Revised Common Lectionary (Semicontinuous)
18 ତେଣୁ ଆଦ୍ୟରେ ଘଟିଥିବା ବିଷୟକୁ ସ୍ମରଣ କର ନାହିଁ କିମ୍ବା ବହୁବର୍ଷ ପୂର୍ବେ ଘଟିଥିବା ବିଷୟକୁ ବିବେଚନା କର ନାହିଁ। 19 କାରଣ ଆମ୍ଭେ ନୂତନ କାର୍ଯ୍ୟ କରିବୁ। ଏବେ ତୁମ୍ଭେ ଅଙ୍କୁରିତ ହେବ। ତୁମ୍ଭେ ଏହା ସତ୍ୟ ବୋଲି ନିଶ୍ଚିତ ଜାଣିବ। ଆଉ ମଧ୍ୟ ଆମ୍ଭେ ପ୍ରାନ୍ତର ମଧ୍ୟରେ ପଥ ଓ ମରୁଭୂମିରେ ନଦନଦୀ କରିବା। 20 ଏପରିକି କ୍ଷେତ୍ରର ପଶୁଗଣ, ଶୃଗାଳ ଓ ଉଷ୍ଟ୍ର ପକ୍ଷୀଗଣ ଆମ୍ଭର ଗୌରବ ଗାନ କରିବେ। କାରଣ ଆମ୍ଭେ ଆପଣା ମନୋନୀତ ଲୋକମାନଙ୍କର ଜଳପାନ ପାଇଁ ପ୍ରାନ୍ତର ଓ ମରୁଭୂମିରେ ନଦନଦୀ କରୁଥିବାରୁ ସେମାନେ ଆମ୍ଭର ଗୌରବ କରିବେ। 21 ସେହି ଲୋକମାନଙ୍କୁ ଆମ୍ଭର ପ୍ରଶଂସା ଗାନ କରିବାକୁ ଆମ୍ଭେ ସୃଷ୍ଟି କରିଅଛୁ।
22 “ତଥାପି ହେ ଯାକୁବ, ତୁମ୍ଭେ ଆମ୍ଭ ନିକଟରେ ପ୍ରାର୍ଥନା କରି ନାହଁ। ହେ ଇସ୍ରାଏଲ, ତୁମ୍ଭେ ଆମ୍ଭ ପ୍ରତି ବିମୁଖ ହୋଇଅଛ। 23 ଆମ୍ଭ ନିମନ୍ତେ ନିଜର ଉତ୍ସର୍ଗ ମେଷଗୁଡ଼ିକୁ ଆମ୍ଭ ନିକଟକୁ ଆଣି ନାହଁ। କିମ୍ବା ବଳିଦାନ ଦ୍ୱାରା ଆମ୍ଭର ଅଭ୍ୟର୍ଥନା କରି ନାହଁ। ଆମ୍ଭେ ନୈବେଦ୍ୟ ନିମନ୍ତେ ତୁମ୍ଭକୁ ଦାସ ଭାବରେ ବ୍ୟବହାର କରି ନାହୁଁ କିମ୍ବା ଧୂପ ନିମନ୍ତେ ତୁମ୍ଭକୁ କ୍ଳାନ୍ତ କରି ନାହୁଁ। 24 ତୁମ୍ଭେ ଆମ୍ଭର ସମ୍ମାନ ନିମନ୍ତେ ସୁଗନ୍ଧି ଦ୍ରବ୍ୟ କ୍ରୟ କରିବାକୁ ରୌପ୍ୟ ମୁଦ୍ରା ଦେଇ ନାହଁ। କିମ୍ବା ତୁମ୍ଭ ବଳିର ମେଦରେ ଆମ୍ଭକୁ ତୃପ୍ତ କରି ନାହଁ, ମାତ୍ର ଆପଣା ପାପଦ୍ୱାରା ଆମ୍ଭକୁ ଦାସ୍ୟ କର୍ମ କରାଇଛ ଓ ଆପଣା ନାନା ଅଧର୍ମରେ ଆମ୍ଭକୁ କ୍ଳାନ୍ତ କରିଅଛ।
25 “ମୁଁ ଏକମାତ୍ର ପବିତ୍ର ଯେ କି ତୁମ୍ଭର ସମସ୍ତ ଦୋଷକୁ ନଥିପତ୍ରରୁ ପୋଛି ଦିଏ। ଆଉ ମଧ୍ୟ ତୁମ୍ଭର ସମସ୍ତ ପାପକୁ ମୁଁ ଭୁଲିଯାଏ। ମୋର ଗାରିମାକୁ ରକ୍ଷା କରିବାକୁ ଏପରି କରେ।
ଦାଉଦଙ୍କର ଗୀତ।
41 ଯେଉଁ ବ୍ୟକ୍ତି ଗରିବ ଲୋକମାନଙ୍କୁ ସାହାଯ୍ୟ କରେ, ସେ ଅନେକ ଆଶୀର୍ବାଦ ପାଇବାକୁ ସକ୍ଷମ ହୁଏ।
ଯେତେବେଳେ ବିପଦ ଆସେ ସଦାପ୍ରଭୁ ସେହି ଲୋକକୁ ରକ୍ଷା କରନ୍ତି।
2 ସଦାପ୍ରଭୁ ସେହି ଲୋକକୁ ରକ୍ଷା କରନ୍ତି ଓ ତା’ର ଜୀବନ ବଞ୍ଚାନ୍ତି।
ସେହି ବ୍ୟକ୍ତି ପୃଥିବୀରେ ଆଶୀର୍ବାଦ ପାଏ।
ପରମେଶ୍ୱର ତା’ର ଶତ୍ରୁମାନଙ୍କ ଦ୍ୱାରା ତାକୁ ଧ୍ୱଂସ ହେବାକୁ ଦେବେ ନାହିଁ।
3 ସେହି ବ୍ୟକ୍ତିଟି ଯେତେବେଳେ ଅସୁସ୍ଥ ହୋଇ ଖଟରେ ପଡ଼ିରହେ, ସଦାପ୍ରଭୁ ତାକୁ ବଳ ପ୍ରଦାନ କରନ୍ତି।
ସେହି ବ୍ୟକ୍ତି ଅସୁସ୍ଥ ହୋଇ ବିଛଣାରେ ପଡ଼ିଲେ, ସଦାପ୍ରଭୁ ତାକୁ ନିଶ୍ଚୟ ଆରୋଗ୍ୟ କରନ୍ତି।
4 ମୁଁ କହିଲି, “ହେ ସଦାପ୍ରଭୁ, ମୋ’ ପ୍ରତି ଦୟା କର।
ମୁଁ ତୁମ୍ଭ ବିରୁଦ୍ଧରେ ପାପ କରିଛି, ତେଣୁ ମୋତେ କ୍ଷମା ଦିଅ!ମୋ’ ପ୍ରାଣକୁ ସୁସ୍ଥ କର।”
5 ମୋର ଶତ୍ରୁମାନେ ମୋ’ ବିଷୟରେ ଖରାପ କଥା କହନ୍ତି।
ସେମାନେ କୁହନ୍ତି, “ସେ କେବେ ମରିବ ଓ ତାହାର ନାମ ସମ୍ପୂର୍ଣ୍ଣ ରୂପେ ଲୋପ ପାଇବ।”
6 ଲୋକମାନେ ମୋ’ ନିକଟକୁ ଦେଖା କରିବାକୁ ଆସନ୍ତି, କିନ୍ତୁ ସେମାନେ କିଛି କହନ୍ତି ନାହିଁ।
ସେମାନେ କ’ଣ ସବୁ ପ୍ରକୃତରେ ଭାବନ୍ତି।
ସେମାନେ ମୋ’ ନିକଟକୁ କିଛି ଖବର ଆଶାରେ ଆସନ୍ତି,
ତା’ପରେ ସେମାନେ ଏଠାରୁ ଗ୍ଭଲିଯାଇ ନାନା ଗୁଜବ ପ୍ରଗ୍ଭର କରନ୍ତି।
7 ମୋର ଶତ୍ରୁମାନେ ଫୁସ୍ ଫୁସ୍ କରି ମୋ’ ବିଷୟରେ କଥା ହୁଅନ୍ତି।
ସେମାନେ ମୋ’ ବିରୁଦ୍ଧରେ ଅନିଷ୍ଟ କଳ୍ପନା କରନ୍ତି।
8 ସେମାନେ କହନ୍ତି, “ସେ ବୋଧହୁଏ କିଛି ଖରାପ କାର୍ଯ୍ୟ କରିଛି
ଓ ସେଥିପାଇଁ ବେମାର ଅଛି।
ସେ ଆଉ ଭଲ ହେବ ନାହିଁ।”
9 ମୋର ଅନ୍ତରଙ୍ଗ ବନ୍ଧୁ ମୋ’ ସହିତ ଭୋଜନ କଲେ ଏବଂ ମୁଁ ତାଙ୍କୁ ବିଶ୍ୱାସ କଲି।
କିନ୍ତୁ ଦେଖ, ସେ ଆଜି ମୋ’ ବିରୁଦ୍ଧରେ ଯାଉଛନ୍ତି।
10 ତେଣୁ ହେ ସଦାପ୍ରଭୁ, ମୋ’ ପ୍ରତି ଦୟା କର।
ମୋତେ ସୁସ୍ଥ ହେବାକୁ ଦିଅ, ତହିଁରେ ମୁଁ ସେମାନଙ୍କୁ ଉପଯୁକ୍ତ ଜବାବ ଦେବି।
11 ହେ ସଦାପ୍ରଭୁ ମୋର ଶତ୍ରୁମାନଙ୍କୁ ମୋତେ ଆଘାତ କରିବାକୁ ସୁଯୋଗ ଦିଅ ନାହିଁ।
ତାହାହେଲେ ମୁଁ ଜାଣିବି ଯେ ତୁମ୍ଭେ ମୋ’ ପ୍ରତି ସନ୍ତୁଷ୍ଟ ଅଛ।
12 ମୁଁ ନିରପରାଧ ଥିଲି।
ତୁମ୍ଭେ ମୋତେ ସାହାଯ୍ୟ କରିଲ।
ତୁମ୍ଭେ ମୋତେ ଛିଡ଼ା ହେବାକୁ ସୁଯୋଗ ଦେଇ ତୁମ୍ଭର ଚିରଦିନ ସେବା କରିବାକୁ ସୁଯୋଗ ଦେଲ।
13 ହେ ସଦାପ୍ରଭୁ, ତୁମ୍ଭେ ଇସ୍ରାଏଲର ପରମେଶ୍ୱର।
ତୁମ୍ଭେ ଅନାଦିକାଳରୁ ଥିଲ ଓ ଅନନ୍ତକାଳ ଧରି ରହିବ, ତୁମ୍ଭେ ଧନ୍ୟ।
ଆମେନ୍, ଆମେନ୍।
18 କିନ୍ତୁ ଯଦି ତୁମ୍ଭେମାନେ ପରମେଶ୍ୱରଙ୍କୁ ବିଶ୍ୱାସ କରୁଛ, ତାହାହେଲେ ତୁମ୍ଭେମାନେ ବିଶ୍ୱାସ କରିପାର ଯେ, ଆମ୍ଭେ ଯାହା କହୁ ତାହାର ଉତ୍ତର “ହଁ” ଓ “ନା” ଉଭୟ ହୋଇ ପାରିବ ନାହିଁ। 19 ମୁଁ ଏବଂ ସିଲ୍ୱାନ୍ ଓ ତୀମଥିଙ୍କ ଦ୍ୱାରା ପ୍ରଗ୍ଭରିତ ପରମେଶ୍ୱରଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟ ଉଭୟ “ହଁ’ ଓ “ନା’ ଏକ ସମୟରେ କହନ୍ତି ନାହିଁ। ଯୀଶୁ ଖ୍ରୀଷ୍ଟଙ୍କଠାରେ ସର୍ବଦା “ହଁ” କଥା “ହଁ” ହୁଏ। 20 କାରଣ ପରମେଶ୍ୱର ଯେଉଁ ସମସ୍ତ ପ୍ରତିଜ୍ଞା କରିଛନ୍ତି, ସେ ଖ୍ରୀଷ୍ଟଙ୍କଠାରେ ସେ ସବୁଗଡ଼ିକ “ହଁ” ହୋଇଛି। ସେଥିପାଇଁ ଆମ୍ଭେ ପରମେଶ୍ୱରଙ୍କ ମହିମା ନିମନ୍ତେ ଖ୍ରୀଷ୍ଟଙ୍କ ନାମରେ “ଆମେନ୍” ବୋଲି କହିଥାଉ। 21 କେବଳ ପରମେଶ୍ୱର ତୁମ୍ଭମାନଙ୍କୁ ଓ ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କଠାରେ ଦୃଢ଼ କରି ରଖନ୍ତି। ପରମେଶ୍ୱର ତାହାଙ୍କର ବିଶେଷ ଆଶୀର୍ବାଦ ଆମକୁ ପ୍ରଦାନ କରନ୍ତି। 22 ସେ ଆମ୍ଭଠାରେ ନିଜ ଅଧିକାରର ମୋହର ଲଗାଇଛନ୍ତି, ଓ ଆମ୍ଭମାନଙ୍କ ହୃଦୟରେ ତାହାଙ୍କ ଆତ୍ମା ପ୍ରଦାନ କରିଛନ୍ତି। ଏହା ପ୍ରମାଣ ଦିଏ ଯେ, ସେ ଯାହା ପ୍ରତିଜ୍ଞା କରିଛନ୍ତି, ତାହା ନିଶ୍ଚୟ ଦେବେ।
ପକ୍ଷାଘାତ ରୋଗୀକୁ ଯୀଶୁ ସୁସ୍ଥ କଲେ(A)
2 କିଛି ଦିନ ପରେ, ଯୀଶୁ କଫର୍ନାହୂମକୁ ଫେରି ଆସିଲେ। ଯୀଶୁ ଘରକୁ ଫେରି ଆସିଛନ୍ତି ବୋଲି ଖବର ବ୍ୟାପିଗଲା। 2 ଅନେକ ଲୋକ ଯୀଶୁଙ୍କ ଉପଦେଶ ଶୁଣିବା ପାଇଁ ଜମା ହୋଇଗଲେ। ଘରଟି ପୁରିଗଲା। ଘରେ କି ବାହାରେ କେଉଁଠି ହେଲେ ଠିଆ ହେବାକୁ ଜାଗା ନ ଥିଲା। ଯୀଶୁ ଲୋକମାନଙ୍କୁ ଉପଦେଶ ଦେଉଥିଲେ। 3 ସେହି ସମୟରେ କେତେକ ଲୋକ ତାହାଙ୍କ ପାଖକୁ ଗୋଟିଏ ପକ୍ଷାଘାତ ରୋଗଗ୍ରସ୍ତ ଲୋକକୁ ଆଣିଲେ। ରୋଗୀକୁ ଗ୍ଭରି ଜଣ ଲୋକ ବୋହି କରି ଆଣିଥିଲେ। 4 ଲୋକ ଭିଡ଼ ହୋଇ ଯାଇଥିବାରୁ ସେମାନେ ରୋଗୀଟିକୁ ଯୀଶୁଙ୍କ ପାଖକୁ ଆଣି ପାରିଲେ ନାହିଁ। ତେଣୁ ସେମାନେ ଯୀଶୁ ଥିବା ଘରର ଛାତ କଣା କଲେ ଓ ବିଛଣାରେ ପଡ଼ିଥିବା ପକ୍ଷାଘାତ ରୋଗୀଟିକୁ ସେହି କଣା ବାଟରେ ଯୀଶୁ ଥିବା ସ୍ଥାନ ପର୍ଯ୍ୟନ୍ତ, ତଳକୁ ଝୁଲାଇ ଦେଲେ। 5 ଯୀଶୁ ଦେଖିଲେ ଯେ, ସେହି ଲୋକମାନଙ୍କର ଗଭୀର ବିଶ୍ୱାସ ଅଛି। ତେଣୁ ଯୀଶୁ ପକ୍ଷାଘାତ ଲୋକଟିକୁ କହିଲେ, “ହେ ଯୁବକ, ତୁମ୍ଭ ପାପଗୁଡ଼ିକୁ କ୍ଷମା କରାଗଲା।”
6 କେତେଜଣ ଧର୍ମଶାସ୍ତ୍ରୀ ସେଠାରେ ବସିଥିଲେ। ଯୀଶୁଙ୍କ କାମ ସେମାନେ ଦେଖିଲେ। ସେମାନେ ନିଜ ଭିତରେ କୁହାକୁହି ହେଲେ, 7 “ଏ’ ଲୋକଟି ଏଭଳି କଥାବାର୍ତ୍ତା କାହିଁକି କରୁଛି? ସେ ପରମେଶ୍ୱରଙ୍କ ବିରୁଦ୍ଧରେ ନିନ୍ଦା କରୁଅଛି। ପରମେଶ୍ୱରଙ୍କ ବ୍ୟତୀତ ପାପ ଗୁଡ଼ିକୁ ଅନ୍ୟ କିଏ କ୍ଷମା କରି ପାରିବ?”
8 ଧର୍ମଶାସ୍ତ୍ରୀମାନେ ତାହାଙ୍କ ବିଷୟରେ ସେସବୁ ଭାବୁଛନ୍ତି ବୋଲି ଯୀଶୁ ସଙ୍ଗେ ସଙ୍ଗେ ଜାଣି ପାରିଲେ। ତେଣୁ ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ମନରେ ଏସବୁ କଥା କାହିଁକି ଭାବୁଛ? 9 ଏହି ପକ୍ଷାଘାତ ଲୋକଙ୍କୁ କେଉଁ କଥାଟି କହିବା ସରଳ? ‘ତୁମ୍ଭ ପାପ ଗୁଡ଼ିକୁ କ୍ଷମା କରି ଦିଆଗଲା।’ ନା’ ତାକୁ କହିବା: ‘ଠିଆ ହୁଅ ଓ ତୁମ୍ଭର ବିଛଣା ଧରି ଗ୍ଭଲ?’ 10 କିନ୍ତୁ, ମୁଁ ତୁମ୍ଭ ଆଗରେ ପ୍ରମାଣିତ କରିଦେବି ଯେ, ଏହି ପୃଥିବୀରେ ମନୁଷ୍ୟପୁତ୍ରଙ୍କର ପାପଗୁଡ଼ିକୁ କ୍ଷମା କରିବା ଶକ୍ତି ଅଛି।” ତା’ପରେ ଯୀଶୁ ପକ୍ଷାଘାତ ଲୋକଟିକୁ କହିଲେ, 11 “ମୁଁ ତୁମ୍ଭକୁ କହୁଛି, ଠିଆ ହୁଅ, ବିଛଣା ଧର ଓ ଘରକୁ ଯାଅ।”
12 ପକ୍ଷାଘାତ ଲୋକଟି ଠିଆ ହେଲା। ବିଛଣା ଧରିଲା ଏବଂ ଘର ଭିତରୁ ବାହାରକୁ ବାହାରିଗଲା। ସବୁ ଲୋକେ ତାକୁ ଦେଖି ପାରିଲେ। ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ ଓ ପରମେଶ୍ୱରଙ୍କ ମହିମା ଗାନ କଲେ। ସେମାନେ କହିଲେ, “ଆମ୍ଭେମାନେ ଏଭଳି ଆଶ୍ଚର୍ଯ୍ୟ ଘଟଣା କେବେ ହେଲେ ଦେଖି ନ ଥିଲୁ।”
2010 by World Bible Translation Center