New Testament in a Year
ଫାରୂଶୀମାନଙ୍କ ଭଳି ହୁଅ ନାହିଁ
12 ହଜାର ହଜାର ଲୋକ ଆସି ଜମା ହୋଇ ଗଲେ। ଲୋକେ ଜଣେ ଜଣକୁ ମାଡ଼ି ପକାଉ ଥିଲେ। ଲୋକମାନଙ୍କୁ କହିବା ପୂର୍ବରୁ ଯୀଶୁ ପ୍ରଥମେ ନିଜ ଶିଷ୍ୟମାନଙ୍କୁ କହିଲେ, “ଫାରୂଶୀମାନଙ୍କ ଖମୀରଠାରୁ ଦୂରରେ ରୁହ। ମୋ’ କହିବାର ଅଭିପ୍ରାୟ ହେଉଛି ଯେ, ସେମାନେ କପଟୀ। 2 ଲୁଚି ରହିଥିବା ପ୍ରତ୍ୟେକ ଜିନିଷକୁ ପ୍ରକାଶ କରି ଦିଆ ଯିବ। ଗୋପନରେ ରହିଥିବା ପ୍ରତ୍ୟେକ ବିଷୟକୁ ପ୍ରକାଶ କରାଯିବ। 3 ତୁମ୍ଭେମାନେ ଅନ୍ଧକାରରେ କହୁଥିବା କଥା ଆଲୁଅରେ କହି ଦିଆ ଯିବ। ଗୋଟିଏ ଏକାନ୍ତ କୋଠରି ଭିତରେ ଚୁପ୍ କରି କାହା କାନରେ ତୁମ୍ଭେମାନେ କିଛି କହିଲେ ମଧ୍ୟ ତାହାକୁ ଘରର ଛାତ ଉପରୁ ଘୋଷଣା କରି ଦିଆ ଯିବ।”
କେବଳ ପରମେଶ୍ୱରଙ୍କୁ ଭୟ କର(A)
4 ତା’ପରେ ଯୀଶୁ ଲୋକମାନଙ୍କୁ କହିଲେ, “ହେ ମୋର ବନ୍ଧୁଗଣ! ମୁଁ ତୁମ୍ଭମାନଙ୍କୁ କହୁଛି, ଲୋକଙ୍କୁ ଭୟ କର ନାହିଁ। ଲୋକେ କେବଳ ଶରୀରକୁ ମାରି ପକାଇବେ। କିନ୍ତୁ ସେତିକି କରି ସାରିବା ପରେ ସେମାନେ ତୁମ୍ଭମାନଙ୍କର ଆଉ ଅଧିକା କିଛି କରି ପାରିବେ ନାହିଁ। 5 ତୁମ୍ଭେମାନେ ଯାହାକୁ ଭୟ କରିବା ଉଚିତ୍ ମୁଁ ତୁମ୍ଭମାନଙ୍କୁ ତାହାଙ୍କୁ ଦେଖାଇ ଦେବି। ତୁମ୍ଭମାନଙ୍କୁ ମାରି ସାରି ନର୍କରେ ଫିଙ୍ଗି ଦେବା ଶକ୍ତି ଯାହାର ଅଛି, ତୁମ୍ଭେମାନେ ସେହି ପରମେଶ୍ୱରଙ୍କୁ ଭୟ କରିବା ଉଚିତ୍। ହଁ, ମୁଁ ତୁମ୍ଭମାନଙ୍କୁ କହୁଛି, କେବଳ ତାହାଙ୍କୁ ଭୟ କର।
6 “ଚଢ଼େଇ ବିକାଯିବା ବେଳେ ପାଞ୍ଚଟା ଚଢ଼େଇଙ୍କର ମୂଲ୍ୟ ଅଳ୍ପ କେତେକ ପଇସା ହୁଏ। ତଥାପି, ପରମେଶ୍ୱର ସେମାନଙ୍କ ମଧ୍ୟରୁ ଗୋଟିକୁ ହେଲେ ଭୁଲି ଯାଆନ୍ତି ନାହିଁ। 7 ହଁ, ତୁମ୍ଭମାନଙ୍କ ମୁଣ୍ଡରେ କେତେ ଗୋଟି ବାଳ ଅଛି, ତାହା ମଧ୍ୟ ପରମେଶ୍ୱର ଜାଣନ୍ତି। ଭୟ କର ନାହିଁ। ତୁମ୍ଭମାନଙ୍କର ମୂଲ୍ୟ ଅନେକ ଚଢ଼େଇଙ୍କ ଅପେକ୍ଷା ବହୁତ ଅଧିକ।
ଯୀଶୁଙ୍କ ଯୋଗୁଁ ଲଜ୍ଜା କର ନାହିଁ(B)
8 “ମୁଁ ତୁମ୍ଭମାନଙ୍କୁ କହୁଛି, ଯେଉଁ ଲୋକ ସମସ୍ତଙ୍କ ଆଗରେ ଠିଆ ହୋଇ କହେ ଯେ ସେ ମୋ’ଠାରେ ବିଶ୍ୱାସ କରୁଛି, ତା’ହେଲେ ମୁଁ ମନୁଷ୍ୟପୁତ୍ର, ପରମେଶ୍ୱରଙ୍କ ଦୂତମାନଙ୍କ ଆଗରେ କହିବି ଯେ, ସେହି ଲୋକଟି ମୋର ନିଜର ଲୋକ। 9 କିନ୍ତୁ ଯେଉଁ ଲୋକ ଅନ୍ୟମାନଙ୍କ ଆଗରେ ଠିଆ ହୋଇ କୁହେ ଯେ, ସେ ମୋ’ଠାରେ ବିଶ୍ୱାସ କରେ ନାହିଁ, ତେବେ ମୁଁ ମଧ୍ୟ ପରମେଶ୍ୱରଙ୍କ ଦୂତମାନଙ୍କ ଆଗରେ କହିବି ଯେ ସେ ଲୋକ ମୋ’ ନିଜ ଲୋକ ନୁହେଁ।
10 “ମନୁଷ୍ୟପୁତ୍ରଙ୍କ ବିରୁଦ୍ଧରେ କିଛି କହୁଥିବା ଲୋକକୁ କ୍ଷମା କରି ଦିଆଯାଇ ପାରେ। କିନ୍ତୁ ପବିତ୍ରଆତ୍ମାଙ୍କ ବିରୁଦ୍ଧରେ କହୁଥିବା ଲୋକକୁ କ୍ଷମା କରାଯାଇ ପାରିବ ନାହିଁ।
11 “ଯେତେବେଳେ ଲୋକମାନେ ତୁମ୍ଭମାନଙ୍କୁ ଯିହୂଦୀ ପ୍ରାର୍ଥନାଗୃହ, ଶାସକ ଏବଂ ଅନ୍ୟାନ୍ୟ ଅଧିକାରୀମାନଙ୍କ ଆଗକୁ ଆଣିବେ, ସେତେବେଳେ ତୁମ୍ଭେମାନେ କିପରି ଉତ୍ତର ଦେବ, ଓ କ’ଣ କହିବ, ସେ ବିଷୟରେ ଆଦୌ ଚିନ୍ତା କର ନାହିଁ। 12 କାରଣ ସେହି ସମୟରେ ପବତ୍ର ଆତ୍ମା ତୁମ୍ଭମାନଙ୍କୁ ଶିଖାଇ ଦେବେ ତୁମ୍ଭମାନଙ୍କୁ କ’ଣ କହିବାକୁ ହେବ।।”
ସ୍ୱାର୍ଥପରତା ବିରୁଦ୍ଧରେ ଚେତାବନୀ
13 ଜନସମୂହ ମଧ୍ୟରୁ କେହି ଜଣେ ଯୀଶୁଙ୍କୁ କହିଲା, “ଗୁରୁ! ଆମ୍ଭର ବାପା ଏବେ ମରିଗଲେ। ଆମ୍ଭ ବାପାଙ୍କ ସମ୍ପତ୍ତିକୁ ଆମ୍ଭ ଭିତରେ ଭାଗ କରିବା ପାଇଁ ମୋ’ ଭାଇକୁ କୁହନ୍ତୁ।”
14 ଏହା ଶୁଣି ଯୀଶୁ କହିଲେ, “ମୋତେ ତୁମ୍ଭମାନଙ୍କର ବିଗ୍ଭର କରିବାକୁ କିମ୍ବା ତୁମ୍ଭ ବାପାଙ୍କ ସମ୍ପତ୍ତି ତୁମ୍ଭ ଦୁହିଁଙ୍କ ଭିତରେ ବାଣ୍ଟି ଦେବାକୁ କିଏ କହିଛି?” 15 ଯୀଶୁ କହିଲେ, “ସାବଧାନର ସହିତ ସମସ୍ତ ପ୍ରକାର ଲୋଭରୁ ନିଜକୁ ଦୂରରେ ରଖ। ନିଜର ଅଧିକାରରେ ଥିବା ବିପୁଳ ସମ୍ପତ୍ତିରୁ କେହି କେବେ ଜୀବନ ପାଇ ପାରେ ନାହିଁ।”
16 ତା’ପରେ ସେ ସେମାନଙ୍କୁ ଗୋଟିଏ ଦୃଷ୍ଟାନ୍ତ ଶୁଣାଇଲେ: “ଜଣେ ଧନୀ ଲୋକର କେତେକ ଜମି ଥିଲା। ସେହି ଜମିରେ ବହୁତ ଖାଦ୍ୟଶସ୍ୟ ଫଳିଲା। 17 ଲୋକଟି ମନେ ମନେ ଭାବିଲା, ‘ମୁଁ କ’ଣ କରିବି? ମୋ’ ପାଖରେ ମୋର ସବୁ ଶସ୍ୟତକ ରଖିବା ପାଇଁ ଜାଗା ନାହିଁ।
18 “ତା’ପରେ ସେ କହିଲା, ଠିକ୍ ଅଛି। କ’ଣ କରିବାକୁ ହେବ, ତାହା ମୁଁ ଜାଣିଛି। ମୁଁ ପ୍ରଥମେ ଅମାରଗୁଡ଼ିକ ଭାଙ୍ଗି ଦେଇ ବଡ଼ବଡ଼ ଅମାର ତିଆରି କରିବି ଏବଂ ସବୁତକ ଗହମ ଓ ଭଲ ଜିନିଷ ତକ ଏକାଠି ନୂଆ ଅମାରମାନଙ୍କରେ ରଖି ଦେବି। 19 ତା’ପରେ ମୁଁ ନିଜକୁ କହି ପାରିବି, ମୁଁ ଅନେକ ଉତ୍ତମ ପଦାର୍ଥ ଅନେକ ବର୍ଷ ପାଇଁ ସଞ୍ଚୟ କରି ରଖିଛି। ଏଥର ଆରାମ କର। ଖାଇପିଇ ମଉଜ କର।’
20 “କିନ୍ତୁ ପରମେଶ୍ୱର ତାହାକୁ କହିଲେ, ‘ଆରେ ନିର୍ବୋଧ ମନୁଷ୍ୟ! ଆଜି ରାତିରେ ତୁ ମରିଯିବୁ। ତୁ ଯେଉଁ ପଦାର୍ଥତକ ତୋ’ ପାଇଁ ସାଇତି କରି ରଖିଛୁ, ତାହା କ’ଣ ହେବ? ସେ ସବୁ କିଏ ଭୋଗ କରିବ?’
21 “ଯେଉଁ ଲୋକ କେବଳ ନିଜ ପାଇଁ ଅନେକ ପଦାର୍ଥ ସାଇତି କରି ରଖେ, ତାହା ପ୍ରତି ଏହିଭଳି ଘଟିବ। ପରମେଶ୍ୱରଙ୍କ ଦୃଷ୍ଟିରେ ସେହିଲୋକ ଆଦୌ ଧନୀ ନୁହେଁ।’
ପରମେଶ୍ୱରଙ୍କ ରାଜ୍ୟକୁ ପ୍ରଥମସ୍ଥାନ ଦେବା(C)
22 ଯୀଶୁ ପୁଣି ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, “ଏଣୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ କ’ଣ ଖାଇ ଜୀବନ ଧାରଣ କରିବ, ସେଥିପାଇଁ ଚିନ୍ତା କର ନାହିଁ। ଶରୀର ଆବୃତ କରିବା ପାଇଁ ଯେଉଁ ଲୁଗା ପଟା ଦରକାର, ସେଥିପାଇଁ ଚିନ୍ତା କର ନାହିଁ। 23 କାରଣ ଜୀବନ ଖାଇବାଠାରୁ ଓ ଶରୀର ପିନ୍ଧିବାଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ। 24 ପକ୍ଷୀଗୁଡ଼ିକୁ ଦେଖ। ସେମାନେ ବିହନ ବୁଣନ୍ତି ନାହିଁ, କି ଫସଲ ଅମଳ କରନ୍ତି ନାହିଁ। ସଞ୍ଚୟ କରିବା ପାଇଁ ପକ୍ଷୀମାନଙ୍କ ପାଖରେ ଭଣ୍ଡାର ନାହିଁ, କି ଅମାର ନାହିଁ। ତଥାପି ପରମେଶ୍ୱର ସେମାନଙ୍କୁ ଖାଇବାକୁ ଦେଇଥା’ନ୍ତି। ତୁମ୍ଭେମାନେ ତ ପକ୍ଷୀମାନଙ୍କ ଅପେକ୍ଷା କେତେ ଅଧିକ ମୂଲ୍ୟବାନ୍। 25 ତୁମ୍ଭମାନଙ୍କ ଭିତରେ କ’ଣ ଏପରି କିଏ ଅଛି, ଯେ କି ଏଗୁଡ଼ିକ ପାଇଁ ବ୍ୟସ୍ତ ହେବା ଦ୍ୱାରା ନିଜ ପରମାୟୁରେ ଆଉ ଘଡ଼ିଏ ସମୟ ଯୋଡ଼ି ପାରିବ? 26 ତେବେ ତୁମ୍ଭେମାନେ ଯଦି ଏଡ଼ିକି ଛୋଟିଆ କାମଟିଏ କରି ପାରିବ ନାହିଁ, ତେବେ ଅନ୍ୟସବୁ ବଡ଼ ବଡ଼ କାମ ପାଇଁ କାହିଁକି ବ୍ୟସ୍ତ ହୋଇ ପଡ଼ୁଛ?
27 “ବନ୍ୟ ଫୁଲଗୁଡ଼ିକୁ ଦେଖ, ସେମାନେ କିପରି ଫୁଟନ୍ତି? ସେମାନେ ପରିଶ୍ରମ କରନ୍ତି ନାହିଁ, କି ଲୁଗା ବୁଣନ୍ତି ନାହିଁ। କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ ସବୁଠାରୁ ମହାନ୍ ଓ ଧନବାନ ରାଜା ଶଲୋମନ ମଧ୍ୟ ସେହି ଫୁଲମାନଙ୍କ ମଧ୍ୟରୁ କୌଣସି ଗୋଟିଏ ପରି ସୁଦ୍ଧା ସୁସଜ୍ଜିତ ହୋଇପାରି ନ ଥିଲେ। 28 ପରମେଶ୍ୱର ପଡ଼ିଆର ଘାସକୁ ମଧ୍ୟ ସେହିପରି ବସ୍ତ୍ର ଦେଇଛନ୍ତି। ସେହି ଘାସ ଆଜି ବଞ୍ଚିଛି। ଆସନ୍ତା କାଲି ତାକୁ ନିଆଁରେ ଜଳିବା ପାଇଁ ଫିଙ୍ଗି ଦିଆଯିବ। ତୁମ୍ଭମାନଙ୍କ ଜାଣି ରଖିବା ଉଚିତ୍ ଯେ, ପରମେଶ୍ୱର ତୁମ୍ଭମାନଙ୍କୁ ତା’ଠାରୁ ବହୁତ ଅଧିକ ବସ୍ତ୍ର ଦେବେ। ପରମେଶ୍ୱରଙ୍କଠାରେ ତୁମ୍ଭମାନଙ୍କର କ’ଣ ଏତିକି ବିଶ୍ୱାସ ନାହିଁ?
29 “ତେଣୁ ତୁମ୍ଭେମାନେ କ’ଣ ଖାଇବ, କ’ଣ ପିଇବ ସେ ବିଷୟରେ ଆଦୌ ଚିନ୍ତା କର ନାହିଁ। ଆଦୌ ବ୍ୟସ୍ତ ହୁଅ ନାହିଁ। 30 ଏ ପୃଥିବୀରେ ସମସ୍ତେ ସେଗୁଡ଼ିକ ପାଇବା ପାଇଁ ଚେଷ୍ଟା କରୁଛନ୍ତି। ତୁମ୍ଭମାନଙ୍କର ପରମପିତା ଜାଣିଛନ୍ତି ଯେ, ତୁମ୍ଭମାନଙ୍କର ସେଗୁଡ଼ିକ ଦରକାର। 31 ବରଂ ତୁମ୍ଭମାନଙ୍କର ଯେଉଁ ବିଷୟଟି ଗ୍ଭହିଁବା ଉଚିତ୍, ତାହା ହେଉଛି ସ୍ୱର୍ଗରାଜ୍ୟ। ତାହାହେଲେ ତୁମ୍ଭେମାନେ ଦରକାର କରୁଥିବା ଏହି ସମସ୍ତ ବିଷୟ ତୁମ୍ଭମାନଙ୍କୁ ଦିଆଯିବ।
2010 by World Bible Translation Center