Revised Common Lectionary (Complementary)
ଦାଉଦଙ୍କର ଗୀତ
138 ହେ ପରମେଶ୍ୱର, ମୁଁ ମୋର ହୃଦୟ ସହିତ ତୁମ୍ଭର ପ୍ରଶଂସା ଗାନ କରିବି।
ସମସ୍ତ ଦେବତାଗଣଙ୍କ ସମ୍ମୁଖରେ ମୁଁ ତୁମ୍ଭ ପାଇଁ ପ୍ରଶଂସାର ଗୀତ ଗାନ କରିବି।
2 ହେ ପରମେଶ୍ୱର, ମୁଁ ତୁମ୍ଭର ପବିତ୍ର ମନ୍ଦିର ପ୍ରତି ପ୍ରଣାମ ଦଣ୍ଡବତ କରିବି।
ମୁଁ ତୁମ୍ଭର ନାମ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଏବଂ ତୁମ୍ଭର ସତ୍ୟତାକୁ ପ୍ରଶଂସା କରିବି।
ତୁମ୍ଭେ ପ୍ରସିଦ୍ଧ ଅଟ
ଏବଂ ଯାହା ତୁମ୍ଭେ କରିବା ପାଇଁ ପ୍ରତିଜ୍ଞା କର ତାହା ଏପରିକି ମଧ୍ୟ ତୁମ୍ଭକୁ ଅଧିକ ପ୍ରସିଦ୍ଧ କରିବ।
3 ହେ ପରମେଶ୍ୱର, ମୁଁ ତୁମ୍ଭକୁ ସାହାଯ୍ୟ ପାଇଁ ଡାକିଲି।
ତୁମ୍ଭେ ମୋତେ ଉତ୍ତର ଦେଲ! ତୁମ୍ଭେ ମୋତେ ସାହସୀ ଏବଂ ଶକ୍ତ କଲ।
4 ସଦାପ୍ରଭୁ, ପୃଥିବୀର ସମସ୍ତ ରାଜା ତୁମ୍ଭକୁ ପ୍ରଶଂସା କରିବେ,
ଯେତେବେଳେ ସେମାନେ ତୁମ୍ଭର ପ୍ରତିଜ୍ଞାଗୁଡ଼ିକୁ ଶୁଣିବେ।
5 ସେମାନେ ସଦାପ୍ରଭୁଙ୍କର ପଥ ବିଷୟରେ ଗାନ କରିବେ,
କାରଣ ସଦାପ୍ରଭୁଙ୍କର ମହିମା ହେଉଛି ମହାନ।
6 ସଦାପ୍ରଭୁ ସମସ୍ତଙ୍କ ଉପରେ ମୁଖ୍ୟ ଅଟନ୍ତି।
କିନ୍ତୁ ଏପର୍ଯ୍ୟନ୍ତ ନମ୍ର ଲୋକମାନଙ୍କର ଯତ୍ନ ନିଅନ୍ତି।
କିନ୍ତୁ ଏପରିକି ବହୁ ଦୂରରୁ, ସେ ଜାଣନ୍ତି
ଗର୍ବୀ ଲୋକମାନେ କ’ଣ କରୁଛନ୍ତି।
7 ହେ ସଦାପ୍ରଭୁ, ଯଦି ମୁଁ ସଙ୍କଟ ମଧ୍ୟରେ ପଡ଼େ ମୋତେ ଜୀବିତ ରଖ।
ଯଦି ମୋର ଶତ୍ରୁଗଣ କେବେ ମୋ’ ଉପରେ କ୍ରୋଧ କରନ୍ତି, ତୁମ୍ଭେ ସେମାନଙ୍କଠାରୁ ମୋତେ ବଞ୍ଚାଅ।
8 ସଦାପ୍ରଭୁ, ତୁମ୍ଭେ ପ୍ରତିଜ୍ଞା କରିଥିବା ଜିନିଷ ମୋତେ ଦିଅ।
ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କୁ ସୃଷ୍ଟି କଲ।
ତେଣୁ ଆମ୍ଭକୁ ପରିତ୍ୟାଗ କର ନାହିଁ।
7 ରାଜା ଅକ୍ଷଶ୍ୱେରଶ ଦ୍ୱାଦଶ ବର୍ଷର ପ୍ରଥମ ମାସଟି, ଯାହାକି “ନୀଷନ୍” ବୋଲି ପରିଚିତ, ସେମାନେ ଆଖିବୁଜି ଦ୍ୱାଦଶ ମାସକୁ ମନୋନୀତ କଲେ, ଏହା ଅଦର ଯିହୁଦୀମାନଙ୍କୁ ଧ୍ୱଂସ କରିବା ବୋଲି ଜଣାଯାଏ। 8 ଏହା ପରେ ହାମନ୍ ଅକ୍ଷଶ୍ୱେରଶ ରାଜାକୁ କହିଲା, “ଆପଣଙ୍କ ରାଜ୍ୟର ସମସ୍ତ ପ୍ରଦେଶସ୍ଥ ଲୋକଙ୍କ ମଧ୍ୟରେ ଛିନ୍ନଭିନ୍ନ ଓ ପୃଥକ କୃତ ଏକ ଦେଶୀୟ ଲୋକ ଅଛନ୍ତି। ଅନ୍ୟ ସକଳ ଲୋକଙ୍କର ବ୍ୟବସ୍ଥାଠାରୁ ସେମାନଙ୍କ ବ୍ୟବସ୍ଥା ଭିନ୍ନ ସେମାନେ ମଧ୍ୟ ମହାରାଜାଙ୍କ ବ୍ୟବସ୍ଥା ମାନନ୍ତି ନାହିଁ। ଏଣୁ ସେମାନଙ୍କ ବ୍ୟବହାର ସହ୍ୟ କରିବା ମହାରାଜାଙ୍କର ଉଚିତ୍ ନୁହେଁ।
9 “ମହାରାଜ ସନ୍ତୁଷ୍ଟ ହେଲେ ସେମାନଙ୍କୁ ବିନାଶ କରିବା ପାଇଁ ପତ୍ର ଲେଖାଯାଉ। ତହିଁରେ ମୁଁ ରାଜକାର୍ଯ୍ୟରେ ନିଯୁକ୍ତ ଲୋକଙ୍କ ହସ୍ତରେ ରାଜଭଣ୍ତାରକୁ ଆଣିବା ପାଇଁ ଦଶହଜାର ତାଳନ୍ତ ରୂପା ଦେବି।”
10 ଏଥିରେ ରାଜା ଆପଣା ହସ୍ତରୁ ଅଙ୍ଗୁରୀୟ କାଢ଼ି ଯିହୁଦୀୟମାନଙ୍କର ବୈରି ଅଗାଗୀୟ ହମ୍ମଦାଥାର ପୁତ୍ର ହାମନ୍କୁ ଦେଲା। 11 ପୁଣି ରାଜା ହାମନ୍କୁ କହିଲା, “ସେହି ରୂପା ଓ ସେହି ଦେଶୀୟ ଲୋକ ତୁମ୍ଭକୁ ଦିଆଗଲା। ସେମାନଙ୍କ ପ୍ରତି ଯାହା ତୁମ୍ଭର ଇଚ୍ଛା, ତାହା କର।”
12 ଏଣୁ ପ୍ରଥମ ମାସର ତ୍ରୟୋଦଶ ଦିନରେ ରାଜାର ଲେଖକମାନେ ଆହୁତ ହୁଅନ୍ତେ, ହାମନ୍ର ସମସ୍ତ ଆଜ୍ଞାନୁସାରେ ପ୍ରତ୍ୟେକ ପ୍ରଦେଶସ୍ଥ ରାଜ ପ୍ରତିନିଧିଗଣ ଓ ଅଧିପତିଗଣ ଓ ପ୍ରତ୍ୟେକ ଦେଶୀୟ ଲୋକଙ୍କ ଭାଷାନୁସାରେ ପତ୍ର ଲିଖିତ ହେଲା। ତାହା ଅକ୍ଷଶ୍ୱେରଶ ରାଜାର ନାମରେ ଲିଖିତ ଓ ରାଜାର ଅଙ୍ଗୁରୀୟରେ ମୁଦ୍ରାଙ୍କିତ ହେଲା।
13 ସମସ୍ତ ଯିହୁଦୀୟ ଆବାଳ, ବୃଦ୍ଧବନିତାଙ୍କୁ ବଧ କରିବା ପାଇଁ, ତଣ୍ଟି କାଟିବା ପାଇଁ, ଧ୍ୱଂସ କରିବା ପାଇଁ ଏବଂ ସେମାନଙ୍କର ଦ୍ରବ୍ୟଗୁଡ଼ିକ ଲୁଣ୍ଠନ କରିବା ପାଇଁ ଲୋକମାନଙ୍କୁ ଅନୁମତି ପ୍ରଦାନ କରି, ରାଜା ସମସ୍ତ ପ୍ରଦେଶକୁ ପତ୍ରବାହକମାନଙ୍କ ଦ୍ୱାରା ପତ୍ର ପଠାଇଲେ। ଏହା ମାତ୍ର ଗୋଟିଏ ଦିନରେ କରାଯିବାର ଥିଲା, ତାହା ଦ୍ୱାଦଶ ମାସର ତ୍ରୟୋଦଶ ଦିନ ଯାହା ଅଦର ମାସ କୁହାଯାଏ।
14 ପୁଣି ସେହି ଦିନ ନିମନ୍ତେ ସମସ୍ତ ଲୋକ ଯେମିତି ପ୍ରସ୍ତୁତ ହୁଅନ୍ତି ଏଥିପାଇଁ ପ୍ରତ୍ୟେକ ପ୍ରଦେଶରେ ଆଜ୍ଞା ପ୍ରଗ୍ଭର କରିବାକୁ ଓ ଯାବତୀୟ ଲୋକଙ୍କୁ ଜଣାଇବାକୁ ସେହି ଲିଖନର ପ୍ରତିଲିପି ଦିଆଗଲା। 15 ଆଉ ଧାବକଗଣ ରାଜାଜ୍ଞା ପାଇ ଶୀଘ୍ର ବାହାରି ଗଲେ, ପୁଣି ସେହି ଆଜ୍ଞା ଶୂଶନ୍ ରାଜଧାନୀରେ ପ୍ରକାଶିତ ହେଲା, ତହୁଁ ରାଜା ଓ ହାମନ୍ ପାନ କରିବାକୁ ବସିଲେ, ମାତ୍ର ଶୂଶନ୍ ନଗର ଉଦ୍ବିଗ୍ନ ହେଲା।
22 “ହେ ଇସ୍ରାଏଲର ଲୋକମାନେ, ଏହିସବୁ କଥା ଶୁଣ: ନାଜରିତୀୟ ଯୀଶୁ ଜଣେ ବିଶିଷ୍ଟ ବ୍ୟକ୍ତି ଥିଲେ। ଯାହାଙ୍କୁ ଈଶ୍ୱର ପଠାଇ ଥିଲେ। ଯୀଶୁ ଯେଉଁସବୁ ଶକ୍ତିଶାଳୀ କାର୍ଯ୍ୟ ଏବଂ ଆଶ୍ଚର୍ଯ୍ୟ ଘଟଣା ସବୁ କରିଥିଲେ, ତାହାଦ୍ୱାରା ପରମେଶ୍ୱର ତୁମ୍ଭମାନଙ୍କ ନିକଟରେ ଏହା ପ୍ରମାଣିତ କରିଛନ୍ତି। 23 ତୁମ୍ଭେମାନେ ସମସ୍ତେ ଏସବୁ ଦେଖିଛ ଓ ଏସବୁ ଯେ ନିରାଟ ସତ୍ୟ ତାହା ଜାଣିଛ। ଏହି ଯୀଶୁଙ୍କୁ ଈଶ୍ୱର ନିଶ୍ଚିତ ଯୋଜନା ଓ ପୂର୍ବ ଜ୍ଞାନ ଅନୁସାରେ ତୁମ୍ଭମାନଙ୍କୁ ସମର୍ପି ଦିଆ ଯାଇଥିଲା। କିନ୍ତୁ ତୁମ୍ଭେମାନେ ଦୁଷ୍ଟମାନଙ୍କ ସାହାଯ୍ୟରେ ତାହାଙ୍କୁ କ୍ରୁଶରେ ଚଢ଼ାଇ କଣ୍ଟା ବାଡ଼େଇ ହତ୍ୟା କରିଦେଲ। 24 କିନ୍ତୁ ଈଶ୍ୱର ଏସବୁ ଘଟିବ ବୋଲି ଆଗରୁ ଜାଣିଥିଲେ। ସେଥିପାଇଁ ସେ ଯୀଶୁଙ୍କୁ ମୃତ୍ୟୁର ବନ୍ଧନରୁ ମୁକ୍ତ କରି ତାହାଙ୍କୁ ପୁଣି ଉଠାଇଅଛନ୍ତି। ମୃତ୍ୟୁ ତାହାଙ୍କୁ ବାନ୍ଧି ରଖିପାରିଲା ନାହିଁ। 25 ଦାଉଦ ତାହାଙ୍କ ବିଷୟରେ କହିଥିଲେ,
‘ମୁଁ ସର୍ବଦା ପ୍ରଭୁଙ୍କୁ ମୋ’ ସମ୍ମୁଖରେ ଦେଖୁଥିଲି।
ସେ ମୋତେ ନିରାପଦରେ ରଖିବା ପାଇଁ ମୋର ଡାହାଣ ପାଖରେ ରହନ୍ତି।
26 ଏହା ଦ୍ୱାରା ମୋର ମନ ପ୍ରଫୁଲ୍ଲିତ ହେଲା
ଓ ମୋ’ ମୁହଁରୁ ଆନନ୍ଦପୂର୍ଣ୍ଣ କଥା ବାହାରିଲା।
27 ମୋ’ ଶରୀର ମଧ୍ୟ ଭରସାରେ ବଞ୍ଚି ରହିବ, ଯେହେତୁ ତୁମ୍ଭେ ମୋର ଆତ୍ମାକୁ ମୃତ୍ୟୁ ସ୍ଥାନରେ ଛାଡ଼ିଦେବ ନାହିଁ।
ତୁମ୍ଭେ ନିଜର ପବିତ୍ର ବ୍ୟକ୍ତିକୁ କବରରେ କ୍ଷୟ ହେବାକୁ ଦେବ ନାହିଁ।
28 ତୁମ୍ଭେ ମୋତେ ଜୀବନର ପଥ ଦେଖାଇ ଅଛ।
ତୁମ୍ଭ ଉପସ୍ଥିତିରେ ମୋତେ ବହୁତ ଆନନ୍ଦ ମିଳିବ।’(A)
29 “ହେ ମୋର ଭାଇମାନେ, ମୁଁ ବିଶ୍ୱାସର ସହିତ ଆମ୍ଭ ପୂର୍ବପୁରୁଷ ଦାଉଦଙ୍କ ବିଷୟରେ ତୁମ୍ଭମାନଙ୍କୁ କହି ପାରିବି। ସେ ମୃତ୍ୟୁବରଣ କରି କବରସ୍ଥ ହୋଇଛନ୍ତି, ଏବଂ ତାହାଙ୍କର ଏହି କବର ଅଦ୍ୟାବଧି ଆମ୍ଭ ନିକଟରେ ଅଛି। 30 ଦାଉଦ ଜଣେ ଭାବବାଦୀ ଥିଲେ। ସେ ଜାଣିଥିଲେ, ପରମେଶ୍ୱର ତାହାଙ୍କ ପାଖରେ ପ୍ରତିଜ୍ଞା କରିଥିଲେ ଯେ, ସେ ତାହାଙ୍କ ବଂଶଧର ମଧ୍ୟରୁ ଜଣଙ୍କୁ ତାହାଙ୍କ ସିଂହାସନରେ ବସାଇବେ। 31 ଏଣୁ ଭବିଷ୍ୟତରେ ଯାହା ଘଟିବ, ତାହା ଦାଉଦ ପୂର୍ବରୁ ଜାଣିପାରି ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ସମ୍ପର୍କରେ କହିଥିଲେ,
‘ତାହାଙ୍କୁ ମୃତ୍ୟୁର ସ୍ଥାନରେ ଛାଡ଼ି ଦିଆ ଯାଇ ନାହିଁ
ଓ ତାହାଙ୍କର ଦେହ କବରରେ ପଚିସଢ଼ି ଯାଇ ନାହିଁ।’
ଦାଉଦ ଏହି ସ୍ଥାନରେ ଯୀଶୁ ଖ୍ରୀଷ୍ଟଙ୍କର ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ସମ୍ବନ୍ଧରେ କହିଥିଲେ। 32 ଏହି ଯୀଶୁଙ୍କୁ ଈଶ୍ୱର ଯେ ମୃତ୍ୟୁରୁ ଉଠାଇଛନ୍ତି, ଆମ୍ଭେମାନେ ସେଥିରେ ନିଜେ ସାକ୍ଷୀ ଅଟୁ। 33 ଯୀଶୁଙ୍କୁ ସ୍ୱର୍ଗକୁ ଉଠାଇ ନିଆ ଯାଇଛି। ସେ ବର୍ତ୍ତମାନ ଈଶ୍ୱରଙ୍କର ଡାହାଣ ପଟେ ଅଛନ୍ତି। ପରମପିତା ଯୀଶୁଙ୍କୁ ପବିତ୍ରଆତ୍ମା ଦେଇଛନ୍ତି। ଈଶ୍ୱର ଏହି ପବିତ୍ରଆତ୍ମା ଦେବା ପାଇଁ ଆଗରୁ ଶପଥ କରିଥିଲେ। ତେଣୁ ଯୀଶୁ ପବିତ୍ରଆତ୍ମାଙ୍କୁ ଢାଳି ଦେଉଛନ୍ତି। ବର୍ତ୍ତମାନ ତୁମ୍ଭେମାନେ ଏହା ଦେଖୁଅଛ ଓ ଶୁଣୁଅଛ। 34 ଦାଉଦ ସ୍ୱର୍ଗ ଆରୋହଣ କରି ନାହାନ୍ତି। କିନ୍ତୁ ଯୀଶୁ ସ୍ୱର୍ଗ ଆରୋହଣ କରିଛନ୍ତି। ଦାଉଦ ନିଜେ ଏହିକଥା କହିଛନ୍ତି:
‘ପ୍ରଭୁ ମୋର ପ୍ରଭୁଙ୍କୁ କହିଲେ:
35 ମୁଁ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭର ପାଦ ତଳକୁ ନ ଆଣିବା ପର୍ଯ୍ୟନ୍ତ
ତୁମ୍ଭେ ମୋର ଡାହାଣ ପଟେ ବସିଥାଅ।’(B)
36 “ତେଣୁ ଇସ୍ରାଏଲର ସମସ୍ତେ ଏହା ଭଲ ଭାବରେ ଜାଣନ୍ତୁ ଯେ, ଏହି ଯେଉଁ ଯୀଶୁଙ୍କୁ ତୁମ୍ଭେମାନେ କ୍ରୁଶରେ ବିଦ୍ଧ କରିଛ, ଈଶ୍ୱର ତାହାଙ୍କୁ ପ୍ରଭୁ ଓ ମଶୀହ ପଦରେ ନିଯୁକ୍ତ କରିଛନ୍ତି।”
2010 by World Bible Translation Center