Revised Common Lectionary (Complementary)
ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ପରିବାରର ଅଲମୋତ ସ୍ୱରର ଗୋଟିଏ ଗୀତ।
46 ପରମେଶ୍ୱର ଆମ୍ଭମାନଙ୍କର ଆଶ୍ରୟ ଓ ବଳ।
ଆମ୍ଭେ ବିପଦ ସମୟରେ ତାଙ୍କର ସାହାଯ୍ୟ ପାଇପାରୁ।
2 ତେଣୁ ଯେତେବେଳେ ଭୂମି କମ୍ପିତ ହୁଏ,
ଏବଂ ପର୍ବତ ସମୁଦ୍ରରେ ପଡ଼େ ଆମ୍ଭେ ଭୟଭୀତ ହେବା ନାହିଁ।
3 ଯେତେବେଳେ ସମୁଦ୍ର ଅଶାନ୍ତ ଓ ଅନ୍ଧକାର ହୋଇଯାଏ
ଏବଂ ପର୍ବତଗୁଡ଼ିକ ଥରିଉଠେ, ତଥାପି ଆମ୍ଭେ ଭୟଭୀତ ହେବା ନାହିଁ। ସେଲା
4 ଏପରି ଏକ ନଦୀ ଅଛି ଯାହାର ପବିତ୍ର ଜଳଧାରା
ସର୍ବୋପରିସ୍ଥ ପରମେଶ୍ୱରଙ୍କ ନଗରୀକୁ ଆନନ୍ଦିତ କରୁଛି।
5 ପରମେଶ୍ୱର ସେହି ନଗରୀରେ ବାସ କରନ୍ତି।
ଏହା କେବେ ବି ଧ୍ୱଂସ ପାଇବ ନାହିଁ।
ପରମେଶ୍ୱର ଏପରିକି ସୂର୍ଯ୍ୟୋଦୟ ପୂର୍ବରୁ ସାହାଯ୍ୟ କରିବାକୁ ଉପସ୍ଥିତ ଥା’ନ୍ତି।
6 ସଦାପ୍ରଭୁଙ୍କ ଚିତ୍କାର ଶୁଣି ରାଜ୍ୟମାନେ ଭୟରେ କମ୍ପି ଉଠନ୍ତି।
ସେହି ରାଜ୍ୟସବୁ ଭାଙ୍ଗି ପଡ଼ିବ ଏବଂ ପୃଥିବୀରେ ଭୂମିକମ୍ପ ହେବ।
7 ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭ ସହିତ ଅଛନ୍ତି।
ଯାକୁବର ପରମେଶ୍ୱର ଆମ୍ଭ ସମସ୍ତଙ୍କର ନିରାପଦର ସ୍ଥାନ ଅଟନ୍ତି। ସେଲା
8 ସଦାପ୍ରଭୁ ସୃଷ୍ଟି କରିଥିବା ସେହି ଆଶ୍ଚର୍ଯ୍ୟଜନକ ବସ୍ତୁକୁ ଦେଖ।
ଏ ପୃଥିବୀର ବସ୍ତୁକୁ ସେ କିପରି ଧ୍ୱଂସ କରି ପାରନ୍ତି।
9 ସଦାପ୍ରଭୁ ଏ ପୃଥିବୀର ଯେକୌଣସି ସ୍ଥାନରେ ଗ୍ଭହିଁଲେ ଯୁଦ୍ଧ ବନ୍ଦ କରି ପାରିବେ।
ଯଦି ସେ ଗ୍ଭହେଁ ସୈନିକର ଧନୁକୁ ଭାଙ୍ଗି ପାରିବେ, ସେ ବର୍ଚ୍ଛାକୁ ଖଣ୍ଡ ଖଣ୍ଡ କରି ପାରିବେ, ସେ ଢାଲକୁ ପୋଡ଼ି ଦେଇ ପାରିବେ।
10 ପରମେଶ୍ୱର କହନ୍ତି, “ଯୁଦ୍ଧ ବନ୍ଦ କର, ମନେରଖ ମୁଁ ହେଉଛି ପରମେଶ୍ୱର।
ମୁଁ ରାଜ୍ୟମାନଙ୍କୁ ପରାସ୍ତ କରିଛି।
ପୃଥିବୀକୁ ମୁଁ ନିୟନ୍ତ୍ରଣ କରେ।”
11 ସେହି ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭ ସହିତ ଅଛନ୍ତି।
ଯାକୁବର ପରମେଶ୍ୱର ଆମ୍ଭ ସମସ୍ତଙ୍କ ନିରାପଦ ଆଶ୍ରୟ ସ୍ଥଳ। ସେଲା
ପରମେଶ୍ୱର ଅନ୍ୟରାଷ୍ଟ୍ରକୁ ଦଣ୍ତ ଦେବେ
11 ହେ ଲିବାନୋନ୍, ତୁମ୍ଭେ ତୁମ୍ଭର ସମସ୍ତ ଦ୍ୱାର ଖୋଲିଦିଅ
ଯେପରି ଅଗ୍ନି ତୁମ୍ଭର ସମସ୍ତ ଦେବଦାରୁ ବୃକ୍ଷଗୁଡ଼ିକୁ ପୋଡ଼ି ପକାଇବେ।
2 ତୁମ୍ଭେ ଦେବଦାରୁ ଜାତୀୟ ବୃକ୍ଷ ଶୋକ କର କାରଣ ଦେବଦାରୁ ପଡ଼ିଯାଇଛି।
ଶକ୍ତିଶାଳୀମାନେ ଧ୍ୱଂସ ହୋଇଛନ୍ତି।
ଶୋକ କର, ହେ ବାଶନର ଅଲୋନବୃକ୍ଷ
ସେହି ଦୁର୍ଗମ ବନ କଟାଗଲା।
3 ମେଷପାଳକମାନଙ୍କର ବିଳାପ ଶୁଣ।
କାରଣ ସେମାନଙ୍କର ଶକ୍ତିଶାଳୀ ନେତାମାନେ ଧ୍ୱଂସ ହେଲେ।
ଯୁବା ସିଂହମାନଙ୍କର ରବ ଶୁଣ।
କାରଣ ଯିହୁଦାର ଗର୍ବ ଧ୍ୱଂସ ହୋଇଛି।
4 ସଦାପ୍ରଭୁ ମୋର ପରମେଶ୍ୱର କହନ୍ତି, “ଏହି ବଧ ହେବାକୁ ଥିବା ମେଷପଲର ଯତ୍ନ ନିଅ। 5 ଯେଉଁମାନେ ସେଗୁଡ଼ିକୁ କିଣନ୍ତି ସେମାନେ ସେଗୁଡ଼ିକୁ ହତ୍ୟା କଲେ, ଆଉ ସେମାନେ ଦୋଷୀ ସାବ୍ୟସ୍ତ ହେବେ ନାହିଁ। ଯେଉଁମାନେ ସେଗୁଡ଼ିକୁ ବିକ୍ରୀ କରନ୍ତି, କହିବେ, ‘ସଦାପ୍ରଭୁଙ୍କର ପ୍ରଶଂସା କର, କାରଣ ମୁଁ ଧନୀ ହୋଇଅଛି।’ ଏବଂ ସେମାନଙ୍କର ମେଷପାଳକମାନଙ୍କର ସେମାନଙ୍କର ମେଷ ଦଳର ଉପରେ ଦୟା ନ ଥିବ।” 6 ସଦାପ୍ରଭୁ ଏହିକଥା କହିଲେ, “ଏହି ଦେଶ ନିବାସୀ ପାଇଁ ଆମ୍ଭେ ପୂନର୍ବାର ଦୟା ଦେଖାଇବା ନାହିଁ। ମାତ୍ର ଦେଖ, ଆମ୍ଭେ ପ୍ରତ୍ୟେକ ଲୋକଙ୍କୁ ତାଙ୍କର ପ୍ରତିବାସୀ ଓ ତାଙ୍କ ରାଜାଙ୍କ ହସ୍ତରେ ହସ୍ତାନ୍ତର କରିବା। ସେମାନେ ତାଙ୍କର ଦେଶକୁ ଧ୍ୱଂସ କରିବେ। ଆମ୍ଭେ ସେମାନଙ୍କୁ ସେମାନଙ୍କ ଶକ୍ତିରୁ ରକ୍ଷା କରିବା ନାହିଁ।”
7 ତେଣୁ ବଧର ଯୋଗ୍ୟ ସେହି ମେଷପଲର ଆମ୍ଭେ ଯତ୍ନ ନେଲୁ, ଯେଉଁ ନିରୀହ ମେଷ ମରା ହେବାକୁ ଯାଉଥିଲେ, ଆମ୍ଭେ ଦୁଇଟି ଯଷ୍ଟି ନେଲୁ। ଜଣକୁ ଡାକିଲୁ ଶୋଭା ଓ ଅନ୍ୟଟିର ନାମ ବନ୍ଧନୀ ଦେଲୁ। ଏହିପରି ଆମ୍ଭେ ମେଷପଲର ଯତ୍ନ ନେଲୁ। 8 ଆମ୍ଭେ ଏକ ମାସ ମଧ୍ୟରେ ତିନି ଜଣ ମେଷପାଳକଙ୍କୁ ଧ୍ୱଂସ କଲୁ। ଆମ୍ଭେ ସେମାନଙ୍କ ଉପରେ ଅଧୈର୍ଯ୍ୟ ଥିଲୁ ଏବଂ ସେମାନେ ଆମ୍ଭକୁ ଘୃଣା କଲେ। 9 ତା'ପରେ ଆମ୍ଭେ କହିଲୁ, “ଆମ୍ଭେ ତୁମ୍ଭର ମେଷପାଳକ ହେବା ନାହିଁ। ଯେଉଁମାନଙ୍କର ମରିବାର ଅଛି ସେମାନେ ମରନ୍ତୁ ଓ ଯେଉଁମାନଙ୍କର ଉଚ୍ଛିନ୍ନ ହେବାର ଅଛି ସେମାନେ ଉଚ୍ଛିନ୍ନ ହୁଅନ୍ତୁ। ଯେଉଁ ଅବଶିଷ୍ଟ ରହିବେ ସେମାନେ ପରସ୍ପରକୁ ଧ୍ୱସ୍ତ ବିଧ୍ୱସ୍ତ କରନ୍ତୁ।” 10 ତା'ପରେ ଆମ୍ଭେ ଶୋଭା ନାମକ ଯଷ୍ଟିକୁ ନେଲୁ ଏବଂ ତାକୁ ଭାଙ୍ଗି ଦେଲୁ। ଆମ୍ଭେ ଏହା କଲୁ, ଆମ୍ଭର ଚୁକ୍ତିକୁ ଧ୍ୱଂସ କରିବା ପାଇଁ ଯାହା ଏହି ଲୋକମାନଙ୍କ ସହିତ କରିଥିଲୁ। 11 ସେହି ଦିନ ସେହି ଚୁକ୍ତି ଭଗ୍ନ ହେଲା। ତା'ପରେ ସେହି ନିରୀହ ମେଷଗୁଡ଼ିକ ଯେଉଁମାନେ ଆମ୍ଭଙ୍କୁ ଦେଖୁଥିଲେ, ଜାଣିଲେ ଯେ ଏହା ସଦାପ୍ରଭୁଙ୍କର ବାକ୍ୟ ଥିଲା।
12 ତା'ପରେ ମୁଁ କହିଲି, “ଯଦି ତୁମ୍ଭେମାନେ ମୋତେ ମୋର ବେତନ ଦେବାକୁ ଇଚ୍ଛା କରୁଛ ତେବେ ଦିଅ, ନଚେତ୍ ସେଥିରୁ ନିବୃତ୍ତ ହୁଅ।” ତେଣୁ ସେମାନେ ମୋର ମଜୁରୀ ତିରିଶ୍ ରୌପ୍ୟ ମୁଦ୍ରା ଦେଲେ। 13 ତା'ପରେ ସଦାପ୍ରଭୁ ମୋତେ କହିଲେ, “ସେହି ମହତ ମୂଲ୍ୟକୁ ଫୋପାଡ଼ି ଦିଅ, କାରଣ ସେମାନେ ଆମ୍ଭର ମୂଲ୍ୟ ରାଜକୋଷ ମଧ୍ୟରୁ ନିରୂପଣ କଲେ।” ତେଣୁ ମୁଁ ସେହି ତିରିଶ୍ଟି ରୌପ୍ୟ ମୁଦ୍ରା ନେଇ ସଦାପ୍ରଭୁଙ୍କ ମନ୍ଦିରର କୋଷାଗାରରେ ପକାଇ ଦେଲି। 14 ତା'ପରେ ମୁଁ ବନ୍ଧନୀ ନାମକ ଯଷ୍ଟିକୁ ଦୁଇଖଣ୍ତ କଲି। ଏହା କଲି, ଯିହୁଦା ଓ ଇସ୍ରାଏଲର ଏକତା ନଷ୍ଟ କରିବା ପାଇଁ।
15 ତା'ପରେ ସଦାପ୍ରଭୁ ମୋତେ କହିଲେ, “ପୁନର୍ବାର ସେହି ନିର୍ବୋଧ ମେଷପାଳକର ସାଜ ଦିଅ। 16 କାରଣ ଏହି ଦେଶରେ ଆମ୍ଭେ ଏକ ମେଷପାଳକ ଉତ୍ଥାପିତ କରୁଛୁ। ସେ ହଜିଯାଇଥିବା ମେଷଗୁଡ଼ିକ ନିମନ୍ତେ ଯତ୍ନ ନେବ ନାହିଁ। ବିପଥଗାମୀମାନଙ୍କୁ ସେ ଖୋଜିବ ନାହିଁ। ସେ କ୍ଷତିଗ୍ରସ୍ତ ଲୋକଙ୍କୁ ସୁସ୍ଥ କରିବ ନାହିଁ। ଯେଉଁମାନେ ଜୀବନ୍ତ ଅଛନ୍ତି, ସେମାନଙ୍କୁ ସେ ଖୁଆଇବ ନାହିଁ। ସେ ସେଗୁଡ଼ିକର ଖୁରାକୁ ଛିଣ୍ତାଇ ହୃଷ୍ଟପୁଷ୍ଟ ମେଷମାନଙ୍କୁ ଭକ୍ଷ୍ୟଣ କରିବ।”
17 ଯେ ଅଯୋଗ୍ୟ ମେଷପାଳକ,
ସେ ପଲକୁ ତ୍ୟାଗ କରେ।
ତାକୁ ଧିକ୍!
ଖଡ଼୍ଗ ତା'ର ବାହୁକୁ ଏବଂ ତାଙ୍କ ଦକ୍ଷିଣ ଚକ୍ଷୁକୁ ଆଘାତ କରୁ।
ତାହାର ବାହୁ ନିଶ୍ଚୟ ଶୁଷ୍କ ହେବ
ଏବଂ ତାହାର ଦକ୍ଷିଣ ଚକ୍ଷୁ ନିଶ୍ଚୟ ଅନ୍ଧ ହୋଇଯିବ।
ଯୀଶୁଙ୍କ ଜୀବନ୍ତ ଭରସା
3 ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା ଓ ପରମେଶ୍ୱର ଧନ୍ୟ ହେଉନ୍ତୁ। ପରମେଶ୍ୱରଙ୍କ କରୁଣା ଅପାର, ଓ ଏହି କରୁଣା (କୃପା) ଦ୍ୱାରା ସେ ଆମ୍ଭକୁ ଗୋଟିଏ ନୂତନ ଜୀବନ ଦେଇଛନ୍ତି। ଯୀଶୁ ଖ୍ରୀଷ୍ଟ ମୃତ୍ୟୁରୁ ପୁନର୍ଜୀବିତ ହେବା ଦ୍ୱାରା ଏହି ନୂତନ ଜୀବନ ଆମ୍ଭକୁ ଗୋଟିଏ ଜୀବନ୍ତ ଭରସା ଦେଇଛି। 4 ପରମେଶ୍ୱର ଆପଣା ସନ୍ତାନମାନଙ୍କ ପାଇଁ ରଖିଥିବା ଆଶୀର୍ବାଦ ଆମ୍ଭେ ଏବେ ପାଇବାକୁ ଭରସା କରୁ। ସେହି ଆଶୀର୍ବାଦଗୁଡ଼ିକ ସ୍ୱର୍ଗରେ ତୁମ୍ଭ ପାଇଁ ସୁରକ୍ଷିତ। ସେହି ଆଶୀର୍ବାଦଗୁଡ଼ିକ କଦାପି ନଷ୍ଟ ହେବ ନାହିଁ, ବା ଧ୍ୱଂସ ପାଇବ ନାହିଁ କିଅବା ସେଗୁଡ଼ିକ ସେମାନଙ୍କର ସୌନ୍ଦର୍ଯ୍ୟ ହରାଇବେ ନାହିଁ।
5 ତୁମ୍ଭର ପରିତ୍ରାଣର ସମୟ ନ ଆସିବା ପର୍ଯ୍ୟନ୍ତ ତୁମ୍ଭ ବିଶ୍ୱାସ ମାଧ୍ୟମରେ ପରମେଶ୍ୱରଙ୍କ ଶକ୍ତି ତୁମ୍ଭକୁ ରକ୍ଷା କରିବ। ସେହି ପରିତ୍ରାଣ ତୁମ୍ଭ ପାଇଁ ପ୍ରସ୍ତୁତ ହୋଇ ରହିଛି ଏବଂ ଯୁଗର ଶେଷରେ ତୁମ୍ଭେ ଏହା ପାଇବ। 6 ତେଣୁ ତୁମ୍ଭେ ଆନନ୍ଦିତ ହୁଅ। କିନ୍ତୁ ଏବେ ଅଳ୍ପ ସମୟ ପାଇଁ ଅନେକ ପ୍ରକାରର ସମସ୍ୟା ତୁମ୍ଭକୁ ଦୁଃଖୀ କରୁଥାଇପାରେ। 7 ଏହି ସମସ୍ୟାଗୁଡ଼ିକ କାହିଁକି ହୁଏ? କେବଳ ତୁମ୍ଭର ବିଶ୍ୱାସର ସତ୍ୟତା ପ୍ରମାଣିତ କରିବା ଲାଗି ଏପରି ଘଟେ। ଏହି ବିଶ୍ୱାସର ପ୍ରମାଣ ସୁନାଠାରୁ ଅଧିକ ମୂଲ୍ୟବାନ। ସୁନାର ବିଶୁଦ୍ଧତା ଅଗ୍ନି ଦ୍ୱାରା ପରୀକ୍ଷିତ ହୁଏ, କିନ୍ତୁ ତାହା ନଷ୍ଟଶୀଳ। ଯୀଶୁ ପୁନଃ ଆସିବା ବେଳେ, ତୁମ୍ଭ ବିଶ୍ୱାସର ପବିତ୍ରତା ହେତୁ ତୁମ୍ଭେ ପ୍ରଶଂସା, ମହିମା ଓ ସମ୍ମାନ ପାଇବ।
8 ତୁମ୍ଭେ ଯୀଶୁ ଖ୍ରୀଷ୍ଟଙ୍କୁ ନ ଦେଖି ମଧ୍ୟ ପ୍ରେମ କରୁଛ। ଏବେ ତୁମ୍ଭେ ତାହାଙ୍କୁ ନ ଦେଖି ମଧ୍ୟ ବିଶ୍ୱାସ କରୁଛ। ତୁମ୍ଭେ ଅତୁଳନୀୟ ଆନନ୍ଦ ପାଉଛ। ସେହି ଆନନ୍ଦ ମହିମାରେ ପରିପୂର୍ଣ୍ଣ। 9 ତୁମ୍ଭ ବିଶ୍ୱାସର ଗୋଟିଏ ଲକ୍ଷ୍ୟ ଅଛି। ତାହା ହେଲା ଆତ୍ମାର ଉଦ୍ଧାର। ତୁମ୍ଭେ ସେହି ଲକ୍ଷ୍ୟ ଅର୍ଥାତ୍ ଉଦ୍ଧାର ପାଉଛ।
2010 by World Bible Translation Center