Revised Common Lectionary (Complementary)
146 ସଦାପ୍ରଭୁଙ୍କର ପ୍ରଶଂସା କର!
ମୁଁ ନିଜକୁ କହେ, ସଦାପ୍ରଭୁଙ୍କର ପ୍ରଶଂସା କର।
2 ମୁଁ ଜୀବନସାରା ସଦାପ୍ରଭୁଙ୍କର ପ୍ରଶଂସା କରିବି।
ମୁଁ ଜୀବନସାରା ମୋର ପରମେଶ୍ୱରଙ୍କର ପ୍ରଶଂସାର ଗୀତ ଗାଇବି।
3 ସାହାଯ୍ୟ ପାଇଁ ଅଧିପତିମାନଙ୍କ ଉପରେ ନିର୍ଭର ରଖ ନାହିଁ।
ଲୋକମାନଙ୍କ ପ୍ରତି ଭରସା କର ନାହିଁ।
କାରଣ ଲୋକମାନେ ତୁମ୍ଭକୁ ରକ୍ଷା କରି ପାରିବେ ନାହିଁ।
4 ଲୋକମାନେ ମରନ୍ତି ଓ କବର ନିଅନ୍ତି।
ଆଉ ସେହି ଦିନ, ସେମାନଙ୍କର ଯୋଜନା ସବୁ ମଧ୍ୟ ମରିଯାଏ।
5 କିନ୍ତୁ ସେହିମାନେ ଭାଗ୍ୟବାନ୍ ଯେଉଁମାନଙ୍କର ଯାକୁବର ପରମେଶ୍ୱର ଅଛନ୍ତି, ସେହିମାନଙ୍କୁ ସାହାଯ୍ୟ କରିବା ପାଇଁ,
ସେହିମାନେ ସେମାନଙ୍କର ପରମେଶ୍ୱର ସଦାପ୍ରଭୁଙ୍କ ଉପରେ ନିର୍ଭର କରନ୍ତି।
6 ସଦାପ୍ରଭୁ ସ୍ୱର୍ଗ, ପୃଥିବୀ, ସମୁଦ୍ର
ଏବଂ ଏଥିରେ ଥିବା ପ୍ରତ୍ୟେକ ବସ୍ତୁ ମଧ୍ୟ ତିଆରି କଲେ।
ସେ ସର୍ବଦା ବିଶ୍ୱସ୍ତ ଅଟନ୍ତି।
7 ସଦାପ୍ରଭୁ ଉପଦ୍ରବ ଗ୍ରସ୍ତ ଲୋକ ପକ୍ଷରେ ଯାହା ନ୍ୟାୟ ତାହା କରନ୍ତି।
ସେ କ୍ଷୁଧାର୍ତ୍ତମାନଙ୍କୁ ଖାଦ୍ୟ ଦିଅନ୍ତି।
ସଦାପ୍ରଭୁ ବନ୍ଦୀଗଣଙ୍କୁ ମୁକ୍ତ କରନ୍ତି।
8 ସଦାପ୍ରଭୁ ଆମ୍ଭମାନଙ୍କୁ ଦୃଷ୍ଟି ପ୍ରଦାନ କରନ୍ତି।
ସଦାପ୍ରଭୁ ବିପଦରେ ପଡ଼ୁଥିବା ଲୋକମାନଙ୍କୁ ଉଠାନ୍ତି।
ସଦାପ୍ରଭୁ ଧାର୍ମିକମାନଙ୍କୁ ପ୍ରେମ କରନ୍ତି।
9 ସଦାପ୍ରଭୁ ଆମ୍ଭ ଦେଶରେ ରହୁଥିବା ବିଦେଶୀମାନଙ୍କୁ ରକ୍ଷା କରନ୍ତି।
ସେ ପିତୃହୀନ ଓ ବିଧବାଙ୍କର ଯତ୍ନ ନିଅନ୍ତି,
ମାତ୍ର ସେ ଦୁଷ୍ଟମାନଙ୍କୁ ଧ୍ୱଂସ କରନ୍ତି।
10 ସଦାପ୍ରଭୁ ଚିରକାଳ ରାଜ୍ୟ କରିବେ।
ହେ ସିୟୋନ, ତୁମ୍ଭର ପରମେଶ୍ୱର ସଦାସର୍ବଦା ରାଜ୍ୟ କରିବେ।
ସଦାପ୍ରଭୁଙ୍କର ପ୍ରଶଂସା କର।
ଋଣ ଛାଡ଼ର ବିଶେଷ ବର୍ଷ
15 “ପ୍ରତି ସାତ ବର୍ଷର ଶେଷରେ, ତୁମ୍ଭେମାନେ ସମସ୍ତ ଋଣ ଛାଡ଼ କରିଦେବ। 2 ଏହାର ବ୍ୟବସ୍ଥା ଏହିପରି ହେବ ଯେକେହି ଆପଣା ପ୍ରତିବାସୀକୁ କରଜ ଦେଇଛି ତାହା ସେ ଛାଡ଼ କରିଦେବ। ସେ ତା'ର ପଡ଼ୋଶୀଙ୍କୁ ଋଣ ପରିଶୋଧ ନିମନ୍ତେ ପଗ୍ଭରିବା ଉଚିତ୍ ନୁହଁ। କାରଣ ସଦାପ୍ରଭୁ ବ୍ୟବସ୍ଥା ଅନୁଯାୟୀ ସେ ଏହାକୁ ଋଣ ଛାଡ଼ର ବର୍ଷ ଘୋଷଣା କରିଛନ୍ତି। 3 ତୁମ୍ଭେମାନେ ବିଦେଶୀମାନଙ୍କଠାରୁ ଏହି ଋଣ ପରିଶୋଧ କରି ପାରିବ କିନ୍ତୁ ଆପଣା ଭାଇ ଇସ୍ରାଏଲୀୟବାସୀଙ୍କୁ ତାହା ଛାଡ଼ କରିଦେବ। 4 ତଥାପି ତୁମ୍ଭ ଦେଶରେ କେହି ଗରିବ ହେବେ ନାହିଁ। କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ଏହି ଦେଶ ଦେଇଛନ୍ତି। ଏବଂ ସଦାପ୍ରଭୁ ତୁମ୍ଭମାନଙ୍କୁ ଅନ୍ତରଭରା ଆଶୀର୍ବାଦ କରିଛନ୍ତି। 5 କିନ୍ତୁ ଏପରି ହେବ ଯଦି ତୁମ୍ଭେମାନେ ସଦାପ୍ରଭୁ ପରମେଶ୍ୱରଙ୍କର ଆଜ୍ଞା ଓ ବିଧିମାନ ପାଳନ କରି ଚଳିବ। ତୁମ୍ଭେମାନେ ସାବଧାନତା ସହକାରେ ମୁଁ ଆଜି ତୁମ୍ଭକୁ ଯେଉଁ ଆଜ୍ଞା ବିଧି କହୁଅଛି ତାହା ପାଳନ କରିବ। 6 ତେବେ ତାଙ୍କର ପ୍ରତିଜ୍ଞା ଅନୁସାରେ ତୁମ୍ଭର ସଦାପ୍ରଭୁ ପରମେଶ୍ୱର ତୁମ୍ଭମାନଙ୍କୁ ଆଶୀର୍ବାଦ କରିବେ। ଏବଂ ତୁମ୍ଭେମାନେ ଅନେକ ରାଷ୍ଟ୍ରମାନଙ୍କୁ ଋଣ ଦେବ, ମାତ୍ର ତୁମ୍ଭେ ଋଣ କରିବ ନାହିଁ। ତୁମ୍ଭେମାନେ ଅନ୍ୟରାଷ୍ଟ୍ରମାନଙ୍କୁ ଶାସନ କରିବ ମାତ୍ର ତୁମ୍ଭ ଉପରେ କେହି ଶାସନ କରି ପାରିବେ ନାହିଁ।
7 “ଯେତେବେଳେ ତୁମ୍ଭେମାନେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କ ଦତ୍ତ ଦେଶରେ ବାସ କରିବ, ସେତେବେଳେ ତୁମ୍ଭମାନଙ୍କ ମଧ୍ୟରେ ଥିବା ଦରିଦ୍ର ଲୋକମାନଙ୍କୁ ଦୟା କରିବ, ତୁମ୍ଭେମାନେ ସ୍ୱାର୍ଥପର ହେବ ନାହିଁ। ତୁମ୍ଭେମାନେ ସେମାନଙ୍କୁ ସାହାଯ୍ୟ କରିବାକୁ ମନା କରିବ ନାହିଁ। 8 ତୁମ୍ଭେ ସେମାନଙ୍କ ପ୍ରତି କୃପା ଦୃଷ୍ଟି ରଖିବ, ତାହାର ପ୍ରୟୋଜନ ଅନୁସାରେ ତୁମ୍ଭେ ତାଙ୍କୁ ଯଥେଷ୍ଟ ରୂପେ ଋଣ ଦେବ।
9 “ଏପରି କାହାକୁ ଋଣ ଦେବାକୁ ମନା କର ନାହିଁ, ଯେହେତୁ ଋଣ କ୍ଷମାର ବର୍ଷ ନିକଟବର୍ତ୍ତୀ ହୋଇଗଲାଣି ବୋଲି। ତୁମ୍ଭମାନଙ୍କ ମଧ୍ୟରେ ଏପରି ମନ୍ଦ କଳ୍ପନା ରହିବା ଉଚିତ୍ ନୁହଁ। ସାବଧାନ ହୁଅ, ଗୋଟିଏ ନିଃଶ୍ୱ ଲୋକ ପ୍ରତି କୃପଣ ହୁଅ ନାହିଁ! କାରଣ ଯଦି ସେହି ବ୍ୟକ୍ତି ତୁମ୍ଭ ପ୍ରତିକୂଳରେ ସଦାପ୍ରଭୁଙ୍କୁ ଡାକେ, ତେବେ ତୁମ୍ଭକୁ ପାପରେ ଦୋଷୀ ବୋଲି ବିବେଚନା କରାଯିବ।
10 “ତୁମ୍ଭେମାନେ ନିଶ୍ଚିତ ଭାବରେ ହୃଦୟର ସହିତ ତାଙ୍କୁ ଦେବା ଉଚିତ୍। ତାଙ୍କୁ ଦେବା ବେଳେ ତୁମ୍ଭେ କୁଣ୍ଠିତ ହେବା ଉଚିତ୍ ନୁହେଁ। କାରଣ ସେହି କର୍ମ ହେତୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ସମସ୍ତ କର୍ମରେ ଓ ତୁମ୍ଭେ ଯେଉଁ ବିଷୟରେ ଧ୍ୟାନ ଦିଅ, ସଦାପ୍ରଭୁ ସେଥିରେ ତୁମ୍ଭକୁ ଆଶୀର୍ବାଦ କରିବେ। 11 ଦେଶରେ ସର୍ବଦା ଗରିବ ଲୋକ ରହିବେ। ଯେଉଁଥିପାଇଁ ଆମ୍ଭେ ତୁମ୍ଭକୁ ଆଜ୍ଞା ଦେଇ କହୁଛୁ, ତୁମ୍ଭେମାନେ ତୁମ୍ଭର ଦରିଦ୍ର ଭାଇମାନଙ୍କୁ ନିଶ୍ଚୟ ସାହାଯ୍ୟ କରିବ। ତାଙ୍କର ଆବଶ୍ୟକତା ଅନୁସାରେ ସେମାନଙ୍କୁ ସାହାଯ୍ୟ କର।
15 ଅତଏବ, ପରମେଶ୍ୱରଙ୍କ ପାଖରୁ ଯୀଶୁ ଖ୍ରୀଷ୍ଟ ଗୋଟିଏ ନୂତନ ନିୟମ ଆଣିଲେ। ଏହି ନୂତନ ନିୟମର ଉଦ୍ଦେଶ୍ୟ ଯେପରି ପରମେଶ୍ୱରଙ୍କ ଦ୍ୱାରା ଆହୂତ ପ୍ରତ୍ୟେକ ଲୋକ ପରମେଶ୍ୱରଙ୍କ ପ୍ରତିଜ୍ଞାର ଅଧିକାରୀ ହେବେ। ସେମାନେ ଅନନ୍ତକାଳ ଏହି ଅଧିକାର ଭୋଗ କରିବେ। କାରଣ ପ୍ରଥମ ନିୟମ କାଳରେ ଲୋକମାନେ ଯେଉଁ ପାପସବୁ କରିଥିଲେ, ତହିଁର ପ୍ରତିଦାନରେ ଖ୍ରୀଷ୍ଟ ମୃତ୍ୟୁ ବରଣ କଲେ।
16 ଯେତେବେଳେ ଜଣେ ଲୋକ ମୃତ୍ୟୁବରଣ କରେ ସେ ଗୋଟିଏ ଉଇଲ୍ ଛାଡ଼ି ଯାଏ। କିନ୍ତୁ ଲୋକେ ସେହି ଲୋକଜଣକର ମୃତ୍ୟୁ ପ୍ରମାଣିତ କରିବା ଉଚିତ୍। 17 ଚୁକ୍ତି ଲେଖିଥିବା ଲୋକ ଯଦି ଜୀବିତ, ତା'ହେଲେ ସେହି ଉଇଲ୍ଟି କାର୍ଯ୍ୟକାରୀ ହୋଇ ପାରିବ ନାହିଁ। ମଣିଷଟି ମରିଗଲା ପରେ ଯାଇ ଉଇଲ୍ଟି ଲାଗୁ ହୋଇ ପାରିବ। 18 ପରମେଶ୍ୱର ଓ ଲୋକଙ୍କ ମଧ୍ୟରେ ହୋଇଥିବା ପ୍ରଥମ ନିୟମ ଠିକ୍ ସେହିଭଳି। ପ୍ରଥମ ନିୟମ ମଧ୍ୟ ରକ୍ତଦ୍ୱାରା କାର୍ଯ୍ୟକାରୀ ହୋଇଥିଲା। 19 ପ୍ରଥମରେ, ବ୍ୟବସ୍ଥାର ପ୍ରତ୍ୟେକ ଈଶ୍ୱରୀୟ ଆଜ୍ଞା ମୋଶା ଲୋକମାନଙ୍କୁ କହିଥିଲେ। ତା'ପରେ ମୋଶା ବାଛୁରିଗୁଡ଼ିକର ରକ୍ତ ସହିତ ଜଳ ମିଶାଇଲେ। ତା'ପରେ ସେ ଲାଲ ରଙ୍ଗ ଓ ଏସୋବର ଡାଳଟିଏ ନେଇ ଜଳ ମିଶ୍ରିତ ରକ୍ତ ବ୍ୟବସ୍ଥା ପୁସ୍ତକ ତଥା ସବୁଲୋକଙ୍କ ଉପରେ ଛିଞ୍ଚିଲେ। 20 ତା'ପରେ ମୋଶା କହିଲେ, “ଯେଉଁ ନିୟମଗୁଡ଼ିକୁ ପରମେଶ୍ୱର ତୁମ୍ଭମାନଙ୍କୁ ପାଳନ କରିବା ପାଇଁ ଆଜ୍ଞା ଦେଇଛନ୍ତି, ସେହି ନିୟମର ରକ୍ତ ଏହି।” 21 ମୋଶା ପବିତ୍ର ତମ୍ବୁ ଉପରେ ସେହି ରକ୍ତ ଛିଞ୍ଚିଲେ। ଉପାସନା ପାଇଁ ଆବଶ୍ୟକ ହେଉଥିବା ପ୍ରତ୍ୟେକ ବସ୍ତୁ ଉପରେ ମଧ୍ୟ ସେ ସେହି ରକ୍ତ ଛିଞ୍ଚିଲେ। 22 ବ୍ୟବସ୍ଥା କୁହେ ଯେ, ପ୍ରତ୍ୟେକ ବସ୍ତୁ ରକ୍ତ ଦ୍ୱାରା ଶୁଦ୍ଧ ହୋଇ ପାରିବ। ଓ ବିନା ରକ୍ତରେ ପାପଗୁଡ଼ିକୁ କ୍ଷମା କରାଯାଇ ପାରିବ ନାହିଁ।
ଖ୍ରୀଷ୍ଟଙ୍କ ବଳିଦାନ ପାପଗୁଡ଼ିକୁ ଧୋଇ ଦିଏ
23 ସ୍ୱର୍ଗସ୍ଥ ବିଷୟ ଗୁଡ଼ିକର ପ୍ରତିକୃତିଗୁଡ଼ିକ ପଶୁବଳି ଦ୍ୱାରା ଶୁଦ୍ଧ କରାଯାଏ। କିନ୍ତୁ ସ୍ୱର୍ଗସ୍ଥ ବିଷୟରେ ଶୁଦ୍ଧତା ପାଇଁ ଅପେକ୍ଷାକୃତ ଭଲ ବଳି ଦରକାର। 24 ଖ୍ରୀଷ୍ଟ ମହାପବିତ୍ର ସ୍ଥାନ ଭିତରକୁ ଗଲେ। କିନ୍ତୁ ସେ ମନୁଷ୍ୟ ହସ୍ତନିର୍ମିତ ମହାପବିତ୍ର ସ୍ଥାନକୁ ଗଲେ ନାହିଁ। ଏହି ପରମ ପବିତ୍ର ସ୍ଥାନଟି ପ୍ରକୃତ ସ୍ଥାନର ପ୍ରତିକୃତି ମାତ୍ର। ଯୀଶୁ ସ୍ୱର୍ଗ ଭିତରକୁ ଗଲେ।
2010 by World Bible Translation Center