Revised Common Lectionary (Semicontinuous)
ସୟିନ୍
49 ହେ ସଦାପ୍ରଭୁ, ତୁମ୍ଭେ ମୋ’ ପ୍ରତି କରିଥିବା ପ୍ରତିଜ୍ଞା ସ୍ମରଣ କର।
ସେହି ପ୍ରତିଜ୍ଞା ମୋତେ ଭରସା ଦେଇଅଛି।
50 ମୁଁ ଯେତେବେଳେ ଦୁଃଖରେ ଥିଲି, ତୁମ୍ଭେ ସେତେବେଳେ ମୋତେ ସାନ୍ତ୍ୱନା ଦେଇଅଛ।
ତୁମ୍ଭର ବାକ୍ୟସବୁ ମୋତେ ପୁନଃର୍ଜୀବିତ କରିଅଛି।
51 ଲୋକମାନେ ଭାବନ୍ତି ସେମାନେ ମୋ’ଠାରୁ ଉତ୍ତମ ଏବଂ ମୋତେ ଅତିଶୟ ଅପମାନିତ କରିଛନ୍ତି,
କିନ୍ତୁ ମୁଁ ତୁମ୍ଭ ଶିକ୍ଷାରୁ ବିଚ୍ୟୁତ ହୋଇ ନାହିଁ।
52 ମୁଁ ତୁମ୍ଭର ପୂର୍ବରୁ ଦେଇଥିବା ଶାସନକୁ ସ୍ମରଣ କରେ
ଏବଂ ସେଗୁଡ଼ିକ ମୋତେ ସାନ୍ତ୍ୱନା ଦିଏ।
53 ମୁଁ କ୍ରୋଧିତ ହୋଇଯାଏ, ଯେତେବେଳେ ଦେଖେ
ଦୁଷ୍ଟ ଲୋକମାନେ ତୁମ୍ଭର ଶିକ୍ଷା ସମୂହକୁ ଆଉ ଅନୁସରଣ କରୁ ନାହାନ୍ତି।
54 ମୋର ଗୃହରେ
ମୁଁ ତୁମ୍ଭର ବ୍ୟବସ୍ଥାସବୁ ଗାନ କରେ।
55 ହେ ସଦାପ୍ରଭୁ, ରାତ୍ରିରେ ମୁଁ ତୁମ୍ଭ ନାମ ସ୍ମରଣ କରେ।
ମୁଁ ତୁମ୍ଭର ଶିକ୍ଷାସବୁ ସ୍ମରଣ କରେ।
56 ଏହିପରି ଘଟେ କାରଣ ମୁଁ ତୁମ୍ଭର ନିର୍ଦ୍ଦେଶସବୁ ଯତ୍ନର ସହକାରେ ମାନି ଚଳେ।
36 “ତୁମ୍ଭେମାନେ କହୁଅଛ ଯେ, ‘ବାବିଲର ରାଜା ଖଡ଼୍ଗ, ଦୁର୍ଭିକ୍ଷ ଓ ମହାମାରୀ ପ୍ରୟୋଗ କରି ଏହି ରାଜ୍ୟ ଅଧିକାର କରିବ।’ ମାତ୍ର ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି। 37 ‘ଆଉ ଦେଖ, ଆମ୍ଭେ ଆପଣା କ୍ରୋଧ ଓ ପ୍ରଚଣ୍ଡ କୋପରେ ଯେଉଁସବୁ ଦେଶରେ ସେମାନଙ୍କୁ ଛିନ୍ନଭିନ୍ନ କରିଦେଇଥିଲୁ, ସେହି ସହସ୍ର ଦେଶରୁ ପୁନର୍ବାର ସେମାନଙ୍କୁ ସଂଗ୍ରହ କରିବା। ସେମାନଙ୍କୁ ପୁନର୍ବାର ଏହି ସ୍ଥାନକୁ ଆଣିବା ଓ ସେମାନଙ୍କୁ ଶାନ୍ତି ଏବଂ ନିରାପଦରେ ଏହି ସ୍ଥାନରେ ବାସ କରାଇବା। 38 ପୁଣି ଇସ୍ରାଏଲ ଓ ଯିହୁଦାର ଲୋକମାନେ ଆମ୍ଭର ହେବେ ଓ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା। 39 ଆଉ ସେମାନେ ଓ ସେମାନଙ୍କର ସନ୍ତାନମାନେ ସେମାନଙ୍କ ମଙ୍ଗଳ ନିମନ୍ତେ ଯେପରି ଆମ୍ଭକୁ ଭୟ କରିବେ, ଏଥିପାଇଁ ଆମ୍ଭେ ସେମାନଙ୍କୁ ଏକ ଚିତ୍ତ ଓ ଏକ ପଥ ଦେବା।
40 “‘ପୁଣି ସେମାନଙ୍କର ମଙ୍ଗଳ ପାଇଁ ଆମ୍ଭେ ସେମାନଙ୍କ ପ୍ରତି ବିମୁଖ ହେବା ନାହିଁ। ଏହିପରି ଭାବରେ ଗୋଟିଏ ନିତ୍ୟସ୍ଥାୟୀ ନିୟମ ସେମାନଙ୍କ ସଙ୍ଗେ କରିବା। ସେମାନେ ଯେପରି ଆମ୍ଭଠାରୁ ଦୂରେଇ ନ ଯିବେ, ଏଥିପାଇଁ ଆମ୍ଭେ ଆମ୍ଭ ବିଷୟକ ଭୟ ସେମାନଙ୍କ ଅନ୍ତରରେ ସ୍ଥାପନ କରିବା। 41 ଆମ୍ଭେ ସେମାନଙ୍କର ମଙ୍ଗଳ ସାଧନ କରି ଖୁସୀ ହେବା। ଆଉ ମଧ୍ୟ ଆମ୍ଭେ ଆପଣା ଆପଣା ମନପ୍ରାଣ ଦେଇ ସେମାନଙ୍କୁ ସ୍ଥାପିତ କରିବା।’”
42 ପୁଣି ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ସେମାନଙ୍କ ପ୍ରତି ଯେଉଁପରି ଭାବରେ ମହା ଅମଙ୍ଗଳ ଘଟାଇଅଛୁ, ସେହିପରି ଭାବରେ ସେମାନଙ୍କ ପ୍ରତି ମଙ୍ଗଳ ବିଧାନ କରିବା, ଏହା ଆମ୍ଭେ ପ୍ରତିଜ୍ଞା କରିଅଛୁ। 43 ପୁଣି ତୁମ୍ଭେମାନେ କହୁଅଛ, ‘ଏହା ମନୁଷ୍ୟ ଓ ପଶୁତୁଲ୍ୟ ଧ୍ୱଂସ ସ୍ଥାନ ହୋଇଅଛି ଓ କଲ୍ଦୀୟମାନଙ୍କ ହସ୍ତରେ ସମର୍ପିତ ହୋଇଅଛି।’ ମାତ୍ର ଭବିଷ୍ୟତରେ ଲୋକମାନେ ଏଠାରେ କ୍ଷେତ୍ର କ୍ରୟ କରିବେ। 44 ଲୋକମାନେ ବିନ୍ୟାମୀନ ପ୍ରଦେଶରେ, ଯିରୁଶାଲମର ଚତୁର୍ଦ୍ଦିଗସ୍ଥ ନାନା ସ୍ଥାନରେ, ଯିହୁଦାର ନଗର ସମୂହରେ, ପାର୍ବତୀୟ, ପ୍ରଦେଶସ୍ଥ ନାନା ନଗରରେ, ନିମ୍ନ ଭୂମିସ୍ଥ ନଗରମାନଙ୍କରେ ଓ ଦକ୍ଷିଣ ଦିଗସ୍ଥ ନଗରଗୁଡ଼ିକରେ ମୂଲ୍ୟଦେଇ କ୍ଷେତ୍ର କ୍ରୟ କରିବେ ଓ ଦଲିଲ୍ ସ୍ୱାକ୍ଷର କରି ମୁଦ୍ରାଙ୍କିତ କରିବେ। ଆଉ ସାକ୍ଷୀ ରଖିବେ। କାରଣ ସଦାପ୍ରଭୁ କହନ୍ତି ଆମ୍ଭେ ସେମାନଙ୍କୁ ବନ୍ଦୀତ୍ୱ ଅବସ୍ଥାରୁ ମୁକ୍ତ କରିବା।”
ସ୍ୱାର୍ଥପର ଧନୀଲୋକ ଦଣ୍ଡ ପାଇବେ
5 ଧନୀ ଲୋକେ! ଶୁଣ! କ୍ରନ୍ଦନ କର ଓ ଅତି ଦୁଃଖିତ ହୁଅ। କାରଣ ଅତ୍ୟଧିକ କ୍ଳେଶ ତୁମ୍ଭ ଉପରେ ମାଡ଼ି ଆସୁଛି। 2 ତୁମ୍ଭର ଧନସବୁ ନଷ୍ଟ ହୋଇଯାଇଛି ଓ ମୂଲ୍ୟହୀନ ହୋଇ ପଡ଼ିଛି। ତୁମ୍ଭର ପୋଷାକ ପୋକ ଖାଇ ଯାଇଛନ୍ତି। 3 ତୁମ୍ଭର ସୁନା ଓ ରୂପାରେ କଳଙ୍କି ଲାଗି ଯାଇଛି। ଏହା ନଷ୍ଟ ହୋଇ ପ୍ରମାଣ କରୁଛି ଯେ, ତୁମ୍ଭେ ଭୁଲକାର୍ଯ୍ୟ କରିଛ। ସେହି କଳଙ୍କ ତୁମ୍ଭ ଶରୀରକୁ ଅଗ୍ନି ଭଳି ଗ୍ରାସ କରି ଦେବ। ଶେଷଦିନଗୁଡ଼ିକରେ ତୁମ୍ଭେ ନିଜର ଧନ ସଞ୍ଚୟ କରୁଅଛ। 4 ଲୋକେ ତୁମ୍ଭ କ୍ଷେତମାନଙ୍କରେ କାମ କଲେ, କିନ୍ତୁ ତୁମ୍ଭେ ତାହାଙ୍କୁ ସେମାନଙ୍କର ମଜୁରୀ ଦେଲ ନାହିଁ। ସେମାନେ ତୁମ୍ଭ ବିରୁଦ୍ଧରେ କ୍ରନ୍ଦନ କରୁଛନ୍ତି। ସେମାନେ ତୁମ୍ଭ ପାଇଁ ଶସ୍ୟ ଆମଦାନୀ କଲେ। ଏବେ ସ୍ୱର୍ଗୀୟ ସେନାବାହିନୀର ପ୍ରଭୁ ସେମାନଙ୍କ ଚିତ୍କାର ଶୁଣିଛନ୍ତି।
5 ପୃଥିବୀରେ ତୁମ୍ଭ ଜୀବନ ବିଳାସମ୍ପୂର୍ଣ୍ଣ ଥିଲା। ତୁମ୍ଭେ ଯାହା ଇଚ୍ଛା କରିଥିଲ, ତାହା ପୂରଣ କରି ନିଜକୁ ଆନନ୍ଦିତ କଲ। ତୁମ୍ଭେ ବଳି ଦିବସ ପାଇଁ ପ୍ରସ୍ତୁତ ଥିବା ଏକ ପଶୁପରି ନିଜକୁ ମୋଟା କଲ। 6 ତୁମ୍ଭେ ଉତ୍ତମ ଲୋକମାନଙ୍କୁ କୌଣସି ଦୟା ଦେଖାଇଲ ନାହିଁ। ସେମାନେ ତୁମ୍ଭର ବିରୋଧୀ ନ ଥିଲେ ମଧ୍ୟ, ତୁମ୍ଭେ ସେମାନଙ୍କୁ ହତ୍ୟା କରିଛ।
2010 by World Bible Translation Center