Revised Common Lectionary (Complementary)
146 ସଦାପ୍ରଭୁଙ୍କର ପ୍ରଶଂସା କର!
ମୁଁ ନିଜକୁ କହେ, ସଦାପ୍ରଭୁଙ୍କର ପ୍ରଶଂସା କର।
2 ମୁଁ ଜୀବନସାରା ସଦାପ୍ରଭୁଙ୍କର ପ୍ରଶଂସା କରିବି।
ମୁଁ ଜୀବନସାରା ମୋର ପରମେଶ୍ୱରଙ୍କର ପ୍ରଶଂସାର ଗୀତ ଗାଇବି।
3 ସାହାଯ୍ୟ ପାଇଁ ଅଧିପତିମାନଙ୍କ ଉପରେ ନିର୍ଭର ରଖ ନାହିଁ।
ଲୋକମାନଙ୍କ ପ୍ରତି ଭରସା କର ନାହିଁ।
କାରଣ ଲୋକମାନେ ତୁମ୍ଭକୁ ରକ୍ଷା କରି ପାରିବେ ନାହିଁ।
4 ଲୋକମାନେ ମରନ୍ତି ଓ କବର ନିଅନ୍ତି।
ଆଉ ସେହି ଦିନ, ସେମାନଙ୍କର ଯୋଜନା ସବୁ ମଧ୍ୟ ମରିଯାଏ।
5 କିନ୍ତୁ ସେହିମାନେ ଭାଗ୍ୟବାନ୍ ଯେଉଁମାନଙ୍କର ଯାକୁବର ପରମେଶ୍ୱର ଅଛନ୍ତି, ସେହିମାନଙ୍କୁ ସାହାଯ୍ୟ କରିବା ପାଇଁ,
ସେହିମାନେ ସେମାନଙ୍କର ପରମେଶ୍ୱର ସଦାପ୍ରଭୁଙ୍କ ଉପରେ ନିର୍ଭର କରନ୍ତି।
6 ସଦାପ୍ରଭୁ ସ୍ୱର୍ଗ, ପୃଥିବୀ, ସମୁଦ୍ର
ଏବଂ ଏଥିରେ ଥିବା ପ୍ରତ୍ୟେକ ବସ୍ତୁ ମଧ୍ୟ ତିଆରି କଲେ।
ସେ ସର୍ବଦା ବିଶ୍ୱସ୍ତ ଅଟନ୍ତି।
7 ସଦାପ୍ରଭୁ ଉପଦ୍ରବ ଗ୍ରସ୍ତ ଲୋକ ପକ୍ଷରେ ଯାହା ନ୍ୟାୟ ତାହା କରନ୍ତି।
ସେ କ୍ଷୁଧାର୍ତ୍ତମାନଙ୍କୁ ଖାଦ୍ୟ ଦିଅନ୍ତି।
ସଦାପ୍ରଭୁ ବନ୍ଦୀଗଣଙ୍କୁ ମୁକ୍ତ କରନ୍ତି।
8 ସଦାପ୍ରଭୁ ଆମ୍ଭମାନଙ୍କୁ ଦୃଷ୍ଟି ପ୍ରଦାନ କରନ୍ତି।
ସଦାପ୍ରଭୁ ବିପଦରେ ପଡ଼ୁଥିବା ଲୋକମାନଙ୍କୁ ଉଠାନ୍ତି।
ସଦାପ୍ରଭୁ ଧାର୍ମିକମାନଙ୍କୁ ପ୍ରେମ କରନ୍ତି।
9 ସଦାପ୍ରଭୁ ଆମ୍ଭ ଦେଶରେ ରହୁଥିବା ବିଦେଶୀମାନଙ୍କୁ ରକ୍ଷା କରନ୍ତି।
ସେ ପିତୃହୀନ ଓ ବିଧବାଙ୍କର ଯତ୍ନ ନିଅନ୍ତି,
ମାତ୍ର ସେ ଦୁଷ୍ଟମାନଙ୍କୁ ଧ୍ୱଂସ କରନ୍ତି।
10 ସଦାପ୍ରଭୁ ଚିରକାଳ ରାଜ୍ୟ କରିବେ।
ହେ ସିୟୋନ, ତୁମ୍ଭର ପରମେଶ୍ୱର ସଦାସର୍ବଦା ରାଜ୍ୟ କରିବେ।
ସଦାପ୍ରଭୁଙ୍କର ପ୍ରଶଂସା କର।
2 ଧନୀ ଓ ଗରିବ ସମସ୍ତେ ସମାନ। କାରଣ ସଦାପ୍ରଭୁ ସମସ୍ତଙ୍କର ସୃଷ୍ଟିକର୍ତ୍ତା।
3 ଚତୁର ଲୋକ ବିପଦ ଦେଖେ ଏବଂ ଏହାକୁ ଦୂର କରେ। ମାତ୍ର ଅବୋଧ ଲୋକମାନେ ବିପଦକୁ ଆବୋରି ନିଅନ୍ତି ଏବଂ କ୍ଷତିଗ୍ରସ୍ତ ହୁଅନ୍ତି।
4 ନମ୍ରତାର ଓ ସଦାପ୍ରଭୁଙ୍କ ବିଷୟକ ଭୟର ପୁରସ୍କାର ଧନ, ସମ୍ମାନ ଓ ଜୀବନ ଅଟେ।
5 କୁଟିଳ ଲୋକମାନଙ୍କ ପଥ କଣ୍ଟକାକୀର୍ଣ୍ଣ ଓ ଫାନ୍ଦପୂର୍ଣ୍ଣ। ଯେ ଆପଣା ପ୍ରାଣ ରକ୍ଷା କରେ, ସେମାନଙ୍କଠାରୁ ଦୂରରେ ରହିବ।
6 ନିଜର ଯୁବାବସ୍ଥାରେ ସଠିକ୍ ଜୀବନ ଧାରଣ କରିବା ପାଇଁ, ବାଳକକୁ ଶିକ୍ଷା ଦିଅ। ତେଣୁ ସେ ବୃଦ୍ଧ ହେଲେ ହେଁ ତହିଁରୁ ବିମୁଖ ହେବ ନାହିଁ।
7 ଧନବାନ ଦରିଦ୍ର ଉପରେ କର୍ତ୍ତୃତ୍ୱ କରେ, ପୁଣି ଋଣୀ ମହାଜନର ଦାସ ହୁଏ।
8 ଯେ ଅଧର୍ମ ବୀଜ ବୁଣେ, ସେ ବିପଦରୂପ ଶସ୍ୟ କାଟିବ ଏବଂ ତାହାର କୋପରୂପ ଦଣ୍ଡ ଲୁପ୍ତ ହେବ।
9 ଯାହାର ଦୟାଳୁ ଦୃଷ୍ଟି, ସେ ଆଶିଷ ପାଇବ, ଯେହେତୁ ସେ ଆପଣା ଆହାରରୁ ଦୀନହୀନକୁ ବିତରଣ କରେ।
10 ନିନ୍ଦକକୁ ବାହାର କରି ଦିଅ, ତହିଁରେ ବିବାଦ ଓ ଅପମାନ ବନ୍ଦ ହେବ।
11 ଯେଉଁ ଲୋକ ହୃଦୟରେ ପବିତ୍ର ତା'ର କଥା ଅନୁଗ୍ରହ ଯୁକ୍ତ, ସେ ରାଜାର ବନ୍ଧୁ ହୋଇ ପାରିବ।
12 ସଦାପ୍ରଭୁଙ୍କ ଚକ୍ଷୁ ଜ୍ଞାନପ୍ରାପ୍ତ ଲୋକକୁ ନଜର ରଖେ। ମାତ୍ର ବିଶ୍ୱାସଘାତକର ସେ ବିନାଶ କରନ୍ତି।
13 ଆଳସ୍ୟ ଲୋକ କହେ, “ବାହାରେ ସିଂହ ଅଛି। ମୁଁ ସଡ଼କରେ ହତ ହେବି।”
14 ପର ସ୍ତ୍ରୀର ମୁଖ ଗଭୀର ଗାତ ଅଟେ, ସଦାପ୍ରଭୁଙ୍କର ଘୃଣିତ ଲୋକ ତହିଁରେ ପଡ଼ିବ।
15 ପିଲାର ମନରେ ଅଜ୍ଞାନତା ଥାଏ। ପୁଣି ଶାସନ ବାଡ଼ି ତାହା ବାହାର କରି ତାହାଠାରୁ ଦୂର କରିଦିଏ।
16 ଯେଉଁ ଲୋକ ଆପଣା ଧନ ବଢ଼ାଇବା ପାଇଁ ଦରିଦ୍ର ପ୍ରତି ଉପଦ୍ରବ କରେ, ପୁଣି ଯେ ଧନିକି ଦାନ କରେ, ତାହାକୁ କେବଳ ଅଭାବ ଘଟିବ।
8 ମୁଁ ତୁମ୍ଭମାନଙ୍କୁ ଦାନ ଦେବା ପାଇଁ ଆଦେଶ ଦେଉ ନାହିଁ। କିନ୍ତୁ ମୁଁ ଦେଖିବାକୁ ଇଚ୍ଛା କରେ ଯେ, ପ୍ରକୃତରେ ତୁମ୍ଭମାନଙ୍କ ପ୍ରେମ ସତ୍ୟ ଅଟେ। ଅନ୍ୟ ଲୋକମାନେ ସାହାଯ୍ୟ କରିବା ପାଇଁ ଦେଖାଉଥିବା ଉତ୍ସାହ ବିଷୟରେ କହି ଏହା ମୁଁ ଦେଖାଇ ଦେବାକୁ ଗ୍ଭହେଁ। 9 ତୁମ୍ଭେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ସହିତ ପରିଚିତ। ତୁମ୍ଭେମାନେ ଜାଣ ଯେ, ଖ୍ରୀଷ୍ଟ ଈଶ୍ୱରଙ୍କଠାରେ ଧନୀ ହୋଇଥିଲେ ମଧ୍ୟ, ତୁମ୍ଭମାନଙ୍କ ପାଇଁ ସେ ଗରିବ ହେଲେ। ତାହାଙ୍କର ଗରିବ ହେବା ଦ୍ୱାରା ତୁମ୍ଭେମାନେ ଯେପରି ଧନୀ ହୁଅ, ସେଥିପାଇଁ ଯୀଶୁ ଖ୍ରୀଷ୍ଟ ଏପରି କଲେ।
10 ଏହି ବିଷୟରେ ମୁଁ ତୁମ୍ଭମାନଙ୍କୁ ନିଜର ପରାମର୍ଶ ଦେଉଛି। ଏହା ତୁମ୍ଭମାନଙ୍କ ପାଇଁ ସର୍ବଶ୍ରେଷ୍ଠ। ଗତ ବର୍ଷ ତୁମ୍ଭେମାନେ ପ୍ରଥମେ ଦାନ ଦେବା ପାଇଁ ଇଚ୍ଛା କରିଥିଲ ଓ ପ୍ରକୃତରେ ପ୍ରଥମେ ଦାନ ମଧ୍ୟ ଦେଇଥିଲ। ଅତଏବ ଯେଉଁ କାମଟିକୁ ତୁମ୍ଭେମାନେ ଆରମ୍ଭ କରିଥିଲ ତାହାକୁ ଶେଷ କର। 11 ତା'ହେଲେ ଯାଇ ତୁମ୍ଭମାନଙ୍କର “କରିବା” ତୁମ୍ଭମାନଙ୍କର “ଇଚ୍ଛା କରିବା” ସହିତ ସମାନ ହେବ। ତୁମ୍ଭମାନଙ୍କ ପାଖରେ ଯାହା ଅଛି ତହିଁରୁ ଦାନ କର। 12 ଯଦି ତୁମ୍ଭମାନଙ୍କର ଦାନ ଦେବାର ଇଚ୍ଛା ଅଛି, ତା'ହେଲେ ତୁମ୍ଭମାନଙ୍କର ଦାନ ଗ୍ରହଣୀୟ ହେବ। ତୁମ୍ଭମାନଙ୍କ ପାଖରେ ଯାହା ଅଛି, ସେହି ଅନୁସାରେ ତୁମ୍ଭମାନଙ୍କ ଦାନ ଗ୍ରାହ୍ୟ କରାଯିବ; ତୁମ୍ଭମାନଙ୍କ ପାଖରେ ଯାହା ନାହିଁ, ସେ ଅନୁସାରେ ନୁହେଁ। 13 ଅନ୍ୟମାନେ ଆରାମରେ ରହୁଥିବା ବେଳେ ତୁମ୍ଭେମାନେ ଦୁର୍ଦ୍ଦଶାରେ ରୁହ, ଏକ କଥା ଆମ୍ଭେ ଇଚ୍ଛା କରୁ ନାହୁଁ; ବରଂ ଆମ୍ଭେ ସବୁ ବିଷୟରେ ସମାନତା ଇଚ୍ଛା କରୁ। 14 ବର୍ତ୍ତମାନ ତୁମ୍ଭମାନଙ୍କ ପାଖରେ ବହୁତ ଅଛି। ଯାହା ତୁମ୍ଭମାନଙ୍କର ଅଛି, ଯଦି ଦିଅ, ତାହାହେଲେ ଅନ୍ୟମାନଙ୍କ ଆବଶ୍ୟକ ପୂରଣ ହେବ। ତା'ପରେ ଯେତେବେଳେ ସେମାନଙ୍କର ବୁଦ୍ଧି ହେବ, ସେମାନେ ତୁମ୍ଭମାନଙ୍କର ଆବଶ୍ୟକତାରେ ସାହାଯ୍ୟ କରିବେ। 15 ଶାସ୍ତ୍ରରେ ମଧ୍ୟ ଲେଖାଅଛି:
“ଯିଏ ଅଧିକ ସଂଗ୍ରହ କଲା ତାହା ପାଖରେ ଅଧିକ ରହିଲା ନାହିଁ,
ଓ ଯିଏ ଅଳ୍ପ ସଂଗ୍ରହ କଲା ତାହା ପାଖରେ ଅତି ଅଳ୍ପ ରହିଲା ନାହିଁ।”(A)
2010 by World Bible Translation Center