Revised Common Lectionary (Semicontinuous)
ଦାଉଦଙ୍କର ଗୀତ।
29 ହେ ପରମେଶ୍ୱରଙ୍କର ସନ୍ତାନଗଣ, ତାଙ୍କର ପ୍ରଶଂସା କର।
ତାଙ୍କର ମହିମା ଓ ଶକ୍ତିର ପ୍ରଶଂସା କର।
2 ସଦାପ୍ରଭୁଙ୍କର ପ୍ରଶଂସା ଓ ତାଙ୍କର ନାମକୁ ଗୌରବ କର।
ତାଙ୍କୁ ବିଶେଷ ପୋଷାକରେ ପ୍ରଣାମ କର।
3 ସଦାପ୍ରଭୁ ତାଙ୍କର ସ୍ୱର ସାଗରରେ ଉଠାଇଛନ୍ତି।
ଗୌରବମୟ ପରମେଶ୍ୱରଙ୍କର ସ୍ୱର ସାଗରରେ ମେଘ ଗର୍ଜନ ସୃଷ୍ଟି କରନ୍ତି।
4 ସଦାପ୍ରଭୁଙ୍କର ସ୍ୱରରୁ ତାଙ୍କର ଶକ୍ତିର ପରିଚୟ ମିଳେ।
ତାଙ୍କର ସ୍ୱର ତାଙ୍କର ଗୌରବର ପ୍ରମାଣ।
5 ତାଙ୍କର ସ୍ୱର ବୃହତ୍ କାୟ ଏରସ ବୃକ୍ଷ ସବୁକୁ ଖଣ୍ଡଖଣ୍ଡ କରି ଭାଙ୍ଗି ପକାଏ।
ସଦାପ୍ରଭୁ ଲିବାନୋନ୍ର ବୃହତ୍ ଏରସ ବୃକ୍ଷକୁ ଭାଙ୍ଗି ପକାନ୍ତି।
6 ସେ ଲିବାନୋନ୍କୁ ଦୋହଲାଇ ଦିଅନ୍ତି, ସତେ ଯେମିତି କଅଁଳା ବାଛୁରି ନୃତ୍ୟ କଲାପରି।
ସିରିୟୋନ ପର୍ବତ ଦୋହଲି ଯାଏ ଓ ଛେଳି ଛୁଆଟିଏ କୁଦିଲା ଭଳି ଏହା ଦେଖାଯାଏ।
7 ସଦାପ୍ରଭୁଙ୍କର କଣ୍ଠସ୍ୱର ବିଜୁଳି ଗତିରେ ବାୟୁମଣ୍ଡଳକୁ ବିଭକ୍ତ କରେ।
8 ସଦାପ୍ରଭୁଙ୍କର ରବଦ୍ୱାରା ମରୁଭୂମି ଥରି ଉଠେ।
ସଦାପ୍ରଭୁଙ୍କ ରବଦ୍ୱାରା କାଦେଶ ମରୁଭୂମି କମ୍ପିଉଠେ।
9 ସଦାପ୍ରଭୁଙ୍କର ସ୍ୱରରେ ହରିଣ ଭୟଭୀତ ହୋଇ ଉଠେ।
ସଦାପ୍ରଭୁ ଜଙ୍ଗଲରୁ ପତ୍ରସବୁ ଝଡ଼େଇ ଦିଅନ୍ତି,
କିନ୍ତୁ ତାଙ୍କର ମନ୍ଦିରରେ ଲୋକମାନେ “ତାଙ୍କର ମହିମା ପ୍ରଶଂସା” କରନ୍ତି।
10 ସଦାପ୍ରଭୁ ହେଉଛନ୍ତି ବନ୍ୟା ସମୟରେ ରାଜା ତୁଲ୍ୟ
ଓ ସଦାପ୍ରଭୁ ଅନନ୍ତକାଳ ରାଜା ହୋଇ ରହିବେ।
11 ସଦାପ୍ରଭୁ ତାଙ୍କର ସମସ୍ତ ଲୋକମାନଙ୍କୁ ରକ୍ଷା କରନ୍ତୁ।
ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଶାନ୍ତିରେ ବାସ କରିବାକୁ ଦିଅନ୍ତୁ।
ପବିତ୍ର ସିନ୍ଦୁକକୁ ମନ୍ଦିର ଭିତରକୁ ନିଆଗଲା
2 ଇସ୍ରାଏଲର ସମସ୍ତ ପ୍ରାଚୀନ ଏବଂ ପ୍ରତ୍ୟେକ ପରିବାରବର୍ଗର ମୁଖିଆମାନଙ୍କୁ ଯିରୁଶାଲମରେ ସମ୍ମିଳିତ ହେବା ନିମନ୍ତେ ଶଲୋମନ ଆଜ୍ଞା ଦେଲେ। ଏହି ଲୋକମାନେ ଇସ୍ରାଏଲର ପରିବାରଗୁଡ଼ିକର ମୁଖିଆ ଥିଲେ। ସଦାପ୍ରଭୁଙ୍କର ନିୟମ-ସିନ୍ଦୁକ ସିୟୋନ ବାହାରକୁ ଦାଉଦଙ୍କର ନଗରକୁ ଆଣିବା ନିମନ୍ତେ ଶଲୋମନ ଏପରି କଲେ। 3 ସପ୍ତମ ମାସରେ ଭୋଜି [a] ସମୟରେ ରାଜା ଶଲୋମନଙ୍କ ସମ୍ମୁଖରେ ଇସ୍ରାଏଲର ସମସ୍ତ ଲୋକ ଏକତ୍ରିତ ହେଲେ।
4 ଯେତେବେଳେ ଇସ୍ରାଏଲର ସବୁ ମୁଖିଆମାନେ ଆସିଗଲେ, ଲେବୀୟମାନେ ନିୟମ-ସିନ୍ଦୁକକୁ ଆଣିଲେ। 5 ଏହା ପରେ ଯାଜକ ଓ ଲେବୀୟମାନେ ନିୟମ-ସିନ୍ଦୁକକୁ ଯିରୁଶାଲମକୁ ବୋହି ନେଇଗଲେ। ଯାଜକ ଓ ଲେବୀୟମାନେ ମଧ୍ୟ ସମାଗମ-ତମ୍ବୁ ଓ ତନ୍ମଧ୍ୟସ୍ଥ ପ୍ରତ୍ୟେକ ପବିତ୍ର ବସ୍ତୁକୁ ଯିରୁଶାଲମକୁ ବୋହି ଆଣିଲେ। 6 ରାଜା ଶଲୋମନ ଓ ଇସ୍ରାଏଲର ସମସ୍ତ ଲୋକ ନିୟମ-ସିନ୍ଦୁକ ସମ୍ମୁଖରେ ଏକାଠି ହେଲେ। ରାଜା ଶଲୋମନ ଓ ଇସ୍ରାଏଲର ସମସ୍ତ ଲୋକ ମେଷ ଓ ଷଣ୍ଢଗୁଡ଼ିକୁ ହୋମବଳି ରୂପେ ବଳିଦାନ ଦେଲେ। ସେହି ବଳିକୃତ ମେଷ ଓ ଷଣ୍ଢ ସଂଖ୍ୟା ଏତେ ଥିଲା ଯେ, ତାକୁ କେହି ଗଣିପାରିଲେ ନାହିଁ। 7 ଏହା ପରେ ଯାଜକମାନେ ସଦାପ୍ରଭୁଙ୍କର ନିୟମ-ସିନ୍ଦୁକକୁ ତହିଁ ନିମନ୍ତେ ପ୍ରସ୍ତୁତ ହୋଇଥିବା ସ୍ଥାନକୁ ଆଣିଲେ। ସେହି ସ୍ଥାନ ମନ୍ଦିରର ଭିତର ପାର୍ଶ୍ୱ କୋଠରୀରେ ଥିଲା ଓ ସବୁଠାରୁ ପବିତ୍ର ସ୍ଥାନ ଥିଲା ଏବଂ ଏହି କିରୁବଦୂତ ପକ୍ଷ ତଳେ ଥିଲା। 8 ନିୟମ-ସିନ୍ଦୁକ ଥିବା ସ୍ଥାନ ଉପରେ କିରୁବଦୂତଗଣ ସେମାନଙ୍କର ପକ୍ଷ ବିସ୍ତାର କରି ରହିଥିଲେ। କିରୁବଦୂତଗଣ ନିୟମ-ସିନ୍ଦୁକ ଓ ସିନ୍ଦୁକକୁ ବହି ନେଇଯିବା ଖମ୍ବଗୁଡ଼ିକ ଉପରେ ଦଣ୍ଡାୟମାନ ଥିଲେ। 9 ସେହି ଖମ୍ବଗୁଡ଼ିକ ଏତେ ଲମ୍ବା ଥିଲା ଯେ ପବିତ୍ର ତମ୍ବୁ ସ୍ଥାନର ସମ୍ମୁଖରୁ ତାହାର ଦୁଇପାର୍ଶ୍ୱ ଦେଖାଯାଉଥିଲା। କିନ୍ତୁ ମନ୍ଦିର ସମ୍ମୁଖରୁ କୌଣସି ବ୍ୟକ୍ତି ସେହି ଖମ୍ବଗୁଡ଼ିକୁ ଦେଖି ପାରୁ ନ ଥିଲେ। ଆଜି ମଧ୍ୟ ସେହି ଖମ୍ବଗୁଡ଼ିକ ସେହି ସ୍ଥାନରେ ରହିଅଛି। 10 ଦୁଇ ଗୋଟି ପ୍ରସ୍ତର ଫଳକ ବିନା ନିୟମ-ସିନ୍ଦୁକ ମଧ୍ୟରେ ଆଉ କିଛି ନ ଥିଲା। ମୋଶା ‘ହୋରେବ’ ପର୍ବତରେ ଏହି ଦୁଇଟି ଫଳକକୁ ନିୟମ-ସିନ୍ଦୁକ ମଧ୍ୟରେ ରଖିଥିଲେ। ‘ହୋରେବ’ ସେହି ସ୍ଥାନ, ଯେଉଁଠାରେ ସଦାପ୍ରଭୁ ଇସ୍ରାଏଲର ଲୋକମାନଙ୍କ ସହିତ ଏକ ଚୁକ୍ତି କରିଥିଲେ। ଇସ୍ରାଏଲର ଲୋକମାନେ ମିଶରରୁ ବାହାରି ଆସିବା ପରେ ଏହା ଘଟିଥିଲା।
11 ସମସ୍ତ ଯାଜକଗଣ ସେମାନଙ୍କର ବିଶେଷ ଦଳଗୁଡ଼ିକୁ ଖାତିରି ନ କରି ନିଜକୁ ଶୁଚି କଲେ। ଯେତେବେଳେ ସେମାନେ ପବିତ୍ର ସ୍ଥାନରୁ ବାହାରି ଆସିଲେ। 12 ଲେବୀୟ ଗାୟକମାନେ ଯଜ୍ଞବେଦିର ପୂର୍ବପଟେ ଠିଆ ହେଲେ। ଆସଫ୍, ହେମନ୍ ଓ ଯିଦୂଥୂନଙ୍କ ଗାୟକଦଳର ପ୍ରତ୍ୟେକ ସେଠାରେ ଥିଲେ। ଆଉ ସେମାନଙ୍କର ପୁତ୍ରଗଣ ଓ ଭ୍ରାତାଗଣ ମଧ୍ୟ ସେଠାରେ ଥିଲେ। ସେହି ଲେବୀୟ ଗାୟକମାନେ ଶୁଭ୍ର କାର୍ପାସ ବସ୍ତ୍ର ପିନ୍ଧିଥିଲେ। ସେମାନଙ୍କ ନିକଟରେ ଗିନି, ସାରଙ୍ଗ ଓ ବୀଣାଯନ୍ତ୍ର ଥିଲା। ସେହି ଲେବୀୟ ଗାୟକମାନଙ୍କ ନିକଟରେ 120 ଜଣ ଯାଜକ ଥିଲେ। ସେହି 120 ଜଣ ଯାଜକ ତୂରୀ ବଜାଇଲେ। 13 ତୂରୀ ବାଦକ ଓ ଗାୟକ ଲୋକମାନେ ଜଣେ ବ୍ୟକ୍ତି ତୁଲ୍ୟ ଥିଲେ। ଯେତେବେଳେ ସଦାପ୍ରଭୁଙ୍କର ପ୍ରଶଂସା ଓ ଧନ୍ୟବାଦ ଗାନ କରାଗଲା ସେମାନେ ଏକ ଶବ୍ଦ କଲେ। ସେମାନେ ତୂରୀ, ଗିନି ଓ ବାଦ୍ୟଯନ୍ତ୍ର ସହିତ ଉଚ୍ଚସ୍ୱର କଲେ। ସେମାନେ ଏହି ଗୀତ ଗାଇ ସଦାପ୍ରଭୁଙ୍କର ପ୍ରଶଂସା କଲେ,
“କାରଣ ସେ ମଙ୍ଗଳମୟ।
ତାଙ୍କର ସତ୍ୟ ପ୍ରେମ ଅନନ୍ତକାଳସ୍ଥାୟୀ ଅଟେ।”
ଏହା ପରେ, ସଦାପ୍ରଭୁଙ୍କ ମନ୍ଦିର ମେଘ ଦ୍ୱାରା ପୂର୍ଣ୍ଣ ହେଲା। 14 ସେହି ମେଘ ହେତୁ ଯାଜକମାନେ ସେମାନଙ୍କର ସେବା ଜାରି ରଖିପାରିଲେ ନାହିଁ। କାରଣ, ସଦାପ୍ରଭୁଙ୍କ ମହିମା ପରମେଶ୍ୱରଙ୍କ ମନ୍ଦିରକୁ ପୂର୍ଣ୍ଣ କରିଥିଲା।
ପାଉଲଙ୍କ ନିଜ କାର୍ଯ୍ୟ ବିଷୟରେ କହିବା
19 ପାଉଲ କହିଲେ, “ହେ ମହାରାଜା ଆଗ୍ରିପ୍ପା, ମୁଁ ସେହି ସ୍ୱର୍ଗୀୟ ଦର୍ଶନର ବାଧ୍ୟ ହେଲି। 20 ମୁଁ ପ୍ରଥମେ ଦମ୍ମେସକ ନଗରରେ, ପରେ ଯିରୁଶାଲମରେ ସମଗ୍ର ଯିହୂଦା ଓ ଅଣଯିହୂଦୀ ଦେଶମାନଙ୍କରେ ମଧ୍ୟ ପ୍ରଗ୍ଭର କଲି। ମୁଁ ସେମାନଙ୍କୁ ଅନୁତାପ କରି ପରମେଶ୍ୱରଙ୍କ ପାଖକୁ ଫେରିବା ପାଇଁ କହିଲି। ସେମାନଙ୍କ ହୃଦୟ ପରିବର୍ତ୍ତନ ପାଇଁ ଉଚିତ୍ କାର୍ଯ୍ୟ କରିବା ପାଇଁ ମଧ୍ୟ କହିଲି।
21 “ଏଥିପାଇଁ ମନ୍ଦିରରେ ଥିବା ସମୟରେ ଯିହୂଦୀମାନେ ମୋତେ ବନ୍ଦୀ କଲେ, ଓ ମାରିବାକୁ ଚେଷ୍ଟା କଲେ। 22 କିନ୍ତୁ ମୋତେ ପରମେଶ୍ୱର ସାହାଯ୍ୟ କଲେ। ସେ ଆଜି ପର୍ଯ୍ୟନ୍ତ ମୋତେ ସାହାଯ୍ୟ କରିଆସୁଛନ୍ତି। ପରମେଶ୍ୱରଙ୍କ ସାହାଯ୍ୟ ପାଇ ମୁଁ ଏଠାରେ ଠିଆ ହୋଇଛି। ଉଭୟ ପ୍ରଭାବଶାଳୀ ଓ ସାଧାରଣ ଲୋକମାନଙ୍କୁ, ମୁଁ ଦେଖିଥିବା କଥା କହୁଛି। ମୁଁ କିଛି ନୂଆ କଥା କହୁ ନାହିଁ। ମୋଶା ଓ ଭାବବାଦୀମାନେ ଯାହାସବୁ ଘଟିବ ବୋଲି କହିଛନ୍ତି, ମୁଁ ସେହି କଥା କହୁଛି। 23 ସେମାନେ କହିଛନ୍ତି, ଖ୍ରୀଷ୍ଟ ମୃତ୍ୟୁବରଣ କରିବେ ଓ ମୃତ୍ୟୁରୁ ପୁନରୁତ୍ଥିତ ହେଉଥିବା ପ୍ରଥମ ବ୍ୟକ୍ତି ହେବେ। ମୋଶା ଓ ଭାବବାଦୀମାନେ କହିଛନ୍ତି, କେବଳ ଖ୍ରୀଷ୍ଟ ଯିହୂଦୀ ଓ ଅଣଯିହୂଦୀମାନଙ୍କୁ ଆଲୋକ ଦେଖାଇବେ।”
ପାଉଲଙ୍କର ଆଗ୍ରିପ୍ପାଙ୍କ ଧାରଣା ବଦଳେଇବାର ଚେଷ୍ଟା
24 ପାଉଲ ଆତ୍ମରକ୍ଷା ପାଇଁ ଏହିସବୁ କଥା କହିଲା ବେଳେ, ଫେଷ୍ଟ ଖୁବ୍ ଜୋର୍ରେ କହିଲେ, “ପାଉଲ, ତୁମ୍ଭେ ପାଗଳ। ବହୁତ ପଢ଼ିବା କାରଣରୁ ତୁମ୍ଭେ ପାଗଳ ହୋଇ ଯାଇଛ।”
25 ପାଉଲ ଏହା ଶୁଣି ଉତ୍ତର ଦେଲେ, “ହେ ମହାମାନ୍ୟ ଫେଷ୍ଟ, ମୁଁ ପାଗଳ ନୁହେଁ। ମୋର ସବୁ କଥା ସତ୍ୟ ଓ ଯୁକ୍ତିଯୁକ୍ତ। 26 ରାଜା ଆଗ୍ରିପ୍ପା ଏସବୁ କଥା ଜାଣନ୍ତି। ତାହାଙ୍କୁ ଏହା ସ୍ପଷ୍ଟ ଭାବରେ କହି ପାରିବି, କାରଣ ମୁଁ ଜାଣେ ଯେ, ତାହାଙ୍କ ଦୃଷ୍ଟିରୁ ଏ ସମସ୍ତ ବିଷୟ ବାଦ୍ ଯାଇ ନାହିଁ, ଯେହେତୁ ଏହିସବୁ କୌଣସି ଗୁପ୍ତ ସ୍ଥାନରେ କରାଯାଇ ନାହିଁ। 27 ହେ ରାଜା ଆଗ୍ରିପ୍ପା, ଆପଣ କ’ଣ ଭାବବାଦୀମାନଙ୍କ ଲେଖାରେ ବିଶ୍ୱାସ କରନ୍ତି କି? ମୁଁ ଜାଣେ, ଆପଣ ବିଶ୍ୱାସ କରନ୍ତି।”
28 ଆଗ୍ରିପ୍ପା ପାଉଲଙ୍କୁ କହିଲେ, “ତୁମ୍ଭେ କ’ଣ ଏତେ ସହଜରେ ମୋତେ ଖ୍ରୀଷ୍ଟିୟାନ କରିଦେବ ବୋଲି ଭାବୁଛ?”
29 ପାଉଲ ଉତ୍ତର ଦେଲେ, “ପରମେଶ୍ୱର କରନ୍ତୁ, ଶୀଘ୍ର ବା ବିଳମ୍ବରେ ହେଉ, ଆପଣ ଓ ଅନ୍ୟ ସମସ୍ତେ, ମୋ’ କଥା ଶୁଣି, ପରିତ୍ରାଣ ପାଆନ୍ତୁ ଓ କୌଣସି ବନ୍ଧନ ବିନା ମୋ’ ପରି ହୁଅନ୍ତୁ।”
2010 by World Bible Translation Center