Revised Common Lectionary (Complementary)
ପ୍ରଥମ ପୁସ୍ତକ
(ଗୀତସଂହିତା 1–41)
1 ଜଣେ ବ୍ୟକ୍ତି ପ୍ରକୃତରେ ଆଶୀର୍ବାଦ ଗ୍ରହଣ କରିବ,
ଯଦି ସେ ଦୁଷ୍ଟ ଲୋକଙ୍କ ଉପଦେଶ ଗ୍ରହଣ କରେ ନାହିଁ,
ପାପୀମାନଙ୍କ ପରି ଜୀବନଯାପନ କରେ ନାହିଁ,
ସେହି ଲୋକମାନଙ୍କ ସହିତ ତା'ର ସମୟ କଟାଏ ନାହିଁ, ଯେଉଁମାନେ କି ପରମେଶ୍ୱରଙ୍କୁ ସମ୍ମାନ ଦେଖାନ୍ତି ନାହିଁ,
2 ଉତ୍ତମ ବ୍ୟକ୍ତି ସଦାପ୍ରଭୁଙ୍କ ପ୍ରତ୍ୟେକ ବ୍ୟବସ୍ଥାକୁ ଶ୍ରଦ୍ଧାରେ ଗ୍ରହଣ କରେ
ଓ ଦିନରାତି ସଦାପ୍ରଭୁଙ୍କ ବ୍ୟବସ୍ଥା ଧ୍ୟାନ କରୁଥାଏ।
3 ତେଣୁ ସେହି ବ୍ୟକ୍ତି ଅଧିକ ବଳଶାଳୀ ହୁଏ,
ପ୍ରଚୁର ପାଣି ପାଉଥିବା ବୃକ୍ଷର ସ୍ଥିତି ପରି।
ସେହି ବ୍ୟକ୍ତି ଠିକ୍ ସମୟରେ ଫଳ ଦେଉଥିବା ଗୋଟିଏ ବୃକ୍ଷପରି ଅଟେ।
ସେହି ବ୍ୟକ୍ତି ସେହି ବୃକ୍ଷ ପରି ଶକ୍ତିଶାଳୀ,
ଯାହାର ପତ୍ର କେବେହେଲେ ଶୁଖିଯାଏ ନାହିଁ।
ସେ ଯାହା କରେ, ତହିଁରେ କୃତକାର୍ଯ୍ୟ ହୁଏ।
4 ଦୁଷ୍ଟ ଲୋକମାନେ ସେପରି ନୁହନ୍ତି।
ଦୁଷ୍ଟ ଲୋକମାନେ କେବଳ ‘ଚୋପା’ ବା ‘ତୁଷ’ ଭଳି ଯାହାକୁ କି ସହଜରେ ପବନ ଉଡ଼ାଇ ନେଇପାରେ।
5 ଯଦି ଧାର୍ମିକ ବ୍ୟକ୍ତିମାନେ ଏକତ୍ରିତ ହୋଇ କୌଣସି ମକଦ୍ଦମା ଫଇସଲା କରିବାକୁ ଯିବେ, ତାହାହେଲେ ଦୁଷ୍ଟ ଲୋକମାନେ ସହଜରେ ଦୋଷୀ ସାବ୍ୟସ୍ତ ହୋଇଯିବେ।
ସେହି ପାପୀମାନେ କେବେହେଲେ ନିରପରାଧୀ ବୋଲି ପ୍ରମାଣିତ ହୋଇ ପାରିବେ ନାହିଁ।
6 କାରଣ ସଦାପ୍ରଭୁ କେବଳ ଧାର୍ମିକ ବ୍ୟକ୍ତିମାନଙ୍କୁ ରକ୍ଷା କରନ୍ତି,
ଦୁଷ୍ଟ ଲୋକମାନଙ୍କର କାର୍ଯ୍ୟ ବିନଷ୍ଟ କରନ୍ତି।
ମିଶରରେ ଯୋଷେଫ ପୋଟୀଫରକୁ ବିକ୍ରି ହେଲେ
39 ଯୋଷେଫ ମିଶର ଦେଶକୁ ଅଣାଯାଆନ୍ତେ ଫାରୋଙ୍କର ଜଣେ ଭୃତ୍ୟ ଅର୍ଥାତ୍ ମିସ୍ରୀୟ ପୋଟୀଫର ନାମକ ରକ୍ଷକ ସେନାପତି ତାଙ୍କର ଆନୟନକାରୀ ଇଶ୍ମାଏଲୀୟମାନଙ୍କଠାରୁ ଯୋଷେଫଙ୍କୁ କିଣିଲା। 2 କିନ୍ତୁ ସଦାପ୍ରଭୁ ଯୋଷେଫଙ୍କର ସହାୟ ହେଲେ ଓ ଯୋଷେଫ ଜଣେ ଭାଗ୍ୟବାନ୍ ପୁରୁଷ ହେଲେ। ଆଉ ସେ ଆପଣା ମିସ୍ରୀୟ କର୍ତ୍ତାର ଗୃହରେ ବାସ କଲେ।
3 ପୋଟୀଫର ଦେଖିଲେ ଯେ ସଦାପ୍ରଭୁ ଯୋଷେଫଙ୍କର ସହାୟ ଅଟନ୍ତି। ପୋଟୀଫର ଦେଖିଲେ ସଦାପ୍ରଭୁ ସହାୟ ଯୋଗୁଁ ସେ ଯେଉଁ କାର୍ଯ୍ୟ କରୁଛି ତାହା ସୁଗ୍ଭରୁ ରୂପେ କରି ପାରୁଛି। 4 ପୋଟୀଫର ଯୋଷେଫଙ୍କୁ ପାଇ ବହୁତ ଖୁସୀ ହେଲେ। ସେ ଯୋଷେଫକୁ ଆପଣାର ଗୃହାଧ୍ୟକ୍ଷ କରି ତାଙ୍କର ହସ୍ତରେ ସର୍ବଶ୍ୱ ସମର୍ପଣ କଲେ। 5 ଏହି ପ୍ରକାରେ ସେ ଯୋଷେଫଙ୍କୁ ଆପଣା ଗୃହ ଓ ସର୍ବସ୍ୱର ଅଧ୍ୟକ୍ଷ କରିବା ଦିନଠାରୁ ସଦାପ୍ରଭୁ ଯୋଷେଫଙ୍କ ଲାଗି ସେହି ମିସ୍ରୀୟ ଲୋକର ଗୃହ ଉପରେ ଆଶୀର୍ବାଦ କଲେ। ଗୃହ ଓ କ୍ଷେତ୍ରସ୍ଥିତ ସମସ୍ତ ସମ୍ପଦ ପ୍ରତି ସଦାପ୍ରଭୁଙ୍କର ଆଶୀର୍ବାଦ ବର୍ଷିଲା। 6 ପୋଟୀଫର ଯୋଷେଫଙ୍କୁ ସବୁ ଦାୟୀତ୍ୱ ଦେଇ, ସେ ତାଙ୍କର ଖାଇବା ବିନା କୌଣସି ପାଇଁ ବ୍ୟସ୍ତ ହେଲେ ନାହିଁ।
ଯୋଷେଫ ପୋଟୀଫରର ସ୍ତ୍ରୀକୁ ଅସ୍ୱୀକାର କଲେ
ଯୋଷେଫ ଦେଖିବାକୁ ବହୁତ ସୁନ୍ଦର ଥିଲେ। 7 କିଛି ଦିନ ପରେ ଯୋଷେଫଙ୍କର ମୁନିବର ସ୍ତ୍ରୀ ଯୋଷେଫଙ୍କୁ ନଜର ପକେଇବାକୁ ଲାଗିଲା। ଦିନେ ସେହି ସ୍ତ୍ରୀ ଯୋଷେଫକୁ ଅନୁରୋଧ କଲା, “ମୋ’ ସହିତ ଶୟନ କର।”
8 କିନ୍ତୁ ଯୋଷେଫ ମନା କରି କହିଲେ, “ଦେଖ ଏ ଗୃହରେ ଯାହା ଅଛି ମୋ’ ମୁନିବ ତହିଁର ତତ୍ତ୍ୱ ନିଅନ୍ତି ନାହିଁ। ସେ ମୋ’ ହସ୍ତରେ ଆପଣାର ସର୍ବଶ୍ୱ ସମର୍ପଣ କରିଛନ୍ତି। 9 ଏହି ଗୃହରେ ସେ ମୋତେ ତାଙ୍କ ସହିତ ସମାନ କରିଛନ୍ତି। ମୁଁ ତାଙ୍କ ସ୍ତ୍ରୀ ସହିତ ଶୟନ କରି ପାରିବି ନାହିଁ। ଏହା ଭୁଲ୍ ଅଟେ, ଏହା ପରମେଶ୍ୱରଙ୍କ ବିରୁଦ୍ଧରେ ପାପ ତୁଲ୍ୟ।”
10 ସେହି ସ୍ତ୍ରୀଲୋକଟି ସର୍ବଦା ତାହାଙ୍କ ସହିତ କଥା ହୁଏ। କିନ୍ତୁ ସେ ତାଙ୍କ ସହ ଶୟନ କରିବା ପାଇଁ ସର୍ବଦା ମନା କରନ୍ତି। 11 ଦିନେ ଯୋଷେଫ ଘରକୁ ତାଙ୍କର କିଛି କାର୍ଯ୍ୟ କରିବାକୁ ଗଲେ। ସେହି ସମୟରେ ସେ ଏକା ସେହି ଘରେ ଥିଲେ। 12 ତାଙ୍କର ମୁନିବଙ୍କର ସ୍ତ୍ରୀ ତାଙ୍କର ବସ୍ତ୍ରକୁ ଧରି ଟାଣି କହିଲା, “ମୋ’ ପାଖରେ ଶୟନ କର।” କିନ୍ତୁ ଯୋଷେଫ ସେ ଘରୁ ଖସି ଦୌଡ଼ି ପଳାଇ ଆସିଲେ କିନ୍ତୁ ତା'ର ହାତରେ ତାଙ୍କର ବସ୍ତ୍ର ରହିଗଲା।
13 ସ୍ତ୍ରୀଲୋକଟି ଦେଖିଲା ତା’ ହାତରେ ଯୋଷେଫଙ୍କର ବସ୍ତ୍ର ରହିଗଲା ଏବଂ ସେ ଦୌଡ଼ି ପଳାଇଲା। 14 ସେ ଗୃହର ବାହାର ଲୋକମାନଙ୍କୁ ଡାକି କହିଲା, “ଦେଖ, ସେ ଆମ୍ଭମାନଙ୍କ ସଙ୍ଗରେ ପରିହାସ କରିବା ନିମନ୍ତେ ଜଣେ ଏବ୍ରୀୟକୁ ଆଣିଛନ୍ତି। ସେ ଭିତରକୁ ପଶି ମୋ’ ସହିତ ଶୟନ କରିବାକୁ କହିଲା। ମୁଁ ବଡ଼ ପାଟିରେ ଡାକ ପକାଇଲି। 15 ମୋର ବଡ଼ ପାଟିରେ ଡାକିବାର ଶୁଣି ସେ ତା'ର ବସ୍ତ୍ର ମୋ’ ପାଖରେ ଛାଡ଼ି ଦୌଡ଼ି ପଳାଇ ଗଲା।” 16 ଏହା ପରେ ସେ ସେହି ବସ୍ତ୍ର ତା'ର ସ୍ୱାମୀ ଆସିବା ପର୍ଯ୍ୟନ୍ତ ତା’ ପାଖରେ ରଖିଲା। 17 ସେ ତା'ର ସ୍ୱାମୀକୁ ସେହିସବୁ କଥାମାନ କହିଲା। ସେ କହିଲା, “ତୁମ୍ଭେ ଯେଉଁ ଏବ୍ରୀୟ ଦାସକୁ ଆଣିଅଛ ସେ ମୋତେ ପରିହାସ କରିବାକୁ ମୋ’ ପାଖକୁ ଆସିଲା। 18 କିନ୍ତୁ ସେ ଯେତେବେଳେ ମୋ’ ପାଖକୁ ଆସିଲା ମୁଁ ବଡ଼ ପାଟି କରିବାରୁ ସେ ତା'ର ବସ୍ତ୍ର ଛାଡ଼ି ବାହାରକୁ ଦୌଡ଼ି ପଳାଇଗଲା।”
19 ଯୋଷେଫଙ୍କର ମୁନିବ ତାଙ୍କର ସ୍ତ୍ରୀଠାରୁ ଏ ସମସ୍ତ ଶୁଣିଲେ। ଏବଂ ସେ ବହୁତ କ୍ରୋଧ ହେଲେ। 20 ସେଠାରେ ଏକ କାରାଗାର ଥିଲା ଯେଉଁଠାରେ ରାଜାଙ୍କର ଶତ୍ରୁମାନେ ରହୁଥିଲେ। ତେଣୁ ପୋଟୀଫର ଯୋଷେଫଙ୍କୁ ସେହି କାରାଗୃହରେ ରଖିଲା। ଏବଂ ଯୋଷେଫ ସେହିଠାରେ ରହିଲେ।
ଯୋଷେଫ କାରାଗାରରେ ରହିଲେ
21 କିନ୍ତୁ ସଦାପ୍ରଭୁ ଯୋଷେଫଙ୍କର ସହାୟ ଥିଲେ। ସଦାପ୍ରଭୁ ତାହା ପ୍ରତି କୃପା ପ୍ରକାଶ କରି କାରାଗାର ରକ୍ଷକଙ୍କର ଦୃଷ୍ଟିରେ ତାଙ୍କୁ ଅନୁଗ୍ରହର ପାତ୍ର କଲେ। 22 ତହିଁରେ ସେହି କାରାରକ୍ଷକ ବନ୍ଦୀଶାଳାସ୍ଥିତ ସମସ୍ତ ବନ୍ଦୀ ଲୋକଙ୍କର ଭାର ଯୋଷେଫଙ୍କ ହସ୍ତରେ ସମର୍ପଣ କଲେ। ପୁଣି ସେମାନେ ଯାହା କଲେ ସେହି ସକଳର କର୍ତ୍ତା ସେ ହେଲେ। 23 କାରାରକ୍ଷକ ଯୋଷେଫଙ୍କର ହସ୍ତଗତ କୌଣସି ବିଷୟରେ ଦୃଷ୍ଟିପାତ କଲେ ନାହିଁ। କାରଣ ସଦାପ୍ରଭୁ ତାଙ୍କର ସହବର୍ତ୍ତୀ ଥିଲେ। ପୁଣି ସେ ଯାହା କଲେ ସଦାପ୍ରଭୁ ତାହା ସିଦ୍ଧ କଲେ।
25 ଏପାଫ୍ରାଦିତ ଖ୍ରୀଷ୍ଟଙ୍କଠାରେ ମୋର ଭାଇ। ସେ ମୋ’ ସହିତ ଖ୍ରୀଷ୍ଟ-ବାହିନୀର ଜଣେ ସେବକ ଓ କାର୍ଯ୍ୟକାରୀ। ମୋ’ ଦରକାର ବେଳେ ତୁମ୍ଭେମାନେ ତାହାଙ୍କୁ ମୋ’ ସାହାଯ୍ୟ ପାଇଁ ପଠାଇଥିଲ। ମୁଁ ଭାବୁଛି ଏବେ ପୁନର୍ବାର ମୁଁ ତାହାଙ୍କୁ ତୁମ୍ଭ ପାଖକୁ ଫେରାଇ ଦେବି। 26 ସେ ତୁମ୍ଭମାନଙ୍କୁ ଦେଖିବାକୁ ବହୁତ ଇଚ୍ଛୁକ, ସେଥିପାଇଁ ମୁଁ ତାହାଙ୍କୁ ପଠାଉଛି। ସେ ଅସୁସ୍ଥ ଥିଲେ ବୋଲି ତୁମ୍ଭେ ଶୁଣି ଥିବା ହେତୁ ସେ ଚିନ୍ତିତ ଥିଲେ। 27 ସେ ଅସୁସ୍ଥ ଥିଲେ ଓ ମୃତ୍ୟୁର ଦ୍ୱାର ଦେଶରେ ଥିଲେ। କିନ୍ତୁ ପରମେଶ୍ୱର ତାହାଙ୍କୁ ଓ ମୋତେ ମଧ୍ୟ ସାହାଯ୍ୟ କଲେ, ଯେପରି ମୋ’ ପାଇଁ ଅଧିକ ଦୁଃଖ ନ ଘଟେ। 28 ତେଣୁ ମୁଁ ତାହାଙ୍କୁ ପଠାଇବାକୁ ଅତିଶୟ ଇଚ୍ଛା କରେ। ତୁମ୍ଭେ ମଧ୍ୟ ତାହାଙ୍କୁ ଦେଖିଲେ ଖୁସୀ ହେବ, ମୁଁ ମଧ୍ୟ ତୁମ୍ଭ ବିଷୟରେ ଚିନ୍ତାମୁକ୍ତ ହେବି। 29 ସେଥିପାଇଁ ପ୍ରଭୁଙ୍କଠାରେ ଆନନ୍ଦର ସହିତ ତାହାଙ୍କୁ ସ୍ୱାଗତ ଜଣାଅ। ଏପାଫ୍ରାଦିତଙ୍କ ଭଳି ଲୋକମାନଙ୍କୁ ତୁମ୍ଭେମାନେ ସମ୍ମାନ ଦିଅ। 30 ଖ୍ରୀଷ୍ଟଙ୍କ କାମ ପାଇଁ ସେ ମୃତପ୍ରାୟ ହୋଇ ଯାଇଥିବାରୁ ସମ୍ମାନିତ ହେବା ଉଚିତ୍। ମୋତେ ସାହାଯ୍ୟ କରିବା ପାଇଁ ସେ ନିଜ ଜୀବନକୁ ବିପଦରେ ପକାଇଥିଲେ। ତୁମ୍ଭେ ଦେଖିଥିବା ସେବାରେ ଯାହା କମ୍ ରହି ଯାଇଥିଲା, ସେତିକି ସେ ପୂରଣ କରିଦେଇଥିଲେ।
2010 by World Bible Translation Center