Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 32

ଦାଉଦଙ୍କର ଏକ ଜ୍ଞାନଗର୍ଭକ ଗୀତ

32 ଯାହାର ସବୁ ପାପ କ୍ଷମା କରାଯାଇଅଛି, ସେ ବ୍ୟକ୍ତି ଧନ୍ୟ।
    ସେହି ବ୍ୟକ୍ତି ଅଧିକ ଭାଗ୍ୟଶାଳୀ, ଯେତେବେଳେ ତା'ର ସମସ୍ତ ପାପ ଧୋଇ ଦିଆଯାଇଥାଏ।
ଜଣେ ବ୍ୟକ୍ତି ଅଧିକ ଖୁସୀ ହୁଏ,
    ଯେତେବେଳେ ସଦାପ୍ରଭୁ ତାକୁ ଦୋଷୀ ବୋଲି କୁହନ୍ତି ନାହିଁ।
    ସେହି ବ୍ୟକ୍ତିଟି ଅଧିକ ଭାଗ୍ୟଶାଳୀ ଯିଏ ନିଜର ପାପକୁ ଗୋପନ ରଖେ ନାହିଁ।

ପ୍ରଭୁ ମୁଁ ବାରମ୍ବାର ତୁମ୍ଭକୁ ପ୍ରାର୍ଥନା କଲି କିନ୍ତୁ ମୁଁ ମୋର ଗୋପନ ପାପ ବିଷୟରେ ତୁମ୍ଭକୁ କିଛି କହିଲି ନାହିଁ।
    ମୁଁ କେବଳ ଦୁର୍ବଳ ହୋଇ ପଡ଼ିଲି, ପ୍ରତ୍ୟେକ ଥର ଯେତେବେଳେ ମୁଁ ପ୍ରାର୍ଥନା କଲି।
ପ୍ରଭୁ ତୁମ୍ଭେ ମୋର ଜୀବନକୁ ରାତିଦିନ ଅଧିକରୁ ଅଧିକ ଦୁର୍ବିସହ କରିଦେଲ।
    ମୁଁ କ୍ରମେ ଶୁଖି ଗଲି, ଗ୍ରୀଷ୍ମ ଋତୁରେ ଯେମିତି ଭୂମି ଶୁଖି ଯାଏ। ସେଲା

କିନ୍ତୁ ତା'ପରେ ମୁଁ ନିଷ୍ପତ୍ତି ନେଲି ମୋର ସମସ୍ତ ପାପକୁ ତୁମ୍ଭ ଆଗରେ ପ୍ରକାଶ କରିବି।
    ସଦାପ୍ରଭୁ ତୁମ୍ଭଙ୍କୁ ମୋର ସମସ୍ତ ପାପ ବିଷୟରେ କହିଲି।
    ମୋର କୌଣସି ପାପ ଲୁଗ୍ଭଇ ରଖିଲି ନାହିଁ ଓ ତୁମ୍ଭେ ମୋତେ ମୋର ସମସ୍ତ ପାପରୁ କ୍ଷମା କରିଦେଲ। ସେଲା

ଏହି କାରଣରୁ ତୁମ୍ଭର ସମସ୍ତ ଅନୁଗାମୀମାନେ ତୁମ୍ଭକୁ ପ୍ରାର୍ଥନା କରନ୍ତି।
    ଯଦିଓ ସେମାନଙ୍କର ବନ୍ୟାପରି ବହୁତ ବିପଦ ଅଛି, ତଥାପି ସେମାନେ ନିରାପଦରେ ରହିବେ।
ପରମେଶ୍ୱର ତୁମ୍ଭେ ହିଁ ମୋର ଲୁଚିବାର ସ୍ଥାନ ଅଟ।
    ତୁମ୍ଭେ ମୋତେ ସମସ୍ତ ବିପଦରୁ ଉଦ୍ଧାର କର।
ତୁମ୍ଭେ ମୋର ଚତୁର୍ଦ୍ଦିଗରେ ରହି ମୋତେ ରକ୍ଷା କର।
    ତେଣୁ ଯେଉଁ ଉପାୟରେ ମୋତେ ବଞ୍ଚାଇଲ ମୁଁ ସେହି ବିଷୟରେ ଗୀତ ବୋଲିବି। ସେଲା

ସଦାପ୍ରଭୁ କୁହନ୍ତି, “ମୁଁ ତୁମ୍ଭକୁ ଶିକ୍ଷା ଦେବି ଏବଂ ତୁମ୍ଭେ ଯେଉଁ ମାର୍ଗରେ ବଞ୍ଚିବ ତାକୁ ମଧ୍ୟ ବତାଇ ଦେବି।
    ମୁଁ ତୁମ୍ଭକୁ ରକ୍ଷା କରିବି ଏବଂ ତୁମ୍ଭର ତତ୍ତ୍ୱାବଧାରକ ହେବି।
ତୁମ୍ଭେମାନେ ନିଶ୍ଚିତ ଗଧମାନଙ୍କୁ ଦଉଡ଼ି ଏବଂ ଅଶ୍ୱମାନଙ୍କୁ ଲଗାମର ବ୍ୟବହାର କର।
    କାରଣ ସେମାନଙ୍କୁ ତୁମ୍ଭ ପାଖକୁ ଆଣିବା ପାଇଁ, କିନ୍ତୁ ପରମେଶ୍ୱରଙ୍କ ସହିତ ସେପରି ହୁଅ ନାହିଁ।”

10 ଦୁଷ୍ଟ ଲୋକମାନଙ୍କ ଉପରେ ଅନେକ ଅଘଟଣ ଘଟିଛି,
    କିନ୍ତୁ ପରମେଶ୍ୱର ତାଙ୍କର ଆଶ୍ରିତମାନଙ୍କୁ ନିଜର କରୁଣା ଦୃଷ୍ଟି ବଳରେ ରକ୍ଷା କରିବେ।
11 ହେ ଧାର୍ମିକଗଣ, ତୁମ୍ଭେ ସଦାପ୍ରଭୁଙ୍କଠାରେ ଆନନ୍ଦରେ ଉଲ୍ଲସିତ ହୁଅ।
    ହେ ସରଳାନ୍ତଃକରଣର ବ୍ୟକ୍ତିମାନେ ଆନନ୍ଦିତ ହୁଅ।

ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 25:15-29

ପୃଥିବୀର ଗୋଷ୍ଠୀମାନଙ୍କ ଉପରେ ବିଗ୍ଭର

15 ଇସ୍ରାଏଲର ପରମେଶ୍ୱର, ସଦାପ୍ରଭୁ ଏହା ମୋତେ କହିଲେ, “ହେ ଯିରିମିୟ, ତୁମ୍ଭେ ଆମ୍ଭ ହସ୍ତରୁ ଏହି ପ୍ରଚଣ୍ଡ କ୍ରୋଧରୂପକ ଦ୍ରାକ୍ଷାରସର ପାତ୍ର ନିଅ ଓ ଆମ୍ଭେ ତୁମ୍ଭକୁ ଯେଉଁସବୁ ଗୋଷ୍ଠୀ ନିକଟକୁ ପଠାଉଅଛୁ, ସେମାନଙ୍କୁ ତାହା ପାନ କରାଅ। 16 ତାହା ପାନ କରି ସେମାନେ ବାନ୍ତିକରି ଏଣେ ତେଣେ ଟଳମଳ ହେବେ। ପୁଣି ଆମ୍ଭେ ସେମାନଙ୍କ ବିରୁଦ୍ଧରେ ପଠାଇଥିବା ‌‌ଖ‌ଡ଼୍‌ଗ ହେତୁ ସେମାନେ ଉନ୍ମତ୍ତ ହେବେ।”

17 ତହୁଁ ମୁଁ ସଦାପ୍ରଭୁଙ୍କ ହସ୍ତରୁ ସେହି ପାତ୍ର ନେଇ, ତାଙ୍କର କହିବାନୁସାରେ ସେ ଗୋଷ୍ଠୀମାନଙ୍କ ନିକଟକୁ ଗଲି ଓ ସେ ସମସ୍ତଙ୍କୁ ତାହା ପାନ କରାଇଲି। 18 ମୁଁ ଯିହୁଦା ଓ ଯିରୁଶାଲମର ସମସ୍ତ ନିବାସୀମାନଙ୍କୁ, ସେହି ପାତ୍ରରୁ ପାନ କରାଇଲି। ସେହି ଦେଶ ଶୁଷ୍କ ମରୁଭୂମି ହେଲା ଓ ଶୋଚନୀୟ ଭାବରେ ବିନଷ୍ଟ ହେଲା। ଏହା ଦେଖି ଲୋକମାନେ ଶୀସ୍ ଶବ୍ଦ କଲେ ଓ ଆଜି ପର୍ଯ୍ୟନ୍ତ ଲୋକମାନେ ଏହାକୁ ଏକ ଅଭିଶାପର ବସ୍ତୁ ରୂପେ ବ୍ୟବହାର କରନ୍ତି।

19 ମୁଁ ମଧ୍ୟ ମିଶରର ରାଜା ଫାରୋକୁ, ତାହାର ଦାସଗଣକୁ ତାହାର ଅଧିପତିମାନଙ୍କୁ ଓ ତାହାର ସମସ୍ତ ଲୋକଙ୍କୁ ସଦାପ୍ରଭୁଙ୍କର ସେହି କ୍ରୋଧରୂପୀ ପାତ୍ରରୁ ପାନ କରାଇଲି।

20 ପୁଣି ଆରବର ସମସ୍ତଙ୍କୁ ଓ ଉଷ୍ ଦେଶସ୍ଥ ସମସ୍ତ ରାଜାଙ୍କୁ

ପଲେଷ୍ଟୀୟ ଦେଶସ୍ଥ ସମସ୍ତ ରାଜାଙ୍କୁ ଏବଂ ଅସ୍କିଲୋନ, ଘଷା, ଇକ୍ରୋଣ ଓ ଅ‌‌ସ୍‌‌ଦୋଦର ଅବଶିଷ୍ଟାଂଶକୁ ପାନ କରାଇଲି।

21 ତା'ପରେ ଇଦୋମ, ମୋୟାବ ଓ ଅମ୍ମୋନର ସନ୍ତାନଗଣକୁ ସେହି ପାତ୍ରରୁ ପାନ କରାଇଲି।

22 ଆଉ ସୋରର ସମସ୍ତ ରାଜାଙ୍କୁ, ସୀଦୋନର ସମସ୍ତ ରାଜାଙ୍କୁ ଓ ସମୁଦ୍ରପାରସ୍ଥ ଦ୍ୱୀପର ସମସ୍ତ ରାଜାଙ୍କୁ ତାହା ପାନ କରାଇଲି। 23 ପୁଣି ଦଦାନ୍, ଢେମା ଓ ବୁଷର ଲୋକମାନେ ଆପଣା ଆପଣା କେଶ ମୁଣ୍ଡନ କରି ସେହି ପାତ୍ରରୁ ପାନ କଲେ। 24 ପୁଣି ଆରବର ସମସ୍ତ ରାଜାଙ୍କୁ ଓ ପ୍ରାନ୍ତରବାସୀ ମିଶ୍ରିତ ଗୋଷ୍ଠୀବର୍ଗର ସମସ୍ତ ରାଜାଙ୍କୁ ତାହା ପାନ କରାଇଲି। 25 ମୁଁ ମଧ୍ୟ ସିମ୍ରୀ, ଐଲମ ଓ ମାଦୀୟମାନଙ୍କର ସମସ୍ତ ରାଜାଙ୍କୁ ତାହା ପାନ କରାଇଲି। 26 ପୁଣି ଉତ୍ତର ଦିଗର ନିକଟସ୍ଥ ଓ ଦୂରସ୍ଥ ସମସ୍ତ ରାଜା ଜଣକ ପରେ ଜଣେ ଏହା ପାନ କଲେ। ପୁଣି ପୃଥିବୀସ୍ଥ ସମସ୍ତ ରାଜ୍ୟକୁ ପାନ କରାଇଲା ପରେ “ଶେଶକର” ରାଜା ଏହି ପାତ୍ରରୁ ପାନ କରିବେ।

27 “ପୁଣି ଇସ୍ରାଏଲର ପରମେଶ୍ୱର, ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ହେ ଯିରିମିୟ, ତୁମ୍ଭେ ସେମାନଙ୍କୁ କହିବ, ‘ତୁମ୍ଭେମାନେ ପାନ କରି ମତ୍ତ ହୁଅ ଓ ବାନ୍ତି କର, ପୁଣି ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରୁ ‌‌ଖ‌ଡ଼୍‌ଗ ପଠାଇବା, ତେଣୁ ତୁମ୍ଭେମାନେ ପତିତ ହୋଇ ଆଉ ଉଠ ନାହିଁ।’

28 “ପୁଣି ସେମାନେ ତୁମ୍ଭ ହସ୍ତରୁ ପାତ୍ର ନେଇ ପାନ କରିବାକୁ ଯେବେ ଅସମ୍ମତ ହେବେ, ତେବେ ତୁମ୍ଭେ ସେମାନଙ୍କୁ ଏହା କହିବ, ‘ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ତୁମ୍ଭେମାନେ ନିଶ୍ଚୟ ତାହା ପାନ କରିବ। 29 କାରଣ ଏହି ଯିରୁଶାଲମକୁ ମୁଁ କ୍ଷତି କରିବାକୁ ଅଭିଯାନ ଆରମ୍ଭ କରିଛି। ତାହା ମୋର ନାମକୁ ଧାରଣ କରିଛି। ତୁମ୍ଭେମାନେ କହିପାର ଆମ୍ଭେମାନେ ଦଣ୍ଡିତ ହେବୁ ନାହିଁ। ମାତ୍ର ତୁମ୍ଭେମାନେ ଭୁଲ୍ କହୁଅଛ। ଆମ୍ଭେ ସମଗ୍ର ପୃଥିବୀବାସୀଙ୍କ ଉପରେ ‌‌ଖ‌ଡ଼୍‌ଗ ଚଲାଇବା।’” ଏହା ସଦାପ୍ରଭୁ କହନ୍ତି।

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 7:44-53

44 “ଆମ୍ଭ ପୂର୍ବପୁରୁଷମାନଙ୍କ ପବିତ୍ର ତମ୍ବୁ ମଧ୍ୟ ପ୍ରାନ୍ତରରେ ଥିଲା। ପରମେଶ୍ୱର ମୋଶାଙ୍କୁ ଗୋଟିଏ ନ‌କ୍‌ସା ଦେଖାଇଲେ ଏବଂ ସେ ଦେଖିଥିବା ନ‌କ୍‌ସା ଅନୁସାରେ ଗୋଟିଏ ସାକ୍ଷ୍ୟ ତମ୍ବୁ ତିଆରି କରିବାକୁ ତାହାଙ୍କୁ କହିଥିଲେ। 45 ଆମ୍ଭର ପୂର୍ବପୁରୁଷମାନେ ସେହି ପବିତ୍ର ତମ୍ବୁ ସାଙ୍ଗରେ ଆଣିଥିଲେ। ସେହି ସମୟରେ ଯିହୋଶୂୟଙ୍କ ନେତୃତ୍ୱରେ ସେମାନେ ଅନ୍ୟଜାତି ଗଣର ଦେଶ ଅଧିକାର କରି ନେଇଥିଲେ। ଏହି ଜାତିମାନଙ୍କୁ ଆମ୍ଭ ପୂର୍ବପୁରୁଷମାନଙ୍କ ସାମନାରେ ବାହାର କରିଦେଲେ। ତମ୍ବୁଟି ଦାଉଦଙ୍କ ସମୟ ପର୍ଯ୍ୟନ୍ତ ଥିଲା। 46 ଦାଉଦ ପରମେଶ୍ୱରଙ୍କ କୃପା ପ୍ରାପ୍ତ ହେଲେ। ସେ ଯାକୁବର ପରମେଶ୍ୱରଙ୍କ ପାଇଁ ଗୋଟିଏ ମନ୍ଦିର ତୋଳିବାକୁ ଅନୁମତି ଦେବା ପାଇଁ ପରମେଶ୍ୱରଙ୍କୁ ଅନୁରୋଧ କଲେ। 47 କିନ୍ତୁ ଶଲୋମନ ତାହାଙ୍କ ପାଇଁ ଗୋଟିଏ ମନ୍ଦିର ନିର୍ମାଣ କଲେ।

48 “ମାତ୍ର ସର୍ବୋପରିସ୍ଥ ପରମେଶ୍ୱର କୌଣସି ହାତ ତିଆରି ମନ୍ଦିରରେ ବାସ କରନ୍ତି ନାହିଁ। ଭବିଷ୍ୟ‌ଦ୍‌ବକ୍ତା ଏହିପରି ଲେଖନ୍ତି,

49 ‘ସ୍ୱର୍ଗ ମୋହର ସିଂହାସନ
    ପୃଥିବୀ ମୋହର ପାଦପୀଠ।
ତୁମ୍ଭେମାନେ ମୋ’ ପାଇଁ କି ପ୍ରକାରର ମନ୍ଦିର ନିର୍ମାଣ କରିବ?
    ମୋର ବିଶ୍ରାମ ନେବା ପାଇଁ ସ୍ଥାନ କେଉଁଠି?
50 ମନେରଖ, ମୁଁ ଏସବୁ ସୃଷ୍ଟି କରିଛି।’”(A)

51 ସ୍ତିଫାନ କହିଲେ, “ହେ ଯିହୂଦୀ ଲୋକମାନେ, ତୁମ୍ଭେମାନେ କେଡ଼େ ଜି‌ଦ୍‌ଖୋର! ତୁମ୍ଭମାନଙ୍କର ହୃଦୟ ପରମେଶ୍ୱରଙ୍କର ନୁହେଁ। ତୁମ୍ଭେମାନେ ତାହାଙ୍କ କଥା ଶୁଣିବାକୁ ମନା କରୁଛ। ତୁମ୍ଭେମାନେ ସର୍ବଦା ପବିତ୍ରଆତ୍ମାଙ୍କର ବିରୋଧ କରିଛ। ତୁମ୍ଭେମାନେ ସବୁ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କ ପରି ହେଉଛ। 52 ତୁମ୍ଭମାନଙ୍କର ପୂର୍ବପୁରୁଷମାନେ କୌଣସି ଭାବବାଦୀଙ୍କୁ ତାଡ଼ନା ନ କରି ଛାଡ଼ି ନାହାନ୍ତି। ଏହି ଭାବବାଦୀମାନେ ପୂର୍ବରୁ ସେହି ଧାର୍ମିକ ବ୍ୟକ୍ତିଙ୍କର ଆଗମନ କଥା କହିଥିଲେ। କିନ୍ତୁ ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ସେହି ଲୋକମାନଙ୍କୁ ମଧ୍ୟ ମାରି ଦେଇଥିଲେ। ବର୍ତ୍ତମାନ ତୁମ୍ଭେମାନେ ସେହି ଧାର୍ମିକ ବ୍ୟକ୍ତିଙ୍କୁ ପ୍ରତାରିତ ଓ ହତ୍ୟା କରିଛ। 53 ତୁମ୍ଭେମାନେ ପରମେଶ୍ୱରଙ୍କ ଦୂତ ଦ୍ୱାରା ମୋଶାଙ୍କୁ ଦିଆଯାଇଥିବା ବ୍ୟବସ୍ଥାକୁ ଗ୍ରହଣ କରିଛ, କିନ୍ତୁ ତାହାର ବାଧ୍ୟ ହୋଇ ନାହଁ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center