Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଶାମୁୟେଲଙ୍କ ଦ୍ୱିତୀୟ ପୁସ୍ତକ 10

ହାନୂନ୍ ଦାଉଦଙ୍କର ଲୋକଙ୍କୁ ଲଜ୍ଜିତ କଲେ

10 ଏହା ପରେ ଅମ୍ମୋନ ସନ୍ତାନଗଣର ରାଜା ମରିଗଲା ପରେ ତା’ର ପୁତ୍ର ହାନୂନ୍ ରାଜ ପଦରେ ଅଭିଷିକ୍ତ ହେଲା। ଦାଉଦ କହିଲେ, “ମୁଁ ହାନୂନ୍ ପ୍ରତି ବିଶେଷ କରୁଣା ପ୍ରକାଶ କରିବାକୁ ଯାଉଅଛି କାରଣ ତା’ର ପିତା ନାହଶ ମୋ’ ପ୍ରତି ବହୁତ ବିଶ୍ୱସ୍ତ ଓ ଦୟାବାନ ଥିଲା।” ତେଣୁ ତାକୁ ପିତୃ ଶୋକରୁ ସାନ୍ତ୍ୱନା ଦେବା ପାଇଁ ଦାଉଦ ନିଜର ପଦାଧିକାରୀ କର୍ମଗ୍ଭରୀମାନଙ୍କୁ ତାଙ୍କ ନିକଟକୁ ପଠାଇଲେ।

ସେମାନେ ଅମ୍ମୋନର ଭୂମିରେ ପହଞ୍ଚିଲେ। କିନ୍ତୁ ଅମ୍ମୋନୀୟ ଅଧିକାରୀଗଣ ହାନୂ‌‌ନ୍‌‌‌‌‌କୁ କହିଲେ, “ତୁମ୍ଭେ ଭାବୁଛ କି ତୁମ୍ଭକୁ ସାନ୍ତ୍ୱନା ଦେବା ପାଇଁ ଓ ତୁମ୍ଭର ପିତାଙ୍କୁ ସମ୍ମାନ ଦେବା ପାଇଁ ଏହି ଲୋକମାନଙ୍କୁ ଦାଉଦ ପଠାଇଛନ୍ତି? ଦାଉଦ ନଗରକୁ ଆକ୍ରମଣ କରିବା ପୂର୍ବରୁ ସେମାନଙ୍କୁ ନିରୀକ୍ଷଣ କରିବାକୁ ପଠାଇଛନ୍ତି।”

ଏଥିରେ ହାନୂନ୍ ଦାଉଦର କର୍ମଗ୍ଭରୀମାନଙ୍କର ଦାଢ଼ିର ଅଧେ କ୍ଷୌର କଲା ଓ ସେମାନଙ୍କ ଅଣ୍ଟାରୁ ତଳକୁ ଥିବା ବସ୍ତ୍ର କାଟି ଦେଲା। ତା’ପରେ ସେ ସେମାନଙ୍କୁ ବିଦା କଲା।

ଏହି ଲୋକମାନଙ୍କୁ ପରେ ଦାଉଦ କହିଲେ ଓ ସେ ସେମାନଙ୍କୁ ଭେଟିବା ପାଇଁ ପୁରୁଷମାନଙ୍କୁ ପଠାଇଲେ, କାରଣ ସେମାନେ ଅତି ଲଜ୍ଜିତ ହୋଇଥିଲେ। ରାଜା ସେମାନଙ୍କୁ କହିଲେ, “ତୁମ୍ଭର ଦାଢ଼ି ବଢ଼ିବା ପର୍ଯ୍ୟନ୍ତ ତୁମ୍ଭେମାନେ ଯିରୀହୋରେ ଥାଅ। ଏହା ପରେ ଯିରୁଶାଲମକୁ ଫେରି ଆସିବ।”

ଅମ୍ମୋନୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ

ଅମ୍ମୋନୀୟମାନେ ହୃଦୟଙ୍ଗମ କଲେ ଯେ, ରାଜା ଦାଉଦ ସେମାନଙ୍କୁ ବର୍ତ୍ତମାନ ତାଙ୍କର ଶତ୍ରୁ ବୋଲି ବିବେଚନା କଲେ। ତେଣୁ ସେମାନେ 20,000 ଅରାମୀୟ ସୈନ୍ୟମାନଙ୍କୁ ବୈଥ-ରହୋବ ଓ ସୋବାରୁ 1000 ଜଣ ମାଖାର ରାଜାଙ୍କଠାରୁ ଏବଂ ଟୋବରୁ 12,000 ସୈନ୍ୟ ଭଡ଼ାରେ ଆଣିଲେ।

ଦାଉଦ ଏହା ଶୁଣି ଯୋୟାବଙ୍କ ସହିତ ସାହସୀ ସୈନ୍ୟଦଳକୁ ଯୁଦ୍ଧ ପାଇଁ ପଠାଇଲେ। ସେହି ଦିନ ଅମ୍ମୋନୀୟମାନେ ବାହାରି ଆସିଲେ ଏବଂ ନଗରର ଫାଟକ ନିକଟରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ରହିଲେ। ସୋବା ଓ ରହୋବର ଅରାମୀୟ ଲୋକମାନେ, ଟୋବର ସୈନ୍ୟମାନେ ଏବଂ ମାଖା ନଗର ବାହାର କ୍ଷେତ୍ରରେ ଏକତ୍ରିତ ହେଲେ।

ଯୋୟାବ ନିଜ ଆଗେ ଶତ୍ରୁମାନଙ୍କୁ ଦେଖିଲେ, ତେଣୁ ସେ ଇସ୍ରାଏଲର କୁଶଳୀ ଯୋଦ୍ଧାମାନଙ୍କୁ ମନୋନୀତ କଲେ ଏବଂ ସେମାନଙ୍କୁ ଅରାମୀୟମାନଙ୍କ ବିରୁଦ୍ଧରେ ପ୍ରସ୍ତୁତ କଲେ। 10 ସେ ଅବଶିଷ୍ଟ ଲୋକମାନଙ୍କୁ ନିଜର ଭାଇ ଅବୀଶୟ ହସ୍ତରେ ସମର୍ପଣ କଲେ, ତହିଁରେ ସେ ସେମାନଙ୍କୁ ନେଇ ଅମ୍ମୋନୀୟମାନଙ୍କ ବିରୁଦ୍ଧରେ ସୈନ୍ୟ ସଜାଇଲା। 11 ଯୋୟାବ ଅବିଶୟକୁ କହିଲେ, “ଯଦି ଅରାମୀୟମାନେ ମୋ’ ପାଇଁ ଯୁଦ୍ଧରେ ବହୁତ ଶକ୍ତିଶାଳୀ ହୁଅନ୍ତି, ତେବେ ତୁମ୍ଭେ ମୋତେ ସାହାଯ୍ୟ କରିବ। କିନ୍ତୁ ଯଦି ଅମ୍ମୋନୀୟ ତୁମ୍ଭ ପାଇଁ ଶକ୍ତିଶାଳୀ ହୁଅନ୍ତି, ତେବେ ମୁଁ ଆସିବି ଏବଂ ତୁମ୍ଭଙ୍କୁ ସାହାଯ୍ୟ କରିବି। 12 ବଳବାନ ହୁଅ, ଏବଂ ସାହସର ସହିତ ଯୁଦ୍ଧ କର, ଆମ୍ଭର ପ୍ରଭୁଙ୍କ ସହର ପାଇଁ ଓ ଆମ୍ଭର ଲୋକମାନଙ୍କ ପାଇଁ ସଦାପ୍ରଭୁଙ୍କ ଆଖିରେ ଯାହା ଠିକ୍ ସେ ତାହା କରିବେ।”

13 ତା’ପରେ ଯୋୟାବ ଏବଂ ତାଙ୍କର ସୈନ୍ୟମାନେ ଅରାମୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ। ଅରାମୀୟମାନେ ଯୋୟାବଙ୍କ ସୈନ୍ୟମାନଙ୍କଠାରୁ ପରାସ୍ତ ହୋଇ ଛାଡ଼ି ପଳାଇଲେ। 14 ଅରାମୀୟମାନଙ୍କୁ ପଳାଇବାର ଦେଖି ଅମ୍ମୋନୀୟମାନେ ଅବୀଶୟଙ୍କ ସମ୍ମୁଖରୁ ନିଜର ନଗରକୁ ପଳାୟନ କଲେ।

ତା’ପରେ ଯୋୟାବ ଅମ୍ମୋନୀୟଙ୍କୁ ଆକ୍ରମଣ କରି ସାରିବା ପରେ ଯିରୁଶାଲମକୁ ଫେରି ଆସିଲା।

ଅରାମୀୟମାନେ ପୁନର୍ବାର ଯୁଦ୍ଧ ପାଇଁ ନିଷ୍ପତ୍ତି ନେଲେ

15 ଏହା ପରେ ଅରାମୀୟମାନେ ଇସ୍ରାଏଲ ସମ୍ମୁଖରେ ଆପଣାମାନଙ୍କୁ ପରାସ୍ତ ଦେଖି ଏକତ୍ର ହେଲେ। 16 ହଦଦେଷର ପୁରୁଷ ଲୋକ ପଠାଇ ଫରାତ୍ ନଦୀ ଆରପାରିରେ ଅରାମୀୟମାନଙ୍କୁ ଅଣାଇଲେ। ତେଣୁ ସେମାନେ ହେଲେମକୁ ଆସିଲେ। ହଦଦେଷର ସେନାପତି ଶୋବକ ସେମାନଙ୍କର ନେତା ଥିଲା।

17 ଦାଉଦ ଏହା ଜାଣିବା ପରେ ସେ ସମୁଦାୟ ଇସ୍ରାଏଲୀୟମାନଙ୍କୁ ଏକତ୍ର କରି ଯର୍ଦ୍ଦନ ପାର ହୋଇ ହେଲେମକୁ ଆସିଲେ।

ତହିଁରେ ଅରାମୀୟମାନେ ଦାଉଦଙ୍କ ଆଗରେ ସୈନ୍ୟ ସଜ୍ଜାଇ ତାଙ୍କ ସାଙ୍ଗରେ ଯୁଦ୍ଧ କଲେ। 18 ଅରାମୀୟମାନେ ଯୁଦ୍ଧ କରି ନ ପାରି ଇସ୍ରାଏଲୀୟମାନଙ୍କ ଆଗରୁ ପଳାୟନ କଲେ। ଦାଉଦ ଅରାମୀୟମାନଙ୍କ 700 ରଥାରୂଢ଼ ଓ 40,000 ଅଶ୍ୱାରୂଢ଼ ସୈନ୍ୟଙ୍କୁ ହତ୍ୟା କଲେ। ପୁଣି ସେ ସେମାନଙ୍କର ସେନାପତି ଶୋବକକୁ ଆଘାତ କଲେ ଓ ସେ ସେହିଠାରେ ମୃତ୍ୟୁବରଣ କଲା।

19 ହଦଦେଷରଙ୍କର ସେବା କରୁଥିବା ରାଜାମାନେ ଦେଖିଲେ ଯେ ଇସ୍ରାଏଲୀୟମାନେ ସେମାନଙ୍କୁ ପରାସ୍ତ କଲେଣି ଓ ସେ ଇସ୍ରାଏଲୀୟମାନଙ୍କ ସହିତ ସନ୍ଧି କଲେ ଓ ସେମାନଙ୍କର ସେବକ ହେଲେ। ଅରାମୀୟମାନେ ପୁନ୍ନରାୟ ଅମ୍ମୋନୀୟମାନଙ୍କୁ ସାହାଯ୍ୟ କରିବାକୁ ଭୟ କଲେ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 3

ପରମେଶ୍ୱରଙ୍କ ନୂତନ ଚୁକ୍ତିର ସେବକ

ଆମ୍ଭେ କ’ଣ ପୁନର୍ବାର ନିଜ ପ୍ରଶଂସା ନିଜେ କରିବାକୁ ଆରମ୍ଭ କରିଅଛୁ? ଆମ୍ଭେ କ’ଣ ତୁମ୍ଭମାନଙ୍କଠାରୁ ବା ତୁମ୍ଭମାନଙ୍କ ପାଖକୁ ପ୍ରଶଂସା ପତ୍ର ନେବା ଦରକାର କି? କେତେକ ଲୋକ ଏପରି କରନ୍ତି। ତୁମ୍ଭେମାନେ ନିଜେ ଆମ୍ଭର ପ୍ରଶଂସା ପାତ୍ର ଅଟ। ଏହା ଆମ୍ଭ ହୃଦୟରେ ଲେଖି ହୋଇ ରହିଛି। ଏହା ସମସ୍ତଙ୍କୁ ଜଣା ଓ ସମସ୍ତେ ତାହାକୁ ପଢ଼ି ପାରିବେ। ଏହା ସ୍ପଷ୍ଟ ଯେ, ତୁମ୍ଭେମାନେ ଆମ୍ଭ ମାଧ୍ୟମରେ ଖ୍ରୀଷ୍ଟଙ୍କ ପ୍ରେରିତ ଏକ ପତ୍ର ସ୍ୱରୂପ। ଏହି ଚିଠିଟି କାଳିରେ ନୁହେଁ, ମାତ୍ର ଜୀବନ୍ତ ପରମେଶ୍ୱରଙ୍କ ଆତ୍ମା ଦ୍ୱାରା ଲେଖା ଯାଇଛି। ଏହା ପ୍ରସ୍ତର ଫଳକ [a] ଉପରେ ଖୋଦିତ ନୁହେଁ ବରଂ ମନୁଷ୍ୟର ହୃଦୟରେ ଲିଖିତ।

ଯୀଶୁ ଖ୍ରୀଷ୍ଟଙ୍କ ହେତୁ ପରମେଶ୍ୱରଙ୍କଠାରେ ଆମ୍ଭର ନିଶ୍ଚିତ ଭରସା ଥିବାରୁ ଆମ୍ଭେ ଏହା କହି ପାରୁ। ଆମ୍ଭେ ନିଜେ ସମସ୍ତ ଉତ୍ତମ କର୍ମ କରି ପାରୁ, ତାହା ନୁହେଁ, କିନ୍ତୁ ଆମ୍ଭକୁ ଏହି ସାମର୍ଥ୍ୟ ପରମେଶ୍ୱରଙ୍କଠାରୁ ପ୍ରାପ୍ତ ହୋଇଛି। ସେ ଆମ୍ଭକୁ ଗୋଟିଏ ନୂତନ ଚୁକ୍ତିର ସେବକ ହେବା ପାଇଁ ଯୋଗ୍ୟ ବିବେଚିତ କରିଛନ୍ତି। ଏହା ଲିଖିତ ନିୟମ ନୁହେଁ, ବରଂ ଆତ୍ମାର ଗୋଟିଏ ଚୁକ୍ତି ଅଟେ। ଲିଖିତ ନିୟମ ମୃତ୍ୟୁ ଆଣେ। କିନ୍ତୁ ଆତ୍ମା ଜୀବନ ପ୍ରଦାନ କରେ।

ନୂତନ ଚୁକ୍ତି ଅଧିକ ମହିମା ଆଣେ

ମୃତ୍ୟୁଦାୟକ ସେବାର ବ୍ୟବସ୍ଥା ଶିଳା ଲେଖା ହୋଇ ଥିଲା। ଏହା ପରମେଶ୍ୱରଙ୍କ ମହିମାରେ ପୂର୍ଣ୍ଣ ଥିଲା। ତଦ୍ଦ୍ୱାରା ମୋଶାଙ୍କ ଚେହେରା ଏତେ ତେଜସ୍ୱୀ ହେଲା ଯେ, ଇସ୍ରାଏଲର ଲୋକେ ତାହାଙ୍କ ଚେହେରାକୁ ଦେଖି ମଧ୍ୟ ପାରିଲେ ନାହିଁ। ଏହି ତେଜ ପରେ ଲୋପ ପାଇଗଲା। ତା’ହେଲେ ଆତ୍ମାଙ୍କର ଜୀବନଦାୟକ ସେବା କେତେ ଅଧିକ ମହିମାଯୁକ୍ତ ନ ହେବ? ଯାହା ଲୋକମାନଙ୍କୁ ଦୋଷୀ ପ୍ରମାଣିତ କରେ ସେଭଳି ସେବାରେ ଯଦି ପ୍ରଭୁଙ୍କ ମହିମା ଅଛି; ତା’ହେଲେ ଯେଉଁ ସେବା ଲୋକମାନଙ୍କୁ ପରମେଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ଗଣିତ କରେ, ତାହାର ମହିମା ନିଶ୍ଚିତଭାବେ ଅଧିକ ହେବ। 10 ପୁରାତନ ସେବାରେ ମହିମା ଥିଲା, କିନ୍ତୁ ଅଧିକ ମହିମାଯୁକ୍ତ ନୂତନ ସେବା ସହିତ ତୁଳନା କଲେ, ସେହି ପ୍ରଥମ ମହିମା କିଛି ନୁହେଁ। 11 ଯେଉଁ ସେବା ଅଦୃଶ୍ୟ ହେଲା, ତାହା ଯଦି ମହିମା ସହିତ ଆସିଥିଲା, ତା’ହେଲେ ଏହି ଅନନ୍ତ କାଳସ୍ଥାୟୀ ସେବା ଅତ୍ୟଧିକ ମହିମାମୟ ହେବା ସ୍ୱାଭାବିକ।

12 ଆମ୍ଭମାନଙ୍କଠାରେ ଏହି ପ୍ରକାରର ଭରସା ରଖିଥିବା ହେତୁ ଆମ୍ଭେ ଅତି ସାହସୀ। 13 ଆମ୍ଭେ ମୋଶାଙ୍କ ଭଳି ନୋହୁଁ। ସେ ନିଜ ମୁଖ ମଣ୍ଡଳ ଉପରେ ଗୋଟିଏ ଆବରଣ ପକାଇଥିଲେ। ଇସ୍ରାଏଲର ଲୋକେ ଯେପରି ତାହାଙ୍କ ମୁହଁକୁ ଦେଖି ନ ପାରିବେ ତେଣୁ ମୋଶା ମୁଖ ଆଚ୍ଛାଦନ କରିଥିଲେ। ତହିଁର ମହିମା କମି କମି ଯାଉଥିଲା, ଓ ଲୋକେ ଏହି ସେବାର ଅନ୍ତ ଦେଖନ୍ତୁ, ମୋଶା ଏହା ଇଚ୍ଛା କରୁ ନ ଥିଲେ। 14 କିନ୍ତୁ ସେମାନଙ୍କର ମନଗୁଡ଼ିକ ଅବରୁଦ୍ଧ ହୋଇଯାଇଥିଲା। ଏପରିକି ଆଜି ମଧ୍ୟ ସେମାନେ ଯେତେବେଳେ ପୁରାତନ ଚୁକ୍ତିକୁ ପଢ଼ନ୍ତି ସେହି ଆବରଣଟି ଅର୍ଥକୁ ଲୁଗ୍ଭଇ ରଖେ। ସେ ଆବରଣ କଢ଼ା ଯାଇ ନାହିଁ। କେବଳ ଖ୍ରୀଷ୍ଟ ଯୀଶୁ ଏହି ଆବରଣ ଦୂର କରିଛନ୍ତି। 15 କିନ୍ତୁ ଏପରି କି ଆଜି ଯେତେବେଳେ ଏହି ଲୋକମାନେ ମୋଶାଙ୍କ ନିୟମକୁ ପଢ଼ନ୍ତି, ସେହି ଆବରଣ ହେତୁ ସେମାନେ ଏଥିର ଅର୍ଥ ବୁଝି ପାରନ୍ତି ନାହିଁ। 16 କିନ୍ତୁ ଜଣେ ଲୋକ ଯେତେବେଳେ ପରିବର୍ତ୍ତିତ ହୁଏ ଓ ସେ ପ୍ରଭୁଙ୍କ ଅନୁସରଣ କରେ, ସେହି ଆବରଣଟି ବାହାର କରିଦିଆ ଯାଏ। 17 ପ୍ରଭୁ ଆତ୍ମା ଅଟନ୍ତି। ଯେଉଁଠାରେ ପ୍ରଭୁଙ୍କର ଆତ୍ମା ବିଦ୍ୟମାନ, ସେହିଠାରେ ସ୍ୱାଧୀନତା ଅଛି। 18 ଆମ୍ଭ ଚେହେରାଗୁଡ଼ିକ ଆଚ୍ଛାଦିତ ନୁହେଁ। ଆମ୍ଭେ ସମସ୍ତେ ପ୍ରଭୁଙ୍କର ମହିମା ପ୍ରତିଫଳିତ କରି ପାରୁ। ଆମ୍ଭେ ତାହାଙ୍କ ଭଳି ହେବାକୁ ନିଜକୁ ପରିବର୍ତ୍ତିତ କରୁ। ଏହି ପରିବର୍ତ୍ତନ ଆମ୍ଭ ଭିତରେ ଅଧିକରୁ ଅଧିକ ମହିମା ଆଣିଦିଏ। ଉକ୍ତ ମହିମା ପ୍ରଭୁଙ୍କଠାରୁ ଅର୍ଥାତ୍ ଆତ୍ମାଙ୍କଠାରୁ ପ୍ରାପ୍ତ ହେଉ।

ଯିହିଜିକଲ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 17

The Eagle and the Vine

17 ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା, ସେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଇସ୍ରାଏଲର ପୁତ୍ରଗଣଙ୍କ ନିମନ୍ତେ ଏକ ପ୍ରହେଳିକା ଉପସ୍ଥାପନ କର ଏବଂ ସେମାନଙ୍କୁ ଏକ ନୀତିକଥା କୁହ। ସେମାନଙ୍କୁ କୁହ, ସଦାପ୍ରଭୁ ଏହି କଥା କହିଛନ୍ତି,

‘‘‘ଗୋଟିଏ ବଡ଼ ଉତ୍କ୍ରୋଶପକ୍ଷୀ ଥିଲା, ତାହାର ପକ୍ଷ ବଡ଼ ଓ ପର ବହୁତ ଥିଲା ଓ ଚିତ୍ରବିଚିତ୍ର ଲୋମରେ ପରିପୂର୍ଣ୍ଣ।
    ଆଉ ଏହା ଲିବାନୋନକୁ ଆସିଲା ଏବଂ ଏକ ବଡ଼ ଏରସବୃକ୍ଷର ଅଗ୍ରଭାଗରେ ବସିଲା।”
ସେ ଏରସ ବୃକ୍ଷର ଅଗ୍ରଭାଗ ଭାଙ୍ଗିଲା ଏବଂ ତାହାକୁ କିଣାନ ଦେଶକୁ ନେଇଗଲା।
    ସେଠାରେ ସେ ତାକୁ ବଣିକମାନଙ୍କର ନଗରୀରେ ରଖିଲା।
ଏବଂ ସେହି ପକ୍ଷୀ ସେ ଦେଶର ବୀଜ ନେଇ ଏକ ଉର୍ବର ଭୂମିର କ୍ଷେତରେ ତାହା ରୋପଣ କଲା।
    ସେ ପ୍ରଚୁର ଜଳରାଶିର ନିକଟରେ ତାହା ରୋପଣ କଲା।
ତା’ପରେ ତାହା ବଢ଼ି ଦ୍ରାକ୍ଷାଲତା ହେଲା।
    ଏହା ଏକ ବିସ୍ତୃତ ଅଞ୍ଚଳକୁ ବ୍ୟାପିଲା।
ଏହାର ଶାଖାସବୁ
    ଓ ତହିଁର ମୂଳ ବଢ଼ିଲା।
ଏହି ପ୍ରକାରେ ତାହା ଦ୍ରାକ୍ଷାଲତା ହୋଇ
    ଶାଖା ବିଶିଷ୍ଟ ଓ ପଲ୍ଲବିତ ହେଲା।
କିନ୍ତୁ ଆଉ ଗୋଟିଏ ବଡ଼ ବଡ଼ ଡେଣା ଥିବା ବୃହତ୍
    ଓ ଯଥେଷ୍ଟ ପର ବିଶିଷ୍ଟ ଛଞ୍ଚାଣ ପକ୍ଷୀ,
ବିରାଟ ଉତ୍କ୍ରୋଶପକ୍ଷୀ ସେହି ସ୍ଥାନକୁ ଆସିଲା।
    ଏହି ନୂତନ ପକ୍ଷୀର ଯତ୍ନ ପାଇବା ସକାଶେ ସେହି ଦ୍ରାକ୍ଷାଲତାର ଚେର ତା’ ଆଡ଼କୁ ବିସ୍ତାର କଲା
ଏବଂ ଏହାର ଶାଖାଗୁଡ଼ିକ ପ୍ରସାରିତ ହେଲା,
    ଯେଉଁଠାରେ ଏହା ରୋପିତ ହୋଇଥିଲା
    ଏବଂ ପାଣି ଦ୍ୱାରା ସେଚିତ ହେଉଥିଲା।
ସେହି ଦ୍ରାକ୍ଷାଲତା, ଯେପରି ଶାଖା ବିଶିଷ୍ଟ
    ଓ ଫଳବତୀ ହୋଇ ଉତ୍ତମ ଦ୍ରାକ୍ଷାଲତା ହେବ,
    ଏଥିପାଇଁ ତାହା ଜଳରାଶିର ନିକଟସ୍ଥ ଉର୍ବର ଭୂମିରେ ରୋପିତ ହୋଇଥିଲା।’”

ତୁମ୍ଭେ କୁହ, ସଦାପ୍ରଭୁ, ମୋର ପ୍ରଭୁ ଏହିକଥା କହନ୍ତି,
“ତାହା କ’ଣ ସଫଳ ହେବ?
    ଏହାର ଚେର ଛିଣ୍ଡି ଯିବନିତ,
ଏବଂ ଏହାର ଫଳ ଝଡ଼ି ଯିବନିତ ଏବଂ ଶୁଖି ଯିବନତି?
    ନୂତନ ଭାବରେ ପଲ୍ଲବିତ ହେଉଥିବା ପତ୍ରସବୁ ଝାଉଁଳି ଯିବେ।
ଏହାକୁ ଉପାଡ଼ିବା ପାଇଁ ବଳଶାଳୀ ସୈନ୍ୟବାହିନୀକୁ
    ଓ ଲୋକମାନଙ୍କୁ ଦରକାର ହେବ କି? ନା!
10 ଆଉ ସେହି ଦ୍ରାକ୍ଷାଲତା ରୋପିତ କ୍ଷେତ୍ରରେ କ’ଣ ବୃଦ୍ଧି ପାଇବ?
    ପୂର୍ବୀୟ ବାୟୁ ସ୍ପର୍ଶ କଲେ ତାହା ସମ୍ପୂର୍ଣ୍ଣ ରୂପେ ଶୁଷ୍କ ହୋଇଯିବ।
    ବଢ଼ିବା କିଆରୀରେ ତାହା ଶୁଷ୍କ ହୋଇଯିବ।”

King Zedekiah Punished

11 ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, 12 “ତୁମ୍ଭେ ସେହି ବିଦ୍ରୋହୀ ଜାତିକୁ କୁହ, ଇସ୍ରାଏଲ ତୁମ୍ଭେ କ’ଣ ଏସବୁର ତାତ୍ପର୍ଯ୍ୟ ଜାଣ ନାହିଁ? ସେମାନଙ୍କୁ କୁହ, ଦେଖ, ବାବିଲର ରାଜା ଯିରୁଶାଲମକୁ ଆସି ତହିଁର ରାଜାଙ୍କୁ ଓ ତହିଁର ମୁଖ୍ୟଗଣଙ୍କୁ ଆପଣାର ନ୍ୟାୟାଳୟ ବାବିଲକୁ ନେଇଗଲା। 13 ଏବଂ ସେ ଏକ ରାଜସ୍ୱ ନେଇ ତାକୁ ଶପଥ କରାଇ ତା’ ସହିତ ଏକ ଚୁକ୍ତି କଲେ ଏବଂ ସେ ମହତ୍ତ୍ୱପୂର୍ଣ୍ଣ ଲୋକମାନଙ୍କୁ ନେଇଗଲେ। 14 ତେଣୁ ଯେପରି ଦେଶ ଦୁର୍ବଳ ହେବ ଓ ଉଠିପାରିବ ନାହିଁ ଏବଂ ତାଙ୍କର ନିୟମକୁ ବଞ୍ଚାଇ ରଖି ପାରନ୍ତି। 15 କିନ୍ତୁ ସେ ବାବିଲର ରାଜା ବିରୁଦ୍ଧରେ ଗଲା। ସେ ତା’ର ବାର୍ତ୍ତାବହମାନଙ୍କୁ ଅଶ୍ୱ ଓ ସୈନ୍ୟ ସାହାଯ୍ୟ ପାଇବା ନିମନ୍ତେ ମିଶରକୁ ପଠାଇଲା, ସେ କ’ଣ କୃତକାର୍ଯ୍ୟ ହେବ? ଯିଏ ଏପରି କାର୍ଯ୍ୟସବୁ କରେ, ସେ କ’ଣ ରକ୍ଷା ପାଇବ? ଆଉ ସେ ଚୁକ୍ତି ଲଙ୍ଘନ କରି କ’ଣ ଦଣ୍ଡ ପାଇବ ନାହିଁ?”

16 ସଦାପ୍ରଭୁ ମୋର ପ୍ରଭୁ, ଏହି କଥା କହନ୍ତି, “ମୁଁ ଜୀବିତ ଥିବା ପ୍ରମାଣେ ରାଜା ବାବିଲରେ ମୃତ୍ୟୁବରଣ କରିବ, ଯେହେତୁ ସେ ରାଜା ବିରୁଦ୍ଧରେ ବିଦ୍ରୋହ କଲା, ଯିଏ ତାକୁ ସିଂହାସନରେ ସ୍ଥାପନ କରିଥିଲେ, ସେ ତାଙ୍କ ସହିତ କରିଥିବା ପ୍ରତିଜ୍ଞା ଭଙ୍ଗ କଲେ। 17 ଏବଂ ଫାରୋ ତାଙ୍କର ମହାନ ଶକ୍ତି ଓ ଶକ୍ତିଶାଳୀ ସୈନ୍ୟବାହିନୀ ତାଙ୍କୁ ଯୁଦ୍ଧରେ ସାହାଯ୍ୟ କରିବେ ନାହିଁ। ଯେତେବେଳେ ସେମାନେ କଚ୍ଚା ରାସ୍ତା ଓ ଦୁର୍ଗ ନିର୍ମାଣ କରିବେ, ବହୁତ ଲୋକ ହତ୍ୟା ହେବେ। 18 କିନ୍ତୁ ସେ ରକ୍ଷା ପାଇବ ନାହିଁ। କାରଣ ସେ ଚୁକ୍ତି ଭଙ୍ଗ କରି ଶପଥ ତୁଚ୍ଛ କରିଅଛି। ସେ ଏସବୁ କରିଅଛି ଏବଂ ଦଣ୍ଡରୁ ପଳାଇ ଯାଇପାରିବ ନାହିଁ।” 19 ତେଣୁ ମୋର ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, “ସେ ଆମ୍ଭର ଯେଉଁ ଶପଥ ଭଙ୍ଗ କରିଅଛି ଓ ଆମ୍ଭର ଯେଉଁ ଚୁକ୍ତି ଭଙ୍ଗ କରିଅଛି ଆମ୍ଭେ ଜୀବିତ ଥିବା ପ୍ରମାଣେ ନିଶ୍ଚୟ ତା’ର ପ୍ରତିଫଳ ତାହାର ମସ୍ତକରେ ରଖିବା। 20 ମୁଁ ମୋର ଜାଲ ବିଛାଇବି ଓ ତାକୁ ଫାଶରେ ପକାଇ ବାବିଲକୁ ନେଇଯିବି ଏବଂ ମୁଁ ସେଠାରେ ତା’ର ବିଗ୍ଭର କରିବି। କାରଣ ସେ ମୋ’ ପ୍ରତି ଅବିଶ୍ୱସ୍ତ ଥିଲା। 21 ଏବଂ ତା’ର ସମସ୍ତ ସୈନ୍ୟ ‌‌ଖ‌ଡ଼୍‌ଗ ଦ୍ୱାରା ହତ ହେବେ ଯେତେବେଳେ ସେମାନେ ଦୌଡ଼ି ପଳାଇବେ ଏବଂ ଯେକେହି ବଞ୍ଚିବେ ମୁଁ ପବନରେ ଛିନ୍ନଛତ୍ର କରିବି।” ମୁଁ ସଦାପ୍ରଭୁ ଏବଂ ମୁଁ ଏହିସବୁ କହିଅଛି।

22 ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହିଛନ୍ତି,

“ମୁଁ ନିଜେ ଏରସ ବୃକ୍ଷର ଅଗ୍ରଭାଗକୁ ନେଇଯିବି
    ଓ ତା’ର କୋମଳ ଅଗ୍ରଭାଗକୁ କାଟିବି
    ଏବଂ ଏହାକୁ ପର୍ବତର ଶୀର୍ଷରେ ରୋପଣ କରିବି।
23 ମୁଁ ସ୍ୱୟଂ ଇସ୍ରାଏଲର ଉଚ୍ଚତମ ପର୍ବତରେ ସେହି ଅଗ୍ରଭାଗକୁ ରୋପଣ କରିବି।
    ତହିଁରେ ସେହି ଅଗ୍ରଭାଗ ବଢ଼ିବ
ଏବଂ ଏକ ଶାଖାବିଶିଷ୍ଟ ବୃକ୍ଷ ହେବ ଏବଂ ଏଥିରେ ଫଳ ଫଳିବ।
    ଏହା ଏକ ସୁନ୍ଦର ଏରସ ବୃକ୍ଷ ହେବ।
ତହିଁରେ ସବୁ ଜାତିର ପକ୍ଷୀମାନେ ବସା କରିବେ।
    ଆଉ ମଧ୍ୟ ସେମାନେ ତାହାର ଶାଖାଗୁଡ଼ିକର ଛାୟାରେ ବାସ କରିବେ।

24 “ତାହାହେଲେ କ୍ଷେତ୍ରସ୍ଥ ସମସ୍ତ ବୃକ୍ଷ ଜାଣିବେ ଯେ,
    ମୁଁ ଉଚ୍ଚବୃକ୍ଷକୁ ନୀଚ୍ଚ କରିପାରେ
    ଓ ନୀଚ୍ଚ ବୃକ୍ଷକୁ ଉଚ୍ଚ କରିପାରେ।
ପୁଣି ସତେଜ ବୃକ୍ଷକୁ ଶୁଷ୍କ କରିପାରେ
    ଓ ଶୁଷ୍କ ବୃକ୍ଷକୁ ସତେଜ କରିପାରେ।
ମୁଁ ସଦାପ୍ରଭୁ
    ଏହା କହିଅଛି ଓ ମୁଁ ଏହା କରିବି।”

ଗୀତସଂହିତା 60-61

ପ୍ରଧାନ ବାଦ୍ୟକର ନିମନ୍ତେ “ଶୂଷନ୍-ଏଦୁତ୍” ସ୍ୱରରେ ଶିକ୍ଷାର୍ଥକ ଦାଉଦଙ୍କର ମିକ୍ତାମ୍। ଅରାମନହରିୟମ ଓ ଅରାମ-ସୋବା ସଙ୍ଗରେ ଯୁଦ୍ଧ କରିବା ବେଳେ ଓ ଯୋୟାବ ଫେରି ଲବଣ ଉପତ୍ୟକାରେ ଇଦୋମୀୟ 12,000 ଲୋକଙ୍କୁ ବଧ କରିବା ସମୟରେ ରଚିତ।

60 ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କୁ ପ୍ରତ୍ୟାଖ୍ୟାନ କରି ପରାଜିତ କରିଅଛ।
    ତୁମ୍ଭେ ଆମ୍ଭମାନଙ୍କ ସହିତ ରାଗିଛ।
    କିନ୍ତୁ ଦୟାକରି ତୁମ୍ଭେ ଆମ୍ଭମାନଙ୍କୁ ପୁନଃସ୍ଥାପନ କର।
ତୁମ୍ଭେ ଧରଣୀକୁ କମ୍ପିତ କରିଅଛ ଏବଂ ତାକୁ ଦୁଇ ଭାଗରେ ବିଦୀର୍ଣ୍ଣ କରିଛ।
    ଏହାର ଫାଟକକୁ ମରାମତି କର,
    କାରଣ ଏହାର ପତନ ହେଉଅଛି।
ତୁମ୍ଭେ ଆପଣା ଲୋକମାନଙ୍କୁ ବହୁତ ସମସ୍ୟା ଦେଇଛ।
    ଆମ୍ଭେ ମଦ୍ୟପ ପରି ଟଳମଳ ହେଉଛୁ ଓ ପଡ଼ୁଛୁ।
ତୁମ୍ଭକୁ ଉପାସନା କରୁଥିବା ଲୋକଙ୍କୁ ତୁମ୍ଭେ ସତର୍କ କରିବା ପାଇଁ ପତାକା ଉଠାଇଲ।
    ଯାହା ଫଳରେ ସେମାନେ ନିଜକୁ ତାଙ୍କର ଶତ୍ରୁମାନଙ୍କଠାରୁ ରକ୍ଷା କରି ପାରିବେ।

ଯେପରି ତୁମ୍ଭର ମହାଶକ୍ତି ବଳରେ ଆମ୍ଭକୁ ଉଦ୍ଧାର କର! ମୋର ପ୍ରାର୍ଥନାର ଉତ୍ତର ଦିଅ।
    ତୁମ୍ଭେ ଶ୍ରଦ୍ଧା କରୁଥିବା ଆପଣାର ଲୋକଙ୍କୁ ରକ୍ଷାକର।

ପରମେଶ୍ୱର ତାଙ୍କ ମନ୍ଦିରରେ [a] କହିଲେ,
    “ମୁଁ ଯୁଦ୍ଧରେ ଜିତିବି ଏବଂ ଜୟଲାଭ ବିଷୟରେ ବହୁତ ଖୁସୀ ହେବି।
ତା’ପରେ ମୁଁ ଏହି ଭୂମିକୁ ମୋର ଲୋକମାନଙ୍କ ମଧ୍ୟରେ ବାଣ୍ଟିଦେବି।
    ମୁଁ ଶିଖିମ ଓ ସୁ‌କ୍‌କୋତ ଉପତ୍ୟକାକୁ ସେମାନଙ୍କୁ ଦେଇଦେବି।
ଗିଲିୟଦ ଓ ମନଃଶି ମୋର ହେବେ।
    ଇଫ୍ରୟିମ ମୋର ଶିରସ୍ତ୍ରାଣ ହେବ।
    ଯିହୁଦା ମୋର ରାଜଦଣ୍ଡ ହେବ।
ମୋୟାବ ମୋର ପାଦ ଧୋଇବା ପାଇଁ ପ୍ରକ୍ଷାଳନ ପାତ୍ର।
    ଇଦୋମ ମୋର ପାଦୁକା ବହନ କରିବ।
ମୁଁ ପଲେଷ୍ଟୀୟମାନଙ୍କୁ ପରାସ୍ତ କରିବି।
    ତୁମ୍ଭେ ବିଜୟ ସକାଶେ ଜୟଧ୍ୱନି କର।”

9-10 କିଏ ମୋତେ ସେହି ଦୃଢ଼ ନଗର ଭିତରକୁ ଆଣିବ?
    କିଏ ମୋତେ ଇଦୋମ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଆଗେଇ ନେବ?
ପରମେଶ୍ୱର, ତୁମ୍ଭେ ନୁହଁ କି?
    କିନ୍ତୁ ତୁମ୍ଭେ ଆମ୍ଭକୁ ପ୍ରତ୍ୟାଖ୍ୟାନ କରିଛ।
    ପରମେଶ୍ୱର, ତୁମ୍ଭେ ଆଉ ଦିନ ତମାମ ଆମ୍ଭର ଶତ୍ରୁମାନଙ୍କ ସହିତ ଯାଅ ନାହିଁ।
11 ହେ ପରମେଶ୍ୱର, ଶତ୍ରୁମାନଙ୍କୁ ପରାସ୍ତ କରିବାରେ ଆମ୍ଭକୁ ସହାୟ ହୁଅ।
    ଲୋକମାନେ ଆମ୍ଭମାନଙ୍କୁ ସାହାଯ୍ୟ କରି ପାରିବେ ନାହିଁ।
12 ପରମେଶ୍ୱର ହିଁ ଆମ୍ଭକୁ ଶକ୍ତିଶାଳୀ କରି ପାରିବେ।
    କେବଳ ସେ ଆମ୍ଭର ଶତ୍ରୁମାନଙ୍କୁ ପଦଦଳନ କରି ପାରିବେ।

ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଦାଉଦଙ୍କର ଏକ ଗୀତ।

61 ପରମେଶ୍ୱର, ସାହାଯ୍ୟ ପାଇଁ ମୋର କ୍ରନ୍ଦନ ଶୁଣ।
    ମୋର ପ୍ରାର୍ଥନାରେ ମନୋଯୋଗ କର।
ମୁଁ ଯେତେବେଳେ ଭୟଭୀତ ହୁଏ,
    ପୃଥିବୀର ଶେଷ ପ୍ରାନ୍ତରୁ ମୁଁ ତୁମ୍ଭକୁ ଡାକେ।
ତୁମ୍ଭେ ମୋତେ ଉଚ୍ଚସ୍ଥାନରେ ଥିବା
    ନିରାପଦ ସ୍ଥାନକୁ ନେଇଯାଅ।
ତୁମ୍ଭେ ମୋର ନିରାପଦ ଆଶ୍ରୟସ୍ଥଳୀ!
    ମୋର ଶତ୍ରୁମାନଙ୍କ କବଳରୁ ରକ୍ଷା କରୁଥିବା ତୁମ୍ଭେ ହିଁ ମୋର ଉଚ୍ଚ ଦୁର୍ଗ।
ମୁଁ ଚିରଦିନ ତୁମ୍ଭ ତମ୍ବୁରେ ବାସ କରିବାକୁ ଗ୍ଭହେଁ।
    ମୁଁ ତୁମ୍ଭ ପକ୍ଷର ଛାୟାରେ ଆଶ୍ରୟ ନେବି।

ହେ ପରମେଶ୍ୱର, ତୁମ୍ଭେ ଶୁଣିଛ ମୁଁ ତୁମ୍ଭକୁ କ’ଣ ଦେବା ପାଇଁ ପ୍ରତିଜ୍ଞା କରିଛି।
    ଯେଉଁମାନେ ତୁମ୍ଭକୁ ସମ୍ମାନ କରନ୍ତି, ସେମାନଙ୍କୁ ସର୍ବଦା ତୁମ୍ଭେ ଯାହା ଦିଅ, ତାହା ତୁମ୍ଭେ ମୋତେ ଦେଲ।
ତୁମ୍ଭେ ରାଜାଙ୍କୁ ଦୀର୍ଘ ଜୀବନ ପ୍ରଦାନ କର।
    ତାଙ୍କୁ ଚିରଦିନ ପାଇଁ ବଞ୍ଚିବାକୁ ଦିଅ।
ସେ ପରମେଶ୍ୱରଙ୍କ ଆଶୀର୍ବାଦରେ ଚିରଦିନ ବାସ କରିବେ।
    ଆପଣାର ସତ୍ୟତା ଓ ସ୍ନେହପୂର୍ଣ୍ଣ କରୁଣାନୁସାରେ ତାଙ୍କୁ ରକ୍ଷା କର।
ଏବଂ ମୁଁ ସର୍ବଦା ତୁମ୍ଭ ନାମର ପ୍ରଶଂସା ଗାନ କରିବି
    ଓ ପ୍ରତ୍ୟେକ ଦିନ, ମୁଁ ମୋର ପ୍ରତିଜ୍ଞା ପାଳନ କରିବି।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center