Revised Common Lectionary (Semicontinuous)
ପ୍ରଧାନ ବାଦ୍ୟକର ନିମନ୍ତେ “ଶୂଷନ୍-ଏଦୁତ୍” ସ୍ୱରରେ ଶିକ୍ଷାର୍ଥକ ଦାଉଦଙ୍କର ମିକ୍ତାମ୍। ଅରାମନହରିୟମ ଓ ଅରାମ-ସୋବା ସଙ୍ଗରେ ଯୁଦ୍ଧ କରିବା ବେଳେ ଓ ଯୋୟାବ ଫେରି ଲବଣ ଉପତ୍ୟକାରେ ଇଦୋମୀୟ 12,000 ଲୋକଙ୍କୁ ବଧ କରିବା ସମୟରେ ରଚିତ।
60 ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କୁ ପ୍ରତ୍ୟାଖ୍ୟାନ କରି ପରାଜିତ କରିଅଛ।
ତୁମ୍ଭେ ଆମ୍ଭମାନଙ୍କ ସହିତ ରାଗିଛ।
କିନ୍ତୁ ଦୟାକରି ତୁମ୍ଭେ ଆମ୍ଭମାନଙ୍କୁ ପୁନଃସ୍ଥାପନ କର।
2 ତୁମ୍ଭେ ଧରଣୀକୁ କମ୍ପିତ କରିଅଛ ଏବଂ ତାକୁ ଦୁଇ ଭାଗରେ ବିଦୀର୍ଣ୍ଣ କରିଛ।
ଏହାର ଫାଟକକୁ ମରାମତି କର,
କାରଣ ଏହାର ପତନ ହେଉଅଛି।
3 ତୁମ୍ଭେ ଆପଣା ଲୋକମାନଙ୍କୁ ବହୁତ ସମସ୍ୟା ଦେଇଛ।
ଆମ୍ଭେ ମଦ୍ୟପ ପରି ଟଳମଳ ହେଉଛୁ ଓ ପଡ଼ୁଛୁ।
4 ତୁମ୍ଭକୁ ଉପାସନା କରୁଥିବା ଲୋକଙ୍କୁ ତୁମ୍ଭେ ସତର୍କ କରିବା ପାଇଁ ପତାକା ଉଠାଇଲ।
ଯାହା ଫଳରେ ସେମାନେ ନିଜକୁ ତାଙ୍କର ଶତ୍ରୁମାନଙ୍କଠାରୁ ରକ୍ଷା କରି ପାରିବେ।
5 ଯେପରି ତୁମ୍ଭର ମହାଶକ୍ତି ବଳରେ ଆମ୍ଭକୁ ଉଦ୍ଧାର କର! ମୋର ପ୍ରାର୍ଥନାର ଉତ୍ତର ଦିଅ।
ତୁମ୍ଭେ ଶ୍ରଦ୍ଧା କରୁଥିବା ଆପଣାର ଲୋକଙ୍କୁ ରକ୍ଷାକର।
6 ପରମେଶ୍ୱର ତାଙ୍କ ମନ୍ଦିରରେ [a] କହିଲେ,
“ମୁଁ ଯୁଦ୍ଧରେ ଜିତିବି ଏବଂ ଜୟଲାଭ ବିଷୟରେ ବହୁତ ଖୁସୀ ହେବି।
ତା’ପରେ ମୁଁ ଏହି ଭୂମିକୁ ମୋର ଲୋକମାନଙ୍କ ମଧ୍ୟରେ ବାଣ୍ଟିଦେବି।
ମୁଁ ଶିଖିମ ଓ ସୁକ୍କୋତ ଉପତ୍ୟକାକୁ ସେମାନଙ୍କୁ ଦେଇଦେବି।
7 ଗିଲିୟଦ ଓ ମନଃଶି ମୋର ହେବେ।
ଇଫ୍ରୟିମ ମୋର ଶିରସ୍ତ୍ରାଣ ହେବ।
ଯିହୁଦା ମୋର ରାଜଦଣ୍ଡ ହେବ।
8 ମୋୟାବ ମୋର ପାଦ ଧୋଇବା ପାଇଁ ପ୍ରକ୍ଷାଳନ ପାତ୍ର।
ଇଦୋମ ମୋର ପାଦୁକା ବହନ କରିବ।
ମୁଁ ପଲେଷ୍ଟୀୟମାନଙ୍କୁ ପରାସ୍ତ କରିବି।
ତୁମ୍ଭେ ବିଜୟ ସକାଶେ ଜୟଧ୍ୱନି କର।”
9-10 କିଏ ମୋତେ ସେହି ଦୃଢ଼ ନଗର ଭିତରକୁ ଆଣିବ?
କିଏ ମୋତେ ଇଦୋମ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଆଗେଇ ନେବ?
ପରମେଶ୍ୱର, ତୁମ୍ଭେ ନୁହଁ କି?
କିନ୍ତୁ ତୁମ୍ଭେ ଆମ୍ଭକୁ ପ୍ରତ୍ୟାଖ୍ୟାନ କରିଛ।
ପରମେଶ୍ୱର, ତୁମ୍ଭେ ଆଉ ଦିନ ତମାମ ଆମ୍ଭର ଶତ୍ରୁମାନଙ୍କ ସହିତ ଯାଅ ନାହିଁ।
11 ହେ ପରମେଶ୍ୱର, ଶତ୍ରୁମାନଙ୍କୁ ପରାସ୍ତ କରିବାରେ ଆମ୍ଭକୁ ସହାୟ ହୁଅ।
ଲୋକମାନେ ଆମ୍ଭମାନଙ୍କୁ ସାହାଯ୍ୟ କରି ପାରିବେ ନାହିଁ।
12 ପରମେଶ୍ୱର ହିଁ ଆମ୍ଭକୁ ଶକ୍ତିଶାଳୀ କରି ପାରିବେ।
କେବଳ ସେ ଆମ୍ଭର ଶତ୍ରୁମାନଙ୍କୁ ପଦଦଳନ କରି ପାରିବେ।
ସଦାପ୍ରଭୁଙ୍କ ନିକଟକୁ ପ୍ରତ୍ୟାବର୍ତ୍ତନ
14 ଇସ୍ରାଏଲ, ତୁମ୍ଭର ପତନ ହେଲା ଏବଂ ତୁମ୍ଭେ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କଲ। ତେଣୁ ତୁମ୍ଭର ପ୍ରିୟ ସଦାପ୍ରଭୁ ପରମେଶ୍ୱରଙ୍କ ନିକଟକୁ ଫେରି ଆସ। 2 କ’ଣ କହିବ ସେ ବିଷୟରେ ଚିନ୍ତା କର ଏବଂ ସଦାପ୍ରଭୁଙ୍କ ପାଖକୁ ଫେରି ଆସ। ତାଙ୍କୁ କୁହ,
“ଆମ୍ଭର ପାପକୁ ନେଇଯାଅ।
ଆମ୍ଭେ କରିଥିବା ଉତ୍ତମ କର୍ମକୁ ଗ୍ରହଣ କର।
ଆମ୍ଭେ ଆମ୍ଭର ଓଷ୍ଠାଧରରେ ତୁମ୍ଭର ପ୍ରଶଂସା କରୁଛୁ।
3 ଅଶୂର ଆମ୍ଭକୁ ରକ୍ଷା କରିବ ନାହିଁ।
ଆମ୍ଭେମାନେ ଯୁଦ୍ଧ ଅଶ୍ୱରେ ଆରୋହଣ କରିବୁ ନାହିଁ।
ଆମ୍ଭର ହସ୍ତ ନିର୍ମିତ ମୂର୍ତ୍ତିଗୁଡ଼ିକୁ ‘ଆମ୍ଭର ପରମେଶ୍ୱର’ ବୋଲି
ଆମ୍ଭେ ପୁଣି କହିବୁ ନାହିଁ।
କାରଣ ତୁମ୍ଭେ ହେଉଛ ସେହି ପରମେଶ୍ୱର ଯିଏ କି ଅନାଥକୁ ଦୟା ଦେଖାଅ
ଏବଂ ଆମ୍ଭମାନଙ୍କୁ ଦୟା କରିବ।”
ସଦାପ୍ରଭୁ ଇସ୍ରାଏଲକୁ କ୍ଷମା ଦେବେ
4 ସଦାପ୍ରଭୁ କହନ୍ତି,
“ଆମ୍ଭେ ସେମାନଙ୍କୁ ପୁରାତନ ମାର୍ଗରୁ ସୁସ୍ଥ କରିବା।
ଆମ୍ଭେ ସେମାନଙ୍କୁ ସ୍ୱାଧୀନ ଭାବରେ ଭଲ ପାଇବା,
କାରଣ ଆମ୍ଭେ ଆମ୍ଭର କ୍ରୋଧଭାବ ତ୍ୟାଗ କରିଛୁ।
5 ଇସ୍ରାଏଲ ପାଇଁ ଆମ୍ଭେ କୁହୁଡ଼ି ପରି ହେବା।
ଇସ୍ରାଏଲ କଇଁଫୁଲ ପରି ଫୁଟିବ।
ସେ ଲିବାନୋନ୍ର ଦେବଦାରୁ ଗଛପରି ବଢ଼ିବ।
6 ଇସ୍ରାଏଲ ଶାଖାଗୁଡ଼ିକ ବଢ଼ିବେ
ଓ ସେ ଗୋଟିଏ ସୁନ୍ଦର ଅଲିଭ୍ ଗଛ ଭଳି ହେବ।
ଲିବାନୋନ୍ର ଦେବଦାରୁ ଗଛଗୁଡ଼ିକ
ସୁବାସ ବିତରଣ କଲାପରି ସେ ହେବ।
7 ଇସ୍ରାଏଲ ଲୋକମାନେ ପୁନର୍ବାର ମୋର ସୁରକ୍ଷାରେ ବଞ୍ଚିବେ।
ସେମାନେ ଶସ୍ୟ ସଦୃଶ ବଢ଼ିବେ,
ସେମାନେ ଦ୍ରାକ୍ଷାଲତା ପରି ଫଳ ଧାରଣ କରିବେ।
ସେମାନେ ଲିବାନୋନ୍ର ଦ୍ରାକ୍ଷାରସ ପରି ସମୃଦ୍ଧ ହେବେ।
ପ୍ରତିମା ବିଷୟରେ ଇସ୍ରାଏଲକୁ ସଦାପ୍ରଭୁଙ୍କର ସତର୍କବାଣୀ
8 “ଇଫ୍ରୟିମ କହିବ, ପ୍ରତିମାଗୁଡ଼ିକରେ ମୋର କିଛି କରିବାର ନାହିଁ।
ଆମ୍ଭେ ଉତ୍ତର ଦେବା, ଆମ୍ଭେ ସେହି ପ୍ରଭୁ ତୁମ୍ଭର ପ୍ରାର୍ଥନା ଶୁଣୁ ଓ ତୁମ୍ଭମାନଙ୍କ ଉପରେ ଦୃଷ୍ଟି ରଖୁ।
ଆମ୍ଭେ ଗୋଟିଏ ଦେବଦାରୁ ଗଛପରି ଚିର ସବୁଜ।
ତୁମ୍ଭର ଫଳ ଆମ୍ଭଠାରୁ ଆସେ।”
ଶେଷ ଉପଦେଶ
9 ଜଣେ ଜ୍ଞାନୀ ବ୍ୟକ୍ତି ଏହି ଜିନିଷଗୁଡ଼ିକୁ ବୁଝେ।
ଜଣେ କର୍ମଠ ବ୍ୟକ୍ତି ଏହିସବୁ ଜିନିଷଗୁଡ଼ିକୁ ଶିକ୍ଷା କରିବା ଉଚିତ୍।
ସଦାପ୍ରଭୁଙ୍କ ମାର୍ଗ ସର୍ବଦା ଠିକ୍।
ଉତ୍ତମଲୋକ ସେହି ମାର୍ଗ ଦ୍ୱାରା ବଞ୍ଚିବେ
ଓ ପାପୀମାନେ ତା’ ଦ୍ୱାରା ମୃତ୍ୟୁବରଣ କରିବେ।
ପରମେଶ୍ୱରଙ୍କ ରାଜ୍ୟକୁ ପ୍ରଥମସ୍ଥାନ ଦେବା(A)
22 ଯୀଶୁ ପୁଣି ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, “ଏଣୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ କ’ଣ ଖାଇ ଜୀବନ ଧାରଣ କରିବ, ସେଥିପାଇଁ ଚିନ୍ତା କର ନାହିଁ। ଶରୀର ଆବୃତ କରିବା ପାଇଁ ଯେଉଁ ଲୁଗା ପଟା ଦରକାର, ସେଥିପାଇଁ ଚିନ୍ତା କର ନାହିଁ। 23 କାରଣ ଜୀବନ ଖାଇବାଠାରୁ ଓ ଶରୀର ପିନ୍ଧିବାଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ। 24 ପକ୍ଷୀଗୁଡ଼ିକୁ ଦେଖ। ସେମାନେ ବିହନ ବୁଣନ୍ତି ନାହିଁ, କି ଫସଲ ଅମଳ କରନ୍ତି ନାହିଁ। ସଞ୍ଚୟ କରିବା ପାଇଁ ପକ୍ଷୀମାନଙ୍କ ପାଖରେ ଭଣ୍ଡାର ନାହିଁ, କି ଅମାର ନାହିଁ। ତଥାପି ପରମେଶ୍ୱର ସେମାନଙ୍କୁ ଖାଇବାକୁ ଦେଇଥା’ନ୍ତି। ତୁମ୍ଭେମାନେ ତ ପକ୍ଷୀମାନଙ୍କ ଅପେକ୍ଷା କେତେ ଅଧିକ ମୂଲ୍ୟବାନ୍। 25 ତୁମ୍ଭମାନଙ୍କ ଭିତରେ କ’ଣ ଏପରି କିଏ ଅଛି, ଯେ କି ଏଗୁଡ଼ିକ ପାଇଁ ବ୍ୟସ୍ତ ହେବା ଦ୍ୱାରା ନିଜ ପରମାୟୁରେ ଆଉ ଘଡ଼ିଏ ସମୟ ଯୋଡ଼ି ପାରିବ? 26 ତେବେ ତୁମ୍ଭେମାନେ ଯଦି ଏଡ଼ିକି ଛୋଟିଆ କାମଟିଏ କରି ପାରିବ ନାହିଁ, ତେବେ ଅନ୍ୟସବୁ ବଡ଼ ବଡ଼ କାମ ପାଇଁ କାହିଁକି ବ୍ୟସ୍ତ ହୋଇ ପଡ଼ୁଛ?
27 “ବନ୍ୟ ଫୁଲଗୁଡ଼ିକୁ ଦେଖ, ସେମାନେ କିପରି ଫୁଟନ୍ତି? ସେମାନେ ପରିଶ୍ରମ କରନ୍ତି ନାହିଁ, କି ଲୁଗା ବୁଣନ୍ତି ନାହିଁ। କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ ସବୁଠାରୁ ମହାନ୍ ଓ ଧନବାନ ରାଜା ଶଲୋମନ ମଧ୍ୟ ସେହି ଫୁଲମାନଙ୍କ ମଧ୍ୟରୁ କୌଣସି ଗୋଟିଏ ପରି ସୁଦ୍ଧା ସୁସଜ୍ଜିତ ହୋଇପାରି ନ ଥିଲେ। 28 ପରମେଶ୍ୱର ପଡ଼ିଆର ଘାସକୁ ମଧ୍ୟ ସେହିପରି ବସ୍ତ୍ର ଦେଇଛନ୍ତି। ସେହି ଘାସ ଆଜି ବଞ୍ଚିଛି। ଆସନ୍ତା କାଲି ତାକୁ ନିଆଁରେ ଜଳିବା ପାଇଁ ଫିଙ୍ଗି ଦିଆଯିବ। ତୁମ୍ଭମାନଙ୍କ ଜାଣି ରଖିବା ଉଚିତ୍ ଯେ, ପରମେଶ୍ୱର ତୁମ୍ଭମାନଙ୍କୁ ତା’ଠାରୁ ବହୁତ ଅଧିକ ବସ୍ତ୍ର ଦେବେ। ପରମେଶ୍ୱରଙ୍କଠାରେ ତୁମ୍ଭମାନଙ୍କର କ’ଣ ଏତିକି ବିଶ୍ୱାସ ନାହିଁ?
29 “ତେଣୁ ତୁମ୍ଭେମାନେ କ’ଣ ଖାଇବ, କ’ଣ ପିଇବ ସେ ବିଷୟରେ ଆଦୌ ଚିନ୍ତା କର ନାହିଁ। ଆଦୌ ବ୍ୟସ୍ତ ହୁଅ ନାହିଁ। 30 ଏ ପୃଥିବୀରେ ସମସ୍ତେ ସେଗୁଡ଼ିକ ପାଇବା ପାଇଁ ଚେଷ୍ଟା କରୁଛନ୍ତି। ତୁମ୍ଭମାନଙ୍କର ପରମପିତା ଜାଣିଛନ୍ତି ଯେ, ତୁମ୍ଭମାନଙ୍କର ସେଗୁଡ଼ିକ ଦରକାର। 31 ବରଂ ତୁମ୍ଭମାନଙ୍କର ଯେଉଁ ବିଷୟଟି ଗ୍ଭହିଁବା ଉଚିତ୍, ତାହା ହେଉଛି ସ୍ୱର୍ଗରାଜ୍ୟ। ତାହାହେଲେ ତୁମ୍ଭେମାନେ ଦରକାର କରୁଥିବା ଏହି ସମସ୍ତ ବିଷୟ ତୁମ୍ଭମାନଙ୍କୁ ଦିଆଯିବ।
2010 by World Bible Translation Center