Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 24

ଦାଉଦଙ୍କର ସଙ୍ଗୀତ।

24 ପୃଥିବୀ ଓ ତହିଁରେ ଥିବା ସମସ୍ତ ବସ୍ତୁ ସଦାପ୍ରଭୁଙ୍କର ଅଟେ।
    ପୃଥିବୀର ସମସ୍ତ ଲୋକ ତାଙ୍କ ଆଶ୍ରିତ ଅଟନ୍ତି।
ସଦାପ୍ରଭୁ ପୃଥିବୀକୁ ଜଳଭାଗ ଉପରେ ସ୍ଥାପନ କରିଅଛନ୍ତି
    ଓ ସେ ନଦୀ ଉପରେ ଏହାକୁ ନିର୍ମାଣ କରିଅଛନ୍ତି।

କିଏ ସଦାପ୍ରଭୁଙ୍କ ପବିତ୍ର ପର୍ବତ ସିୟୋନକୁ ଯାଇପାରିବ?
    କିଏ ତାଙ୍କ ପବିତ୍ର ମନ୍ଦିରରେ ତାଙ୍କ ସମ୍ମୁଖରେ ଉପାସନା କରି ପାରିବ?
ଯେଉଁ ଲୋକମାନେ କେବେ କିଛି ମନ୍ଦକାର୍ଯ୍ୟ କରି ନାହାନ୍ତି,
    ଯାହାଙ୍କର ହୃଦୟ ଓ ମନ ନିର୍ମଳ,
ଯେଉଁ ଲୋକମାନେ ମୋର ନାମର ଅସତ୍ୟ ବ୍ୟବହାର କରି ନାହାନ୍ତି, ଯେଉଁ ଲୋକମାନେ ମିଥ୍ୟା କହନ୍ତି ନାହିଁ କି ମିଥ୍ୟା ପ୍ରତିଶ୍ରୁତି ଦିଅନ୍ତି ନାହିଁ,
    କେବଳ ସେହି ଲୋକମାନେ ସେଠାରେ ଉପାସନା କରି ପାରିବେ।

ଉତ୍ତମ ବ୍ୟକ୍ତିମାନେ ସଦାପ୍ରଭୁଙ୍କୁ ଅନ୍ୟମାନଙ୍କୁ ଆଶୀର୍ବାଦ କରିବାକୁ କହନ୍ତି।
    ସେମାନେ ପରମେଶ୍ୱରଙ୍କୁ ଯିଏ କି ସେମାନଙ୍କ ଉଦ୍ଧାର କର୍ତ୍ତା, ସେମାନଙ୍କ ପାଇଁ ଭଲ କାର୍ଯ୍ୟ କରିବାକୁ ଅନୁରୋଧ କରନ୍ତି।
ସେହି ଉତ୍ତମ ବ୍ୟକ୍ତିମାନେ ସର୍ବଦା ପରମେଶ୍ୱରଙ୍କ ପନ୍ଥା ଅନ୍ୱେଷଣ କରନ୍ତି।
    ସେମାନେ ଯାକୁବର ପରମେଶ୍ୱରଙ୍କ ନିକଟକୁ ଯାଆନ୍ତି। ସେଲା

ହେ ନଗର ଫାଟକ, ତୁମ୍ଭର ମସ୍ତକ ଟେକ।
    ହେ ପ୍ରାଚୀନ କବାଟ ସବୁ ଖୋଲ ଏବଂ ତହିଁରେ ଗୌରବମୟ ରାଜା ପ୍ରବେଶ କରିବେ।
କିଏ ସେହି ଗୌରବମୟ ରାଜା?
    ସଦାପ୍ରଭୁ ହିଁ ସେହି ରାଜା ଅଟନ୍ତି, ସେ ହେଉଛନ୍ତି ଶକ୍ତିଶାଳୀ ଯୋଦ୍ଧା।
    ସଦାପ୍ରଭୁ ହେଉଛନ୍ତି ସେହି ରାଜା ଯିଏ ଜଣେ ଯୁଦ୍ଧଜୟୀ ବୀର ଅଟନ୍ତି।

ହେ ଫାଟକ ସବୁ ଖୋଲି ଯାଅ।
    ହେ ପ୍ରାଚୀନ ଦ୍ୱାର ସବୁ ଖୋଲି ଦିଅ ଏବଂ ଗୌରବମୟ ରାଜା ପ୍ରବେଶ କରିବେ।
10 କିଏ ସେହି ଗୌରବମୟ ରାଜା?
    ସୈନ୍ୟାଧିପତି ସଦାପ୍ରଭୁ ସେହି ଗୌରବମୟ ରାଜା ଅଟନ୍ତି। ସେଲା

ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 46:18-28

18 ସୈନ୍ୟାଧିପତି ସଦାପ୍ରଭୁ କହନ୍ତି,
    “ମୁଁ ଜୀବିତ ଥିବା ପ୍ରମାଣେ ଜଣେ ଆସୁଅଛି,
ଯିଏ କି ତାବୋର ପର୍ବତ ସଦୃଶ ମହାନ
    କିଅବା ସମୁଦ୍ର ନିକଟସ୍ଥ କର୍ମିଲ ପର୍ବତ ସଦୃଶ।
19 ହେ ମିଶରର କନ୍ୟା,
    ତୁମ୍ଭେ ନିର୍ବାସନ ଯିବା ପାଇଁ ନିଜକୁ ପ୍ରସ୍ତୁତ କର।
କାରଣ ନୋଫ ଧ୍ୱଂସପ୍ରାପ୍ତ
    ଓ ଦ‌ଗ୍‌ଧିଭୂତ ହେବ।
    ସେଠାରେ କେହି ଲୋକ ବାସ କରିବେ ନାହିଁ।

20 “ମିଶର ଗୋଟିଏ ସୁନ୍ଦରୀ ତରୁଣୀ ଗାଭୀପରି,
    ମାତ୍ର ଡାଆଁଶ ସଦୃଶ ଉତ୍ତର ଦିଗରୁ କ‌‌ଲ୍‌‌ଦୀୟମାନେ ତାକୁ ବିନାଶ କରିବାକୁ ଆସିବେ।
21 ଆହୁରି ମିଶରର ବେତନଗ୍ରାହୀ ସୈନ୍ୟମାନେ ଗୋଶାଳାର ଗୋବତ୍ସ ତୁଲ୍ୟ।
    ସେମାନେ ପଳାୟନ କରିବେ।
    ସେମାନେ ଆକ୍ରମଣର ସମ୍ମୁଖୀନ ହୋଇ ପାରିବେ ନାହିଁ।
କାରଣ ସେମାନଙ୍କର ବିପଦର ଦିନ ଆସୁଅଛି
    ଓ ସେମାନେ ଖୁବ୍ ଶୀଘ୍ର ସେମାନଙ୍କର ପ୍ରତିଫଳ ପାଇବେ।
22 ମିଶର ସର୍ପତୁଲ୍ୟ ଶବ୍ଦକରି
    ପଳାଇବାକୁ ଚେଷ୍ଟା କରିବ।
ମାତ୍ର ଶତ୍ରୁଗଣ ତା'ର ନିକଟରୁ
    ନିକଟତର ହେବେ।
ସେମାନେ କାଠ ‌‌କଟାଳୀ ସଦୃଶ କୁହ୍ରାଡ଼ି ନେଇ
    ତା’ ବିରୁଦ୍ଧରେ ଆକ୍ରମଣ କରିବେ।”

23 ସଦାପ୍ରଭୁ କହନ୍ତି,
    “ମିଶରର ସୈନ୍ୟ ଅରଣ୍ୟ ସଦୃଶ।
ଅଗଣିତ ହେଲେ ହେଁ
    ଶତ୍ରୁସୈନ୍ୟ ସେମାନଙ୍କୁ ହାଣି ପକାଇବେ।
କାରଣ ଶତ୍ରୁସୈନ୍ୟ ପଙ୍ଗପାଳ ଅପେକ୍ଷା
    ଅନେକ ଓ ଅସଂଖ୍ୟ ଅଟନ୍ତି।
24 ମିଶର ଲଜ୍ଜିତା ହେବ।
    ସେ ଉତ୍ତର ଦେଶୀୟ ଲୋକମାନଙ୍କ ହସ୍ତରେ ସମର୍ପିତ ହେବ।”

25 ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, “ଦେଖ, ଆମ୍ଭେ ନୋ ଦେଶୀୟ ଅମୋନକୁ, ଫାରୋ, ମିଶର, ତାହାର ଦେବଗଣ ଓ ରାଜଗଣକୁ, ଆଉ ଫାରୋଙ୍କ ଶରଣାପନ୍ନ ସମସ୍ତଙ୍କୁ ଦଣ୍ଡ ଦେବା। 26 ପୁଣି ସେମାନଙ୍କର ପ୍ରାଣନାଶକାରୀ ଲୋକମାନଙ୍କ ହସ୍ତରେ ଓ ବାବିଲର ରାଜା ନବୂଖ‌ଦ୍‌ନିତ୍ସର ଓ ତାହାର ଦାସମାନଙ୍କ ହସ୍ତରେ ଆମ୍ଭେ ସେମାନଙ୍କୁ ସମର୍ପଣ କରିବା।”

ପୁଣି ସଦାପ୍ରଭୁ କହନ୍ତି, “ପୂର୍ବକାଳରେ ମିଶର ଯେଉଁପରି ଶାନ୍ତିରେ ବାସ କରୁଥିଲା, ଏହି ଦୁଃସମୟ ପରେ ସେ ପୁନର୍ବାର ଶାନ୍ତିରେ ରହିବ।”

ଉତ୍ତର ଇସ୍ରାଏଲ ପାଇଁ ଏକ ବାର୍ତ୍ତା

27 “ହେ ଆମ୍ଭର ଦାସ ଯାକୁବ, ତୁମ୍ଭେ ଭୟ କର ନାହିଁ
    କିଅବା ହେ ଇସ୍ରାଏଲ ତୁମ୍ଭେ ନିରାଶ ହୁଅ ନାହିଁ।
ଆମ୍ଭେ ଦୂର ଦେଶରୁ ତୁମ୍ଭକୁ ଓ ବନ୍ଦୀ ଅବସ୍ଥାରୁ
    ତୁମ୍ଭ ବଂଶକୁ ଉଦ୍ଧାର କରିବା।
ତହିଁରେ ଯାକୁବ ଫେରି ଆସି ନିର୍ଭୟ ଓ ନିଶ୍ଚିତରେ ରହିଲା।
    ଆଉ କେହି ତାହାକୁ ଭୟ ଦେଖାଇଲେ ନାହିଁ।”
28 ସଦାପ୍ରଭୁ କହନ୍ତି,
“ହେ ମୋର ଦାସ ଯାକୁବ, ତୁମ୍ଭେ ଭୟ କର ନାହିଁ।
    କାରଣ ଆମ୍ଭେ ତୁମ୍ଭ ସଙ୍ଗରେ ଅଛୁ,
ଯେଉଁମାନଙ୍କରୁ ଆମ୍ଭେ ତୁମ୍ଭକୁ ତଡ଼ି ଦେଇଅଛୁ,
    ଆମ୍ଭେ ସେମାନଙ୍କୁ ସଂହାର କରିବା।
    ମାତ୍ର ଆମ୍ଭେ ତୁମ୍ଭକୁ ସଂହାର କରିବା ନାହିଁ।
ଆମ୍ଭେ ତୁମ୍ଭକୁ ବିବେଚନା ପୂର୍ବକ ଶାସ୍ତି ଦେବା।
    ମାତ୍ର ତୁମ୍ଭକୁ ଦଣ୍ଡ ନ ଦେଇ
    ଛାଡ଼ିବା ନାହିଁ।”

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 21:5-27

ସିଂହାସନ ଉପରେ ଯିଏ ବସିଥିଲେ, ସେ କହିଲେ, “ମୁଁ ସମସ୍ତ ବିଷୟ ନୂତନ କରୁଅଛି।” ତା'ପରେ ସେ କହିଲେ, “ଏହା ଲେଖି ରଖ, କାରଣ ଏହି କଥାସବୁ ବିଶ୍ୱାସ ଯୋଗ୍ୟ ଓ ସତ୍ୟ।”

ସିଂହାସନରେ ବସିଥିବା ବ୍ୟକ୍ତି ମୋତେ କହିଲେ, “ଏହା ସମାପ୍ତ ହୋଇଯାଇଛି। ମୁଁ ହେଉଛି ପ୍ରଥମ ଓ ଶେଷ।[a] ମୁଁ ତୃଷାର୍ତ୍ତ ଲୋକକୁ ବିନା ମୂଲ୍ୟରେ ଜୀବନ୍ତଜଳ ନିର୍ଝରରୁ ପାନ କରିବାକୁ ଦେବି। ଯେ ବିଜୟୀ ହେବ, ସେ ଏହିସବୁ ପାଇବ। ମୁଁ ତାହାର ପରମେଶ୍ୱର ହେବି ଓ ସେ ମୋର ପୁତ୍ର ହେବ। କିନ୍ତୁ ଯେଉଁ ଲୋକମାନେ ଭୀରୁ, ଅବିଶ୍ୱାସୀ, ଘୃଣାକାର୍ଯ୍ୟ, ନରହତ୍ୟା, ଯୌନଗତ ପାପ, ମନ୍ଦ କୁହୁକ କରନ୍ତି ଓ ପ୍ରତିମାପୂଜକ ଏବଂ ମିଥ୍ୟାବାଦୀ ସେମାନେ ଅଗ୍ନି ଓ ଗନ୍ଧକ ଜଳୁଥିବା ହ୍ରଦରେ ସ୍ଥାନ ପାଇବେ। ଏହା ଦ୍ୱିତୀୟ ମୃତ୍ୟୁ।’’

ତା'ପରେ ସାତ ଜଣ ସ୍ୱର୍ଗଦୂତଙ୍କ ମଧ୍ୟରୁ ଯେଉଁମାନଙ୍କ ପାଖରେ ସାତୋଟି ଶେଷ କ୍ଳେଶର ସାତ ପାତ୍ର ଥିଲା, ସେହିମାନଙ୍କ ମଧ୍ୟରୁ ଜଣେ ମୋ’ ପାଖକୁ ଆସିଲେ। ସେହି ସ୍ୱର୍ଗଦୂତ ମୋତେ କହିଲେ, “ମୋ’ ସହିତ ଆସ। ମୁଁ ତୁମ୍ଭକୁ ବଧୂକୁ ଦେଖାଇବି। ସେ ମେଷଶାବକଙ୍କର ସ୍ତ୍ରୀ। 10 ସେ ଦୂତ ମୋତେ ଆତ୍ମା ଦ୍ୱାରା ଗୋଟିଏ ବହୁତ ବଡ଼ ଓ ଉଚ୍ଚ ପର୍ବତକୁ ନେଇଗଲେ। ସେ ମୋତେ ପବିତ୍ର ନଗରୀ ଯିରୁଶାଲମ ଦେଖାଇଲେ। ମୁଁ ସେହି ନଗରୀକୁ ପରମେଶ୍ୱରଙ୍କ ପାଖରୁ ସ୍ୱର୍ଗରୁ ଆସିବାର ଦେଖିଲି।

11 ସେହି ନଗରୀ ପରମେଶ୍ୱରଙ୍କ ଗୌରବରେ ଉଜ୍ଜ୍ୱଳମୟ ଦେଖାଯାଉଥିଲା। ଏହା ମୂଲ୍ୟବାନ ମଣି, ସୂର୍ଯ୍ୟକାନ୍ତ ପରି ଉଜ୍ଜ୍ୱଳ ହୋଇ ଝଲକୁଥିଲା। ଏହା ସ୍ଫଟିକ ପରି ସ୍ୱଚ୍ଛ ଥିଲା। 12 ନଗରୀର ଗୋଟିଏ ବଡ଼ ଉଚ୍ଚ କାନ୍ଥ ଥିଲା। ଏହାର ବାରଟି ପ୍ରବେଶଦ୍ୱାର ଥିଲା। ସେହି ଦ୍ୱାରମାନଙ୍କରେ ବାରଟି ସ୍ୱର୍ଗଦୂତ ଥିଲେ। ପ୍ରତ୍ୟେକ ପ୍ରବେଶ ଦ୍ୱାରରେ ଇସ୍ରାଏଲର ବାରଟି ପରିବାରର ଗୋଟିଏ ଗୋଟିଏ ଦଳର ନାମ ଖୋଦିତ ଥିଲା। 13 ସେଠାରେ ପୂର୍ବ ଦିଗରେ ତିନୋଟି ପ୍ରବେଶ ଦ୍ୱାରା, ଉତ୍ତରରେ ତିନୋଟି ପ୍ରବେଶ ଦ୍ୱାର, ଦକ୍ଷିଣରେ ତିନୋଟି ପ୍ରବେଶ ଦ୍ୱାର ଏବଂ ପଶ୍ଚିମ ଦିଗରେ ତିନୋଟି ଦ୍ୱାର ଥିଲା। 14 ନଗରୀର କାନ୍ଥସବୁ ବାରଟି ମୂଳଦୁଆ ପଥର ଉପରେ ଥିଲା। ସେହି ପଥର ଉପରେ ମେଷଶାବକଙ୍କର ବାରଜଣ ପ୍ରେରିତଙ୍କର ନାମ ଲେଖାଯାଇଥିଲା।

15 ମୋ’ ସହିତ କଥାବାର୍ତ୍ତା ହେଉଥିବା ସ୍ୱର୍ଗଦୂତଙ୍କ ହାତରେ ଗୋଟିଏ ସୁନାର ମାପଦଣ୍ଡ ଥିଲା। ସେ ନଗର, ଏହାର ପ୍ରବେଶ ଦ୍ୱାର ଏବଂ ଏହାର କାନ୍ଥ ମାପ କରିବା ପାଇଁ ଏହି ମାପଦଣ୍ଡ ନିଜ ହାତରେ ରଖିଥିଲେ। 16 ସେହି ନଗରୀଟି ଗ୍ଭରି କୋଣିଆ ଥିଲା। ଏହାର ଲମ୍ବା ଓ ଚଉଡ଼ା ସମାନ। ସେହି ଦୂତ ମାପଦଣ୍ଡରେ ନଗରୀକୁ ମାପିଲେ। ନଗରୀର ଲମ୍ବା 12,000 ଷ୍ଟାଡ଼ିଆ, ଚଉଡ଼ା 12,000 ଷ୍ଟାଡ଼ିଆ ଓ ଉଚ୍ଚତା ମଧ୍ୟ 12,000 ଷ୍ଟାଡ଼ିଆ[b] ଥିଲା। 17 ସେ ଦୂତ କାନ୍ଥର ଉଚ୍ଚତା ମଧ୍ୟ ମାପିଲେ ଏହା 144 ହାତ ହେଲା। ଦୂତ ମନୁଷ୍ୟମାନଙ୍କ ଦ୍ୱାରା ବ୍ୟବହୃତ ମାନଦଣ୍ଡରେ ମାପିଥିଲେ। 18 ସେହି ନଗରୀର କାନ୍ଥ ସୂର୍ଯ୍ୟକାନ୍ତମଣିରେ ତିଆରି ହୋଇଥିଲା। ସେହି ନଗରୀ ସ୍ୱଚ୍ଛକାଚ ପରି ଉଜ୍ଜ୍ୱଳ ଖାଣ୍ଟି ସୁନାରେ ତିଆରି ହୋଇଥିଲା।

19 ନଗରୀ କାନ୍ଥର ମୂଳଦୁଆ ପଥରରେ ବହୁମୂଲ୍ୟ ମଣି ଖଚିତ ଥିଲା। ପ୍ରଥମ କୋଣ ପଥରଟି ହୀରକମଣି, ଦ୍ୱିତୀୟଟି ନୀଳକାନ୍ତମଣି, ତୃତୀୟ ବୈଦୂର୍ଯ୍ୟମଣି, ଚତୁର୍ଥଟି ମରକତମଣି ଥିଲା। 20 ପଞ୍ଚମରେ ପୁଲକମଣି, ଷଷ୍ଠ ମାଣିକ୍ୟମଣି, ସପ୍ତମଟି ପୁଷ୍ପରାଗମଣି, ଅଷ୍ଟମରେ ଫିରୋଜମଣି, ନବମରେ ଗୋମେଦକମଣି, ଦଶମରେ ଲଶୁନୀୟମଣି, ଏକାଦଶରେ ଇନ୍ଦ୍ରନୀଳମଣି, ଓ ଦ୍ୱାଦଶରେ ସୁଗନ୍ଧମଣି ଖଚିତ ଥିଲା। 21 ବାରଟି ପ୍ରବେଶ ଦ୍ୱାର ହେଉଛି ବାର ଗୋଟି ମୁକ୍ତା। ପ୍ରତ୍ୟେକ ପ୍ରବେଶ ଦ୍ୱାର ଗୋଟିଏ ଲେଖା ମୁକ୍ତାରେ ତିଆରି ହୋଇଥିଲା। ନଗରର ରାଜପଥ ନିର୍ମିତ କାଚପରି, ଖାଣ୍ଟି ସୁନାରେ ତିଆରି ହୋଇଥିଲା।

22 ମୁଁ ସେହି ନଗରୀ ଭିତରେ କୌଣସି ମନ୍ଦିର ଦେଖିଲି ନାହିଁ। ସର୍ବଶକ୍ତିମାନ୍ ପ୍ରଭୁ ପରମେଶ୍ୱର ଓ ମେଷଶାବକ ହେଉଛନ୍ତି ସେହି ନଗରର ମନ୍ଦିର। 23 ସେହି ନଗରୀକୁ ଆଲୋକ ଦେବା ପାଇଁ ସୂର୍ଯ୍ୟ ବା ଚନ୍ଦ୍ରର ଆବଶ୍ୟକତା ନାହିଁ। ପରମେଶ୍ୱରଙ୍କର ମହିମା ନଗରୀକୁ ଆଲୋକ ଦିଏ। ମେଷଶାବକ ସେହି ନଗରୀର ପ୍ରଦୀପ ସ୍ୱରୂପ।

24 ନଗରୀର ଆଲୋକରେ ଜାତିସମୂହର ଲୋକମାନେ ଗ୍ଭଲିବେ। ପୃଥିବୀର ରାଜାମାନେ ସେମାନଙ୍କର ଐଶ୍ୱର୍ଯ୍ୟ ଏହି ନଗରୀକୁ ଦେବେ। 25 ସେହି ନଗରୀର ଦ୍ୱାରଗୁଡ଼ିକ କୌଣସି ଦିନ ବନ୍ଦ ରହିବ ନାହିଁ, କାରଣ ସେଠାରେ କେବେ ହେଲେ ରାତି ହେବ ନାହିଁ। 26 ସେହି ନଗରକୁ ଜାତିସମୂହର ଐଶ୍ୱର୍ଯ୍ୟ ଓ ମହିମା ଅଣାଯିବ। 27 କୌଣସି ଅଶୁଚି ଜିନିଷ ତା’ ଭିତରେ ପ୍ରବେଶ କରିବ ନାହିଁ। ଲଜ୍ଜାପୂର୍ଣ୍ଣ କାର୍ଯ୍ୟ କରିବା ଲୋକ ଓ ମିଥ୍ୟା କହିବା ଲୋକ ତା’ ଭିତରେ ପଶିପାରିବେ ନାହିଁ। ମେଷଶାବକଙ୍କ ଜୀବନପୁସ୍ତକରେ ନାମ ଲେଖା ହୋଇଥିବା ଲୋକମାନେ ସେହି ନଗରୀ ଭିତରେ ପ୍ରବେଶ କରିବେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center