Revised Common Lectionary (Semicontinuous)
ଆସଫର ଗୀତ।
79 ହେ ପରମେଶ୍ୱର, ଅନ୍ୟ ଦେଶୀୟ ଲୋକମାନେ ତୁମ୍ଭର ଦେଶକୁ ଆକ୍ରମଣ କରିଛନ୍ତି।
ସେମାନେ ତୁମ୍ଭର ପବିତ୍ର ମନ୍ଦିର ଅଶୁଚି କରିଛନ୍ତି।
ସେମାନେ ଯିରୁଶାଲମକୁ ଧ୍ୱସ୍ତ ବିଧ୍ୱସ୍ତ କରିଛନ୍ତି।
2 ସେମାନେ ତୁମ୍ଭ ଦାସଗଣର ଶବ ଖାଦ୍ୟ ନିମନ୍ତେ ଖେଚର ପକ୍ଷୀଗଣଙ୍କୁ ଦେଇଛନ୍ତି।
ତୁମ୍ଭର ସଦ୍ଭକ୍ତମାନଙ୍କ ମାଂସ ବନ୍ୟ ପଶୁଗଣଙ୍କୁ ଦେଇଛନ୍ତି।
3 ଶତ୍ରୁମାନେ ଯିରୁଶାଲମର ଚତୁର୍ଦ୍ଦିଗରେ ତୁମ୍ଭର ଲୋକମାନଙ୍କର ରକ୍ତକୁ ପାଣି ପରି ବୁହାଇଲେ।
ସେମାନଙ୍କୁ କବର ଦେବା ପାଇଁ କାହାରିକୁ ରଖି ନ ଥିଲେ।
4 ଆମ୍ଭ ପଡ଼ୋଶୀ ଦେବଗଣ ଆମ୍ଭମାନଙ୍କୁ ଅପମାନିତ କଲେ।
ଆମ୍ଭର ସବୁ ଚତୁର୍ପାର୍ଶ୍ୱରେ ଥିବା ଲୋକମାନେ ଆମ୍ଭମାନଙ୍କୁ ପରିହାସ କଲେ।
5 ହେ ପରମେଶ୍ୱର, ଏହା ଆଉ କେତେ ଦିନ ପର୍ଯ୍ୟନ୍ତ ଯିବ? ତୁମ୍ଭେ କ’ଣ ଚିରକାଳ ଆମ୍ଭମାନଙ୍କ ଉପରେ କ୍ରୋଧ କରିଥିବ?
ତୁମ୍ଭର ଅନ୍ତର କ’ଣ ଅଗ୍ନିଜ୍ୱାଳା ପରି ସର୍ବଦା ଜଳିବ?
6 ଯେଉଁ ଜାତିମାନେ ତୁମ୍ଭକୁ ସ୍ୱୀକାର କରୁ ନାହାନ୍ତି, ଯେଉଁ ରାଜ୍ୟ ସମୂହ ତୁମ୍ଭର ଉପାସନା କରନ୍ତି ନାହିଁ,
ତୁମ୍ଭର କ୍ରୋଧ ସେମାନଙ୍କ ଉପରେ ଢାଳି ଦିଅ।
7 ସେମାନେ ଯାକୁବଙ୍କ ପରିବାରକୁ ଧ୍ୱଂସ କରିଅଛନ୍ତି।
ଓ ସେମାନେ ତା’ର ଗୃହଭୂମିକୁ ଧ୍ୱଂସ କରିଅଛନ୍ତି।
8 ଦୟାକରି ଆମ୍ଭମାନଙ୍କର ଅତୀତର ପାପ ପାଇଁ ଆମ୍ଭମାନଙ୍କୁ ଦଣ୍ଡ ଦିଅ ନାହିଁ।
ଶୀଘ୍ର ଆମ୍ଭମାନଙ୍କ ପ୍ରତି ଦୟା ଦେଖାଅ!
ଆମ୍ଭେମାନେ ଆଜି କ୍ଷୀଣ ହୋଇଅଛୁ।
9 ହେ ଆମ୍ଭମାନଙ୍କର ପରିତ୍ରାଣର ପରମେଶ୍ୱର,
ତୁମ୍ଭ ନାମର ଗୌରବ ସକାଶେ ଆମ୍ଭମାନଙ୍କର ସାହାଯ୍ୟ କର
ଏବଂ ଆପଣା ନାମରେ ଆମ୍ଭମାନଙ୍କୁ ରକ୍ଷା କର
ଏବଂ ପାପସବୁ କ୍ଷମା କର।
8 ସଦାପ୍ରଭୁ କହନ୍ତି, “ସେ ସମୟରେ ଲୋକମାନେ ଯିହୁଦାର ରାଜାଗଣଙ୍କର, ତା’ର ଅଧିପତିମାନଙ୍କର, ଯାଜକଗଣଙ୍କର, ଭବିଷ୍ୟଦ୍ବକ୍ତାମାନଙ୍କର ଓ ଯିରୁଶାଲମ ନିବାସୀଗଣର ଅସ୍ଥିସବୁ ସେମାନଙ୍କ କବରରୁ ବାହାର କରିବେ। 2 ଆଉ ସୂର୍ଯ୍ୟ, ଚନ୍ଦ୍ର ଓ ଆକାଶ ପୃଥିବୀରୁ ଯେଉଁ ନକ୍ଷତ୍ରଗଣଙ୍କୁ ସେମାନେ ଭଲ ପାଇ ଅଛନ୍ତି, ଯେଉଁମାନଙ୍କର ସେବା କରିଅଛନ୍ତି, ଯେଉଁମାନଙ୍କର ପଶ୍ଚାଦ୍ଗାମୀ ହୋଇ ଅଛନ୍ତି, ଯେଉଁମାନଙ୍କର ଅନ୍ୱେଷଣ କରିଅଛନ୍ତି ଓ ଯେଉଁମାନଙ୍କୁ ପ୍ରଣାମ କରିଅଛନ୍ତି, ସେମାନଙ୍କ ଆଗରେ ତାହା ସବୁ ଛିନ୍ନଭିନ୍ନ କରି ପକାଇବେ। ଆଉ ସେ ଅସ୍ଥିସବୁ ଏକତ୍ରିତ ହୋଇ କବରରେ ପୋତା ହେବ ନାହିଁ। ସେସବୁ ଭୂମିରେ ପଡ଼ି ଖତ ତୁଲ୍ୟ ହେବ।
3 ପୁଣି ସଦାପ୍ରଭୁ କହନ୍ତି, “ଏହି ଦୁଷ୍ଟ ବଂଶକୁ ଆମ୍ଭେ ଯେଉଁ ଯେଉଁ ସ୍ଥାନକୁ ତଡ଼ି ଦେଇଅଛୁ, ସେସବୁ ସ୍ଥାନରେ ସେମାନଙ୍କର ଅବଶିଷ୍ଟ ଲୋକମାନେ ବଞ୍ଚିବା ଅପେକ୍ଷା ବରଂ ମରିବାକୁ ପସନ୍ଦ କରିବେ।”
ପାପ ଓ ଶାସ୍ତି
4 “ହେ ଯିରିମିୟ, ଯିହୁଦାର ଲୋକମାନଙ୍କୁ ସଦାପ୍ରଭୁଙ୍କର ଏହି ବାକ୍ୟ କୁହ,
“‘ମନୁଷ୍ୟ ପଡ଼ିଲେ
କ’ଣ ଆଉ ଉଠେ ନାହିଁ?
ବିପଥରେ ଗଲେ
କ’ଣ ଆଉ ଫେରେ ନାହିଁ?
5 ଯିହୁଦା ଓ ଯିରୁଶାଲମର ଲୋକମାନେ
କାହିଁକି ଚିରକାଳ ବିପଥଗାମୀ ହୋଇଅଛନ୍ତି?
ସେମାନେ ମିଥ୍ୟା ଓ ପ୍ରବଞ୍ଚନାରେ ବିଶ୍ୱାସ ରଖନ୍ତି
ଓ ସେମାନେ ଫେରିବାକୁ ଅସମ୍ମତ।
6 ଆମ୍ଭେ ସେମାନଙ୍କ କଥା ମନୋଯୋଗ ସହକାରେ ଶୁଣିଲେ ମଧ୍ୟ
ସେମାନେ ନ୍ୟାୟକଥା କହିଲେ ନାହିଁ।
ସେମାନେ ସେମାନଙ୍କର ପାପଲାଗି
ଅନୁତପ୍ତ ନୁହନ୍ତି।
ଯେପରି ଊର୍ଦ୍ଧ୍ୱଶ୍ୱାସରେ ଅଶ୍ୱ ପୃଷ୍ଠରେ ଧାବମାନ ହୁଏ
ସେମାନେ ସେହିପରି ଆପଣା ଆପଣା ପଥରେ ଦୌଡ଼ନ୍ତି।
7 ଏପରିକି ଆକାଶର ପକ୍ଷୀଗଣ
ନିଜ ନିଜ ନିରୂପିତ ସମୟ ଜାଣନ୍ତି।
ଆଉ ଘୁଘୁ, ତାଳଚୋଞ୍ଚ ଓ ସାରସ
ନିଜ ନିଜର ଆସିବା ସମୟ ରକ୍ଷା କରନ୍ତି।
ମାତ୍ର ଆମ୍ଭର ଲୋକମାନେ
ସଦାପ୍ରଭୁଙ୍କର ନିୟମ ଜାଣନ୍ତି ନାହିଁ।
8 “‘ତୁମ୍ଭେମାନେ କହୁଛ ଯେ, “ଆମ୍ଭେମାନେ ଜ୍ଞାନୀ ଓ ସଦାପ୍ରଭୁଙ୍କର ବ୍ୟବସ୍ଥା ଆମ୍ଭମାନଙ୍କଠାରେ ଅଛି।”
ମାତ୍ର ଏହା ସତ୍ୟ ନୁହେଁ।
କାରଣ ଅଧ୍ୟାପକଗଣଙ୍କ ମିଥ୍ୟା ଲେଖନୀ ମିଥ୍ୟା ଲେଖିଅଛି।
9 ସେହି “ଜ୍ଞାନୀ ଲୋକମାନେ” ଲଜ୍ଜିତ ହେବେ,
ସେମାନେ ଦ୍ୱନ୍ଦରେ ପଡ଼ିବେ ଓ ଫାନ୍ଦରେ ପଡ଼ିବା ପରି ଅନୁଭବ କରିବେ।
ଦେଖ, ସେମାନେ ସଦାପ୍ରଭୁଙ୍କ ଶିକ୍ଷାକୁ ପ୍ରତ୍ୟାଖାନ କଲେ।
ସେମାନଙ୍କୁ କିପରି “ଜ୍ଞାନୀ” ବୋଲି ବିବେଚନା କରାଯିବ?
10 ତେଣୁ ଆମ୍ଭେ ସେମାନଙ୍କର ସ୍ତ୍ରୀମାନଙ୍କୁ ଅନ୍ୟମାନଙ୍କୁ ଦେବା
ଓ ସେମାନଙ୍କର କ୍ଷେତ୍ରକୁ ଅନ୍ୟମାନଙ୍କ ଅଧିକାରକୁ ଦେବା।
କାରଣ ଇସ୍ରାଏଲ କ୍ଷୁଦ୍ରଠାରୁ ମହାନ ଲୋକ ପର୍ଯ୍ୟନ୍ତ ସମସ୍ତେ ଲୋଭାସକ୍ତ
ଆଉ ଭବିଷ୍ୟଦ୍ବକ୍ତାଠାରୁ ଆରମ୍ଭ କରି ଯାଜକ ପର୍ଯ୍ୟନ୍ତ
ସମସ୍ତେ ମିଥ୍ୟାଚରଣ କରନ୍ତି।
11 ଯଦିଓ ମୋର ଲୋକମାନେ ଗୁରୁତର ଭାବରେ ଆଘାତପ୍ରାପ୍ତ ହୋଇଛନ୍ତି।
ଏଠାରେ “ଶାନ୍ତି” ଅଛି, ବୋଲି କହି ସେମାନେ ସହଜରେ
ସେମାନଙ୍କୁ ଆରୋଗ୍ୟ କରିବା ପାଇଁ ଚେଷ୍ଟା କରନ୍ତି।
ସେତେବେଳେ ସେଠାରେ କୌଣସି ‘ଶାନ୍ତି’ ନ ଥାଏ।
12 ସେମାନେ ଘୃଣ୍ୟକର୍ମ କରିସୁଦ୍ଧା ଲଜ୍ଜିତ ହେଲେ ନାହିଁ,
ସେମାନଙ୍କର ମୁଖମଣ୍ଡଳ ଏହି ମନ୍ଦକର୍ମ ଯୋଗୁଁ ବିବର୍ଣ୍ଣ ହେଲା ନାହିଁ।
ଏଣୁ ସେମାନେ ପତିତ ଲୋକମାନଙ୍କ ମଧ୍ୟରେ
ପତିତ ହେବେ।
ସେମାନଙ୍କ ପ୍ରତିଫଳ ପ୍ରାପ୍ତି ସମୟରେ ସେମାନେ ନିପାତିତ ହେବେ।’”
ସଦାପ୍ରଭୁ ଏହିସବୁ କହନ୍ତି।
13 “‘ପୁଣି ସଦାପ୍ରଭୁ କହନ୍ତି, ଆମ୍ଭେ ସେମାନଙ୍କର ସମସ୍ତ ଶସ୍ୟ ଓ ଫଳ ନେଇଯିବା
ଓ ସେମାନଙ୍କୁ ନିରିହ ରୂପେ ସଂହାର କରିବା।
ଦ୍ରାକ୍ଷାଲତାରେ ଦ୍ରାକ୍ଷାଫଳ ଓ ଡିମ୍ବିରି ବୃକ୍ଷରେ ଡିମ୍ବିରି ଫଳ ରହିବ ନାହିଁ।
ପତ୍ରସବୁ ମ୍ଳାନ ହୋଇଯିବେ।
ଆମ୍ଭେ ସେମାନଙ୍କୁ ଯାହାସବୁ ଦେଇଅଛୁ, ସେସବୁ ସେମାନଙ୍କଠାରୁ ନେଇଯିବୁ।’”
ଖ୍ରୀଷ୍ଟ ଯୀଶୁଙ୍କଠାରେ ପରମେଶ୍ୱରଙ୍କ ପ୍ରେମ
31 ସେଥିପାଇଁ ଆମ୍ଭେ ଏହି ବିଷୟରେ କ’ଣ କହିବା? ଯଦି ପରମେଶ୍ୱର ଆମ୍ଭ ସହିତ ଅଛନ୍ତି, ତାହାହେଲେ କୌଣସି ଲୋକ ଆମ୍ଭକୁ ପରାଜିତ କରି ପାରିବ ନାହିଁ। 32 ପରମେଶ୍ୱର ଆମ୍ଭ ପାଇଁ ସବୁକିଛିକରିବେ। ପରମେଶ୍ୱର ନିଜ ପୁତ୍ରକୁ ସୁଦ୍ଧା ଧରି ରଖିଲେ ନାହିଁ କିନ୍ତୁ ଆମ୍ଭ ସମସ୍ତଙ୍କ ପାଇଁ ଦେଇଦେଲେ। ଏଣୁ ସେ ତାଙ୍କ ସହ ଆମ୍ଭକୁ ସବୁ ବିଷୟ ଦେବେ। 33 ପରମେଶ୍ୱର ଯାହାଙ୍କୁ ବାଛିଛନ୍ତି, ସେ ଲୋକମାନଙ୍କୁ କିଏ ବା ଅଭିଯୁକ୍ତ କରି ପାରିବ? କେହି ନୁହେଁ! ପରମେଶ୍ୱର ହିଁ ସେହି ଲୋକମାନଙ୍କୁ ଧାର୍ମିକ କରନ୍ତି। 34 କିଏ କହି ପାରିବ ଯେ ପରମେଶ୍ୱରଙ୍କ ଲୋକମାନେ ଦୋଷୀ? କେହି ନୁହେଁ। ଆମ୍ଭ ପାଇଁ ଯୀଶୁ ଖ୍ରୀଷ୍ଟ ମୃତ୍ୟୁ ବରଣ କଲେ, କିନ୍ତୁ ତାହା ହିଁ ସବୁକିଛି ନୁହେଁ। ସେ ମୃତ୍ୟୁରୁ ମଧ୍ୟ ଜୀବିତ ହେଲେ। ସେ ଏବେ ପରମେଶ୍ୱରଙ୍କ ଡାହାଣ ପଟରେ ଅଛନ୍ତି ଓ ଆମ୍ଭ ପାଇଁ ପରମେଶ୍ୱରଙ୍କୁ ନିବେଦନ କରୁଛନ୍ତି। 35 ଖ୍ରୀଷ୍ଟଙ୍କର ପ୍ରେମଠାରୁ ଆମ୍ଭକୁ କିଏ କ’ଣ ଅଲଗା କରିପାରେ? ନା! କଷ୍ଟ କ’ଣ ଆମ୍ଭକୁ ଖ୍ରୀଷ୍ଟଙ୍କର ପ୍ରେମରୁ ଅଲଗା କରିପାରେ?ନା! ସମସ୍ୟା ବା ତାଡ଼ନା କ’ଣ ଖ୍ରୀଷ୍ଟଙ୍କର ଶତ୍ରୁମାନଙ୍କ ଆଘାତ ଆମ୍ଭକୁ ଖ୍ରୀଷ୍ଟଙ୍କର ପ୍ରେମରୁ ଅଲଗା କରିପାରେ? ନା! ଯଦି ଆମ୍ଭ ପାଖରେ ଖାଦ୍ୟ ବା ଲୁଗାପଟା ନାହିଁ, ତା’ହେଲେ ତାହା କ’ଣ ଖ୍ରୀଷ୍ଟଙ୍କର ପ୍ରେମରୁ ଆମ୍ଭକୁ ଅଲଗା କରିପାରେ? ନା! ବିପଦ ବା ମୃତ୍ୟୁ ହେଉନା କାହିଁକି ତାହା କ’ଣ ଆମ୍ଭକୁ ଖ୍ରୀଷ୍ଟଙ୍କର ପ୍ରେମରୁ ଅଲଗା କରିପାରେ? ନା! 36 ଶାସ୍ତ୍ରରେ ଏହିପରି ଲେଖା ଅଛି:
“ତୁମ୍ଭ ପାଇଁ (ଖ୍ରୀଷ୍ଟ) ଚିରଦିନ ଆମ୍ଭେ ନିହିତ ହେଉଅଛୁ।
ଲୋକ ଭାବୁଛନ୍ତି, ଆମ୍ଭର ମୂଲ୍ୟ ବଳି ହେବାକୁ ଥିବା ମେଣ୍ଢାମାନଙ୍କଠାରୁ ଅଧିକ କିଛି ନୁହେଁ।” (A)
37 କିନ୍ତୁ ଏସବୁରେ ଆମ୍ଭ ପ୍ରତି ପ୍ରେମ ପ୍ରଦର୍ଶିତ କରିଥିବା ପରମେଶ୍ୱରଙ୍କ ଦ୍ୱାରା ଆମ୍ଭେ ପୂର୍ଣ୍ଣ ବିଜୟୀ। 38-39 ହଁ, ମୁଁ ଜାଣେ ଯେ, କୌଣସି ବିଷୟ ଆମ୍ଭକୁ ପରମେଶ୍ୱରଙ୍କ ପ୍ରେମରୁ ବଞ୍ଚିତ କରି ପାରିବ ନାହିଁ। ମୃତ୍ୟୁ ନୁହେଁ, ଜୀବନ ନୁହେଁ, ସ୍ୱର୍ଗଦୂତମାନେ ନୁହନ୍ତି, ଆତ୍ମିକ ଶକ୍ତି ଗୁଡ଼ିକ ନୁହନ୍ତି, ଏବେ କିଛି ନୁହେଁ, ଭବିଷ୍ୟତରେ କିଛି ନୁହେଁ, କୌଣସି ଶକ୍ତି ନୁହେଁ, ଉଚ୍ଚରେ କିଛି ନୁହେଁ, ଗଭୀରରେ କିଛି ନୁହେଁ, ସମଗ୍ର ସୃଷ୍ଟ ଜଗତରେ କିଛି ନୁହେଁ; ଖ୍ରୀଷ୍ଟ ଯୀଶୁ ଆମ୍ଭ ପ୍ରଭୁଙ୍କଠାରେ ଥିବା ପରମାତ୍ମାଙ୍କ ପ୍ରେମଠାରୁ ଆମ୍ଭକୁ କେହି ଅଲଗା କରି ପାରିବେ ନାହିଁ।
2010 by World Bible Translation Center