Revised Common Lectionary (Complementary)
93 ସଦାପ୍ରଭୁ ରାଜା ଅଟନ୍ତି।
ସେ ମହିମା ଓ ଶକ୍ତି ରୂପକ ବସ୍ତ୍ର ପରିଧାନ କରନ୍ତି।
ସେ ନିଜ କଟିରେ ସମଗ୍ର ବିଶ୍ୱକୁ ଧରିଛନ୍ତି,
ଏହା ଯେପରି ଟଳମଳ ହୋଇ ନ ଯାଏ।
2 ହେ ପରମେଶ୍ୱର, ତୁମ୍ଭର ସିଂହାସନ ଅନନ୍ତକାଳରୁ ରହିଥିଲା,
ତୁମ୍ଭେ ସର୍ବଦା ଜୀବିତ ଏବଂ ସର୍ବଦା ଶାସନ କରିବ।
3 ସଦାପ୍ରଭୁ, ସମୁଦ୍ରସବୁ ଘଡ଼ଘଡ଼ି ଭଳି ଧ୍ୱନି ବାହାର କଲେ।
ସମୁଦ୍ରସବୁ ସେମାନଙ୍କର ଢେଉ ଭାଙ୍ଗି ଗର୍ଜନ କଲେ।
4 ଜଳରାଶିର ଧ୍ୱନି ଓ ସମୁଦ୍ରର ପ୍ରବଳ ତରଙ୍ଗ ଅପେକ୍ଷା
ଊର୍ଦ୍ଧ୍ୱସ୍ଥ ସଦାପ୍ରଭୁ ବଳବାନ।
5 ହେ ସଦାପ୍ରଭୁ, ତୁମ୍ଭର ବ୍ୟବସ୍ଥା ସର୍ବଦା ରହିବ।
ତୁମ୍ଭର ପବିତ୍ର ମନ୍ଦିର ଚିରସ୍ଥାୟୀ ରହିବ।
ସୋର ନିଜକୁ ପରମେଶ୍ୱର ମନେ କଲା
28 ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, 2 “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ସୋରର ଅଧିପତିକୁ କୁହ, ‘ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି,
“‘ତୁମ୍ଭର ଚିତ୍ତ ଗର୍ବିତ ହୋଇଅଛି,
ତୁମ୍ଭେ କହିଅଛ, “ମୁଁ ପରମେଶ୍ୱର ଅଟେ,
ମୁଁ ସମୁଦ୍ରମାନଙ୍କ ମଧ୍ୟସ୍ଥାନରେ
ପରମେଶ୍ୱରଙ୍କ ଆସନରେ ବସିଅଛି;”
“‘ମାତ୍ର ନିଜ ଚିତ୍ତକୁ ଦେବତାଙ୍କ ଚିତ୍ତ ତୁଲ୍ୟ ମନେ କଲେ ମଧ୍ୟ ତୁମ୍ଭେ ପରମେଶ୍ୱର ନୁହଁ,
ତୁମ୍ଭେ ମନୁଷ୍ୟ ମାତ୍ର।
3 ଏବଂ ତୁମ୍ଭେ ଭାବୁଛ ଯେ, ତୁମ୍ଭେ ଦାନିୟେଲଠାରୁ ଅଧିକ ଜ୍ଞାନୀ,
ସମସ୍ତ ନିଗୂଢ଼ କଥା ଲୋକମାନଙ୍କଠାରୁ ତୁମ୍ଭେ ଜାଣି ପାରିବ।
4 ତୁମ୍ଭେ ଆପଣା ଜ୍ଞାନଦ୍ୱାରା
ଓ ଆପଣା ବୁଦ୍ଧିଦ୍ୱାରା ଧନ ପ୍ରାପ୍ତ ହୋଇଅଛ
ଓ ଆପଣା ଭଣ୍ଡାରରେ ସୁନା
ଓ ରୂପା ସଞ୍ଚୟ କରିଅଛ।
5 ତୁମ୍ଭେ ଆପଣା ମହାଜ୍ଞାନ ଦ୍ୱାରା
ଓ ବାଣିଜ୍ୟ ଦ୍ୱାରା ଆପଣାର ଧନ ବଢ଼ାଇ ଅଛ।
ଆଉ ତୁମ୍ଭର ଏହି ଧନ ସକାଶେ
ତୁମ୍ଭର ଚିତ୍ତ ଗର୍ବିତ ହୋଇଅଛି।
6 “‘ତେଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି,
ହେ ସୋର, ତୁମ୍ଭେ ଆପଣା ଚିତ୍ତକୁ ପରମେଶ୍ୱରଙ୍କ ଚିତ୍ତ ତୁଲ୍ୟ କରିଅଛ।
7 ମୁଁ ତୁମ୍ଭମାନଙ୍କ ବିପକ୍ଷରେ ବିଦେଶୀମାନଙ୍କୁ ଆଣିବି,
ବାହାର ଦେଶରୁ ନିର୍ଦ୍ଦୟଲୋକମାନଙ୍କୁ ଆଣିବି।
ତେଣୁ ସେମାନେ ତୁମ୍ଭର ସୁନ୍ଦର ବସ୍ତୁ ବିପକ୍ଷରେ ଶତ୍ରୁ ଉତ୍ତୋଳନ କରିବେ
ଯାହା ତୁମ୍ଭକୁ ତୁମ୍ଭର ଜ୍ଞାନ ଆଣିଦେଇଥିଲା,
ଏବଂ ତୁମ୍ଭର ଶୋଭା ବିଧ୍ୱସ୍ତ ହେବ।
8 ସେମାନେ ତୁମ୍ଭକୁ କବର ଭିତରକୁ ଘେନି ଆସିବେ।
ଆଉ ତୁମ୍ଭେ ସମୁଦ୍ରର ମଧ୍ୟସ୍ଥାନରେ ହତ ଲୋକମାନଙ୍କ ମୃତ ତୁଲ୍ୟ ମୃତ୍ୟୁ ଭୋଗ କରିବ।
9 ତୁମ୍ଭେ କ’ଣ ତୁମ୍ଭ ଯାଜକ ସମ୍ମୁଖରେ
“ମୁଁ ପରମେଶ୍ୱର” ବୋଲି କହିବ?
କିନ୍ତୁ ତୁମ୍ଭେ ନିଜ ଘାତକ ନିକଟରେ
ତୁମ୍ଭେ ଜଣେ ମନୁଷ୍ୟ ମାତ୍ର, ପରମେଶ୍ୱର ନୁହଁ।
10 ତୁମ୍ଭମାନଙ୍କୁ ବିଦେଶୀୟମାନଙ୍କ[a] ଦ୍ୱାରା ହତ୍ୟା କରାଯିବ ଏବଂ ତୁମ୍ଭେମାନେ ଆଗନ୍ତୁକ ପରି ମୃତ୍ୟୁବରଣ କରିବ।
ଏହା ମୋର ଆଦେଶ।’”
ସଦାପ୍ରଭୁ, ମୋର ପ୍ରଭୁ ଏହା କହନ୍ତି।
ସ୍ତିଫାନଙ୍କ ହତ୍ୟା
54 ଯିହୂଦୀ ନେତାମାନେ ଏହା ଶୁଣି ସ୍ତିଫାନଙ୍କର ଉପରେ ଭୀଷଣ ରାଗି ଦାନ୍ତ କଡ଼ମଡ଼ କଲେ। 55 କିନ୍ତୁ ସ୍ତିଫାନ ପବିତ୍ରଆତ୍ମାରେ ପୂର୍ଣ୍ଣ ହୋଇ ଆକାଶକୁ ଗ୍ଭହିଁଲେ। ସେଠାରେ ସେ ପରମେଶ୍ୱରଙ୍କ ଗୌରବ ଦେଖିଲେ। ସେ ଯୀଶୁଙ୍କୁ ପରମେଶ୍ୱରଙ୍କ ଡାହାଣ ପଟେ ଠିଆ ହେବାର ଦେଖିଲେ। 56 ସ୍ତିଫାନ କହିଲେ, “ଦେଖ, ମୁଁ ସ୍ୱର୍ଗକୁ ଖୋଲା ଅବସ୍ଥାରେ ଓ ପରମେଶ୍ୱରଙ୍କ ଡାହାଣ ପଟେ ମନୁଷ୍ୟପୁତ୍ରଙ୍କୁ ଠିଆ ହେବାର ଦେଖୁଛି।”
57 ଏଥିରେ ଯିହୂଦୀ ନେତାମାନେ କାନରେ ହାତ ଦେଇ ଖୁବ୍ ଜୋର୍ରେ ପାଟି କଲେ। ସେମାନେ ଏକାଠି ହୋଇ ସ୍ତିଫାନଙ୍କ ଆଡ଼କୁ ଦୌଡ଼ିଲେ। 58 ସେମାନେ ତାହାଙ୍କୁ ନଗର ବାହାରକୁ ଟାଣି ନେଇ ପଥର ମାରିବା ଆରମ୍ଭ କରିଦେଲେ। ସାକ୍ଷୀମାନେ ଶାଉଲ ନାମକ ଜଣେ ଯୁବକର ପାଖରେ ସେମାନଙ୍କର ଲୁଗାପଟା ରଖିଲେ। 59 ପଥର ଫୋପାଡ଼ିବା ସମୟରେ ସ୍ତିଫାନ ପ୍ରାର୍ଥନା କରି କହିଲେ, “ହେ ପ୍ରଭୁ ଯୀଶୁ, ମୋ’ ଆତ୍ମାକୁ ଗ୍ରହଣ କର।” 60 ତା'ପରେ ସେ ଆଣ୍ଠୁମାଡ଼ି ପଡ଼ି ଜୋର୍ରେ କହିଲେ, “ହେ ପ୍ରଭୁ, ଏହି ପାପ ନିମନ୍ତେ ଏମାନଙ୍କୁ ଅପରାଧୀ ଗଣନା କର ନାହିଁ।” ଏହା କହି ସେ ମୃତ୍ୟୁବରଣ କଲେ।
8 1-3 ସ୍ତିଫାନଙ୍କ ମୃତ୍ୟୁ ଯେ ଯଥାର୍ଥ, ଏହା ଶାଉଲ ସମର୍ଥନ କରିଥିଲେ। କେତେକ ନିଷ୍ଠାପର ଲୋକ ସ୍ତିଫାନଙ୍କୁ କବର ଦେଲ ଓ ତାହାଙ୍କ ପାଇଁ ବହୁତ କାନ୍ଦିଲେ।
ବିଶ୍ୱାସୀମାନଙ୍କ ଉପରେ ଉଦ୍ବେଗ ଅଶାନ୍ତି
ସେହି ଦିନ ଯିରୁଶାଲମରେ ଥିବା ବିଶ୍ୱାସୀମାନଙ୍କ ବିରୁଦ୍ଧରେ ଗୋଟିଏ ଭୀଷଣ ତାଡ଼ନା ହେଲା। ପ୍ରେରିତମାନଙ୍କ ବ୍ୟତୀତ ଅନ୍ୟ ସମସ୍ତ ବିଶ୍ୱାସୀ ଯିହୂଦା ଓ ଶମିରୋଣ ଦେଶର ବିଭିନ୍ନ ସ୍ଥାନରେ ଛିନ୍ନଭିନ୍ନ ହୋଇଗଲେ। କିନ୍ତୁ ଶାଉଲ ଘରେ ଘରେ ପଶି ପୁରୁଷ ଓ ସ୍ତ୍ରୀମାନଙ୍କୁ ଟାଣି ଆଣି କାରାଗାରରେ ରଖିଲେ ଓ ମଣ୍ଡଳୀ ଧ୍ୱଂସ କରିବା ପାଇଁ ଚେଷ୍ଟା କଲେ।
2010 by World Bible Translation Center