Print Page Options
Previous Prev Day Next DayNext

New Testament in a Year

Read the New Testament from start to finish, from Matthew to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 7:20-40

20 ପରମେଶ୍ୱର ଆହ୍ୱାନ କଲାବେଳେ ଯେ ଯେଉଁ ଅବସ୍ଥାରେ ଥିଲ, ସେ ସେଭଳି ଥାଉ। 21 ଯଦି ପରମେଶ୍ୱର ତୁମ୍ଭମାନଙ୍କୁ କ୍ରୀତଦାସ ଥିବା ଅବସ୍ଥାରେ ଡାକିଛନ୍ତି, ସେଥିପାଇଁ ଦୁଃଖ କର ନାହିଁ। କିନ୍ତୁ ଯଦି ତୁମ୍ଭେମାନେ ସ୍ୱାଧୀନ ହୋଇପାର, ତାହାହେଲେ ସେହି ସୁଯୋଗର ବ୍ୟବହାର କର। 22 କାରଣ ଯେଉଁ ଲୋକକୁ ପ୍ରଭୁ ଆହ୍ୱାନ କଲାବେଳେ କ୍ରୀତଦାସ ଥିଲା, ଏବେ ସେ ପ୍ରଭୁଙ୍କଠାରେ ସ୍ୱାଧୀନ ଲୋକ। ସେହି ପ୍ରକାର ସ୍ୱାଧୀନ ଲୋକ ଥିଲାବେଳେ ପ୍ରଭୁ ଯାହାକୁ ଆହ୍ୱାନ କଲେ, ସେ ଏବେ ପ୍ରଭୁଙ୍କର କ୍ରୀତଦାସ ଅଟେ। 23 ପରମେଶ୍ୱର ମୂଲ୍ୟ ଦେଇ ତୁମ୍ଭମାନଙ୍କୁ କିଣିଛନ୍ତି। ତେଣୁ ମନୁଷ୍ୟମାନଙ୍କ କ୍ରୀତଦାସ ହୁଅ ନାହିଁ। 24 ଅତଏବ ମଣିଷମାନଙ୍କର ଦାସ ହୁଅ ନାହିଁ। ଭାଇ ଓ ଭଉଣୀମାନେ! ଆହ୍ୱାନ ହେଲାବେଳେ ଯେ ଯେଉଁ ଅବସ୍ଥାରେ ଥିଲା, ପରମେଶ୍ୱରଙ୍କ ସହ ନୂତନ ଜୀବନ ଲାଭ କରି, ସେ ସେହିପରି କାର୍ଯ୍ୟ କରୁ।

ବିବାହ କରିବା ବିଷୟକ ପ୍ରଶ୍ନ

25 ଏବେ ମୁଁ ଅବିବାହିତ ଲୋକମାନଙ୍କ ବିଷୟରେ କହୁଛି। ଏ ବିଷୟରେ ପ୍ରଭୁଙ୍କଠାରୁ ମୋତେ କୌଣସି ଆଦେଶ ମିଳି ନାହିଁ। କିନ୍ତୁ ପ୍ରଭୁ ମୋ’ ପ୍ରତି ଦୟା ଦେଖାଇ ଥିବାରୁ ଓ ମୁଁ ବିଶ୍ୱାସଭାଜନ ହୋଇ ଥିବାରୁ, ମୁଁ ମୋର ମତାମତ ଦେଉଛି। 26 ଏହା ସଙ୍କଟର ସମୟ। ଅତଏବ, ମୋ’ ମତରେ ତୁମ୍ଭେ ଯେପରି ଅଛ ସେହିପରି ରହିବା ଉତ୍ତମ। 27 ଯଦି ତୁମ୍ଭେମାନେ ବିବାହିତ, ତେବେ ପତ୍ନୀଠାରୁ ମୁକ୍ତ ହେବାକୁ ଚେଷ୍ଟା କର ନାହିଁ। କିନ୍ତୁ ଯଦି ତୁମ୍ଭମାନଙ୍କର ବିବାହ ହୋଇ ନାହିଁ, ତେବେ ପତ୍ନୀଟିଏ ଖୋଜିବା ପାଇଁ ଚେଷ୍ଟା କର ନାହିଁ। 28 କିନ୍ତୁ ଯଦି ତୁମ୍ଭେମାନେ ବିବାହ କରିବା ପାଇଁ ମନସ୍ଥ କରିଛ, ତେବେ ଏହା ପାପ ନୁହେଁ। ଜଣେ କୁମାରୀ କନ୍ୟା ବିବାହ କଲେ ପାପ କରେ ନାହିଁ। କିନ୍ତୁ ଯେଉଁମାନେ ବିବାହ କରନ୍ତି, ସେମାନେ ଏହି ଜୀବନରେ କଷ୍ଟ ପାଇବେ। ଏହି କଷ୍ଟରୁ ମୁଁ ତୁମ୍ଭମାନଙ୍କୁ ମୁକ୍ତ ରଖିବାକୁ ଇଚ୍ଛା କରେ।

29 ଭାଇ ଓ ଭଉଣୀମାନେ! ମୋର କହିବା କଥା ଯେ, ସମୟ ବହୁତ କମ୍ ଅଛି। ଅତଏବ, ଏହା ପରେ, ଯେଉଁମାନଙ୍କର ପତ୍ନୀ ଅଛନ୍ତି ସେମାନେ ପ୍ରଭୁଙ୍କ ପାଇଁ ସମୟ ଦିଅନ୍ତୁ, ଯେପରି ସେମାନଙ୍କ ପତ୍ନୀ ନାହିଁ। 30 ଯେଉଁମାନେ ଦୁଃଖୀ ସେମାନେ ଦୁଃଖୀ ନ ହେଲା ଭଳି ରୁହନ୍ତୁ। ଯେଉଁମାନେ ସୁଖୀ, ସେମାନେ ଏପରି ରୁହନ୍ତୁ ଯେପରି ସୁଖୀ ନୁହନ୍ତି। ଯେଉଁମାନେ ଜିନିଷ ପତ୍ର କିଣି ପାରନ୍ତି ସେମାନେ ନିଜ ପାଖରେ କିଛି ନ ଥିଲା ଭଳି ରୁହନ୍ତୁ। 31 ଯେଉଁମାନେ ସାଂସାରିକ ଭୋଗ-ବିଳାସର ସାମଗ୍ରୀ ଗୁଡ଼ିକ ବ୍ୟବହାର କରୁଛନ୍ତି, ସେମାନେ ଏପରି ରୁହନ୍ତୁ ଯେପରି ସେ ଗୁଡ଼ିକ ସେମାନଙ୍କ ପାଇଁ ଆଦୌ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଏହିପରି ଭାବରେ ରୁହ, କାରଣ ଜଗତର ବାହ୍ୟିକ ବିଷୟ ସବୁ ଶୀଘ୍ର ଲୋପ ପାଇବ।

32 ତୁମ୍ଭେମାନେ ଯେପରି ଚିନ୍ତା ନ କର ଏହା ମୋର ଇଚ୍ଛା। ଅବିବାହିତ ଲୋକ ପ୍ରଭୁଙ୍କ କାମରେ ଲାଗିଥାଏ ଓ ସେ ପ୍ରଭୁଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରେ। 33 କିନ୍ତୁ ଯେଉଁ ଲୋକ ବିବାହିତ, ସେ ସାଂସାରିକ ବିଷୟରେ ଲିପ୍ତ ରହି ତା’ର ପତ୍ନୀକୁ ସନ୍ତୁଷ୍ଟ କରିବା ପାଇଁ ବ୍ୟସ୍ତ ରହିଥାଏ। ଅତଏବ ସେ ଦୁଇଟି ବିଷୟ ପ୍ରତି ଧ୍ୟାନ ଦିଅ: ପତ୍ନୀକୁ ସନ୍ତୁଷ୍ଟ ଓ ପ୍ରଭୁଙ୍କୁ ସନ୍ତୁଷ୍ଟ କରିବା। ଜଣେ ଅବିବାହିତା ସ୍ତ୍ରୀ ଅର୍ଥାତ୍ କୁମାରୀ କନ୍ୟା ପ୍ରଭୁଙ୍କ ପାଇଁ ସମୟ ଦିଏ। 34 ସେ ତା’ର ଶରୀର ଓ ଆତ୍ମା ଉଭୟକୁ ପ୍ରଭୁଙ୍କଠାରେ ସମର୍ପିତ କରିପାରେ। କିନ୍ତୁ ଜଣେ ବିବାହିତା ସ୍ତ୍ରୀ, ଜାଗତିକତାରେ ମାତି ରହି, ନିଜ ସ୍ୱାମୀକୁ ସନ୍ତୁଷ୍ଟ କରିବାରେ ବ୍ୟସ୍ତ ରୁହେ। 35 ଏହି କଥାଗୁଡ଼ିକ ମୁଁ ତୁମ୍ଭମାନଙ୍କ ଭଲ ପାଇଁ କହୁଛି, ତୁମ୍ଭମାନଙ୍କ ଉପରେ କୌଣସି କଡ଼ା ପ୍ରତିବନ୍ଧକ ଲଗାଇବା ପାଇଁ ନୁହେଁ। ମୁଁ ଇଚ୍ଛା କରେ ଯେ ତୁମ୍ଭେମାନେ ନିଜକୁ କୌଣସି ଅନ୍ୟ କାମରେ ନ ଲଗାଇ, ସମ୍ପୂର୍ଣ୍ଣ ଭାବରେ ପ୍ରଭୁଙ୍କଠାରେ ସମର୍ପଣ କର।

36 ଯଦି କେହି ନିଜର କନ୍ୟା ଗତବୟସ୍କା ହେବାର ଦେଖି ଭାବେ ଯେ, ସେ ନିଜ କୁମାରୀ କନ୍ୟା ପ୍ରତି ଉଚିତ୍ ବ୍ୟବହାର କରୁ ନାହିଁ, ଓ ଭାବେ ଯେ କନ୍ୟାର ବିବାହ ଆବଶ୍ୟକ, ତେବେ ସେ ଯେପରି ଗ୍ଭହେଁ ସେହିପରି କରିପାରେ। ସେମାନଙ୍କର ବିବାହ କରିଦେବା ଉଚିତ୍। ଏହା ପାପ ନୁହେଁ। 37 କିନ୍ତୁ ଆଉ ଜଣେ ଲୋକ ଅଧିକ ଦୃଢ଼ମନା ଥାଇପାରେ ଯେ ବାହା ହେବା ଦରକାର ନାହିଁ। ତାହାହେଲେ ସେ ଯାହା ଗ୍ଭହେଁ ତାହା କରିବା ପାଇଁ ସ୍ୱାଧୀନତା ପାଇଛି। ଯଦି ସେ ଗ୍ଭହେଁ ତାହାର ମନରେ ଯେ ସେ ତାହାର କନ୍ୟାକୁ ବିବାହ ଦେବ ନାହିଁ, ସେ ଉଚିତ୍ କରୁଛିା 38 ଅତଏବ ଯିଏ ନିଜର କୁମାରୀ କନ୍ୟାର ବିବାହ କରାଉଛି, ସେ ଭଲ କରୁଛି ଓ ଯିଏ କୁମାରୀ କନ୍ୟାର ବିବାହ କରାଉ ନାହିଁ, ସେ ଅଧିକ ଭଲ କରୁଛି।

39 ଜଣେ ସ୍ୱାମୀ ଜୀବିତ ଥିବା ପର୍ଯ୍ୟନ୍ତ ସେ ତା’ ସହିତ ରହିବା ପାଇଁ ବାଧ୍ୟ। ସ୍ୱାମୀ ମରିଗଲା ପରେ ସେ ଯେକୌଣସି ଅନ୍ୟ ଲୋକ ସହିତ ବିବାହ କରିବା ପାଇଁ ସ୍ୱାଧୀନ ଅଟେ। କିନ୍ତୁ ସେ ପ୍ରଭୁଙ୍କ ପ୍ରତି ସମ୍ପୂର୍ଣ୍ଣ ବିଶ୍ୱସ୍ତ ହେବା ଉଚିତ୍। 40 ଏକ ସ୍ତ୍ରୀ ଯଦି ପୁନଃ ବିବାହ ନ କରେ, ତା’ହେଲେ ସେ ଅଧିକ ସୁଖୀ ରହିବ। ଏହା ହେଉଛି ମୋର ମତ। ମୁଁ ବିଶ୍ୱାସ କରେ ଯେ ମୋ’ ପାଖରେ ମଧ୍ୟ ପରମେଶ୍ୱରଙ୍କ ଆତ୍ମା ଅଛି।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center