Book of Common Prayer
ପ୍ରଧାନ ବାଦ୍ୟକର ପାଇଁ ତାରଯୁକ୍ତ ଯନ୍ତ୍ରରେ ଦାଉଦଙ୍କର ମସ୍କୀଲ୍।
55 ହେ ପରମେଶ୍ୱର, ମୋର ପ୍ରାର୍ଥନା ଗ୍ରହଣ କର।
ମୋର କରୁଣା ପ୍ରାପ୍ତି କରୁଥିବା ପ୍ରାର୍ଥନାକୁ ଉପେକ୍ଷା କର ନାହିଁ।
2 ଦୟାକରି ମୋର କଥା ଶୁଣ ଓ ମୋତେ ଉତ୍ତର ଦିଅ।
ମୋତେ ତୁମ୍ଭକୁ କହିବାକୁ ଦିଅ ଏବଂ ମୁଁ ତୁମ୍ଭଙ୍କୁ କହିବି, ଯାହା ମୋତେ ବ୍ୟତିବ୍ୟସ୍ତ କରେ।
3 ମୋର ଶତ୍ରୁମାନେ ମୋତେ ଭୟଭୀତ କଲେ।
ସେହି ଦୁଷ୍ଟ ଲୋକମାନେ ମୋ’ ଉପରେ ପାଟି କଲେ।
ମୋର ଶତ୍ରୁମାନେ ମୋ’ ଉପରେ ବିରକ୍ତି ହୋଇ ଆକ୍ରମଣ କଲେ।
ସେମାନେ ମୋ’ ଉପରେ ବିଭିନ୍ନ ବିପଦ ଆଣିଲେ।
4 ମୋ’ ଅନ୍ତରରେ ମୋର ହୃଦୟ ଅତ୍ୟନ୍ତ ବିଦୀର୍ଣ୍ଣ ହେଉଅଛି।
ମୁଁ ମୃତ୍ୟୁକୁ ବହୁତ ଭୟ କରୁଛି।
5 ମୋତେ ଭୟ ଓ କମ୍ପ ଆକ୍ରମଣ କରିଅଛି,
ଆଉ ମହାତ୍ରାସ ମୋତେ ଆଚ୍ଛନ୍ନ କରିଅଛି।
6 ଆଃ, ଯେବେ କପୋତ ପରି ମୋର ପକ୍ଷ ଥା’ନ୍ତା
ତେବେ ମୁଁ ଉଡ଼ିଯାଆନ୍ତି ଓ ବିଶ୍ରାମ ପାଇଁ ସ୍ଥାନ ବାଛନ୍ତି।
7 ଦେଖ! ତେବେ ମୁଁ ଦୂରରୁ ଭ୍ରମଣ କରି ମରୁଭୂମି ମଧ୍ୟକୁ ପଳାନ୍ତି।
8 ମୁଁ ପ୍ରବଳ ବାୟୁ ଓ ତୋଫାନ ମଧ୍ୟରୁ ତରବର ହୋଇ
ଏକ ନିରାପଦ ସ୍ଥାନକୁ ପଲାୟନ କରନ୍ତି।
9 ହେ ମୋର ପ୍ରଭୁ, ସେମାନଙ୍କୁ ବିନାଶ କର।
ସେମାନଙ୍କର ବକ୍ତୃତାକୁ ପଣ୍ଡ କର।
ମୁଁ ନଗର ମଧ୍ୟରେ ଦୌରାତ୍ମ୍ୟ ଓ କଳହ ଦେଖିଛି।
10 ନଗରରେ ଦିନରାତି, ପ୍ରତ୍ୟେକ ପଡ଼ୋଶୀମାନଙ୍କଠାରେ
ଦୋଷ ଓ ଅସଭ୍ୟତା ପୁରି ରହିଛି।
11 ଅପରାଧ ସବୁଠାରେ ପ୍ରଚଳିତ ଅଛି।
ଅରାଜକତା ଓ ପ୍ରତାରଣା ସର୍ବସାଧାରଣ ସ୍ଥାନ କେବେ ଛାଡ଼ି ନାହିଁ।
12 ଯଦି କୌଣସି ଶତ୍ରୁ ମୋତେ ତିରସ୍କାର କଲା,
ମୁଁ ସହନ୍ତି।
ଯଦି ମୋର ଶତ୍ରୁମାନେ ମୋ’ ବିରୁଦ୍ଧରେ ଆକ୍ରମଣ କରନ୍ତି,
ମୁଁ ତାଙ୍କଠାରୁ ନିଜକୁ ଲୁଗ୍ଭନ୍ତି।
13 କିନ୍ତୁ ତୁମ୍ଭେ ମୋର ସହଯୋଗୀ,
ସହପାଠୀ ଓ ସାଙ୍ଗ, ଯିଏ ଏହା କରନ୍ତି।
14 ଆମ୍ଭେମାନେ ଏକତ୍ର ଗୁପ୍ତ ମନ୍ତ୍ରଣା କଲୁ।
ଆମ୍ଭେମାନେ ଲୋକମାନଙ୍କ ସଙ୍ଗେ ପରମେଶ୍ୱରଙ୍କ ମନ୍ଦିରକୁ ଗଲୁ।
15 ମୁଁ ଇଚ୍ଛା କରେ ଯେ, ମୃତ୍ୟୁ ମୋର ଶତ୍ରୁଗଣଙ୍କୁ ହଠାତ୍ ଆକ୍ରମଣ କରୁ,
ମୁଁ ଇଚ୍ଛାକରେ ପୃଥିବୀ ଖୋଲି ହୋଇଯାଉ ଓ ସେମାନଙ୍କୁ ଜିଅନ୍ତା ଗ୍ରାସ କରି ଗମନ କରନ୍ତୁ।
କାରଣ ସେମାନଙ୍କର ବାସସ୍ଥାନରେ ସେମାନଙ୍କ ମଧ୍ୟରେ ଦୁଷ୍ଟତା ଅଛି।
16 ମୁଁ ପରମେଶ୍ୱରଙ୍କଠାରେ ସାହାଯ୍ୟ ପାଇଁ ପ୍ରାର୍ଥନା କରିବି।
ଏବଂ ସଦାପ୍ରଭୁ ମୋତେ ରକ୍ଷା କରିବେ।
17 ମୁଁ ସନ୍ଧ୍ୟା, ସକାଳେ ଓ ମଧ୍ୟାହ୍ନରେ ପରମେଶ୍ୱରଙ୍କୁ କଥା କୁହେ।
ମୁଁ ତାଙ୍କୁ କୁହେ, ମୋତେ କ’ଣ ବ୍ୟସ୍ତ କରୁଅଛି ଏବଂ ସେ ମୋର କଥା ଶୁଣନ୍ତି!
18 ସେ ଯୁଦ୍ଧରେ ମୋର ଜୀବନ ରକ୍ଷା କରିଛନ୍ତି,
ଯେତେବେଳେ ବହୁତ ଲୋକ ମୋ’ ବିରୁଦ୍ଧରେ ଥିଲେ।
19 ପରମେଶ୍ୱର, ଯିଏ ଦୀର୍ଘଦିନ ଧରି ରାଜତ୍ୱ କରିଛନ୍ତି,
ମୋ’ କଥା ଶୁଣିବେ ଓ ସେମାନଙ୍କୁ ଦଣ୍ଡିତ କରିବେ।
20 ମୋର ଶତ୍ରୁମାନେ ସେମାନଙ୍କର ଜୀବନ ଧାରଣର ପଥ ବଦଳାଇବେ ନାହିଁ।
ସେମାନେ ପରମେଶ୍ୱରଙ୍କୁ ଭୟ କରନ୍ତି ନାହିଁ କି ସମ୍ମାନ ଦିଅନ୍ତି ନାହିଁ।
21 ମୋର ଶତ୍ରୁ ତା’ର ସାଙ୍ଗମାନଙ୍କୁ ଆକ୍ରମଣ କରେ ଏବଂ ତା’ର ପ୍ରତିଜ୍ଞା ଭଙ୍ଗ କରେ।
ତା’ର କଥାଗୁଡ଼ିକ ଲବଣୀ ତୁଲ୍ୟ ଚିକ୍କଣ।
କିନ୍ତୁ ତା ହୃଦୟରେ ଘୃଣା ଅଛି।
ତା’ର କଥାଗୁଡ଼ିକ ତେଲ ସଦୃଶ ପିଛିଳ, କିନ୍ତୁ ସେଗୁଡ଼ିକ ଧାରୁଆ ଖଡ଼୍ଗ ତୁଲ୍ୟ କାଟନ୍ତି।
22 ତୁମ୍ଭେ ସଦାପ୍ରଭୁଙ୍କୁ ଆପଣାର ଭାର ଦେଇଦିଅ,
ତହିଁରେ ସେ ତୁମ୍ଭର ଯତ୍ନ ନେବେ।
ସଦାପ୍ରଭୁ ଧାର୍ମିକ ଲୋକମାନଙ୍କୁ କଦାପି ପରାଜିତ ହେବାକୁ ଦେବେ ନାହିଁ।
23 ତୁମ୍ଭର ଚୁକ୍ତିର ଅଂଶ ରୂପେ ପରମେଶ୍ୱର ସେହି ମିଥ୍ୟାବାଦୀମାନଙ୍କୁ
ଓ ହତ୍ୟାକାରୀମାନଙ୍କୁ ସେମାନଙ୍କର ଜୀବନର ଅଧା ମଧ୍ୟ ଶେଷ ନ ହୋଇଥିବା ପୂର୍ବରୁ କବରକୁ ପଠେଇ ଦିଅନ୍ତି!
ମୋର ଚୁକ୍ତିର ଅଂଶ ରୂପେ ମୁଁ ମୋର ବିଶ୍ୱାସ ତୁମ୍ଭଠାରେ କରିବି।
ଦାଉଦଙ୍କର ଗୀତ
138 ହେ ପରମେଶ୍ୱର, ମୁଁ ମୋର ହୃଦୟ ସହିତ ତୁମ୍ଭର ପ୍ରଶଂସା ଗାନ କରିବି।
ସମସ୍ତ ଦେବତାଗଣଙ୍କ ସମ୍ମୁଖରେ ମୁଁ ତୁମ୍ଭ ପାଇଁ ପ୍ରଶଂସାର ଗୀତ ଗାନ କରିବି।
2 ହେ ପରମେଶ୍ୱର, ମୁଁ ତୁମ୍ଭର ପବିତ୍ର ମନ୍ଦିର ପ୍ରତି ପ୍ରଣାମ ଦଣ୍ଡବତ କରିବି।
ମୁଁ ତୁମ୍ଭର ନାମ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଏବଂ ତୁମ୍ଭର ସତ୍ୟତାକୁ ପ୍ରଶଂସା କରିବି।
ତୁମ୍ଭେ ପ୍ରସିଦ୍ଧ ଅଟ
ଏବଂ ଯାହା ତୁମ୍ଭେ କରିବା ପାଇଁ ପ୍ରତିଜ୍ଞା କର ତାହା ଏପରିକି ମଧ୍ୟ ତୁମ୍ଭକୁ ଅଧିକ ପ୍ରସିଦ୍ଧ କରିବ।
3 ହେ ପରମେଶ୍ୱର, ମୁଁ ତୁମ୍ଭକୁ ସାହାଯ୍ୟ ପାଇଁ ଡାକିଲି।
ତୁମ୍ଭେ ମୋତେ ଉତ୍ତର ଦେଲ! ତୁମ୍ଭେ ମୋତେ ସାହସୀ ଏବଂ ଶକ୍ତ କଲ।
4 ସଦାପ୍ରଭୁ, ପୃଥିବୀର ସମସ୍ତ ରାଜା ତୁମ୍ଭକୁ ପ୍ରଶଂସା କରିବେ,
ଯେତେବେଳେ ସେମାନେ ତୁମ୍ଭର ପ୍ରତିଜ୍ଞାଗୁଡ଼ିକୁ ଶୁଣିବେ।
5 ସେମାନେ ସଦାପ୍ରଭୁଙ୍କର ପଥ ବିଷୟରେ ଗାନ କରିବେ,
କାରଣ ସଦାପ୍ରଭୁଙ୍କର ମହିମା ହେଉଛି ମହାନ।
6 ସଦାପ୍ରଭୁ ସମସ୍ତଙ୍କ ଉପରେ ମୁଖ୍ୟ ଅଟନ୍ତି।
କିନ୍ତୁ ଏପର୍ଯ୍ୟନ୍ତ ନମ୍ର ଲୋକମାନଙ୍କର ଯତ୍ନ ନିଅନ୍ତି।
କିନ୍ତୁ ଏପରିକି ବହୁ ଦୂରରୁ, ସେ ଜାଣନ୍ତି
ଗର୍ବୀ ଲୋକମାନେ କ’ଣ କରୁଛନ୍ତି।
7 ହେ ସଦାପ୍ରଭୁ, ଯଦି ମୁଁ ସଙ୍କଟ ମଧ୍ୟରେ ପଡ଼େ ମୋତେ ଜୀବିତ ରଖ।
ଯଦି ମୋର ଶତ୍ରୁଗଣ ତେବେ ମୋ’ ଉପରେ କ୍ରୋଧ କରନ୍ତି, ତୁମ୍ଭେ ସେମାନଙ୍କଠାରୁ ମୋତେ ବଞ୍ଚାଅ।
8 ସଦାପ୍ରଭୁ, ତୁମ୍ଭେ ପ୍ରତିଜ୍ଞା କରିଥିବା ଜିନିଷ ମୋତେ ଦିଅ।
ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କୁ ସୃଷ୍ଟି କଲ।
ତେଣୁ ଆମ୍ଭକୁ ପରିତ୍ୟାଗ କର ନାହିଁ।
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।
139 ହେ ସଦାପ୍ରଭୁ, ତୁମ୍ଭେ ମୋତେ ପରୀକ୍ଷା କରିଅଛ।
ତୁମ୍ଭେ ମୋର ସମସ୍ତ ବିଷୟରେ ଜାଣିଅଛ।
2 ତୁମ୍ଭେ ଜାଣ ଯେତେବେଳେ ମୁଁ ବସେ ଏବଂ ଯେତେବେଳେ ମୁଁ ଛିଡ଼ା ହୁଏ।
ଯଦିଓ ତୁମ୍ଭେ ଦୂରରେ ଅଛ, ତୁମ୍ଭେ ମୋର ମନକଥା ଜାଣ।
3 ସଦାପ୍ରଭୁ ତୁମ୍ଭେ ଜାଣ, ମୁଁ କେଉଁଠାକୁ ଯାଏ ଏବଂ କେତେବେଳେ ମୁଁ ତଳେ ପଡ଼େ।
ମୁଁ ଯାହାକିଛି କରୁଛି ତାହା ସବୁ ତୁମ୍ଭେ ଜାଣ।
4 ହେ ସଦାପ୍ରଭୁ, ମୋ’ ମୁହଁରୁ ଶବ୍ଦ ବାହାରିବା ପୂର୍ବରୁ ତୁମ୍ଭେ ଜାଣ ଯେ,
ମୁଁ କ’ଣ କହିବାକୁ ଯାଉଛି।
5 ସଦାପ୍ରଭୁ ତୁମ୍ଭେ ମୋର ଚତୁର୍ପାର୍ଶ୍ୱରେ ଅଛ, ମୋ’ ଆଗରେ ଓ ପଛରେ ଅଛ।
ତୁମ୍ଭେ ଆପଣା ସୁରକ୍ଷାର ହାତ ମୋ’ ଉପରେ ରଖିଥାଅ।
6 ମୁଁ ଆଶ୍ଚର୍ଯ୍ୟ ହୁଏ ଯେ, ତୁମ୍ଭେ ଯାହାସବୁ ଜାଣ।
ମୁଁ ତାକୁ ବୁଝିପାରେ ନାହିଁ।
7 ମୁଁ ଯୁଆଡ଼େ ଯାଏ, ତୁମ୍ଭର ଆତ୍ମା ସବୁଠାରେ ଥାଏ।
ମୁଁ ତୁମ୍ଭର ଉପସ୍ଥିତିରୁ ଖସିଯାଇ ପାରିବି ନାହିଁ।
8 ହେ ସଦାପ୍ରଭୁ, ଯଦି ମୁଁ ସ୍ୱର୍ଗକୁ ଯାଏ ତେବେ ତୁମ୍ଭେ ସେଠାରେ ଥାଅ।
ଯଦି ମୁଁ ପାତାଳକୁ ଯାଏ, ତେବେ ସେଠାରେ ମଧ୍ୟ ତୁମ୍ଭେ ଅଛ।
9 ସଦାପ୍ରଭୁ, ମୁଁ ଯଦି ପୂର୍ବକୁ ଯାଏ ଯେଉଁଠାରେ ସୂର୍ଯ୍ୟ ଉଦୟ ହେଉଅଛି।
ଯଦି ମୁଁ ପଶ୍ଚିମରେ ସମୁଦ୍ରର ପ୍ରାନ୍ତ ସୀମାକୁ ଯାଏ,
10 ସେଠାରେ ମଧ୍ୟ ତୁମ୍ଭର ହସ୍ତ ମୋତେ ଆଗକୁ ନେଇଥା’ନ୍ତା
ଏବଂ ତୁମ୍ଭର ଦକ୍ଷିଣ ହସ୍ତ ହୁଏତ ମୋତେ ଧରିଥା’ନ୍ତା।
11 ହେ ସଦାପ୍ରଭୁ, ମୁଁ ତୁମ୍ଭଠାରୁ ଲୁଚିବା ପାଇଁ ଚେଷ୍ଟା କରି କୁହେ,
“ଯଦି ରାତ୍ରି ଦିନରେ ପରିଣତ ହେଲା ତେବେ ଅନ୍ଧକାର ନିଶ୍ଚିତ ଭାବରେ
ମୋତେ ଆଚ୍ଛାଦନ କରିବ।”
12 କିନ୍ତୁ ସଦାପ୍ରଭୁ, ଏପରିକି ଅନ୍ଧକାର ତୁମ୍ଭ ପାଇଁ ଅନ୍ଧକାର ନୁହେଁ।
ରାତ୍ରି ହେଉଛି ଦିନ ଭଳି ଉଜ୍ଜ୍ୱଳ।
ଅନ୍ଧକାର ଏବଂ ଉଜ୍ଜ୍ୱଳ ହେଉଛି ତୁମ୍ଭ ପାଇଁ ସମାନ।
13 ସଦାପ୍ରଭୁ ତୁମ୍ଭେ ମୋର ସମଗ୍ର ଅଂଶକୁ ତିଆରି କଲ।
ତୁମ୍ଭେ ମୋତେ ମୋ’ ମାତୃ ଗର୍ଭରେ ସମସ୍ତ ଶରୀର ସହିତ ରଖିଲ।
14 ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ଧନ୍ୟବାଦ ଦିଏ କାରଣ ତୁମ୍ଭେ ମୋତେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ପଥରେ ତିଆରି କରିଅଛ।
ମୁଁ ଭଲ ଭାବରେ ଜାଣେ ଯେ, ତୁମ୍ଭର କାମ ଅଦ୍ଭୂତ ଅଟେ।
15 ଯେତେବେଳେ ମୁଁ ନିଜ ମାତୃ ଗର୍ଭରେ ଥିଲି, ଯେତେବେଳେ ମୋର ଗଠିତ ହେଉଥିଲା,
ସେତେବେଳେ ତୁମ୍ଭେ ମୋର ଅସ୍ଥି ପିଞ୍ଜରାକୁ ଦେଖିଲ।
16 ତୁମ୍ଭେ ପ୍ରତ୍ୟେକ ଦିନ ମୋର ଶରୀରର ବୃଦ୍ଧିକୁ ମୋର ମାତୃଗର୍ଭରେ ଦେଖିଲ।
ତୁମ୍ଭ ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗକୁ ମୋ’ ତାଲିକାଭୁକ୍ତ କଲ ଏବଂ ସେଗୁଡ଼ିକ ମଧ୍ୟରୁ ଗୋଟିଏ ହେଲେ ବି ବାଦ୍ ଦେଇ ନାହଁ। [a]
17 ପରମେଶ୍ୱର, ତୁମ୍ଭର ଚିନ୍ତାଧାରା ମୋ’ ପାଇଁ ବୁଝିବା କଷ୍ଟକର ଅଟେ।
ତହିଁରେ ସେଗୁଡ଼ିକ ଗଣନା କରାଯାଇ ପାରିବ ନାହିଁ।
18 ତୁମ୍ଭେ ଯାହାକିଛି ଜାଣ, ସେ ସବୁକୁ ଯଦି ମୁଁ ଗଣିପାରୁଥା’ନ୍ତି, ତା’ହେଲେ ସେ ସବୁ ପୃଥିବୀର ଧୂଳିକଣାଠାରୁ ଅଧିକ ହେବ,
କିନ୍ତୁ ଯଦି ମୁଁ ତାହା ଗଣିପାରିବି, ତା’ହେଲେ ମୁଁ ତୁମ୍ଭକୁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣଭାବରେ ବୁଝି ପାରିଥା’ନ୍ତି।
19 ହେ ପରମେଶ୍ୱର, ଦୁଷ୍ଟ ଲୋକମାନଙ୍କୁ ହତ୍ୟା କର।
ହେ ହତ୍ୟାକାରୀଗଣ, ମୋ’ଠାରୁ ତୁମ୍ଭେ ଦୂରେଇ ଯାଅ।
20 ସେହି ଦୁଷ୍ଟ ଲୋକମାନେ ତୁମ୍ଭ ବିଷୟରେ ଖରାପ ମନ୍ତବ୍ୟ ଦେଉଛନ୍ତି।
ତୁମ୍ଭର ଶତ୍ରୁମାନେ ତୁମ୍ଭର ନାମକୁ ଭୁଲ୍ ଭାବରେ ବ୍ୟବହାର କରନ୍ତି।
21 ହେ ସଦାପ୍ରଭୁ, ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି, ମୁଁ ସେହି ଲୋକମାନଙ୍କୁ ଘୃଣା କରେ।
ଯେଉଁମାନେ ତୁମ୍ଭ ବିରୁଦ୍ଧରେ ଯାଆନ୍ତି, ସେହି ଲୋକମାନେ ମୋର ଶତ୍ରୁ।
22 ମୁଁ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଘୃଣା କରେ।
ତୁମ୍ଭର ଶତ୍ରୁ ମଧ୍ୟ ମୋର ଶତ୍ରୁ ଅଟନ୍ତି।
23 ପରମେଶ୍ୱର, ମୋ’ ପ୍ରତି ଦୃଷ୍ଟି ଦିଅ ଏବଂ ମୋର ମନ କଥା ପଢ଼।
ମୋତେ ପରୀକ୍ଷା କର ଏବଂ ମୋ’ ହୃଦୟକୁ ଜାଣ।
18 “ଏଣୁ ତୁମ୍ଭେମାନେ ମୋହର ସେହି ସକଳ ବାକ୍ୟ ନିଜ ନିଜ ହୃଦୟରେ ଧାରଣ କର (ହୃଦୟରେ ଲିପିବଦ୍ଧ କର)। ନିଜ ନିଜ ହସ୍ତରେ ବାନ୍ଧି ରଖ ଓ ତାହା ତୁମ୍ଭମାନଙ୍କର ଚକ୍ଷୁ ଦ୍ୱୟରେ ଭୂଷଣ ସ୍ୱରୂପ ହେଉ। 19 ତୁମ୍ଭେ ଆପଣା ଗୃହରେ ବସିବା ବେଳେ ଏବଂ ବାଟରେ ଗ୍ଭଲିବା ବେଳେ ଶୋଇବା ବେଳେ ଓ ଉଠିବା ବେଳେ ଏହି ସମସ୍ତ ବିଷୟରେ କଥାବାର୍ତ୍ତା କରି ଆପଣା ଆପଣା ସନ୍ତାନମାନଙ୍କୁ ଶିକ୍ଷା ଦେବ। 20 ତୁମ୍ଭେ ଆପଣା ଗୃହଦ୍ୱାରରେ ଥିବା ଚଉକାଠରେ ଓ ବାହାର ଦ୍ୱାରରେ ତାହା ଲେଖିବ। 21 ତହିଁରେ ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ଯେଉଁ ଯେଉଁ ଦେଶ ଦେବାକୁ ଶପଥ କରିଅଛନ୍ତି, ତହିଁରେ ତୁମ୍ଭମାନଙ୍କ ଅବସ୍ଥିତି କାଳ ଓ ତୁମ୍ଭମାନଙ୍କ ସନ୍ତାନଗଣର ଅବସ୍ଥିତିକାଳ ଭୂମଣ୍ତଳ ଉପରେ ଆକାଶ ମଣ୍ତଳର ଅବସ୍ଥିତିକାଳ ତୁଲ୍ୟ ହେବ।
22 “କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ପ୍ରେମ କରିବାକୁ ତାହାଙ୍କ ସମସ୍ତ ପଥରେ ଗ୍ଭଲିବାକୁ ଓ ତାହାଙ୍କଠାରେ ଦୃଢ଼ରୂପେ ଆସକ୍ତ ହେବାକୁ ଏହି ଯେଉଁ ସମସ୍ତ ଆଜ୍ଞା ମୁଁ ତୁମ୍ଭମାନଙ୍କୁ ପାଳନ କରିବାକୁ ଦେଉଅଛି, ତାହା ଯଦି ତୁମ୍ଭେମାନେ ଯତ୍ନପୂର୍ବକ ପାଳନ କରିବ, 23 ତେବେ ସଦାପ୍ରଭୁ ତୁମ୍ଭମାନଙ୍କ ସମ୍ମୁଖରୁ ଏହିସବୁ ଗୋଷ୍ଠୀୟ ଲୋକମାନଙ୍କୁ ତଡ଼ି ଦେବେ, ଏବଂ ତୁମ୍ଭେମାନେ, ତୁମ୍ଭମାନଙ୍କଠାରୁ ଅଧିକ ବଳବାନ ଲୋକମାନଙ୍କୁ ପରାସ୍ତ କରିବ ଏବଂ ତାଙ୍କର ଦେଶକୁ ଅଧିକାର କରିବ। 24 ଯେଉଁଠାରେ ତୁମ୍ଭର ପାଦ ପଡ଼ିବ, ସେ ସ୍ଥାନ ତୁମ୍ଭମାନଙ୍କର ହେବ। ପ୍ରାନ୍ତରରୁ ଲିବାନୋନ ପର୍ଯ୍ୟନ୍ତ ଏବଂ ଫରାତ୍ ନଦୀଠାରୁ ପଶ୍ଚିମ ସମୁଦ୍ର ପର୍ଯ୍ୟନ୍ତ ତୁମ୍ଭମାନଙ୍କର ସୀମା ହେବ। 25 ତୁମ୍ଭମାନଙ୍କ ବିପକ୍ଷରେ କୌଣସି ମନୁଷ୍ୟ ଛିଡ଼ା ହେବାକୁ ସକ୍ଷମ ହେବ ନାହିଁ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତାଙ୍କର ପ୍ରତିଜ୍ଞାନୁସାରେ ସମଗ୍ର ଦେଶରେ ତୁମ୍ଭେ ଯେଉଁଠିକୁ ଯାଅ, ତୁମ୍ଭ ପ୍ରତି ସମସ୍ତଙ୍କର ଭୟ ଓ ଆଶାଙ୍କିତ ସୃଷ୍ଟି କରିବେ।
ଇସ୍ରାଏଲଙ୍କର ପସନ୍ଦ: ଆଶୀର୍ବାଦ ବା ଅଭିଶାପ
26 “ଆଜି ତୁମ୍ଭମାନଙ୍କ ସମ୍ମୁଖରେ ଆଶୀର୍ବାଦ ଓ ଅଭିଶାପ ରଖୁଛି ତୁମ୍ଭେମାନେ ସେଥିରୁ ଗୋଟିଏକୁ ବାଛ। 27 ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କର ଆଜ୍ଞାମାନ ଯଦି ମାନ, ଯାହା ମୁଁ ତୁମ୍ଭମାନଙ୍କୁ ଆଜି କହିବି, ତେବେ ତୁମ୍ଭେମାନେ ଆଶୀର୍ବୀଦ ପାଇବ। 28 ଯଦି ତୁମ୍ଭେମାନେ ତାହା ସବୁ ପାଳନ ନ କର ତେବେ ତୁମ୍ଭେମାନେ ଅଭିଶାପ ପାଇବ। ଯଦି ତୁମ୍ଭେମାନେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କର ଆଜ୍ଞା ପାଳନ ନ କର ଓ ଅନ୍ୟ ଦେଶୀୟ ଦେବଗଣଙ୍କର ପଶ୍ଚାତ୍ଗମନ କର, ତେବେ ଅଭିଶାପ ପାଇବ।
5 ପ୍ରତ୍ୟେକ ଯିହୂଦୀ ମହାଯାଜକ ପୁରୁଷମାନଙ୍କ ଭିତରୁ ମନୋନୀତ ହୁଅନ୍ତି। ପରମେଶ୍ୱରଙ୍କୁ ଆପଣା ପାପ ନିମନ୍ତେ ନୈବେଦ୍ୟ ଓ ବଳି ଉତ୍ସର୍ଗ କରିବା ନିମନ୍ତେ ସେହି ମହାଯାଜକ ଲୋକମାନଙ୍କୁ ସାହାଯ୍ୟ କରନ୍ତି। 2 ଅନ୍ୟ ଲୋକମାନଙ୍କ ଭଳି ମହାଯାଜକର ମଧ୍ୟ ଦୁର୍ବଳତା ରହିଛି, ତେଣୁ ସେ ଅଜ୍ଞାନ ଓ ଭ୍ରାନ୍ତ ଲୋକମାନଙ୍କ ପ୍ରତି ସହାନୁଭୂତି ଦେଖାଇବାକୁ ସମର୍ଥ। 3 ମହାଯାଜକ ଅନ୍ୟଲୋକମାନଙ୍କ ପାପ ନିମନ୍ତେ ବଳି ଉତ୍ସର୍ଗ କରନ୍ତି କିନ୍ତୁ ତାହାଙ୍କର ନିଜର ମଧ୍ୟ ଦୁର୍ବଳତା ଥିବା ହେତୁରୁ ସେ ମଧ୍ୟ ନିଜ ପାପ ପାଇଁ ବଳି ଉତ୍ସର୍ଗ କରିବା ଉଚିତ୍।
4 ମହାଯାଜକ ହେବା ଏକ ସମ୍ମାନର ବିଷୟ। କିନ୍ତୁ କେହି ହେଲେ ନିଜେ ଏହି କାମ ପାଇଁ ବାଛେ ନାହିଁ। ଜଣଙ୍କୁ ପରମେଶ୍ୱରଙ୍କ ଦ୍ୱାରା ଆହୂତ ହେବାକୁ ପଡ଼ିବ, ଯେପରି ହାରୋଣ ଆହୂତ ହୋଇଥିଲେ। 5 ଖ୍ରୀଷ୍ଟ ମଧ୍ୟ ସେହି ଡକା ହୋଇଥିଲେ। ସେ ପରମେଶ୍ୱରଙ୍କ ଦ୍ୱାରା ସେ ମନୋନୀତ ହୋଇଥିଲେ। ପରମେଶ୍ୱର ତାହାଙ୍କୁ କହିଲେ:
“ତୁମ୍ଭେ ମୋର ପୁତ୍ର;
ଆଜି ଆମ୍ଭେ ତୁମ୍ଭର ପିତା ହେଲୁ।” (A)
6 ଅନ୍ୟ ଗୋଟିଏ ସ୍ଥାନରେ ପରମେଶ୍ୱର କୁହନ୍ତି:
“ମଲ୍କୀଷେଦକଙ୍କ ପରି
ତୁମ୍ଭେ ଅନନ୍ତକାଳୀନ ଯାଜକ ଅଟ।” (B)
7 ଖ୍ରୀଷ୍ଟ ଜଗତରେ ଥିଲାବେଳେ ଯେ, ତାହାଙ୍କୁ ମୃତ୍ୟୁରୁ ରକ୍ଷା କରିବାକୁ ସମର୍ଥ, ସେହି ପରମେଶ୍ୱରଙ୍କୁ ଆକୁଳ ଭାବରେ ଅଶ୍ରୁପାତ ସହ ପ୍ରାର୍ଥନା ଓ ବିନତି ଉତ୍ସର୍ଗ କରିଥିଲେ। ଯେହେତୁ ଯୀଶୁ ପରମେଶ୍ୱରଙ୍କ ଇଚ୍ଛାନୁସାରେ କାମ କରୁଥିଲେ ଓ ନମ୍ର ଥିଲେ, ତେଣୁ ପରମେଶ୍ୱର ତାହାଙ୍କ ପ୍ରାର୍ଥନାରେ ପ୍ରତ୍ୟୁତ୍ତର ଦେଇଥିଲେ। 8 ଯୀଶୁ ପରମେଶ୍ୱରଙ୍କ ପୁତ୍ର ଥିଲେ। ତଥାପି ଦୁଃଖ ଭୋଗ ଦ୍ୱାରା ଆଜ୍ଞା ବହତା ଶିଖିଲେ। 9 ପୁଣି ଯୀଶୁ ନିର୍ଦ୍ଦୋଷ ଥିଲେ। ଅତଏବ ଯେଉଁମାନେ ତାହାଙ୍କର ଆଜ୍ଞା ମାନନ୍ତି ସେମାନେ ଅନନ୍ତ ଜୀବନ ପାଇ ପାରିବେ। 10 ପରମେଶ୍ୱର ମଲ୍କୀଷେଦକଙ୍କ ଭଳି ଯୀଶୁଙ୍କୁ ମହାଯାଜକ ରୂପେ ବାଛିଲେ।
ଜଣେ ଶମିରୋଣୀୟା ସ୍ତ୍ରୀ ସହିତ ଯୀଶୁଙ୍କର କଥାବାର୍ତ୍ତା
4 ଯୋହନଙ୍କ ଅପେକ୍ଷା ଯୀଶୁ ଅଧିକ ଶିଷ୍ୟ କରୁଥିବାର ଓ ବାପ୍ତିଜିତ ଦେଉଥିବାର ଖବର ଫାରୂଶୀମାନେ ଶୁଣିଲେ। 2 କିନ୍ତୁ ଯୀଶୁ ପ୍ରକୃତରେ ଲୋକମାନଙ୍କୁ ବାପ୍ତିସ୍ମ ଦେଉ ନ ଥିଲେ। ତାହାଙ୍କ ଶିଷ୍ୟମାନେ ତାହାଙ୍କ ପାଇଁ ଲୋକଙ୍କୁ ବାପ୍ତିସ୍ମ ଦେଉଥିଲେ। ଯୀଶୁ ଜାଣିଥିଲେ ଯେ ଫାରୂଶୀମାନେ ତାହାଙ୍କ ସମ୍ବନ୍ଧରେ ଶୁଣିଛନ୍ତି। 3 ତେଣୁ ସେ ସେତେବେଳେ ଯିହୂଦା ପ୍ରଦେଶ ଛାଡ଼ି ପୁଣି ଥରେ ଗାଲିଲୀକୁ ଗ୍ଭଲିଗଲେ। 4 ଯୀଶୁ ଗାଲିଲୀ ଗଲାବେଳେ ତାହାଙ୍କୁ ଶମିରୋଣ ଅଞ୍ଚଳ ବାଟ ଦେଇ ଯିବାକୁ ହେଲା।
5 ଯୀଶୁ ଶମିରୋଣର ସୁଖାରରେ ଆସି ପହଞ୍ଚିଲେ। ଏହି ନଗରଟି ଯାକୁବ ତାହାଙ୍କ ପୁତ୍ର ଯୋଷେଫଙ୍କୁ ଦେଇଥିବା ଜମି ପାଖରେ ଥିଲା। 6 ଯାକୁବଙ୍କ କୂଅ ସେଠାରେ ଥିଲା। ଯୀଶୁ ଗ୍ଭଲି ଗ୍ଭଲି କ୍ଳାନ୍ତ ହୋଇ ପଡ଼ିଥିଲେ। ତେଣୁ ସେ କୂଅ ପାଖରେ ବସି ପଡ଼ିଲେ। ଏହା ମଧ୍ୟାହ୍ନ ସମୟ ଥିଲା। 7 ସେତିକିବେଳେ ଜଣେ ଶମିରୋଣୀୟା ସ୍ତ୍ରୀ ସେହି କୂଅରୁ ପାଣି ନେବା ପାଇଁ ଆସିଲା। ଯୀଶୁ ତାକୁ କହିଲେ, “ମୋତେ ଦୟାକରି ମୁନ୍ଦେ ପାଣି ପିଇବାକୁ ଦିଅ।” 8 ସେ ସମୟରେ ତାହାଙ୍କ ଶିଷ୍ୟମାନେ କିଛି ଖାଦ୍ୟ କିଣିବା ପାଇଁ ନଗରକୁ ଯାଇଥିଲେ।
9 ସେହି ଶମିରୋଣୀୟା ସ୍ତ୍ରୀ ଜଣକ ତାହାଙ୍କୁ କହିଲା, “ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ, ଆପଣ ମୋତେ ପାଣି ପିଇବାକୁ ମାଗୁଛନ୍ତି। ଆପଣ ଜଣେ ଯିହୂଦୀ ଓ ମୁଁ ଜଣେ ଶମିରୋଣୀୟା ସ୍ତ୍ରୀ।” ଯିହୂଦୀମାନେ ଶମିରୋଣୀୟଙ୍କ ସହିତ ବନ୍ଧୁତା କରନ୍ତି ନାହିଁ।
10 ଯୀଶୁ ଉତ୍ତର ଦେଲେ, “ତୁମ୍ଭେ ପରମେଶ୍ୱର ଦେଉଥିବା ଜିନିଷ ବିଷୟରେ ଜାଣି ନାହଁ। ତୁମ୍ଭକୁ ଜଳ ମାଗୁଥିବା ବ୍ୟକ୍ତି, ଅର୍ଥାତ ମୁଁ କିଏ ତାହା ମଧ୍ୟ ତୁମ୍ଭେ ଜାଣି ନାହଁ। ତୁମ୍ଭେ ଯଦି ଏସବୁ କଥା ଜାଣିଥା’ନ୍ତ ତେବେ ତୁମ୍ଭେ ମୋତେ ମାଗନ୍ତ ଓ ମୁଁ ତୁମ୍ଭକୁ ଜୀବନ୍ତ ଜଳ ଦିଅନ୍ତି।”
11 ସେହି ସ୍ତ୍ରୀଲୋକଟି କହିଲା, “ମହାଶୟ, ଆପଣ କେଉଁଠାରୁ ସେହି ଜୀବନ୍ତ ଜଳ ପାଇବେ? କୂଅତ ଅତି ଗଭୀର ଓ ପାଣି କାଢ଼ିବା ପାଇଁ ଆପଣଙ୍କ ପାଖରେ କିଛି ନାହିଁ। 12 ଆପଣ କ’ଣ ଆମ ପୂର୍ବପୁରୁଷ ଯାକୁବଙ୍କଠାରୁ ଶ୍ରେଷ୍ଠ? ଯାକୁବ ହିଁ ଆମ୍ଭକୁ ଏହି କୂଅ ଦେଇଥିଲେ। ସେ ନିଜେ ଏହି କୂଅରୁ ଜଳ ପିଉଥିଲେ, ତାହାଙ୍କର ପୁତ୍ରମାନେ ଓ ସବୁ ପଶୁମାନେ ମଧ୍ୟ ଏହି କୂଅରୁ ଜଳ ପିଉଥିଲେ।”
13 ଯୀଶୁ ଉତ୍ତର ଦେଲେ, “ପ୍ରତ୍ୟେକ ଲୋକ ଏହି ଜଳ ପାନ କରିବା ପରେ ପୁଣି ତୃଷାର୍ତ୍ତ ହେବ। 14 କିନ୍ତୁ ମୁଁ ଯେଉଁ ଜଳ ପିଇବାକୁ ଦେବି, ତାହା ଯେଉଁ ଲୋକ ପିଇବ ସେ କଦାପି ତୃଷାର୍ତ୍ତ ହେବ ନାହିଁ। ମୁଁ ତାହାଙ୍କୁ ଯେଉଁ ଜଳ ଦେବି, ତାହା ଅନନ୍ତ ଜୀବନ ଜଳର ଝର ସ୍ୱରୁପେ ସର୍ବଦା ପ୍ରବାହିତ ହେବ।”
15 ସେ ସ୍ତ୍ରୀଲୋକଟି ଯୀଶୁଙ୍କୁ କହିଲା, “ମହାଶୟ, ମୋତେ ସେହି ଜଳ ଦିଅନ୍ତୁ। ମୁଁ ଆଉ ଯେପରି ଆଉ କେବେ ତୃଷାର୍ତ୍ତ ହେବି ନାହିଁ। ମୋତେ ଏଠାକୁ ଆଉ କେବେ ଜଳ ନେବା ପାଇଁ ଆସିବାକୁ ପଡ଼ିବ ନାହିଁ।”
16 ଯୀଶୁ ତାକୁ କହିଲେ, “ଯାଅ, ତୁମ୍ଭ ସ୍ୱାମୀଙ୍କୁ ଡାକି ଏଠାକୁ ଆସ।”
17 ସ୍ତ୍ରୀଲୋକଟି କହିଲା, “କିନ୍ତୁ ମୋର ସ୍ୱାମୀ ନାହିଁ।”
ଯୀଶୁ କହିଲେ, “ଠିକ୍ କଥା କହିଛ ତୁମ୍ଭର ସ୍ୱାମୀ ନାହିଁ। 18 ପ୍ରକୃତରେ ତୁମ୍ଭର ପାଞ୍ଚ ଜଣ ସ୍ୱାମୀ ଥିଲେ। ତୁମ୍ଭେ ବର୍ତ୍ତମାନ ଯେଉଁ ଲୋକ ସହିତ ରହିଛ, ସେ ତୁମ୍ଭର ସ୍ୱାମୀ ନୁହେଁ। ତୁମ୍ଭେ ମୋତେ ସତ୍ୟ କହିଲ।”
19 ସ୍ତ୍ରୀଲୋକଟି କହିଲା, “ମହାଶୟ, ମୁଁ ଜାଣିପାରୁଛି, ଆପଣ ଜଣେ ଭବିଷ୍ୟଦ୍ବକ୍ତା। 20 ଆମ୍ଭର ପିତୃପୁରୁଷମାନେ ଏହି ପର୍ବତରେ ଉପାସନା କରୁଥିଲେ। କିନ୍ତୁ ଯିହୂଦୀମାନେ କୁହନ୍ତି ଯେ ଯିରୁଶାଲମ ହେଉଛି ଉପାସନା କରିବା ନିମନ୍ତେ ଯଥାର୍ଥ ସ୍ଥାନ।”
21 ଯୀଶୁ ତାହାକୁ କହିଲେ, “ହେ ନାରୀ, ମୋତେ ବିଶ୍ୱାସ କର। ଏପରି ସମୟ ଆସୁଛି ଯେତେବେଳେ ତୁମ୍ଭେମାନେ ପରମପିତାଙ୍କର ଉପାସନା ଏ ପର୍ବତରେ କି ଯିରୁଶାଲମରେ କରିବ ନାହିଁ। 22 ତୁମ୍ଭେ ଶମିରୋଣୀୟମାନେ କିଛି ନ ଜାଣି ନ ବୁଝି ଉପାସନା କର। କିନ୍ତୁ ଆମ୍ଭେ ଯିହୂଦୀମାନେ କାହାକୁ ଉପାସନା କରୁ, ସବୁ ଜାଣୁ। ଯିହୂଦୀମାନଙ୍କଠାରୁ ପରିତ୍ରାଣ ଏ ଜଗତକୁ ଆସେ। 23 ଏପରି ସମୟ ଆସୁଛି, ଯେତେବେଳେ ପ୍ରକୃତ ଉପାସକମାନେ ପରମପିତାଙ୍କୁ ଆତ୍ମା ଓ ସତ୍ୟରେ ଉପାସନା କରିବେ। ସେହି ସମୟ ବର୍ତ୍ତମାନ ଉପସ୍ଥିତ। ସେହିଭଳି ଲୋକମାନଙ୍କୁ, ପରମପିତା ନିଜର ଉପାସକ ରୂପେ ଗ୍ରହଣ କରିବାକୁ ଗ୍ଭହାନ୍ତି। 24 ପରମେଶ୍ୱର ହିଁ ଆତ୍ମା। ତେଣୁ ପରମେଶ୍ୱରଙ୍କ ଉପାସନା କରୁଥିବା ଲୋକମାନେ ଆତ୍ମା ଓ ସତ୍ୟ ସହିତ ତାହାଙ୍କର ଉପାସନା କରିବା ଉଚିତ୍।”
25 ସେହି ସ୍ତ୍ରୀଲୋକଟି କହିଲା, “ମୁଁ ଜାଣେ ଯେ ମଶୀହ ଆସୁଛନ୍ତି।” “ଯେତେବେଳେ ମଶୀହ ଆସିବେ, ସେତେବେଳେ ସେ ଆମ୍ଭମାନଙ୍କୁ ସବୁ କଥା ବୁଝାଇ ଦେବେ।”
26 ଯୀଶୁ ତାହାକୁ କହିଲେ, “ଯେଉଁ ଲୋକ ବର୍ତ୍ତମାନ ତୁମ୍ଭ ସହିତ କଥାବାର୍ତ୍ତା କରୁଛି। ସେ ନିଜେ ମଶୀହ ଅଟେ।”
2010 by World Bible Translation Center