Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 146

146 ସଦାପ୍ରଭୁଙ୍କର ପ୍ରଶଂସା କର!
    ମୁଁ ନିଜକୁ କହେ, ସଦାପ୍ରଭୁଙ୍କର ପ୍ରଶଂସା କର।
ମୁଁ ଜୀବନସାରା ସଦାପ୍ରଭୁଙ୍କର ପ୍ରଶଂସା କରିବି।
    ମୁଁ ଜୀବନସାରା ମୋର ପରମେଶ୍ୱରଙ୍କର ପ୍ରଶଂସାର ଗୀତ ଗାଇବି।
ସାହାଯ୍ୟ ପାଇଁ ଅଧିପତିମାନଙ୍କ ଉପରେ ନିର୍ଭର ରଖ ନାହିଁ।
    ଲୋକମାନଙ୍କ ପ୍ରତି ଭରସା କର ନାହିଁ।
    କାରଣ ଲୋକମାନେ ତୁମ୍ଭକୁ ରକ୍ଷା କରି ପାରିବେ ନାହିଁ।
ଲୋକମାନେ ମରନ୍ତି ଓ କବର ନିଅନ୍ତି।
    ଆଉ ସେହି ଦିନ, ସେମାନଙ୍କର ଯୋଜନା ସବୁ ମଧ୍ୟ ମରିଯାଏ।
କିନ୍ତୁ ସେହିମାନେ ଭାଗ୍ୟବାନ୍ ଯେଉଁମାନଙ୍କର ଯାକୁବର ପରମେଶ୍ୱର ଅଛନ୍ତି, ସେହିମାନଙ୍କୁ ସାହାଯ୍ୟ କରିବା ପାଇଁ,
    ସେହିମାନେ ସେମାନଙ୍କର ପରମେଶ୍ୱର ସଦାପ୍ରଭୁଙ୍କ ଉପରେ ନିର୍ଭର କରନ୍ତି।
ସଦାପ୍ରଭୁ ସ୍ୱର୍ଗ, ପୃଥିବୀ, ସମୁଦ୍ର
    ଏବଂ ଏଥିରେ ଥିବା ପ୍ରତ୍ୟେକ ବସ୍ତୁ ମଧ୍ୟ ତିଆରି କଲେ।
ସେ ସର୍ବଦା ବିଶ୍ୱସ୍ତ ଅଟନ୍ତି।
ସଦାପ୍ରଭୁ ଉପଦ୍ରବ ଗ୍ରସ୍ତ ଲୋକ ପକ୍ଷରେ ଯାହା ନ୍ୟାୟ ତାହା କରନ୍ତି।
    ସେ କ୍ଷୁଧାର୍ତ୍ତମାନଙ୍କୁ ଖାଦ୍ୟ ଦିଅନ୍ତି।
ସଦାପ୍ରଭୁ ବନ୍ଦୀଗଣଙ୍କୁ ମୁକ୍ତ କରନ୍ତି।
    ସଦାପ୍ରଭୁ ଆମ୍ଭମାନଙ୍କୁ ଦୃଷ୍ଟି ପ୍ରଦାନ କରନ୍ତି।
ସଦାପ୍ରଭୁ ବିପଦରେ ପଡ଼ୁଥିବା ଲୋକମାନଙ୍କୁ ଉଠାନ୍ତି।
    ସଦାପ୍ରଭୁ ଧାର୍ମିକମାନଙ୍କୁ ପ୍ରେମ କରନ୍ତି।
ସଦାପ୍ରଭୁ ଆମ୍ଭ ଦେଶରେ ରହୁଥିବା ବିଦେଶୀମାନଙ୍କୁ ରକ୍ଷା କରନ୍ତି।
    ସେ ପିତୃହୀନ ଓ ବିଧବାଙ୍କର ଯତ୍ନ ନିଅନ୍ତି,
    ମାତ୍ର ସେ ଦୁଷ୍ଟମାନଙ୍କୁ ଧ୍ୱଂସ କରନ୍ତି।
10 ସଦାପ୍ରଭୁ ଚିରକାଳ ରାଜ୍ୟ କରିବେ।
    ହେ ସିୟୋନ, ତୁମ୍ଭର ପରମେଶ୍ୱର ସଦାସର୍ବଦା ରାଜ୍ୟ କରିବେ।

ସଦାପ୍ରଭୁଙ୍କର ପ୍ରଶଂସା କର।

ଋତର ବିବରଣ ପୁସ୍ତକ 1:18-22

ଗୃହକୁ ଆସିଲେ

18 ନୟମୀ ଦେଖିଲେ ଯେ ଋତ ତାଙ୍କ ସହିତ ଯିବା ପାଇଁ ସଂକଳ୍ପବଦ୍ଧ ଥିଲେ। ତେଣୁ ନୟମୀ ତାଙ୍କ ସହିତ ଯୁକ୍ତି ବନ୍ଦ କଲେ। 19 ନୟମୀ ଏବଂ ଋତ ବୈ‌ଥ୍‌ଲେହମକୁ ଗଲେ। ସେମାନେ ଯେତେବେଳେ ବୈ‌ଥ୍‌ଲେହମରେ ପ୍ରବେଶ କଲେ, ଲୋକମାନେ ଉତ୍ସୁକ ହେଲେ ଓ କହିଲେ, “ଏ କ’ଣ ପ୍ରକୃତରେ ନୟମୀ?”

20 କିନ୍ତୁ ନୟମୀ ସେହି ଲୋକମାନଙ୍କୁ କହିଲେ, “ମୋତେ ନୟମୀ ବୋଲି ଡାକ ନାହିଁ, ମୋତେ ମାରା ବୋଲି ଡାକ। ଯେହେତୁ ସର୍ବଶକ୍ତିମାନ ପରମେଶ୍ୱର ମୋର ଜୀବନକୁ ଦୁଃଖପୂର୍ଣ୍ଣ କରିଅଛନ୍ତି। 21 ଯେତେବେଳେ ମୁଁ ଏହି ସ୍ଥାନ ଛାଡ଼ିଲି, ମୋର ସବୁକିଛି ଥିଲା, କିନ୍ତୁ ସଦାପ୍ରଭୁ ମୋତେ ଖାଲି ହାତରେ ଘରକୁ ଫେରାଇ ଆଣିଲେ। ସଦାପ୍ରଭୁ ମୋତେ ଦୁଃଖ ଦେଇଅଛନ୍ତି, ତେଣୁ ତୁମ୍ଭେମାନେ ମୋତେ ‘ନୟମୀ’ ବୋଲି କାହିଁକି ଡାକୁଅଛୁ? ସର୍ବଶକ୍ତିମାନ ପରମେଶ୍ୱର ମୋତେ ଅନେକ ଦୁଃଖ ଦେଇଛନ୍ତି ଏବଂ ମୋ’ ଉପରକୁ ବହୁତ ଅସୁବିଧା ଆଣିଛନ୍ତି।”

22 ଏହିପରି ଭାବରେ ବାର୍ଲି ଅମଳ ଆରମ୍ଭ ହେବା ସମୟରେ ନୟମୀ ଏବଂ ତା’ର ପୁତ୍ରବଧୂ ଋତ ମୋୟାବର ପାର୍ବତ୍ୟ ଦେଶରୁ ବୈ‌ଥ୍‌ଲେହମକୁ ଫେରି ଆସିଲେ।

ଏବ୍ରୀ 9:1-12

ପୁରାତନ ନିୟମର ଉପାସନା

ପ୍ରଥମ ନିୟମରେ ଉପାସନାର ନିୟମାବଳୀ ଥିଲା। ଏନିମନ୍ତେ ମଣିଷ ନିର୍ମିତ ଗୋଟିଏ ଉପାସନା ଗୃହ ମଧ୍ୟ ଥିଲା। ଏହି ସ୍ଥାନଟି ଗୋଟିଏ ତମ୍ବୁ ଭିତରେ ଥିଲା। ଏହି ତମ୍ବୁର ପ୍ରଥମ ଭାଗରେ ଦୀପ, ମେଜ ଓ ତହିଁ ଉପରେ ପରମେଶ୍ୱରଙ୍କୁ ଉତ୍ସର୍ଗୀକୃତ ରୋଟୀ ଥିଲା। ଏହି ସ୍ଥାନକୁ ‘ପବିତ୍ର ସ୍ଥାନ’ [a] ବୋଲି କୁହା ଯାଇଥିଲା। ଦ୍ୱିତୀୟ ପରଦା ପଛ ପଟରେ ଯେଉଁ ବଖରାଟି ଥିଲା ତାହାକୁ ‘ମହାପବିତ୍ର ସ୍ଥାନ’ କୁହାଯାଉଥିଲା। ଏଠାରେ ସୁଗନ୍ଧିତ ଦ୍ରବ୍ୟ ପୋଡ଼ିବା ପାଇଁ ଗୋଟିଏ ସୁନାର ବେଦୀ ଥିଲା। ‘ପୁରାତନ ନିୟମ [b] ଗୋଟିଏ ପବିତ୍ର ବାକ୍ସ ଭିତରେ ଥିଲା। ବାକ୍ସ ସୁନାରେ ତିଆରି ହୋଇଥିଲା। ସେହି ବାକ୍ସ ଭିତରେ ସୁନାରେ ତିଆରି ମାନ୍ନା [c] ରଖା ହୋଇଥିବା ଗୋଟିଏ ପାତ୍ର ଥିଲା। ହାରୋଣର ବାଡ଼ିଟି ଯେଉଁବାଡ଼ି ଉପରେ ନୂଆ ହୋଇ ପତ୍ର କଅଁଳି ଥିଲା । ସେହି ବାକ୍ସରେ ପୁରାତନ ନିୟମର ଦଶଆଜ୍ଞା ଲେଖାଥିବା ପ୍ରସ୍ତର ଫଳକମାନ ମଧ୍ୟ ଥିଲା। ବାକ୍ସ ଉପରେ କିରୁବ ସ୍ୱର୍ଗଦୂତଗଣ ପରମେଶ୍ୱରଙ୍କ ମହିମା ପ୍ରଦର୍ଶିତ କରୁଥିଲେ। ଏମାନେ ‘ଦୟାର ଆସନ’ [d]ରେ ଉପବିଷ୍ଟ ଥିଲେ। କିନ୍ତୁ ଆମ୍ଭେ ଏବେ ବିସ୍ତାର ପୂର୍ବକ ସେ ବିଷୟରେ କହି ପାରିବୁ ନାହିଁ।

ମୋର କହିବା ଅନୁଯାୟୀ ସେହି ତମ୍ବୁରେ ସମସ୍ତ କିଛି ପ୍ରସ୍ତୁତ କରି ରଖା ଯାଇଥିଲା। ଯାଜକମାନେ ଉପାସନା କାର୍ଯ୍ୟ କରିବା ପାଇଁ ପ୍ରଥମ ବଖରାଟିକୁ ପ୍ରତିଦିନ ଯାଆନ୍ତି। କିନ୍ତୁ ଦ୍ୱିତୀୟ ବଖରା ଭିତରକୁ କେବଳ ବର୍ଷରେ ଥରେ ମହାଯାଜକ ଯାଇ ପାରୁଥିଲେ। ମହାଯାଜକ ଉତ୍ସର୍ଗ କରିବାର ରକ୍ତ ନ ନେଇ କଦାପି ସେଠାରେ ପ୍ରବେଶ କରନ୍ତି ନାହିଁ। ଯାଜକ ନିଜର ଲୋକମାନଙ୍କ ଆଜ୍ଞାନକୃତ ପାପ ନିମନ୍ତେ ସେହି ରକ୍ତ ପରମେଶ୍ୱରଙ୍କୁ ଅର୍ପଣ କରୁଥିଲେ।

ଏତଦ୍ଦ୍ୱାରା ପବିତ୍ରଆତ୍ମା ଆମ୍ଭକୁ ଏହି ଶିକ୍ଷା ଦିଅନ୍ତି ଯେ, ପ୍ରଥମ ବଖରାଟି ଥିବା ପର୍ଯ୍ୟନ୍ତ ଅତିପବିତ୍ର ସ୍ଥାନରେ ପ୍ରବେଶ କରିବାର ପଥ ଖୋଲା ହୋଇ ନାହିଁ। ଏହା ଆଜି ଆମ୍ଭ ପାଇଁ ଉଦାହରଣ ସ୍ୱରୂପ। ଏହା ସୂଗ୍ଭଇ ଦିଏ ଯେ, ଯେଉଁ ଦାନ ଓ ବଳିଗୁଡ଼ିକ ପରମେଶ୍ୱରଙ୍କୁ ଉତ୍ସର୍ଗ କରାଯାଏ, ତଦ୍ଦ୍ୱାରା ଉପାସକ ପାପରୁ ସମ୍ପୂର୍ଣ୍ଣ ଧୌତ ହୋଇପାରେ ନାହିଁ। ଉକ୍ତ ବଳି ହେତୁ ସେ ସିଦ୍ଧିଲାଭ କରିପାରେ ନାହିଁ। 10 ସେଗୁଡ଼ିକ ଖାଦ୍ୟ, ପେୟ ଓ ବିଭିନ୍ନ ପ୍ରକାରର ଶୌଚକ୍ରିୟା କେବଳ ଶାରୀରିକ ବିଧିବିଧାନ ଅଟେ, ଏତଦ୍ଦ୍ୱାରା ହୃଦୟର ପରିବର୍ତ୍ତନ ହୁଏ ନାହିଁ। ପରମେଶ୍ୱରଙ୍କ ନୂତନ ଚୁକ୍ତିର ସମୟ ପର୍ଯ୍ୟନ୍ତ ପରମେଶ୍ୱର ସେହିସବୁ ନିୟମ ଲୋକମାନଙ୍କୁ ଦେଲେ।

ନୂତନ ନିୟମର ଉପାସନା

11 କିନ୍ତୁ ଏବେ ଖ୍ରୀଷ୍ଟ ମହାଯାଜକ ରୂପେ ଆସିଅଛନ୍ତି। ଖ୍ରୀଷ୍ଟ ହେଉଛନ୍ତି ଆମ୍ଭ ପାଖରେ ଥିବା ସମସ୍ତ ଉତ୍ତମ ବିଷୟର ମହାଯାଜକ। କିନ୍ତୁ ଯୀଶୁ ଅନ୍ୟ ଯାଜକମାନଙ୍କ ଭଳି ତମ୍ବୁରେ ଆପଣା ସେବାକାର୍ଯ୍ୟ କରନ୍ତି ନାହିଁ। ଖ୍ରୀଷ୍ଟ ତାହା ଅପେକ୍ଷା ମହତ୍ତର ଓ ଶ୍ରେଷ୍ଠ ସ୍ଥଳରେ ସେବାକାର୍ଯ୍ୟ କରନ୍ତି ଏବଂ ଏହି ସ୍ଥାନଟି ମଣିଷମାନେ ତିଆରି କରି ନାହାନ୍ତି। 12 ଏହି ସ୍ଥାନଟି ଏହି ଜଗତର ନୁହେଁ। ଖ୍ରୀଷ୍ଟ ମହାପବିତ୍ର ସ୍ଥାନରେ ଛେଳି ବା ଗୋବତ୍ସର ରକ୍ତ ନୁହେଁ, ମାତ୍ର ନିଜ ରକ୍ତ ଘେନି ଏକାଥରକେ ପ୍ରବେଶ କଲେ ଓ ସବୁ ଦିନ ପାଇଁ ଆମ୍ଭକୁ ମୁକ୍ତି ଦାନ କଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center