New Testament in a Year
ଯିହୂଦୀମାନଙ୍କ ଭଳି ହୁଅ ନାହିଁ
10 ଭାଇ ଓ ଭଉଣୀମାନେ! ମୁଁ ଇଚ୍ଛା କରେ ଯେ, ଆମ୍ଭର ପିତୃପୁରୁଷମାନଙ୍କ ପ୍ରତି (ଯେଉଁମାନେ ମୋଶାଙ୍କୁ ଅନୁସରଣ କରିଥିଲେ) କ’ଣ ହେଲା ତାହା ତୁମ୍ଭେମାନେ ଜାଣି ରଖ। ପରମେଶ୍ୱର ସେମାନଙ୍କୁ ମେଘ ସ୍ତମ୍ଭ ଦ୍ୱାରା ସୁଫ ସାଗରକୁ ପାର କରାଇଥିଲେ। 2 ସେମାନେ ମେଘ ଓ ସମୁଦ୍ରରେ ମୋଶାଙ୍କ ଅନୁଗାମୀ ଭାବେ ଡୁବିତ ହୋଇଥିଲେ। 3 ସେମାନେ ଏକମାତ୍ର ଆଧ୍ୟାତ୍ମିକ ଶୈଳ ସଦୃଶ ଖ୍ରୀଷ୍ଟଙ୍କଠାରୁ ସମାନ ଆତ୍ମିକ ଭୋଜନ କରିଥିଲେ। 4 ଓ ସମସ୍ତେ ସମାନ ଆତ୍ମିକ ପାନୀୟରୁ ପାନ କରିଥିଲେ। ସେମାନେ ସେହି ଆତ୍ମିକ ପଥରରୁ ବାହାରିବା ପାଣି ପିଇଥିଲେ। ସେହି ପଥର ଖ୍ରୀଷ୍ଟ ଥିଲେ। 5 କିନ୍ତୁ ସେମାନଙ୍କ ଭିତରୁ ଅଧିକଙ୍କ ଉପରେ ପରମେଶ୍ୱର ପ୍ରସନ୍ନ ନ ଥିଲେ। ସେଥିପାଇଁ ସେମାନେ ମରୁ ପ୍ରାନ୍ତରରେ ମରିଗଲେ।
6 ଏହି ଘଟଣାଗୁଡ଼ିକ ଆମ୍ଭ ପାଇଁ ଦୃଷ୍ଟାନ୍ତ ସ୍ୱରୂପ ଅଛି, ଅତଏବ ଆମ୍ଭେ ସେମାନଙ୍କ ଭଳି ମନ୍ଦ କାର୍ଯ୍ୟ କରିବା ପାଇଁ ଇଚ୍ଛା କରିବା ନାହିଁ। 7 ସେମାନଙ୍କ ଭିତରେ କେତେକଙ୍କ ଭଳି ମୂର୍ତ୍ତିପୂଜା କର ନାହିଁ। ଶାସ୍ତ୍ର କୁହେ: “ଲୋକେ ଖାଇବା ଓ ପିଇବା ପାଇଁ ବସିଲେ ଓ ନାଚିବା ପାଇଁ ଉଠିଲେ।” [a] 8 ସେମାନଙ୍କ ଭିତରୁ ଯେପରି କେତେକ ଯୌନଗତ ପାପ କଲେ, ଆମ୍ଭେ ସେଭଳି କେବେ କରିବା ନାହିଁ। ସେମାନେ ପାପ କରିଥିବା ହେତୁରୁ ସେମାନଙ୍କ ଭିତରୁ 23,000 ଲୋକ ଗୋଟିଏ ଦିନରେ ମରିଗଲେ। 9 ସେମାନଙ୍କ ଭଳି ଆମ୍ଭେ ଖ୍ରୀଷ୍ଟଙ୍କୁ ପରୀକ୍ଷା କରିବା ଉଚିତ୍ ନୁହେଁ। ପ୍ରଭୁଙ୍କୁ କରିଥିବାରୁ ସେମାନେ ସାପ କାମୁଡ଼ାରେ ମଲେ। 10 ସେମାନଙ୍କ ଭିତରୁ କେତେକଙ୍କ ଭଳି ଆପତ୍ତି ଅଭିଯୋଗ କରିବା ଉଚିତ୍ ନୁହେଁ। ଏହି ଅଭିଯୋଗକାରୀମାନେ ବିନାଶକାରୀ (ସ୍ୱର୍ଗଦୂତ)ଙ୍କ ହାତରେ ମଲେ।
11 ସେମାନଙ୍କ ପ୍ରତି ଯାହା ଘଟିଲା, ତାହା ଆମପାଇଁ ଉଦାହରଣସ୍ୱରୂପ। ସମସ୍ତ ପ୍ରାଚୀନ ଇତିହାସରେ ଅନ୍ତିମ ସମୟରେ, ଆମ୍ଭେ ଜୀବନଧାରଣ କରୁଛୁ। ଏହା ଆମ୍ଭମାନଙ୍କୁ ଚେତନା ଦେବା ଉଦ୍ଦେଶ୍ୟରେ ଲେଖା ଯାଇଛି। 12 ଅତଏବ, ଯେଉଁ ଲୋକ ଭାବୁଛି ଯେ, ସେ ଦୃଢ଼ ଭାବରେ ଠିଆ ହୋଇଛି, ଯେପରି ସେ ଖସି ନ ପଡ଼େ ଏଥିପାଇଁ ସତର୍କ ରହୁ। 13 କେବଳ ତୁମ୍ଭମାନଙ୍କ ପ୍ରତି ଯେସବୁ ପରୀକ୍ଷା ଆସୁଅଛି, ପ୍ରତ୍ୟେକଙ୍କ ନିମନ୍ତେ ମଧ୍ୟ ଏପରି ପରୀକ୍ଷା ଆସିଥାଏ। କିନ୍ତୁ ତୁମ୍ଭେମାନେ ପରମେଶ୍ୱରଙ୍କଠାରେ ବିଶ୍ୱାସ କରିପାର। ସେ କେବେ ହେଲେ ତୁମ୍ଭମାନଙ୍କୁ ଅସହ୍ୟ ପରୀକ୍ଷାରେ ପଡ଼ିବାକୁ ଦେବେ ନାହିଁ। କିନ୍ତୁ ଯେତେବେଳେ ତୁମ୍ଭେମାନେ ପ୍ରଲୋଭନର (ପରୀକ୍ଷାର) ସମ୍ମୁଖୀନ ହେବ, ସେତେବେଳେ ପରମେଶ୍ୱର ତୁମ୍ଭମାନଙ୍କୁ ରକ୍ଷା ପାଇବାର ବାଟ ମଧ୍ୟ ଦେଖାଇ ଦେବେ।
14 ତା’ହେଲେ ତୁମ୍ଭେମାନେ ସମସ୍ତ କିଛି ସହି ପାରିବ। ମୋର ପ୍ରିୟ ବନ୍ଧୁଗଣ! ଶେଷରେ ମୁଁ କହୁଛି ଯେ, ମୂର୍ତ୍ତି ପୂଜାରୁ ଦୂରରେ ରୁହ। 15 ତୁମ୍ଭେମାନେ ବୁଦ୍ଧିମାନ, ତେଣୁ ମୁଁ ଏହା କହୁଛି। ମୁଁ ଯାହା କହୁଛି, ତୁମ୍ଭେମାନେ ନିଜେ ପରୀକ୍ଷା କରି ଦେଖ। 16 ଯେଉଁ ଆଶୀର୍ବାଦର ପିଆଲା ପାଇଁ ଆମ୍ଭେ ଧନ୍ୟବାଦ ଅର୍ପଣ କରୁ, ତହିଁରେ ଆମ୍ଭେ ଖ୍ରୀଷ୍ଟଙ୍କ ରକ୍ତର ସହଭାଗୀ ହେଉ ନାହୁଁ କି? ଯେଉଁ ରୋଟୀ ଆମ୍ଭେ ଭାଙ୍ଗୁ ତାହା ଖ୍ରୀଷ୍ଟଙ୍କ ଶରୀରରେ ଅଂଶ ନୁହେଁ କି? 17 କେବଳ ଗୋଟିଏ ରୋଟୀ ମାତ୍ର ଆମ୍ଭେମାନେ ଅନେକ ଲୋକ। କିନ୍ତୁ ଆମ୍ଭେ ସମସ୍ତେ ସେହି ଗୋଟିଏ ରୋଟୀକୁ ଭାଗ ଭାଗ କରି ଖାଉ। ସେଥିପାଇଁ ଆମ୍ଭେ ପ୍ରକୃତରେ ଗୋଟିଏ ଶରୀର।
18 ଇସ୍ରାଏଲ ଲୋକମାନଙ୍କ କଥା ଭାବ। ସେମାନେ ବଳି ପ୍ରାପ୍ତ ପଶୁ ମାଂସ ଭୋଜନ କରି କ’ଣ ବେଦୀର ଅଂଶୀଦାର ନୁହନ୍ତି?
2010 by World Bible Translation Center