Revised Common Lectionary (Complementary)
ଆଲେଫ୍
119 ଯେଉଁ ଲୋକମାନେ ପବିତ୍ର ଭାବରେ ଜୀବନଯାପନ କରନ୍ତି,
ଓ ଯେଉଁମାନେ ସଦାପ୍ରଭୁଙ୍କର ନିୟମସବୁ ଅନୁସରଣ କରନ୍ତି, ସେମାନେ ଧନ୍ୟ!
2 ଯେଉଁ ଲୋକମାନେ ସଦାପ୍ରଭୁଙ୍କର ଚୁକ୍ତି ମାନନ୍ତି,
ଓ ଯେଉଁମାନେ ହୃଦୟରେ ସଦାପ୍ରଭୁଙ୍କୁ ଖୋଜନ୍ତି, ସେମାନେ ଧନ୍ୟ!
3 ସେହି ଲୋକମାନେ କୌଣସି ଅଧର୍ମ କାର୍ଯ୍ୟ କରନ୍ତି ନାହିଁ,
କିନ୍ତୁ ସେମାନେ ସଦାପ୍ରଭୁଙ୍କ ପଥ ଅନୁସରଣ କରନ୍ତି।
4 ହେ ସଦାପ୍ରଭୁ, ତୁମ୍ଭେ ଆପଣା ନିର୍ଦ୍ଦେଶସବୁ
ଏବଂ ବିଧାନସବୁକୁ ସତର୍କ ରୂପେ ମାନିବା ପାଇଁ ନିର୍ଦ୍ଦେଶ ଦେଇଅଛ।
5 ମୁଁ ଆଶା କରୁଛି ଯେ, ମୁଁ ବୋଧହୁଏ ତୁମ୍ଭର ନିୟମ
ଅପରିବର୍ତ୍ତନୀୟ ଭାବରେ ଅଧିକ ମାନିବି।
6 ଯଦି ମୁଁ ତୁମ୍ଭର ଆଜ୍ଞା ସକଳ ପ୍ରତି ଦୃଷ୍ଟି ରଖିବି,
ତେବେ ମୁଁ ଲଜ୍ଜିତ ହେବି ନାହିଁ।
7 ମୁଁ ତୁମ୍ଭକୁ ସର୍ବାନ୍ତକରଣ ହୃଦୟ ସହିତ ପ୍ରଶଂସା କରିବି,
ଯେତେବେଳେ ମୁଁ ତୁମ୍ଭର ନ୍ୟାୟପରାୟଣତା ବିଷୟରେ ଜାଣିବି।
8 ମୁଁ ତୁମ୍ଭର ବିଧିସବୁ ପାଳନ କରିବି।
ମୋତେ ଏକୁଟିଆ କରି ଛାଡ଼ ନାହିଁ।
32 “ବୃଦ୍ଧ ଲୋକଙ୍କୁ ସମ୍ମାନ ଦିଅ। ସେମାନେ ତୁମ୍ଭ ପାଖକୁ ଆସିଲେ ଛିଡ଼ା ହୋଇଯାଅ, ଛିଡ଼ା ହୋଇ ଥିଲେ ତାଙ୍କୁ ସମାଦର କରିବ। ତୁମ୍ଭେମାନେ ତୁମ୍ଭମାନଙ୍କର ପରମେଶ୍ୱରଙ୍କୁ ଭୟ କରିବା ଉଚିତ୍। ମୁଁ ନିତ୍ୟ ସଦାପ୍ରଭୁ ଅଟେ।
33 “ତୁମ୍ଭମାନଙ୍କ ସହିତ ବାସ କରୁଥିବା ବିଦେଶୀମାନଙ୍କ ପ୍ରତି ମନ୍ଦ ଆଚରଣ କରିବ ନାହିଁ। 34 ତୁମ୍ଭେମାନେ ସ୍ୱଦେଶୀମାନଙ୍କ ପ୍ରତି ଯେପରି ଆଚରଣ କରିବ, ତୁମ୍ଭ ସହବାସୀ ବିଦେଶୀମାନଙ୍କ ପ୍ରତି ମଧ୍ୟ ସେହିପରି ଆଚରଣ କରିବ। ତୁମ୍ଭେ ସେମାନଙ୍କୁ ଆତ୍ମତୁଲ୍ୟ ପ୍ରେମ କରିବ। କାରଣ ମିଶର ଦେଶରେ ତୁମ୍ଭେମାନେ ବିଦେଶୀ ଥିଲ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।
35 “ତୁମ୍ଭେମାନେ ବିଗ୍ଭର କଲାବେଳେ କିମ୍ବା ମାପ କି ତୌଲ କଲାବେଳେ ଅଧର୍ମ କରିବ ନାହିଁ। 36 ଯଥାର୍ଥ ଦଣ୍ଡି, ଯଥାର୍ଥ ବଟଖରା, ଯଥାର୍ଥ ଐଫ ଓ ଯଥାର୍ଥ ପଳା ତୁମ୍ଭମାନଙ୍କର ହେବ। ଯେ ମିଶର ଦେଶରୁ ତୁମ୍ଭମାନଙ୍କୁ ବାହାର କରି ଆଣିଲେ ଆମ୍ଭେ ସେହି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।
37 “ଏଣୁ ତୁମ୍ଭେମାନେ ମୋର ସମସ୍ତ ବ୍ୟବସ୍ଥା ଓ ସମସ୍ତ ବିଧି ମାନ୍ୟକରି ପାଳନ କରିବ। ଚିରଦିନ ମୁଁ ସଦାପ୍ରଭୁ ଅଟେ।”
ପରମେଶ୍ୱର ମଣିଷମାନଙ୍କୁ ଧାର୍ମିକ କିପରି କରନ୍ତି?
21 କିନ୍ତୁ ବିନା ବ୍ୟବସ୍ଥାରେ ଲୋକମାନଙ୍କୁ ଧାର୍ମିକ କରିବା ପାଇଁ ପରମେଶ୍ୱରଙ୍କର ଗୋଟିଏ ନୂତନ ମାର୍ଗ ଅଛି। ସେ ଆମ୍ଭକୁ ସେହି ନୂତନ ପଥ ଦେଖାଇ ଦେଇଛନ୍ତି। ଏହି ନୂତନ ପଥ ବିଷୟରେ ବ୍ୟବସ୍ଥା ଓ ଭବିଷ୍ୟଦ୍ବକ୍ତା ଆମ୍ଭକୁ କହୁଛନ୍ତି। 22 ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ପରମେଶ୍ୱର ଲୋକମାନଙ୍କୁ ଧାର୍ମିକ କରନ୍ତି। ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ରଖୁଥିବା ସମସ୍ତ ଲୋକଙ୍କ ପାଇଁ ପରମେଶ୍ୱର ଏହା କରନ୍ତି। ସବୁ ଲୋକେ ହେଉଛନ୍ତି ସମାନ। 23 ସମସ୍ତେ ପାପ କରିଛନ୍ତି ଓ ପରମେଶ୍ୱରଙ୍କ ମହିମା ପାଇବାରେ ଊଣା ପଡ଼ିଛନ୍ତି। 24 ପରମେଶ୍ୱରଙ୍କ ଅନୁଗ୍ରହ ଦ୍ୱାରା ଲୋକେ ତାହାଙ୍କ ଦୃଷ୍ଟିରେ ଧାର୍ମିକ ହୁଅନ୍ତି। ଏହା ବିନା ମୂଲ୍ୟର ଅନୁଗ୍ରହଦାନ ଅଟେ। ଖ୍ରୀଷ୍ଟ ଯୀଶୁଙ୍କ ମାଧ୍ୟମରେ ପାପରୁ ମୁକ୍ତ ହୋଇ ଲୋକେ ପରମେଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ହୁଅନ୍ତି। 25 ଲୋକମାନଙ୍କୁ ବିଶ୍ୱାସ ଜରିଆରେ, ପାପରୁ କ୍ଷମା କରିବା ଉଦ୍ଦେଶ୍ୟରେ ପରମେଶ୍ୱର ଯୀଶୁଙ୍କୁ ପଥ ଭାବରେ ଦେଇଥିଲେ। ଯୀଶୁଙ୍କ ରକ୍ତ ବା ମୃତ୍ୟୁ ଦ୍ୱାରା ପରମେଶ୍ୱର କ୍ଷମା କରନ୍ତି। ଯୀଶୁଙ୍କୁ ଦେବା ଦ୍ୱାରା ଏହା ପ୍ରମାଣିତ କରେ ଯେ ପରମେଶ୍ୱର ସର୍ବଦା ନ୍ୟାୟ କରନ୍ତି। 26 ପୂର୍ବରୁ ପରମେଶ୍ୱର ଧୈର୍ଯ୍ୟ ଧରି ରହିଥିବା ଲୋକମାନଙ୍କୁ ସେମାନଙ୍କର ପାପ ପାଇଁ ଦଣ୍ଡ ନ ଦେଇ ଉଚିତ୍ କାର୍ଯ୍ୟ କରିଥିଲେ। ସେ ନିଜର ଧାର୍ମିକତା ପ୍ରକାଶ କରିବା ପାଇଁ ଏବେ ଯୀଶୁଙ୍କୁ ପଠାଇଲେ। ପରମେଶ୍ୱର ଯେ, ନିଜେ ନ୍ୟାୟବାନ ତାହା ଦେଖାଇବା ପାଇଁ ଯୀଶୁଙ୍କଠାରେ ବିଶ୍ୱାସ ରଖି ଥିବା ଯେକୌଣସି ଲୋକକୁ ଧାର୍ମିକ କଲେ।
27 ତା'ହେଲେ ଆମ୍ଭର ଗର୍ବ କରିବାର କିଛି ଅଛି କି? ନା! କାହିଁକି ନୁହେଁ? କାରଣ, ବିଶ୍ୱାସର ମାର୍ଗ ଦ୍ୱାରା ସମସ୍ତ ପ୍ରକାରର ଗର୍ବ କରିବା ବିଷୟକୁ ବାଦ୍ କରାଯାଇଛି। 28 ଏହାର କାରଣ ହେଲା ଜଣେ ଲୋକ ବ୍ୟବସ୍ଥା ପାଳନ କରିବା ଦ୍ୱାରା ନୁହେଁ ବରଂ ବିଶ୍ୱାସ ଦ୍ୱାରା ପରମେଶ୍ୱରଙ୍କ ପ୍ରତି ଧାର୍ମିକ ଗଣିତ ହୁଏ। ଏ କଥାରେ ଆମ୍ଭେ ବିଶ୍ୱାସ କରୁ। 29 ପରମେଶ୍ୱର କେବଳ ଯିହୂଦୀମାନଙ୍କର ପରମେଶ୍ୱର ନୁହନ୍ତି। ଅଣଯିହୂଦୀମାନଙ୍କର ମଧ୍ୟ ସେ ପରମେଶ୍ୱର ଅଟନ୍ତି। 30 ପରମେଶ୍ୱର ହେଉଛନ୍ତି ମାତ୍ର ଜଣେ, ସେ ଯିହୂଦୀମାନଙ୍କୁ ସେମାନଙ୍କ ବିଶ୍ୱାସ ଆଧାରରେ ତାହାଙ୍କ ସହିତ ଧାର୍ମିକ କରିବେ। ଅଣଯିହୂଦୀମାନଙ୍କୁ ମଧ୍ୟ ସେମାନଙ୍କର ବିଶ୍ୱାସ ପାଇଁ ସେ ଧାର୍ମିକ କରିବେ। 31 ଏଠାରେ ପ୍ରଶ୍ନ ଉଠେ ଯେ ଆମ୍ଭେ କ’ଣ ବିଶ୍ୱାସର ମାର୍ଗ ଅନୁସରଣ କରିବା ଦ୍ୱାରା ବ୍ୟବସ୍ଥାକୁ ନଷ୍ଟ କରୁଛୁ କି? ନା! ଏହା ସତ୍ୟ ନୁହେଁ। ବରଂ ବ୍ୟବସ୍ଥା ଆମ୍ଭଠାରୁ ଯାହା ଆଶାକରେ, ତାହା ହେବା ପାଇଁ ବିଶ୍ୱାସ ଆମ୍ଭକୁ ସୁଯୋଗ ପ୍ରଦାନ କରେ।
2010 by World Bible Translation Center