Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 118:1-2

118 ସଦାପ୍ରଭୁଙ୍କ ପ୍ରଶଂସା କର କାରଣ ସେ ମଙ୍ଗଳମୟ ପରମେଶ୍ୱର ଅଟନ୍ତି।
    ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
ଇସ୍ରାଏଲ ଏବେ କହନ୍ତୁ,
    “ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।”

ଗୀତସଂହିତା 118:19-29

19 ହେ ପରମେଶ୍ୱର, ମୋ’ ପାଇଁ ସତ୍ୟତାର ଫାଟ ସବୁ ଫିଟାଅ।
    ମୁଁ ତହିଁ ମଧ୍ୟରେ ପ୍ରବେଶ କରିବି ଏବଂ ସଦାପ୍ରଭୁଙ୍କୁ ପ୍ରଶଂସା କରିବି।
20 ଏହିସବୁ ସଦାପ୍ରଭୁଙ୍କର ଦ୍ୱାର ସମୂହ।
    କେବଳ ଧାର୍ମିକ ଲୋକମାନେ ତହିଁରେ ପ୍ରବେଶ କରି ପାରିବେ।
21 ହେ ସଦାପ୍ରଭୁ, ତୁମ୍ଭେ ମୋର ପ୍ରାର୍ଥନାର ଉତ୍ତର ଦେଇଥିବାରୁ ମୁଁ ତୁମ୍ଭକୁ ଧନ୍ୟବାଦ ଦେଉଛି।
    ମୋତେ ପରିତ୍ରାଣ କରିଥିବାରୁ ତୁମ୍ଭଙ୍କୁ ଧନ୍ୟବାଦ।

22 ନିର୍ମାଣକାରୀମାନେ ଯେଉଁ ପଥର ସବୁ ଅଗ୍ରାହ୍ୟ କଲେ।
    ତାହା କୋଣର ପ୍ରଧାନ ପଥର ହୋଇଅଛି।
23 ଏହାସବୁ ସଦାପ୍ରଭୁଙ୍କ କର୍ମ,
    କିନ୍ତୁ ଆମ୍ଭ ଦୃଷ୍ଟିରେ ଏହା ଆଶ୍ଚର୍ଯ୍ୟ।
24 ଆଜି ଦିନକୁ ସଦାପ୍ରଭୁ ହିଁ ତିଆରି କରିଛନ୍ତି।
    ଆସ ଆମ୍ଭେମାନେ ଆଜି ଆନନ୍ଦ ଓ ଉଲ୍ଲାସ କରିବା।

25 ଲୋକମାନେ କହନ୍ତି, “ହେ ସଦାପ୍ରଭୁ, ଆମ୍ଭକୁ ରକ୍ଷା କର।
    ସଦାପ୍ରଭୁ, ଆମ୍ଭକୁ ସଫଳତା ଦିଅ।”
26 ଯାଜକମାନେ କହନ୍ତି, “ଯିଏ ସଦାପ୍ରଭୁଙ୍କ ନାମରେ ଆସନ୍ତି ତାଙ୍କୁ ପରମେଶ୍ୱର ଆଶୀର୍ବାଦ କରନ୍ତୁ।
    ଆମ୍ଭେମାନେ ମଧ୍ୟ ସଦାପ୍ରଭୁଙ୍କ ମନ୍ଦିରରେ ଆଶୀର୍ବାଦ କରୁ।
27 ସଦାପ୍ରଭୁ ପରମେଶ୍ୱର ଅଟନ୍ତି।
    ଏବଂ ସେ ଆମ୍ଭମାନଙ୍କୁ ଗ୍ରହଣ କରନ୍ତି।
    ଯଜ୍ଞବେଦିର ଶିଙ୍ଗରେ ରଜ୍ଜୁଦ୍ୱାରା ମେଷକୁ ବାନ୍ଧ।”

28 ହେ ସଦାପ୍ରଭୁ, ତୁମ୍ଭେ ମୋର ପରମେଶ୍ୱର, ମୁଁ ତୁମ୍ଭ ନାମର ଧନ୍ୟବାଦ କରୁଛି।
    ମୁଁ ତୁମ୍ଭକୁ ପ୍ରଶଂସା କରୁଛି।
29 ସଦାପ୍ରଭୁଙ୍କର ପ୍ରଶଂସା କର, କାରଣ ସେ ମଙ୍ଗଳମୟ।
    ହଁ, ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।

ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 33:1-9

ପରମେଶ୍ୱରଙ୍କ ପ୍ରତିଜ୍ଞା

33 ଆହୁରି ଯିରିମିୟ ପ୍ରହରୀ ପ୍ରାଙ୍ଗଣରେ ବନ୍ଦୀ ଥିଲା ବେଳେ ସଦାପ୍ରଭୁଙ୍କର ବାକ୍ୟ ଦ୍ୱିତୀୟ ଥର ତାଙ୍କ ନିକଟରେ ଉପସ୍ଥିତ ହେଲା। “ଯିଏ ଏହି ପୃଥିବୀର ସୃଷ୍ଟିକର୍ତ୍ତା ଏବଂ ସେ ଏହାକୁ ସୁସ୍ଥିର କରିବା ନିମନ୍ତେ ନିରୂପଣ କରିଛନ୍ତି। ସଦାପ୍ରଭୁ ତାଙ୍କର ନାମ। ସେହି ସଦାପ୍ରଭୁ ଏହା କହନ୍ତି। ‘ହେ ଯିହୁଦା, ତୁମ୍ଭେ ଆମ୍ଭକୁ ପ୍ରାର୍ଥନା କର ଏବଂ ଆମ୍ଭେ ତୁମ୍ଭକୁ ଉତ୍ତର ଦେବା। ଆମ୍ଭେ ତୁମ୍ଭକୁ ଗୁପ୍ତ ଓ ମହତ୍ ବିଷୟ ଶୁଣାଇବା, ଯାହା ତୁମ୍ଭେ ଜାଣି ନାହଁ।’ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁ ଯିରୁଶାଲମ ବିଷୟରେ ଏହି କଥା କହନ୍ତି। ‘ଶତ୍ରୁସୈନ୍ୟ ନଗରର ସକଳ ଗୃହ ଓ ଯିହୁଦାର ରାଜଗଣର ସମସ୍ତ ପ୍ରାସାଦ ଭୂମିସାତ୍ କରିବେ। ସେମାନେ ପ୍ରାଚୀର ଉପରେ ଶିଡ଼ି ନିର୍ମାଣ କରି ‌‌ଖ‌ଡ଼୍‌ଗରେ ନଗର ଲୋକଙ୍କ ବିରୁଦ୍ଧରେ ଯୁଦ୍ଧ କରିବେ।

“‘ଯିରୁଶାଲମର ଲୋକମାନେ ବହୁ ଦୁଷ୍କର୍ମ କରିଅଛନ୍ତି। ଆମ୍ଭେ ସେମାନଙ୍କୁ ପ୍ରଚଣ୍ଡ କୋପରେ ବିନାଶ କରିଅଛୁ ପୁଣି କ‌‌ଲ୍‌‌ଦୀୟମାନେ ସେମାନଙ୍କ ସହିତ ଯୁଦ୍ଧ କରିବାକୁ ଆସିବେ। ଆମ୍ଭର କ୍ରୋଧ ଯୋଗୁଁ ସେମାନଙ୍କ ଗୃହ ଶବରେ ପରିପୂର୍ଣ୍ଣ ହେବ।

“‘ମାତ୍ର ଆମ୍ଭେ ସେମାନଙ୍କୁ କ୍ଷମା କରି ଆରୋଗ୍ୟ କରିବା। ସେମାନେ ଚିରନ୍ତନ ଐଶ୍ୱର୍ଯ୍ୟ ଓ ଶାନ୍ତି ଆନନ୍ଦ ଉଲ୍ଲାସ କରିବେ। ଆମ୍ଭେ ଇସ୍ରାଏଲ ଓ ଯିହୁଦାର ଲୋକମାନଙ୍କର ବନ୍ଦୀତ୍ୱ ଅବସ୍ଥାର ପରିବର୍ତ୍ତନ କରି ସେମାନଙ୍କ ପ୍ରତି ମଙ୍ଗଳ ବିଧାନ କରିବା। ସେମାନଙ୍କୁ ଅତୀତ ପରି ଶକ୍ତିଶାଳୀ କରିବା। ସେମାନେ ଆମ୍ଭ ବିରୁଦ୍ଧରେ ଅଧର୍ମାଚରଣ କରି ଯେଉଁ ପାପ କରିଅଛନ୍ତି ଆମ୍ଭେ ସେମାନଙ୍କୁ ସେଥିରୁ ଶୁଚି କରିବା। ପୁଣି ସେମାନେ ଆମ୍ଭର ଆଜ୍ଞା ଲଙ୍ଘନ କରି ଯେଉଁ ଅଧର୍ମ ଓ ପାପ କରିଅଛନ୍ତି, ଆମ୍ଭେ ସେଥିରୁ ସେମାନଙ୍କୁ କ୍ଷମା କରିବା। ତା’ପରେ ଯିରୁଶାଲମ ପୃଥିବୀସ୍ଥ ଦେଶମାନଙ୍କ ମଧ୍ୟରେ ଏକ ଶ୍ରେଷ୍ଠ ସ୍ଥାନ ହେବ। ଲୋକମାନେ ଏପରି ସୁଖରେ ରହିବେ ଯେ ଅନ୍ୟ ଗୋଷ୍ଠୀଗଣ ତା’ର ପ୍ରଶଂସା ଓ ଗୌରବ ଗାନ କରିବେ। ଆମ୍ଭେ ତାହା ପାଇଁ ମଙ୍ଗଳ ଓ ଶାନ୍ତି ଆୟୋଜନ କରିବା, ତାହା ସେମାନେ ଶ୍ରବଣ କରିବେ। ଅନ୍ୟ ଲୋକେ ଭୀତ ଓ ଆଶ୍ଚର୍ଯ୍ୟ ହେବେ।’

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 2:12-18

ପରମେଶ୍ୱରଙ୍କ ଇଚ୍ଛାନୁରୂପ ହୁଅ

12 ମୋ’ ପ୍ରିୟ ମିତ୍ରଗଣ! ତୁମ୍ଭେମାନେ ସର୍ବଦା ପରମେଶ୍ୱରଙ୍କ ବାଧ୍ୟ ହୋଇଛ। ମୁଁ ତୁମ୍ଭ ସହିତ ଥିଲାବେଳେ ତୁମ୍ଭେମାନେ ପରମେଶ୍ୱରଙ୍କ ବାଧ୍ୟ ହୋଇଛ। ମୁଁ ତୁମ୍ଭ ସହିତ ନ ଥିଲାବେଳେ ମଧ୍ୟ ତୁମ୍ଭେ ତାହାଙ୍କ ବାଧ୍ୟ ହେବା ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ। ତୁମ୍ଭେ ନିଶ୍ଚିତ ହେବା ଆବଶ୍ୟକ ଯେ ମୋ’ ସାହାଯ୍ୟ ବିନା ତୁମ୍ଭେ ପରିତ୍ରାଣ ପାଇବ। ପରମେଶ୍ୱରଙ୍କ ପ୍ରତି ସମ୍ମାନ ଓ ଭୟ ରଖି ଏପରି କର। 13 ପରମେଶ୍ୱର ତୁମ୍ଭ ମଧ୍ୟରେ କାର୍ଯ୍ୟ କରୁଛନ୍ତି। ତାହାଙ୍କୁ ସନ୍ତୁଷ୍ଟ କଲା ଭଳି କାର୍ଯ୍ୟ କରିବା ନିମନ୍ତେ ସେ ତୁମ୍ଭକୁ ଇଚ୍ଛାଶକ୍ତି ଦିଅନ୍ତି ଓ ତାହା ସାଧନ କରିବାକୁ ଶକ୍ତି ମଧ୍ୟ ଦିଅନ୍ତି।

14 ଅଭିଯୋଗ ବା ବାଦାନୁବାଦ ନ କରି ପ୍ରତ୍ୟେକ କାର୍ଯ୍ୟ କର। 15 ତେବେ ଯାଇ ତୁମ୍ଭେ ନିର୍ଦ୍ଦୋଷ ହେବ ଓ ତୁମ୍ଭ ଭିତରେ କୌଣସି ଭୁଲ୍ ରହିବ ନାହିଁ। ତୁମ୍ଭେ ପରମେଶ୍ୱରଙ୍କ ନିର୍ଦ୍ଦୋଷ ପୁତ୍ର ହେବ। କିନ୍ତୁ ତୁମ୍ଭେମାନେ ନଷ୍ଟ ହୋଇ ଯାଉଥିବା ମନ୍ଦ ଲୋକଙ୍କ ମଧ୍ୟରେ ରହୁଛ। କିନ୍ତୁ ସେମାନଙ୍କ ଭିତରେ ତୁମ୍ଭେ ଏହି ଅନ୍ଧକାରପୂର୍ଣ୍ଣ ଜଗତରେ ଜ୍ୟୋତିଃ ଭଳି ପ୍ରକାଶିତ ହେଉଛ। 16 ତୁମ୍ଭେ ସେମାନଙ୍କୁ ଜୀବନ ପ୍ରଦାନକାରୀ ଶିକ୍ଷା ଦିଅ। ତେଣୁ ଖ୍ରୀଷ୍ଟଙ୍କ ଆଗମନରେ ମୁଁ ଖୁସୀ ହେବି, କାରଣ ମୁଁ ଜାଣିବି ଯେ ମୋର କାମ ବିଫଳ ହୋଇ ନାହିଁ। ମୁଁ ଜାଣିବି ଯେ ଦୌଡ଼ ପ୍ରତିଯୋଗିତାରେ ଦୌଡ଼ି ଜିତିଛି।

17 ପରମେଶ୍ୱରଙ୍କ ସେବାରେ, ତୁମ୍ଭ ବିଶ୍ୱାସ ତୁମ୍ଭକୁ ଏକ ବଳିଦାନ ରୂପେ ସେବା କରିବା ପାଇଁ ପ୍ରେରଣ ଯୋଗଏ। ହୁଏତ ତୁମ୍ଭର ବଳିଦାନ ରୂପ ସେବାରେ ମୋତେ ମୋର ନିଜ ରକ୍ତ ମଧ୍ୟ ଉତ୍ସର୍ଗ କରିବାକୁ ପଡ଼ିପାରେ। ଯଦି ତାହା ଘଟେ, ମୁଁ ତୁମ୍ଭମାନଙ୍କ ସହିତ ଆନନ୍ଦରେ ପରିପୂର୍ଣ୍ଣ ଓ ଖୁସୀ ହେବି। 18 ତୁମ୍ଭେମାନେ ମଧ୍ୟ ମୋ’ ସହିତ ଖୁସୀ ହୁଅ ଓ ଆନନ୍ଦରେ ପରିପୂର୍ଣ୍ଣ ହୁଅ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center