Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 103:1-8

ଦାଉଦଙ୍କର ଏକ ଗୀତ।

103 ହେ ମୋର ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର!
    ହେ ମୋର ସବୁ ଅଙ୍ଗପ୍ରତ୍ୟଙ୍ଗ, ତାଙ୍କ ପବିତ୍ର ନାମର ପ୍ରଶଂସା କର।
ହେ ମୋର ପ୍ରାଣ, ସଦାପ୍ରଭୁଙ୍କ ପ୍ରଶଂସା କର।
    ତାଙ୍କର ମଙ୍ଗଳଦାନସବୁ ପାଶୋର ନାହିଁ।
ହେ ମୋର ପ୍ରାଣ, ସଦାପ୍ରଭୁ ତୁମ୍ଭର ସମସ୍ତ ପାପଗୁଡ଼ିକ କ୍ଷମା କରନ୍ତି।
    ସେ ତୁମ୍ଭର ରୋଗସବୁ ସୁସ୍ଥ କରନ୍ତି।
ପରମେଶ୍ୱର ବିନାଶରୁ ମୋତେ ମୁକ୍ତ କରନ୍ତି।
    ସେ ମୋତେ ସ୍ନେହପୂର୍ଣ୍ଣ କରୁଣା ଏବଂ ଦୟା ଦେଖାନ୍ତି।
ପରମେଶ୍ୱର ମୋତେ ପ୍ରଚୁର ସୁଦ୍ରବ୍ୟ ଦିଅନ୍ତି।
    ସେ ମୋତେ ପୁନ୍ନରାୟ ଉତ୍କ୍ରୋଷ ପକ୍ଷୀ ପରି
    ଯୁବକ କରନ୍ତି।
ସଦାପ୍ରଭୁ ନ୍ୟାୟବାନ୍।
    ସେ ସେହି ଲୋକମାନଙ୍କୁ ନ୍ୟାୟ ପ୍ରଦାନ କରିବେ ଯେଉଁମାନଙ୍କୁ ଅନ୍ୟମାନଙ୍କ ଦ୍ୱାରା ଅନ୍ୟାୟ କରାଯାଇଛି।
ପରମେଶ୍ୱର ମୋଶାଙ୍କୁ ଆପଣା ପଥ
    ଓ ଇସ୍ରାଏଲ ସନ୍ତାନଗଣଙ୍କୁ ଆପଣା କ୍ରିୟାସବୁ ଜଣାଇଥିଲେ।
ସଦାପ୍ରଭୁ ସ୍ନେହଶୀଳ ଓ କୃପାମୟ,
    ସେ ଧୈର୍ଯ୍ୟଶୀଳ ଏବଂ ପ୍ରେମରେ ପରିପୂର୍ଣ୍ଣ।

ନିହିମିୟାଙ୍କର ପୁସ୍ତକ 13:15-22

15 ସେହି ସମୟରେ ମୁଁ ଯିହୁଦା ମଧ୍ୟରେ କେତେକ ଲୋକଙ୍କୁ ବିଶ୍ରାମ ଦିନରେ ଦ୍ରାକ୍ଷାରସ ଦଳିବାର ଓ ବିଡ଼ା ଭିତରକୁ ଆଣିବାର ଓ ଗର୍ଦ୍ଦଭ ଉପରେ ବୋଝେଇ କରିବାର ମଧ୍ୟ ବିଶ୍ରାମ ଦିନରେ ଦ୍ରାକ୍ଷାରସ, ଦ୍ରାକ୍ଷାଫଳ ଓ ଡିମ୍ବିରିଫଳ ଓ ସର୍ବପ୍ରକାର ବୋଝ ଯିରୁଶାଲମକୁ ଆଣିବାର ଦେଖିଲି। ତେଣୁ ବିଶ୍ରାମ ଦିନରେ କୌଣସି ଖାଦ୍ୟ ବିକ୍ରୟ ନ କରିବାକୁ ମୁଁ ସେମାନଙ୍କୁ ସତର୍କ କଲି।

16 ସେହି ନଗରରେ ସୋରୀୟ ଲୋକେ ବାସ କରୁଥିଲେ। ସେମାନେ ମତ୍ସ୍ୟ ଓ ଅନ୍ୟ ବହୁତ ଦ୍ରବ୍ୟ ବିଶ୍ରାମ ଦିନରେ ଯିହୁଦୀୟମାନଙ୍କୁ ଓ ଯିରୁଶାଲମରେ ବିକ୍ରୟ କଲେ। 17 ଏଥିପାଇଁ ମୁଁ ଯିହୁଦାର କୁଳୀନ ନାଗରିକମାନଙ୍କ ସଙ୍ଗେ ଯୁକ୍ତି କରି କରି ସେମାନଙ୍କୁ କହିଲି, “ତୁମ୍ଭେମାନେ ବିଶ୍ରାମ ଦିନ ଅପବିତ୍ର କରିବା ପାଇଁ ବହୁତ କୁକର୍ମ କରୁଅଛ। 18 ତୁମ୍ଭମାନଙ୍କ ପିତୃପୁରୁଷମାନେ କ’ଣ ଏପରି ବ୍ୟବହାର କରି ନ ଥିଲେ? ଆଉ ତହିଁ ସକାଶୁ ଆମ୍ଭମାନଙ୍କ ପରମେଶ୍ୱର କି ଆମ୍ଭମାନଙ୍କ ଉପରେ ଓ ଏହି ନଗର ଉପରେ ଏହିସବୁ ଅମଙ୍ଗଳ ଘଟାଇ ନାହାନ୍ତି? ତଥାପି ତୁମ୍ଭେମାନେ ବିଶ୍ରାମ ଦିନ ଅପବିତ୍ର କରି ଇସ୍ରାଏଲ ଉପରକୁ କୋପ ଆଣୁଅଛ।”

19 ଏହା ପରେ ବିଶ୍ରାମବାର ପୂର୍ବରୁ ଯିରୁଶାଲମରେ ଯେତେବେଳେ ଅନ୍ଧାର ହେବାକୁ ଲାଗିଲା। ମୁଁ କବାଟସବୁ ବନ୍ଦ କରିବାକୁ ପ୍ରହରୀକୁ ଆଜ୍ଞା ଦେଲି, ଆହୁରି ବିଶ୍ରାମବାର ଶେଷ ହେବା ପର୍ଯ୍ୟନ୍ତ ନ ଖୋଲିବାକୁ ଆଜ୍ଞା ଦେଲି। ପୁଣି ବିଶ୍ରାମ ଦିନ ଲୋକମାନଙ୍କୁ ବୋଝ ବୋହିବାରୁ ବିରତ କରିବା ପାଇଁ ମୁଁ ଆପଣା ଦାସମାନଙ୍କ ମଧ୍ୟରୁ କେତେକଙ୍କୁ ଦ୍ୱାରମାନଙ୍କରେ ନିଯୁକ୍ତି କଲି।

20 ତହିଁରେ ବଣିକମାନେ ଓ ସର୍ବପ୍ରକାର ଦ୍ରବ୍ୟ ବିକ୍ରୟକାରୀମାନେ ଥରେ ବା ଦୁଇଥର ଯିରୁଶାଲମ ବାହାରେ ରାତ୍ରି କ୍ଷେପଣ କଲେ। 21 ତା'ପରେ ମୁଁ ସେମାନଙ୍କୁ ସତର୍କ କଲି ଏବଂ କହିଲି, “ତୁମ୍ଭେମାନେ କାହିଁକି ପ୍ରାଚୀର ନିକଟରେ ରାତ୍ରି ଯାପନ କରୁଅଛ? ତୁମ୍ଭେମାନେ ଆଉ ଥରେ ଏପରି କଲେ ମୁଁ ତୁମ୍ଭମାନଙ୍କୁ ଧରିବି।” ସେହି ସମୟାବଧି ସେମାନେ ଆଉ ବିଶ୍ରାମବାରରେ ଆସିଲେ ନାହିଁ।

22 ଏହା ପରେ ମୁଁ ଲେବୀୟମାନଙ୍କୁ ବିଶ୍ରାମ ଦିନ ପବିତ୍ର କରିବା ନିମନ୍ତେ ନିଜ ନିଜକୁ ଶୁଚି କରିବାକୁ ଓ ଆସି ଦ୍ୱାରସବୁ ଜଗିବାକୁ ଆଜ୍ଞା କଲି।

ହେ ପରମେଶ୍ୱର, ମୋ’ ପକ୍ଷରେ ଏହା ମଧ୍ୟ ସ୍ମରଣ କର ଓ ଆପଣା ଶାଶ୍ୱତ ପ୍ରେମରେ ମୋତେ ରକ୍ଷା କର।

ଲୂକ ଲିଖିତ ସୁସମାଗ୍ଭର 6:1-5

ଯୀଶୁ ବିଶ୍ରାମବାରର ପ୍ରଭୁ

(ମାଥିଉ 12:1-8; ମାର୍କ 2:23-28)

ଥରେ ବିଶ୍ରାମବାରରେ ଯୀଶୁ ଶସ୍ୟ କ୍ଷେତ୍ର ଦେଇ ଯାଉଥିଲେ। ତାହାଙ୍କର ଶିଷ୍ୟମାନେ କେତେକ ଶସ୍ୟ ଛିଣ୍ତେଇଲେ ଓ ତାହାକୁ ଦୁଇ ହାତରେ ଦଳିଲେ ଏବଂ ଖାଇଲେ। କେତେକ ଫାରୂଶୀ କହିଲେ, “ବିଶ୍ରାମବାରରେ ଯାହା କରିବା ବିଧିସଙ୍ଗତ ନୁହେଁ, ତୁମ୍ଭେମାନେ ତାହା କାହିଁକି କରୁଛ?”

ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ଦାଉଦ ଓ ତାହାଙ୍କ ସାଥୀମାନେ ଭୋକିଲା ଥିବା ବେଳେ ଦାଉଦ କ’ଣ କରିଥିଲେ, ତାହା କ’ଣ ତୁମ୍ଭେମାନେ ପଢ଼ି ନାହଁ? ଦାଉଦ ପରମେଶ୍ୱରଙ୍କ ଘର ଭିତରକୁ ପଶିଲେ। ପରମେଶ୍ୱରଙ୍କୁ ଅର୍ପିତ ହୋଇଥିବା ରୋଟୀ ଉଠେଇ ଆଣି ନିଜେ ଖାଇଥିଲେ ତଥା ସାଥୀମାନଙ୍କୁ ମଧ୍ୟ ଖାଇବାକୁ ଦେଇଥିଲେ। ଏହା ମୋଶାଙ୍କ ଆଦେଶର ବିରୁଦ୍ଧାଚରଣ ଥିଲା। ମୋଶାଙ୍କ ଆଦେଶ ଅନୁସାରେ ଏହି ରୋଟୀ କେବଳ ଯାଜକମାନଙ୍କ ବ୍ୟତୀତ ଅନ୍ୟ କାହାରି ଖାଇବା ଉଚିତ୍ ନୁହେଁ। ତା'ପରେ ଯୀଶୁ ଫାରୂଶୀମାନଙ୍କୁ କହିଲେ, “ମନୁଷ୍ୟପୁତ୍ର ବିଶ୍ରାମବାରର ମଧ୍ୟ ମାଲିକ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center