Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 119:49-56

ସୟିନ୍

49 ହେ ସଦାପ୍ରଭୁ, ତୁମ୍ଭେ ମୋ’ ପ୍ରତି କରିଥିବା ପ୍ରତିଜ୍ଞା ସ୍ମରଣ କର।
    ସେହି ପ୍ରତିଜ୍ଞା ମୋତେ ଭରସା ଦେଇଅଛି।
50 ମୁଁ ଯେତେବେଳେ ଦୁଃଖରେ ଥିଲି, ତୁମ୍ଭେ ସେତେବେଳେ ମୋତେ ସାନ୍ତ୍ୱନା ଦେଇଅଛ।
    ତୁମ୍ଭର ବାକ୍ୟସବୁ ମୋତେ ପୁନଃର୍ଜୀବିତ କରିଅଛି।
51 ଲୋକମାନେ ଭାବନ୍ତି ସେମାନେ ମୋ’ଠାରୁ ଉତ୍ତମ ଏବଂ ମୋତେ ଅତିଶୟ ଅପମାନିତ କରିଛନ୍ତି,
    କିନ୍ତୁ ମୁଁ ତୁମ୍ଭ ଶିକ୍ଷାରୁ ବିଚ୍ୟୁତ ହୋଇ ନାହିଁ।
52 ମୁଁ ତୁମ୍ଭର ପୂର୍ବରୁ ଦେଇଥିବା ଶାସନକୁ ସ୍ମରଣ କରେ
    ଏବଂ ସେଗୁଡ଼ିକ ମୋତେ ସାନ୍ତ୍ୱନା ଦିଏ।
53 ମୁଁ କ୍ରୋଧିତ ହୋଇଯାଏ, ଯେତେବେଳେ ଦେଖେ
    ଦୁଷ୍ଟ ଲୋକମାନେ ତୁମ୍ଭର ଶିକ୍ଷା ସମୂହକୁ ଆଉ ଅନୁସରଣ କରୁ ନାହାନ୍ତି।
54 ମୋର ଗୃହରେ
    ମୁଁ ତୁମ୍ଭର ବ୍ୟବସ୍ଥାସବୁ ଗାନ କରେ।
55 ହେ ସଦାପ୍ରଭୁ, ରାତ୍ରିରେ ମୁଁ ତୁମ୍ଭ ନାମ ସ୍ମରଣ କରେ।
    ମୁଁ ତୁମ୍ଭର ଶିକ୍ଷାସବୁ ସ୍ମରଣ କରେ।
56 ଏହିପରି ଘଟେ କାରଣ ମୁଁ ତୁମ୍ଭର ନିର୍ଦ୍ଦେଶସବୁ ଯତ୍ନର ସହକାରେ ମାନି ଚଳେ।

ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 32:16-35

16 ନେରିୟର ପୁତ୍ର ବାରୂକକୁ ସେହି କ୍ରୟପତ୍ର ସମର୍ପି ଦେଲା ପରେ ମୁଁ ସଦାପ୍ରଭୁଙ୍କ ନିକଟରେ ଏହି ପ୍ରାର୍ଥନା କଲି।

17 “ହେ ପ୍ରଭୁ, ସଦାପ୍ରଭୁ, ତୁମ୍ଭେ ଆପଣା ମହାପରାକ୍ରମ ଓ ବିଶାଳ ବାହୁ ଦ୍ୱାରା ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କରିଅଛ। ତୁମ୍ଭର ଅସାଧ୍ୟ କିଛି ନାହିଁ। 18 ତୁମ୍ଭେ ସହସ୍ର ସହସ୍ର ଲୋକମାନଙ୍କ ପ୍ରତି ଦୟା ପ୍ରକାଶ କରୁଅଛ। ପୁଣି ପିତୃଗଣଙ୍କ ଅପରାଧର ପ୍ରତିଫଳ ସେମାନଙ୍କ ପିଲାମାନଙ୍କ ଉପରେ ଦେଉଅଛ। ତୁମ୍ଭେ ମହାନ ପରାକ୍ରାନ୍ତ ପରମେଶ୍ୱର, ସୈନ୍ୟାଧିପତି ସଦାପ୍ରଭୁ ତୁମ୍ଭର ନାମ। 19 ତୁମ୍ଭର ମନ୍ତ୍ରଣା ଓ କ୍ରିୟା ମହାନ। ତୁମ୍ଭେ ପ୍ରତ୍ୟେକଙ୍କର କାର୍ଯ୍ୟକଳାପ ଲକ୍ଷ୍ୟ କର। ତୁମ୍ଭେ କ୍ରିୟାନୁସାରେ ସମୁଚିତ ଫଳ ସେମାନଙ୍କୁ ପ୍ରଦାନ କର। ସୁକର୍ମ କରୁଥିବା ବ୍ୟକ୍ତି ପୁରସ୍କୃତ ଓ ଅଧର୍ମ କରୁଥିବା ବ୍ୟକ୍ତି ଦଣ୍ଡିତ ହୁଏ। 20 ହେ ସଦାପ୍ରଭୁ, ତୁମ୍ଭେ ମିଶରରେ ନାନା ଅ‌‌ଦ୍‌‌ଭୂତ ଓ ଅଲୌକିକ କାର୍ଯ୍ୟ ସମ୍ପାଦନ କରିଅଛ। ଆଜି ପର୍ଯ୍ୟନ୍ତ ଇସ୍ରାଏଲ ଓ ଅନ୍ୟାନ୍ୟ ଲୋକମାନଙ୍କ ମଧ୍ୟରେ ସେହି ଅ‌‌ଦ୍‌‌ଭୂତ ଲକ୍ଷଣ ଦେଖାଉଛ। ପୁଣି ଏହିସବୁ କାର୍ଯ୍ୟ ଯୋଗୁଁ ତୁମ୍ଭେ ପ୍ରସିଦ୍ଧ ହୋଇଅଛ। 21 ତୁମ୍ଭେ ସେହି ଅଲୌକିକ ଶକ୍ତି, ଅ‌‌ଦ୍‌‌ଭୂତ ଲକ୍ଷଣ, ବଳବାନ୍ ହସ୍ତ ଓ ବିସ୍ତୀର୍ଣ୍ଣ ବାହୁ ଦ୍ୱାରା ତୁମ୍ଭର ଇସ୍ରାଏଲ ଲୋକଙ୍କୁ ମିଶର ଦେଶରୁ ବାହାର କରି ଆଣିଲ।

22 “ହେ ସଦାପ୍ରଭୁ, ତୁମ୍ଭେ ଯେଉଁ ଦୁ‌ଗ୍‌ଧମଧୁପ୍ରବାହୀ ଦେଶ ସେମାନଙ୍କୁ ଦେବା ପାଇଁ ସେମାନଙ୍କ ପୂର୍ବପୁରୁଷଗଣ ନିକଟରେ ଶପଥ କରିଥିଲ, ତାହା ସେମାନଙ୍କୁ ଦେଲ। 23 ପୁଣି ଇସ୍ରାଏଲ ଲୋକମାନେ ଆସି ତାହା ଅଧିକାର କଲେ, ମାତ୍ର ସେମାନେ ତୁମ୍ଭ କଥା ପ୍ରତି ଧ୍ୟାନ ଦେଲେ ନାହିଁ। ଆଉ ତୁମ୍ଭ ବ୍ୟବସ୍ଥା ପଥରେ ଗ୍ଭଲିଲେ ନାହିଁ। ତୁମ୍ଭେ ସେମାନଙ୍କୁ ଯାହାସବୁ ପାଳନ କରିବାକୁ ଆଜ୍ଞା ଦେଲ, ସେସବୁ ମଧ୍ୟରୁ ସେମାନେ କିଛି ପାଳନ କଲେ ନାହିଁ। ତେଣୁ ତୁମ୍ଭେ ସେମାନଙ୍କ ଉପରେ ଏହିସବୁ ଅମଙ୍ଗଳ ଘଟାଇଲ।

24 “ବର୍ତ୍ତମାନ ଶତ୍ରୁମାନେ କାଠଗଣ୍ଡି ନିର୍ମାଣ କରି ନଗର ଅବରୋଧ କରିଛନ୍ତି। ସେମାନେ ଯେପରି ଶତ୍ରୁ ନଗରକୁ ପରାସ୍ତ କରି ପାରିବେ ‌‌ଖ‌ଡ଼୍‌ଗ, ଦୁର୍ଭିକ୍ଷ, ମହାମାରୀ ଘଟାଇଲେ ଏବଂ ଏହା ବିରୁଦ୍ଧରେ ଯୁଦ୍ଧ କରୁଥିବା କ‌‌ଲ୍‌‌ଦୀୟମାନଙ୍କୁ ତାହା ହସ୍ତାନ୍ତର କର। ହେ ସଦାପ୍ରଭୁ, ତୁମ୍ଭେ କହିଥିଲ ଏହା ଘଟିବ ଓ ଆଜି ଦେଖ ତାହା ଘଟୁଅଛି।

25 “ପୁଣି ହେ ସଦାପ୍ରଭୁ ମୋର ପ୍ରଭୁ, ତୁମ୍ଭେ ନିଜେ ମୋତେ କହିଲ, ‘ମୂଲ୍ୟ ଦେଇ କ୍ଷେତ୍ର କିଣ ଓ ସାକ୍ଷୀ ରଖ।’ ମାତ୍ର ଯେତେବେଳେ ଏହି ଭୂମି କ‌‌ଲ୍‌‌ଦୀୟମାନଙ୍କ ହସ୍ତରେ ଦତ୍ତ ହେଉଅଛି, ମୁଁ କାହିଁକି ମୋର ଅର୍ଥ ନଷ୍ଟ କରିବି?”

26 ତାହାପରେ ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା। 27 “ହେ ଯିରିମିୟ, ଦେଖ, ଆମ୍ଭେ ସଦାପ୍ରଭୁ, ସମଗ୍ର ମର୍ତ୍ତ୍ୟରେ ପରମେଶ୍ୱର, ଆମ୍ଭର ଅସାଧ୍ୟ ହୋଇ କିଛି ନାହିଁ।” 28 ପୁଣି ସଦାପ୍ରଭୁ ଏହା ମଧ୍ୟ କହିଲେ, “ଦେଖ, ଆମ୍ଭେ କ‌‌ଲ୍‌‌ଦୀୟମାନଙ୍କ ହସ୍ତରେ ଓ ବାବିଲର ରାଜା ନବୂଖ‌ଦ୍‌ନିତ୍ସରର ହସ୍ତରେ ଏହି ନଗର ସମର୍ପଣ କରିବା। ସେ ତାହା ହସ୍ତଗତ କରିବେ। 29 ଆଉ କ‌‌ଲ୍‌‌ଦୀୟମାନେ ଏହି ନଗର ବିରୁଦ୍ଧରେ ସେମାନଙ୍କର ଆକ୍ରମଣ ଆରମ୍ଭ କରିଦେଇଛନ୍ତି, ସେମାନେ ଖୁବଶୀଘ୍ର ଏହି ନଗରରେ ପ୍ରବେଶ କରି ଅଗ୍ନି ଲଗାଇବେ। ଯେଉଁସବୁ ଗୃହଗୁଡ଼ିକରେ ‌ବା‌ଲ୍‌ଦେବ ପାଇଁ ନୈବେଦ୍ୟ ଉତ୍ସର୍ଗ କରିଥିଲେ ଓ ଆମ୍ଭଙ୍କୁ କ୍ରୋଧିତ କରିବା ପାଇଁ ଅନ୍ୟ ଦେବତାମାନଙ୍କୁ ପେୟନୈବେଦ୍ୟ ଉତ୍ସର୍ଗ କଲ, ସେମାନେ ସେହିସବୁ ଗୃହଗୁଡ଼ିକୁ ଦ‌ଗ୍‌ଧ କରିବେ। 30 ପୁଣି ଆମ୍ଭ ଦୃଷ୍ଟିରେ ଯାହା ମନ୍ଦ, ଇସ୍ରାଏଲ ଓ ଯିହୁଦାର ସନ୍ତାନଗଣ ତାହା ସେମାନଙ୍କ ବାଲ୍ୟକାଳରୁ କରି ଆସୁଛନ୍ତି। ଇସ୍ରାଏଲ ସନ୍ତାନଗଣ ନିଜ ହସ୍ତକୃତ ପ୍ରତିମା ପୂଜା କରି କେବଳ ଆମ୍ଭକୁ ବିରକ୍ତ କରିଛନ୍ତି।” ଏହା ସଦାପ୍ରଭୁ କହନ୍ତି। 31 “ଆଉ ସେମାନେ ଏହି ନଗର ନିର୍ମାଣ ଆରମ୍ଭ କରିବା ଦିନଠାରୁ ଆଜି ପର୍ଯ୍ୟନ୍ତ କେବଳ ଆମ୍ଭର କ୍ରୋଧ ଓ କୋପ ବଢ଼ାଇ ଆସିଛନ୍ତି। ତେଣୁ ଆମ୍ଭେ ତାହାକୁ ଆମ୍ଭ ସମ୍ମୁଖରୁ ଦୂରେଇ ଦେବା। 32 ଆମ୍ଭେ ଯିରୁଶାଲମକୁ ଧ୍ୱଂସ କରିବା, କାରଣ ଇସ୍ରାଏଲ ଓ ଯିହୁଦାର ସନ୍ତାନଗଣ, ସେମାନଙ୍କର ରାଜାଗଣ, ଅଧିପତିଗଣ, ଯାଜକ ଓ ଭବିଷ୍ୟ‌ଦ୍‌ବକ୍ତାଗଣ ଆମ୍ଭକୁ ବିରକ୍ତ କରିବା ପାଇଁ ନାନାପ୍ରକାର ଦୁଷ୍କର୍ମ କରିଅଛନ୍ତି।

33 “ସେମାନେ ଆମ୍ଭ ପ୍ରତି ବିମୁଖ ହୋଇ ଆମ୍ଭ ପ୍ରତି ବିମୁଖ ହୋଇଅଛନ୍ତି। ଆମ୍ଭେ ସେମାନଙ୍କୁ ବାରମ୍ବାର ଶିକ୍ଷା ଦେଲେ ହେଁ ସେମାନେ ତାହା ଶୁଣି ନାହାନ୍ତି। 34 ପୁଣି ସେମାନେ ଆମ୍ଭ ମନ୍ଦିରରେ ସେମାନଙ୍କ ହସ୍ତଦ୍ୱାରା ନିର୍ମିତ ପ୍ରତିମା ରଖିଛନ୍ତି। ଆମ୍ଭ ନାମ ବହନ କରିଥିବା ମନ୍ଦିରକୁ ‘କଳୁଷିତ’ କରିବା ପାଇଁ।

35 “ସେମାନେ ହିନ୍ନୋମ ପୁତ୍ରର ଉପତ୍ୟକାରେ ବା‌ଲ୍‌ଦେବର ଉଚ୍ଚସ୍ଥଳୀ ନିର୍ମାଣ କରିଅଛନ୍ତି। ସେମାନେ ମୋଲକର ଉଦ୍ଦେଶ୍ୟରେ ଆପଣା ପୁତ୍ରକନ୍ୟାଗଣଙ୍କୁ ଅଗ୍ନି ମଧ୍ୟଦେଇ ଗମନ କରାଇବା ପାଇଁ ଏସବୁ ନିର୍ମାଣ କରିଛନ୍ତି। ମାତ୍ର ଏସବୁ ଘୃଣ୍ୟକର୍ମ କରିବା ପାଇଁ ଆମ୍ଭେ ଆଜ୍ଞା ଦେଇ ନାହୁଁ କିଅବା ଆମ୍ଭ ମନରେ ତାହା ଉଦୟ ହୋଇ ନାହିଁ। ଯିହୁଦାକୁ ପାପ କରାଇବା ପାଇଁ ସେମାନେ ଏହା କରିଛନ୍ତି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 3:14-22

ଲାଅଦିକୀଆ ମଣ୍ଡଳୀକୁ ଯୀଶୁଙ୍କର ପତ୍ର

14 “ଲାଅଦିକୀଆ ମଣ୍ଡଳୀର ଦୂତଙ୍କ ପାଖକୁ ଏହା ଲେଖ:

“ଯେ ଏହିସବୁ ତୁମ୍ଭକୁ କହୁଛନ୍ତି, ସେ ଆମେନ୍ [a] ବିଶ୍ୱସ୍ତ ଓ ସତ୍ୟ ସାକ୍ଷୀ ଅଟନ୍ତି। ପରମେଶ୍ୱର ସୃଷ୍ଟି କରିଥିବା ସମସ୍ତ ବିଷୟର ଶାସକ। ସେ ଏହି କଥା କହନ୍ତି:

15 “ମୁଁ ତୁମ୍ଭର କାର୍ଯ୍ୟ ଜାଣେ। ତୁମ୍ଭେ ଉତ୍ତପ୍ତ ନୁହଁ ବା ଶୀତଳ ନୁହଁ। ମୁଁ ଆଶାକରେ, ତୁମ୍ଭେ ଉତ୍ତପ୍ତ କିମ୍ବା ଶୀତଳ ହୋଇଥିଲେ ଭଲ ହୋଇ ଥା’ନ୍ତା। 16 କିନ୍ତୁ ତୁମ୍ଭେ ଉତ୍ତପ୍ତ କିମ୍ବା ଶୀତଳ ନ ହୋଇ ନାତିଶୀତଷ୍ଣୋ ହେବାରୁ ମୁଁ ତୁମକୁ ମୁଖରୁ ଉଦ୍‌‌ଗାର କରି ବାହାର କରିଦେବି। 17 ତୁମ୍ଭେ କୁହ ଯେ, ତୁମ୍ଭେ ଧନୀ। ତୁମ୍ଭର ବହୁତ ଧନ ଅଛି ଓ ତୁମ୍ଭର କୌଣସି ଅଭାବ ନାହିଁ। କିନ୍ତୁ ତୁମ୍ଭେ ଜାଣି ନାହଁ ଯେ, ତୁମ୍ଭେ ପ୍ରକୃତରେ ଅଭାଗା, ଦୟନୀୟ, ଦରିଦ୍ର ଅନ୍ଧ ଓ ଉଲଗ୍ନ। 18 ସେଥିପାଇଁ ମୁଁ ତୁମ୍ଭକୁ ପରାମର୍ଶ ଦେଉଛି ଯେ, ତୁମ୍ଭେ ମୋ’ଠାରୁ ଅଗ୍ନିରେ ଖାଣ୍ଟି ହୋଇଥିବା ସୁନା କିଣ। ତା’ପରେ ତୁମ୍ଭେ ପ୍ରକୃତରେ ଧନୀ ହୋଇଯିବ। ମୁଁ ତୁମ୍ଭକୁ ଏହା କହୁଛି: ଧଳା ବସ୍ତ୍ର କିଣ। ତେବେ ତୁମ୍ଭେ ନିଜର ଲଜ୍ଜାପୂର୍ଣ୍ଣ ଉଲଗ୍ନତାକୁ ଘୋଡ଼େଇ ରଖିପାରିବ। ମୁଁ ତୁମ୍ଭକୁ ଔଷଧ କିଣି ଆଖିରେ ଲଗାଇବା ପାଇଁ ମଧ୍ୟ କହୁଛି। ତାହାହେଲେ ତୁମ୍ଭେ ପ୍ରକୃତରେ ଦେଖି ପାରିବ।

19 “ମୁଁ ଯେଉଁମାନଙ୍କୁ ପ୍ରେମ କରେ ସେମାନଙ୍କୁ ସଂଶୋଧନ କରେ ଓ ଦଣ୍ଡ ଦିଏ। ତେଣୁ କଠିନ ଚେଷ୍ଟା କର। ନିଜ ହୃଦୟ ଓ ନିଜ ଜୀବନ ପରିବର୍ତ୍ତନ କର। 20 ଦେଖ, ମୁଁ ଏଠାରେ ଅଛି ଓ ଦ୍ୱାର ପାଖରେ ଠିଆ ହୋଇ ଆଘାତ କରୁଛି। ଯଦି ଜଣେ ଲୋକ ମୋ’ ସ୍ୱର ଶୁଣେ ଓ ଦ୍ୱାର ଫିଟାଏ, ତେବେ ମୁଁ ଭିତରକୁ ଆସି ସେହି ଲୋକ ସହିତ ଖାଇବି। ସେ ଲୋକ ମଧ୍ୟ ମୋ’ ସହିତ ଖାଦ୍ୟ ଖାଇବ।

21 “ଯେ ବିଜୟୀ ହୁଏ, ମୁଁ ତାହାକୁ ମୋ’ ସହିତ ସିଂହାସନରେ ବସାଇବି। ଯେପରି ମୁଁ ବିଜୟୀ ହୋଇ ମୋର ପରମପିତାଙ୍କ ସହ ତାହାଙ୍କ ସିଂହାସନରେ ବସିଥିଲି, ସେ ସେହିପରି ମୋ’ ସହିତ ବସିବ। 22 ଯାହାର ଶୁଣିବା ନିମନ୍ତେ କାନ ଅଛି, ମଣ୍ଡଳୀଗୁଡ଼ିକୁ ଆତ୍ମା କହୁଥିବା କଥାସବୁ ସେ ଶୁଣିବା ଉଚିତ୍।’’

Odia Holy Bible: Easy-to-Read Version (ERV-OR)

2010 by World Bible Translation Center