Revised Common Lectionary (Semicontinuous)
105 ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ।
ତାଙ୍କର ନାମକୁ ଡାକ।
ଜାତିଗଣ ମଧ୍ୟରେ ତାଙ୍କର ଆଶ୍ଚର୍ଯ୍ୟ କ୍ରିୟାସକଳ ବିଷୟରେ କୁହ।
2 ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର।
ତାଙ୍କର ପ୍ରଗ୍ଭରିତ କର।
ତାହାଙ୍କ ଦ୍ୱାରା କରାଯାଇଥିବା ଆଶ୍ଚର୍ଯ୍ୟ କ୍ରିୟା ବିଷୟରେ କୁହ।
3 ଗର୍ବରେ ତାଙ୍କର ପବିତ୍ର ନାମରେ ପ୍ରଶଂସା କର।
ସଦାପ୍ରଭୁଙ୍କର ଉପାସକ ଆନନ୍ଦିତ ହୁଅ।
4 ଶକ୍ତି ପାଇଁ ସଦାପ୍ରଭୁଙ୍କ ନିକଟକୁ ଯାଅ।
ସାହାଯ୍ୟ ପାଇଁ ସର୍ବଦା ତାଙ୍କ ପାଖକୁ ଯାଅ।
5 ସେ ଯେଉଁ ଆଶ୍ଚର୍ଯ୍ୟ କର୍ମମାନ କଲେ ତାହା ମନେ ପକାଅ।
ତାଙ୍କର ଅଲୌକିକ କାର୍ଯ୍ୟ ଏବଂ ତାଙ୍କ ବୁଦ୍ଧିମତାର ବିଗ୍ଭର ମନେପକାଅ।
6 ତୁମ୍ଭେ ହେଉଛ ତାଙ୍କର ସେବକ,
ଯାକୁବର ସନ୍ତାନଗଣ ତାଙ୍କର ମନୋନୀତ ବ୍ୟକ୍ତି।
7 ସେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର,
ସେ ସମୁଦାୟ ପୃଥିବୀରେ ଶାସନ କରନ୍ତି।
8 ସେ ଚିରଦିନ ଚୁକ୍ତି ମନେ ରଖନ୍ତି।
ଏକ ହଜାର ବଂଶଧର ପର୍ଯ୍ୟନ୍ତ, ସେ କରିଥିବା ପ୍ରତିଜ୍ଞା ରଖନ୍ତି।
9 ସେ ଅବ୍ରହାମଙ୍କ ସାଙ୍ଗରେ କରିଥିବା ଚୁକ୍ତିକୁ
ପରମେଶ୍ୱର ଇସ୍ହାକଙ୍କ ସହିତ କରିଥିବା ପ୍ରତିଜ୍ଞା ମନେ ରଖିବେ।
10 ପରମେଶ୍ୱର ଏହି ନିୟମ ଯାକୁବ ପାଇଁ ତିଆରି କରିଥିଲେ।
ପରମେଶ୍ୱର ଇସ୍ରାଏଲ ସହିତ କରିଥିବା ନିୟମ ସବୁଦିନ ପାଇଁ ଦୃଢ଼ ରହିବ।
11 ପରମେଶ୍ୱର କହିଲେ, “ଆମ୍ଭେ ତୁମ୍ଭକୁ କିଣାନ ଦେଶ ଦେବା
ଏବଂ ସେହି ଭୂମି ତୁମ୍ଭର ହେବ।”
37 ପରମେଶ୍ୱର ତାଙ୍କର ଲୋକମାନଙ୍କୁ ମିଶରରୁ ବାହାର କରି ଆଣିଲେ।
ସେମାନଙ୍କ ନିଜ ସହିତ ରୂପା ଓ ସୁନା ଆଣିଲେ।
ଓ ତା’ଙ୍କର ଗୋଷ୍ଠୀ ମଧ୍ୟରେ ଜଣେ ଦୁର୍ବଳ ଲୋକ ହିଁ ନ ଥିଲେ, ଝୁଣ୍ଟି ପଡ଼ିବାକୁ।
38 ଇସ୍ରାଏଲ ଲୋକମାନେ ଗ୍ଭଲିଯିବାର ଦେଖି ମିଶରୀୟମାନେ ଖୁସୀ ହେଲେ।
କାରଣ ସେମାନେ ପରମେଶ୍ୱରଙ୍କର ଲୋକମାନଙ୍କୁ ଭୟ କରୁଥିଲେ।
39 ପରମେଶ୍ୱର କମ୍ବଳ ସ୍ୱରୂପ ବାଦଲକୁ ମେଲି ଦେଲେ।
ପରମେଶ୍ୱର ନିଜ ଲୋକମାନଙ୍କୁ ରାତିରେ ଦେଖାଇବା ପାଇଁ ଏକ ଅଗ୍ନିସ୍ତମ୍ଭ ପ୍ରଜ୍ୱଳନ କଲେ।
40 ଯେତେବେଳେ ଲୋକମାନେ ଖାଦ୍ୟ ମାଗନ୍ତେ, ପରମେଶ୍ୱର ଭାଟୋଇ ପକ୍ଷୀମାନଙ୍କୁ ଦେଲେ।
ପରମେଶ୍ୱର ସେମାନଙ୍କୁ ସ୍ୱର୍ଗରୁ ପ୍ରଚୁର ମାନ୍ନା ପ୍ରଦାନ କଲେ।
41 ପରମେଶ୍ୱର ଶୈଳକୁ ଫଟାନ୍ତେ ଜଳସ୍ରୋତ ବହିବା ଆରମ୍ଭ ହେଲା।
ତାହା ଶୁଷ୍କ ଭୂମିରେ ନଦୀତୁଲ୍ୟ ପ୍ରବାହୀତ ହେଲା।
42 ପରମେଶ୍ୱର ଆପଣା ପବିତ୍ର ବାକ୍ୟ
ଓ ଆପଣା ଦାସ ଅବ୍ରହାମଠାରେ କରିଥିବା ପ୍ରତିଜ୍ଞା ମନେ କଲେ।
43 ପରମେଶ୍ୱର ଆପଣା ଲୋକମାନଙ୍କୁ ମିଶରରୁ ବାହାର କରି ଆଣିଲେ।
ସେମାନେ ଆନନ୍ଦରେ ଗୀତ ଗାଇ ଗାଇ ଆସିଲେ।
44 ଏହା ପରେ ପରମେଶ୍ୱର ତାଙ୍କର ଗୋଷ୍ଠୀୟବର୍ଗଙ୍କୁ ବାସ କରିବାକୁ ସ୍ଥାନ ଦେଲେ।
ପରମେଶ୍ୱରଙ୍କର ଲୋକମାନେ ସମସ୍ତ ଦ୍ରବ୍ୟ ପାଇଲେ।
ଯେଉଁଥିପାଇଁ ଅନ୍ୟ ଜାତିଗଣ ବହୁ ପରିଶ୍ରମ କରିଥିଲେ।
45 ପରମେଶ୍ୱର ଏପରି କଲେ, ତେଣୁ ତାଙ୍କର ଲୋକମାନେ ତାଙ୍କର ନିୟମ ମାନିବେ
ଓ ତାଙ୍କର ଦେଇଥିବା ଶିକ୍ଷା ପାଳନ କରିବେ।
ପରମେଶ୍ୱରଙ୍କର ପ୍ରଶଂସା କର!
ଅବ୍ରହାମ, ତୁମ୍ଭର ପୁତ୍ରକୁ ହତ୍ୟାକର
22 ଏହିସବୁ ଘଟଣା ଘଟିବାପରେ, ପରମେଶ୍ୱର ଅବ୍ରହାମଙ୍କ ବିଶ୍ୱାସକୁ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଲେ। ପରମେଶ୍ୱର ତାଙ୍କୁ କହିଲେ, “ଅବ୍ରହାମ!”
ଏବଂ ଅବ୍ରହାମ କହିଲେ, “ହଁ!”
2 ଏହା ପରେ ପରମେଶ୍ୱର କହିଲେ, “ତୁମ୍ଭର ପୁତ୍ରକୁ ମୋରିୟାକୁ ନିଅ। ମୋରିୟାରେ ତୁମ୍ଭର ଏକ ମାତ୍ର ସ୍ନେହର ପୁତ୍ର ଇସ୍ହାକକୁ ମୋ’ ନିମନ୍ତେ ହୋମାର୍ଥେ ବଳିଦାନ କର। ମୁଁ ଯେଉଁ ପର୍ବତକୁ କହିବି ସେହି ପର୍ବତକୁ ନେଇ ସେଠାରେ ହୋମବଳି କର।”
3 ପ୍ରଭାତରେ ଅବ୍ରହାମ ଉଠିଲେ ଏବଂ ତାଙ୍କର ଗଧକୁ ସଜାଇଲେ। ଅବ୍ରହାମ ତାଙ୍କର ପୁତ୍ର ଇସ୍ହାକ ଏବଂ ଦୁଇଜଣ ଦାସଙ୍କୁ ତାଙ୍କ ସହିତରେ ନେଲେ। ଅବ୍ରହାମ ହୋମବଳି ନିମନ୍ତେ କାଠ କାଟି ପରମେଶ୍ୱର କହିଥିବା ସ୍ଥାନକୁ ନେଇଗଲେ। 4 ତୃତୀୟ ଦିନର ଯାତ୍ରା ପରେ ଅବ୍ରହାମ ନିରୀକ୍ଷଣ କଲେ ଓ ଦୂର ସ୍ଥାନକୁ ଦେଖିଲେ, ଯେଉଁଠାକୁ ସେ ଯାଉଥିଲେ। 5 ଏହା ପରେ ଅବ୍ରହାମ ତାଙ୍କର ଦାସମାନଙ୍କୁ କହିଲେ, “ତୁମ୍ଭେମାନେ ଗଧ ସହ ଏହିଠାରେ ଅପେକ୍ଷା କର। ମୁଁ ମୋର ପୁତ୍ରକୁ ନେଇ ସେହି ସ୍ଥାନକୁ ଉପାସନା ପାଇଁ ଯାଉଛି। କିଛି ସମୟ ପରେ ଆମ୍ଭେ ତୁମ୍ଭ ନିକଟକୁ ଫେରି ଆସିବୁ।”
6 ଅବ୍ରହାମ ତାଙ୍କ ପୁତ୍ରର କାନ୍ଧରେ ହୋମବଳି ନିମନ୍ତେ କାଠ ରଖିଲେ ଏବଂ ନିଜେ ଏକ ସ୍ୱତନ୍ତ୍ର ଛୁରୀ ଏବଂ ନିଆଁ ନେଇ ଗଲେ। ଏହା ପରେ ଦୁଇଜଣ ଏକତ୍ର ହୋଇଗଲେ।
7 ଇସ୍ହାକ ତାଙ୍କର ପିତା ଅବ୍ରହାମଙ୍କୁ କହିଲେ, “ପିତା!”
ଅବ୍ରହାମ ଉତ୍ତର ଦେଲେ, “ହଁ, ମୋର ପୁତ୍ର।”
ଇସ୍ହାକ କହିଲେ, “ଆମ୍ଭର ହୋମବଳି ନିମନ୍ତେ କାଠ ଓ ନିଆଁ ଅଛି, କିନ୍ତୁ ଯେଉଁ ମେଷକୁ ଉତ୍ସର୍ଗ କରାଯିବ ତାହା କେଉଁଠାରେ?”
8 ଅବ୍ରହାମ ଉତ୍ତର ଦେଲେ, “ହେ ମୋର ପୁତ୍ର, ପରମେଶ୍ୱର ନିଜେ ଉତ୍ସର୍ଗ ପାଇଁ ସେହି ମେଷ ଯୋଗାଇବେ।”
ତେଣୁ ଇସ୍ହାକ ଓ ଅବ୍ରହାମ ଏକତ୍ର ସେଇ ସ୍ଥାନକୁ ଗ୍ଭଲିଲେ। 9 ପରମେଶ୍ୱର କହିଥିବା ସ୍ଥାନକୁ ସେମାନେ ଆସିଲେ। ସେଠାରେ ଅବ୍ରହାମ ଏକ ଯଜ୍ଞବେଦି ସ୍ଥାପନ କଲେ ଏବଂ ତାହା ଉପରେ କାଠ ସଜାଡ଼ିଲେ। ଏହା ପରେ ଅବ୍ରହାମ ଇସ୍ହାକକୁ ବାନ୍ଧି ଯଜ୍ଞବେଦିର କାଠ ଉପରେ ଶୁଆଇ ଦେଲେ। 10 ଏହା ପରେ ଅବ୍ରହାମ ତାଙ୍କର ଛୁରୀ ଆଣିଲେ ଏବଂ ଇସ୍ହାକକୁ ହତ୍ୟା କରିବା ପାଇଁ ପ୍ରସ୍ତୁତ ହେଲେ।
11 କିନ୍ତୁ ଏହା ପରେ ସଦାପ୍ରଭୁଙ୍କର ଦୂତ ସ୍ୱର୍ଗରୁ ଅବ୍ରହାମଙ୍କୁ ଡାକି କହିଲେ, “ହେ ଅବ୍ରହାମ, ହେ ଅବ୍ରହାମ!”
ଅବ୍ରହାମ ଉତ୍ତର ଦେଲେ, “ହଁ ପ୍ରଭୁ!”
12 ସଦାପ୍ରଭୁଙ୍କର ଦୂତ ଅବ୍ରହାମଙ୍କୁ କହିଲେ, “ତୁମ୍ଭର ପୁତ୍ରକୁ ହତ୍ୟା କର ନାହିଁ କି କିଛି ଆଘାତ କର ନାହିଁ। ବର୍ତ୍ତମାନ ମୁଁ ଦେଖି ପାରୁଛି ଯେ, ତୁମ୍ଭେ ପରମେଶ୍ୱରଙ୍କୁ ସମ୍ମାନ କରୁଛ ଏବଂ ତାଙ୍କର ଆଜ୍ଞା ମାନି ଚଳୁଛ। କାରଣ ତୁମ୍ଭେ ତୁମ୍ଭର ଏକମାତ୍ର ପୁତ୍ରକୁ ମୋ’ ସକାଶେ ଉତ୍ସର୍ଗ କରିବାକୁ କୁଣ୍ଠାବୋଧ କରି ନାହଁ।”
13 ଏହା ପରେ ଅବ୍ରହାମ ନିରୀକ୍ଷଣ କଲେ ଓ ଏକ ଅଣ୍ଡିରା ମେଷ ଦେଖିଲେ, ତା’ର ଶିଙ୍ଗ ବୁଦାରେ ଚ୍ଛନ୍ଦି ହୋଇଥିଲା। ତେଣୁ ଅବ୍ରହାମ ସେହି ଅଣ୍ଡିରା ମେଷକୁ ଆଣି ହତ୍ୟା କଲେ ଓ ତାହାକୁ ନିଜପୁତ୍ର ବଦଳରେ ହୋମବଳିରେ ଉତ୍ସର୍ଗ କଲେ। 14 ତେଣୁ ଅବ୍ରହାମ ସେହି ସ୍ଥାନର ନାମ ଦେଲେ, “ଯିହୋବାଃ-ଯିରି” [a] ଏପରିକି ଆଜି ମଧ୍ୟ ଲୋକମାନେ କୁହନ୍ତି, “ପର୍ବତରେ ସଦାପ୍ରଭୁ ପ୍ରଦାନ କରନ୍ତି।”
15 ସଦାପ୍ରଭୁଙ୍କର ଦୂତ ଦ୍ୱିତୀୟ ଥର ଅବ୍ରହାମଙ୍କୁ ସ୍ୱର୍ଗରୁ ଡାକିଲେ। 16 ସଦାପ୍ରଭୁଙ୍କର ଦୂତ କହିଲେ, “ତୁମ୍ଭର ଏକମାତ୍ର ପୁତ୍ର ଆମ୍ଭକୁ ଦେବାକୁ ସମ୍ମତ ହେଲ, କାରଣ ମୋ’ ପାଇଁ ତୁମ୍ଭେ ଏପରି କଲ। ମୁଁ ତୁମ୍ଭକୁ ଏହି ପ୍ରତିଜ୍ଞା କରାଇଥିଲି। ମୁଁ ସେହି ସଦାପ୍ରଭୁ ପ୍ରତିଜ୍ଞା କରିଥିଲି ଯେ, 17 ମୁଁ ତୁମ୍ଭକୁ ଆଶୀର୍ବାଦ କରିବି। ଆକାଶର ତାରାତୁଲ୍ୟ ଓ ସମୁଦ୍ର କୂଳର ଅସଂଖ୍ୟ ବାଲି ତୁଲ୍ୟ ତୁମ୍ଭର ବଂଶଧର ବଢ଼ାଇବି। ଏବଂ ତୁମ୍ଭର ଲୋକମାନେ ଯେଉଁ ସହର ଅଧିକାର କରିଛନ୍ତି ସେହି ସହରରେ ବାସ କରିବ। 18 ପୃଥିବୀର ସମସ୍ତ ଜାତି ତୁମ୍ଭର ବଂଶଧରମାନଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେବେ। ମୁଁ ଏପରି କରିବି କାରଣ ତୁମ୍ଭେ ମୋର ବାକ୍ୟ ମାନିଅଛ।”
19 ଏହା ପରେ ଅବ୍ରହାମ ତାଙ୍କର ଦାସଗଣ ନିକଟକୁ ଫେରିଗଲେ। ଏହା ପରେ ସେମାନେ ସମସ୍ତେ ବେର୍ଶେବାକୁ ଫେରିଗଲେ। ଏବଂ ଅବ୍ରହାମ ସେଠାରେ ବାସ କଲେ।
ବିଶ୍ୱାସ
11 ବିଶ୍ୱାସର ଅର୍ଥ ହେଉଛି ଆମ୍ଭେ ଭରସା କରୁଥିବା ବିଷୟ ପ୍ରତି ସୁନିଶ୍ଚିତତା। ବିଶ୍ୱାସ ଏଭଳି ସୁନିଶ୍ଚିତ ବୋଧ ଯେ, ଆମ୍ଭେ ଯାହା ନ ଦେଖୁ, ତାହା ବାସ୍ତବ ବୋଲି ଜାଣୁ। 2 ପ୍ରାଚୀନ କାଳରେ, ଲୋକମାନଙ୍କର ଏହିଭଳି ବିଶ୍ୱାସ ଥିଲା ବୋଲି, ପରମେଶ୍ୱର ସେମାନଙ୍କ ଉପରେ ପ୍ରସନ୍ନ ଥିଲେ।
3 ବିଶ୍ୱାସ ଦ୍ୱାରା ଆମ୍ଭେ ବୁଝିଛୁ ଯେ ସମଗ୍ର ସୃଷ୍ଟିର ରଚନା ପରମେଶ୍ୱର ନିଜ ଆଜ୍ଞା ବଳରେ କରିଥିଲେ। ଏହାର ଅର୍ଥ ଯେ, ଆମ୍ଭକୁ ଦିଶୁଥିବା ବିଷୟ ଗୁଡ଼ିକର ସୃଷ୍ଟି ଅଦୃଶ୍ୟ ବିଷୟ ଦ୍ୱାରା ହୋଇଛି।
13 ସେହି ସମସ୍ତ ମହାନ ଲୋକ ମୃତ୍ୟୁ ପର୍ଯ୍ୟନ୍ତ ନିଜର ବିଶ୍ୱାସ ସହିତ ଜୀବିତ ରହିଲେ। ପରମେଶ୍ୱର ନିଜ ଲୋକଙ୍କୁ ପ୍ରତିଜ୍ଞା କରିଥିବା ବସ୍ତୁମାନ ସେହି ଲୋକମାନେ ପାଇଲେ ନାହିଁ। ସେମାନେ ଖାଲି ଦେଖିଲେ ଯେ, ସେହି ବିଷୟ ଗୁଡ଼ିକ ସୁଦୂର ଭବିଷ୍ୟତରେ ଆସିବ, ଓ ସେମାନେ (ସେତିକିରେ) ଖୁସୀ ହେଲେ। ସେମାନେ ଗ୍ରହଣ କରି ନେଲେ ଯେ ସେମାନେ ଏହି ପୃଥିବୀରେ ଯାତ୍ରୀ ଓ ଅପରିଚିତ ବ୍ୟକ୍ତି ଅଟନ୍ତି। 14 ଯେଉଁ ଲୋକମାନେ ସେହିଭଳି କଥା ମାନି ନିଅନ୍ତି, ସେମାନେ ସେମାନଙ୍କର ନିଜର ଗୋଟିଏ ଦେଶ ପାଇଁ ଅପେକ୍ଷାରତ ଅଛନ୍ତି ବୋଲି ପ୍ରଦର୍ଶିତ କରନ୍ତି। 15 ଯଦି ସେମାନେ ପୂର୍ବରୁ ଛାଡ଼ି ଥିବା ଦେଶ ବିଷୟରେ ଭାବୁ ଥିଲେ, ସେମାନେ ସେହି ସ୍ଥାନକୁ ଫେରିବାକୁ ଗୋଟିଏ ସୁଯୋଗ ଖୋଜି ପାଇ ପାରି ଥା’ନ୍ତେ। 16 କିନ୍ତୁ ବାସ୍ତବିକ ସେମାନେ ଗୋଟିଏ ଅପେକ୍ଷାକୃତ ଭଲ ଦେଶ ପାଇଁ ଅପେକ୍ଷା କରୁଥିଲେ, ଯାହାକି ଗୋଟିଏ ସ୍ୱର୍ଗୀୟ ଦେଶ। ତେଣୁ ପରମେଶ୍ୱର ସଙ୍କୋଚ କଲେ ନାହିଁ, ସେମାନଙ୍କର ପରମେଶ୍ୱର ଭାବରେ ପରିଚିତ ହେବା ପାଇଁ। ସେହି ଲୋକମାନଙ୍କ ଲାଗି ପରମେଶ୍ୱର ଗୋଟିଏ ନଗର ତିଆରି କରି ରଖି ଅଛନ୍ତି।
17-18 ପରମେଶ୍ୱର ଅବ୍ରହାମଙ୍କୁ ପରୀକ୍ଷା କରିଥିଲେ। ଅବ୍ରହାମଙ୍କୁ ପରମେଶ୍ୱର କହିଥିଲେ ଯେ, ଇସ୍ହାକଙ୍କୁ ବଳିରୂପେ ସମର୍ପିତ କରିବ। ଅବ୍ରହାମଙ୍କ ବିଶ୍ୱାସ ଥିବାରୁ ସେ ତାହା ମାନିଲେ। ପରମେଶ୍ୱରଙ୍କଠାରୁ ଅବ୍ରହାମ ପୂର୍ବରୁ ପ୍ରତିଜ୍ଞା ପାଇଥିଲେ। ପରମେଶ୍ୱର ଅବ୍ରହାମଙ୍କୁ କହି ସାରିଥିଲେ ଯେ, “ଇସ୍ହାକଙ୍କ ଦ୍ୱାରା ତୁମ୍ଭର ବଂଶଧରମାନେ ଆସିବେ।” କିନ୍ତୁ ନିଜର ଏକମାତ୍ର ପୁତ୍ର ଇସ୍ହାକଙ୍କୁ ସେ ସମର୍ପିତ କରିବା ପାଇଁ ପ୍ରସ୍ତୁତ ଥିଲେ। ବିଶ୍ୱାସ ଥିବାରୁ ଅବ୍ରହାମ ଏପରି କଲେ। 19 ଅବ୍ରହାମ ବିଶ୍ୱାସ କରିଥିଲେ ଯେ, ପରମେଶ୍ୱର ଲୋକମାନଙ୍କୁ ମୃତ୍ୟୁରୁ ଉଠାଇ ଆଣି ପାରିବେ। ପ୍ରକୃତରେ ଯେତେବେଳେ ସେ ଇସ୍ହାକଙ୍କୁ ମାରିବା ପାଇଁ ଗଲାବେଳେ ପରମେଶ୍ୱର ଅବ୍ରହାମଙ୍କୁ ଅଟକାଇ ଦେଲେ। ସେତେବେଳେ ଅବ୍ରହାମ ଯେପରି ଇସ୍ହାକଙ୍କୁ ମୃତ୍ୟୁରୁ ଫେରି ପାଇଲେ।
2010 by World Bible Translation Center