ରସ୍ତୁତ କରିବା ନିମନ୍ତେ ପ୍ରଭୁଙ୍କ ପୂର୍ବରୁ ତୁମ୍ଭେ ପ୍ରଥମେ ଯିବ।
77 ପରମେଶ୍ୱରଙ୍କ ଲୋକଙ୍କୁ ତୁମ୍ଭେ ଜଣେଇଦେବ ଯେ
ସେମାନଙ୍କର ପାପକୁ କ୍ଷମା କରି ଦିଆଯାଇ ସେମାନଙ୍କୁ ଉଦ୍ଧାର କରାଯିବ।
78 “ଆମ୍ଭମାନଙ୍କ ପରମେଶ୍ୱରଙ୍କ ସ୍ନେହମୟ ଅନୁଗ୍ରହ ହେତୁ,
ସ୍ୱର୍ଗରୁ ଆଗତ ଗୋଟିଏ ନୂତନ ଦିନର ପ୍ରଭାତ ଆମ୍ଭମାନଙ୍କୁ ଆଲୋକିତ କରିବ।
79 ମୃତ୍ୟୁର ଭୟରେ ଅନ୍ଧକାର ଭିତରେ ବାସ କରୁଥିବା ଲୋକଙ୍କୁ ପରମେଶ୍ୱର ସାହାଯ୍ୟ କରିବେ।
ସେ ଆମ୍ଭମାନଙ୍କୁ ଶାନ୍ତି ମାର୍ଗରେ ବାଟ କଢ଼େଇ ନେବେ।”
ପରମେଶ୍ୱର ସିଦିକିୟ ରାଜାଙ୍କ ଅନୁରୋଧ ପ୍ରତ୍ୟାଖ୍ୟାନ କରନ୍ତି
21 ରାଜା ସିଦିକିୟ ମଲ୍କିୟର ପୁତ୍ର ପଶ୍ହୂରକୁ ଓ ମାସେୟର ପୁତ୍ର ସିଫନିୟ ଯାଜକକୁ ସଦାପ୍ରଭୁଙ୍କର ବାକ୍ୟ ଦେଇ ଯିରିମିୟ ନିକଟକୁ ପଠାଇଲେ। 2 ପଶ୍ହୂର ଓ ସିଫନିୟ ଯିରିମିୟଙ୍କୁ କହିଲେ, “ତୁମ୍ଭେ ଆମ୍ଭମାନଙ୍କ ପାଇଁ ସଦାପ୍ରଭୁଙ୍କୁ ପ୍ରାର୍ଥନା କର, କାରଣ ବାବିଲର ରାଜା ନବୂଖଦ୍ନିତ୍ସର ଆମ୍ଭମାନଙ୍କ ବିରୁଦ୍ଧରେ ଯୁଦ୍ଧ କରୁଅଛି। ସଦାପ୍ରଭୁ ଆମ୍ଭମାନଙ୍କ ସପକ୍ଷରେ ସମସ୍ତ ଆଶ୍ଚର୍ଯ୍ୟ କ୍ରିୟା କରି ପାରନ୍ତି, ଯେପରି ସେ ଅତୀତରେ କରିଥିଲେ। ଆଉ ମଧ୍ୟ ସଦାପ୍ରଭୁ ତାଙ୍କୁ ଆକ୍ରମଣରୁ ବିରତ କରାଇବେ ଓ ସେ ପ୍ରସ୍ଥାନ କରିବ।”
3 ତା’ପରେ ଯିରିମିୟ, ସିଫନିୟ ଓ ପଶ୍ହୂରଙ୍କୁ କହିଲେ, “ତୁମ୍ଭେମାନେ ସିଦିକିୟଙ୍କୁ ଏହିକଥା କହିବ। 4 ‘ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ତୁମ୍ଭେମାନେ ଆପଣା ହସ୍ତସ୍ଥିତ ଯେଉଁସବୁ ଯୁଦ୍ଧାସ୍ତ୍ର ଦ୍ୱାରା ବାବିଲର ରାଜା ଓ ତୁମ୍ଭ ଅବରୋଧକାରୀ କଲ୍ଦୀୟମାନଙ୍କ ସହିତ ପ୍ରାଚୀର ବାହାରେ ଯୁଦ୍ଧ କରୁଅଛ, ସେ ସବୁ ଅସ୍ତ୍ରକୁ ଆମ୍ଭେ ନିଷ୍ଫଳ କରାଇବା।
“‘ଖୁବ୍ ଶୀଘ୍ର ପ୍ରାଚୀର ବାହାରେ ଥିବା ଶତ୍ରୁଗଣଙ୍କୁ ଯିରୁଶାଲମ ମଧ୍ୟରେ ପ୍ରବେଶ କରାଇବା। 5 ପୁଣି ଆମ୍ଭେ ନିଜେ ବିସ୍ତୃତ ହସ୍ତ ଓ ବଳବାନ୍ ବାହୁ ସାହାଯ୍ୟରେ କ୍ରୋଧରେ, ପ୍ରଚଣ୍ଡ ରୋଷରେ ଓ ମହାକୋପରେ ତୁମ୍ଭମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା। 6 ଆଉ ଆମ୍ଭେ ଏହି ନଗରବାସୀ ମନୁଷ୍ୟ ଓ ପଶୁ ସମସ୍ତଙ୍କୁ ସଂହାର କରିବା ଓ ସେମାନେ ମହାମାରୀରେ ମରିବେ। 7 ଏସବୁ ଘଟିଲା ପରେ’” ସଦାପ୍ରଭୁ କହନ୍ତି, “‘ଆମ୍ଭେ ଯିହୁଦା ରାଜା ସିଦିକିୟଙ୍କୁ, ତାହାର ଦାସଗଣଙ୍କୁ ଓ ତାହାର ଲୋକମାନଙ୍କୁ ଯେଉଁମାନେ ମହାମାରୀ, ଖଡ଼୍ଗ ଓ ଦୁର୍ଭିକ୍ଷରୁ ଅବଶିଷ୍ଟ ରହିବେ, ସେମାନଙ୍କୁ ବାବିଲର ରାଜା ନବୂଖଦ୍ନିତ୍ସରଙ୍କ ହସ୍ତରେ, ସେମାନଙ୍କ ଶତ୍ରୁଗଣ ହସ୍ତରେ ଓ ସେମାନଙ୍କ ପ୍ରାଣନାଶକାରୀଙ୍କ ହସ୍ତରେ ସମର୍ପଣ କରିବା। ଆଉ ସେମାନେ ସେମାନଙ୍କୁ ଦୟା, କରୁଣା ଓ କ୍ଷମା ନ କରି ଖଡ଼୍ଗରେ ବଧ କରିବେ।’
8 “ଆଉ ମଧ୍ୟ ତୁମ୍ଭେ ସେ ଲୋକମାନଙ୍କୁ କହିବ, ‘ସଦାପ୍ରଭୁ ଏହିକଥା କହନ୍ତି, ଦେଖ, ଆମ୍ଭେ ତୁମ୍ଭମାନଙ୍କ ସମ୍ମୁଖରେ ଜୀବନର ପଥ ଓ ମୃତ୍ୟୁର ପଥ ରଖିଅଛୁ। 9 ଏବଂ ସେହି ଲୋକମାନେ, ଯେଉଁମାନେ ଏହି ନଗର ମଧ୍ୟରେ ରହିବେ, ସେମାନେ ମରିବେ। ସେମାନେ ଖଡ଼୍ଗ, ଦୁର୍ଭିକ୍ଷ ଓ ମହାମାରୀରେ ମରିବେ। ମାତ୍ର ସେହି ଲୋକମାନେ ଯେଉଁମାନେ ଆକ୍ରମଣ କରୁଥିବା କଲ୍ଦୀୟମାନଙ୍କର ପକ୍ଷ ନିଅନ୍ତି, ସେମାନେ ବଞ୍ଚିବେ ଓ ସେମାନେ ସେହିମାନଙ୍କର ଜୀବନକୁ ସତେ ଯେପରି ଖଣ୍ଡେ ଲୁଣ୍ଠିତ ବସ୍ତୁ ତୁଲ୍ୟ ରକ୍ଷା କରିବେ। 10 ପୁଣି ସଦାପ୍ରଭୁ କହନ୍ତି “‘ମଙ୍ଗଳ ପାଇଁ ନୁହେଁ, ଅମଙ୍ଗଳ ଘଟାଇବା ପାଇଁ ଆମ୍ଭେ ସ୍ଥିର କରିଅଛୁ। ଏହି ନଗରକୁ ଆମ୍ଭେ ବାବିଲ ରାଜା ହସ୍ତରେ ଅର୍ପଣ କରିବା ଓ ସେ ଏହାକୁ ଅଗ୍ନିରେ ଦଗ୍ଧ କରିବ।’”
11 “ଆଉ ଯିହୁଦାର ରାଜବଂଶ ବିଷୟରେ ‘ତୁମ୍ଭେମାନେ ସଦାପ୍ରଭୁଙ୍କ ବାକ୍ୟ ଶୁଣ। 12 ହେ ଦାଉଦବଂଶ, ସଦାପ୍ରଭୁ ଏହିକଥା କହନ୍ତି,
“‘ତୁମ୍ଭେମାନେ ପ୍ରଭାତରେ ସୁବିବେଚନା କର।
ଅପରାଧୀଙ୍କ ହସ୍ତରୁ ଲୁଣ୍ଠିତ ଲୋକମାନଙ୍କୁ ଉଦ୍ଧାର କର।
ତାହା ନ ହେଲେ ତୁମ୍ଭେମାନେ ତୁମ୍ଭମାନଙ୍କର ଦୁଷ୍ଟାଚରଣ ଯୋଗୁଁ
ଆମ୍ଭ ପ୍ରଚଣ୍ଡ କ୍ରୋଧାଗ୍ନିରେ ଭସ୍ମୀଭୂତ ହେବ
ଓ କେହି ତାହାକୁ ନିର୍ବାଣ କରି ପାରିବେ ନାହିଁ।’
13 “ହେ ଉପତ୍ୟକା ଓ କ୍ଷେତ୍ରସ୍ଥ ଶୈଳ ନିବାସୀନି ଯିରୁଶାଲମ,”
ସଦାପ୍ରଭୁ କହନ୍ତି, “ଦେଖ,
ଆମ୍ଭେ ତୁମ୍ଭର ପ୍ରତିକୂଳ ଅଟୁ।
ତୁମ୍ଭେମାନେ କହୁଅଛ
‘ଆମ୍ଭମାନଙ୍କ ବିପକ୍ଷରେ କେହି ଆକ୍ରମଣ କରିବେ ନାହିଁ
କି ଆମ୍ଭର ସୁଦୃଢ଼ ନଗରୀକୁ କେହି
ପରାସ୍ତ କରି ପାରିବେ ନାହିଁ।’”
14 ମାତ୍ର ସଦାପ୍ରଭୁ କହନ୍ତି,
“ଆମ୍ଭେ ତୁମ୍ଭମାନଙ୍କ କର୍ମଫଳାନୁସାରେ ତୁମ୍ଭମାନଙ୍କୁ ଶାସ୍ତି ଦେବା।
ପୁଣି ଆମ୍ଭେ ତୁମ୍ଭମାନଙ୍କ ଅରଣ୍ୟରେ ଅଗ୍ନି ସଂଯୋଗ କରିବା।
ସେହି ଅଗ୍ନି ତୁମ୍ଭମାନଙ୍କ ଚତୁର୍ପାର୍ଶ୍ୱରେ ଥିବା ସମସ୍ତ ଦ୍ରବ୍ୟ ଗ୍ରାସ କରିବ।”
ଖ୍ରୀଷ୍ଟଙ୍କ ବଳିଦାନ ପାପଗୁଡ଼ିକୁ ଧୋଇ ଦିଏ
23 ସ୍ୱର୍ଗସ୍ଥ ବିଷୟ ଗୁଡ଼ିକର ପ୍ରତିକୃତିଗୁଡ଼ିକ ପଶୁବଳି ଦ୍ୱାରା ଶୁଦ୍ଧ କରାଯାଏ। କିନ୍ତୁ ସ୍ୱର୍ଗସ୍ଥ ବିଷୟରେ ଶୁଦ୍ଧତା ପାଇଁ ଅପେକ୍ଷାକୃତ ଭଲ ବଳି ଦରକାର। 24 ଖ୍ରୀଷ୍ଟ ମହାପବିତ୍ର ସ୍ଥାନ ଭିତରକୁ ଗଲେ। କିନ୍ତୁ ସେ ମନୁଷ୍ୟ ହସ୍ତନିର୍ମିତ ମହାପବିତ୍ର ସ୍ଥାନକୁ ଗଲେ ନାହିଁ। ଏହି ପରମ ପବିତ୍ର ସ୍ଥାନଟି ପ୍ରକୃତ ସ୍ଥାନର ପ୍ରତିକୃତି ମାତ୍ର। ଯୀଶୁ ସ୍ୱର୍ଗ ଭିତରକୁ ଗଲେ।
25 ବର୍ତ୍ତମାନ ସେ ମଧ୍ୟ ଆମ୍ଭକୁ ସାହାଯ୍ୟ କରିବା ପାଇଁ ସେଠାରେ ପରମେଶ୍ୱରଙ୍କ ଆଗରେ ଅଛନ୍ତି। ମହାଯାଜକ ମହାପବିତ୍ର ସ୍ଥାନରେ ବର୍ଷକୁ ଥରେ ମାତ୍ର ପ୍ରବେଶ କରନ୍ତି। ପୁଣି ଉତ୍ସର୍ଗ କରିବା ନିମନ୍ତେ ରକ୍ତ ନେଇ ଯାଆନ୍ତି। କିନ୍ତୁ ସେ ଯୀଶୁଙ୍କ ଭଳି ନିଜର ରକ୍ତ ସମର୍ପଣ କରନ୍ତି ନାହିଁ। ମହାଯାଜକ ଯେପରି ଥରକୁ ଥର ରକ୍ତ ସମର୍ପଣ କରନ୍ତି, ଖ୍ରୀଷ୍ଟ ନିଜକୁ ସେଭଳି ଥରକୁ ଥର ସମର୍ପଣ କରିବା ପାଇଁ ସ୍ୱର୍ଗରେ ପ୍ରବେଶ କରି ନ ଥିଲେ। 26 ଯଦି ଖ୍ରୀଷ୍ଟ ନିଜକୁ ଅନେକ ଥର ସମର୍ପଣ କରି ଥାଆନ୍ତେ, ତା’ହେଲେ ଜଗତ ସୃଷ୍ଟି ହେବା ଦିନଠାରୁ ତାହାଙ୍କୁ ଅନେକ ଥର ଯାତନା ସହିବାକୁ ପଡ଼ିଥା’ନ୍ତା। କିନ୍ତୁ ଖ୍ରୀଷ୍ଟ ଥରେ ମାତ୍ର ଆସିଲେ ଓ ନିଜକୁ ଉତ୍ସର୍ଗ କଲେ। ଯୁଗାନ୍ତ ସମୟରେ ଆପଣାକୁ ବଳିରୂପେ ଉତ୍ସର୍ଗ କରିବା ଦ୍ୱାରା ଯୀଶୁ ସମସ୍ତ ପାପ ହରଣ କରିବା ପାଇଁ ଆସିଥିଲେ।
27 ପ୍ରତ୍ୟେକ ଲୋକ ଥରେ ମରିବା ଦରକାର। ଜଣେ ମଲାପରେ ତାହାର ବିଗ୍ଭର ହୁଏ। 28 ଖ୍ରୀଷ୍ଟ ଥରେ ବଳି ଭାବରେ ସମର୍ପିତ ହେଲେ, ଯେପରି ଅନେକ ଲୋକଙ୍କର ପାପ ଦୂର କରି ପାରିବେ। ଖ୍ରୀଷ୍ଟ ଦ୍ୱିତୀୟ ଥର ଲୋକମାନଙ୍କର ପାପ ପାଇଁ ନୁହେଁ, ମାତ୍ର ଯେଉଁମାନେ ତାହାଙ୍କ ପାଇଁ ପ୍ରତୀକ୍ଷା କରୁଥିବେ, ସେମାନଙ୍କର ମୁକ୍ତି ପାଇଁ ଆସିବେ।
2010 by World Bible Translation Center