Revised Common Lectionary (Semicontinuous)
118 ସଦାପ୍ରଭୁଙ୍କ ପ୍ରଶଂସା କର କାରଣ ସେ ମଙ୍ଗଳମୟ ପରମେଶ୍ୱର ଅଟନ୍ତି।
ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
2 ଇସ୍ରାଏଲ ଏବେ କହନ୍ତୁ,
“ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।”
14 ଯାହାଙ୍କୁ ମୁଁ ଗୀତରେ ଏବଂ ସ୍ତୁତିରେ [a] ପ୍ରଶଂସା କରେ, ସେ ହିଁ ସଦାପ୍ରଭୁ, ମୋର ଶକ୍ତି ଓ ସୁରକ୍ଷା।
ସଦାପ୍ରଭୁ ମୋତେ ରକ୍ଷା କଲେ।
15 ଧାର୍ମିକମାନଙ୍କ ତମ୍ବୁରେ ଆନନ୍ଦ ଓ ବିଜୟ ଧ୍ୱନି ତୁମ୍ଭେ ଶୁଣିପାରିବ।
ସଦାପ୍ରଭୁ ପୁନ୍ନରାୟ ତାଙ୍କର ମହାନ ଶକ୍ତି ପ୍ରଦର୍ଶନ କଲେ।
16 ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତ ବିଜୟ ପାଇଁ ଉତ୍ଥିତ ହେଲା।
ଦେଖ, ସଦାପ୍ରଭୁ ପୁଣି ତାଙ୍କର ମହାଶକ୍ତି ଦେଖାଇଲେ।
17 ମୁଁ ମରିବି ନାହିଁ କିନ୍ତୁ ବଞ୍ଚିବି
ଏବଂ ସଦାପ୍ରଭୁଙ୍କ କର୍ମସବୁ ବର୍ଣ୍ଣନା କରିବି।
18 ସଦାପ୍ରଭୁ ମୋତେ ବୃହତ୍ ଶାସ୍ତି ଦେଇଅଛନ୍ତି।
ମାତ୍ର ସେ ମୋତେ ମରିବାକୁ ଦେଲେ ନାହିଁ।
19 ହେ ପରମେଶ୍ୱର, ମୋ’ ପାଇଁ ସତ୍ୟତାର ଫାଟ ସବୁ ଫିଟାଅ।
ମୁଁ ତହିଁ ମଧ୍ୟରେ ପ୍ରବେଶ କରିବି ଏବଂ ସଦାପ୍ରଭୁଙ୍କୁ ପ୍ରଶଂସା କରିବି।
20 ଏହିସବୁ ସଦାପ୍ରଭୁଙ୍କର ଦ୍ୱାର ସମୂହ।
କେବଳ ଧାର୍ମିକ ଲୋକମାନେ ତହିଁରେ ପ୍ରବେଶ କରି ପାରିବେ।
21 ହେ ସଦାପ୍ରଭୁ, ତୁମ୍ଭେ ମୋର ପ୍ରାର୍ଥନାର ଉତ୍ତର ଦେଇଥିବାରୁ ମୁଁ ତୁମ୍ଭକୁ ଧନ୍ୟବାଦ ଦେଉଛି।
ମୋତେ ପରିତ୍ରାଣ କରିଥିବାରୁ ତୁମ୍ଭଙ୍କୁ ଧନ୍ୟବାଦ।
22 ନିର୍ମାଣକାରୀମାନେ ଯେଉଁ ପଥର ସବୁ ଅଗ୍ରାହ୍ୟ କଲେ।
ତାହା କୋଣର ପ୍ରଧାନ ପଥର ହୋଇଅଛି।
23 ଏହାସବୁ ସଦାପ୍ରଭୁଙ୍କ କର୍ମ,
କିନ୍ତୁ ଆମ୍ଭ ଦୃଷ୍ଟିରେ ଏହା ଆଶ୍ଚର୍ଯ୍ୟ।
24 ଆଜି ଦିନକୁ ସଦାପ୍ରଭୁ ହିଁ ତିଆରି କରିଛନ୍ତି।
ଆସ ଆମ୍ଭେମାନେ ଆଜି ଆନନ୍ଦ ଓ ଉଲ୍ଲାସ କରିବା।
ପୃଥିବୀର ଆରମ୍ଭ
1 ଆରମ୍ଭରେ ପରମେଶ୍ୱର ଆକାଶ ଓ ପୃଥିବୀକୁ ସୃଷ୍ଟି କଲେ। 2 ପୃଥିବୀ ସେତେବେଳେ ସମ୍ପୂର୍ଣ୍ଣଭାବେ ଶୂନ୍ୟ ଓ କିଛି ନ ଥିଲା। ଜଳଭାଗ ଉପରେ ଅନ୍ଧକାର ଘୋଡ଼େଇ ରଖିଥିଲା ଏବଂ ପରମେଶ୍ୱରଙ୍କର ଆତ୍ମା ଜଳଭାଗ ଉପରେ ବ୍ୟାପ୍ତ ଥିଲେ।
ପ୍ରଥମ ଦିନ-ଆଲୋକ
3 ଏହା ପରେ ପରମେଶ୍ୱର କହିଲେ, “ଆଲୋକିତ ହେଉ!” ତହିଁରେ ଆଲୋକିତ ହେଲା। 4 ପରମେଶ୍ୱର ଆଲୋକକୁ ଦେଖିଲେ ଏବଂ ସେ ଜାଣିଲେ, ତାହା ଉତ୍ତମ, ଏହା ପରେ ପରମେଶ୍ୱର ଆଲୋକକୁ ଅନ୍ଧକାରରୁ ଅଲଗା କଲେ। 5 ପରମେଶ୍ୱର ସେହି ଆଲୋକର ନାମ ଦେଲେ “ଦିନ” ଏବଂ ଅନ୍ଧକାରର ନାମ ଦେଲେ “ରାତି।”
ତହୁଁ ସନ୍ଧ୍ୟା ଓ ପ୍ରାତଃକାଳ ହେଲା। ଏହା ପ୍ରଥମ ଦିନ ଥିଲା।
ଦ୍ୱିତୀୟ ଦିନ-ଆକାଶ
6 ଏହା ପରେ ପରମେଶ୍ୱର କହିଲେ, “ଜଳ ମଧ୍ୟରେ ବୃହତ ଗମ୍ବୁଜ ଜାତ ହୋଇ ଜଳକୁ ଦୁଇଭାଗ କରୁ!” 7 ଏହିପରି ପରମେଶ୍ୱର ତୋରଣ ନିର୍ମାଣ କଲେ ଏବଂ ତୋରଣ ଉପର ଜଳଠାରୁ ତୋରଣ ତଳ ଜଳକୁ ଅଲଗା କଲେ। ତହିଁରେ ସେହିପରି ହେଲା। 8 ପରମେଶ୍ୱର ସେହି ତୋରଣର ନାମ ଦେଲେ “ଆକାଶ” ତା’ପରେ ସେଠାରେ ପ୍ରଭାତ ଏବଂ ସୂର୍ଯ୍ୟାସ୍ତ ହେଲା। ଏବଂ ଏହା ଦ୍ୱିତୀୟ ଦିନ ଥିଲା।
ତୃତୀୟ ଦିନ-ସ୍ଥଳ ଭାଗ ଓ ବୃକ୍ଷଲତା
9 ଏହା ପରେ ପରମେଶ୍ୱର କହିଲେ, “ଆକାଶମଣ୍ଡଳ ଅଧଃସ୍ଥ ସମଗ୍ର ଜଳ ଏକ ସ୍ଥାନରେ ସଂଗୃହୀତ ହେଉ, ଯଦ୍ଦ୍ୱାରା ଭୂମି ଶୁଖିଲା ଦେଖାଯିବ” ଏବଂ ଏହିପରି ହେଲା। 10 ପରମେଶ୍ୱର ଶୁଖିଲା ଭୂମିର ନାମ “ପୃଥିବୀ” ଦେଲେ ଏବଂ ଜଳସମୂହ ଭାଗର ନାମ ଦେଲେ, “ସମୁଦ୍ର” ଏହା ପରମେଶ୍ୱରଙ୍କ ଦୃଷ୍ଟିରେ ଅତି ଉତ୍ତମ ଦିଶିଥିଲା।
11 ପରମେଶ୍ୱର କହିଲେ, “ପୃଥିବୀ ତୃଣ ଓ ସବୀଜ ଶାକ, ବୀଜ ସମ୍ବଳିତ ନିଜ ନିଜ ଜାତି ଅନୁଯାୟୀ ଫଳ ଉତ୍ପନ୍ନ କରୁ,”ଏହିପରି ହେଲା। 12 ପୃଥିବୀ ତୃଣ ଓ ନିଜ ନିଜ ଜାତି ଅନୁସାରେ ବୀଜୋଉତ୍ପାଦକ ଶାକ ଓ ନିଜ ନିଜ ଜାତି ଅନୁସାରେ ସବୀଜ ଫଳଉତ୍ପାଦକ ବୃକ୍ଷ ଉତ୍ପନ୍ନ କଲା, ଏହା ପରମେଶ୍ୱରଙ୍କ ଦୃଷ୍ଟିରେ ଅତି ଉତ୍ତମ ଦିଶିଥିଲା।
13 ତହିଁରେ ସନ୍ଧ୍ୟା ଓ ପ୍ରାତଃକାଳ ହୋଇ ତୃତୀୟ ଦିବସ ହେଲା।
ଚତୁର୍ଥ ଦିନ-ସୂର୍ଯ୍ୟ, ଚନ୍ଦ୍ର ଓ ତାରା ସମୂହ
14 ଏହା ପରେ ପରମେଶ୍ୱର କହିଲେ, “ଆକାଶର ତୋରଣରେ ଜ୍ୟୋତିର୍ଗଣ ଉତ୍ପନ୍ନ ହୁଅନ୍ତୁ। ସେହି ଜ୍ୟୋତିର୍ଗଣ ରାତ୍ରିରୁ ଦିନକୁ ପୃଥକ କରିବେ। ସେହି ଜ୍ୟୋତିର୍ଗଣ ଋତୁ, ଦିନ ଓ ବର୍ଷଗୁଡ଼ିକର ସମୟକାଳ ଦେଖାଇବା ପାଇଁ ଚିହ୍ନ ରୂପେ ବ୍ୟବହୃତ ହେବ। 15 ସେହି ଜ୍ୟୋତିର୍ଗଣ ପୃଥିବୀରେ ଆଲୋକ ଦେବା ପାଇଁ ତୋରଣ ମଧ୍ୟରେ ଥା’ନ୍ତୁ।” ଏବଂ ଏହିପରି ହେଲା।
16 ତେଣୁ ପରମେଶ୍ୱର ଦୁଇଟି ମହାଜ୍ୟୋତି ସୃଷ୍ଟି କଲେ। ପରମେଶ୍ୱର ଦିନରେ କର୍ତ୍ତୃତ୍ୱ କରିବା ପାଇଁ ବଡ଼ ଜ୍ୟୋତି ଓ ରାତ୍ରିରେ କର୍ତ୍ତୃତ୍ୱ କରିବା ପାଇଁ ସାନ ଜ୍ୟୋତି ନିର୍ମାଣ କଲେ। ପରମେଶ୍ୱର ତାରାଗଣକୁ ମଧ୍ୟ ସୃଷ୍ଟି କଲେ। 17 ପରମେଶ୍ୱର ପୃଥିବୀକୁ ଆଲୋକିତ କରିବା ପାଇଁ ଆକାଶର ତୋରଣରେ ତାରାଗଣକୁ ମଧ୍ୟ ସୃଷ୍ଟି କଲେ। 18 ପରମେଶ୍ୱର ଦୀପ୍ତିଗଣକୁ ଆକାଶ ମଣ୍ଡଳରେ ଦିନ ଓ ରାତ୍ରିକୁ କର୍ତ୍ତୃତ୍ୱ କରିବା ପାଇଁ ସ୍ଥାପନ କଲେ। ଏହି ଜ୍ୟୋତିର୍ଗଣ ଅନ୍ଧକାରରୁ ଆଲୋକକୁ ପୃଥକ କଲେ। ଏହା ପରମେଶ୍ୱରଙ୍କ ଦୃଷ୍ଟିରେ ଅତି ଉତ୍ତମ ଦିଶିଥିଲା।
19 ଏହା ପରେ ସନ୍ଧ୍ୟା ଏବଂ ସକାଳ ହେଲା। ଏହା ଚତୁର୍ଥ ଦିବସ ଥିଲା।
ଆମ୍ଭେ କେଉଁ ପ୍ରକାର ଶରୀର ପାଇବା?
35 କିନ୍ତୁ ଜଣେ ପଗ୍ଭରି ପାରେ: “ମୃତଗୁଡ଼ିକ କିପରି ଉତ୍ଥିତ ହୁଅନ୍ତି? 36 ସେମାନେ କେଉଁ ଭଳି ଦେହ ଧାରଣ କରିବେ?” ଏଗୁଡ଼ିକ ହେଉଛି ନିର୍ବୋଧ ପ୍ରଶ୍ନ। ପୃଥିବୀରେ ପୋତା ଯାଇଥିବା ବୀଜଟି ନିଜେ ନ ମରିବା ପର୍ଯ୍ୟନ୍ତ ସଜୀବ ହୁଏ ନାହିଁ। 37 ବୁଣିଲା ବେଳେ ତୁମ୍ଭେମାନେ ଯାହା ବୁଣ, ବିକଶିତ ହେଲା ପରେ ତାହା ସେହି “ଶରୀର” ଧାରଣ କରେ ନାହିଁ। ତୁମ୍ଭେମାନେ ଗହମ ହେଉ ବା ଅନ୍ୟ କୌଣସି ଶସ୍ୟ ହେଉ, କେବଳ ବୀଜଟି ବୁଣ। 38 ତା’ପରେ ପରମେଶ୍ୱର ଯେପରି ଇଚ୍ଛା କରନ୍ତି, ସେହିପରି ଶରୀର ତାହାକୁ ପ୍ରଦାନ କରନ୍ତି। ପରମେଶ୍ୱର ସମସ୍ତ ବୀଜ ମଧ୍ୟରୁ ପ୍ରତ୍ୟେକକୁ ତାହାର ନିଜ ଶରୀର ଦିଅନ୍ତି। 39 ଶରୀରରୁ ଜାତ ସମସ୍ତ ବିଷୟରେ ସମାନ ପ୍ରକାରର ଶରୀର ନ ଥାଏ। ମଣିଷମାନଙ୍କର ଶରୀର ଏକ ପ୍ରକାରର ତ ଚଢ଼େଇମାନଙ୍କର ଶରୀର ଅନ୍ୟ ପ୍ରକାରର ଓ ମାଛମାନଙ୍କର ଶରୀର ଆହୁରି ଅଲଗା ପ୍ରକାରର। 40 ସ୍ୱର୍ଗୀୟ ଶରୀର ଅଛି, ପୃଥିବୀସ୍ଥ ଶରୀର ମଧ୍ୟ ଅଛି। କିନ୍ତୁ ସ୍ୱର୍ଗୀୟ ଶରୀରରୁ ଏକ ପ୍ରକାରର ହେବ, ଆଉ ପୃଥିବୀସ୍ଥ ଶରୀରର ଅନ୍ୟପ୍ରକାରର ହେବ। 41 ସୂର୍ଯ୍ୟର ଜ୍ୟୋତିଃ ଗୋଟିଏ ପ୍ରକାରର, ଚନ୍ଦ୍ରର ଜ୍ୟୋତିଃ ଅନ୍ୟ ପ୍ରକାରର ଓ ତାରାମାନଙ୍କର ଜ୍ୟୋତିଃ ଆହୁରି ଅନ୍ୟପ୍ରକାରର, ଗୋଟିଏ ତାରାର ଜ୍ୟୋତିଃ, ଅନ୍ୟ ତାରାମାନଙ୍କଠାରୁ ଅଲଗା।
42 ମୃତମାନଙ୍କର ଉତ୍ଥାନ ବିଷୟରେ ମଧ୍ୟ ଏହି କଥାଟି ପ୍ରଜୁଯ୍ୟ। ଯେଉଁ ଶରୀରଟି ପୋତି ଦିଆ ହେଲା, ତାହା ନଷ୍ଟ ହୋଇଯିବ। କିନ୍ତୁ ସେହି ଶରୀରଟି ଯେଉଁ ନୂତନ ଦେହ ଧାରଣ କରିବ, ତାହା ନଷ୍ଟ ହେବ ନାହିଁ। 43 ଶରୀରଟି ଅନାଦରରେ “ବୁଣାଯାଏ”, କିନ୍ତୁ ମହିମାରେ ତାହା ଉତ୍ଥିତ ହୁଏ। ଯେତେବେଳେ ଦୁର୍ବଳତାରେ ଶରୀରଟି “ବୁଣାଯାଏ” ଏହା ଶକ୍ତିର ସହିତ ଉତ୍ଥିତ ହୁଏ। 44 ପ୍ରାକୃତିକ ଶରୀରଟି “ବୁଣାଯାଏ”, ଆତ୍ମିକ ଶରୀର ଉତ୍ଥିତ ହୁଏ।
ଯଦି ପ୍ରାକୃତିକ ଶରୀର ଅଛି, ତା’ହେଲେ ଆଧ୍ୟାତ୍ମିକ ଶରୀର ମଧ୍ୟ ଅଛି। 45 ଶାସ୍ତ୍ରରେ ଲେଖା ଅଛି: “ପ୍ରଥମ ମନୁଷ୍ୟ (ଆଦମ) ସଜୀବ ପ୍ରାଣୀ,” [a] କିନ୍ତୁ ଶେଷ ଆଦମ (ଖ୍ରୀଷ୍ଟ) ଜଣେ ଜୀବନଦାତା ଆତ୍ମା। 46 ମାତ୍ର ଯାହା ଆତ୍ମିକ, ତାହା ପ୍ରଥମ ନୁହେଁ। ମାତ୍ର ଯାହା ପ୍ରାକୃତିକ, ତାହା ପ୍ରଥମ, ପରେ ଆତ୍ମିକ ଆସେ। 47 ପ୍ରଥମ ମନୁଷ୍ୟଟି ପୃଥିବୀର ମାଟିରୁ ନିର୍ମିତ ହୋଇଥିଲା; କିନ୍ତୁ ଦ୍ୱିତୀୟ ମନୁଷ୍ୟ ସ୍ୱର୍ଗରୁ ଆସିଥିଲେ। 48 ଜଗତର ପ୍ରଥମ ମନୁଷ୍ୟ ଭଳି ପ୍ରତ୍ୟେକ ମନୁଷ୍ୟ ପୃଥିବୀର ଅଟନ୍ତି। କିନ୍ତୁ ଯେଉଁମାନେ ସ୍ୱର୍ଗର, ସେମାନେ ସ୍ୱର୍ଗରୁ ଆଗତ ସେହି ମନୁଷ୍ୟ ତୁଲ୍ୟ। 49 ଆମ୍ଭେମାନେ ଜଗତରୁ ସେହି ମନୁଷ୍ୟ ତୁଲ୍ୟ ନିର୍ମିତ ହୋଇଅଛୁ। ଅତଏବ, ଆମ୍ଭେ ମଧ୍ୟ ସ୍ୱର୍ଗର ସେହି ବ୍ୟକ୍ତି ତୁଲ୍ୟ ଶରୀର ଧାରଣ କରିବା।
2010 by World Bible Translation Center