Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 16

ଦାଉଦଙ୍କର ମିକ୍ତାମ୍ ଗୀତ

16 ହେ ପରମେଶ୍ୱର, ମୋତେ ତୁମ୍ଭେ ରକ୍ଷା କର କାରଣ ମୁଁ ତୁମ୍ଭ ଉପରେ ନିର୍ଭର କରେ।
ମୁଁ ସଦାପ୍ରଭୁଙ୍କୁ କହିଅଛି,
    “ସଦାପ୍ରଭୁ ତୁମ୍ଭେ ମୋର ପ୍ରଭୁ।
    ମୋର ଯାହାକିଛି ମଙ୍ଗଳମୟ ସେ ସବୁ ତୁମ୍ଭ କୃପାରୁ।”
ସଦାପ୍ରଭୁ ଯାହାକିଛି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରନ୍ତି,
    ତାହା ତାଙ୍କର ଏ ପୃଥିବୀରେ ଥିବା ଅନୁଗତ ଲୋକଙ୍କ ପାଇଁ।
    ସଦାପ୍ରଭୁ ପ୍ରକୃତରେ ଦେଖାଇ ଦିଅନ୍ତି ଯେ ସେ ସେମାନଙ୍କୁ ଭଲ ପାଆନ୍ତି।

କିନ୍ତୁ ଯେଉଁ ଲୋକମାନେ ଅନ୍ୟ ଦେବତାମାନଙ୍କୁ ପୂଜା କରନ୍ତି, ସେମାନେ ଅଧିକ ଦୁଃଖ ପାଆନ୍ତି।
    ମୁଁ ସେମାନଙ୍କ ସହିତ ଏକମତ ହୋଇ ପାରିବି ନାହିଁ।
    ଯେଉଁମାନେ ସେହି ମୂର୍ତ୍ତିଗୁଡ଼ିକ ଆଗରେ ରକ୍ତ ଅର୍ପଣ କରନ୍ତି, ସେମାନଙ୍କର ନାମ ମୁଁ କେବେ ଉଚ୍ଚାରଣ କରିବି ନାହିଁ।
ମୁଁ କେବଳ ମୋର ଭକ୍ତି ଓ ଶ୍ରଦ୍ଧାକୁ ସଦାପ୍ରଭୁଙ୍କଠାରେ ଅର୍ପଣ କରିବି।
    ହେ ସଦାପ୍ରଭୁ, ତୁମ୍ଭେ ମୋର ସହାୟ ହୁଅ
    ଏବଂ ମୋତେ ମୋର ପ୍ରାପ୍ୟ ପ୍ରଦାନ କର।
ମୋର ପ୍ରାପ୍ୟ ଅତି ଆଶ୍ଚର୍ଯ୍ୟଜନକ,
    ମୋର ଅଧିକାର ମଧ୍ୟ ଅତି ସୁନ୍ଦର।
ମୁଁ ସଦାପ୍ରଭୁଙ୍କୁ ପ୍ରଶଂସା କରେ କାରଣ ସେ ମୋତେ ଉଚିତ୍ ଶିକ୍ଷା ପ୍ରଦାନ କରନ୍ତି।
    ଏପରିକି ରାତ୍ରିରେ ମଧ୍ୟ ସେ ତାଙ୍କର ଉପଦେଶକୁ ମୋର ମନରେ ପ୍ରବେଶ କରାନ୍ତି।

ମୁଁ ସବୁବେଳେ ସଦାପ୍ରଭୁଙ୍କୁ ମୋର ସମ୍ମୁଖରେ ରଖିଅଛି।
    ମୁଁ କେବେହେଲେ ତାଙ୍କର ଉପଯୁକ୍ତ ମାର୍ଗରୁ ବଞ୍ଚିତ ହେବି ନାହିଁ।
ତେଣୁ ମୋର ହୃଦୟ ଓ ଆତ୍ମା ଅତି ଆନନ୍ଦିତ ହେବ।
    ଏପରିକି ମୋର ଶରୀର ନିରାପଦରେ ରହିବ।
10 କାରଣ ତୁମ୍ଭେ ସଦାପ୍ରଭୁ, ମୋର ଆତ୍ମାକୁ ମୃତ୍ୟୁ ସ୍ଥାନରେ ପରିତ୍ୟାଗ କରିବ ନାହିଁ।
    ତୁମ୍ଭେ ଆପଣା ପବିତ୍ର ଜନକୁ ପୃଥିବୀରେ କ୍ଷୟ ହେବାକୁ ଦେବ ନାହିଁ।
11 ତୁମ୍ଭେ ମୋତେ ବଞ୍ଚିବା ପାଇଁ ଜୀବନପଥ ଶିକ୍ଷା ଦେବ।
ଯେହେତୁ ମୁଁ ତୁମ୍ଭ ସହିତ ଅଛି।
    ହେ ସଦାପ୍ରଭୁ, ତୁମ୍ଭେ ମୋତେ ସୁଖ ଶାନ୍ତିରେ ରହିବାକୁ ଦେବ।
    ଯେହେତୁ ମୁଁ ତୁମ୍ଭର ଦକ୍ଷିଣ ପାର୍ଶ୍ୱରେ ଅବସ୍ଥିତ, ତାହା ମୋ’ ପାଇଁ ନିତ୍ୟ ସୁଖଭୋଗ ଆଣିଦେବ।

ଦାନିୟେଲଙ୍କ ପୁସ୍ତକ 4:19-27

19 ତହିଁରେ ବେ‌‌ଲ୍‌‌‌‌ଟଶତ୍ସର ନାମକ ଦାନିୟେଲ କିଛିକ୍ଷଣ ଅବାକ୍ ହୋଇ ରହିଲେ। ତାଙ୍କର ଭାବନା ତାଙ୍କୁ ବ୍ୟାକୁଳିତ କଲା। ରାଜା ଉତ୍ତର କରି କହିଲା, “ହେ ବେ‌‌ଲ୍‌‌‌‌ଟଶତ୍ସର ସେହି ସ୍ୱପ୍ନ କିମ୍ବା ତାହାର ଅର୍ଥ ତୁମ୍ଭକୁ ବ୍ୟାକୁଳିତ ନ କରୁ।”

ବେ‌‌ଲ୍‌‌‌‌ଟଶତ୍ସର ଉତ୍ତର କରି କହିଲେ, “ହେ ମୋର ମହାଶୟ, ଯେଉଁମାନେ ଆପଣଙ୍କୁ ଘୃଣା କରନ୍ତି ସେମାନଙ୍କ ପାଇଁ ଏହି ସ୍ୱପ୍ନ ହେଉ ଓ ଆପଣଙ୍କ ବିପକ୍ଷମାନଙ୍କ ପ୍ରତି ତାହାର ଅର୍ଥ ଘଟୁ। 20-21 ଆପଣ ଯେଉଁ ବୃକ୍ଷ ଦେଖିଲେ, ତାହା ଶକ୍ତିଶାଳୀ ହୋଇ ବଢ଼ିଲା ଓ ଉଚ୍ଚତାରେ ଗଗନସ୍ପର୍ଶୀ ହେଲା। ତାହା ସମୁଦାୟ ପୃଥିବୀରେ ଦୃଶ୍ୟମାନ ହେଲା। ତାହାର ପତ୍ରସବୁ ସୁନ୍ଦର ହେଲା ଓ ସେଥିରେ ପ୍ରଚୁର ଫଳ ହେଲା। ସେଥିରେ ସମସ୍ତଙ୍କ ପାଇଁ ଖାଦ୍ୟ ଥିଲା। ଆଉ ତାହାର ତଳେ କ୍ଷେତ୍ରସ୍ଥ ପଶୁମାନେ ବାସ କଲେ ଓ ତାହାର ଶାଖା ଗୁଡ଼ିକ ଉପରେ ଆକାଶର ପକ୍ଷୀମାନେ ବସତି କଲେ। 22 ହେ ମହାରାଜ, ସେହି ବୃକ୍ଷ ଆପଣ ଅଟନ୍ତି। ଆପଣ ବୃଦ୍ଧି ପାଇ ବଳବାନ୍ ହୋଇଅଛନ୍ତି। କାରଣ ଆପଣଙ୍କର ମହତ୍ତ୍ୱ ବୃଦ୍ଧି ପାଇଅଛି ଓ ତାହା ଗଗନ ସ୍ପର୍ଶ କରୁଅଛି। ଆଉ ଆପଣଙ୍କର କର୍ତ୍ତୃତ୍ୱ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ବ୍ୟାପିଅଛି।

23 “ଏବଂ ଆପଣ ମଧ୍ୟ ଦେଖିଲେ ଯେ, ସ୍ୱର୍ଗରୁ ପବିତ୍ର ସ୍ୱର୍ଗଦୂତ ଓହ୍ଲାଇ ଆସି କହିଲେ, ‘ଏ ବୃକ୍ଷକୁ ବିନଷ୍ଟ କରି ଛେଦନ କର। କିନ୍ତୁ ଏହା ମୂଳକୁ ଲୌହ ଓ ପିତ୍ତଳ ବେଡ଼ିରେ ବାନ୍ଧି କ୍ଷେତ୍ରସ୍ଥ କୋମଳ ତୃଣ ମଧ୍ୟରେ ରଖ। ଆଉ ତାହା ଆକାଶର କାକରରେ ତିନ୍ତୁ ଓ ତାହା ଉପରେ ସାତ ବର୍ଷ ଅତିକ୍ରମ କରିବା ପର୍ଯ୍ୟନ୍ତ କ୍ଷେତ୍ରସ୍ଥ ପଶୁଗଣ ସହିତ ତାହାର ଅଂଶ ହେଉ।’

24 “ହେ ମହାରାଜ, ଏଥିର ଅର୍ଥ ଏହି। ଆଉ ସର୍ବୋପରିସ୍ଥ ମୋର ସଦାପ୍ରଭୁ ମହାରାଜାଙ୍କ ପ୍ରତି ଏହା ଘଟିବ ବୋଲି ନିରୂପଣ କରିଛନ୍ତି। 25 ତୁମ୍ଭେ ମନୁଷ୍ୟମାନଙ୍କ ସଙ୍ଗ ମଧ୍ୟରୁ ବିତାଡ଼ିତ ହେବ ଓ କ୍ଷେତ୍ରସ୍ଥ ପଶୁମାନଙ୍କ ସହିତ ବାସ କରିବ ଏବଂ ଆଉ ତୁମ୍ଭେ ଗୋରୁମାନଙ୍କ ପରି ତୃଣ ଭୋଜନ କରି ବଞ୍ଚିବ ଓ ଆକାଶର କାକରରେ ତିନ୍ତିବ। ଏହିରୂପେ ତୁମ୍ଭ ଉପରେ ସାତ ବର୍ଷ ଅତିକ୍ରମ କରିବ। ଶେଷରେ ତୁମ୍ଭେ ଅନୁଭବ କରିବ ଯେ, ସେ ସର୍ବୋପରିସ୍ଥ ପରମେଶ୍ୱର ଯାହାକୁ ଇଚ୍ଛା କରନ୍ତି, ତାକୁ ରାଜ୍ୟ ଦାନ କରନ୍ତି।

26 “ଆଉ ବୃକ୍ଷର ମୂଳ, ଗଣ୍ତି ଛାଡ଼ିବାକୁ ଆଜ୍ଞା ଦିଆଯିବାର ଅର୍ଥ ଏହି ଯେ, ତୁମ୍ଭେ ପୁଣି ତୁମ୍ଭର ରାଜ୍ୟ ଫେରି ପାଇବ, କିନ୍ତୁ ତୁମ୍ଭେ ନିଶ୍ଚିତ ଅନୁଭବ କରିବା ଉଚିତ୍ ଯେ, ସର୍ବୋପରିସ୍ଥ ପରମେଶ୍ୱର ରାଜ୍ୟରେ ଶାସନ କରନ୍ତି। 27 ତେଣୁ ହେ ମହାରାଜ, ଆପଣ ମୋର ଉପଦେଶ ଗ୍ରହଣ କରନ୍ତୁ। ଆପଣ ଧାର୍ମିକତା ବଳରେ ପାପରାଶି ଦୂର କରନ୍ତୁ ଓ ଦରିଦ୍ରମାନଙ୍କୁ ଦୟା ଦେଖାଇ ଆପଣା ଅଧର୍ମ ସକଳ ଦୂର କରନ୍ତୁ। ତାହାହେଲେ ଆପଣଙ୍କର ସଫଳତା ଓ ଶାନ୍ତିର କାଳ ବୃଦ୍ଧି ପାଇବ।”

କଲସୀୟଙ୍କ ପ୍ରତି ପତ୍ର 2:6-15

ଯୀଶୁ ଖ୍ରୀଷ୍ଟଙ୍କଠାରେ ରହିଥାଅ:

ତୁମ୍ଭେ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କୁ ଗ୍ରହଣ କରିଛ। ଅତଏବ କୌଣସି ଅସ୍ଥିରଚିତ୍ତ ନ ହୋଇ ତାହାଙ୍କୁ ଅନୁସରଣ କରିଗ୍ଭଲ। ତୁମ୍ଭେ କେବଳ ତାଙ୍କ ଉପରେ ନିର୍ଭର କର। ଜୀବନ ଓ ଶକ୍ତି ତାଙ୍କଠାରୁ ଆସେ। ତୁମ୍ଭକୁ ସତ୍ୟର ଶିକ୍ଷା ଦିଆଯାଇଛି। ସେହି ସତ୍ୟ ଶିକ୍ଷା ଉପରେ ତୁମ୍ଭର ଦୃଢ଼ ଆସ୍ଥା ରହିଥିବା ଉଚିତ୍। ପରମେଶ୍ୱରଙ୍କୁ ସବୁବେଳେ ଧନ୍ୟବାଦ ଦେଉଥାଅ।

ସାବଧାନ ରୁହ, ଯେପରି କେହି ତୁମ୍ଭକୁ ଅନର୍ଥକ, ଅସତ୍ୟ ଚିନ୍ତାଧାରା ଓ ବାକ୍ୟ ଦ୍ୱାରା ଭ୍ରାନ୍ତ ନ କରୁ। ଏହିଭଳି ଧାରଣାସବୁ ଖ୍ରୀଷ୍ଟଙ୍କଠାରୁ ନୁହେଁ, ମନୁଷ୍ୟଠାରୁ ଉତ୍ପନ୍ନ ହୁଏ। ଏହି ଧାରଣାଗୁଡ଼ିକ ହେଉଛି ସଂସାରର ଲୋକମାନଙ୍କର ମୂଲ୍ୟହୀନ ଧାରଣା। ପରମେଶ୍ୱର ଖ୍ରୀଷ୍ଟଙ୍କଠାରେ ପାର୍ଥିବ ଶରୀର ଧାରଣ କରି ବାସ କଲେ। 10 ଖ୍ରୀଷ୍ଟଙ୍କଠାରେ ତୁମ୍ଭେ ସମ୍ପୂର୍ଣ୍ଣ ଅଟ। ତୁମ୍ଭର ଆଉ କିଛି ଦରକାର ନାହିଁ। ସେ ହେଉଛନ୍ତି ଶାସକମାନଙ୍କର ଓ ଶକ୍ତିଗୁଡ଼ିକର ଶାସକ ବା ପ୍ରଧାନ।

11 ଖ୍ରୀଷ୍ଟଙ୍କଠାରେ ତୁମ୍ଭେମାନେ ଏକ ଭିନ୍ନ ପ୍ରକାରର ସୁନ୍ନତ ହୋଇଛ। ଏହି ସୁନ୍ନତ କୌଣସି ମଣିଷର ହାତ କରି ନାହିଁ। ଅର୍ଥାତ୍ ତୁମ୍ଭମାନଙ୍କୁ ତୁମ୍ଭର ପାପପୂର୍ଣ୍ଣ ଶକ୍ତିରୁ ମୁକ୍ତ କରାଯାଇଛି। ଖ୍ରୀଷ୍ଟ ଏହିଭଳି ସୁନ୍ନତ କରନ୍ତି। 12 ତୁମ୍ଭେ ଯେତେବେଳେ ବାପ୍ତିଜିତ ହୋଇଥିଲ, ତୁମ୍ଭର ପୁରୁଣା ସ୍ୱଭାବର ମୃତ୍ୟୁ ହେଲା ଓ ତୁମ୍ଭେ ଖ୍ରୀଷ୍ଟଙ୍କଠାରେ କବର ପ୍ରାପ୍ତ ହେଲ। ସେହି ବାପ୍ତିସ୍ମରେ ପରମେଶ୍ୱରଙ୍କ ଶକ୍ତିରେ ତୁମ୍ଭେ ବିଶ୍ୱାସ କରିଥିବା ହେତୁ ତୁମ୍ଭେ ଖ୍ରୀଷ୍ଟଙ୍କ ସହିତ ପୁଣି ପୁନରୁ‌ତ୍‌‌ଥିତ ହେଲ। ଯେତେବେଳେ ଖ୍ରୀଷ୍ଟ ମୃତ୍ୟୁରୁ ପୁନର୍ଜୀବିତ ହେଲେ, ସେତେବେଳେ ପରମେଶ୍ୱରଙ୍କ ଶକ୍ତି ଦେଖା ଯାଇଥିଲା।

13 ତୁମ୍ଭେ ନିଜର ପାପ ହେତୁରୁ ଏବଂ ତୁମ୍ଭର ପାପ ସ୍ୱଭାବ ହେତୁ ସ୍ୱାଧୀନ ନ ଥିବାରୁ ଆତ୍ମିକ ଭାବରେ ମୃତ ଥିଲ। କିନ୍ତୁ ପରମେଶ୍ୱର ତୁମ୍ଭକୁ ଖ୍ରୀଷ୍ଟଙ୍କ ସହିତ ପୁନର୍ଜୀବିତ କଲେ। ଏହା ସହିତ ପରମେଶ୍ୱର ଆମ୍ଭର ସମସ୍ତ ପାପଗୁଡ଼ିକୁ କ୍ଷମା ମଧ୍ୟ କଲେ। 14 ନିୟମଗୁଡ଼ିକ ପାଳନ ନ କରି ପାରିବା ଦ୍ୱାରା, ଆମ୍ଭ ବିରୁଦ୍ଧରେ ଲେଖା ଯାଇଥିବା ଚିଠାଟିକୁ ପରମେଶ୍ୱର ବ୍ୟର୍ଥ ବୋଲି ପ୍ରମାଣିତ କରି, ଆମ୍ଭକୁ କ୍ଷମା କଲେ। ଆମ୍ଭର ବିରୁଦ୍ଧାତ୍ମକ ସେହି ଚିଠାକୁ ପରମେଶ୍ୱର ନେଇଗଲେ ଓ କ୍ରୁଶ ଉପରେ ଟଙ୍ଗାଇ ଦେଲେ। 15 ପରମେଶ୍ୱର ଆତ୍ମିକ ଶାସକ ଓ ଶକ୍ତିଗୁଡ଼ିକୁ ପରାଜିତ କଲେ। କ୍ରୁଶ ଦ୍ୱାରା ସେ ଏମାନଙ୍କୁ ପରାଜିତ କଲେ ଓ ନିଜେ ବିଜୟୀ ହେଲେ। ପରମେଶ୍ୱର ସଂସାରକୁ ଦେଖାଇ ଦେଲେ ଯେ ସେମାନେ ଶକ୍ତିହୀନ ଅଟନ୍ତି।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center