Revised Common Lectionary (Semicontinuous)
24 ସଦାପ୍ରଭୁ, ତୁମ୍ଭେ କେତେ ଜିନିଷ ତିଆରି କରିଅଛ।
ପୃଥିବୀ ତୁମ୍ଭ ସୃଷ୍ଟି ବସ୍ତୁରେ ପରିପୂର୍ଣ୍ଣ ଅଛି।
ଜ୍ଞାନ ବଳରେ ତୁମ୍ଭେ ସେସବୁ ଜିନିଷ ତିଆରି କରିଅଛ।
25 ମହାସାଗରକୁ ଦେଖ, ଏହା କେତେ ମହାନ!
ବହୁତ ଛୋଟ ଏବଂ ବଡ଼ ଜୀବ ସେଥିରେ ବାସ କରୁଛନ୍ତି।
ସେଗୁଡ଼ିକୁ ଗଣନା କରି ହେବ ନାହିଁ।
26 ତହିଁରେ ଜାହାଜ ଯାତାୟାତ କରେ।
ତହିଁରେ ଖେଳିବା ପାଇଁ
ତୁମ୍ଭର ସୃଷ୍ଟି ଲିବିୟାଥନ୍ ଥାଏ।
27 ଏ ସମସ୍ତ ପ୍ରାଣୀ ତୁମ୍ଭ ଉପରେ ନିର୍ଭର କରନ୍ତି,
ଯେପରିକି ଠିକ୍ ସମୟରେ ତୁମ୍ଭେ ସେମାନଙ୍କୁ ଖାଦ୍ୟ ପ୍ରଦାନ କରିବ,
28 ତୁମ୍ଭେ ସେମାନଙ୍କୁ ଖାଦ୍ୟ ଦିଅ, ଯାହା ସେମାନେ ସଂଗ୍ରହ କରନ୍ତି।
ତୁମ୍ଭେ ତୁମ୍ଭର ହସ୍ତ ଖୋଲି ଦିଅ, ସେମାନେ ପରିତୃପ୍ତ ହେବା ପର୍ଯ୍ୟନ୍ତ ଏଥିରୁ ଭୋଜନ କରିବେ।
29 ଏବଂ ତୁମ୍ଭେ ଯେତେବେଳେ ସେମାନଙ୍କର ବିମୁଖ ହୁଅ ସେମାନେ ଭୟଭୀତ ହୁଅନ୍ତି।
ଯେତେବେଳେ ତୁମ୍ଭେ ସେମାନଙ୍କର ନିଃଶ୍ୱାସ ପ୍ରଶ୍ୱାସ ନେଇଯାଅ,
ସେମାନେ ଦୁର୍ବଳ ଓ ମୃତ୍ୟୁ ହୋଇ ଯାଆନ୍ତି,
ପୁଣି ସେମାନଙ୍କ ଶରୀର ଧୂଳିରେ ପରିଣତ ହୁଏ।
30 ହେ ସଦାପ୍ରଭୁ, ତୁମ୍ଭେ ଯେତେବେଳେ ଆପଣା ଆତ୍ମା ପଠାଅ, ସେତେବେଳେ ନୂତନ ସୃଷ୍ଟି ହେବ।
ଏବଂ ତୁମ୍ଭେ ପୁଣି ସମସ୍ତ ନୂତନ ଜିନିଷ ପୃଥିବୀରେ ସୃଷ୍ଟି କର।
31 ସଦାପ୍ରଭୁଙ୍କର ମହିମା ଅନନ୍ତକାଳ ଥାଉ!
ସଦାପ୍ରଭୁ ଆପଣା ଦୃଷ୍ଟିରେ ଆନନ୍ଦିତ ହୁଅନ୍ତୁ।
32 ସଦାପ୍ରଭୁ ପୃଥିବୀକୁ ଗ୍ଭହିଁଲେ ପୃଥିବୀ କମ୍ପିତ ହୁଏ।
ସେ ପର୍ବତକୁ ସ୍ପର୍ଶକଲେ ସେଥିରୁ ଧୂଆଁ ନିର୍ଗତ ହୁଏ।
33 ମୁଁ ଜୀବନସାରା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବି।
ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ସଦାପ୍ରଭୁଙ୍କର ପ୍ରଶଂସା ଗାନ କରିବି।
34 ମୁଁ ଆଶାକରେ ମୁଁ ଯାହାସବୁ କହିଲି ତାହା ଆନନ୍ଦ ଦେବ।
ମୁଁ ସଦାପ୍ରଭୁଙ୍କ ପାଇଁ ଆନନ୍ଦିତ ହେବି।
35 ପାପୀମାନେ ପୃଥିବୀରୁ ଉଭେଇ ଯାଆନ୍ତୁ।
ସବୁଦିନ ପାଇଁ ଦୁଷ୍ଟ ଲୋକମାନେ ନିଶେଷ ହୁଅନ୍ତୁ।
ହେ ମୋର ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର!
ସଦାପ୍ରଭୁଙ୍କର ପ୍ରଶଂସା କର।
ସଦାପ୍ରଭୁ ଏଲିୟଙ୍କୁ ନେବାକୁ ଯୋଜନା କରନ୍ତି
2 ଅନନ୍ତର ସଦାପ୍ରଭୁ ଏଲିୟଙ୍କୁ ଘୂର୍ଣ୍ଣିବାୟୁରେ ସ୍ୱର୍ଗକୁ ଘେନିଯିବାକୁ ଉଦ୍ୟତ ଥିଲେ, ଏଲିୟ ଓ ଇଲୀଶାୟ ଗିଲ୍ଗଲ୍ଠାରୁ ସେମାନଙ୍କର ରାସ୍ତାରେ ଥିଲେ।
2 ଏଲିୟ ଇଲୀଶାୟଙ୍କୁ କହିଲେ, “ମୁଁ ବିନୟ କରୁଛି ଏଠାରେ ରୁହନ୍ତୁ, କାରଣ ସଦାପ୍ରଭୁ ମୋତେ ବୈଥେଲ୍କୁ ଯିବାକୁ କହିଛନ୍ତି।”
ମାତ୍ର ଇଲୀଶାୟ କହିଲେ, “ମୁଁ ଶପଥ କରୁଛି ସଦାପ୍ରଭୁ ଜୀବିତ ଥିବା ପର୍ଯ୍ୟନ୍ତ ଓ ତୁମ୍ଭେ ଜୀବତ ଥିବା ପର୍ଯ୍ୟନ୍ତ ମୁଁ ତୁମ୍ଭକୁ ଛାଡ଼ିବି ନାହିଁ।” ତେଣୁ ଉଭୟେ ବୈଥେଲ୍କୁ ଗଲେ।
3 ବୈଥେଲ୍ର ଦଳେ ଭବିଷ୍ୟଦ୍ବକ୍ତା ଇଲୀଶାୟଙ୍କ ପାଖକୁ ଆସିଲେ ଓ କହିଲେ, “ଆଜି ସଦାପ୍ରଭୁ ତୁମ୍ଭ ମହାଶୟଙ୍କୁ ତୁମ୍ଭଠାରୁ ନେଇଯିବେ ବୋଲି ତୁମ୍ଭେ କ’ଣ ଜାଣ ନାହିଁ?”
ଇଲୀଶାୟ କହିଲେ, “ହଁ, ମୁଁ ଏହା ଜାଣେ, କିନ୍ତୁ ତୁମ୍ଭେମାନେ ତୁନି ହୁଅ।”
4 ଏଲିୟ ଇଲୀଶାୟଙ୍କୁ କହିଲେ, “ମୁଁ ବିନୟ କରୁଛି ତୁମ୍ଭେ ଏଠାରେ ଥାଅ, କାରଣ ସଦାପ୍ରଭୁ ମୋତେ ଯିରୀହୋକୁ ପଠାଇଛନ୍ତି।”
ମାତ୍ର ଇଲୀଶାୟ କହିଲେ, “ମୁଁ ଶପଥ କରୁଛି ସଦାପ୍ରଭୁ ଓ ତୁମ୍ଭେ ଜୀବିତ ଥିବା ପର୍ଯ୍ୟନ୍ତ ମୁଁ ତୁମ୍ଭକୁ ଛାଡ଼ିବି ନାହିଁ।” ତେଣୁ ଉଭୟେ ଯିରୀହୋକୁ ଗଲେ।
5 ଯିରୀହୋର ଦଳେ ଭବିଷ୍ୟଦ୍ବକ୍ତା ଇଲୀଶାୟ ନିକଟକୁ ଆସି କହିଲେ, “ତୁମ୍ଭେ କ’ଣ ଜାଣ ନାହିଁ ସଦାପ୍ରଭୁ ତୁମ୍ଭର ମହାଶୟଙ୍କୁ ତୁମ୍ଭଠାରୁ ଆଜି ନେଇଯିବେ?”
ଇଲୀଶାୟ ଉତ୍ତର କଲେ, “ହଁ, ମୁଁ ଏହା ଜାଣେ, କିନ୍ତୁ ତୁମ୍ଭେମାନେ ନୀରବ ହୁଅ।”
6 ଏଲିୟ ଇଲୀଶାୟଙ୍କୁ କହିଲେ, “ମୁଁ ବିନୟ କରୁଛି, ତୁମ୍ଭେ ଏହିଠାରେ ଥାଅ, କାରଣ ସଦାପ୍ରଭୁ ମୋତେ ଯର୍ଦ୍ଦନ ନଦୀକୁ ପଠାଇଛନ୍ତି।”
ଇଲୀଶାୟ ଉତ୍ତର କଲେ, “ମୁଁ ପ୍ରତିଜ୍ଞା କରୁଛି, ସଦାପ୍ରଭୁ ଓ ତୁମ୍ଭେ ଜୀବିତ ଥିବା ପ୍ରମାଣେ ମୁଁ ତୁମ୍ଭକୁ ଛାଡ଼ିବି ନାହିଁ।” ତେଣୁ ଉଭୟେ ଆଗକୁ ଅଗ୍ରସର ହେଲେ।
7 ପୁନଶ୍ଚ ଭବିଷ୍ୟଦ୍ବକ୍ତାମାନଙ୍କର ପୁତ୍ରମାନଙ୍କ ମଧ୍ୟରୁ ପଗ୍ଭଶ୍ ଜଣ ତାଙ୍କର ପଶ୍ଚାତ୍ଧାବନ କଲେ। ଏଲିୟ ଓ ଇଲୀଶାୟ ଯର୍ଦ୍ଦନ ନଦୀ ନିକଟକୁ ଯାଇ ଠିଆ ହେଲେ। ଆଉ ସେ ପଗ୍ଭଶ୍ ଲୋକ ସେମାନଙ୍କଠାରୁ ଦୂରରେ ଛିଡ଼ା ହେଲେ। 8 ଏଲିୟ ଆପଣା ବସ୍ତ୍ର ନେଇ ଏକତ୍ର ଗୁଡ଼ାଇ ଠିଆ ହୋଇ ପାଣିକୁ ଆଘାତ କଲେ। ତହିଁରେ ଜଳ ଦକ୍ଷିଣ ଓ ବାମକୁ ଦୁଇଭାଗ ହୋଇଗଲା ଓ ସେ ଦୁହେଁ ଶୁଷ୍କ ଭୂମି ଦେଇ ନଦୀ ପାର ହେଲେ।
9 ନଦୀ ପାରି ହେଲା ପରେ ଏଲିୟ ଇଲୀଶାୟଙ୍କୁ କହିଲେ, “ପରମେଶ୍ୱର ମୋତେ ତୁମ୍ଭଠାରୁ ନେବା ପୂର୍ବରୁ, ମୋ’ଠାରୁ ତୁମ୍ଭେ କ’ଣ ଗ୍ଭହୁଁଛ ମାଗ।”
ଇଲୀଶାୟ କହିଲେ, “ମୁଁ ପ୍ରାର୍ଥନା କରେ, ଆପଣଙ୍କ ଆତ୍ମାର ଦୁଇଗୁଣ ଅଂଶ ମୋ’ ଉପରେ ବର୍ତ୍ତୁ।”
10 ଏଲିୟ କହିଲେ, “ତୁମ୍ଭେ ଏକ କଷ୍ଟକର ବିଷୟ ମାଗିଲ। ତଥାପି ମୁଁ ତୁମ୍ଭ ନିକଟରୁ ନେଇଯିବା ବେଳେ, ତୁମ୍ଭେ ଯଦି ମୋତେ ଦେଖିବ ତେବେ ତୁମ୍ଭ ପ୍ରତି ତାହା ଘଟିବ, କିନ୍ତୁ ତୁମ୍ଭେ ଯଦି ମୋତେ ଦେଖିବ ନାହିଁ, ତାହାହେଲେ ସେପରି ଘଟିବ ନାହିଁ।”
ପରମେଶ୍ୱର ଏଲିୟଙ୍କୁ ସ୍ୱର୍ଗକୁ ନେଲେ
11 ଏହିପରି ସେ ଦୁହେଁ ଏକତ୍ର କଥାବାର୍ତ୍ତା ହୋଇ ଯାଉଥିବା ବେଳେ ହଠାତ୍ ଏକ ଅଗ୍ନିମୟ ରଥ ଓ ଅଗ୍ନିମୟ ଅଶ୍ୱମାନ ଉପସ୍ଥିତ ହେଲେ ଏବଂ ସେ ଦୁହିଁଙ୍କୁ ପୃଥକ କଲେ। ତା’ପରେ ଏଲିୟ ଘୂର୍ଣ୍ଣିବାୟୁରେ ସ୍ୱର୍ଗାରୋହଣ କଲେ।
12 ଇଲୀଶାୟ ତାହା ଦେଖି ଉଚ୍ଚ ସ୍ୱରରେ ରୋଦନ କରି କହିଲେ, “ହେ ମୋର ପିତା! ହେ ମୋର ପିତା! ହେ ଇସ୍ରାଏଲର ରଥ ଓ ତହିଁର ଅଶ୍ୱାରୋହୀଗଣ!”
ତା’ପରେ ଇଲୀଶାୟ ଏଲିୟଙ୍କୁ ଆଉ ଦେଖି ପାରିଲେ ନାହିଁ। ଏଣୁ ସେ ଦୁଃଖର ପ୍ରତୀକ ସ୍ୱରୂପ ନିଜର ବସ୍ତ୍ରକୁ ଚିରି ଦୁଇଖଣ୍ତ କରିଦେଲେ। 13 ଏଲିୟଙ୍କ ବସ୍ତ୍ର ଭୂମିରେ ପଡ଼ିଲାମାତ୍ରେ ଇଲୀଶାୟ ତାକୁ ଉଠାଇ ନେଲେ। ତା’ପରେ ସେ ଯର୍ଦ୍ଦନ ନଦୀ ତୀରରେ ଛିଡ଼ା ହୋଇ ପାଣିକୁ ଆଘାତ କରି କହିଲେ, “ଏଲିୟଙ୍କର ପରମେଶ୍ୱର, ସଦାପ୍ରଭୁ କେଉଁଠାରେ ଅଛନ୍ତି?” 14 ଇଲୀଶାୟ ଜଳକୁ ଆଘାତ କରନ୍ତେ, ଜଳ ଦକ୍ଷିଣ ଓ ବାମକୁ ଦୁଇଭାଗ ହୋଇଗଲା ଏବଂ ଇଲୀଶାୟ ନଦୀ ପାର ହେଲେ।
ଭବିଷ୍ୟଦ୍ବକ୍ତାଙ୍କ ଏଲିୟଙ୍କୁ ଅନ୍ୱେଷଣ
15 ଯେତେବେଳେ ଯିରୀହୋ ନିବାସୀ ଭବିଷ୍ୟଦ୍ବକ୍ତାଙ୍କ ପୁତ୍ରମାନଙ୍କ ମଧ୍ୟରୁ ଦଳେ ଇଲୀଶାୟଙ୍କୁ ଦେଖି କହିଲେ, “ଏଲିୟଙ୍କ ଆତ୍ମା ଇଲୀଶାୟଙ୍କ ଉପରେ ବର୍ତ୍ତିଲା।” ତେଣୁ ଇଲୀଶାୟ ନିକଟକୁ ଆସି ତାଙ୍କୁ ଭୂମିଷ୍ଠ ପ୍ରଣାମ କଲେ।
ଜିଖରିୟ ଓ ଏଲୀଶାବେଥ
5 ହେରୋଦ ଯିହୂଦାର ରାଜା ଥିବା ସମୟରେ ଜିଖରିୟ ନାମକ ଜଣେ ଯାଜକ ଥିଲେ। ସେ ‘ଅବିୟଙ୍କ’ ଦଳର ଲୋକ ଥିଲେ। ତାହାଙ୍କ ପତ୍ନୀଙ୍କ ନାମ ଥିଲା ଏଲୀଶାବେଥ। ଏଲୀଶାବେଥ ହାରୋଣ ବଂଶର ଝିଅ ଥିଲେ। 6 ସେମାନେ ଦୁହେଁ ପରମେଶ୍ୱରଙ୍କ ଆଗରେ ଉତ୍ତମ ବ୍ୟକ୍ତି ଥିଲେ। ସେମାନେ ଉଭୟ ପ୍ରଭୁଙ୍କର ସମସ୍ତ ଆଜ୍ଞା ପାଳନ କରୁଥିଲେ। ପ୍ରଭୁ ଲୋକମାନଙ୍କୁ ପାଳିବାକୁ କହିଥିବା ସମସ୍ତ କଥା ସେମାନେ ଦୁହେଁ ପାଳୁଥିଲେ। ସେମାନଙ୍କର କୌଣସି ଭୁଲ୍ ନ ଥିଲା। 7 କିନ୍ତୁ ସେମାନଙ୍କର କୌଣସି ସନ୍ତାନସନ୍ତତି ନ ଥିଲେ। ଏଲୀଶାବେଥ ବନ୍ଧ୍ୟା ଥିଲେ। ଉଭୟେ ଜିଖରିୟ ଓ ଏଲୀଶାବେଥ ବୁଢ଼ାବୁଢ଼ୀ ହୋଇ ଯାଇଥିଲେ।
8 ଜିଖରିୟ ତାହାଙ୍କ ଦଳ ତରଫରୁ ଜଣେ ଯାଜକ ହିସାବରେ ମନ୍ଦିରରେ ପରମେଶ୍ୱରଙ୍କ ସେବାକାର୍ଯ୍ୟ କରୁଥିଲେ। ସେବାକାର୍ଯ୍ୟ କରିବା ପାଇଁ ତାହାଙ୍କ ଦଳର ପାଳି ପଡ଼ିଲା। 9 ଧୂପ ଅର୍ପଣ କରିବା ପାଇଁ ଯାଜକମାନେ ସଦାବେଳେ ଜଣେ ଯାଜକଙ୍କୁ ବାଛୁଥିଲେ। ଜିଖରିୟଙ୍କୁ ଏଥିପାଇଁ ବଛାଗଲା। ତେଣୁ ଜିଖରିୟ ପ୍ରଭୁଙ୍କ ମନ୍ଦିର ଭିତରକୁ ଧୂପ ଦେବା ପାଇଁ ଗଲେ। 10 ବାହାରେ ବହୁତ ଲୋକ ଜମା ହୋଇଥିଲେ। ଧୂପ ଲାଗିବା ସମୟରେ ସେମାନେ ପ୍ରାର୍ଥନା କରୁଥିଲେ।
11 ସେହି ସମୟରେ ଜିଖରିୟଙ୍କ ଆଗରେ ପ୍ରଭୁଙ୍କର ଜଣେ ସ୍ୱର୍ଗଦୂତ ଦର୍ଶନ ଦେଲେ। ସେ ଧୂପ ବେଦିର ଡାହାଣ ପଟେ ଠିଆ ହୋଇଥିଲେ। 12 ଜିଖରିୟ ସ୍ୱର୍ଗଦୂତଙ୍କୁ ଦେଖିବା ମାତ୍ରେ ବିଚଳିତ ଓ ବହୁତ ଭୟଭୀତ ହେଲେ। 13 କିନ୍ତୁ ସ୍ୱର୍ଗଦୁତ ତାହାଙ୍କୁ କହିଲେ, “ଜିଖରିୟ! ଭୟ କର ନାହିଁ, ତୁମ୍ଭର ପ୍ରାର୍ଥନା ପରମେଶ୍ୱର ଶଣୁଛନ୍ତି। ତୁମ୍ଭର ପତ୍ନୀ ଏଲୀଶାବେଥ ଗୋଟିଏ ପୁତ୍ର ସନ୍ତାନ ଜନ୍ମ କରିବେ। ତୁମ୍ଭେମାନେ ତାହାର ନାମ ଯୋହନ ରଖିବ। 14 ତୁମ୍ଭେ ଅତ୍ୟନ୍ତ ଖୁସୀ ହେବ। ତାହାଙ୍କର ଜନ୍ମ ହେତୁ ବହୁତ ଲୋକ ଖୁସୀ ହେବେ। 15 ପ୍ରଭୁଙ୍କ ପାଇଁ ଯୋହନ ମହାନ୍ ହେବେ। ସେ କେବେ ହେଁ ଦ୍ରାକ୍ଷାରସ କିମ୍ବା ମଦ୍ୟପାନ କରିବେ ନାହିଁ। ଏପରିକି ଜନ୍ମ ସମୟରୁ ସେ ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହେବେ।
16 “ଯୋହନ ଅନେକ ଇସ୍ରାଏଲ ଲୋକଙ୍କୁ ପ୍ରଭୁଙ୍କ ପାଖକୁ ଫେରି ଆସିବାକୁ ସାହାଯ୍ୟ କରିବେ। ପ୍ରଭୁ ସେମାନଙ୍କର ପରମେଶ୍ୱର ଅଟନ୍ତି। 17 ଯୋହନ ନିଜେ ଅଗ୍ରଗାମୀ ରୂପେ ପ୍ରଭୁଙ୍କ ପୂର୍ବରୁ ଯିବେ। ସେ ଏଲିୟଙ୍କ ପରି ଶକ୍ତିଶାଳୀ ହେବେ। ସେ ଏଲିୟଙ୍କ ଆତ୍ମା ଲାଭ କରିବେ। ସେ ପିତାଗଣ ଓ ସନ୍ତାନମାନଙ୍କ ମଧ୍ୟରେ ଶାନ୍ତି ସ୍ଥାପନ କରିବେ। ପରମେଶ୍ୱରଙ୍କୁ ଅବଜ୍ଞା କରୁଥିବା ଅନେକ ଲୋକମାନଙ୍କୁ ଧାର୍ମିକମାନଙ୍କ ଦୃଷ୍ଟିର ଠିକ୍ ମାର୍ଗକୁ ସେ ନେଇ ଆସିବେ। ପ୍ରଭୁଙ୍କ ଆଗମନ ପାଇଁ ସେ ଲୋକମାନଙ୍କୁ ପ୍ରସ୍ତୁତ କରିବେ।”
2010 by World Bible Translation Center