Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 127

ଶଲୋମନଙ୍କର ରଚିତ ଆରୋହଣ ଗୀତ।

127 ସଦାପ୍ରଭୁ ଯେବେ ଗୃହ ନିର୍ମାଣ ନ କରନ୍ତି,
    ତେବେ ନିର୍ମାଣକାରୀମାନଙ୍କ ପରିଶ୍ରମ ବ୍ୟର୍ଥ ହୁଏ।
ଯେବେ ସଦାପ୍ରଭୁ ନଗର ରକ୍ଷା ନ କରନ୍ତି,
    ତେବେ ପ୍ରହରୀ ଜାଗ୍ରତ ହେବା କେବଳ ବୃଥା ଅଟେ।

ତୁମ୍ଭେମାନେ ଦୈନନ୍ଦିନ ଜୀବିକା ଉପାର୍ଜନ ନିମନ୍ତେ
    ପ୍ରଭାତରେ ଉଠ, ଏବଂ ବିଳମ୍ବରେ ବିଶ୍ରାମ କର, ଏହା ତୁମ୍ଭମାନଙ୍କ ନିକଟରେ ବୃଥା।
କାରଣ ସଦାପ୍ରଭୁ ଭଲ ପାଉଥିବା ଲୋକମାନଙ୍କୁ
    ନିଦ୍ରିତ ଅବସ୍ଥାରେ ମଧ୍ୟ ଯତ୍ନ ନିଅନ୍ତି।

ଦେଖ, ସନ୍ତାନଗଣ ସଦାପ୍ରଭୁଙ୍କର ଉପହାର।
    ଗର୍ଭାଶୟରୁ ଶିଶୁମାନେ ସଦାପ୍ରଭୁଙ୍କର ପୁରସ୍କାର ଅଟନ୍ତି।
ଯୁବକର ପୁତ୍ରଗଣ
    ଏକ ସୈନ୍ୟର ହସ୍ତର ବାଣଗୁଡ଼ିକ ସଦୃଶ ଅଟେ।
ସେହି ବ୍ୟକ୍ତି ଭାଗ୍ୟବାନ୍, ଯେଉଁ ବ୍ୟକ୍ତିର କେବେବି ପରାସ୍ତ ହେବ ନାହିଁ,
    ଯେତେବେଳେ ତାହାଙ୍କୁ ଶତ୍ରୁଗଣ ନଗର ଫାଟକରେ ଅବରୋଧ କରନ୍ତି।
ପୁତ୍ର ରୂପକ ବାଣରେ ଭର୍ତ୍ତି ହୁଏ,
    ସେ ହେଉଛି ଭାଗ୍ୟବାନ୍।

ଋତର ବିବରଣ ପୁସ୍ତକ 4:11-17

11 ତେଣୁ ପ୍ରାଚୀନବର୍ଗ ଏବଂ ଫାଟକ ନିକଟରେ ଉପସ୍ଥିତ ଥିବା ଅନ୍ୟ ଲୋକମାନେ ଏହାର ସାକ୍ଷୀ ରହିଲେ। ସେମାନେ କହିଲେ,

“ରାହେଲ ଓ ଲେୟାପରି ଯିଏ କି
    ଇସ୍ରାଏଲର ଗୃହ ନିର୍ମାଣ କଲେ,
ସେହିପରି ସଦାପ୍ରଭୁ ଏହି ସ୍ତ୍ରୀଲୋକଟିକୁ
    ତୁମ୍ଭର ଗୃହକୁ ଆଣନ୍ତୁ।
ତୁମ୍ଭେ ଏଫ୍ରାଥାରେ ଶକ୍ତିଶାଳୀ
    ଓ ବୈ‌ଥ୍‌ଲେହମରେ ପ୍ରସିଦ୍ଧ ହୁଅ।
12 ସଦାପ୍ରଭୁ ଏହି ଯୁବତୀ ଦ୍ୱାରା
    ତୁମ୍ଭକୁ ଯେଉଁ ସନ୍ତାନ ଦେବେ,
ତାହା ଦ୍ୱାରା ତୁମ୍ଭର ବଂଶ ତାମର ଗର୍ଭରେ
    ଯିହୁଦାରେ ଜନ୍ମିତ ପେରସର ବଂଶ ତୁଲ୍ୟ ହେଉ।”

13 ଏହିପରି ଭାବରେ ବୋୟାଜ ଋତକୁ ବିବାହ କଲେ। ସଦାପ୍ରଭୁ ଋତକୁ ଆଶୀର୍ବାଦ କରନ୍ତେ ସେ ଗର୍ଭବତୀ ହେଲା, ଏବଂ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଲା। 14 ସହରର ସ୍ତ୍ରୀଲୋକମାନେ ନୟମୀକୁ କହିଲେ,

“ଧନ୍ୟ ସେହି ସଦାପ୍ରଭୁ, ଯିଏ ତୁମ୍ଭକୁ ଏହି ସନ୍ତାନ ଦେଇଛନ୍ତି।
    ସେ ଇସ୍ରାଏଲ ଦେଶରେ ବିଖ୍ୟାତ ହେବ।
15 ବୃଦ୍ଧାବସ୍ଥାରେ ସେ ତୁମ୍ଭକୁ ସାନ୍ତ୍ୱନା ଦେବ
    ଓ ତୁମ୍ଭକୁ ପ୍ରତିପାଳନ କରିବ।
ତୁମ୍ଭର ବୋହୂ ସାତୋଟି ପୁତ୍ର ଅପେକ୍ଷା
    ତୁମ୍ଭକୁ ଅଧିକ ପ୍ରେମ କରିବ।”

16 ନୟମୀ ସେହି ବାଳକକୁ କୋଳାଇ ନେଲା ଏବଂ ତା’ର ପ୍ରତିପାଳନ କଲା। 17 ସେହି ସ୍ତ୍ରୀଲୋକମାନେ କହିଲେ, “ବର୍ତ୍ତମାନ ନୟମୀର ଏକ ପୁତ୍ର ଅଛି।” ତେଣୁ ସେମାନେ ତା’ର ନାମ ଦେଲେ, ଓବେଦ୍। ସେ ଥିଲା ଯିଶୟର ପିତା ଏବଂ ଯିଶୟ ଥିଲା ରାଜା ଦାଉଦଙ୍କର ପିତା।

ଏବ୍ରୀ 9:15-24

15 ଅତଏବ, ପରମେଶ୍ୱରଙ୍କ ପାଖରୁ ଯୀଶୁ ଖ୍ରୀଷ୍ଟ ଗୋଟିଏ ନୂତନ ନିୟମ ଆଣିଲେ। ଏହି ନୂତନ ନିୟମର ଉଦ୍ଦେଶ୍ୟ ଯେପରି ପରମେଶ୍ୱରଙ୍କ ଦ୍ୱାରା ଆହୂତ ପ୍ରତ୍ୟେକ ଲୋକ ପରମେଶ୍ୱରଙ୍କ ପ୍ରତିଜ୍ଞାର ଅଧିକାରୀ ହେବେ। ସେମାନେ ଅନନ୍ତକାଳ ଏହି ଅଧିକାର ଭୋଗ କରିବେ। କାରଣ ପ୍ରଥମ ନିୟମ କାଳରେ ଲୋକମାନେ ଯେଉଁ ପାପସବୁ କରିଥିଲେ, ତହିଁର ପ୍ରତିଦାନରେ ଖ୍ରୀଷ୍ଟ ମୃତ୍ୟୁ ବରଣ କଲେ।

16 ଯେତେବେଳେ ଜଣେ ଲୋକ ମୃତ୍ୟୁବରଣ କରେ ସେ ଗୋଟିଏ ଉଇ‌‌‌‌‌‌‌‌ଲ୍‌‌‌‌‌‌‌ ଛାଡ଼ି ଯାଏ। କିନ୍ତୁ ଲୋକେ ସେହି ଲୋକଜଣକର ମୃତ୍ୟୁ ପ୍ରମାଣିତ କରିବା ଉଚିତ୍। 17 ଚୁକ୍ତି ଲେଖିଥିବା ଲୋକ ଯଦି ଜୀବିତ, ତା’ହେଲେ ସେହି ଉଇ‌‌‌‌‌‌‌‌ଲ୍‌‌‌‌‌‌‌ଟି କାର୍ଯ୍ୟକାରୀ ହୋଇ ପାରିବ ନାହିଁ। ମଣିଷଟି ମରିଗଲା ପରେ ଯାଇ ଉଇ‌‌‌‌‌‌‌‌ଲ୍‌‌‌‌‌‌‌ଟି ଲାଗୁ ହୋଇ ପାରିବ। 18 ପରମେଶ୍ୱର ଓ ଲୋକଙ୍କ ମଧ୍ୟରେ ହୋଇଥିବା ପ୍ରଥମ ନିୟମ ଠିକ୍ ସେହିଭଳି। ପ୍ରଥମ ନିୟମ ମଧ୍ୟ ରକ୍ତଦ୍ୱାରା କାର୍ଯ୍ୟକାରୀ ହୋଇଥିଲା। 19 ପ୍ରଥମରେ, ବ୍ୟବସ୍ଥାର ପ୍ରତ୍ୟେକ ଈଶ୍ୱରୀୟ ଆଜ୍ଞା ମୋଶା ଲୋକମାନଙ୍କୁ କହିଥିଲେ। ତା’ପରେ ମୋଶା ବାଛୁରିଗୁଡ଼ିକର ରକ୍ତ ସହିତ ଜଳ ମିଶାଇଲେ। ତା’ପରେ ସେ ଲାଲ ରଙ୍ଗ ଓ ଏସୋବର ଡାଳଟିଏ ନେଇ ଜଳ ମିଶ୍ରିତ ରକ୍ତ ବ୍ୟବସ୍ଥା ପୁସ୍ତକ ତଥା ସବୁଲୋକଙ୍କ ଉପରେ ଛିଞ୍ଚିଲେ। 20 ତା’ପରେ ମୋଶା କହିଲେ, “ଯେଉଁ ନିୟମଗୁଡ଼ିକୁ ପରମେଶ୍ୱର ତୁମ୍ଭମାନଙ୍କୁ ପାଳନ କରିବା ପାଇଁ ଆଜ୍ଞା ଦେଇଛନ୍ତି, ସେହି ନିୟମର ରକ୍ତ ଏହି।” 21 ମୋଶା ପବିତ୍ର ତମ୍ବୁ ଉପରେ ସେହି ରକ୍ତ ଛିଞ୍ଚିଲେ। ଉପାସନା ପାଇଁ ଆବଶ୍ୟକ ହେଉଥିବା ପ୍ରତ୍ୟେକ ବସ୍ତୁ ଉପରେ ମଧ୍ୟ ସେ ସେହି ରକ୍ତ ଛିଞ୍ଚିଲେ। 22 ବ୍ୟବସ୍ଥା କୁହେ ଯେ, ପ୍ରତ୍ୟେକ ବସ୍ତୁ ରକ୍ତ ଦ୍ୱାରା ଶୁଦ୍ଧ ହୋଇ ପାରିବ। ଓ ବିନା ରକ୍ତରେ ପାପଗୁଡ଼ିକୁ କ୍ଷମା କରାଯାଇ ପାରିବ ନାହିଁ।

ଖ୍ରୀଷ୍ଟଙ୍କ ବଳିଦାନ ପାପଗୁଡ଼ିକୁ ଧୋଇ ଦିଏ

23 ସ୍ୱର୍ଗସ୍ଥ ବିଷୟ ଗୁଡ଼ିକର ପ୍ରତିକୃତିଗୁଡ଼ିକ ପଶୁବଳି ଦ୍ୱାରା ଶୁଦ୍ଧ କରାଯାଏ। କିନ୍ତୁ ସ୍ୱର୍ଗସ୍ଥ ବିଷୟରେ ଶୁଦ୍ଧତା ପାଇଁ ଅପେକ୍ଷାକୃତ ଭଲ ବଳି ଦରକାର। 24 ଖ୍ରୀଷ୍ଟ ମହାପବିତ୍ର ସ୍ଥାନ ଭିତରକୁ ଗଲେ। କିନ୍ତୁ ସେ ମନୁଷ୍ୟ ହସ୍ତନିର୍ମିତ ମହାପବିତ୍ର ସ୍ଥାନକୁ ଗଲେ ନାହିଁ। ଏହି ପରମ ପବିତ୍ର ସ୍ଥାନଟି ପ୍ରକୃତ ସ୍ଥାନର ପ୍ରତିକୃତି ମାତ୍ର। ଯୀଶୁ ସ୍ୱର୍ଗ ଭିତରକୁ ଗଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center