Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 118:1-2

118 ସଦାପ୍ରଭୁଙ୍କ ପ୍ରଶଂସା କର କାରଣ ସେ ମଙ୍ଗଳମୟ ପରମେଶ୍ୱର ଅଟନ୍ତି।
    ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
ଇସ୍ରାଏଲ ଏବେ କହନ୍ତୁ,
    “ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।”

ଗୀତସଂହିତା 118:14-24

14 ଯାହାଙ୍କୁ ମୁଁ ଗୀତରେ ଏବଂ ସ୍ତୁତିରେ [a] ପ୍ରଶଂସା କରେ, ସେ ହିଁ ସଦାପ୍ରଭୁ, ମୋର ଶକ୍ତି ଓ ସୁରକ୍ଷା।
    ସଦାପ୍ରଭୁ ମୋତେ ରକ୍ଷା କଲେ।
15 ଧାର୍ମିକମାନଙ୍କ ତମ୍ବୁରେ ଆନନ୍ଦ ଓ ବିଜୟ ଧ୍ୱନି ତୁମ୍ଭେ ଶୁଣିପାରିବ।
    ସଦାପ୍ରଭୁ ପୁନ୍ନରାୟ ତାଙ୍କର ମହାନ ଶକ୍ତି ପ୍ରଦର୍ଶନ କଲେ।
16 ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତ ବିଜୟ ପାଇଁ ଉତ୍ଥିତ ହେଲା।
    ଦେଖ, ସଦାପ୍ରଭୁ ପୁଣି ତାଙ୍କର ମହାଶକ୍ତି ଦେଖାଇଲେ।

17 ମୁଁ ମରିବି ନାହିଁ କିନ୍ତୁ ବଞ୍ଚିବି
    ଏବଂ ସଦାପ୍ରଭୁଙ୍କ କର୍ମସବୁ ବର୍ଣ୍ଣନା କରିବି।
18 ସଦାପ୍ରଭୁ ମୋତେ ବୃହତ୍ ଶାସ୍ତି ଦେଇଅଛନ୍ତି।
    ମାତ୍ର ସେ ମୋତେ ମରିବାକୁ ଦେଲେ ନାହିଁ।
19 ହେ ପରମେଶ୍ୱର, ମୋ’ ପାଇଁ ସତ୍ୟତାର ଫାଟ ସବୁ ଫିଟାଅ।
    ମୁଁ ତହିଁ ମଧ୍ୟରେ ପ୍ରବେଶ କରିବି ଏବଂ ସଦାପ୍ରଭୁଙ୍କୁ ପ୍ରଶଂସା କରିବି।
20 ଏହିସବୁ ସଦାପ୍ରଭୁଙ୍କର ଦ୍ୱାର ସମୂହ।
    କେବଳ ଧାର୍ମିକ ଲୋକମାନେ ତହିଁରେ ପ୍ରବେଶ କରି ପାରିବେ।
21 ହେ ସଦାପ୍ରଭୁ, ତୁମ୍ଭେ ମୋର ପ୍ରାର୍ଥନାର ଉତ୍ତର ଦେଇଥିବାରୁ ମୁଁ ତୁମ୍ଭକୁ ଧନ୍ୟବାଦ ଦେଉଛି।
    ମୋତେ ପରିତ୍ରାଣ କରିଥିବାରୁ ତୁମ୍ଭଙ୍କୁ ଧନ୍ୟବାଦ।

22 ନିର୍ମାଣକାରୀମାନେ ଯେଉଁ ପଥର ସବୁ ଅଗ୍ରାହ୍ୟ କଲେ।
    ତାହା କୋଣର ପ୍ରଧାନ ପଥର ହୋଇଅଛି।
23 ଏହାସବୁ ସଦାପ୍ରଭୁଙ୍କ କର୍ମ,
    କିନ୍ତୁ ଆମ୍ଭ ଦୃଷ୍ଟିରେ ଏହା ଆଶ୍ଚର୍ଯ୍ୟ।
24 ଆଜି ଦିନକୁ ସଦାପ୍ରଭୁ ହିଁ ତିଆରି କରିଛନ୍ତି।
    ଆସ ଆମ୍ଭେମାନେ ଆଜି ଆନନ୍ଦ ଓ ଉଲ୍ଲାସ କରିବା।

ଆଦିପୁସ୍ତକ 1:20-2:4

ପଞ୍ଚମ ଦିନ-ମାଛ ଏବଂ ପକ୍ଷୀଗଣ

20 ଏହା ପରେ ପରମେଶ୍ୱର କହିଲେ, “ଜଳ ଜୀବିତ ପ୍ରାଣୀରେ ପୂର୍ଣ୍ଣ ହେଉ ଏବଂ ପକ୍ଷୀମାନେ ପୃଥିବୀ ଉପରେ ଓ ଆକାଶ ତୋରଣ ତଳେ ଉଡ଼ନ୍ତୁ।” 21 ତେଣୁ ପରମେଶ୍ୱର ନିଜ ନିଜ ଜାତି ପ୍ରକାରେ ସୃଷ୍ଟି କଲେ, ବୃହତ୍ ସାମୁଦ୍ରିକ ଜୀବ ଓ ଅନ୍ୟ ଜୀବ, ଯେଉଁମାନେ ସମୁଦ୍ରରେ ରହନ୍ତି। ପରମେଶ୍ୱର ଆକାଶରେ ଉଡ଼ୁଥିବା ବିଭିନ୍ନ ପ୍ରକାର ପକ୍ଷୀଗଣ ସୃଷ୍ଟି କଲେ। ଏହା ପରମେଶ୍ୱରଙ୍କ ଦୃଷ୍ଟିରେ ଅତି ଉତ୍ତମ ଦିଶିଥିଲା।

22 ପରମେଶ୍ୱର ପ୍ରାଣୀମାନଙ୍କୁ ଆଶୀର୍ବାଦ କଲେ। ପରମେଶ୍ୱର ସେମାନଙ୍କୁ କହିଲେ, ବହୁବଂଶ ହୋଇ ସମୁଦ୍ର ଜଳକୁ ପରିପୂର୍ଣ୍ଣ କର। ପୃଥିବୀରେ ପକ୍ଷୀଗଣ ବହୁସଂଖ୍ୟକ ହୁଅନ୍ତୁ।

23 ସନ୍ଧ୍ୟା ହେଲା, ଏହା ପରେ ସକାଳ ହେଲା ଏବଂ ଏହା ପଞ୍ଚମ ଦିନ ଥିଲା।

ଷଷ୍ଠ ଦିନ-ସ୍ଥଳଚର ପ୍ରାଣୀ ଓ ମନୁଷ୍ୟ

24 ଏହା ପରେ ପରମେଶ୍ୱର କହିଲେ, “ନିଜ ଜାତି ଅନୁସାରେ ପୃଥିବୀ ଜୀବିତ ପ୍ରାଣୀ ଉତ୍ପାଦନ କରୁ। ଜାତି ଶ୍ରେଣୀ ଅନୁସାରେ ବନ୍ୟଜନ୍ତୁଗଣ ଉତ୍ପନ୍ନ ହୁଅନ୍ତୁ।” ଏହା ପରେ ସେହିପରି ହେଲା।

25 ଏହିପରି ପରମେଶ୍ୱର ବିଭିନ୍ନ ପ୍ରକାର ଜୀବିତ ପ୍ରାଣୀ ସୃଷ୍ଟି କଲେ। ପରମେଶ୍ୱର ସମସ୍ତ ଜୀବିତ ପ୍ରାଣୀଙ୍କୁ ସୃଷ୍ଟି କଲେ, ବିଭିନ୍ନ ପ୍ରକାରର ବୃହତ୍ ପ୍ରାଣୀ ଏବଂ ପ୍ରତ୍ୟେକ ସରୀସୃପ ପ୍ରାଣୀ ଆପଣା ଜାତି ଅନୁସାରେ ପୃଥିବୀ ଉପରେ ଗୁରୁଣ୍ଡୁ ଥିଲେ। ଏହା ପରମେଶ୍ୱରଙ୍କ ଦୃଷ୍ଟିରେ ଅତି ଉତ୍ତମ ଦିଶିଥିଲା।

26 ଏହା ପରେ ପରମେଶ୍ୱର କହିଲେ, “ଆମ୍ଭେମାନେ ଆପଣା ପ୍ରତିମୂର୍ତ୍ତିରେ ଓ ଆପଣା ସାଦୃଶ୍ୟରେ ମନୁଷ୍ୟର ନିର୍ମାଣ କରୁ। ସେମାନେ ଜଳଚର ମତ୍ସ୍ୟଗଣ ଓ ଆକାଶର ପକ୍ଷୀଗଣ, ପଶୁଗଣ ଓ ସମସ୍ତ ପୃଥିବୀ ଓ ଭୂମିରେ ଗମନଶୀଳ ସବୁ ଉରୋଗାମୀ ଜନ୍ତୁ ଉପରେ କର୍ତ୍ତୃତ୍ୱ କରିବେ ଏବଂ ପ୍ରତ୍ୟେକ ଭୂଚର ପ୍ରାଣୀ ପୃଥିବୀ ଉପରେ ଗମନ କରୁଥିଲା।”

27 ତେଣୁ ପରମେଶ୍ୱର, ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ସୃଷ୍ଟି କଲେ। ପରମେଶ୍ୱର ସେମାନଙ୍କୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ। 28 ସେଥିପାଇଁ ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ କଲେ ଏବଂ କହିଲେ, “ବହୁତ ସନ୍ତାନ-ସନ୍ତତି ସହ ଆଶୀର୍ବାଦ ପ୍ରାପ୍ତ ହୁଅ। ପୃଥିବୀରେ ଶାସନ କରି, ପୃଥିବୀକୁ ପରିପୂର୍ଣ୍ଣ କର। ଆଉ ଜଳରେ ଥିବା ମତ୍ସ୍ୟଗଣ ଉପରେ ଏବଂ ବୃହତ୍ ପ୍ରାଣୀଗଣ ଉପରେ ଏବଂ ପୃଥିବୀ ଉପରେ ଗମନକାରୀ ଭୂଚର ପ୍ରାଣୀଗଣ ଉପରେ ଶାସନ କର।”

29 ପରମେଶ୍ୱର କହିଲେ, “ମୁଁ ତୁମ୍ଭମାନଙ୍କୁ ସମସ୍ତ ପ୍ରକାର ବୀଜୋଉତ୍ପାଦକ ଗଛ ଦେଉଛି ଏବଂ ପ୍ରତ୍ୟେକ ଗଛ ଯାହାର ଫଳ ମଧ୍ୟରେ ବୀଜ ଅଛି ତାହା ତୁମ୍ଭର ଖାଦ୍ୟ ହେବ। 30 ସମସ୍ତ ଗ୍ଭରା ଗଛ ଜୀବିତ ପ୍ରାଣୀଙ୍କର ଖାଦ୍ୟ ପାଇଁ ଦେଲି, ଆକାଶରେ ଉଡ଼ୁଥିବା ପ୍ରତ୍ୟେକ ପକ୍ଷୀ, ପ୍ରତ୍ୟେକ ଭୂଚର ପ୍ରାଣୀ ଏବଂ ପ୍ରତ୍ୟେକ ଜୀବନ୍ତ ଏବଂ ନିଶ୍ୱାସ ନେଉଥିବା ପ୍ରାଣୀ ମୁଁ ତୁମ୍ଭଙ୍କୁ ଦେଲି।” ଏବଂ ଏହିପରି ହେଲା।

31 ପରମେଶ୍ୱର ଆପଣା ନିର୍ମିତ ସମସ୍ତ ବସ୍ତୁ ପ୍ରତି ଦୃଷ୍ଟି ଦେଲେ। ଏହା ପରମେଶ୍ୱରଙ୍କ ଦୃଷ୍ଟିରେ ଅତି ଉତ୍ତମ ଦିଶିଥିଲା।

ଏହା ପରେ ସନ୍ଧ୍ୟା ଓ ତା’ପରେ ସକାଳ ହେଲା। ଏହା ଷଷ୍ଠ ଦିବସ ଥିଲା।

ସପ୍ତମ ଦିନ-ବିଶ୍ରାମ

ଏହିପରି ଭାବରେ, ପରମେଶ୍ୱର ଆକାଶମଣ୍ଡଳରେ ଓ ପୃଥିବୀ ମଧ୍ୟରେ ଥିବା ସମସ୍ତ ବସ୍ତୁର ସୃଷ୍ଟି ସମାପ୍ତ କଲେ। ସପ୍ତମ ଦିନରେ, ପରମେଶ୍ୱର ସୃଷ୍ଟିର ପ୍ରତ୍ୟେକ କାର୍ଯ୍ୟ ସମାପ୍ତ କଲେ। ସେଥିପାଇଁ ସପ୍ତମ ଦିନରେ ପରମେଶ୍ୱର ଆପଣାର ସମସ୍ତ କାର୍ଯ୍ୟରୁ ବିଶ୍ରାମ ନେଲେ। ତା’ପରେ ପରମେଶ୍ୱର ଏହି ଦିନଟିକୁ ଆଶୀର୍ବାଦ କଲେ ଏବଂ ଏହାକୁ ଏକ ପବିତ୍ର ଦିନ କଲେ। କାରଣ ପରମେଶ୍ୱର ସମସ୍ତ ସୃଷ୍ଟି କରି ସାରିଲା ପରେ ବିଶ୍ରାମ ନେଲେ।

ମନୁଷ୍ୟର ସୃଷ୍ଟି

ଏହା ହେଲା ପୃଥିବୀ ଓ ଆକାଶମଣ୍ଡଳର ଇତିହାସ। ଯେଉଁ ସମୟରେ ପରମେଶ୍ୱର ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କଲେ, ଏହା ସେହି ସମୟର ଇତିହାସ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 15:50-58

50 ଭାଇ ଓ ଭଉଣୀମାନେ ମୁଁ ତୁମ୍ଭକୁ ଏ କଥା କହୁଛି ଯେ, ମାଂସ ଓ ରକ୍ତ ପରମେଶ୍ୱରଙ୍କ ରାଜ୍ୟର ଉତ୍ତରାଧିକାରୀ ହୋଇ ପାରିବ ନାହିଁ। କ୍ଷୟ ଅକ୍ଷୟକୁ ଅଧିକାର କରି ପାରିବ ନାହିଁ। 51 କିନ୍ତୁ ଶୁଣ! ମୁଁ ତୁମ୍ଭମାନଙ୍କୁ ଗୋଟିଏ ନିଗୂଢ଼ କଥା କହୁଛି: ଆମ୍ଭମାନଙ୍କ ମଧ୍ୟରୁ ସମସ୍ତେ ମରିବା ନାହିଁ, ବରଂ ଆମ୍ଭେ ସମସ୍ତେ ପରିବର୍ତ୍ତିତ ହେବା। 52 ଏହା କେବଳ ମୁହୂର୍ତ୍ତକ ମଧ୍ୟରେ ଆଖି ପିଛୁଳାକେ, ଘଟି ଯିବ। ଯେତେବେଳେ ତୂରୀ ବାଜିବ, ଓ ଯେତେ ସବୁ ବିଶ୍ୱାସୀ ମରିଯାଇଛନ୍ତି ସେମାନେ ମୃତ୍ୟୁରୁ ଅନନ୍ତକାଳ ପାଇଁ ଉ‌ତ୍‌‌ଥିତ ହେବେ ଓ ଆମ୍ଭମାନଙ୍କ ମଧ୍ୟରୁ ଯେଉଁମାନେ ଜୀବିତ ଅଛନ୍ତି, ସେମାନେ ପରିବର୍ତ୍ତିତ ହେବେ। 53 ଏହି ବିନାଶ ଦେହ ଅନନ୍ତ ରୂପ ବସ୍ତ୍ର ଧାରଣ କରିବାକୁ ହେବ ଓ ଏହି ମର୍ତ୍ତ୍ୟ ଦେହ ଅମରରୂପ ବସ୍ତ୍ର ଧାରଣ କରିବାକୁ ହେବ। 54 କିନ୍ତୁ ଏହି କ୍ଷୟ ଶରୀର ଅକ୍ଷୟରୂପ ବସ୍ତ୍ର ଏହି ମର୍ତ୍ତ୍ୟ ଦେହ ଅମରତ୍ୱ ରୂପ ବସ୍ତ୍ର ଧାରଣ କଲାପରେ ଶାସ୍ତ୍ରର ଏହି କଥା ସଫଳ ହେବ।

“ଜୟ ମୃତ୍ୟୁକୁ ଗ୍ରାସ କରି ଦେଲା” (A)

55 ମୃତ୍ୟୁ ତୁମ୍ଭର ବିଜୟ କେଉଁଠାରେ ଅଛି?
    କବର ତୁମ୍ଭର ଆଘାତ କରିବା ଶକ୍ତି କେଉଁଠାରେ ଅଛି” (B)

56 ମୃତ୍ୟୁର ଆଘାତ କରିବା ହେଉଛି ପାପ। ପାପର ବଳ ହେଉଛି ବ୍ୟବସ୍ଥା। 57 କିନ୍ତୁ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଏ ଯେ, ସେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ଆମ୍ଭକୁ ବିଜୟ ପ୍ରଦାନ କରନ୍ତି।

58 ଅତଏବ, ମୋ’ ଭାଇ ଓ ଭଉଣୀମାନେ, ଦୃଢ଼ ଭାବରେ ସ୍ଥିର ରୁହ। କୌଣସି ବିଷୟ ତୁମ୍ଭକୁ ଅସ୍ଥିର ନ କରୁ। ପରମେଶ୍ୱରଙ୍କ ପାଇଁ କରାଯାଇଥିବା ତୁମ୍ଭର କାର୍ଯ୍ୟ କଦାପି ବ୍ୟର୍ଥ ଯିବ ନାହିଁ। ଏହା ଜାଣି ପ୍ରଭୁଙ୍କ କାର୍ଯ୍ୟରେ ସର୍ବଦା ନିଜକୁ ନିୟୋଜିତ କର।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center