Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 106:40-48

40 ଏହି ହେତୁ, ସଦାପ୍ରଭୁ ତାଙ୍କର ଲୋକମାନଙ୍କ ସହିତ ବହୁତ କ୍ରୋଧ କଲେ।
    ପରମେଶ୍ୱର ସେମାନଙ୍କ ପ୍ରତି ବିରକ୍ତ ହେଲେ।
41 ପରମେଶ୍ୱର ସେମାନଙ୍କୁ ଅନ୍ୟ ଦେଶୀୟମାନଙ୍କ ହସ୍ତରେ ସମର୍ପଣ କଲେ
    ଓ ସେମାନଙ୍କ ଶତ୍ରୁମାନେ ସେମାନଙ୍କ ଉପରେ ଶାସନ କଲେ।
42 ପରମେଶ୍ୱରଙ୍କ ଲୋକମାନଙ୍କର ଶତ୍ରୁମାନେ ସେମାନଙ୍କୁ ନିୟନ୍ତ୍ରଣ କଲେ
    ଏବଂ ସେମାନଙ୍କର ଜୀବନ ଦୁଃର୍ବିସହ ହୋଇଗଲା।
43 ଅନେକ ଥର ପରମେଶ୍ୱର ସେମାନଙ୍କୁ ଉଦ୍ଧାର କଲେ।
    ମାତ୍ର ସେମାନେ କ୍ରମାଗତ ପରମେଶ୍ୱରଙ୍କ ବିଦ୍ରୋହୀ ହେଲେ
    ଏବଂ ଆପଣା ଇଚ୍ଛାନୁସାରେ କାର୍ଯ୍ୟରେ ବହୁତ ଗଭୀର ପର୍ଯ୍ୟନ୍ତ ବୁଡ଼ିଗଲେ।
44 କିନ୍ତୁ ଯେତେବେଳେ ପରମେଶ୍ୱରଙ୍କ ଲୋକ ବିପଦରେ ପଡ଼ିଲେ ସେମାନେ ସର୍ବଦା ପରମେଶ୍ୱରଙ୍କୁ ସାହାଯ୍ୟ ପାଇଁ ଡାକିଲେ।
    ଏବଂ ପ୍ରତ୍ୟେକ ଥର ପରମେଶ୍ୱର ସେମାନଙ୍କ ପ୍ରାର୍ଥନା ଶୁଣିଲେ।
45 ପରମେଶ୍ୱର ସର୍ବଦା ତାଙ୍କର ଚୁକ୍ତି ମନେ କରନ୍ତି
    ଏବଂ ତାଙ୍କର ମହାନ କରୁଣା ପାଇଁ ଦଣ୍ଡ ଦେବାରେ ତାଙ୍କର ମନକୁ ପରିବର୍ତ୍ତନ କଲେ।
46 ସେ ସେମାନଙ୍କର ସମସ୍ତଙ୍କୁ ବନ୍ଦୀ କରିଥିବା ମନରେ
    ଦୟା ଦେଖାଇଲେ।
47 ହେ ସଦାପ୍ରଭୁ ପରମେଶ୍ୱର ଆମ୍ଭକୁ ରକ୍ଷାକର।
    ଏବଂ ପରମେଶ୍ୱର ଆମ୍ଭମାନଙ୍କୁ ଅନ୍ୟ ଦେଶୀୟମାନଙ୍କଠାରୁ ଫେରାଇ ଆଣ।
ଯେପରିକି ଆମ୍ଭେ ତୁମ୍ଭର ପବିତ୍ର ନାମର ପ୍ରଶଂସା କରି ପାରିବୁ
    ଓ ଆମ୍ଭେ ତୁମ୍ଭର ପ୍ରଶଂସା କରି ଗର୍ବୀତ ହୋଇ ପାରିବୁ।
48 ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଅନାଦିକାଳରୁ ଅନନ୍ତକାଳ ପର୍ଯ୍ୟନ୍ତ ଧନ୍ୟ ହୁଅନ୍ତୁ।
    ପରମେଶ୍ୱର ସର୍ବଦା ଜୀବିତ ରହି ଆସୁଛନ୍ତି ଏବଂ ସେ ସର୍ବଦା ଜୀବିତ ରହିବେ।
ସମସ୍ତ ଲୋକ କହନ୍ତୁ “ଆମେନ୍!”

ସଦାପ୍ରଭୁଙ୍କର ପ୍ରଶଂସା କର।

ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 9:12-26

12 ଏହା ବୁଝିଲାଭଳି କୌଣସି ଜ୍ଞାନୀ ବ୍ୟକ୍ତି ଏଠାରେ ଅଛନ୍ତି କି? ସଦାପ୍ରଭୁଙ୍କ ଦ୍ୱାରା ଶିକ୍ଷା ପାଇଥିବା ଓ ତାଙ୍କର ମୁଖ ନିଃସୃତ ବାଣୀକୁ ବ୍ୟକ୍ତି କରିବାକୁ କେହି ବ୍ୟକ୍ତି ଅଛି କି? ଦେଶ କାହିଁକି ଧ୍ୱଂସପ୍ରାପ୍ତ ହେଲା ଓ ପ୍ରାନ୍ତରସବୁ ଦ‌ଗ୍‌ଧିଭୂତ ହେଲା, କେହି ସେଠାରେ ଯାତାୟାତ କଲେ ନାହିଁ?

13 ଏସବୁର କାରଣ ସଦାପ୍ରଭୁ କହନ୍ତି, “ତାହା ହେଲା ଆମ୍ଭେ ସେମାନଙ୍କ ସମ୍ମୁଖରେ ଆମ୍ଭର ଯେଉଁ ବ୍ୟବସ୍ଥାମାନ ରଖିଲୁ ତାହା ସେମାନେ ପରିତ୍ୟାଗ କରିଅଛନ୍ତି। ଆମ୍ଭର ବାକ୍ୟ ପାଳନ କରି ନାହାନ୍ତି କି ତଦନୁସାରେ ଆଚରଣ କରି ନାହାନ୍ତି। 14 ସେମାନେ ନିଜ ଇଚ୍ଛାନୁସାରେ ଅବାଧ୍ୟ ହୋଇଛନ୍ତି ଓ ପୂର୍ବପୁରୁଷମାନଙ୍କ ଶିକ୍ଷାନୁସାରେ ବା‌‌ଲ୍‌‌ଦେବ ତାଙ୍କର ଅନୁଗାମୀ ହୋଇ ଆଚରଣ କରିଅଛନ୍ତି।”

15 ତେଣୁ ଇସ୍ରାଏଲର ପରମେଶ୍ୱର ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ଆମ୍ଭେ ସେମାନଙ୍କୁ ତିକ୍ତ ଭୋଜନ କରାଇବା ଓ ବିଷବୃକ୍ଷର ରସ ସେମାନଙ୍କୁ ପାନ କରିବାକୁ ଦେବା। 16 ସେମାନେ କିଅବା ସେମାନଙ୍କର ପୂର୍ବପୁରୁଷ ଜାଣି ନ ଥିବା ଦେଶୀୟମାନଙ୍କ ମଧ୍ୟରେ ସେମାନଙ୍କୁ ଛିନ୍ନଭିନ୍ନ କରିବା। ସେମାନଙ୍କୁ ସଂହାର ନ କରିବା ଯାଏ ସେମାନଙ୍କ ପଛରେ ‌‌ଖ‌ଡ଼୍‌ଗ ପଠାଇବା।”

17 ସୈନ୍ୟାଧିପତି ସଦାପ୍ରଭୁ କହନ୍ତି,
    “ତୁମ୍ଭେମାନେ ବିବେଚନା କର
ଓ ବିଳାପକାରିଣୀ ସ୍ତ୍ରୀମାନଙ୍କୁ ଆସିବା ପାଇଁ ଡାକ
    ଓ ନିପୁଣା ସ୍ତ୍ରୀମାନଙ୍କର ଆସିବା ପାଇଁ ଲୋକ ପଠାଅ।
18 ସେମାନେ କହନ୍ତି,
‘ସେହି ସ୍ତ୍ରୀଲୋକମାନେ ଶୀଘ୍ର ଆସନ୍ତୁ
    ଓ ଆମ୍ଭମାନଙ୍କ ପାଇଁ ବିଳାପ କରନ୍ତୁ।
ଆମ୍ଭର ଚକ୍ଷୁ ଯେପରି ଲୋତକରେ ପୂର୍ଣ୍ଣ ହେବ
    ଓ ଚକ୍ଷୁରୁ ଯେପରି ଲୋତକର ନିର୍ଝର ନିର୍ଗତ ହେବ।’

19 “କାରଣ ସିୟୋନରୁ ଏହି ହାହାକାର ଶବ୍ଦ ଶୁଣାଯାଉଛି।
‘ଆମ୍ଭେମାନେ ପ୍ରକୃତରେ ବିନଷ୍ଟ ହୋଇଅଛୁ।
    ଆମ୍ଭେମାନେ ବିଶେଷ ଭାବରେ ଲଜ୍ଜିତ,
କାରଣ ଆମ୍ଭର ବାସସ୍ଥାନ ଧୂଳିସାତ୍ ହୋଇଅଛି
    ଓ ଆମ୍ଭେମାନେ ଦେଶ ପରିତ୍ୟାଗ କରିଅଛୁ।’”

20 ତେଣୁ ହେ ଯିହୁଦାର ରମଣୀଗଣ, ସଦାପ୍ରଭୁଙ୍କର ବାକ୍ୟ ଶୁଣ,
    ତୁମ୍ଭମାନଙ୍କର କର୍ଣ୍ଣ ତାଙ୍କର ମୁଖ ନିଃସୃତ ବାକ୍ୟ ଗ୍ରହଣ କରୁ।
ଆଉ “ତୁମ୍ଭେମାନେ ନିଜ ନିଜ କନ୍ୟାମାନଙ୍କୁ ହାହାକାର କରିବାକୁ
    ଓ ପ୍ରତ୍ୟେକ ନିଜ ପ୍ରତିବାସିନୀକୁ ବିଳାପ କରିବାକୁ ଶିକ୍ଷା ଦିଅ।
21 “କାରଣ ମୃତ୍ୟୁ ଆମ୍ଭମାନଙ୍କର ଝରକା ଦେଇ
    ଆମ୍ଭମାନଙ୍କର ପ୍ରାସାଦରେ ପ୍ରବେଶ କରିଅଛି।
ଏହା ବାହାରେ ବାଳକମାନଙ୍କୁ
    ଓ ନଗରର ଛକମାନଙ୍କରେ ଯୁବକମାନଙ୍କୁ ସଂହାର କରିବାକୁ ପ୍ରସ୍ତୁତ।”

22 ଯିରିମିୟ ଏହା କହନ୍ତି, “ସଦାପ୍ରଭୁଙ୍କ ବାକ୍ୟାନୁସାରେ
‘ମନୁଷ୍ୟମାନଙ୍କର ଶବ ଖତପରି କ୍ଷେତ୍ରରେ ପଡ଼ି ରହିବ
    ଆଉ ଶସ୍ୟ ଚ୍ଛେଦନକାରୀର ଶସ୍ୟ ପଛରେ ପଡ଼ିଲା ପରି
ସେମାନେ କ୍ଷେତ୍ରରେ ପଡ଼ି ରହିବେ।
    କେହି ସେମାନଙ୍କୁ ସଂଗ୍ରହ କରିବାକୁ ନ ଥିବେ।’”

23 ଆଉ ସଦାପ୍ରଭୁ କହନ୍ତି,
“ଜ୍ଞାନବାନ୍ ଆପଣା ଜ୍ଞାନରେ ଦର୍ପ ନ କରୁ,
    ବଳବାନ୍ ଆପଣା ବଳରେ ଦର୍ପ ନ କରୁ
    ଓ ଧନବାନ୍ ଆପଣା ଧନରେ ଗର୍ବ ନ କରୁ।
24 ଯଦି କେହି ଦର୍ପ କରିବ, ତେବେ ସେ ଆମ୍ଭକୁ ଚିହ୍ନେ
    ଓ ଜାଣେ ବୋଲି ଦର୍ପ କରୁ।
ଆମ୍ଭେ ସଦାପ୍ରଭୁଙ୍କ ଜଗତରେ ସ୍ନେହ, କରୁଣା ବିଗ୍ଭର
    ଓ ଧର୍ମସାଧନ କରୁ,
କାରଣ ସଦାପ୍ରଭୁ କହନ୍ତି
    ଏସବୁରେ ଆମ୍ଭର ସନ୍ତୋଷ ଥାଏ।”

25 ସଦାପ୍ରଭୁ କହନ୍ତି ଦେଖ, “ଆମ୍ଭେ ଯେଉଁ ସମୟରେ ସୁନ୍ନତ ଲୋକମାନଙ୍କୁ ସେମାନଙ୍କର ଅସୁନ୍ନତ ଅନୁସାରେ ଦଣ୍ଡ ଦେବା, ଏପରି ସମୟ ଆସୁଅଛି। 26 ଆମ୍ଭେ ମିଶର, ଯିହୁଦା, ଇଦୋମ, ଅମ୍ମୋନ ଓ ମୋୟାବର ସନ୍ତାନଗଣଙ୍କୁ ଓ ସମସ୍ତ ପ୍ରାନ୍ତରବାସୀଙ୍କୁ ଦଣ୍ଡ ଦେବା, କାରଣ ସେମାନେ ଶରୀରରେ ଅସୁନ୍ନତ ମାତ୍ର ସମଗ୍ର ଇସ୍ରାଏଲ ଅନ୍ତଃକରଣରେ ଅସୁନ୍ନତ ଅଟନ୍ତି।”

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 4:1-12

ଯିହୂଦୀଙ୍କ ସଭା ସମ୍ମୁଖରେ ପିତର ଏବଂ ଯୋହନ

ପିତର ଓ ଯୋହନ ଲୋକମାନଙ୍କ ସହ କଥାବାର୍ତ୍ତା କରୁଥିବା ସମୟରେ କେତେକ ଲୋକ ସେମାନଙ୍କ ପାଖକୁ ଆସିଲେ। ସେମାନେ ଯାଜକ, ମନ୍ଦିରର ଜଗୁଆଳୀମାନଙ୍କ ସେନାପତି ଓ କେତେକ ସାଦ୍ଦୂକୀ ଥିଲେ। ସେମାନେ ରାଗି ଯାଇଥିଲେ କାରଣ ପିତର ଓ ଯୋହନ ଲୋକମାନଙ୍କୁ ଉପଦେଶ ଦେଉଥିଲେ, ଓ ଯୀଶୁଙ୍କ ପୁନରୁ‌‌ତ୍‌‌ଥାନ ପରି ସବୁ ମୃତ ବ୍ୟକ୍ତିମାନଙ୍କର ଯେ ଉ‌‌ତ୍‌‌ଥାନ ହେବ, ଏହି କଥା ଘୋଷଣା କରୁଥିଲେ। ତେଣୁ ସେମାନେ କାରାଗାରରେ ବନ୍ଦୀ କରିଦେଲେ। ସନ୍ଧ୍ୟା ହୋଇଯାଇ ଥିବାରୁ ସେମାନଙ୍କୁ ପରଦିନ ପର୍ଯ୍ୟନ୍ତ ବନ୍ଦୀ କରି ରଖିଲେ। କିନ୍ତୁ ଉପଦେଶ ଶୁଣିବା ଲୋକମାନଙ୍କ ମଧ୍ୟରୁ ଅନେକ ଲୋକ ସେମାନଙ୍କ ବାର୍ତ୍ତା ବିଶ୍ୱାସ କଲେ। ତେଣୁ ବର୍ତ୍ତମାନ ସେଠାରେ ପ୍ରାୟ ପାଞ୍ଚ ହଜାର ପୁରୁଷ ବିଶ୍ୱାସୀ ଥିଲେ।

ତହିଁ ଆରଦିନ ସେମାନଙ୍କର ନେତାମାନେ, ପ୍ରାଚୀନମାନେ ଓ ଆଇନର ଶିକ୍ଷକମାନେ ଯିରୁଶାଲମରେ ଏକାଠି ହେଲେ। ସେଠାରେ ହାନାନ ମହାଯାଜକ, କୟାଫା, ଯୋହନ, ଆଲେ‌କ୍‌ଜାଣ୍ଡାର ଓ ମହାଯାଜକୀୟ ପରିବାରର ସମସ୍ତେ ମଧ୍ୟ ଉପସ୍ଥିତ ଥିଲେ। ସେମାନେ ପ୍ରେରିତମାନଙ୍କୁ ସାମନାରେ ଠିଆ କରି ପଗ୍ଭରିଲେ, “ତୁମ୍ଭେମାନେ କେଉଁ କ୍ଷମତା କିମ୍ବା କେଉଁ ଅଧିକାରରେ ଏହି କାର୍ଯ୍ୟ କଲ? ତୁମ୍ଭେମାନେ ଏ ଛୋଟ ଲୋକଟିକୁ କିପରି ସୁସ୍ଥ କରି ପାରିଲ?”

ତା’ପରେ ପିତର ପବିତ୍ରଆତ୍ମା ଦ୍ୱାରା ପରିପୂର୍ଣ୍ଣ ହୋଇ ସେମାନଙ୍କୁ କହିଲେ, “ହେ ଲୋକମାନଙ୍କର ନେତାମାନେ ଓ ପ୍ରାଚୀନ ଲୋକମାନେ! ଏହି ଛୋଟା ଲୋକଟି ପ୍ରତି କରାଯାଇଥିବା ଉତ୍ତମ କର୍ମରେ କ’ଣ ଆପଣମାନେ ଆମ୍ଭକୁ ଆଜି ପ୍ରଶ୍ନ ପଗ୍ଭରୁଛନ୍ତି? ଆପଣମାନେ କ’ଣ ପଗ୍ଭରୁଛନ୍ତି ଯେ କେଉଁ ବିଷୟ ଦ୍ୱାରା ସେ ସୁସ୍ଥ ହୋଇପାରିଲା? 10 ତେବେ, ତୁମ୍ଭେମାନେ ସମସ୍ତେ ଓ ସମସ୍ତ ଇସ୍ରାଏଲୀୟ ଲୋକମାନେ ଏହା ଜାଣିରଖିବା ଉଚିତ୍ ଯେ, ଏହା ନାଜରିତୀୟ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଏହି ଲୋକଟି ସୁସ୍ଥ ହୋଇଛି। ତୁମ୍ଭେମାନେ ସେହି ଯୀଶୁଙ୍କୁ କ୍ରୁଶରେ କଣ୍ଟାବିଦ୍ଧ କରିଛ, ମାତ୍ର ପରମେଶ୍ୱର ତାହାଙ୍କୁ ମୃତ୍ୟୁରୁ ଉଠାଇଛନ୍ତି। ତାହାଙ୍କ ଦ୍ୱାରା ଏହି ଛୋଟା ଲୋକଟି ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହୋଇଛି। ସେ ବର୍ତ୍ତମାନ ତୁମ୍ଭମାନଙ୍କ ସମ୍ମୁଖରେ ଠିଆ ହୋଇଛି। 11 ଯୀଶୁ ହେଉଛନ୍ତି

‘ସେହି ପଥର ଯାହାଙ୍କୁ ତୁମ୍ଭେ, ଅତଏବ ନିର୍ମାଣ କର୍ତ୍ତାମାନେ, ହେୟଜ୍ଞାନ କରିଥିଲ।
    କିନ୍ତୁ ସେହି ପଥର ଆଜି ମୂଖ୍ୟ ପଥର ହୋଇ ପାରିଛି।’ (A)

12 ତାହାଙ୍କ ବ୍ୟତୀତ ଅନ୍ୟ କାହା ପାଖରେ ଉଦ୍ଧାର ନାହିଁ, କାରଣ ଏହି ଆକାଶ ତଳେ ଦିଆଯାଇଥିବା ଅନ୍ୟ କୌଣସି ନାମ ନାହିଁ ଯାହାଦ୍ୱାରା କି ଆମ୍ଭେ ଉଦ୍ଧାର ପାଇ ପାରିବା।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center