Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 118

118 ସଦାପ୍ରଭୁଙ୍କ ପ୍ରଶଂସା କର କାରଣ ସେ ମଙ୍ଗଳମୟ ପରମେଶ୍ୱର ଅଟନ୍ତି।
    ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
ଇସ୍ରାଏଲ ଏବେ କହନ୍ତୁ,
    “ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।”
ହାରୋଣର ପରିବାରବର୍ଗ [a] ବର୍ତ୍ତମାନ ଏବେ ଏହା କୁହନ୍ତୁ ଯେ,
    “ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।”
ହେ ସଦାପ୍ରଭୁଙ୍କର ଉପାସନା କରୁଥିବା ଲୋକମାନେ, ଏହା କୁହ,
    “ତାହାଙ୍କ ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।”

ମୁଁ ସଙ୍କଟରେ ଥିଲି, ତେଣୁ ସଦାପ୍ରଭୁଙ୍କର ସାହାଯ୍ୟ ପାଇଁ ଡାକିଲି।
    ସଦାପ୍ରଭୁ ଉତ୍ତର ଦେଲେ ଏବଂ ମୋତେ ସେଥିରୁ ମୁକ୍ତ କଲେ।
ସଦାପ୍ରଭୁ ମୋ’ ସହିତ ଅଛନ୍ତି, ତେଣୁ ମୁଁ ଭୟ କରିବି ନାହିଁ।
    ଲୋକମାନେ, ମୋତେ କ’ଣ କରି ପାରିବେ।
ସଦାପ୍ରଭୁ ମୋର ସାହାଯ୍ୟକାରୀ।
    ମୁଁ ମୋର ଶତ୍ରୁମାନଙ୍କର ପରାସ୍ତ ଦେଖିବି।
ଲୋକମାନଙ୍କଠାରେ ବିଶ୍ୱାସ ରଖିବା ଅପେକ୍ଷା
    ସଦାପ୍ରଭୁଙ୍କଠାରେ ରକ୍ଷା ପାଇଁ ନିର୍ଭର ରଖିବା ନିଶ୍ଚିତ ଉତ୍ତମ।
ଅଧିପତିମାନଙ୍କ ଉପରେ ବିଶ୍ୱାସ ରଖିବା ଅପେକ୍ଷା
    ପରମେଶ୍ୱରଙ୍କଠାରେ ଶରଣାଗତ ହେବା ଉତ୍ତମ।

10 ଶତ୍ରୁମାନେ ମୋତେ ଘେରି ଯାଇଥିଲେ,
    କିନ୍ତୁ ସଦାପ୍ରଭୁଙ୍କ ଶକ୍ତି ବଳରେ ମୁଁ ସେମାନଙ୍କୁ ପରାସ୍ତ କଲି।
11 ଶତ୍ରୁଗଣ ବାରମ୍ବାର ମୋତେ ଘେରି ରହୁଛନ୍ତି।
    ମୁଁ ସେମାନଙ୍କୁ ସଦାପ୍ରଭୁଙ୍କ ଶକ୍ତିରେ ପରାସ୍ତ କରିବି।
12 ଶତ୍ରୁମାନେ ମହୁମାଛି ଦଳ ପରି ମୋର ଚତୁର୍ପାର୍ଶ୍ୱରେ ବାରମ୍ବାର ଘେରିଗଲେ।
    କିନ୍ତୁ ସେମାନେ କଣ୍ଟା ବୁଦାର ନିଆଁ ପରି ଶୀଘ୍ର ନଷ୍ଟ ହେଲେ।
    ମୁଁ ସଦାପ୍ରଭୁଙ୍କ ଶକ୍ତିରେ ସେମାନଙ୍କୁ ପରାସ୍ତ କଲି।

13 ମୋର ଶତ୍ରୁମାନେ ମୋତେ ଆକ୍ରମଣ କରି ପ୍ରାୟ ଧ୍ୱଂସ କରିବା ଉପରେ ଥିଲେ,
    କିନ୍ତୁ ସଦାପ୍ରଭୁ ମୋତେ ସାହାଯ୍ୟ କଲେ।
14 ଯାହାଙ୍କୁ ମୁଁ ଗୀତରେ ଏବଂ ସ୍ତୁତିରେ [b] ପ୍ରଶଂସା କରେ, ସେ ହିଁ ସଦାପ୍ରଭୁ, ମୋର ଶକ୍ତି ଓ ସୁରକ୍ଷା।
    ସଦାପ୍ରଭୁ ମୋତେ ରକ୍ଷା କଲେ।
15 ଧାର୍ମିକମାନଙ୍କ ତମ୍ବୁରେ ଆନନ୍ଦ ଓ ବିଜୟ ଧ୍ୱନି ତୁମ୍ଭେ ଶୁଣିପାରିବ।
    ସଦାପ୍ରଭୁ ପୁନ୍ନରାୟ ତାଙ୍କର ମହାନ ଶକ୍ତି ପ୍ରଦର୍ଶନ କଲେ।
16 ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତ ବିଜୟ ପାଇଁ ଉତ୍ଥିତ ହେଲା।
    ଦେଖ, ସଦାପ୍ରଭୁ ପୁଣି ତାଙ୍କର ମହାଶକ୍ତି ଦେଖାଇଲେ।

17 ମୁଁ ମରିବି ନାହିଁ କିନ୍ତୁ ବଞ୍ଚିବି
    ଏବଂ ସଦାପ୍ରଭୁଙ୍କ କର୍ମସବୁ ବର୍ଣ୍ଣନା କରିବି।
18 ସଦାପ୍ରଭୁ ମୋତେ ବୃହତ୍ ଶାସ୍ତି ଦେଇଅଛନ୍ତି।
    ମାତ୍ର ସେ ମୋତେ ମରିବାକୁ ଦେଲେ ନାହିଁ।
19 ହେ ପରମେଶ୍ୱର, ମୋ’ ପାଇଁ ସତ୍ୟତାର ଫାଟ ସବୁ ଫିଟାଅ।
    ମୁଁ ତହିଁ ମଧ୍ୟରେ ପ୍ରବେଶ କରିବି ଏବଂ ସଦାପ୍ରଭୁଙ୍କୁ ପ୍ରଶଂସା କରିବି।
20 ଏହିସବୁ ସଦାପ୍ରଭୁଙ୍କର ଦ୍ୱାର ସମୂହ।
    କେବଳ ଧାର୍ମିକ ଲୋକମାନେ ତହିଁରେ ପ୍ରବେଶ କରି ପାରିବେ।
21 ହେ ସଦାପ୍ରଭୁ, ତୁମ୍ଭେ ମୋର ପ୍ରାର୍ଥନାର ଉତ୍ତର ଦେଇଥିବାରୁ ମୁଁ ତୁମ୍ଭକୁ ଧନ୍ୟବାଦ ଦେଉଛି।
    ମୋତେ ପରିତ୍ରାଣ କରିଥିବାରୁ ତୁମ୍ଭଙ୍କୁ ଧନ୍ୟବାଦ।

22 ନିର୍ମାଣକାରୀମାନେ ଯେଉଁ ପଥର ସବୁ ଅଗ୍ରାହ୍ୟ କଲେ।
    ତାହା କୋଣର ପ୍ରଧାନ ପଥର ହୋଇଅଛି।
23 ଏହାସବୁ ସଦାପ୍ରଭୁଙ୍କ କର୍ମ,
    କିନ୍ତୁ ଆମ୍ଭ ଦୃଷ୍ଟିରେ ଏହା ଆଶ୍ଚର୍ଯ୍ୟ।
24 ଆଜି ଦିନକୁ ସଦାପ୍ରଭୁ ହିଁ ତିଆରି କରିଛନ୍ତି।
    ଆସ ଆମ୍ଭେମାନେ ଆଜି ଆନନ୍ଦ ଓ ଉଲ୍ଲାସ କରିବା।

25 ଲୋକମାନେ କହନ୍ତି, “ହେ ସଦାପ୍ରଭୁ, ଆମ୍ଭକୁ ରକ୍ଷା କର।
    ସଦାପ୍ରଭୁ, ଆମ୍ଭକୁ ସଫଳତା ଦିଅ।”
26 ଯାଜକମାନେ କହନ୍ତି, “ଯିଏ ସଦାପ୍ରଭୁଙ୍କ ନାମରେ ଆସନ୍ତି ତାଙ୍କୁ ପରମେଶ୍ୱର ଆଶୀର୍ବାଦ କରନ୍ତୁ।
    ଆମ୍ଭେମାନେ ମଧ୍ୟ ସଦାପ୍ରଭୁଙ୍କ ମନ୍ଦିରରେ ଆଶୀର୍ବାଦ କରୁ।
27 ସଦାପ୍ରଭୁ ପରମେଶ୍ୱର ଅଟନ୍ତି।
    ଏବଂ ସେ ଆମ୍ଭମାନଙ୍କୁ ଗ୍ରହଣ କରନ୍ତି।
    ଯଜ୍ଞବେଦିର ଶିଙ୍ଗରେ ରଜ୍ଜୁଦ୍ୱାରା ମେଷକୁ ବାନ୍ଧ।”

28 ହେ ସଦାପ୍ରଭୁ, ତୁମ୍ଭେ ମୋର ପରମେଶ୍ୱର, ମୁଁ ତୁମ୍ଭ ନାମର ଧନ୍ୟବାଦ କରୁଛି।
    ମୁଁ ତୁମ୍ଭକୁ ପ୍ରଶଂସା କରୁଛି।
29 ସଦାପ୍ରଭୁଙ୍କର ପ୍ରଶଂସା କର, କାରଣ ସେ ମଙ୍ଗଳମୟ।
    ହଁ, ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।

ଗୀତସଂହିତା 145

ପ୍ରଶଂସାର ଗୀତ, ଦାଉଦଙ୍କ ରଚିତ।

145 ସେ ରାଜନ୍, ମୋର ପରମେଶ୍ୱର, ମୁଁ ତୁମ୍ଭର ପ୍ରଶଂସା କରିବି।
    ମୁଁ ସଦାସର୍ବଦା ତୁମ୍ଭ ନାମର ଧନ୍ୟବାଦ କରିବି।
ପ୍ରତିଦିନ ମୁଁ ତୁମ୍ଭର ପ୍ରଶଂସା କରେ।
    ପୁଣି ସଦାସର୍ବଦା ମୁଁ ତୁମ୍ଭ ନାମର ପ୍ରଶଂସା କରିବି।
ସଦାପ୍ରଭୁ ହେଉଛନ୍ତି ମହାନ ଏବଂ ସେ ଅତ୍ୟନ୍ତ ପ୍ରଶଂସନୀୟ।
    ଆମ୍ଭେମାନେ ତାହଙ୍କର ମହାନତାକୁ ପୁରାପୁରି ଜାଣି ପାରିବୁ ନାହିଁ।
ଲୋକମାନେ ପୁରୁଷାନୁକ୍ରମେ ତୁମ୍ଭ କ୍ରିୟା ସକଳର ପ୍ରଶଂସା କରନ୍ତୁ,
    ସେମାନେ ତୁମ୍ଭର କାର୍ଯ୍ୟ ବିଷୟରେ କୁହନ୍ତୁ।
ତୁମ୍ଭ ଗୌରବ ଓ ମହିମା ଆଶ୍ଚର୍ଯ୍ୟପୂର୍ଣ୍ଣ।
    ମୁଁ ତୁମ୍ଭ ଅ‌ଦ୍‌ଭୂତ କର୍ମ ବିଷୟ ଧ୍ୟାନ କରିବି।
ହେ ସଦାପ୍ରଭୁ, ଲୋକମାନେ ତୁମ୍ଭ ଭୟାନକ କର୍ମର ଶକ୍ତି ବିଷୟରେ ବ୍ୟକ୍ତି କରନ୍ତୁ।
    ପୁଣି ମୁଁ ତୁମ୍ଭର ମହାନତା ବିଷୟରେ ପ୍ରଗ୍ଭର କରିବି।
ଲୋକମାନେ ତୁମ୍ଭର ମହାନ ଉତ୍ତମତା ବିଷୟରେ କୁହନ୍ତୁ
    ଓ ସେମାନେ ତୁମ୍ଭ ଧାର୍ମିକତା ବିଷୟରେ ଗାନ କରନ୍ତୁ।

ସଦାପ୍ରଭୁ ଅତ୍ୟନ୍ତ ଦୟାବାନ, ସହାନୁଭୂତିଶୀଳ,
    ଧୈର୍ଯ୍ୟଶୀଳ ଏବଂ ସ୍ନେହଶୀଳ।
ସଦାପ୍ରଭୁ ସମସ୍ତଙ୍କ ପ୍ରତି ମଙ୍ଗଳମୟ।
    ପରମେଶ୍ୱରଙ୍କର ହସ୍ତକୃତ ସମସ୍ତ କର୍ମ ଉପରେ ତାହଙ୍କର ଦୟା ଥାଏ।
10 ସଦାପ୍ରଭୁ, ତୁମ୍ଭେ ଯାହା କରିଅଛ, ସେଗୁଡ଼ିକ ସମସ୍ତେ ତୁମ୍ଭର ପ୍ରଶଂସା କରନ୍ତୁ।
    ତୁମ୍ଭର ବିଶ୍ୱସ୍ତ ଅନୁସରଣକାରୀମାନେ ତୁମ୍ଭର ଧନ୍ୟବାଦ କରନ୍ତୁ।
11 ସେମାନେ ତୁମ୍ଭ ରାଜ୍ୟର ଗୌରବ ବ୍ୟକ୍ତ କରନ୍ତୁ
    ଓ ତୁମ୍ଭ ପରାକ୍ରମ ବିଷୟରେ କୁହନ୍ତୁ।
12 ତେଣୁ ଅନ୍ୟ ଲୋକମାନେ ତୁମ୍ଭର ମହାନ କାର୍ଯ୍ୟ ବିଷୟରେ ଜାଣିବେ
    ଏବଂ ତୁମ୍ଭର ଶାସନ କେତେ ଆଶ୍ଚର୍ଯ୍ୟଜନକ ଓ ମହାନ।
13 ହେ ସଦାପ୍ରଭୁ, ତୁମ୍ଭର ଶାସନ ଅନନ୍ତକାଳସ୍ଥାୟୀ ରହିବ।
    ତୁମ୍ଭେ ଅନନ୍ତକାଳ ରାଜତ୍ୱ କରିବ।

ସଦାପ୍ରଭୁଙ୍କ ଉପରେ ବିଶ୍ୱାସ କରାଯାଇ ପାରିବ, ଯାହା ସେ କୁହନ୍ତି।
    ସେ କରୁଥିବା ସମସ୍ତ କର୍ମ ଉପରେ ବିଶ୍ୱସ୍ତ। [a]
14 ସଦାପ୍ରଭୁ ସମସ୍ତ ପଡ଼ିବା ଲୋକଙ୍କୁ ଧରି ରଖନ୍ତି।
    ଏବଂ ନଇଁ ପଡ଼ୁଥିବା ଲୋକମାନଙ୍କୁ ଉଠାନ୍ତି।
15 ହେ ସଦାପ୍ରଭୁ, ସମସ୍ତ ସଜୀବ ପ୍ରାଣୀ ଖାଦ୍ୟ ପାଇଁ ତୁମ୍ଭକୁ ଅନାଇଥା’ନ୍ତି।
    କାରଣ ଉପଯୁକ୍ତ ସମୟରେ ତୁମ୍ଭେ ଆହାର ଯୋଗାଇ ଥାଅ।
16 ହେ ସଦାପ୍ରଭୁ, ତୁମ୍ଭେ ଆପଣା ହସ୍ତ ମେଲାଇ
    ପ୍ରତ୍ୟେକ ପ୍ରାଣୀର କାମନା ପୂର୍ଣ୍ଣ କରୁଛ।
17 ସଦାପ୍ରଭୁ ଯାହାକିଛି କରନ୍ତି ତାହା ଉତ୍ତମ
    ଓ ତାଙ୍କର ନିଜର ସମସ୍ତ କାର୍ଯ୍ୟ ବିଶ୍ୱସ୍ତତାକୁ ପ୍ରଦର୍ଶନ କରେ।
18 ସଦାପ୍ରଭୁ ସମସ୍ତ ପ୍ରାର୍ଥନାକାରୀଙ୍କର ନିକଟବର୍ତ୍ତୀ ଅଟନ୍ତି,
    ଯେଉଁମାନେ ତାଙ୍କୁ ସାହାଯ୍ୟ ପାଇଁ ଡାକନ୍ତି।
19 ସେ ଆପଣା ଅନୁସରଣକାରୀମାନଙ୍କ ବାଞ୍ଚା ପୂର୍ଣ୍ଣ କରନ୍ତି।
    ସେ ସେମାନଙ୍କର ଗୁହାରି ଶୁଣନ୍ତି ଏବଂ ସେମାନଙ୍କୁ ରକ୍ଷା କରନ୍ତି।
20 ସଦାପ୍ରଭୁ ସେହିମାନଙ୍କୁ ରକ୍ଷା କରନ୍ତି ଯେଉଁମାନେ ତାଙ୍କୁ ଭଲ ପାଆନ୍ତି,
    ମାତ୍ର ସମସ୍ତ ଦୁଷ୍ଟ ଲୋକମାନଙ୍କୁ ଧ୍ୱଂସ କରିବେ।
21 ମୁଁ ସଦାପ୍ରଭୁଙ୍କର ପ୍ରଶଂସା କରିବି!
    ସମୁଦାୟ ପ୍ରାଣୀ ଅନନ୍ତକାଳ ତାହଙ୍କର ପବିତ୍ର ନାମର ପ୍ରଶଂସା କରିବା ଉଚିତ୍।

ହୋଶେୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 13:4-14

“ମିଶରରେ ତୁମ୍ଭେମାନେ ବାସ କରିବା ଦିନଠାରୁ ଆମ୍ଭେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱର ହୋଇ ଆସିଛୁ। ତୁମ୍ଭେମାନେ ଆମ୍ଭ ବ୍ୟତୀତ ଅନ୍ୟ କୌଣସି ପ୍ରଭୁଙ୍କୁ ଜାଣି ନ ଥିଲ। ଆମ୍ଭେ ଏକମାତ୍ର ବ୍ୟକ୍ତି ଯେ କି ତୁମ୍ଭମାନଙ୍କୁ ରକ୍ଷା କରୁଥିଲୁ। ଆମ୍ଭେ ତୁମ୍ଭମାନଙ୍କୁ ମରୁଭୂମିରେ ଜାଣିଥିଲୁ-ଶୁଷ୍କ ଭୂମିରେ ତୁମ୍ଭମାନଙ୍କୁ ଜାଣିଥିଲୁ। ସେହି ଇସ୍ରାଏଲୀୟମାନଙ୍କୁ ଆମ୍ଭେ ଖାଦ୍ୟ ଦେଲୁ। ସେମାନେ ସେହି ଖାଦ୍ୟ ଖାଇଲେ। ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ଓ ସନ୍ତୁଷ୍ଟ ହେଲେ। ସେମାନେ ଗର୍ବୀ ହୋଇଗଲେ ଏବଂ ମୋତେ ଭୁଲିଗଲେ।

“ସେଥିପାଇଁ ଆମ୍ଭେ ସିଂହ ଓ ବ୍ୟାଘ୍ର ସଦୃଶ ହୋଇ ରାସ୍ତାକଡ଼ରେ ସେମାନଙ୍କୁ ଅପେକ୍ଷା କରିବା। ଭାଲୁ ପାଖରୁ ତା’ ଛୁଆକୁ ଅପହରଣ କଲେ ସେ ଯେପରି ହିଂସ୍ର ହୁଏ, ଆମ୍ଭେ ସେହିପରି ହିଂସ୍ର ହୋଇ ସେମାନଙ୍କୁ ଆକ୍ରମଣ କରିବା। ଆମ୍ଭେ ସେମାନଙ୍କୁ ଆକ୍ରମଣ କରି ସେମାନଙ୍କର ବକ୍ଷକୁ ବିଦାରଣ କରିବା। ସିଂହ ଓ ଅନ୍ୟ ବନ୍ୟ ପ୍ରାଣୀ ଶିକାରକୁ ଚିରି ଖାଇଲା ପରି ଆମ୍ଭେ ସେମାନଙ୍କୁ ସେହିପରି ଖଣ୍ତ ବିଖଣ୍ତିତ କରିବା।

ଇସ୍ରାଏଲକୁ ପରମେଶ୍ୱରଙ୍କ କ୍ରୋଧରୁ କେହି ରକ୍ଷା କରି ପାରିବେ ନାହିଁ

“ହେ ଇସ୍ରାଏଲ, ଆମ୍ଭେ ତୁମ୍ଭକୁ ସାହାଯ୍ୟ କଲୁ କିନ୍ତୁ ତୁମ୍ଭେ ଆମ୍ଭର ବିରୁଦ୍ଧରେ ଗଲ। ତେଣୁ ଆମ୍ଭେ ତୁମ୍ଭକୁ ଧ୍ୱଂସ କରିବା। 10 ତୁମ୍ଭର ରାଜା କେଉଁଠି? ତୁମ୍ଭର ସମସ୍ତ ନଗରରେ ସେ ତୁମ୍ଭମାନଙ୍କୁ ରକ୍ଷା କରି ପାରିବେ ନାହିଁ। ତୁମ୍ଭର ବିଗ୍ଭରକମାନେ କାହାନ୍ତି? ତୁମ୍ଭେମାନେ ସେମାନଙ୍କୁ ଏହା କହି ମାଗିଥିଲ, ‘ଆମ୍ଭକୁ ଜଣେ ରାଜା ଓ ନେତୃମଣ୍ତଳୀ ଦିଅ।’ 11 ଆମ୍ଭେ କ୍ରୋଧିତ ହେଲୁ ଓ ତୁମ୍ଭମାନଙ୍କର ଜଣେ ରାଜା ହେଲୁ। ଯେତେବେଳେ ଅତି କ୍ରୋଧିତ ହେଲୁ ତାଙ୍କୁ ଦୂରକୁ ନେଇଗଲୁ।

12 “ଇଫ୍ରୟିମର ପାପସବୁ
ଗୋଟିଏ ବିଡ଼ାରେ ବନ୍ଧା ହୋଇଛି।
    ସେଗୁଡ଼ିକ ନିରାପଦ ଜାଗାରେ ରଖାଯାଇଛି।
13 ସ୍ତ୍ରୀଲୋକର ପ୍ରସବ ବେଦନା ସଦୃଶ ତା’ର ଦଣ୍ତ କଷ୍ଟଦାୟକ ହେବ।
    ସେ ଜଣେ ଜ୍ଞାନୀ ପୁତ୍ର ହେବ ନାହିଁ।
ଏପରି ଏକ ସମୟ ଆସିବ
    ସେ ଆଉ ତିଷ୍ଠିବ ନାହିଁ।

14 “ଆମ୍ଭେ ସେମାନଙ୍କୁ ମୃତ୍ୟୁଠାରୁ ରକ୍ଷା କରିବା ଉଚିତ୍ କି?
    ଆମ୍ଭେ ସେମାନଙ୍କୁ ମହାମାରୀଠାରୁ ରକ୍ଷା କରିବା ଉଚିତ୍ କି?
ହେ ମୃତ କେଉଁଠାରେ ତୁମ୍ଭର ମହାମାରୀ ଅଛି?
    ହେ କବର, ତୁମ୍ଭର ଶକ୍ତି କେଉଁଠାରେ ଅଛି?
    ଦୟା ଆମ୍ଭଠାରୁ ଗୁପ୍ତ ରହିବ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 2:6-16

ପରମେଶ୍ୱରଙ୍କ ଜ୍ଞାନ

ଯେଉଁମାନେ ଅଭିଜ୍ଞ ଆମ୍ଭେ ସେହିମାନଙ୍କୁ ଜ୍ଞାନ ଶିକ୍ଷା ଦେଉ। କିନ୍ତୁ ଏହି ଜ୍ଞାନ ସଂସାରରୁ ନୁହେଁ, ଏହା ବର୍ତ୍ତମାନ ଯୁଗର ନେତା ମାନଙ୍କର ଜ୍ଞାନ ନୁହେଁ। ଏହି ନେତାମାନେ ଆପଣା ଶକ୍ତି ହରାଉ ଅଛନ୍ତି। କିନ୍ତୁ ଆମ୍ଭେମାନେ ପରମେଶ୍ୱରଙ୍କ ଗୂଢ଼ ଜ୍ଞାନର କଥା କହୁଛୁ। ଜଗତର ସୃଷ୍ଟି ହେବା ପୂର୍ବରୁ ଆମ୍ଭର ମହିମା ପାଇଁ ପରମେଶ୍ୱର ଏହି ଜ୍ଞାନର ଯୋଜନା କରିଥିଲେ। ଏହି ଜଗତର କୌଣସି ନେତା ଏହାକୁ ବୁଝି ପାରିଲେ ନାହିଁ। ଯଦି ସେମାନେ ବୁଝି ଥାଆନ୍ତେ, ତାହାହେଲେ ଗୌରବମୟ ପ୍ରଭୁଙ୍କୁ କ୍ରୁଶବିଦ୍ଧ କରି ମାରି ନ ଥା’ନ୍ତେ। କିନ୍ତୁ ଶାସ୍ତ୍ରମାନଙ୍କରେ ଏହିପରି ଲେଖା ଅଛି:

“କୌଣସି ଆଖି ଦେଖି ନାହିଁ।
    କୌଣସି କାନ ଶୁଣି ନାହିଁ।
କେହିହେଲେ କଳ୍ପନା କରି ନାହିଁ;
    ଯେ, ପରମେଶ୍ୱରଙ୍କୁ ପ୍ରେମ କରୁଥିବା ଲୋକଙ୍କ ପାଇଁ ପରମେଶ୍ୱର କ’ଣ ପ୍ରସ୍ତୁତ କରି ରଖିଛନ୍ତି।” (A)

10 କିନ୍ତୁ ପରମେଶ୍ୱର ଆତ୍ମାଙ୍କ ମାଧ୍ୟମରେ ଏହି ନିଗୂଢ଼ ବିଷୟମାନ ଆମକୁ ଦେଖାଇ ଦେଇଛନ୍ତି।

ଆତ୍ମା ସବୁ ଜାଣନ୍ତି। ସେ ପରମେଶ୍ୱରଙ୍କର ଅତି ଗୋପନୀୟ କଥା ମଧ୍ୟ ଜାଣନ୍ତି। 11 କୌଣସି ମନୁଷ୍ୟ ଏକ ମନୁଷ୍ୟର ମନକଥା ଜାଣିପାରେ ନାହିଁ। କେବଳ ମଣିଷ ଭିତରେ ଥିବା ଆତ୍ମା ତା’ର ମନକଥା ଜାଣି ପାରନ୍ତି। ସେହିଭଳି ପରମେଶ୍ୱରଙ୍କ ମନକଥା ତାଙ୍କରି ଆତ୍ମା ବ୍ୟତୀତ କିଏ ଜାଣି ପାରିବ? 12 ଆମ୍ଭେ ଜଗତର ଆତ୍ମା ଦ୍ୱାରା ପରମେଶ୍ୱରଙ୍କ ପ୍ରଦତ୍ତ ବିଷୟ ଗୁଡ଼ିକୁ ଜାଣି ପାରିବା।

13 ସେ ଗୁଡ଼ିକୁ କହିଲା ବେଳେ ମନୁଷ୍ୟର କଳ୍ପିତ ଜ୍ଞାନର ବାକ୍ୟ କହୁ ନାହୁଁ, ବରଂ ଆମ୍ଭେ ଆତ୍ମା ଦ୍ୱାରା ଶିଖିଥିବା ବାକ୍ୟ କହୁ। ଆମ୍ଭେ ଆତ୍ମିକ ବିଷୟ ବୁଝାଇବା ପାଇଁ ପବିତ୍ରଆତ୍ମାଙ୍କ ବାକ୍ୟ ବ୍ୟବହାର କରୁ। 14 ଯେଉଁ ଲୋକ ଆଧ୍ୟାତ୍ମିକ ନୁହେଁ, ସେ ପରମେଶ୍ୱରଙ୍କ ଆତ୍ମିକ ସତ୍ୟଗୁଡ଼ିକୁ ଗ୍ରହଣ କରେ ନାହିଁ। ସେ ଏହିସବୁ ବିଷୟ ଗୁଡ଼ିକୁ ମୁର୍ଖାମୀ ବୋଲି ଭାବେ। ସେ ଆତ୍ମାର ସତ୍ୟଗୁଡ଼ିକୁ ବୁଝିପାରେ ନାହିଁ, କାରଣ ସେଗୁଡ଼ିକୁ କେବଳ ଆଧ୍ୟାତ୍ମିକ ଭାବରେ ବିଗ୍ଭର କରି ହେବ। 15 କିନ୍ତୁ ଜଣେ ଆଧ୍ୟାତ୍ମିକ ଲୋକ ପ୍ରତ୍ୟେକ ବିଷୟର ଉଚିତ୍ ମୂଲ୍ୟାୟନ କରି ପାରିବ। ମାତ୍ର ସେ ନିଜେ କାହାରି ଦ୍ୱାରା ବିଗ୍ଭରିତ ହୋଇ ପାରିବ ନାହିଁ। 16 ଶାସ୍ତ୍ର କୁହେ:

“ପ୍ରଭୁଙ୍କ ମନ କିଏ ଜାଣି ଅଛି?
    କ’ଣ କରିବାକୁ ହେବ ବୋଲି ପ୍ରଭୁଙ୍କୁ କିଏ କହିବ?” (B)

କିନ୍ତୁ ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କର ମନ ପାଇଅଛୁ।

ମାଥିଉ ଲିଖିତ ସୁସମାଗ୍ଭର 14:1-12

ହେରୋଦ ଯୀଶୁଙ୍କ ବିଷୟରେ ଶୁଣିଲେ(A)

14 ସେହି ସମୟରେ ଯୀଶୁଙ୍କ ବିଷୟରେ ଲୋକେ ଯାହା କଥାବାର୍ତ୍ତା ହେଉଥିଲେ, ତାହା ଗାଲିଲୀର ଶାସକ ହେରୋଦ ଶୁଣିଲେ। ସେ ତାହାଙ୍କ ଗ୍ଭକରମାନଙ୍କୁ କହିଲେ, “ଏହି ବ୍ୟକ୍ତି ପ୍ରକୃତରେ ବାପ୍ତିଜକ ଯୋହନ। ସେ ନିଶ୍ଚୟ ମୃତ୍ୟୁରୁ ପୁଣି ବଞ୍ଚି ଉଠିଛି, ସେଥିପାଇଁ ଏହି ଶକ୍ତି ଏହା ପାଖରେ କାମ କରୁଛି ଓ ସେ ଆଶ୍ଚର୍ଯ୍ୟ କାର୍ଯ୍ୟ କରିବାକୁ ସକ୍ଷମ ହେଉଛି।”

ବାପ୍ତିଜକ ଯୋହନଙ୍କୁ କିପରି ହତ୍ୟା କରାଗଲା

ଏହି ସମୟ ପୂର୍ବରୁ ହେରୋଦ ଯୋହନଙ୍କୁ ବନ୍ଦୀ କରି ଶିକୁଳିରେ ବାନ୍ଧି କାରାଗାରରେ ନିକ୍ଷେପ କରିଥିଲେ। ସେ ହେରୋଦିଆଙ୍କ ଅନୁରୋଧକ୍ରମେ ଏ କଥା କରିଥିଲେ। ହେରୋଦିଆ ହେରୋଦଙ୍କ ଭାଇ ଫିଲି‌ପ୍‌ପଙ୍କ ସ୍ତ୍ରୀ ଥିଲେ। ହେରୋଦ ଯୋହନଙ୍କୁ ବନ୍ଦୀ କରିବାର କାରଣ ହେଲା, ଯୋହନ ବାରମ୍ବାର ହେରୋଦଙ୍କୁ କହୁଥିଲେ, “ତୁମ୍ଭେ ହେରୋଦିଆଙ୍କୁ ନିଜ ସ୍ତ୍ରୀ ଭାବରେ ରଖିବା ଠି‌କ୍‌ କାମ ନୁହେଁ।” ତେଣୁ ହେରୋଦ ଯୋହନଙ୍କୁ ମାରିଦେବାକୁ ଗ୍ଭହିଁଲେ, କିନ୍ତୁ ସେ ଲୋକମାନଙ୍କୁ ଭୟ କରୁଥିଲେ। କାରଣ ଲୋକେ ଯୋହନଙ୍କୁ ଜଣେ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ବୋଲି ବିଶ୍ୱାସ କରୁଥିଲେ।

ହେରୋଦଙ୍କ ଜନ୍ମଦିନ ଅବସରରେ ହେରୋଦିଆଙ୍କ ଝିଅ, ହେରୋଦ ଓ ତାହାଙ୍କ ଅତିଥିମାନଙ୍କ ଆଗରେ ନାଚିଲା। ଏଥିରେ ହେରୋଦ ବହୁତ ମୁ‌ଗ୍‌ଧ ହୋଇଗଲେ। ତେଣୁ ସେ ଶପଥ ପୂର୍ବକ ହେରୋଦିଆର ଝିଅକୁ ପ୍ରତିଶ୍ରୁତି ଦେଲେ, “ତୁମ୍ଭେ ଯାହାକିଛି ମାଗିବ, ତାହା ତୁମ୍ଭକୁ ଦିଆଯିବ।” ହେରୋଦିଆଙ୍କ ପ୍ରରୋଚନାରେ ଝିଅ କହିଲା, “ମୋତେ ବାପ୍ତିଜକ ଯୋହନଙ୍କ ମୁଣ୍ଡ ଗୋଟିଏ ଥାଳିରେ ଆଣି ଏହିଠାରେ ଦିଅନ୍ତୁ।”

ଏହା ଶୁଣି ହେରୋଦ ବହୁତ ଦୁଃଖୀ ହେଲେ। କିନ୍ତୁ ସେ ଶପଥ କରି ସାରିଥିଲେ, ଯେ ଝିଅ ଯାହା ମାଗିବ ତାହା ତାକୁ ସେ ଦେବେ। ତା’ ଛଡ଼ା ହେରୋଦଙ୍କ ସହିତ ଖାଉଥିବା ଅତିଥିମାନେ ମଧ୍ୟ ଶପଥ ଶୁଣିଥିଲେ। ତେଣୁ ହେରୋଦ ଝିଅକୁ ଯାହାକିଛି ସେ ମାଗିଥିଲେ ତାହା ଦେବା ପାଇଁ ଆଦେଶ ଦେଲେ। 10 ସେ କାରାଗାରରେ ଯୋହନଙ୍କ ମୁଣ୍ଡକାଟ କରିବା ପାଇଁ ଲୋକ ପଠାଇଲେ। 11 ତା’ପରେ ଗୋଟିଏ ଥାଳିରେ ଯୋହନଙ୍କ କଟାମୁଣ୍ଡ ଅଣାଗଲା। ତାହା ଝିଅକୁ ଦେଇ ଦିଆଗଲା। ଝିଅ କଟାମୁଣ୍ଡ ତା’ର ମା ହେରୋଦିଆଙ୍କ ପାଖକୁ ନେଇଗଲା। 12 ଯୋହନଙ୍କ ଶିଷ୍ୟମାନେ ଆସି ଯୋହନଙ୍କ ମୃତଦେହ ନେଇଯାଇ ସମାଧି ଦେଲେ। ତା’ପରେ ସେମାନେ ଯୀଶୁଙ୍କ ପାଖକୁ ଯାଇ ସବୁକଥା କହିଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center