Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 63

ଦାଉଦଙ୍କର ଏକ ଗୀତ, ସେ ଯିହୁଦା ମରୁଭୂମିରେ ଥିବା ବେଳେ ରଚିତ।

63 ହେ ପରମେଶ୍ୱର, ତୁମ୍ଭେ ମୋର ପରମେଶ୍ୱର।
    ମୁଁ ତୁମ୍ଭକୁ ବହୁତ ଗ୍ଭହୁଁଛି।
ମୋର ସମସ୍ତ ପ୍ରାଣ ତୁମ୍ଭ ପାଇଁ
    ଶୁଷ୍କ ଭୂମି ତୁଲ୍ୟ ତୃଷାର୍ତ୍ତ।
ହଁ, ମୁଁ ତୁମ୍ଭକୁ ପବିତ୍ର ମନ୍ଦିରରେ ଦେଖିଅଛି।
    ମୁଁ ତୁମ୍ଭର ପରାକ୍ରମ ଓ ଗୌରବ ଦେଖିଅଛି।
ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଜୀବନ ଅପେକ୍ଷା ଉତ୍ତମ।
    ମୋର ଓଷ୍ଠାଧର ତୁମ୍ଭର ପ୍ରଶଂସା ଗାନ କରେ।
ହଁ, ମୁଁ ଜୀବନସାରା ତୁମ୍ଭର ପ୍ରଶଂସା କରିବି।
    ମୁଁ ତୁମ୍ଭର ନାମ ଡାକି ପ୍ରାର୍ଥନା କରିବା ସମୟରେ ମୋର ହସ୍ତ ଉଠାଇବି।
ଯେମନ୍ତ ମେଦ ଓ ମଜ୍ଜା, ସେହିପରି ମୋର ପ୍ରାଣ ପରିତୃପ୍ତ ହେବ।
    ମୋ’ ଆନନ୍ଦିତ ଓଷ୍ଠାଧରରେ ତୁମ୍ଭର ପ୍ରଶଂସା କରିବି।
ମୁଁ ଶଯ୍ୟା ଉପରେ ଗଡ଼ୁଥିବା ସମୟରେ ତୁମ୍ଭକୁ ମନେ କରିବି।
    ରାତି ସମୟରେ ମଧ୍ୟ ମୁଁ ତୁମ୍ଭ ବିଷୟରେ ଭାବିବି।
ପ୍ରକୃତରେ ତୁମ୍ଭେ ମୋତେ ସାହାଯ୍ୟ କଲ।
    ମୁଁ ତୁମ୍ଭର ପକ୍ଷ ତଳେ ଆଶ୍ରୟ ନେଇ ଆନନ୍ଦରେ ଗାନ କରିବି।
ମୁଁ ତୁମ୍ଭଠାରେ ଲାଗିରହେ।
    ତୁମ୍ଭର ଡାହାଣ ହସ୍ତ ମୋତେ ସମର୍ଥନ କରେ।

କେତେଲୋକ ମୋର ପ୍ରାଣ ନେବା ପାଇଁ ଚେଷ୍ଟା କରୁଛନ୍ତି।
    କିନ୍ତୁ ସେମାନଙ୍କୁ ଧ୍ୱଂସ କରାଯିବ।
    ସେମାନେ ନିଜ କବରରେ ମିଶି ଯିବେ।
10 ସେମାନଙ୍କୁ ଖ‌ଡ଼୍‌ଗରେ ହତ୍ୟା କରାଯିବ।
    ସେମାନଙ୍କର ଶବକୁ ଜଙ୍ଗଲି ଶୃଗାଳ ଖାଇବେ।
11 କିନ୍ତୁ ରାଜା ପରମେଶ୍ୱରଙ୍କଠାରେ ଆନନ୍ଦ କରିବେ।
    ଯେଉଁମାନେ ପରମେଶ୍ୱରଙ୍କ ନାମରେ ଶପଥ କରନ୍ତି, ସେମାନେ ଆନନ୍ଦିତ ହେବେ କାରଣ ମିଥ୍ୟାବାଦୀମାନଙ୍କର ମୁଖ ବନ୍ଦ ହୋଇଯିବ।

ଗୀତସଂହିତା 98

ଏକ ପ୍ରଶଂସାର ଗୀତ।

98 ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ନୂତନ ସଙ୍ଗୀତ ଗାନ କର।
    କାରଣ ସେ ଆଶ୍ଚର୍ଯ୍ୟ କର୍ମମାନ କରିଛନ୍ତି!
ତାଙ୍କର ପବିତ୍ର ଦକ୍ଷିଣ ହସ୍ତ
    ତାଙ୍କୁ ଆଉଥରେ ଗୌରବ ଆଣିଛି।
ସଦାପ୍ରଭୁ ତାଙ୍କର ଦାସଗଣଙ୍କୁ ରକ୍ଷା କରିବା ପାଇଁ ତାଙ୍କର ଶକ୍ତିକୁ ଜଣାଇଛନ୍ତି।
    ଜାତି ଉଦ୍ଦେଶ୍ୟରେ, ସଦାପ୍ରଭୁ ତାଙ୍କର ଉତ୍ତମତା ଦେଖାଇଛନ୍ତି।
ଇସ୍ରାଏଲୀୟମାନଙ୍କ ପ୍ରତି ପରମେଶ୍ୱରଙ୍କ ପ୍ରେମ ଓ ବିଶ୍ୱସ୍ତତା, ତାଙ୍କର ଅନୁସରଣକାରୀମାନେ ମନେ ରଖିଛନ୍ତି।
    ପୃଥିବୀର ପ୍ରାନ୍ତସ୍ଥ ସମସ୍ତେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ରକ୍ଷା କରିବାର ଶକ୍ତି ଦେଖିଛନ୍ତି।
ହେ ପୃଥିବୀର ପ୍ରତ୍ୟେକ ଲୋକ ସଦାପ୍ରଭୁଙ୍କର ଜୟଧ୍ୱନି କର।
    ସ୍ତୁତି ଗାନ ଶୀଘ୍ର ଆରମ୍ଭ କର।
ବୀଣା ସହିତ ସଦାପ୍ରଭୁଙ୍କର ପ୍ରଶଂସା ଗାନ କର,
    ବୀଣାର ମଧୁର ସଂଗୀତରେ ତାଙ୍କର ଗୁଣ ଗାନ କର।
ବଂଶୀ ବଜାଅ ଓ ତୂରୀ ଫୁଙ୍କ।
    ଆମ୍ଭମାନଙ୍କର ରାଜା ସଦାପ୍ରଭୁଙ୍କ ସମ୍ମୁଖରେ ଆନନ୍ଦ ଧ୍ୱନି କର।
ସମୁଦ୍ର, ଜଗତ ଓ ତହିଁର ଜୀବ ସକଳ
    ସମସ୍ତେ ଗାନ କର।
ନଦନଦୀଗଣ କରତାଳି ଦିଅ!
    ପର୍ବତଗଣ ଏକ ସଙ୍ଗେ ଆନନ୍ଦ ଧ୍ୱନି କର।
ସଦାପ୍ରଭୁଙ୍କ ସମ୍ମୁଖରେ ଗାନ କର।
    କାରଣ ସେ ଜଗତର ବିଗ୍ଭର କରିବା ପାଇଁ ଆସୁଛନ୍ତି।
ସେ ପୃଥିବୀର ଲୋକମାନଙ୍କୁ ଧର୍ମ ରୂପେ
    ବିଗ୍ଭର ଓ ନ୍ୟାୟ କରିବେ।

ଗୀତସଂହିତା 103

ଦାଉଦଙ୍କର ଏକ ଗୀତ।

103 ହେ ମୋର ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର!
    ହେ ମୋର ସବୁ ଅଙ୍ଗପ୍ରତ୍ୟଙ୍ଗ, ତାଙ୍କ ପବିତ୍ର ନାମର ପ୍ରଶଂସା କର।
ହେ ମୋର ପ୍ରାଣ, ସଦାପ୍ରଭୁଙ୍କ ପ୍ରଶଂସା କର।
    ତାଙ୍କର ମଙ୍ଗଳଦାନସବୁ ପାଶୋର ନାହିଁ।
ହେ ମୋର ପ୍ରାଣ, ସଦାପ୍ରଭୁ ତୁମ୍ଭର ସମସ୍ତ ପାପଗୁଡ଼ିକ କ୍ଷମା କରନ୍ତି।
    ସେ ତୁମ୍ଭର ରୋଗସବୁ ସୁସ୍ଥ କରନ୍ତି।
ପରମେଶ୍ୱର ବିନାଶରୁ ମୋତେ ମୁକ୍ତ କରନ୍ତି।
    ସେ ମୋତେ ସ୍ନେହପୂର୍ଣ୍ଣ କରୁଣା ଏବଂ ଦୟା ଦେଖାନ୍ତି।
ପରମେଶ୍ୱର ମୋତେ ପ୍ରଚୁର ସୁଦ୍ରବ୍ୟ ଦିଅନ୍ତି।
    ସେ ମୋତେ ପୁନ୍ନରାୟ ଉତ୍କ୍ରୋଷ ପକ୍ଷୀ ପରି
    ଯୁବକ କରନ୍ତି।
ସଦାପ୍ରଭୁ ନ୍ୟାୟବାନ୍।
    ସେ ସେହି ଲୋକମାନଙ୍କୁ ନ୍ୟାୟ ପ୍ରଦାନ କରିବେ ଯେଉଁମାନଙ୍କୁ ଅନ୍ୟମାନଙ୍କ ଦ୍ୱାରା ଅନ୍ୟାୟ କରାଯାଇଛି।
ପରମେଶ୍ୱର ମୋଶାଙ୍କୁ ଆପଣା ପଥ
    ଓ ଇସ୍ରାଏଲ ସନ୍ତାନଗଣଙ୍କୁ ଆପଣା କ୍ରିୟାସବୁ ଜଣାଇଥିଲେ।
ସଦାପ୍ରଭୁ ସ୍ନେହଶୀଳ ଓ କୃପାମୟ,
    ସେ ଧୈର୍ଯ୍ୟଶୀଳ ଏବଂ ପ୍ରେମରେ ପରିପୂର୍ଣ୍ଣ।
ସଦାପ୍ରଭୁ ସର୍ବଦା ସମାଲୋଚନା କରିବେ ନାହିଁ,
    କିଅବା ସେ ଚିରଦିନ ପାଇଁ କ୍ରୋଧିତ ରହିବେ ନାହିଁ।
10 ଆମ୍ଭେ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରିଅଛୁ।
    କିନ୍ତୁ ସେ ଆମ୍ଭକୁ ଦଣ୍ଡ ଦେଇ ନାହାନ୍ତି, ଯାହା ଆମ୍ଭେ ପାଇବା କଥା।
11 ପୃଥିବୀରୁ ଆକାଶମଣ୍ଡଳ ଯେପରି ଉଚ୍ଚ
    ସେହିପରି ତାଙ୍କର ସମ୍ମାନକାରୀଙ୍କ ପ୍ରତି ତାଙ୍କର ପ୍ରେମ ମହାନ।
12 ପୂର୍ବରୁ ପଶ୍ଚିମ ଯେତେ ଦୂର, ପରମେଶ୍ୱର ଆମ୍ଭମାନଙ୍କଠାରୁ
    ଆମ୍ଭମାନଙ୍କ ପାପ ସେତିକି ଦୂରେଇ ନେଇଛନ୍ତି।
13 ଯେପରି ଜଣେ ପିତା ତା’ର ସନ୍ତାନ ପ୍ରତି ପ୍ରେମ କରେ,
    ସଦାପ୍ରଭୁ ତାଙ୍କର ଅନୁସରଣକାରୀମାନଙ୍କ ପ୍ରତି ସେପରି ଦୟା କରନ୍ତି।
14 ପରମେଶ୍ୱର ଜାଣନ୍ତି, କିପରି ଆମ୍ଭେ ତିଆରି ହେଲୁ।
    ପରମେଶ୍ୱର ମନେପକାନ୍ତି ଆମ୍ଭେ ଧୂଳିରୁ ସୃଷ୍ଟି।
15 ମଣିଷ ଜୀବନ ଘାସପରି।
    ସେମାନେ ଜଙ୍ଗଲି ଫୁଲ ପରି, ଯାହାକି ଶୀଘ୍ର ବଢ଼ନ୍ତି ଏବଂ ସୌନ୍ଦର୍ଯ୍ୟ ଦିଅନ୍ତି।
16 କିନ୍ତୁ ଯେତେବେଳେ ଗରମ ପବନ ବହେ, ଏହା ମରିଯାଏ।
    ହଠାତ୍ ତୁମ୍ଭେ କହିପାରିବ ନାହିଁ କେଉଁଠାରେ ଫୁଲ ଫୁଟିଥିଲା ବୋଲି।
17 କିନ୍ତୁ ସଦାପ୍ରଭୁ ସର୍ବଦା ତାଙ୍କର ସମ୍ମାନକାରୀମାନଙ୍କୁ ପ୍ରେମ କରନ୍ତି,
    ତାଙ୍କର ସେହି ସ୍ନେହ ଅନାଦିକାଳରୁ ଅନନ୍ତକାଳ ଲାଗି ରହିଥାଏ।
    ପରମେଶ୍ୱର ସେମାନଙ୍କୁ ଓ ସେମାନଙ୍କର ସନ୍ତାନ ସନ୍ତତି ପ୍ରତି ମଙ୍ଗଳ କରନ୍ତି।
18 ଯେଉଁମାନେ ତାଙ୍କର ନିୟମ ମାନନ୍ତି ଏବଂ ତାଙ୍କର ନିର୍ଦ୍ଦେଶରେ ଗ୍ଭଲନ୍ତି,
    ସେହିମାନଙ୍କ ପ୍ରତି ପରମେଶ୍ୱର ଉତ୍ତମ।
19 ପରମେଶ୍ୱରଙ୍କ ସିଂହାସନ ସ୍ୱର୍ଗରେ ଅଛି
    ଏବଂ ସେ ସବୁଆଡ଼େ ଶାସନ କରନ୍ତି।
20 ହେ ଦୂତଗଣ, ସଦାପ୍ରଭୁଙ୍କର ପ୍ରଶଂସା କର!
    ତୁମ୍ଭେମାନେ ହିଁ ସଦାପ୍ରଭୁଙ୍କର ଶକ୍ତିଶାଳୀ ସୈନ୍ୟ ଯେଉଁମାନେ ପରମେଶ୍ୱରଙ୍କର ଆଦେଶ ମାନନ୍ତି ଓ ସେ ଯାହା କହନ୍ତି, ତାଙ୍କର ବାକ୍ୟଗୁଡ଼ିକ ପାଳନ କରନ୍ତି।
21 ହେ ସଦାପ୍ରଭୁଙ୍କର ସୈନ୍ୟସକଳ, ତୁମ୍ଭେମାନେ ତାଙ୍କର ଧନ୍ୟବାଦ କର।
    ତୁମ୍ଭେମାନେ ତାଙ୍କର ସେବକ ଅଟ।
    ସଦାପ୍ରଭୁ ଯାହା ଗ୍ଭହାନ୍ତି ତୁମ୍ଭେମାନେ ତାହା କର।
22 ହେ ସଦାପ୍ରଭୁଙ୍କ ହସ୍ତକୃତ ସୃଷ୍ଟିସକଳ ଓ ରାଜ୍ୟର ସର୍ବତ୍ର,
    ସମସ୍ତେ ତାଙ୍କର ପ୍ରଶଂସା କର।
ହେ ମୋର ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର।

Error: Book name not found: Wis for the version: Odia Holy Bible: Easy-to-Read Version
ପିତରଙ୍କ ପ୍ରଥମ ପତ୍ର 5:1-11

ପରମେଶ୍ୱରଙ୍କ ମେଷପଲ

ତୁମ୍ଭ ଦଳରେ ଥିବା ପ୍ରାଚୀନମାନଙ୍କୁ ଏବେ ମୋର କିଛି କହିବାର ଅଛି। ମୁଁ ମଧ୍ୟ ଜଣେ ପ୍ରାଚୀନ। ମୁଁ ଖ୍ରୀଷ୍ଟଙ୍କର ଯନ୍ତ୍ରଣା ନିଜ ଆଖିରେ ଦେଖିଛିା ଆମ୍ଭକୁ ଯେଉଁ ମହିମା ଭବିଷ୍ୟତରେ ଦେଖାଇ ଦିଆଯିବ, ସେଥିରେ ମଧ୍ୟ ମୁଁ ଭାଗ ନେବି। ମୁଁ ତୁମ୍ଭକୁ ଅନୁରୋଧ କରେ ଯେ, ପରମେଶ୍ୱରଙ୍କ ଯେଉଁ ମେଷଗଣର ଦାୟିତ୍ୱରେ ତୁମ୍ଭେ ରହିଛ, ସେହି ମେଷ ସମୂହର ତୁମ୍ଭେ ଯତ୍ନ ନେବା ଉଚିତ୍। ସେମାନେ ପରମେଶ୍ୱରଙ୍କ ମେଷପଲ। ତୁମ୍ଭେ ବାଧ୍ୟବାଧକତାରେ ନୁହେଁ, ମାତ୍ର ସ୍ୱଇଚ୍ଛାରେ ପ୍ରତିପାଳନ କର। ପରମେଶ୍ୱର ତାହା ହିଁ ଗ୍ଭହାନ୍ତି। ତୁମ୍ଭେ ସେବା କରିବାରେ ଆନନ୍ଦ ପାଉଛ ବୋଲି ସେହିପରି କର, ଧନ ଲୋଭରେ ତାହା କର ନାହିଁ। ଯେଉଁମାନଙ୍କର ଦାୟିତ୍ୱ ତୁମ୍ଭେ ନେଇଛ, ସେମାନଙ୍କ ପ୍ରତି ନିଷ୍ଠୁର ହୁଅ ନାହିଁ। କିନ୍ତୁ ସେମାନଙ୍କ ନିକଟରେ ଆଦର୍ଶ ସ୍ୱରୂପ ହୁଅ। ଯେତେବେଳେ ମୁଖ୍ୟ ମେଷପାଳକ ଆସିବେ, ସେତେବେଳେ ତୁମ୍ଭେ ମୁକୁଟ ପାଇବ। ସେହି ମୁକୁଟଟି ଅତ୍ୟନ୍ତ ଗୌରବମୟ ହୋଇଥିବ ଓ ଏହା କେବେ ହେଲେ ନିଜର ସୌନ୍ଦର୍ଯ୍ୟ ହରାଇବ ନାହିଁ।

ଯୁବକଗଣ, ତୁମ୍ଭମାନଙ୍କୁ ମୋର କିଛି କଥା ମଧ୍ୟ କହିବାକୁ ଅଛି। ତୁମ୍ଭେ ବୟୋଜ୍ୟେଷ୍ଠମାନଙ୍କ କଥା ମାନିବା ଉଚିତ୍। ପରସ୍ପର ପ୍ରତି ବିନମ୍ର ଭାବ ରଖିବା ଉଚିତ୍।

“ପରମେଶ୍ୱର ଗର୍ବୀ ଲୋକଙ୍କ ବିରୁଦ୍ଧରେ ଉଠନ୍ତି,
    କିନ୍ତୁ ବିନମ୍ର ଲୋକଙ୍କୁ ଅନୁଗ୍ରହ କରନ୍ତି।” (A)

ଅତଏବ ପରମେଶ୍ୱରଙ୍କ ବଳିଷ୍ଠ ହାତ ତଳେ ନିଜକୁ ନମ୍ର କର। ତା’ହେଲେ ଠିକ୍ ସମୟ ଉପସ୍ଥିତ ହେଲେ ସେ ତୁମ୍ଭକୁ ଉନ୍ନତ କରିବେ। ତୁମ୍ଭର ସମସ୍ତ ଚିନ୍ତା ତାହାଙ୍କ ଉପରେ ରଖ, କାରଣ ସେ ତୁମ୍ଭର ଯତ୍ନ ନିଅନ୍ତି।

ନିଜକୁ ସଂଯତ କର ଓ ସାବଧାନ ରୁହ। ଶୟତାନ ହେଉଛି ତୁମ୍ଭର ଶତ୍ରୁ। ସେ ଗର୍ଜନ କରୁଥିବା ସିଂହ ଭଳି କାହାକୁ ମାରି ଖାଇବା ପାଇଁ ଗ୍ଭରିଆଡ଼େ ଖୋଜି ବୁଲୁଛି। ଶୟତାନର ଅନୁସରଣ କର ନାହିଁ। ନିଜ ବିଶ୍ୱାସରେ ଦୃଢ଼ ହୋଇ ରୁହ। ସମଗ୍ର ବିଶ୍ୱରେ ସର୍ବତ୍ର ତୁମ୍ଭ ଭାଇ ଓ ଭଉଣୀମାନେ ସମାନ ଭାବରେ ତୁମ୍ଭ ଭଳି ଯାତନା ପାଉଛନ୍ତି, ଏ କଥା ତୁମ୍ଭେ ଜାଣ।

10 ତୁମ୍ଭେ ଅଳ୍ପ ସମୟ ପାଇଁ ଯାତନା ପାଇବ। କିନ୍ତୁ ତା’ପରେ ପରମେଶ୍ୱର ସବୁ ଠିକ୍ କରିଦେବେ। ସେ ତୁମ୍ଭକୁ ଶକ୍ତିଶାଳୀ କରିବେ। ସେ ତୁମ୍ଭର ଭାର ବହନ କରିବେ ଓ ପଡ଼ିବା ବେଳେ ତୁମ୍ଭକୁ ଉଠାଇବେ। ସେଇ ପରମେଶ୍ୱର ତୁମ୍ଭକୁ ସମସ୍ତ ଅନୁଗ୍ରହ ଦିଅନ୍ତି। ଖ୍ରୀଷ୍ଟ ଯୀଶୁଙ୍କଠାରେ ତାହାଙ୍କ ମହିମାରେ ଅଂଶୀଦାର ହେବା ଲାଗି ସେ ତୁମ୍ଭକୁ ଡାକି ଅଛନ୍ତି। ସେହି ମହିମା ଅନନ୍ତ କାଳ ଧରି ରହିବ। 11 ସଦାସର୍ବଦା ପାଇଁ ସମସ୍ତ କ୍ଷମତା ତାହାଙ୍କର ଅଟେ, ଆମେନ୍।

ମାଥିଉ ଲିଖିତ ସୁସମାଗ୍ଭର 7:15-29

ଲୋକମାନଙ୍କ କର୍ମକୁ ଲକ୍ଷ୍ୟ କର(A)

15 “ଭଣ୍ଡ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାଙ୍କଠାରୁ ଦୂରରେ ରୁହ। ସେମାନେ ତୁମ୍ଭ ପାଖକୁ ମେଣ୍ଢା ଭଳି ସରଳ ଓ ଭଦ୍ର ଭାବରେ ଆସନ୍ତି। କିନ୍ତୁ ସେମାନେ ପ୍ରକୃତରେ ହିଂସ୍ର ଗଧିଆ ଭଳି ଅଟନ୍ତି। 16 ତୁମ୍ଭେ ତାହାଙ୍କୁ ସେମାନଙ୍କର କାର୍ଯ୍ୟରୁ ଚିହ୍ନିବ। କଣ୍ଟା ବୁଦାରୁ ଯେପରି ଦ୍ରାକ୍ଷାରସ ମିଳେ ନାହିଁ କି ବଣୁଆ କଣ୍ଟାଗଛରୁ ଡିମିରି ଫଳ ଫଳେ ନାହିଁ, ସେହିପରି ଖରାପ ଲୋକଙ୍କ ଭିତରୁ ଭଲ ବିଷୟ ବାହାରି ନ ଥାଏ। 17 ପ୍ରତ୍ୟେକ ଭଲ ଗଛରେ ଭଲ ଫଳ ଫଳେ। କିନ୍ତୁ ଗୋଟିଏ ମନ୍ଦ ଗଛରେ ମନ୍ଦ ଫଳ ଫଳେ, 18 ଗୋଟିଏ ଭଲ ଗଛରେ ମନ୍ଦ ଫଳ ଫଳି ପାରିବ ନାହିଁ। କି ଗୋଟିଏ ମନ୍ଦ ଗଛରେ ଭଲ ଫଳ ଫଳି ପାରିବ ନାହିଁ। 19 ଯେଉଁ ଗଛରେ ଭଲ ଫଳ ଫଳେ ନାହିଁ, ତାହାକୁ କାଟି ଦିଆଯାଏ। 20 ତେଣୁ ମୁଁ ପୁଣି ଥରେ କହୁଛି ଯେ, ଏହି ଭଣ୍ତ ଲୋକମାନଙ୍କୁ ତୁମ୍ଭେ ତାହାଙ୍କ କାର୍ଯ୍ୟରୁ ଚିହ୍ନି ପାରିବ।

21 “ମୋତେ ‘ପ୍ରଭୁ’ ‘ପ୍ରଭୁ’ କହୁଥିବା ପ୍ରତ୍ୟେକ ଲୋକ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବେ ନାହିଁ। ଯେଉଁ ଲୋକ ସ୍ୱର୍ଗରେ ରହୁଥିବା ମୋର ପରମପିତାଙ୍କ ଇଚ୍ଛା ଅନୁଯାୟୀ କାମ କରେ, ସେହି ବ୍ୟକ୍ତି କେବଳ ସେଠାରେ ପ୍ରବେଶ କରିବ। 22 ସେହି ଶେଷ ଦିନରେ ଅନେକ ଲୋକ ମୋତେ ପଗ୍ଭରିବେ, ‘ପ୍ରଭୁ, ଆମ୍ଭେ କ’ଣ ତୁମ୍ଭ ନାମରେ ଭବିଷ୍ୟ‌‌‌‌‌‌‌ଦ୍‌‌ବାଣୀ କରି ନ ଥିଲୁ’? ତୁମ୍ଭ ନାମରେ କ’ଣ ଆମ୍ଭେ ଭୂତମାନଙ୍କୁ ବାହାର କରିଦେଇ ନ ଥିଲୁ? ଆମ୍ଭେ କ’ଣ ତୁମ୍ଭ ନାମରେ ଅନେକ ଆଶ୍ଚର୍ଯ୍ୟଜନକ କାମ କରି ନ ଥିଲୁ? 23 ତେବେ ମୁଁ ସେମାନଙ୍କୁ ଖୋଲାଖୋଲି ଭାବରେ କହିବି ଯେ, ‘ମୁଁ ତୁମ୍ଭକୁ ଆଦୌ ଜାଣିନି। ଆରେ କୁକର୍ମୀମାନେ, ମୋ’ ପାଖରୁ ଗ୍ଭଲିଯାଅ।’

ଜଣେ ବୁଦ୍ଧିମାନ ଓ ଜଣେ ମୂର୍ଖ(B)

24 “ତେଣୁ ଯେଉଁ ଲୋକ ମୋର ଏହି କଥାଗୁଡ଼ିକ ଶୁଣେ, ଏବଂ ତାହା ମାନି ଚଳେ, ସେ ଲୋକ ପଥର ଉପରେ ଘର ତୋଳିଥିବା ଗୋଟିଏ ବୁଦ୍ଧିମାନ ବ୍ୟକ୍ତିଭଳି। 25 ବର୍ଷା ହେଲା, ବଢ଼ି ମାଡ଼ି ଆସିଲା, ପବନ ବହିଲା ଓ ସେ ଘରକୁ ଧ‌କ୍‌କା ଦେଲା, କିନ୍ତୁ ତଥାପି ସେ ଘର ଭାଙ୍ଗିଲା ନାହିଁ। କାରଣ ତା’ର ମୂଳଦୁଆ ପଥର ଉପରେ ରହିଥିଲା।

26 “କିନ୍ତୁ ଯେଉଁ ଲୋକ ମୋର ଏହି କଥାଗୁଡ଼ିକ ଶୁଣେ, କିନ୍ତୁ ସେଗୁଡ଼ିକୁ ମାନି ଚଳେ ନାହିଁ, ସେ ବାଲି ଉପରେ ଘର ତୋଳିଥିବା ଗୋଟିଏ ମୂର୍ଖ ବ୍ୟକ୍ତି ଭଳି। 27 ବର୍ଷା ହେଲା, ବଢ଼ି ମାଡ଼ି ଆସିଲା, ପବନ ବହିଲା ଓ ସେ ଘରକୁ ଧ‌କ୍‌କା ଦେଲା ଏବଂ ସେହି ଘରଟି ପୁରାପୂରି ଭାଙ୍ଗି ପଡ଼ିଲା।”

28 ଯୀଶୁଙ୍କ ଏହିସବୁ କଥା କହିବା ଶେଷ ହେଲା, ତାହାଙ୍କ ଉପଦେଶ ଶୁଣି ଜମା ହୋଇଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ। 29 କାରଣ ସେ ସେମାନଙ୍କୁ ସେମାନଙ୍କର ଧର୍ମ-ଶାସ୍ତ୍ରୀଙ୍କ ଭଳି ଉପଦେଶ ନ ଦେଇ ଅଧିକାର ଥିବା ଜଣେ ଲୋକ ଭଳି ଉପଦେଶ ଦେଉଥିଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center