New Testament in a Year
ସ୍ୱର୍ଗରେ ଆନନ୍ଦ(A)
15 ଯୀଶୁଙ୍କ ଉପଦେଶ ଶୁଣିବା ପାଇଁ ଅନେକ କରଆଦାୟକାରୀ ଓ ଖରାପ ଲୋକମାନେ ଆସିବାକୁ ଲାଗିଲେ। 2 ଏହା ଦେଖି ଫାରୂଶୀ ଓ ଧର୍ମଶାସ୍ତ୍ରୀମାନେ ଅଭିଯୋଗ କରିବାକୁ ଆରମ୍ଭ କଲେ, “ଦେଖ, ଏହି ବ୍ୟକ୍ତି (ଯୀଶୁ) ପାପୀ ଲୋକମାନଙ୍କୁ ସ୍ୱାଗତ କରୁଛନ୍ତି ଓ ଏପରିକି ସେମାନଙ୍କ ସହିତ ଖାଉଛନ୍ତି।”
3 ଯୀଶୁ ସେମାନଙ୍କୁ ଏହି ଦୃଷ୍ଟାନ୍ତ କହିଲେ: 4 “ମନେକର ତୁମ୍ଭମାନଙ୍କ ଭିତରୁ ଜଣକର ଶହେଟି ମେଣ୍ଢା ଅଛି, କିନ୍ତୁ ସେଥିରୁ ଗୋଟିଏ ହଜିଗଲା। ତେବେ ସେ ଅନେଶ୍ୱତ ମେଣ୍ଢାଙ୍କୁ ଏକୁଟିଆ ଛାଡ଼ିଦେଇ ହଜି ଯାଇଥିବା ମେଣ୍ଢାଟିକୁ ଖୋଜିବା ପାଇଁ ବାହାରି ପଡ଼ିବ ଓ ତାକୁ ପାଇବା ପର୍ଯ୍ୟନ୍ତ ସେ ଖୋଜିବାକୁ ଲାଗିବ। 5 ମେଣ୍ଢାଟି ପାଇଗଲେ ସେ ବହୁତ ଖୁସୀ ହେବ। ସେ ମେଣ୍ଢାଟିକୁ କାନ୍ଧରେ ବସାଇ ଘରକୁ ଆଣିବ। 6 ସେ ତା’ ବନ୍ଧୁ ଓ ପଡ଼ୋଶୀମାନଙ୍କ ପାଖକୁ ଯାଇ କହିବ, ମୁଁ ମୋର ହଜି ଯାଇଥିବା ମେଣ୍ଢାଟି ପାଇ ଯାଇଛି। ମୁଁ ଅତ୍ୟନ୍ତ ଆନନ୍ଦିତ। ଆସ, ମୋ’ ସହିତ ତୁମ୍ଭେମାନେ ଆନନ୍ଦ କର। 7 ସେହିଭଳି ମୁଁ ତୁମ୍ଭମାନଙ୍କୁ କହୁଛି, ଯେତେବେଳେ ଜଣେ ପାପୀ ତା’ ହୃଦୟ ପରିବର୍ତ୍ତନ କରିଥାଏ, ସେତେବେଳେ ସ୍ୱର୍ଗରେ ଅଧିକ ଆନନ୍ଦ ହୁଏ। ଯେଉଁ ଲୋକମାନଙ୍କ ହୃଦୟ ପରିବର୍ତ୍ତନର ଆବଶ୍ୟକ ନାହିଁ, ଏପରି ଅନେଶ୍ୱତ ଧାର୍ମିକ ଲୋକଙ୍କ ଅପେକ୍ଷା ଗୋଟିଏ ପାପୀ ଲୋକର ହୃଦୟ ପରିବର୍ତ୍ତନ ହେଲେ ଅଧିକ ଆନନ୍ଦ ହୁଏ।
8 “ମନେକର ଜଣେ ସ୍ତ୍ରୀଲୋକର ଦଶଟି ରୂପା ମୁଦ୍ରା ଅଛି। କିନ୍ତୁ ସେଥିରୁ ଗୋଟିଏ ହଜିଗଲା। ତେବେ ସେହି ସ୍ତ୍ରୀଲୋକଟି ଆଲୁଅ ଲଗେଇ ଘର ସାରା ଭଲ କରି ଓଳେଇ ପକେଇବ ଓ ରୂପା ମୁଦ୍ରାଟି ନ ପାଇବା ପର୍ଯ୍ୟନ୍ତ ଗ୍ଭରିଆଡ଼େ ଖୋଜିବ। 9 ହଜି ଯାଇଥିବା ରୂପାମୁଦ୍ରାଟି ପାଇଗଲେ ସେ ତା’ ବନ୍ଧୁ ଓ ପଡ଼ୋଶୀମାନଙ୍କୁ ଡାକି କହିବ, ‘ମୁଁ ବହୁତ ଆନନ୍ଦିତ। କାରଣ ମୋର ହଜି ଯାଇଥିବା ରୂପା ମୁଦ୍ରାଟି ମିଳିଗଲା। ଆସ, ମୋ’ ସହିତ ଆନନ୍ଦ କର।’ 10 ସେହିଭଳି ଜଣେ ପାପୀ ତା’ ହୃଦୟ ପରିବର୍ତ୍ତନ କଲେ, ପରମେଶ୍ୱରଙ୍କ ଦୂତମାନେ ବହୁତ ଆନନ୍ଦିତ ହୁଅନ୍ତି।”
2010 by World Bible Translation Center