Revised Common Lectionary (Semicontinuous)
ମରିୟମ ପରମେଶ୍ୱରଙ୍କ ସ୍ତୁତି କଲେ
46 ତା’ପରେ ମରିୟମ କହିଲେ,
“ମୋର ଆତ୍ମା ପ୍ରଭୁଙ୍କର ସ୍ତୁତି କରୁଛି।
47 ମୋର ହୃଦୟ ଆନନ୍ଦରେ ପରିପୂର୍ଣ୍ଣ। କାରଣ ପରମେଶ୍ୱର ମୋର ଉଦ୍ଧାର କର୍ତ୍ତା।
48 ମୋର କିଛି ମହତ୍ତ୍ୱ ନାହିଁ,
କିନ୍ତୁ ପରମେଶ୍ୱର ମୋ’ ଭଳି ଦୀନହୀନ ଦାସୀ ଉପରେ କୃପାଦୃଷ୍ଟି ପକାଇଲେ।
ଆଜିଠାରୁ ସମସ୍ତେ ମୋତେ ଧନ୍ୟ କହିବେ।
49 କାରଣ ସର୍ବଶକ୍ତିମାନ ପରମେଶ୍ୱର ମୋ’ ପାଇଁ ମହାନ୍ କାର୍ଯ୍ୟ ସବୁ କରିଛନ୍ତି।
ତାହାଙ୍କର ନାମ ପବିତ୍ର ହେଉ।
50 ଯେଉଁମାନେ ତାହାଙ୍କର ଉପାସନା କରନ୍ତି,
ସେ ସେମାନଙ୍କୁ ସଦାସର୍ବଦା ଦୟା କରନ୍ତି।
51 ସେ ତାହାଙ୍କର ବାହୁର ଶକ୍ତି ଦେଖାଇଛନ୍ତି।
ସେ ଅହଂକାରୀ ଲୋକମାନଙ୍କୁ ଛିନ୍ନଛତ୍ର କରି ସେମାନଙ୍କର ସମସ୍ତ ଯୋଜନା ଧ୍ୱଂସ କରିଦେଲେ।
52 ପରମେଶ୍ୱର ରାଜାମାନଙ୍କୁ ସିହାଂସନରୁ ତଳକୁ ଖସାଇ ଆଣିଲେ
ଓ ଦୀନହୀନ ଲୋକଙ୍କୁ ଉପରକୁ ଉଠାଇଲେ।
53 ସେ ଭୋକିଲା ଲୋକଙ୍କୁ ଭଲ ବିଷୟ ଦେଇ ତୃପ୍ତ କଲେ,
କିନ୍ତୁ ଧନୀ ଓ ସ୍ୱାର୍ଥପର ଲୋକଙ୍କୁ ଖାଲି ହାତରେ ଫେରାଇଦେଲେ।
54 ତାହାଙ୍କର ସେବା କରିବା ପାଇଁ ସେ ନିଜେ ବାଛିଥିବା ଇସ୍ରାଏଲର ଲୋକମାନଙ୍କୁ ସାହାଯ୍ୟ କଲେ।
ସେ ଆମ୍ଭମାନଙ୍କୁ ତାହାଙ୍କର କୃପା ପ୍ରଦାନ କରିଛନ୍ତି।
55 ସେ ଆମ୍ଭମାନଙ୍କ ପୂର୍ବପୁରୁଷଙ୍କୁ, ଅବ୍ରହାମ ଓ ତାହାଙ୍କର ସନ୍ତାନମାନଙ୍କୁ ସଦାସର୍ବଦା ଦୟା ଦେଖାଇବା ପାଇଁ ଦେଇଥିବା,
ତାହାଙ୍କ ପୂର୍ବ ପ୍ରତିଶ୍ରୁତି ପାଳନ କରିଛନ୍ତି।”
ରାଜ୍ୟର ପୁନରାଗମନ
6 ସଦାପ୍ରଭୁ କୁହନ୍ତି,
“ଆଘାତପ୍ରାପ୍ତ, ପଙ୍ଗୁ, ବିତାଡ଼ିତ ଓ ଦଣ୍ତିତ ଯିରୁଶାଲମକୁ
ଆମ୍ଭେ ପୁନର୍ବାର ଫେରାଇ ଆଣିବା।
7 “ଆମ୍ଭେ ସେହି ନଗରର ‘ପଙ୍ଗୁ’ ଲୋକମାନଙ୍କୁ
ଅବଶିଷ୍ଟାଂଶ ରୂପେ ରଖିବା
ଓ ବିତାଡ଼ିତ ହୋଇଥିବା ସେହି ଲୋକମାନଙ୍କୁ
ପୁଣି ଶକ୍ତିଶାଳୀ ଗୋଷ୍ଠୀରେ ପରିଣତ କରିବା।”
ସଦାପ୍ରଭୁ ସେମାନଙ୍କର ରାଜା ହେବେ
ଏବଂ ସେ ସିୟୋନ ପର୍ବତ ଉପରେ ଏବେଠାରୁ ଚିରକାଳ ପର୍ଯ୍ୟନ୍ତ ସେମାନଙ୍କ ଉପରେ ଶାସନ କରିବେ।
8 ପୁଣି ହେ ପଲର ଦୁର୍ଗ,
ତୁମ୍ଭର ସମୟ ଆସିବ।
ସିୟୋନ କନ୍ୟା, ପର୍ବତରେ ତୁମ୍ଭେ
ପୁନର୍ବାର ଶାସନ ଗାଦିରେ ରହିବ।
ଆଉ ଅତୀତ ପରି ଯିରୁଶାଲମ
ଗୋଟିଏ ଶକ୍ତିଶାଳୀ ରାଜ୍ୟ ହେବ।”
ଆମ୍ଭେ ଖ୍ରୀଷ୍ଟଙ୍କ ମହିମା ଦେଖିଲୁ
16 ଆମ୍ଭେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଶକ୍ତି ବିଷୟରେ ତୁମ୍ଭମାନଙ୍କୁ କହିଛୁ। ତାହାଙ୍କର ଆସିବା ବିଷୟ ତୁମ୍ଭମାନଙ୍କୁ କହିଛୁ। ସେଗୁଡ଼ିକ ଲୋକମାନଙ୍କ ବିଜ୍ଞାନ ପାଇଁ ମନଗଢ଼ା ଗଳ୍ପ ନୁହେଁ। ଆମ୍ଭେ ନିଜେ ନିଜ ଆଖିରେ ଯୀଶୁଙ୍କର ମହାନତା ଦେଖିଛୁ। 17 ଯେତେବେଳେ ପରମପିତା ପରମେଶ୍ୱରଙ୍କଠାରୁ ଯୀଶୁ ସମ୍ମାନ ଓ ମହିମା ପାଇଥିଲେ, ସେତେବେଳେ ଯୀଶୁ ପିତା ପରମେଶ୍ୱରଙ୍କ ମହାଗୌରବଯୁକ୍ତ ବାଣୀ ଶୁଣିଥିଲେ। ସେହି ସ୍ୱର କହିଥିଲା: “ଏ ମୋର ପୁତ୍ର, ମୁଁ ତାହାକୁ ପ୍ରେମ କରେ। ମୁଁ ତା’ ଉପରେ ଅତି ପ୍ରସନ୍ନ।” 18 ଆମ୍ଭେ ସେହି ବାଣୀ ଶୁଣିଛୁ। ଆମ୍ଭେମାନେ ଯୀଶୁଙ୍କ ସହିତ ପବିତ୍ର ପର୍ବତରେ ଥିଲାବେଳେ ଏହି ବାଣୀ ଆକାଶରୁ ଆସିଥିଲା।
19 ଭବିଷ୍ୟଦ୍ବକ୍ତା କହିଥିବା କଥାଗୁଡ଼ିକ ବିଷୟରେ ସୁନିଶ୍ଚିତ ହେବା ପାଇଁ ଏହା ଅଧିକ ସାହାଯ୍ୟ କରେ। ଭବିଷ୍ୟଦ୍ବକ୍ତାମାନେ ଯାହା ଯାହା କହିଛନ୍ତି, ସେଗୁଡ଼ିକୁ ଯଥାସମ୍ଭବ କାର୍ଯ୍ୟକାରୀ କରିବା ତୁମ୍ଭ ପାଇଁ ଭଲ। ସେମାନେ ଯାହା କହିଛନ୍ତି ତାହା ଅନ୍ଧକାରରେ ଜ୍ୟୋତିଃ ତୁଲ୍ୟ ପ୍ରକାଶିତ ହେଲା। ସକାଳ ହେବା ପର୍ଯ୍ୟନ୍ତ ଓ ପ୍ରଭାତୀ ତାରା ତୁମ୍ଭ ମନରେ ନୂତନ ଜ୍ୟୋତିଃ ନ ଆଣିବା ପର୍ଯ୍ୟନ୍ତ, ତୁମ୍ଭ ପାଖରେ ସେହି ଜ୍ୟୋତିଃ ଅଛି। 20 ଶାସ୍ତ୍ରର କୌଣସି ଭାବବାଣୀ ମନୁଷ୍ୟର ନିଜର ବ୍ୟାଖ୍ୟା ନୁହେଁ। 21 କୌଣସି ଭବିଷ୍ୟଦ୍ବାଣୀ, ମନୁଷ୍ୟର ନିଜର ଇଚ୍ଛାରୁ ଜାତ ହୋଇ ନାହିଁ। କିନ୍ତୁ ଲୋକମାନେ ପବିତ୍ରଆତ୍ମା ଦ୍ୱାରା ଗ୍ଭଳିତ ହୋଇ, ପରମେଶ୍ୱରଙ୍କଠାରୁ ପ୍ରାପ୍ତ କଥା କହି ଅଛନ୍ତି।
2010 by World Bible Translation Center