Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 1

ପ୍ରଥମ ପୁସ୍ତକ

(ଗୀତସଂହିତା 1–41)

ଜଣେ ବ୍ୟକ୍ତି ପ୍ରକୃତରେ ଆଶୀର୍ବାଦ ଗ୍ରହଣ କରିବ,
    ଯଦି ସେ ଦୁଷ୍ଟ ଲୋକଙ୍କ ଉପଦେଶ ଗ୍ରହଣ କରେ ନାହିଁ,
ପାପୀମାନଙ୍କ ପରି ଜୀବନଯାପନ କରେ ନାହିଁ,
    ସେହି ଲୋକମାନଙ୍କ ସହିତ ତା'ର ସମୟ କଟାଏ ନାହିଁ, ଯେଉଁମାନେ କି ପରମେଶ୍ୱରଙ୍କୁ ସମ୍ମାନ ଦେଖାନ୍ତି ନାହିଁ,
ଉତ୍ତମ ବ୍ୟକ୍ତି ସଦାପ୍ରଭୁଙ୍କ ପ୍ରତ୍ୟେକ ବ୍ୟବସ୍ଥାକୁ ଶ୍ରଦ୍ଧାରେ ଗ୍ରହଣ କରେ
    ଓ ଦିନରାତି ସଦାପ୍ରଭୁଙ୍କ ବ୍ୟବସ୍ଥା ଧ୍ୟାନ କରୁଥାଏ।
ତେଣୁ ସେହି ବ୍ୟକ୍ତି ଅଧିକ ବଳଶାଳୀ ହୁଏ,
    ପ୍ରଚୁର ପାଣି ପାଉଥିବା ବୃକ୍ଷର ସ୍ଥିତି ପରି।
ସେହି ବ୍ୟକ୍ତି ଠିକ୍ ସମୟରେ ଫଳ ଦେଉଥିବା ଗୋଟିଏ ବୃକ୍ଷପରି ଅଟେ।
ସେହି ବ୍ୟକ୍ତି ସେହି ବୃକ୍ଷ ପରି ଶକ୍ତିଶାଳୀ,
    ଯାହାର ପତ୍ର କେବେହେଲେ ଶୁଖିଯାଏ ନାହିଁ।
ସେ ଯାହା କରେ, ତହିଁରେ କୃତକାର୍ଯ୍ୟ ହୁଏ।

ଦୁଷ୍ଟ ଲୋକମାନେ ସେପରି ନୁହନ୍ତି।
    ଦୁଷ୍ଟ ଲୋକମାନେ କେବଳ ‘ଚୋପା’ ବା ‘ତୁଷ’ ଭଳି ଯାହାକୁ କି ସହଜରେ ପବନ ଉଡ଼ାଇ ନେଇପାରେ।
ଯଦି ଧାର୍ମିକ ବ୍ୟକ୍ତିମାନେ ଏକତ୍ରିତ ହୋଇ କୌଣସି ମକଦ୍ଦମା ଫଇସଲା କରିବାକୁ ଯିବେ, ତାହାହେଲେ ଦୁଷ୍ଟ ଲୋକମାନେ ସହଜରେ ଦୋଷୀ ସାବ୍ୟସ୍ତ ହୋଇଯିବେ।
    ସେହି ପାପୀମାନେ କେବେହେଲେ ନିରପରାଧୀ ବୋଲି ପ୍ରମାଣିତ ହୋଇ ପାରିବେ ନାହିଁ।
କାରଣ ସଦାପ୍ରଭୁ କେବଳ ଧାର୍ମିକ ବ୍ୟକ୍ତିମାନଙ୍କୁ ରକ୍ଷା କରନ୍ତି,
    ଦୁଷ୍ଟ ଲୋକମାନଙ୍କର କାର୍ଯ୍ୟ ବିନଷ୍ଟ କରନ୍ତି।

ଦ୍ୱିତୀୟ ବିବରଣ 7:12-26

12 “ଯଦି ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟସକଳ ଶାସନ ଶୁଣି, ମାନ ଓ ପାଳନ କର, ତେବେ ସଦାପ୍ରଭୁ ପରମେଶ୍ୱର ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ନିୟମ ଓ ଦୟା ବିଷୟରେ ଶପଥ କରିଅଛନ୍ତି, ସେ ତାହା ରକ୍ଷା କରିବେ। 13 ସେ ତୁମ୍ଭକୁ ସ୍ନେହ କରିବେ, ଆଶୀର୍ବାଦ କରିବେ ଓ ତୁମ୍ଭକୁ ବର୍ଦ୍ଧିଷ୍ଣୁ କରିବେ। ସେ ତୁମ୍ଭକୁ ଯେଉଁ ଦେଶ ଦେବା ପାଇଁ ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଶପଥ କରିଅଛନ୍ତି, ସେହି ଦେଶରେ ସେ ତୁମ୍ଭ ଗର୍ଭଫଳ ଓ ତୁମ୍ଭ ଭୂମିଫଳ ଓ ତୁମ୍ଭମାନଙ୍କର ଶସ୍ୟ ଓ ତୁମ୍ଭ ଦ୍ରାକ୍ଷାରସ ଓ ତୁମ୍ଭ ତୈଳ ଓ ତୁମ୍ଭ ଗୋରୁମାନଙ୍କ ବତ୍ସମାନଙ୍କ ସମସ୍ତଙ୍କୁ ଆଶୀର୍ବାଦ କରିବେ।

14 “ତୁମ୍ଭେ ସମସ୍ତ ଲୋକଙ୍କ ଅପେକ୍ଷା ଅଧିକ ଆଶୀର୍ବାଦ ପାଇବ, ତୁମ୍ଭମାନଙ୍କ ମଧ୍ୟରେ ପୁରୁଷ କି ସ୍ତ୍ରୀ କିମ୍ବା ତୁମ୍ଭମାନଙ୍କ ପଶୁଗଣ ମଧ୍ୟରେ କେହି ନିଃସନ୍ତାନ ହେବେ ନାହିଁ। 15 ପୁଣି ସଦାପ୍ରଭୁ ତୁମ୍ଭଠାରୁ ସମସ୍ତ ରୋଗ ଦୂର କରିବେ। ଆଉ ତୁମ୍ଭେ ମିସ୍ରୀୟ ଯେଉଁସବୁ ମନ୍ଦ ବ୍ୟାଧି ଜ୍ଞାତ ଅଟ, ତାହା ସେ ତୁମ୍ଭ ଉପରେ କରିବେ ନାହିଁ। ମାତ୍ର ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି, ସେମାନଙ୍କ ଉପରେ ତାହା କରିବେ। 16 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ହସ୍ତରେ ଯେଉଁ ଲୋକମାନଙ୍କୁ ସମର୍ପଣ କରିବେ, ତୁମ୍ଭେ ସେମାନଙ୍କୁ ଗ୍ରାସ କରିବ। ତୁମ୍ଭର ଚକ୍ଷୁ ସେମାନଙ୍କୁ ଦୟା କରିବ ନାହିଁ। କିଅବା ତୁମ୍ଭେ ସେମାନଙ୍କ ଦେବଗଣକୁ ସେବା କରିବ ନାହିଁ। କାରଣ ତାହା ତୁମ୍ଭମାନଙ୍କ ପାଇଁ ଫାନ୍ଦ ସ୍ୱରୂପ ହେବ।

ସଦାପ୍ରଭୁ ତାଙ୍କ ଲୋକମାନଙ୍କୁ ସାହାଯ୍ୟ କରିବାକୁ ପ୍ରତିଜ୍ଞା କଲେ

17 “ଯଦି ତୁମ୍ଭେମାନେ ‘ସେହି ଦେଶକୁ ତୁମ୍ଭମାନଙ୍କଠାରୁ ବଳଶାଳି ବୋଲି ବିବେଚନା କର, ତେବେ ତୁମ୍ଭେମାନେ ନିଜେ ଚିନ୍ତା କରିପାର ଆମ୍ଭେ କିପରି ସେମାନଙ୍କୁ ତଡ଼ି ଦେବା? ତଥାପି ତୁମ୍ଭେ ସେମାନଙ୍କୁ ଭୟ କରିବ ନାହିଁ।’ 18 ତୁମ୍ଭମାନଙ୍କର ମନେଥିବ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଫାରୋ ଓ ସମସ୍ତ ମିଶର ପ୍ରତି ଯେଉଁ କର୍ମମାନ କରିଛନ୍ତି। 19 ତୁମ୍ଭେମାନେ ଦେଖିଛ ଯେ ସଦାପ୍ରଭୁ ସେମାନଙ୍କ ପାଇଁ କି ଭୟଙ୍କର କାର୍ଯ୍ୟମାନ କରିଛନ୍ତି। ସେ କି ଆଶ୍ଚର୍ଯ୍ୟ କର୍ମମାନ କରିଛନ୍ତି। ସେ ତାଙ୍କର ପରାକ୍ରାନ୍ତ ହସ୍ତଦ୍ୱାରା ତୁମ୍ଭମାନଙ୍କୁ ମିଶରରୁ ବହାର କରି ଆଣିଛନ୍ତି। ତୁମ୍ଭକୁ ଯେଉଁମାନେ ଭୟ ପ୍ରଦର୍ଶନ କରିବେ ସଦାପ୍ରଭୁ ପରମେଶ୍ୱର ସେମାନଙ୍କୁ ସେହିପରି କାର୍ଯ୍ୟମାନ ସେମାନଙ୍କ ପ୍ରତି କରିବେ।

20 “ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ସେମାନଙ୍କ ପାଇଁ ବିରୁଡ଼ି ପଠାଇବେ, ଯେଉଁମାନେ ତୁମ୍ଭମାନଙ୍କ ହସ୍ତରୁ ରକ୍ଷା ପାଇବେ। ସେ ସେହି ଲୋକମାନଙ୍କୁ ଧ୍ୱଂସ କରିବେ। 21 ଏହି ଲୋକମାନଙ୍କୁ ଭୟ କର ନାହିଁ, କାରଣ ସଦାପ୍ରଭୁ ପରମେଶ୍ୱର ତୁମ୍ଭମାନଙ୍କ ସହିତ ରହିଛନ୍ତି। ସେ ମହାନ ଓ ଭୟଯୁକ୍ତ। 22 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ସମ୍ମୁଖରୁ ସେହି ଗୋଷ୍ଠୀୟ ଲୋକମାନଙ୍କୁ ଅଳ୍ପ ଅଳ୍ପ କରି କାଢ଼ିବେ। ତୁମ୍ଭେ ସେମାନଙ୍କୁ ଏକାବେଳେ ବିନାଶ କରିବ ନାହିଁ, କଲେ ବନ ପଶୁମାନେ ତୁମ୍ଭ ପ୍ରତିକୂଳରେ ବଢ଼ି ଉଠିବେ। 23 ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ଆଗରେ ସେମାନଙ୍କୁ ସମର୍ପଣ କରିବେ ଓ ସେମାନେ ବିନଷ୍ଟ ନ ହେବାଯାଏ ସେମାନଙ୍କୁ ମହାବ୍ୟାକୁଳରେ ବ୍ୟାକୁଳ କରିବେ। 24 ଆଉ ସେ ସେମାନଙ୍କର ରାଜାଗଣକୁ ତୁମ୍ଭ ହସ୍ତରେ ସମର୍ପଣ କରିବେ, ଯାହାଫଳରେ ତୁମ୍ଭେ ଆକାଶ ମଣ୍ତଳର ତଳୁ ସେମାନଙ୍କ ନାମ ପୋଛି ଦେବ। ଯେତେବେଳେ ତୁମ୍ଭେ ସେମାନଙ୍କୁ ବିନାଶ କରିବ କେହି ତୁମ୍ଭମାନଙ୍କୁ ଅଟକାଇବାକୁ ସମର୍ଥ ହେବ ନାହିଁ।

25 “ତୁମ୍ଭେମାନେ ସେମାନଙ୍କ ଦେବଗଣର ଖୋଦିତ ପ୍ରତିମା ସକଳ ଅଗ୍ନିରେ ଦ‌‌ଗ୍‌‌ଧ କରିବ। ତୁମ୍ଭେ ଯେମନ୍ତ ଫାନ୍ଦରେ ନ ପଡ଼ିବ ସେଥିପାଇଁ ସେ ସବୁରେ ଥିବା ରୂପା କି ସୁନା ପ୍ରତି ଲୋଭ କରିବ ନାହିଁ। କିଅବା ଆପଣା ନିମନ୍ତେ ତାହା ଗ୍ରହଣ କରିବ ନାହିଁ। କାରଣ ତାହା ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଘୃଣିତ ବସ୍ତୁ ଅଟେ। 26 ତୁମ୍ଭେ ସେହି ଘୃଣିତ ବସ୍ତୁଗୁଡ଼ିକ ନିଜ ଗୃହ ଭିତରକୁ ଆଣିବ ନାହିଁ। କାଳେ ତୁମ୍ଭେମାନେ ତାହା ତୁଲ୍ୟ ଅଭିଶପ୍ତ ହୋଇପାର। ତୁମ୍ଭେମାନେ ସେଗୁଡ଼ିକୁ ଅତିଶୟ ଘୃଣା କରିବା ଉଚିତ୍ ଓ ସେମାନେ ଅଭିଶପ୍ତ ହୁଅନ୍ତୁ ବୋଲି ବିବେଚନା କରିବ କାରଣ ସେମାନେ ବିଧ୍ୱଂସିତ ହେବାର ବସ୍ତୁ ଅଟନ୍ତି।

କଲସୀୟଙ୍କ ପ୍ରତି ପତ୍ର 4:7-17

ପାଉଲଙ୍କ ସାଥୀମାନଙ୍କ ବିଷୟରେ

ଯୀଶୁ ଖ୍ରୀଷ୍ଟଙ୍କ ପାଇଁ ମୋର ପ୍ରିୟ ଭାଇ ତୁଖିକ, ଜଣେ ବିଶ୍ୱାସୀ ସେବକ ଓ ମୋ’ ସହିତ ପ୍ରଭୁଙ୍କର ଜଣେ ସେବକ ଅଟନ୍ତି। ମୋ’ ସହିତ ଏଠାରେ ଯାହାକିଛି ଘଟୁଛି, ସେହି ସମସ୍ତ କଥା ସେ ତୁମ୍ଭମାନଙ୍କୁ କହିବେ। ସେଥିପାଇଁ ମୁଁ ତାହାଙ୍କୁ ପଠାଉଛି। ମୁଁ ଇଚ୍ଛା କରେ ଯେ, ଆମ୍ଭେମାନେ କିପରି ଅଛୁ, ତାହା ତୁମ୍ଭେମାନେ ଜାଣ। ସେ ତୁମ୍ଭମାନଙ୍କୁ ଉତ୍ସାହିତ କରିବେ। ମୁଁ ଅନୀସିମଙ୍କ ସହିତ ତାଙ୍କୁ ପଠାଉଛି। ଅନୀସିମ ଖ୍ରୀଷ୍ଟଙ୍କଠାରେ ଥିବା ଜଣେ ବିଶ୍ୱାସୀ ଓ ପ୍ରିୟ ଭାଇ ଅଟନ୍ତି। ସେ ତୁମ୍ଭମାନଙ୍କ ଦଳର ଅଟନ୍ତି। ତୁଖିକ ଓ ଅନୀସିମ, ଏଠାରେ ଘଟିଥିବା ସମସ୍ତ ବିଷୟ ତୁମ୍ଭମାନଙ୍କୁ କହିବେ।

10 ଅରିସ୍ତାର୍ଖଙ୍କ ନମସ୍କାର ଜଣାଉଛି। ସେ ମୋ’ ସହିତ ଜଣେ ସହବନ୍ଦୀ। ବର୍ଣ୍ଣବାଙ୍କ କୁଟୁମ୍ବୀୟ ଭାଇ ମାର୍କ ନମସ୍କାର କରୁଛନ୍ତି। (ମୁଁ ଆଗରୁ ତାହାଙ୍କ ବିଷୟରେ କହି ସାରିଛି। ସେ ଯଦି ଆସନ୍ତି, ତାହାଙ୍କୁ ସ୍ୱାଗତ କରିବ।) 11 ଯୁସ୍ତ ନାମରେ ମଧ୍ୟ ଖ୍ୟାତ, (ଯୀଶୁ) ତୁମ୍ଭମାନଙ୍କୁ ନମସ୍କାର ଜଣାଉଛନ୍ତି। ଯିହୂଦୀ ବିଶ୍ୱାସୀମାନଙ୍କ ମଧ୍ୟରେ କେବଳ ଏମାନେ ପରମେଶ୍ୱରଙ୍କ ରାଜ୍ୟ ପାଇଁ ମୋ’ ସହିତ କାମ କରନ୍ତି। ସେମାନେ ଏପର୍ଯ୍ୟନ୍ତ ମୋର ସାନ୍ତ୍ୱନାର କାରଣ ହୋଇଛନ୍ତି।

12 ଏପାଫ୍ରା ତୁମ୍ଭମାନଙ୍କୁ ନମସ୍କାର କରୁଛନ୍ତି। ସେ ଯୀଶୁ ଖ୍ରୀଷ୍ଟଙ୍କର ଜଣେ ସେବକ। ସେ ତୁମ୍ଭମାନଙ୍କ ଦଳର ଲୋକ। ସେ ସର୍ବଦା ତୁମ୍ଭମାନଙ୍କ ପାଇଁ ପ୍ରାର୍ଥନା କରନ୍ତି। ତୁମ୍ଭେମାନେ ଆଧ୍ୟାତ୍ମିକ ଭାବରେ ପରିପକ୍ୱ ହୁଅ, ଓ ପରମେଶ୍ୱର ଯାହାକିଛି ଇଚ୍ଛା କରନ୍ତି, ସେ ଭଳି ହୁଅ ବୋଲି ସେ ପ୍ରାର୍ଥନା କରନ୍ତି। 13 ସେ ତୁମ୍ଭମାନଙ୍କ ପାଇଁ ଲାଅଦିକୀଆ ଏବଂ ହିଏରାପଲିର ଲୋକମାନଙ୍କ ପାଇଁ କଠିନ ପରିଶ୍ରମ କରନ୍ତି ବୋଲି ମୁଁ ଜାଣେ। 14 ଦୀମା ଓ ଆମ୍ଭର ପ୍ରିୟ ବୈଦ୍ୟ ଲୂକ ନମସ୍କାର କରୁଛନ୍ତି।

15 ଲାଅଦିକୀଆର ଭାଇ ଓ ଭଉଣୀମାନଙ୍କୁ ନମସ୍କାର ଜଣାଅ। ନୁ‌‌ମ୍‌‌ଫା ଓ ତାଙ୍କ ଘରେ ମିଳିତ ହେଉଥିବା ମଣ୍ଡଳୀକୁ ନମସ୍କାର ଜଣାଅ। 16 ଏହି ପତ୍ରଟି ତୁମ୍ଭ ପାଖରେ ପଢ଼ା ଯାଇ ସାରିଲା ପରେ, ଲାଅଦିକୀଆର ମଣ୍ଡଳୀକୁ ଏହି ପତ୍ରଟି ପଢ଼ିବାକୁ ଦିଅ। ଲାଅଦିକୀଆକୁ ଯେଉଁ ପତ୍ର ମୁଁ ଲେଖୁଛି, ତାକୁ ମଧ୍ୟ ତୁମ୍ଭେମାନେ ପଢ଼। 17 ଆର୍ଖି‌ପ୍‌ପଙ୍କୁ କୁହ: “ପ୍ରଭୁ ଯେଉଁ କାମ ତୁମ୍ଭକୁ ଦେଇଛନ୍ତି, ତାହା ତୁମ୍ଭେ ନିଶ୍ଚିତ ହୋଇ କର।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center