Revised Common Lectionary (Semicontinuous)
93 ସଦାପ୍ରଭୁ ରାଜା ଅଟନ୍ତି।
ସେ ମହିମା ଓ ଶକ୍ତି ରୂପକ ବସ୍ତ୍ର ପରିଧାନ କରନ୍ତି।
ସେ ନିଜ କଟିରେ ସମଗ୍ର ବିଶ୍ୱକୁ ଧରିଛନ୍ତି,
ଏହା ଯେପରି ଟଳମଳ ହୋଇ ନ ଯାଏ।
2 ହେ ପରମେଶ୍ୱର, ତୁମ୍ଭର ସିଂହାସନ ଅନନ୍ତକାଳରୁ ରହିଥିଲା,
ତୁମ୍ଭେ ସର୍ବଦା ଜୀବିତ ଏବଂ ସର୍ବଦା ଶାସନ କରିବ।
3 ସଦାପ୍ରଭୁ, ସମୁଦ୍ରସବୁ ଘଡ଼ଘଡ଼ି ଭଳି ଧ୍ୱନି ବାହାର କଲେ।
ସମୁଦ୍ରସବୁ ସେମାନଙ୍କର ଢେଉ ଭାଙ୍ଗି ଗର୍ଜନ କଲେ।
4 ଜଳରାଶିର ଧ୍ୱନି ଓ ସମୁଦ୍ରର ପ୍ରବଳ ତରଙ୍ଗ ଅପେକ୍ଷା
ଊର୍ଦ୍ଧ୍ୱସ୍ଥ ସଦାପ୍ରଭୁ ବଳବାନ।
5 ହେ ସଦାପ୍ରଭୁ, ତୁମ୍ଭର ବ୍ୟବସ୍ଥା ସର୍ବଦା ରହିବ।
ତୁମ୍ଭର ପବିତ୍ର ମନ୍ଦିର ଚିରସ୍ଥାୟୀ ରହିବ।
20 ଏହା ପରେ ରାଜା ହିଲ୍କିୟ, ଶାଫନଙ୍କର ପୁତ୍ର ଅହୀକାମ୍, ମୀଖାୟଙ୍କର ପୁତ୍ର ଅବ୍ଦୋନ୍, ସଚିବ ଶାଫନ୍ ଓ ଭୃତ୍ୟ ଆସାୟଙ୍କୁ ଏକ ଆଦେଶ ଦେଲେ। 21 ରାଜା କହିଲେ, “ଯାଅ, ମୋ’ ତରଫରୁ ଓ ଯିହୁଦା ଏବଂ ଇସ୍ରାଏଲର ଅବଶିଷ୍ଟ ଲୋକଙ୍କ ତରଫରୁ ସଦାପ୍ରଭୁଙ୍କୁ ପଗ୍ଭର। ଯେଉଁ ପୁସ୍ତକ ମିଳିଅଛି, ସେଥିରେ ଥିବା ବାକ୍ୟ ସମ୍ବନ୍ଧରେ ସଦାପ୍ରଭୁଙ୍କୁ ପଗ୍ଭର। ସଦାପ୍ରଭୁ ଆମ୍ଭମାନଙ୍କ ପ୍ରତି ଅତ୍ୟନ୍ତ କ୍ରୋଧ କରିଅଛନ୍ତି, କାରଣ ଆମ୍ଭମାନଙ୍କର ପୂର୍ବପୁରୁଷମାନେ ସଦାପ୍ରଭୁଙ୍କ ବାକ୍ୟ ମାନିଲେ ନାହିଁ। ଏହି ପୁସ୍ତକରେ ଯେଉଁସବୁ ବିଷୟ ଉଲ୍ଲେଖ ହୋଇଅଛି, ତାହା ସେମାନେ କଲେ ନାହିଁ।”
22 ହିଲ୍କିୟ ଓ ରାଜାଙ୍କର ସେବକାମାନେ ଭବିଷ୍ୟଦ୍ବକ୍ତ୍ରୀ ହୁଲ୍ଦାଙ୍କ ନିକଟକୁ ଗଲେ। ହୁଲ୍ଦା ଶଲ୍ଲୁମଙ୍କ ପତ୍ନୀ ଥିଲେ। ଶଲ୍ଲୁମ୍ ତୋଖତ୍ଙ୍କ ପୁତ୍ର ଥିଲେ। ତୋଖତ୍ ହସ୍ରଙ୍କ ପୁତ୍ର ଥିଲେ। ଶଲ୍ଲୁମ ରାଜାଙ୍କ ବସ୍ତ୍ରର ତତ୍ତ୍ୱାବଧାରକ ଥିଲେ। ହୁଲ୍ଦା ଯିରୁଶାଲମର ଦ୍ୱିତୀୟ ମହଲାରେ ବାସ କରୁଥିଲେ। ହିଲ୍କିୟ ଓ ରାଜାଙ୍କ ସେବକଗଣ ହୁଲ୍ଦାଙ୍କୁ ସମସ୍ତ ଘଟଣା ଜଣାଇଲେ। 23 ହୁଲ୍ଦା ସେମାନଙ୍କୁ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି: ସେହି ଲୋକଙ୍କୁ କୁହ, ଯିଏ ତୁମ୍ଭକୁ ମୋ’ ପାଖକୁ ପଠାଇ ଥିଲେ। 24 ସଦାପ୍ରଭୁ ଏହିକଥା କହନ୍ତି, ‘ଆମ୍ଭେ ଏହି ସ୍ଥାନକୁ ଓ ଏହିଠାରେ ବାସ କରୁଥିବା ଲୋକଙ୍କ ନିମନ୍ତେ ବିପଦ ଆଣିବା। ଯିହୁଦାର ରାଜାଙ୍କ ସମ୍ମୁଖରେ ଏହି ପୁସ୍ତକରୁ ଯେଉଁସବୁ ବିଷୟ ପାଠ କରାଗଲା, ଆମ୍ଭେ ସେହି ସମସ୍ତ ଭୟଙ୍କର ବିଷୟ ଘଟାଇବା। 25 ଆମ୍ଭେ ଏହା କରିବା, କାରଣ ଲୋକମାନେ ଆମ୍ଭଙ୍କୁ ପରିତ୍ୟାଗ କରିଅଛନ୍ତି ଓ ଅନ୍ୟ ଦେବତାଗଣଙ୍କ ନିକଟରେ ସୁଗନ୍ଧିଧୂପ ଜାଳିଛନ୍ତି। ସେହି ଲୋକମାନେ ଯେଉଁସବୁ ମନ୍ଦ କର୍ମମାନ କରିଛନ୍ତି, ତଦ୍ଦ୍ୱାରା ଆମ୍ଭଙ୍କୁ କ୍ରୋଧାନ୍ୱିତ କରିଛନ୍ତି। ତେଣୁ ଆମ୍ଭେ ଏହି ସ୍ଥାନ ଉପରେ ଆମ୍ଭକୁ ମୋର ନିର୍ବାପିତ ହୋଇ ପାରୁ ନ ଥିବା ଅଗ୍ନିପରି କ୍ରୋଧ ଢାଳିବା।’
26 “କିନ୍ତୁ ଯିହୁଦାର ରାଜାଙ୍କୁ ଏହିକଥା ତୁମ୍ଭର କହିବା ଉଚିତ୍। ସେ ତୁମ୍ଭମାନଙ୍କୁ ସଦାପ୍ରଭୁଙ୍କ ନିକଟକୁ ପଗ୍ଭରିବା ନିମନ୍ତେ ପଠାଇଲେ: ‘ତୁମ୍ଭେ କିଛିକ୍ଷଣ ପୂର୍ବେ ଯେଉଁ ବାକ୍ୟ ଶୁଣିଲ, ସେ ବିଷୟରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି: 27 ଯେତେବେଳେ ତୁମ୍ଭେମାନେ ଏହି ସ୍ଥାନ ବିଷୟରେ ଓ ଏଠାରେ ବାସ କରୁଥିବା ଲୋକମାନଙ୍କ ବିଷୟରେ ପରମେଶ୍ୱରଙ୍କର ବାର୍ତ୍ତା ଶୁଣିଲ, ତୁମ୍ଭେମାନେ ଦୁଃଖ କଲ, ପରମେଶ୍ୱରଙ୍କ ଆଗରେ ନିଜକୁ ନମ୍ର କଲ ଏବଂ ଦୁଃଖରେ ନିଜର ବସ୍ତ୍ରକୁ ଚିରି ପକାଇଲ। ଆମ୍ଭେ ତାହା ଦେଖିଲୁ, ସଦାପ୍ରଭୁ କହନ୍ତି। 28 ଆମ୍ଭେ ତୁମ୍ଭକୁ ତୁମ୍ଭର ପୂର୍ବପୁରୁଷମାନଙ୍କ ନିକଟକୁ ନେଇଯିବା। ତୁମ୍ଭେ ତୁମ୍ଭର କବରକୁ ଶାନ୍ତିରେ ଯିବ। ଆମ୍ଭେ ଏହି ସ୍ଥାନ କି ଏଠାରେ ବାସ କରୁଥିବା ଲୋକମାନଙ୍କ ଉପରେ ଯେଉଁ ବିପଦ ଆଣିବା, ତାହା ତୁମ୍ଭକୁ ଦେଖିବାକୁ ପଡ଼ିବ ନାହିଁ।’” ହିଲ୍କିୟ ଓ ରାଜାଙ୍କ ସେବକମାନେ ଏହି ବାର୍ତ୍ତାସବୁ ରାଜା ଯୋଶିୟଙ୍କ ନିକଟକୁ ଆଣିଲେ।
29 ଏହା ପରେ ରାଜା ଯୋଶିୟ ଯିହୁଦା ଓ ଯିରୁଶାଲମର ସମସ୍ତ ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କୁ ତାଙ୍କୁ ସାକ୍ଷାତ କରିବାକୁ ଡାକିଲେ। 30 ରାଜା ସଦାପ୍ରଭୁଙ୍କ ମନ୍ଦିରକୁ ଗଲେ। ଯିହୁଦାର ସମସ୍ତ ଲୋକ, ଯିରୁଶାଲମରେ ବାସ କରୁଥିବା ଲୋକମାନେ, ଯାଜକମାନେ, ଲେବୀୟମାନେ, ଏବଂ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଓ ଗୁରୁତ୍ୱହୀନ ଲୋକମାନେ, ଯୋଶିୟଙ୍କ ସହିତ ଥିଲେ। ଯୋଶିୟ ସେମାନଙ୍କ ନିକଟରେ ବ୍ୟବସ୍ଥା ନିୟମ ପୁସ୍ତକରୁ ସବୁ ବାକ୍ୟ ପଢ଼ି ଶୁଣାଇଲେ। ସଦାପ୍ରଭୁଙ୍କ ମନ୍ଦିର ମଧ୍ୟରୁ ସେହି ପୁସ୍ତକ ମିଳିଥିଲା। 31 ଏହା ପରେ ରାଜା ତାଙ୍କ ସ୍ଥାନରେ ଉଠି ଛିଡ଼ା ହେଲେ ଓ ସେ ସଦାପ୍ରଭୁଙ୍କ ସହିତ ଗୋଟିଏ ନିୟମ କଲେ। ସେ ସଦାପ୍ରଭୁଙ୍କ ଅନୁଗମନ କରିବା ଓ ସଦାପ୍ରଭୁଙ୍କ ଆଦେଶ, ନିୟମ ଓ ନୀତିକୁ ମାନିବା ପାଇଁ ସମସ୍ତ ହୃଦୟ ଓ ଆତ୍ମାର ସହିତ ପୁସ୍ତକରେ ଥିବା ନିୟମର ବାକ୍ୟକୁ ମାନିବା ନିମନ୍ତେ ସମ୍ମତ ହେଲେ। 32 ଏହା ପରେ ଯୋଶିୟ ଯିରୁଶାଲମ ଓ ବିନ୍ୟାମୀନର ସମସ୍ତ ଲୋକଙ୍କୁ ସେହି ନିୟମକୁ ଗ୍ରହଣ କରିବା ନିମନ୍ତେ ଶପଥ କରାଇଲେ। ଯିରୁଶାଲମର ଲୋକମାନେ ସେମାନଙ୍କର ପୂର୍ବପୁରୁଷମାନେ ଯେଉଁ ପରମେଶ୍ୱରଙ୍କର ବାଧ୍ୟ ହୋଇଥିଲେ, ସେହି ପରମେଶ୍ୱରଙ୍କ ନିୟମର ବାଧ୍ୟ ହେଲେ। 33 ଇସ୍ରାଏଲର ଲୋକମାନଙ୍କ ନିକଟରେ ଅନେକ ଦେଶର ଦେବାଦେବୀ ମୂର୍ତ୍ତିମାନ ଥିଲା। କିନ୍ତୁ ଯୋଶିୟ ସେହିସବୁ ଭୟଙ୍କର ମୂର୍ତ୍ତିଗୁଡ଼ିକୁ ଧ୍ୱଂସ କରିଦେଲେ। ଯୋଶିୟ ଇସ୍ରାଏଲର ସମସ୍ତ ଲୋକଙ୍କୁ ସଦାପ୍ରଭୁ ସେମାନଙ୍କର ପରମେଶ୍ୱରଙ୍କର ସେବା କରାଇଲେ। ଯୋଶିୟ ଜୀବିତ ଥିବା ପର୍ଯ୍ୟନ୍ତ ଲୋକମାନେ ସଦାପ୍ରଭୁ, ସେମାନଙ୍କ ପୂର୍ବପୁରୁଷମାନଙ୍କ ପରମେଶ୍ୱରଙ୍କର ସେବା କଲେ।
ଶିମିୟୋନ ଯୀଶୁଙ୍କୁ ଦେଖାକଲେ
25 ଯିରୁଶାଲମରେ ଶିମିୟୋନ ନାମରେ ଜଣେ ଅତ୍ୟନ୍ତ ଧାର୍ମିକ ଓ ନିଷ୍ଠାପର ଭକ୍ତ ରହୁଥିଲେ। ଇସ୍ରାଏଲକୁ ସାନ୍ତ୍ୱନା କରିବା ନିମନ୍ତେ ପରମେଶ୍ୱର କେବେ ଆସିବେ, ସେହି ସମୟକୁ ସେ ଅପେକ୍ଷା କରି ରହିଥିଲେ। ପବିତ୍ରଆତ୍ମା ତାହାଙ୍କ ମଧ୍ୟରେ ଥିଲେ। 26 ପବିତ୍ରଆତ୍ମା ତାହାଙ୍କୁ କହି ଦେଇଥିଲେ ଯେ, ସେ ପ୍ରଭୁ ପରମେଶ୍ୱରଙ୍କଠାରୁ ଆଗତ ଖ୍ରୀଷ୍ଟଙ୍କ ଦର୍ଶନ ନ କରିବା ପୂର୍ବରୁ ତାହାଙ୍କର ମୃତ୍ୟୁ ହେବ ନାହିଁ। 27 ଆତ୍ମା ଶିମିୟୋନଙ୍କୁ ମନ୍ଦିରକୁ କଢ଼େଇ ଆଣିଲେ। ଯିହୂଦୀମାନଙ୍କ ବ୍ୟବସ୍ଥା ଅନୁସାରେ କାର୍ଯ୍ୟ କରିବା ପାଇଁ ଯୋଷେଫ ମରିୟମ ଶିଶୁ ଯୀଶୁଙ୍କୁ ସଙ୍ଗରେ ନେଇ ମନ୍ଦିରକୁ ଗଲେ। 28 ଶିମିୟୋନ ଶିଶୁ ଯୀଶୁଙ୍କୁ କୋଳକୁ ନେଇ ପରମେଶ୍ୱରଙ୍କ ସ୍ତୁତିଗାନ କରି କହିଲେ:
29 “ପ୍ରଭୁ, ଏବେ ତୁମ୍ଭେ କହିବା ଅନୁସାରେ ତୁମ୍ଭର ଏହି ଦାସକୁ ଶାନ୍ତିରେ ମରିବାକୁ ଦିଅ।
30 ମୁଁ ମୋ’ ଆଖିରେ ତୁମ୍ଭର ପରିତ୍ରାଣକୁ ଦେଖିଛି।
31 ତୁମ୍ଭେ ତାହାଙ୍କୁ ସମସ୍ତ ଲୋକଙ୍କ ଆଗରେ ପ୍ରସ୍ତୁତ କରିଛ।
32 ସେ ଅଣଯିହୂଦୀମାନଙ୍କୁ ତୁମ୍ଭରି ପଥ ଦେଖାଇବା ପାଇଁ ଆଲୋକ ଅଟନ୍ତି
ଓ ସେ ତୁମ୍ଭର ଲୋକମାନଙ୍କ ପାଇଁ ଗୌରବ ଆଣିବେ।”
33 ଯୀଶୁଙ୍କ ବାପାମା ଯୀଶୁଙ୍କ ବିଷୟରେ ଶିମିୟୋନଙ୍କ ମୁହଁରୁ ଏ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ। 34 ତା’ପରେ ଶିମିୟୋନ ସେମାନଙ୍କୁ ଆଶୀର୍ବାଦ କଲେ ଓ ମରିୟମଙ୍କୁ କହିଲେ, “ଏ ବାଳକ ଯୋଗୁଁ ଅନେକ ଯିହୂଦୀଙ୍କର ଉତ୍ଥାନ ଓ ପତନ ହେବ। ସେ ପରମେଶ୍ୱରଙ୍କର ଏକ ଚିହ୍ନ ହେବେ ଓ ତାହା ଲୋକମାନେ ଗ୍ରହଣ କରିବେ ନାହିଁ। 35 ଲୋକମାନଙ୍କ ମନ ଭିତରେ ଥିବା ଗୋପନକଥା ପ୍ରକାଶିତ ହେବ। ସେହି ଘଟଣା ସବୁ ତୁମ୍ଭର ହୃଦୟକୁ ଦୁଃଖ ଆଣିବ।”
ହାନ୍ନା ଯୀଶୁଙ୍କୁ ଦେଖାକଲେ
36 ସେତେବେଳେ ହାନ୍ନା ନାମରେ ଜଣେ ମହିଳା ଭବିଷ୍ୟଦ୍ବକ୍ତ୍ରୀ ମନ୍ଦିର ଭିତରେ ଥିଲେ। ସେ ଆଶେର ବଂଶର ଫିନୂୟେଲଙ୍କ ଝିଅ ଥିଲେ। ହାନ୍ନା ବହୁତ ବୁଢ଼ୀ ହୋଇ ଯାଇଥିଲେ। ବିବାହ ପରେ ମାତ୍ର ସାତବର୍ଷ ପର୍ଯ୍ୟନ୍ତ ସେ ସ୍ୱାମୀଙ୍କ ସହିତ ରହିଥିଲେ। 37 ତା’ପରେ ତାହାଙ୍କର ସ୍ୱାମୀ ମରିଗଲେ ଓ ସେ ବିଧବା ହୋଇ ଏକୁଟିଆ ରହିବାକୁ ଲାଗିଲେ। ଏବେ ତାହାଙ୍କୁ ଚଉରାଅଶୀ ବର୍ଷ ବୟସ ହୋଇଥିଲା। ହାନ୍ନା ସବୁବେଳେ ମନ୍ଦିରରେ ରହୁଥିଲେ। କେବେ ହେଲେ ସେ ମନ୍ଦିର ଛାଡ଼ି ଯାଇ ନ ଥିଲେ। ସେ ଉପବାସ କରି ଓ ସେ ଦିନରାତି ପ୍ରାର୍ଥନା କରି ପରମେଶ୍ୱରଙ୍କ ଉପାସନା କରୁଥିଲେ।
38 ସେ ସେହି ସମୟରେ ଶିଶୁ ଓ ତା’ର ବାପାମାଙ୍କ ପାଖକୁ ଆସିଲେ। ସେ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ଯେଉଁମାନେ ଯିରୁଶାଲମର ମୁକ୍ତିର ଅପେକ୍ଷାରେ ଥିଲେ, ସେହି ସମସ୍ତ ଲୋକଙ୍କୁ ସେ ଯୀଶୁଙ୍କ ବିଷୟରେ କହିଲେ।
2010 by World Bible Translation Center