Revised Common Lectionary (Complementary)
ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ପରିବାରର ଅଲମୋତ ସ୍ୱରର ଗୋଟିଏ ଗୀତ।
46 ପରମେଶ୍ୱର ଆମ୍ଭମାନଙ୍କର ଆଶ୍ରୟ ଓ ବଳ।
ଆମ୍ଭେ ବିପଦ ସମୟରେ ତାଙ୍କର ସାହାଯ୍ୟ ପାଇପାରୁ।
2 ତେଣୁ ଯେତେବେଳେ ଭୂମି କମ୍ପିତ ହୁଏ,
ଏବଂ ପର୍ବତ ସମୁଦ୍ରରେ ପଡ଼େ ଆମ୍ଭେ ଭୟଭୀତ ହେବା ନାହିଁ।
3 ଯେତେବେଳେ ସମୁଦ୍ର ଅଶାନ୍ତ ଓ ଅନ୍ଧକାର ହୋଇଯାଏ
ଏବଂ ପର୍ବତଗୁଡ଼ିକ ଥରିଉଠେ, ତଥାପି ଆମ୍ଭେ ଭୟଭୀତ ହେବା ନାହିଁ। ସେଲା
4 ଏପରି ଏକ ନଦୀ ଅଛି ଯାହାର ପବିତ୍ର ଜଳଧାରା
ସର୍ବୋପରିସ୍ଥ ପରମେଶ୍ୱରଙ୍କ ନଗରୀକୁ ଆନନ୍ଦିତ କରୁଛି।
5 ପରମେଶ୍ୱର ସେହି ନଗରୀରେ ବାସ କରନ୍ତି।
ଏହା କେବେ ବି ଧ୍ୱଂସ ପାଇବ ନାହିଁ।
ପରମେଶ୍ୱର ଏପରିକି ସୂର୍ଯ୍ୟୋଦୟ ପୂର୍ବରୁ ସାହାଯ୍ୟ କରିବାକୁ ଉପସ୍ଥିତ ଥା’ନ୍ତି।
6 ସଦାପ୍ରଭୁଙ୍କ ଚିତ୍କାର ଶୁଣି ରାଜ୍ୟମାନେ ଭୟରେ କମ୍ପି ଉଠନ୍ତି।
ସେହି ରାଜ୍ୟସବୁ ଭାଙ୍ଗି ପଡ଼ିବ ଏବଂ ପୃଥିବୀରେ ଭୂମିକମ୍ପ ହେବ।
7 ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭ ସହିତ ଅଛନ୍ତି।
ଯାକୁବର ପରମେଶ୍ୱର ଆମ୍ଭ ସମସ୍ତଙ୍କର ନିରାପଦର ସ୍ଥାନ ଅଟନ୍ତି। ସେଲା
8 ସଦାପ୍ରଭୁ ସୃଷ୍ଟି କରିଥିବା ସେହି ଆଶ୍ଚର୍ଯ୍ୟଜନକ ବସ୍ତୁକୁ ଦେଖ।
ଏ ପୃଥିବୀର ବସ୍ତୁକୁ ସେ କିପରି ଧ୍ୱଂସ କରି ପାରନ୍ତି।
9 ସଦାପ୍ରଭୁ ଏ ପୃଥିବୀର ଯେକୌଣସି ସ୍ଥାନରେ ଗ୍ଭହିଁଲେ ଯୁଦ୍ଧ ବନ୍ଦ କରି ପାରିବେ।
ଯଦି ସେ ଗ୍ଭହେଁ ସୈନିକର ଧନୁକୁ ଭାଙ୍ଗି ପାରିବେ, ସେ ବର୍ଚ୍ଛାକୁ ଖଣ୍ଡ ଖଣ୍ଡ କରି ପାରିବେ, ସେ ଢାଲକୁ ପୋଡ଼ି ଦେଇ ପାରିବେ।
10 ପରମେଶ୍ୱର କହନ୍ତି, “ଯୁଦ୍ଧ ବନ୍ଦ କର, ମନେରଖ ମୁଁ ହେଉଛି ପରମେଶ୍ୱର।
ମୁଁ ରାଜ୍ୟମାନଙ୍କୁ ପରାସ୍ତ କରିଛି।
ପୃଥିବୀକୁ ମୁଁ ନିୟନ୍ତ୍ରଣ କରେ।”
11 ସେହି ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭ ସହିତ ଅଛନ୍ତି।
ଯାକୁବର ପରମେଶ୍ୱର ଆମ୍ଭ ସମସ୍ତଙ୍କ ନିରାପଦ ଆଶ୍ରୟ ସ୍ଥଳ। ସେଲା
12 ମୀଖାୟଙ୍କୁ ଯେଉଁ ବାର୍ତ୍ତାବାହକ ଡାକିବାକୁ ଯାଇଥିଲା, ତାଙ୍କୁ କହିଲା, “ମୀଖାୟ, ଶୁଣ, ସବୁ ଭବିଷ୍ୟଦ୍ବକ୍ତାମାନେ ଏକପ୍ରକାର କଥା କହୁଅଛନ୍ତି। ସେମାନେ କହୁଛନ୍ତି ଯେ, ରାଜା ସଫଳତା ଲାଭ କରିବେ। ତେଣୁ ସେମାନେ ଯାହା କହୁଛନ୍ତି, ତୁମ୍ଭେ ମଧ୍ୟ ତାହା କହିବା ଉଚିତ୍। ତୁମ୍ଭେ ଉତ୍ତମ ବିଷୟମାନ କହିବା ଉଚିତ୍।”
13 କିନ୍ତୁ ମୀଖାୟ ଉତ୍ତର ଦେଲେ, “ନିଶ୍ଚିତ ଭାବରେ ସଦାପ୍ରଭୁ ଥିବାଯାଏ, ମୋ’ ପରମେଶ୍ୱର ଯାହା କହନ୍ତି, ମୁଁ କେବଳ ତାହା କହି ପାରିବି।”
14 ଏହା ପରେ ମୀଖାୟ ରାଜାଙ୍କ ନିକଟକୁ ଆସିଲେ। ରାଜା ତାଙ୍କୁ କହିଲେ, “ମୀଖାୟ, ଆମ୍ଭେମାନେ ରାମୋତ୍-ଗିଲିୟଦ୍ ସହରକୁ ଯୁଦ୍ଧ କରିବା ନିମନ୍ତେ ଯିବୁ ନା ନାହିଁ?”
ମୀଖାୟ ଉତ୍ତର ଦେଲେ, “ଯାଅ ଓ ଆକ୍ରମଣ କର। ତୁମ୍ଭେମାନେ ଅଧିକାର କରିବ ଏବଂ ସେହି ସହର ତୁମ୍ଭର ହେବ।”
15 ରାଜା ମୀଖାୟଙ୍କୁ କହିଲେ, “କେବଳ ସଦାପ୍ରଭୁଙ୍କ ନାମରେ ସତ କହିବାକୁ କେତେଥର ମୋତେ ତୁମ୍ଭମାନଙ୍କୁ ଶପଥ କରାଇବା ପାଇଁ ପଡ଼ୁଛି?”
16 ଏହା ପରେ ମୀଖାୟ କହିଲେ, “ମୁଁ ଇସ୍ରାଏଲର ସମସ୍ତ ଲୋକଙ୍କୁ ପର୍ବତ ଉପରେ ଛିନ୍ନବିଚ୍ଛିନ୍ନ ଦେଖିଲି। ସେମାନେ ମେଷପାଳକ ବିହୀନ ମେଷତୁଲ୍ୟ ଥିଲେ। ସଦାପ୍ରଭୁ କହିଲେ, ‘ସେମାନଙ୍କର କୌଣସି ନେତା ନାହାନ୍ତି। ପ୍ରତ୍ୟେକ ଲୋକ ନିରାପଦରେ ନିଜ ଗୃହକୁ ଫେରିଯାଉ।’”
17 ଇସ୍ରାଏଲର ରାଜା ଯିହୋଶାଫଟଙ୍କୁ କହିଲେ, “ମୁଁ ତୁମ୍ଭକୁ କହିଥିଲି ଯେ, ମୀଖାୟ ମୋ’ ନିମନ୍ତେ କୌଣସି ଉତ୍ତମ ବାର୍ତ୍ତା ଆଣିବ ନାହିଁ। ମୋ’ ନିମନ୍ତେ ସେ କେବଳ ଖରାପ ବାର୍ତ୍ତା ଆଣେ।”
18 ମୀଖାୟ କହିଲେ, “ସଦାପ୍ରଭୁଙ୍କଠାରୁ ଆସିଥିବା ଏହି ବାର୍ତ୍ତା ଶୁଣ। ମୁଁ ସଦାପ୍ରଭୁଙ୍କୁ ତାଙ୍କର ସିଂହାସନରେ ବସିଥିବାର ଦେଖିଲି। ସ୍ୱର୍ଗୀୟ ଦୂତଗଣ ତାଙ୍କର ଚତୁର୍ଦ୍ଦିଗରେ ଠିଆ ହୋଇଥିଲେ, କେତେକ ତାଙ୍କର ବାମ ପାର୍ଶ୍ୱରେ ଓ କେତେକ ତାଙ୍କର ଦକ୍ଷିଣ ପାର୍ଶ୍ୱରେ ଛିଡ଼ା ହୋଇଥିଲେ। 19 ସଦାପ୍ରଭୁ କହିଲେ, ‘କିଏ ଇସ୍ରାଏଲର ରାଜା ଆହାବଙ୍କୁ ପ୍ରତାରଣା କରିବ, ସେଥିପାଇଁ ତାକୁ ରାମୋତ୍-ଗିଲିୟଦ୍ରେ ହତ୍ୟା କରାଯିବ?’ ସଦାପ୍ରଭୁଙ୍କ ଚତୁର୍ଦ୍ଦିଗରେ ଠିଆ ହୋଇଥିବା ଭିନ୍ନ ଭିନ୍ନ ଲୋକମାନେ, ଭିନ୍ନ ଭିନ୍ନ କଥା କହିଲେ। କେତେକ ଗୋଟିଏ କଥା କହିଲେ ଓ ଆଉ କେତେକ ଆଉ କିଛି କହିଲେ। 20 ଏହା ପରେ ଗୋଟିଏ ଆତ୍ମା ଆସିଲା ଓ ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ ହେଲା। ଆତ୍ମାଟି କହିଲା, ‘ମୁଁ ଆହାବଙ୍କୁ ପ୍ରତାରିତ କରିବି।’ ସଦାପ୍ରଭୁ ଆତ୍ମାକୁ ପଗ୍ଭରିଲେ, ‘କିପରି?’ 21 ସେହି ଆତ୍ମାଟି ଉତ୍ତର ଦେଲା, ‘ମୁଁ ଯିବି ଓ ଆହାବଙ୍କ ଭବିଷ୍ୟଦ୍ବକ୍ତାମାନଙ୍କ ମୁଖରେ ଏକ ମିଥ୍ୟାବାଦୀ ଆତ୍ମା ହୋଇଯିବି।’ ଆଉ ସଦାପ୍ରଭୁ କହିଲେ, ‘ନିଶ୍ଚିତ ଭାବରେ ତୁମ୍ଭେ ଆହାବକୁ ପ୍ରତାରିତ କରିବାକୁ ସମର୍ଥ ହେବ। ତେଣୁ ଯାଅ ଓ ତାହା କର।’
22 “ଏଣୁ ହେ ଆହାବ, ଦେଖନ୍ତୁ, ସଦାପ୍ରଭୁ ଆପଣଙ୍କ ଭବିଷ୍ୟଦ୍ବକ୍ତାମାନଙ୍କର ମୁଖରେ ଏକ ମିଥ୍ୟାବାଦୀର ଆତ୍ମା ଦେଇଛନ୍ତି, ସଦାପ୍ରଭୁ କହିଛନ୍ତି ଯେ, ତୁମ୍ଭ ପ୍ରତି ଅମଙ୍ଗଳ ହିଁ ଘଟିବ।”
ଖ୍ରୀଷ୍ଟଙ୍କ ବଳିଦାନ ପାପଗୁଡ଼ିକୁ ଧୋଇ ଦିଏ
23 ସ୍ୱର୍ଗସ୍ଥ ବିଷୟ ଗୁଡ଼ିକର ପ୍ରତିକୃତିଗୁଡ଼ିକ ପଶୁବଳି ଦ୍ୱାରା ଶୁଦ୍ଧ କରାଯାଏ। କିନ୍ତୁ ସ୍ୱର୍ଗସ୍ଥ ବିଷୟରେ ଶୁଦ୍ଧତା ପାଇଁ ଅପେକ୍ଷାକୃତ ଭଲ ବଳି ଦରକାର। 24 ଖ୍ରୀଷ୍ଟ ମହାପବିତ୍ର ସ୍ଥାନ ଭିତରକୁ ଗଲେ। କିନ୍ତୁ ସେ ମନୁଷ୍ୟ ହସ୍ତନିର୍ମିତ ମହାପବିତ୍ର ସ୍ଥାନକୁ ଗଲେ ନାହିଁ। ଏହି ପରମ ପବିତ୍ର ସ୍ଥାନଟି ପ୍ରକୃତ ସ୍ଥାନର ପ୍ରତିକୃତି ମାତ୍ର। ଯୀଶୁ ସ୍ୱର୍ଗ ଭିତରକୁ ଗଲେ।
25 ବର୍ତ୍ତମାନ ସେ ମଧ୍ୟ ଆମ୍ଭକୁ ସାହାଯ୍ୟ କରିବା ପାଇଁ ସେଠାରେ ପରମେଶ୍ୱରଙ୍କ ଆଗରେ ଅଛନ୍ତି। ମହାଯାଜକ ମହାପବିତ୍ର ସ୍ଥାନରେ ବର୍ଷକୁ ଥରେ ମାତ୍ର ପ୍ରବେଶ କରନ୍ତି। ପୁଣି ଉତ୍ସର୍ଗ କରିବା ନିମନ୍ତେ ରକ୍ତ ନେଇ ଯାଆନ୍ତି। କିନ୍ତୁ ସେ ଯୀଶୁଙ୍କ ଭଳି ନିଜର ରକ୍ତ ସମର୍ପଣ କରନ୍ତି ନାହିଁ। ମହାଯାଜକ ଯେପରି ଥରକୁ ଥର ରକ୍ତ ସମର୍ପଣ କରନ୍ତି, ଖ୍ରୀଷ୍ଟ ନିଜକୁ ସେଭଳି ଥରକୁ ଥର ସମର୍ପଣ କରିବା ପାଇଁ ସ୍ୱର୍ଗରେ ପ୍ରବେଶ କରି ନ ଥିଲେ। 26 ଯଦି ଖ୍ରୀଷ୍ଟ ନିଜକୁ ଅନେକ ଥର ସମର୍ପଣ କରି ଥାଆନ୍ତେ, ତା'ହେଲେ ଜଗତ ସୃଷ୍ଟି ହେବା ଦିନଠାରୁ ତାହାଙ୍କୁ ଅନେକ ଥର ଯାତନା ସହିବାକୁ ପଡ଼ିଥା’ନ୍ତା। କିନ୍ତୁ ଖ୍ରୀଷ୍ଟ ଥରେ ମାତ୍ର ଆସିଲେ ଓ ନିଜକୁ ଉତ୍ସର୍ଗ କଲେ। ଯୁଗାନ୍ତ ସମୟରେ ଆପଣାକୁ ବଳିରୂପେ ଉତ୍ସର୍ଗ କରିବା ଦ୍ୱାରା ଯୀଶୁ ସମସ୍ତ ପାପ ହରଣ କରିବା ପାଇଁ ଆସିଥିଲେ।
27 ପ୍ରତ୍ୟେକ ଲୋକ ଥରେ ମରିବା ଦରକାର। ଜଣେ ମଲାପରେ ତାହାର ବିଗ୍ଭର ହୁଏ। 28 ଖ୍ରୀଷ୍ଟ ଥରେ ବଳି ଭାବରେ ସମର୍ପିତ ହେଲେ, ଯେପରି ଅନେକ ଲୋକଙ୍କର ପାପ ଦୂର କରି ପାରିବେ। ଖ୍ରୀଷ୍ଟ ଦ୍ୱିତୀୟ ଥର ଲୋକମାନଙ୍କର ପାପ ପାଇଁ ନୁହେଁ, ମାତ୍ର ଯେଉଁମାନେ ତାହାଙ୍କ ପାଇଁ ପ୍ରତୀକ୍ଷା କରୁଥିବେ, ସେମାନଙ୍କର ମୁକ୍ତି ପାଇଁ ଆସିବେ।
2010 by World Bible Translation Center