M’Cheyne Bible Reading Plan
ବନ୍ୟାର ଆରମ୍ଭ
7 ଏହା ପରେ ସଦାପ୍ରଭୁ ନୋହଙ୍କୁ କହିଲେ, “ମୁଁ ଦେଖିଛି ତୁମ୍ଭେ ଜଣେ ଧାର୍ମିକ ଲୋକ, ଏହି କାଳର ଦୁଷ୍ଟ ଲୋକମାନଙ୍କ ମଧ୍ୟରେ। ତେଣୁ ତୁମ୍ଭର ପରିବାର ଏକତ୍ରିତ ହୋଇ ଜାହାଜରେ ପ୍ରବେଶ କର। 2 ତୁମ୍ଭେ ତୁମ୍ଭ ସହିତ ସାତ ଯୋଡ଼ି ଶୁଚି ପଶୁ ଓ ଏକ ଯୋଡ଼ି ଅଶୁଚି ପଶୁ ନେଇ ଆସିବ। ପ୍ରତ୍ୟେକ ଯୋଡ଼ିରେ ଗୋଟିଏ ପୁରୁଷ ଓ ଗୋଟିଏ ସ୍ତ୍ରୀ ନିଶ୍ଚୟ ରହିବ। 3 ପ୍ରତ୍ୟେକ ପକ୍ଷୀ ଜାତିର ପୁରୁଷ ଓ ସ୍ତ୍ରୀ ସାତ ସାତ ଯୋଡ଼ି ସଙ୍ଗରେ ନିଅ, ବଂଶ ରକ୍ଷା କରିବା ପାଇଁ। 4 ସାତ ଦିନ ପରେ ମୁଁ ଗ୍ଭଳିଶ୍ ଦିବାରାତ୍ରି ପୃଥିବୀରେ ବୃଷ୍ଟି କରାଇବି। ପୃଥିବୀର ସମସ୍ତ ଜୀବିତ ପ୍ରାଣୀ ଓ ସେଠାକାର ସମସ୍ତ ଜିନିଷ ଧ୍ୱଂସ କରି ଦେବି, ଯାହା ମୁଁ ସୃଷ୍ଟି କରିଥିଲି।” 5 ନୋହ ସଦାପ୍ରଭୁଙ୍କ ବାକ୍ୟାନୁସାରେ ସମସ୍ତ କାର୍ଯ୍ୟ କଲେ।
6 ବନ୍ୟା ଆସିବା ସମୟରେ ନୋହଙ୍କୁ 600 ବର୍ଷ ବୟସ ହୋଇଥିଲା। 7 ନୋହ ଏବଂ ତାଙ୍କର ପରିବାର ବନ୍ୟାରୁ ରକ୍ଷା ପାଇବା ନିମିତ୍ତ ଜାହାଜ ମଧ୍ୟକୁ ଗଲେ। ଜାହାଜରେ ନୋହ, ତାଙ୍କର ସ୍ତ୍ରୀ, ପୁତ୍ର ଓ ପୁତ୍ରବଧୂମାନେ ଥିଲେ। 8 ସମସ୍ତ ପଶୁଗୁଡ଼ିକ ଶୁଚି ଓ ଅଶୁଚି ଓ ପଶୁପକ୍ଷୀବର୍ଗ ଓ ଭୂଚର ଉରୋଗାମୀ ଜନ୍ତୁବର୍ଗ ନୋହଙ୍କ ନିକଟକୁ ଯାଇ ଭିତରକୁ ଗଲେ। 9 ସେମାନେ ଯୋଡ଼ି ଯୋଡ଼ି କରି ପୁରୁଷ ଓ ସ୍ତ୍ରୀ, ଠିକ୍ ପରମେଶ୍ୱରଙ୍କ ଆଜ୍ଞାନୁସାରେ ନୋହଙ୍କ ନିକଟକୁ ଯାଇ ଜାହାଜରେ ପ୍ରବେଶ କଲେ। 10 ସାତ ଦିନ ପରେ ବନ୍ୟାର ପାଣି ପୃଥିବୀ ଉପରେ ଆରମ୍ଭ ହେଲା।
11-13 ଦ୍ୱିତୀୟ ମାସର ସତର ଦିବସ ଯେତେବେଳେ ନୋହଙ୍କୁ 600 ବର୍ଷ ବୟସ ହୋଇଥିଲା। ମହାସମୁଦ୍ରର ସମଗ୍ର ଜଳଧାର ଭାଙ୍ଗିଗଲା। ପୁଣି ଆକାଶସ୍ଥ ଦ୍ୱାର ସବୁ ମୁକ୍ତ ହେଲା। ତହିଁରେ ଗ୍ଭଳିଶ୍ ଦିବାରାତ୍ରି ବୃଷ୍ଟି ହେଲା। ସେହି ଦିନରେ ନୋହ, ଶେମ, ହାମ ଓ ଯେଫତ୍ ନୋହଙ୍କର ପୁତ୍ରମାନେ ଆଉ ସେମାନଙ୍କର ସ୍ତ୍ରୀମାନେ ଓ ନୋହଙ୍କର ସ୍ତ୍ରୀ ଜାହାଜରେ ପ୍ରବେଶ କଲେ। 14 ସେହି ଲୋକମାନେ ଏବଂ ପ୍ରତ୍ୟେକ ପ୍ରକାରର ପଶୁ, ସେହି ଜାହଜକୁ ପ୍ରବେଶ କଲେ। ସବୁ ପ୍ରକାରର ଗୃହପାଳିତ ପଶୁ, ସବୁପ୍ରକାର ଉରୋଗାମୀ ସବୁଜାତୀୟ ଭୂଚର ଓ ଖେଚର ପକ୍ଷୀ ସମସ୍ତ ଜାହାଜ ମଧ୍ୟକୁ ପ୍ରବେଶ କଲେ। 15 ନୋହଙ୍କ ସହିତ ଏହି ସମସ୍ତ ଜୀବ ଜାହାଜ ମଧ୍ୟରେ ରହିଲେ। ସମସ୍ତ ଜୀବିତ ପ୍ରାଣୀ ଯୋଡ଼ା ଯୋଡ଼ା ହୋଇ ଆସିଲେ। 16 ପରମେଶ୍ୱରଙ୍କର ଆଜ୍ଞାନୁସାରେ ଏକ ପୁରୁଷ ଏବଂ ଏକ ସ୍ତ୍ରୀ ପ୍ରତ୍ୟେକ ପ୍ରକାରର ଜାହାଜ ମଧ୍ୟକୁ ପ୍ରବେଶ କଲେ, ଏହା ପରେ ସଦାପ୍ରଭୁ ଜାହାଜର ଦ୍ୱାର ବନ୍ଦ କରିଦେଲେ।
17 ଗ୍ଭଳିଶ୍ ଦିନ ପୃଥିବୀରେ ଜଳପ୍ଳାବନ ହେଲା, ପୁଣି ଜଳ ବଢ଼ିବାରୁ ଜାହାଜ ଭୂମିକୁ ଛାଡ଼ି ଭାସିବାକୁ ଲାଗିଲା। 18 ପୃଥିବୀରେ କ୍ରମାନ୍ୱୟରେ ଜଳରାଶି ବଢ଼ିବାକୁ ଲାଗିଲା ଓ ସେଥିରେ ଜାହାଜ ଭାସିବାକୁ ଆରମ୍ଭ କଲା। 19 ପୃଥିବୀ ଉପରେ ଜଳ ଅତିଶୟ ବଢ଼ି ଆକାଶ ତଳସ୍ଥ ସମସ୍ତ ଉଚ୍ଚ ପର୍ବତ ମଗ୍ନ କଲା। 20 ଜଳରାଶିର ପତ୍ତନ ବଢ଼ିବାକୁ ଲାଗିଲା, ଏପରିକି ଉଚ୍ଚ ପର୍ବତ ଉପରେ ପନ୍ଦର ହାତ ପାଣି ଚଢ଼ି ରହିଲା।
21-22 ପୃଥିବୀ ପୃଷ୍ଠରୁ ପ୍ରତ୍ୟେକ ସଜୀବ ପ୍ରାଣୀ ମୃତ୍ୟୁବରଣ କଲେ। ପ୍ରତ୍ୟେକ ପୁରୁଷ ଓ ସ୍ତ୍ରୀ, ପ୍ରତ୍ୟେକ ପ୍ରକାର ପକ୍ଷୀ ଓ ପଶୁ ପୃଥିବୀ ପୃଷ୍ଠରୁ ମଲେ। ସମସ୍ତ ଭୂଚର ଓ ସମସ୍ତ ଉରୋଗାମୀ ଜୀବ ପୃଥିବୀ ପୃଷ୍ଠରୁ ଲୋପ ପାଇଗଲେ। 23 ଏହି ପ୍ରକାରେ ପରମେଶ୍ୱର ପୃଥିବୀରେ ବାସ କରୁଥିବା ସମସ୍ତ ଜୀବିତ ପ୍ରାଣୀଙ୍କୁ ନିଶ୍ଚିହ୍ନ କଲେ। ସମସ୍ତ ମନୁଷ୍ୟ, ପଶୁ, ସରୀସୃପ ପ୍ରାଣୀ, ଖେଚର ପକ୍ଷୀ, ପୃଥିବୀରେ ମୃତ୍ୟୁବରଣ କଲେ। କେବଳ ନୋହ ଓ ଜାହାଜରେ ଥିବା ଲୋକମାନେ ଏବଂ ପଶୁଗଣ ରକ୍ଷା ପାଇଗଲେ। 24 ଏହିପରି ଭାବରେ ପୃଥିବୀ 150 ଦିନ ପର୍ଯ୍ୟନ୍ତ ଜଳରେ ମଗ୍ନ ହୋଇ ରହିଲା।
ଲୋକଙ୍କୁ ଚିହ୍ନିବା ପାଇଁ ଯୀଶୁଙ୍କ ଉପଦେଶ(A)
7 “ଅନ୍ୟର ବିଗ୍ଭର କର ନାହିଁ, ତା’ହେଲେ ପରମେଶ୍ୱର ତୁମ୍ଭର ବିଗ୍ଭର କରିବେ ନାହିଁ। 2 ତୁମ୍ଭେ ଅନ୍ୟର ବିଗ୍ଭର କଲେ ଠିକ୍ ସେହିଭଳି ତୁମ୍ଭର ବି ବିଗ୍ଭର କରାଯିବ। ତୁମ୍ଭେ ଅନ୍ୟକୁ ଯେଉଁଥିରେ ତଉଲିବ, ପରମେଶ୍ୱର ତୁମ୍ଭକୁ ସେହିଥିରେ ତଉଲିବେ। ତୁମ୍ଭେ ଅନ୍ୟକୁ କ୍ଷମା ଦେଲେ ତୁମ୍ଭକୁ ବି କ୍ଷମା ଦିଆଯିବ।
3 “ତୁମ୍ଭେ ତୁମ୍ଭ ଭାଇ ଆଖିରେ ପଡ଼ିଥିବା କାଠଗୁଣ୍ଡଟି ପ୍ରତି କାହିଁକି ନଜର ଦେଉଛ କିନ୍ତୁ ତୁମ୍ଭ ନିଜ ଆଖିରେ ପଡ଼ିଥିବା କାଠଗୁଣ୍ଡଟି ଦେଖି ପାରୁ ନାହଁ? 4 ତୁମ୍ଭ ନିଜ ଆଖିରେ କାଠଗୁଣ୍ଡଟି ପଡ଼ିଥିବା ବେଳେ ତୁମ୍ଭେ ତୁମ୍ଭର ଭାଇକୁ କିପରି କହି ପାରୁଛ ଯେ, ଦେଖାଅ, ମୁଁ ତୁମ୍ଭ ଆଖିରୁ କାଠଗୁଣ୍ଡଟି କାଢ଼ି ଦେବି! 5 ରେ କପଟୀ, ଆଗ ନିଜ ଆଖିରୁ କାଠଗୁଣ୍ଡଟି ବାହାର କର, ତା’ହେଲେ ତୁମ୍ଭେ ନିଜେ ଠିକ୍ ଭାବରେ ଦେଖି ପାରିବ ଓ ତା’ପରେ ତୁମ୍ଭେ ତୁମ୍ଭ ଭାଇର ଆଖିରୁ କାଠଗୁଣ୍ଡଟି କାଢ଼ି ଆଣି ପାରିବ।
6 “କୁକୁରମାନଙ୍କୁ ପବିତ୍ର ବସ୍ତୁ ଦିଅ ନାହିଁ, କାରଣ ସେମାନେ ବୁଲି ପଡ଼ି ତୁମ୍ଭକୁ କାମୁଡ଼ି ପାରନ୍ତି। ଘୁଷୁରିମାନଙ୍କ ଆଗରେ ନିଜର ମୋତି ପକାଅ ନାହିଁ, କାରଣ ସେମାନେ ମୋତିକୁ ଗୋଡ଼ରେ ଦଳି ଦେଇ ଗ୍ଭଲିଯିବେ।
ଯାହାସବୁ ଗ୍ଭହୁଁଛ, ସେଥିପାଇଁ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଥାଅ(B)
7 “ମାଗ ସେଥିରେ ପରମେଶ୍ୱର ତାହା ତୁମ୍ଭକୁ ଦେବେ। ଖୋଜ ଏବଂ ତୁମ୍ଭେ ପାଇବ। ଦ୍ୱାରରେ ଠକ୍ ଠକ୍ କର ଓ ତାହା ତୁମ୍ଭପାଇଁ ଖୋଲିଯିବ। 8 କାରଣ ଯେଉଁ ଲୋକ ମାଗୁଥାଏ, ସେ ପାଏ। ଯେଉଁ ଲୋକ ଖୋଜୁଥାଏ, ସେ ପାଏ ଓ ଯେଉଁ ଲୋକ ଦ୍ୱାର ଠକ୍ ଠକ୍ କରୁଥାଏ, ତା’ ପାଇଁ କବାଟ ଖୋଲିଯାଏ।
9 “ତୁମ୍ଭର କାହାର ପୁଅଟିଏ ଅଛି କି? ଯଦି ତୁମ୍ଭ ପୁଅ ରୋଟୀ ଖଣ୍ଡିଏ ମାଗେ, ତୁମ୍ଭେ କ’ଣ ତାକୁ ପଥରଟିଏ ଦେବ। 10 ପୁଅ ମାଛଟିଏ ମାଗିଲେ, ତୁମ୍ଭେ କ’ଣ ତାକୁ ସାପଟିଏ ଦେବ? ନା! ତୁମ୍ଭେ ଦେବ ନାହିଁ? 11 ଏପରିକି ତୁମ୍ଭେ ମନ୍ଦ ଲୋକ ହୋଇ ମଧ୍ୟ ପିଲାମାନଙ୍କୁ କିଭଳି ଭଲ ଉପହାର ଦେବାକୁ ହୁଏ, ତାହା ତୁମ୍ଭେ ଜାଣ। ତେବେ ସ୍ୱର୍ଗରେ ରହୁଥିବା ତୁମ୍ଭର ପରମପିତା, ମାଗୁଥିବା ଲୋକକୁ ନିଶ୍ଚୟ କେତେ ଭଲ ଜିନିଷ ନ ଦେବେ!
ବ୍ୟବସ୍ଥାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିୟମ
12 “ଅନ୍ୟମାନେ ତୁମ୍ଭ ପାଇଁ ଯାହା କରିବେ ବୋଲି ତୁମ୍ଭେ ଗ୍ଭହୁଁଛ, ତୁମ୍ଭେ ନିଜେ ସେମାନଙ୍କ ପାଇଁ ସେହିଭଳି କର। ଏହା ହିଁ ମୋଶାଙ୍କ ବ୍ୟବସ୍ଥା ଓ ଭବିଷ୍ୟଦ୍ବକ୍ତାମାନଙ୍କର ଶିକ୍ଷାର ଅର୍ଥ।
ସ୍ୱର୍ଗ ଏବଂ ନର୍କର ମାର୍ଗ(C)
13 “ସ୍ୱର୍ଗ ପଥରେ କଢ଼ାଇ ନେଉଥିବା ଅଣଓସାରିଆ ଫାଟକ ଦେଇ ପ୍ରବେଶ କର। କାରଣ ଓସାରିଆ ଫାଟକ ଓ ପ୍ରଶସ୍ତ ରାସ୍ତା ନର୍କ ଆଡ଼କୁ ଯାଏ। ବହୁତ ଲୋକ ସେହି ରାସ୍ତାରେ ଯାଆନ୍ତି। 14 ବାସ୍ତବ ଜୀବନ ପଥରେ ଥିବା ଫାଟକ ବହୁତ ଛୋଟ। ବାସ୍ତବ ଜୀବନ ଆଡ଼କୁ ଯିବା ରାସ୍ତା ବହୁତ କଠିନ। ଖୁବ୍ କମ୍ ଲୋକ ସେ ରାସ୍ତା ଖୋଜି ପାଆନ୍ତି।
ଲୋକମାନଙ୍କ କର୍ମକୁ ଲକ୍ଷ୍ୟ କର(D)
15 “ଭଣ୍ଡ ଭବିଷ୍ୟଦ୍ବକ୍ତାଙ୍କଠାରୁ ଦୂରରେ ରୁହ। ସେମାନେ ତୁମ୍ଭ ପାଖକୁ ମେଣ୍ଢା ଭଳି ସରଳ ଓ ଭଦ୍ର ଭାବରେ ଆସନ୍ତି। କିନ୍ତୁ ସେମାନେ ପ୍ରକୃତରେ ହିଂସ୍ର ଗଧିଆ ଭଳି ଅଟନ୍ତି। 16 ତୁମ୍ଭେ ତାହାଙ୍କୁ ସେମାନଙ୍କର କାର୍ଯ୍ୟରୁ ଚିହ୍ନିବ। କଣ୍ଟା ବୁଦାରୁ ଯେପରି ଦ୍ରାକ୍ଷାରସ ମିଳେ ନାହିଁ କି ବଣୁଆ କଣ୍ଟାଗଛରୁ ଡିମିରି ଫଳ ଫଳେ ନାହିଁ, ସେହିପରି ଖରାପ ଲୋକଙ୍କ ଭିତରୁ ଭଲ ବିଷୟ ବାହାରି ନ ଥାଏ। 17 ପ୍ରତ୍ୟେକ ଭଲ ଗଛରେ ଭଲ ଫଳ ଫଳେ। କିନ୍ତୁ ଗୋଟିଏ ମନ୍ଦ ଗଛରେ ମନ୍ଦ ଫଳ ଫଳେ, 18 ଗୋଟିଏ ଭଲ ଗଛରେ ମନ୍ଦ ଫଳ ଫଳି ପାରିବ ନାହିଁ। କି ଗୋଟିଏ ମନ୍ଦ ଗଛରେ ଭଲ ଫଳ ଫଳି ପାରିବ ନାହିଁ। 19 ଯେଉଁ ଗଛରେ ଭଲ ଫଳ ଫଳେ ନାହିଁ, ତାହାକୁ କାଟି ଦିଆଯାଏ। 20 ତେଣୁ ମୁଁ ପୁଣି ଥରେ କହୁଛି ଯେ, ଏହି ଭଣ୍ତ ଲୋକମାନଙ୍କୁ ତୁମ୍ଭେ ତାହାଙ୍କ କାର୍ଯ୍ୟରୁ ଚିହ୍ନି ପାରିବ।
21 “ମୋତେ ‘ପ୍ରଭୁ’ ‘ପ୍ରଭୁ’ କହୁଥିବା ପ୍ରତ୍ୟେକ ଲୋକ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବେ ନାହିଁ। ଯେଉଁ ଲୋକ ସ୍ୱର୍ଗରେ ରହୁଥିବା ମୋର ପରମପିତାଙ୍କ ଇଚ୍ଛା ଅନୁଯାୟୀ କାମ କରେ, ସେହି ବ୍ୟକ୍ତି କେବଳ ସେଠାରେ ପ୍ରବେଶ କରିବ। 22 ସେହି ଶେଷ ଦିନରେ ଅନେକ ଲୋକ ମୋତେ ପଗ୍ଭରିବେ, ‘ପ୍ରଭୁ, ଆମ୍ଭେ କ’ଣ ତୁମ୍ଭ ନାମରେ ଭବିଷ୍ୟଦ୍ବାଣୀ କରି ନ ଥିଲୁ’? ତୁମ୍ଭ ନାମରେ କ’ଣ ଆମ୍ଭେ ଭୂତମାନଙ୍କୁ ବାହାର କରିଦେଇ ନ ଥିଲୁ? ଆମ୍ଭେ କ’ଣ ତୁମ୍ଭ ନାମରେ ଅନେକ ଆଶ୍ଚର୍ଯ୍ୟଜନକ କାମ କରି ନ ଥିଲୁ? 23 ତେବେ ମୁଁ ସେମାନଙ୍କୁ ଖୋଲାଖୋଲି ଭାବରେ କହିବି ଯେ, ‘ମୁଁ ତୁମ୍ଭକୁ ଆଦୌ ଜାଣିନି। ଆରେ କୁକର୍ମୀମାନେ, ମୋ’ ପାଖରୁ ଗ୍ଭଲିଯାଅ।’
ଜଣେ ବୁଦ୍ଧିମାନ ଓ ଜଣେ ମୂର୍ଖ(E)
24 “ତେଣୁ ଯେଉଁ ଲୋକ ମୋର ଏହି କଥାଗୁଡ଼ିକ ଶୁଣେ, ଏବଂ ତାହା ମାନି ଚଳେ, ସେ ଲୋକ ପଥର ଉପରେ ଘର ତୋଳିଥିବା ଗୋଟିଏ ବୁଦ୍ଧିମାନ ବ୍ୟକ୍ତିଭଳି। 25 ବର୍ଷା ହେଲା, ବଢ଼ି ମାଡ଼ି ଆସିଲା, ପବନ ବହିଲା ଓ ସେ ଘରକୁ ଧକ୍କା ଦେଲା, କିନ୍ତୁ ତଥାପି ସେ ଘର ଭାଙ୍ଗିଲା ନାହିଁ। କାରଣ ତା’ର ମୂଳଦୁଆ ପଥର ଉପରେ ରହିଥିଲା।
26 “କିନ୍ତୁ ଯେଉଁ ଲୋକ ମୋର ଏହି କଥାଗୁଡ଼ିକ ଶୁଣେ, କିନ୍ତୁ ସେଗୁଡ଼ିକୁ ମାନି ଚଳେ ନାହିଁ, ସେ ବାଲି ଉପରେ ଘର ତୋଳିଥିବା ଗୋଟିଏ ମୂର୍ଖ ବ୍ୟକ୍ତି ଭଳି। 27 ବର୍ଷା ହେଲା, ବଢ଼ି ମାଡ଼ି ଆସିଲା, ପବନ ବହିଲା ଓ ସେ ଘରକୁ ଧକ୍କା ଦେଲା ଏବଂ ସେହି ଘରଟି ପୁରାପୂରି ଭାଙ୍ଗି ପଡ଼ିଲା।”
28 ଯୀଶୁଙ୍କ ଏହିସବୁ କଥା କହିବା ଶେଷ ହେଲା, ତାହାଙ୍କ ଉପଦେଶ ଶୁଣି ଜମା ହୋଇଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ। 29 କାରଣ ସେ ସେମାନଙ୍କୁ ସେମାନଙ୍କର ଧର୍ମ-ଶାସ୍ତ୍ରୀଙ୍କ ଭଳି ଉପଦେଶ ନ ଦେଇ ଅଧିକାର ଥିବା ଜଣେ ଲୋକ ଭଳି ଉପଦେଶ ଦେଉଥିଲେ।
ଏଜ୍ରା ଯିରୁଶାଲମକୁ ଆସିଲେ
7 ଏହିସବୁ ଘଟଣାପରେ ପାରସ୍ୟ ରାଜା ଅର୍ତ୍ତକ୍ଷସ୍ତର ଶାସନ ସମୟରେ ସରାୟର ପୁତ୍ର ଏଜ୍ରା ବାବିଲରୁ ଯାତ୍ରା କଲେ। ଉକ୍ତ ସରାୟ ଅସରିୟର ପୁତ୍ର, ଅସରିୟ ହିଲ୍କିୟର ପୁତ୍ର ଥିଲା। 2 ହିଲ୍କିୟ, ଶଲ୍ଲୁମର ପୁତ୍ର, ଶଲ୍ଲୁମ ସାଦୋକର ପୁତ୍ର, ସାଦୋକ ଅହୀଟୂବ୍ର ପୁତ୍ର ଥିଲା। 3 ଅହୀଟୂବ୍ ଅମରିୟର ପୁତ୍ର ଥିଲା। ଅମରିୟ ଅସରିୟର ପୁତ୍ର ଥିଲା। ଅସରିୟ ମରାୟୋତର ପୁତ୍ର ଥିଲା। 4 ମରାୟୋତ୍ ସରହିୟର ପୁତ୍ର ଥିଲା। ସରହିୟ ଉଷିର ପୁତ୍ର ଥିଲା। ଉଷି ବୁକ୍କିର ପୁତ୍ର ଥିଲା। 5 ବୁକ୍କି ଅବୀଶୂୟର ପୁତ୍ର ଥିଲା। ଅବୀଶୂୟ ପୀନହସ୍ର ପୁତ୍ର ଥିଲା। ପୀନହସ୍ ଇଲିୟାସର ପୁତ୍ର ଥିଲା। ଇଲିୟାସର ପ୍ରଧାନ ଯାଜକ ହାରୋଣଙ୍କର ପୁତ୍ର ଥିଲା। ଏଜ୍ରା ବାବିଲରୁ ଯିରୁଶାଲମକୁ ଆସିଲେ। ଏଜ୍ରା ଜଣେ ଶିକ୍ଷକ ଥିଲେ। ସେ ମୋଶାଙ୍କର ବ୍ୟବସ୍ଥା ଖୁବ୍ ଭଲ ରୂପେ ଜାଣିଥିଲେ। ମୋଶାଙ୍କର ବ୍ୟବସ୍ଥା ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱରଙ୍କ ଦ୍ୱାରା ଦିଆଯାଇଥିଲା। ରାଜା ଅର୍ତ୍ତକ୍ଷସ୍ତ ଏଜ୍ରାଙ୍କୁ ସବୁ ଦେଲେ ଯାହା ସେ ମାଗିଲେ। କାରଣ ସଦାପ୍ରଭୁ ଏଜ୍ରାଙ୍କ ସହିତ ଥିଲେ।
6 ଏହି ଏଜ୍ରା ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ପ୍ରଦତ୍ତ ମୋଶା ବ୍ୟବସ୍ଥାରେ ନିପୁଣ ଅଧ୍ୟାପକ ଥିଲା। ସେ ଯାହା ମାଗୁଥିଲା ରାଜା ତାକୁ ତାହା ପ୍ରଦାନ କରୁଥିଲେ। କାରଣ ସଦାପ୍ରଭୁ ତା’ର ପରମେଶ୍ୱରଙ୍କ ହସ୍ତ ତା’ ଉପରେ ଥିଲା। 7 ଅର୍ତ୍ତକ୍ଷସ୍ତ ରାଜାର ସପ୍ତମ ବର୍ଷରେ ଇସ୍ରାଏଲ ସନ୍ତାନମାନଙ୍କର ଓ ଯାଜକମାନଙ୍କର ଓ ଲେବୀୟମାନଙ୍କର କେତେକ ଜଣ ପୁଣି ଗାୟକମାନେ ଓ ଦ୍ୱାରପାଳମାନେ ଓ ନଥୀନୀୟମାନେ ଯିରୁଶାଲମକୁ ଗଲେ। 8 ଆଉ ଏଜ୍ରା ପଞ୍ଚମ ମାସରେ ଅର୍ଥାତ୍ ରାଜାର ସେଇ ସପ୍ତମ ବର୍ଷରେ ଯିରୁଶାଲମରେ ଉପସ୍ଥିତ ହେଲେ। 9 କାରଣ ସେ ପ୍ରଥମ ମାସର ପ୍ରଥମ ଦିନ ବାବିଲରୁ ଯାତ୍ରା ଆରମ୍ଭ କଲେ, ପୁଣି ତାଙ୍କ ପ୍ରତି ସଦାପ୍ରଭୁ ପରମେଶ୍ୱରଙ୍କ ମଙ୍ଗଳମୟ ହସ୍ତର ସହାୟତା ପ୍ରମାଣେ ସେ ପଞ୍ଚମ ମାସର ପ୍ରଥମ ଦିନରେ ଯିରୁଶାଲମରେ ଉପସ୍ଥିତ ହେଲେ। 10 ଏଜ୍ରା ସଦାପ୍ରଭୁଙ୍କ ବ୍ୟବସ୍ଥା ଅନୁସନ୍ଧାନ ଓ ପାଳନ କରିବାରୁ ପୁଣି ଇସ୍ରାଏଲ ମଧ୍ୟରେ ବ୍ୟବସ୍ଥା ଓ ଆଜ୍ଞା ଶିକ୍ଷା ଦେବାକୁ ଆପଣାକୁ ବିନିଯୋଗ କରିଥିଲେ।
ଏଜ୍ରାଙ୍କ ନିକଟକୁ ରାଜା ଅର୍ତ୍ତକ୍ଷସ୍ତଙ୍କ ପତ୍ର
11 ରାଜା ଅର୍ତ୍ତକ୍ଷସ୍ତ ଏଜ୍ରା ଯାଜକକୁ ଏକ ପତ୍ର ଦେଇଥିଲେ। ଇସ୍ରାଏଲ ସମ୍ବନ୍ଧରେ ଏଜ୍ରା ସଦାପ୍ରଭୁଙ୍କର ଆଜ୍ଞାର ଲେଖକ ଓ ଶିକ୍ଷକ ଥିଲେ। ଏହା ହେଉଛି ସେହି ଚିଠିର ଅନୁଲିପି ଯାହା ଅର୍ତ୍ତକ୍ଷସ୍ତ ଏଜ୍ରାଙ୍କୁ ଦେଇଥିଲେ।
12 ରାଜାଧିରାଜ ଅର୍ତ୍ତକ୍ଷସ୍ତଠାରୁ,
ସ୍ୱର୍ଗସ୍ଥ ପରମେଶ୍ୱରଙ୍କର ବ୍ୟବସ୍ଥା ଶିକ୍ଷକ ଓ ଯାଜକ ଏଜ୍ରାକୁ ଅଭିନନ୍ଦନ।
13 ମୁଁ ଆଜ୍ଞା କରୁଅଛି, ଯେ ମୋ’ ରାଜ୍ୟସ୍ଥିତ ଇସ୍ରାଏଲ ମଧ୍ୟରୁ ଯେତେ ଲୋକ, ସେମାନଙ୍କର ଯାଜକ ଓ ଲେବୀୟମାନେ ଯିରୁଶାଲମକୁ ସ୍ୱଇଚ୍ଛାରେ ଯିବାକୁ ମନ କରନ୍ତି। ସେମାନେ ତୁମ୍ଭ ଏଜ୍ରାଙ୍କ ସଙ୍ଗେ ଯା’ନ୍ତୁ।
14 ଏଜ୍ରା, ମୁଁ ଏବଂ ମୋର ସାତ ଜଣ ଉପଦେଷ୍ଟା ତୁମ୍ଭ ସହିତ ପଠାଉଛୁ। ତୁମ୍ଭେ ଯିହୁଦା ଓ ଯିରୁଶାଲମକୁ ଯିବା ଉଚିତ୍। ପରମେଶ୍ୱରଙ୍କର ବ୍ୟବସ୍ଥା ବିଷୟବସ୍ତୁଗୁଡ଼ିକରେ ଧ୍ୟାନ ଦେବା ଉଚିତ୍, ଯେଉଁଥିରେ ତୁମ୍ଭେ ଜଣେ ବିଜ୍ଞ ଅଟ।
15 ମୁଁ ଏବଂ ମୋର ଉପଦେଷ୍ଟାମାନେ ତୁମ୍ଭକୁ ଯେଉଁ ସୁନା ଓ ରୂପା ଇସ୍ରାଏଲର ପରମେଶ୍ୱରଙ୍କୁ ଦେଇଅଛୁ। ପରମେଶ୍ୱର ଯିରୁଶାଲମରେ ବାସ କରନ୍ତି। ତୁମ୍ଭେ ନିଶ୍ଚିତ ଏହି ସୁନା ଓ ରୂପା ତୁମ୍ଭମାନଙ୍କ ସହିତ ନେବ। 16 ବାବିଲର ସମୁଦାୟ ପ୍ରଦେଶରେ ତୁମ୍ଭେ ସମସ୍ତ ସୁନା ଓ ରୂପା ପାଇବ। ପୁଣି ଲୋକମାନେ ଓ ଯାଜକମାନେ ସେମାନଙ୍କ ପରମେଶ୍ୱରଙ୍କ ଯିରୁଶାଲମସ୍ଥିତ ମନ୍ଦିର ପାଇଁ ସ୍ୱେଚ୍ଛାପୂର୍ବକ ଯାହା ଦେବେ ସେହିସବୁ ଉପହାର ନେବା ପାଇଁ ତୁମ୍ଭେ ରାଜା ଓ ତାଙ୍କର ସପ୍ତ ମନ୍ତ୍ରୀଙ୍କ ଦ୍ୱାରା ପ୍ରେରିତ ହେଉଅଛ।
17 ଏଣୁ ତୁମ୍ଭେ ଏହି ମୁଦ୍ରା ଦ୍ୱାରା ବୃଷ, ଅଣ୍ତିରା ମେଷ, ମେଷଶାବକ ଓ ତହିଁ ସଙ୍ଗେ ନିରୂପିତ ଶସ୍ୟ ଓ ପେୟନୈବେଦ୍ୟ କ୍ରୟ କରି ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଯିରୁଶାଲମସ୍ଥିତ ମନ୍ଦିରର ଯଜ୍ଞବେଦି ଉପରେ ଉତ୍ସର୍ଗ କରିବ। 18 ଆଉ ଅବଶିଷ୍ଟ ରୂପା ଓ ସୁନାରେ ତୁମ୍ଭକୁ ଓ ତୁମ୍ଭ ଭାତୃବର୍ଗଙ୍କୁ ଯାହା କରିବାକୁ ଭଲ ଦିଶିବ, ତାହା ତୁମ୍ଭେମାନେ ଆପଣାମାନଙ୍କ ପରମେଶ୍ୱରଙ୍କ ଇଚ୍ଛା ପ୍ରମାଣେ କରିବ। 19 ପୁଣି ତୁମ୍ଭେ ପରମେଶ୍ୱରଙ୍କ ମନ୍ଦିରର ସେବାର୍ଥକ ଯେ ସକଳପାତ୍ର ତୁମ୍ଭକୁ ଦିଆ ଯାଉଅଛି। ତାହା ସବୁ ଯିରୁଶାଲମର ପରମେଶ୍ୱରଙ୍କ ସମ୍ମୁଖରେ ସମର୍ପଣ କର। 20 ପୁଣି ତୁମ୍ଭ ପରମେଶ୍ୱରଙ୍କ ମନ୍ଦିର ନିମନ୍ତେ ପ୍ରୟୋଜନୀୟ ଯାହା ଯାହା ନେବାକୁ ପଡ଼ିବ ତାହା ରାଜାଙ୍କ ଭଣ୍ତାର ଗୃହରୁ ନିଅ।
21 ଆଉ ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ବ୍ୟବସ୍ଥା ଅଧ୍ୟାପକ ଯାଜକ ଏଜ୍ରା ଯାଜକ ତୁମ୍ଭମାନଙ୍କଠାରୁ ଯାହା ଯାହା ଲୋଡ଼ିବ। 22 ତାହା ସବୁ 100 ତାଳନ୍ତ ପର୍ଯ୍ୟନ୍ତ ରୂପା ଓ 100 ମହଣ ପର୍ଯ୍ୟନ୍ତ ଗହମ ଓ 100 ମହଣ ପର୍ଯ୍ୟନ୍ତ ଦ୍ରାକ୍ଷାରସ ଓ 100 ମହଣ ପର୍ଯ୍ୟନ୍ତ ତୈଳ ଓ ଅପରିମିତ ଲବଣ ଯତ୍ନପୂର୍ବକ ଦେବା ପାଇଁ ଆମ୍ଭେ ଅର୍ତ୍ତକ୍ଷସ୍ତ ରାଜା ନଦୀ ସେପାରିସ୍ଥ ସମସ୍ତ କୋଷାଧ୍ୟକ୍ଷଙ୍କୁ ଆଜ୍ଞା କରୁଅଛୁ। 23 ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ଦ୍ୱାରା ଯାହା ଯାହା ଆଜ୍ଞା କରାଯାଉଛି, ତାହା ସବୁ ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ମନ୍ଦିର ନିମନ୍ତେ ଠିକ୍ ରୂପେ କରାଯାଉ, କାରଣ ରାଜା ଓ ତାହାଙ୍କ ପୁତ୍ରଗଣର ରାଜ୍ୟବିରୁଦ୍ଧରେ କାହିଁକି କୋପ ବର୍ତ୍ତିବ।
24 ଆହୁରି ଯାଜକମାନଙ୍କର, ଲେବୀୟମାନଙ୍କର, ଗାୟକମାନଙ୍କର, ଦ୍ୱାରପାଳମାନଙ୍କର ନଥୀନୀୟମାନଙ୍କର ଓ ପରମେଶ୍ୱରଙ୍କ ଏହି ମନ୍ଦିରର ସେବକମାନଙ୍କର କାହାରି ଉପରେ କର, ରାଜସ୍ୱ ବା ମାସୁଲ ବସାଇବା ବ୍ୟବସ୍ଥା ବିରୁଦ୍ଧ ହେବ ବୋଲି ଆମ୍ଭେମାନେ ତୁମ୍ଭକୁ ଜଣାଉ ଅଛୁ। 25 ହେ ଏଜ୍ରା, ତୁମ୍ଭ ପରମେଶ୍ୱରଙ୍କ ବିଷୟକ ଯେଉଁଜ୍ଞାନ ତୁମ୍ଭ ହସ୍ତରେ ଅଛି, ତଦନୁସାରେ ନଦୀ ସେପାରିସ୍ଥ ସମସ୍ତ ଲୋକଙ୍କର ବିଗ୍ଭରାର୍ଥେ ଯେଉଁମାନେ ତୁମ୍ଭ ପରମେଶ୍ୱରଙ୍କ ବ୍ୟବସ୍ଥା ଜାଣନ୍ତି, ଏପରି ଶାସନକର୍ତ୍ତା ଓ ବିଗ୍ଭରକର୍ତ୍ତାମାନଙ୍କୁ ତୁମ୍ଭେ ନିଯୁକ୍ତି କର। ଆଉ ଯେ ତାହା ନ ଜାଣେ ତାହାକୁ ତୁମ୍ଭେ ଶିକ୍ଷା ଦିଅ। 26 ଯଦି କୌଣସି ଲୋକ ତୁମ୍ଭ ପରମେଶ୍ୱରଙ୍କ ବ୍ୟବସ୍ଥା ନ ମାନିବ, ରାଜାଙ୍କର ବ୍ୟବସ୍ଥା ନ ମାନିବ, ସେମାନେ ନିଶ୍ଚିତରେ ଦଣ୍ତିତ ହେବେ। ତାହାର ଏହି ଦଣ୍ତ ତାର ଦୋଷ ଉପରେ ନିର୍ଭର କରେ। ତାହା ମୃତ୍ୟୁଦଣ୍ତ ହୋଇପାରେ, ନିର୍ବାସିତ ହୋଇପାରେ, ତାକୁ ଅର୍ଥଦଣ୍ତ ହୋଇପାରେ ବା ବନ୍ଦୀତ୍ୱ ଦଣ୍ତ ଦିଆଯାଇ ପାରେ।
ଏଜ୍ରାଙ୍କର ପରମେଶ୍ୱରଙ୍କୁ ପ୍ରଶଂସା
27 ସଦାପ୍ରଭୁ, ଆମ୍ଭ ପୂର୍ବପୁରୁଷମାନଙ୍କ ପରମେଶ୍ୱରଙ୍କର ପ୍ରଶଂସା କର। ଯିରୁଶାଲମସ୍ଥ ସଦାପ୍ରଭୁଙ୍କ ମନ୍ଦିରକୁ ସମ୍ମାନ କରିବାକୁ ରାଜାର ଅନ୍ତଃକରଣରେ ପରମେଶ୍ୱର ଏହିପରି ମନୋଭାବ ଦେଇଅଛନ୍ତି। ଯିରୁଶାଲମସ୍ଥ ସଦାପ୍ରଭୁଙ୍କ ମନ୍ଦିରକୁ ସମ୍ମାନ କରିବାକୁ ରାଜାର ଅନ୍ତଃକରଣରେ ପରମେଶ୍ୱର ଏହିପରି ପ୍ରବୃତ୍ତି ଦେଇଅଛନ୍ତି। 28 ପୁଣି ସେ ରାଜାର ଓ ତାଙ୍କର ମନ୍ତ୍ରୀଗଣର ଓ ରାଜାଙ୍କର ପରାକ୍ରାନ୍ତ ଅଧିପତି ସମସ୍ତଙ୍କ ସାକ୍ଷାତରେ ମୋ’ ପ୍ରତି ଅଧିକ ଦୟା ପ୍ରକାଶ କରିଅଛନ୍ତି। ମୁଁ ଶକ୍ତିଶାଳୀ ହେଲି କାରଣ ସଦାପ୍ରଭୁ ପରମେଶ୍ୱରଙ୍କର ହସ୍ତ ମୋ’ ଉପରେ ଥିଲା। ଏହି ପ୍ରକାରେ ମୁଁ ଇସ୍ରାଏଲର ଲୋକମାନଙ୍କର ମୁଖ୍ୟମାନଙ୍କୁ ମୋ’ ସହିତ ଯିବା ପାଇଁ ଏକତ୍ରିତ କଲି।
ସ୍ତିଫାନଙ୍କ ଭାଷଣ
7 ମହାଯାଜକ ସ୍ତିଫାନଙ୍କୁ ପଗ୍ଭରିଲେ, “ଏସବୁ କଥା କ’ଣ ସତ୍ୟ?” 2 ସେ ଉତ୍ତର ଦେଲେ, “ମୋର ଯିହୂଦୀ ପିତାମାନେ ଓ ଭାଇମାନେ, ମୋ’ କଥା ଶୁଣ। ଆମ୍ଭର ପିତା ଅବ୍ରହାମ ହାରୋଣ ନଗରରେ ବାସ କରିବା ପୂର୍ବରୁ ଯେତେବେଳେ ମେସପତାମିଆରେ ଥିଲେ, ସେତେବେଳେ ଗୌରବମୟ ପରମେଶ୍ୱର ତାହାଙ୍କୁ ଦର୍ଶନ ଦେଇ କହିଲେ, 3 ‘ତୁମ୍ଭେ ନିଜ ଦେଶ ଓ ବନ୍ଧୁବର୍ଗଙ୍କୁ ଛାଡ଼ି ମୁଁ ତୁମ୍ଭକୁ ଯେଉଁ ଦେଶ ଦେଖାଇବି, ସେ ଦେଶକୁ ଗ୍ଭଲିଯାଅ।’ [a]
4 “ତେଣୁ ସେ କଲଦୀୟମାନଙ୍କ ସ୍ଥାନ ତ୍ୟାଗ କରି ହାରଣରେ ବାସ କଲେ। ତାହାଙ୍କ ପିତାଙ୍କ ମୃତ୍ୟୁ ପରେ ପରମେଶ୍ୱର ତାହାଙ୍କୁ ଏଠାକୁ ଆଣିଲେ, ଯେଉଁଠି ତୁମ୍ଭେମାନେ ବର୍ତ୍ତମାନ ରହୁଛ। 5 ପରମେଶ୍ୱର ତାହାଙ୍କୁ କିଛି ଦେଲ ନାହିଁ। ଏପରିକି ଗୋଟିଏ ଫୁଟ ଜାଗା ମଧ୍ୟ ନୁହେଁ। ସେତେବେଳେ ତାହାଙ୍କର କିଛି ପିଲାପିଲି ନ ଥିଲା। ପରମେଶ୍ୱର ତାହାଙ୍କୁ ଓ ତାହାଙ୍କର ଭବିଷ୍ୟତ୍ ଉତ୍ତରାଧିକାରୀଙ୍କୁ ଏହି ଭୂମି ଏକ ଅଧିକାର ରୂପେ ଦେବା ପାଇଁ ପ୍ରତିଜ୍ଞା କରିଥିଲେ।
6 “ପରମେଶ୍ୱର ତାହାଙ୍କୁ ଏହିକଥା କହିଥିଲେ, ‘ତୁମ୍ଭର ସନ୍ତାନମାନେ ବିଦେଶରେ ଦାସ କର୍ମ କରିବେ। ସେମାନେ ତାହାଙ୍କୁ ଗ୍ଭରିଶହ ବର୍ଷ ପର୍ଯ୍ୟନ୍ତ ଖରାପ ବ୍ୟବହାର କରିବେ।’ [b] 7 ପରମେଶ୍ୱର କହିଲେ, ‘ଯେଉଁମାନେ ସେମାନଙ୍କୁ ଦାସ କରି ରଖିଛନ୍ତି, ମୁଁ ସେମାନଙ୍କୁ ଦଣ୍ଡ ଦେବି। ତା’ପରେ ସେମାନେ ସେଠାରୁ ଆସି ଏହି ସ୍ଥାନରେ ମୋତେ ପୂଜା କରିବେ।’ [c]
8 “ଏହିପରି ପରମେଶ୍ୱର ଅବ୍ରହାମଙ୍କୁ ଏହି ଚୁକ୍ତି ପାଇଁ ସୁନ୍ନତର ଚିହ୍ନ ପ୍ରଦାନ କଲେ। ସେ ଇସ୍ହାକଙ୍କର ପିତା ହେଲେ। ଇସ୍ହାକଙ୍କ ଜନ୍ମର ଅଷ୍ଟମ ଦିନ ଅବ୍ରହାମ ତାହାଙ୍କର ସୁନ୍ନତ କଲେ ଓ ଇସ୍ହାକ ତାହାଙ୍କର ପୁତ୍ର ଯାକୁବର ସୁନ୍ନତ କଲେ। ପୁଣି ଯାକୁବ ତାହାଙ୍କ ବାରଜଣ ପୁତ୍ରଙ୍କର ସୁନ୍ନତ କଲେ, ଏହି ପୁତ୍ରମାନେ ଆମ୍ଭ ଗୋଷ୍ଠୀଗୁଡ଼ିକର ପିତା ହେଲେ।
9 “ସେହି ପୂର୍ବପୁରୁଷମାନେ ଯୋଷେଫଙ୍କର ପ୍ରତି ଈର୍ଷା କରି ତାହାଙ୍କୁ ମିଶର ଦେଶର ଜଣେ ଦାସ ଭାବରେ ବିକ୍ରୀ କରିଦେଲେ। କିନ୍ତୁ ପରମେଶ୍ୱର ଯୋଷେଫଙ୍କ ସହିତ ଥିଲେ। 10 ସେ ତାହାଙ୍କୁ ସବୁ ଅସୁବିଧାରୁ ରକ୍ଷା କଲେ। ସେ ତାହାଙ୍କୁ ଜ୍ଞାନ ଦେଲେ, ଓ ମିଶର ଦେଶର ରାଜା ଫାରୋଙ୍କର ଅନୁଗ୍ରହ ପାଇବା ପାଇଁ ସକ୍ଷମ କରାଇଲେ। ସେ ତାହାଙ୍କୁ ମିଶର ଦେଶର ଶାସକ ଓ ସମସ୍ତ ରାଜକୀୟ ସମ୍ପତ୍ତିର ଶାସନକର୍ତ୍ତା କରିଦେଲେ। 11 ସେ ସମୟରେ ସମଗ୍ର ମିଶର ଓ କିଣାନ ଦେଶରେ ଦୁର୍ଭିକ୍ଷ ପଡ଼ିବାରୁ ଲୋକେ ବହୁତ କଷ୍ଟରେ ପଡ଼ିଲେ। ଆମ୍ଭର ପୂର୍ବପୁରୁଷମାନେ ଖାଇବାକୁ କିଛି ପାଇଲେ ନାହିଁ।
12 “ମିଶରରେ ଶସ୍ୟଥିବା ଖବର ଶୁଣି ଯାକୁବ ପ୍ରଥମେ ଆମ୍ଭ ପୂର୍ବପୁରୁଷମାନଙ୍କୁ ସେଠାକୁ ପଠାଇଲେ। 13 ସେମାନଙ୍କର ଦ୍ୱିତୀୟ ଥର ଯିବା ସମୟରେ ଯୋଷେଫ ନିଜ ଭାଇମାନଙ୍କ ପାଖରେ ପରିଚିତ ହେଲେ ଓ ଫାରୋ ଯୋଷେଫଙ୍କ ପରିବାର ବିଷୟରେ ଜାଣିଲେ। 14 ତେଣୁ ଯୋଷେଫ ତାହାଙ୍କ ଭାଇମାନଙ୍କୁ ପଠାଇ ନିଜ ପିତା ଯାକୁବ ଓ ସମସ୍ତ ସମ୍ପର୍କୀୟଙ୍କୁ ନିଜ ପାଖକୁ ଡକେଇ ଆଣିଲେ। ସେମାନେ ସମୁଦାୟ ସତୁରି ଜଣ ଥିଲେ। 15 ତା’ପରେ ଯାକୁବ ମିଶର ଦେଶକୁ ଗଲେ। ସେଠାରେ ସେ ନିଜେ ଓ ଆମ୍ଭର ପୂର୍ବପୁରୁଷମାନେ ମୃତ୍ୟୁ ବରଣ କଲେ। 16 ସେମାନଙ୍କୁ ଶିଖିମକୁ ନିଆଯାଇ କବର ଦିଆଗଲା। ଶିଖିମର ଏହି କବର ସ୍ଥାନକୁ ଅବ୍ରହାମ ହମୋରର ପୁତ୍ରମାନଙ୍କ ପାଖରୁ କିଛି ରୂପାଟଙ୍କା ଦେଇ କିଣିଥିଲେ।
17 “ଇତି ମଧ୍ୟରେ ମିଶର ଦେଶରେ ଇସ୍ରାଏଲ ଲୋକମାନଙ୍କର ସଂଖ୍ୟା ବଢ଼ିବାରେ ଲାଗିଲା। ପରମେଶ୍ୱର ଅବ୍ରହାମଙ୍କୁ ଯେଉଁସବୁ ପ୍ରତିଜ୍ଞା କରିଥିଲେ ତାହା ସତ୍ୟରେ ପରିଣତ ହୋଇଥିଲା। 18 ସେହି ସମୟରେ ଆଉ ଜଣେ ରାଜା ମିଶରକୁ ରାଜତ୍ୱ କରିବା ପାଇଁ ଆରମ୍ଭ କଲେ। ସେ ଯୋଷେଫଙ୍କୁ ଜାଣି ନ ଥିଲେ। 19 ସେ ନୂଆ ରାଜା ଆମ୍ଭ ଲୋକଙ୍କ ପ୍ରତି ନିଷ୍ଠୁର ଥିଲେ। ସେ ଆମ୍ଭ ପୂର୍ବପୁରୁଷମାନଙ୍କ ପ୍ରତି ଦୁର୍ବ୍ୟବହାର କଲେ। ରାଜା ସେମାନଙ୍କର ଶିଶୁମାନଙ୍କୁ ମାରିବା ପାଇଁ ବାହାରେ ପକେଇଦେବାକୁ ସେମାନଙ୍କୁ ବାଧ୍ୟ କଲେ।
20 “ଏହି ସମୟରେ ମୋଶା ଜନ୍ମ ଗ୍ରହଣ କଲେ। ସେ ବହୁତ ସୁନ୍ଦର ଥିଲେ। ତାହାଙ୍କୁ ପିତାଙ୍କ ଘରେ ତିନି ମାସ ପର୍ଯ୍ୟନ୍ତ ଲାଳନପାଳନ କରାଗଲା। 21 ତାହାଙ୍କୁ ବାହାରେ ପକାଇ ଦେବା ବେଳେ ଫାରୋଙ୍କର କନ୍ୟା ତାହାଙ୍କୁ ନେଲେ ଏବଂ ନିଜ ପୁତ୍ର ଭାବରେ ପାଳିଲେ। 22 ମୋଶା ମିଶରବାସୀମାନଙ୍କର ସମସ୍ତ ବିଦ୍ୟାରେ ଶିକ୍ଷିତ ହେଲେ। ସେ ନିଜ ବକ୍ତବ୍ୟ ଓ କାମରେ ଶକ୍ତିଶାଳୀ ଥିଲେ।
23 “ତାହାଙ୍କୁ ଗ୍ଭଳିଶ୍ ବର୍ଷ ବୟସ ହେବା ବେଳେ ସେ ନିଜ ଭାଇମାନଙ୍କୁ ତଥା ଇସ୍ରାଏଲ ଲୋକମାନଙ୍କୁ ସାକ୍ଷାତ କରିବା ପାଇଁ ଇଚ୍ଛା କଲେ। 24 ମୋଶା ସେଠାରେ ଜଣେ ମିଶରୀୟ, ଜଣେ ଯିହୂଦୀ ସହିତ ଅନ୍ୟାୟ କରୁଥିବାର ଦେଖିଲେ। ତେଣୁ ସେ ଯିହୂଦୀୟ ଜଣଙ୍କୁ ରକ୍ଷା କରିବାକୁ ଯାଇ ମିଶରୀୟକୁ ଦଣ୍ଡ ଦେଲେ। ସେ ତାହାକୁ ଏପରି ଆଘାତ କଲେ ଯେ, ମିଶରୀୟ ଜଣକ ସେହିଠାରେ ମରିଗଲା। 25 ମୋଶା ଭାବିଲେ ଯେ, ପରମେଶ୍ୱର ସେମାନଙ୍କର ମୁକ୍ତି ପାଇଁ ତାହାଙ୍କୁ ଏହି କାର୍ଯ୍ୟରେ ଲଗାଇ ଅଛନ୍ତି, ତାହା ତାହାଙ୍କ ଯିହୂଦୀୟ ଭାଇମାନେ ବୁଝିବେ, ମାତ୍ର ସେମାନେ ତାହା ବୁଝିଲେ ନାହିଁ।
26 “ତା’ ପରଦିନ ସେ ଦୁଇଜଣ ଯିହୂଦୀ ଲୋକଙ୍କୁ ପରସ୍ପର ମଧ୍ୟରେ କଳି କରୁଥିବାର ଦେଖିଲେ। ସେ ସେମାନଙ୍କ ମଧ୍ୟରେ ଶାନ୍ତି ସ୍ଥାପନ କରିବାକୁ ଚେଷ୍ଟା କଲେ ଓ କହିଲେ, ‘ହେ ଲୋକମାନେ, ତୁମ୍ଭେମାନେ ପରସ୍ପର ଭାଇ ଭାଇ। ତୁମ୍ଭେମାନେ ପରସ୍ପର ଭିତରେ କାହିଁକି କଳି କରୁଛ?’ 27 ଏହା ଶୁଣି ପଡ଼ୋଶୀ ପ୍ରତି ଅନ୍ୟାୟ କରୁଥିବା ଲୋକଟି ମୋଶାଙ୍କୁ ଠେଲିଦେଇ କହିଲା, ‘ତୁମ୍ଭକୁ ଆମ୍ଭ ଶାସକ ଓ ବିଗ୍ଭରକ ରୂପେ କିଏ ନିଯୁକ୍ତି ଦେଲା? 28 ଗତକାଲି ତୁମ୍ଭେ ଯେପରି ମିଶରୀୟକୁ ମାରିଦେଲ ସେହିପରି କ’ଣ ମୋତେ ମାରି ଦେବା ପାଇଁ?’ [d] 29 ମୋଶା ଏହା ଶୁଣି ଅତିଶୀଘ୍ର ମିଶରରୁ ଗ୍ଭଲିଗଲେ ଓ ମିଦିୟନ ଦେଶରେ ଜଣେ ବିଦେଶୀ ହୋଇ ରହିଲେ। ସେଠାରେ ତାହାଙ୍କର ଦୁଇଟି ପୁତ୍ର ହେଲେ।
30 “ଦୀର୍ଘ ଗ୍ଭଳିଶ୍ ବର୍ଷ ଅତିବାହିତ ହେବା ପରେ ଜଣେ ସ୍ୱର୍ଗଦୂତ ସୀନୟ ପର୍ବତ ନିକଟରେ ଥିବା ମରୁଭୂମିରେ ଗୋଟିଏ ଜ୍ୱଳନ୍ତ ବୁଦାର ଅଗ୍ନିଶିଖାରେ ମୋଶାଙ୍କୁ ଦର୍ଶନ ଦେଲେ। 31 ମୋଶା ସେ ଦୃଶ୍ୟ ଦେଖି ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲେ। ତାହାକୁ ଭଲଭାବେ ଦେଖିବା ପାଇଁ ନିକଟକୁ ଯିବାବେଳକୁ ସେ ପ୍ରଭୁଙ୍କର ସ୍ୱର ଶୁଣିଲେ: 32 ‘ମୁଁ ତୁମ୍ଭ ପୂର୍ବପୁରୁଷମାନଙ୍କର ପରମେଶ୍ୱର। ଅବ୍ରହାମ, ଇସ୍ହାକ ଓ ଯାକୁବର ପରମେଶ୍ୱର।’ [e] ଏହା ଶୁଣି ମୋଶା ଭୟରେ ଥରିଲେ ଓ ଆଉ ଦେଖିବା ପାଇଁ ସାହସ କଲେ ନାହିଁ।
33 “ତା’ପରେ ପ୍ରଭୁ ତାହାଙ୍କୁ କହିଲେ, ‘ତୁମ୍ଭେ ପାଦରୁ ପାଦୁକା କାଢ଼ିଦିଅ, କାରଣ ଯେଉଁ ସ୍ଥାନରେ ତୁମ୍ଭେ ଠିଆ ହୋଇଛ ତାହା ପବିତ୍ରଭୂମି। 34 ମୁଁ ମିଶର ଦେଶରେ ମୋ’ ଲୋକମାନଙ୍କୁ କରାଯାଉଥିବା ସମସ୍ତ ଦୁର୍ବ୍ୟବହାର ଦେଖିଛି। ମୁଁ ସେମାନଙ୍କର କ୍ରନ୍ଦନ ଶୁଣିଲି। ମୁଁ ସେମାନଙ୍କୁ ମୁକ୍ତି ଦେବା ପାଇଁ ଓହ୍ଲାଇ ଆସିଛି। ଏଥିପାଇଁ ତୁମ୍ଭେ ଆସ। ମୁଁ ତୁମ୍ଭକୁ ମିଶର ଦେଶକୁ ପଠାଇବି।’ [f]
35 “ଯେଉଁ ମୋଶାଙ୍କୁ ସେମାନେ ଅବଜ୍ଞା କରି କହିଥିଲେ, ‘କିଏ ତୁମ୍ଭକୁ ଶାସକ ଓ ବିଗ୍ଭରକ କଲା?’ ସେହି ମୋଶାଙ୍କୁ ହିଁ ବର୍ତ୍ତମାନ ପରମେଶ୍ୱର ସେମାନଙ୍କର ଶାସନକର୍ତ୍ତା ଓ ମୁକ୍ତିଦାତା କରି ପଠାଇଲେ। ଯେଉଁ ସ୍ୱର୍ଗଦୂତ ମୋଶାଙ୍କୁ ବୁଦା ଭିତରେ ଦର୍ଶନ ଦେଇଥିଲେ ସେହି ସ୍ୱର୍ଗଦୂତଙ୍କ ସାହାଯ୍ୟରେ ପରମେଶ୍ୱର ମୋଶାଙ୍କୁ ପଠାଇଲେ। 36 ତେଣୁ ମୋଶା ମିଶର ଦେଶରେ ଓ ସୂଫ ସମୁଦ୍ରରେ ତଥା ମରୂଭୂମିରେ ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ଆଶ୍ଚର୍ଯ୍ୟ ପୂର୍ଣ୍ଣ ଚିହ୍ନ ଓ କାର୍ଯ୍ୟମାନ କରି ସେମାନଙ୍କୁ ବାହାରକୁ ଆଣିଲେ।
37 “ସେ ମୋଶା ଇସ୍ରାଏଲର ସନ୍ତାନମାନଙ୍କୁ କହିଲେ, ‘ପରମେଶ୍ୱର ତୁମ୍ଭମାନଙ୍କ ମଧ୍ୟରୁ ମୋ’ ପରି ଜଣେ ଭାବବାଦୀଙ୍କୁ ସୃଷ୍ଟି କରିବେ।’ [g] 38 ଏହି ମୋଶା ମରୁଭୂମିରେ ଯିହୂଦୀମାନଙ୍କ ମଣ୍ଡଳୀରେ ଥିଲେ। ଯେଉଁ ସ୍ୱର୍ଗଦୂତ ସୀନୟ ପର୍ବତରେ ରହି ତାହାଙ୍କ ସହିତ କଥାବାର୍ତ୍ତା ହୋଇଥିଲେ, ସେହି ସ୍ୱର୍ଗଦୂତ ଆମ୍ଭ ପିତୃପୁରୁଷ ମୋଶାଙ୍କ ସହିତ ଥିଲେ, ମୋଶା ପରମେଶ୍ୱରଙ୍କଠାରୁ ଜୀବନ ଦାନକାରୀ ଆଜ୍ଞା ପାଇଥିଲେ। ଏହି ଆଜ୍ଞାସବୁ ମୋଶା ଆମ୍ଭମାନଙ୍କୁ ଦେଲେ।
39 “କିନ୍ତୁ ଆମ୍ଭ ପୂର୍ବପୁରୁଷମାନେ ତାହାଙ୍କୁ ମାନିବା ପାଇଁ ଇଚ୍ଛା କଲେ ନାହିଁ। ସେମାନେ ତାହାଙ୍କୁ ଗ୍ରହଣ କରିବାକୁ ମନା କଲେ ଓ ମିଶରକୁ ଫେରି ଯିବା ପାଇଁ ଇଚ୍ଛା କଲେ। 40 ସେମାନେ ହାରୋଣଙ୍କୁ ଯାଇ କହିଲେ, ‘ଆମ୍ଭମାନଙ୍କର ପଥ ଦେଖାଇବା ପାଇଁ କେତେ ଜଣ ଦେବତାଙ୍କୁ ନିର୍ମାଣ କର। ଏହି ଯେଉଁ ମୋଶା ଆମ୍ଭମାନଙ୍କୁ ମିଶରରୁ ବାହାର କରି ଆଣିଥିଲେ, ତାହାଙ୍କର କ’ଣ ହେଲା ଆମ୍ଭେ ଜାଣି ନାହୁଁ।’ [h] 41 ସେହି ସମୟରେ ସେମାନେ ଗୋଟିଏ ବାଛୁରିର ମୂର୍ତ୍ତି ତିଆରି କରି ସେହି ମୂର୍ତ୍ତି ଆଗରେ ବଳି ଦେଲେ। ସେମାନେ ନିଜ ହାତ ତିଆରି ଜିନିଷ ଦେଖି ବହୁତ ଖୁସୀ ହେଲେ। 42 କିନ୍ତୁ ପରମେଶ୍ୱର ସେମାନଙ୍କଠାରୁ ବିମୁଖ ହେଲେ। ସେ ସେମାନଙ୍କୁ ଆକାଶସ୍ଥ ଭଣ୍ଡ ଦେବତାମାନଙ୍କର ପୂଜା କରିବା ପାଇଁ ଛାଡ଼ି ଦେଲେ। ଏହି ବିଷୟରେ ଭାବବାଦୀମାନଙ୍କର ପୁସ୍ତକରେ ଯେପରି ଲେଖାଅଛି,
‘ହେ ଇସ୍ରାଏଲର ଲୋକମାନେ, ତୁମ୍ଭେମାନେ ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ପ୍ରାନ୍ତରରେ,
ମୋ’ ଉଦ୍ଦେଶ୍ୟରେ ପଶୁବଳି ଓ ନୈବେଦ୍ୟ ଉତ୍ସର୍ଗ କରି ନାହଁ।
43 ତୁମ୍ଭେମାନେ ତୁମ୍ଭମାନଙ୍କ ସହିତ ମୋଲଖର ତମ୍ବୁ
ଏବଂ ନକ୍ଷତ୍ର ଦେବତା ରମ୍ପାର ମୂର୍ତ୍ତିକୁ ମଧ୍ୟ ବୋହି ନେଇଯାଇଥିଲ।
ଏଗୁଡ଼ିକୁ ତୁମ୍ଭେମାନେ ପୂଜା କରିବା ପାଇଁ ତିଆରି କରିଥିଲ।
ତେଣୁ ମୁଁ ମଧ୍ୟ ତୁମ୍ଭମାନଙ୍କୁ ବାବିଲନର ଆରପାରିକୁ ପଠାଇ ଦେବି।’ (A)
44 “ଆମ୍ଭ ପୂର୍ବପୁରୁଷମାନଙ୍କ ପବିତ୍ର ତମ୍ବୁ ମଧ୍ୟ ପ୍ରାନ୍ତରରେ ଥିଲା। ପରମେଶ୍ୱର ମୋଶାଙ୍କୁ ଗୋଟିଏ ନକ୍ସା ଦେଖାଇଲେ ଏବଂ ସେ ଦେଖିଥିବା ନକ୍ସା ଅନୁସାରେ ଗୋଟିଏ ସାକ୍ଷ୍ୟ ତମ୍ବୁ ତିଆରି କରିବାକୁ ତାହାଙ୍କୁ କହିଥିଲେ। 45 ଆମ୍ଭର ପୂର୍ବପୁରୁଷମାନେ ସେହି ପବିତ୍ର ତମ୍ବୁ ସାଙ୍ଗରେ ଆଣିଥିଲେ। ସେହି ସମୟରେ ଯିହୋଶୂୟଙ୍କ ନେତୃତ୍ୱରେ ସେମାନେ ଅନ୍ୟଜାତି ଗଣର ଦେଶ ଅଧିକାର କରି ନେଇଥିଲେ। ଏହି ଜାତିମାନଙ୍କୁ ଆମ୍ଭ ପୂର୍ବପୁରୁଷମାନଙ୍କ ସାମନାରେ ବାହାର କରିଦେଲେ। ତମ୍ବୁଟି ଦାଉଦଙ୍କ ସମୟ ପର୍ଯ୍ୟନ୍ତ ଥିଲା। 46 ଦାଉଦ ପରମେଶ୍ୱରଙ୍କ କୃପା ପ୍ରାପ୍ତ ହେଲେ। ସେ ଯାକୁବର ପରମେଶ୍ୱରଙ୍କ ପାଇଁ ଗୋଟିଏ ମନ୍ଦିର ତୋଳିବାକୁ ଅନୁମତି ଦେବା ପାଇଁ ପରମେଶ୍ୱରଙ୍କୁ ଅନୁରୋଧ କଲେ। 47 କିନ୍ତୁ ଶଲୋମନ ତାହାଙ୍କ ପାଇଁ ଗୋଟିଏ ମନ୍ଦିର ନିର୍ମାଣ କଲେ।
48 “ମାତ୍ର ସର୍ବୋପରିସ୍ଥ ପରମେଶ୍ୱର କୌଣସି ହାତ ତିଆରି ମନ୍ଦିରରେ ବାସ କରନ୍ତି ନାହିଁ। ଭବିଷ୍ୟଦ୍ବକ୍ତା ଏହିପରି ଲେଖନ୍ତି,
49 ‘ସ୍ୱର୍ଗ ମୋହର ସିଂହାସନ
ପୃଥିବୀ ମୋହର ପାଦପୀଠ।
ତୁମ୍ଭେମାନେ ମୋ’ ପାଇଁ କି ପ୍ରକାରର ମନ୍ଦିର ନିର୍ମାଣ କରିବ?
ମୋର ବିଶ୍ରାମ ନେବା ପାଇଁ ସ୍ଥାନ କେଉଁଠି?
50 ମନେରଖ, ମୁଁ ଏସବୁ ସୃଷ୍ଟି କରିଛି।’”(B)
51 ସ୍ତିଫାନ କହିଲେ, “ହେ ଯିହୂଦୀ ଲୋକମାନେ, ତୁମ୍ଭେମାନେ କେଡ଼େ ଜିଦ୍ଖୋର! ତୁମ୍ଭମାନଙ୍କର ହୃଦୟ ପରମେଶ୍ୱରଙ୍କର ନୁହେଁ। ତୁମ୍ଭେମାନେ ତାହାଙ୍କ କଥା ଶୁଣିବାକୁ ମନା କରୁଛ। ତୁମ୍ଭେମାନେ ସର୍ବଦା ପବିତ୍ରଆତ୍ମାଙ୍କର ବିରୋଧ କରିଛ। ତୁମ୍ଭେମାନେ ସବୁ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କ ପରି ହେଉଛ। 52 ତୁମ୍ଭମାନଙ୍କର ପୂର୍ବପୁରୁଷମାନେ କୌଣସି ଭାବବାଦୀଙ୍କୁ ତାଡ଼ନା ନ କରି ଛାଡ଼ି ନାହାନ୍ତି। ଏହି ଭାବବାଦୀମାନେ ପୂର୍ବରୁ ସେହି ଧାର୍ମିକ ବ୍ୟକ୍ତିଙ୍କର ଆଗମନ କଥା କହିଥିଲେ। କିନ୍ତୁ ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ସେହି ଲୋକମାନଙ୍କୁ ମଧ୍ୟ ମାରି ଦେଇଥିଲେ। ବର୍ତ୍ତମାନ ତୁମ୍ଭେମାନେ ସେହି ଧାର୍ମିକ ବ୍ୟକ୍ତିଙ୍କୁ ପ୍ରତାରିତ ଓ ହତ୍ୟା କରିଛ। 53 ତୁମ୍ଭେମାନେ ପରମେଶ୍ୱରଙ୍କ ଦୂତ ଦ୍ୱାରା ମୋଶାଙ୍କୁ ଦିଆଯାଇଥିବା ବ୍ୟବସ୍ଥାକୁ ଗ୍ରହଣ କରିଛ, କିନ୍ତୁ ତାହାର ବାଧ୍ୟ ହୋଇ ନାହଁ।”
ସ୍ତିଫାନଙ୍କ ହତ୍ୟା
54 ଯିହୂଦୀ ନେତାମାନେ ଏହା ଶୁଣି ସ୍ତିଫାନଙ୍କର ଉପରେ ଭୀଷଣ ରାଗି ଦାନ୍ତ କଡ଼ମଡ଼ କଲେ। 55 କିନ୍ତୁ ସ୍ତିଫାନ ପବିତ୍ରଆତ୍ମାରେ ପୂର୍ଣ୍ଣ ହୋଇ ଆକାଶକୁ ଗ୍ଭହିଁଲେ। ସେଠାରେ ସେ ପରମେଶ୍ୱରଙ୍କ ଗୌରବ ଦେଖିଲେ। ସେ ଯୀଶୁଙ୍କୁ ପରମେଶ୍ୱରଙ୍କ ଡାହାଣ ପଟେ ଠିଆ ହେବାର ଦେଖିଲେ। 56 ସ୍ତିଫାନ କହିଲେ, “ଦେଖ, ମୁଁ ସ୍ୱର୍ଗକୁ ଖୋଲା ଅବସ୍ଥାରେ ଓ ପରମେଶ୍ୱରଙ୍କ ଡାହାଣ ପଟେ ମନୁଷ୍ୟପୁତ୍ରଙ୍କୁ ଠିଆ ହେବାର ଦେଖୁଛି।”
57 ଏଥିରେ ଯିହୂଦୀ ନେତାମାନେ କାନରେ ହାତ ଦେଇ ଖୁବ୍ ଜୋର୍ରେ ପାଟି କଲେ। ସେମାନେ ଏକାଠି ହୋଇ ସ୍ତିଫାନଙ୍କ ଆଡ଼କୁ ଦୌଡ଼ିଲେ। 58 ସେମାନେ ତାହାଙ୍କୁ ନଗର ବାହାରକୁ ଟାଣି ନେଇ ପଥର ମାରିବା ଆରମ୍ଭ କରିଦେଲେ। ସାକ୍ଷୀମାନେ ଶାଉଲ ନାମକ ଜଣେ ଯୁବକର ପାଖରେ ସେମାନଙ୍କର ଲୁଗାପଟା ରଖିଲେ। 59 ପଥର ଫୋପାଡ଼ିବା ସମୟରେ ସ୍ତିଫାନ ପ୍ରାର୍ଥନା କରି କହିଲେ, “ହେ ପ୍ରଭୁ ଯୀଶୁ, ମୋ’ ଆତ୍ମାକୁ ଗ୍ରହଣ କର।” 60 ତା’ପରେ ସେ ଆଣ୍ଠୁମାଡ଼ି ପଡ଼ି ଜୋର୍ରେ କହିଲେ, “ହେ ପ୍ରଭୁ, ଏହି ପାପ ନିମନ୍ତେ ଏମାନଙ୍କୁ ଅପରାଧୀ ଗଣନା କର ନାହିଁ।” ଏହା କହି ସେ ମୃତ୍ୟୁବରଣ କଲେ।
2010 by World Bible Translation Center