Daily Reading for Personal Growth, 40 Days with God
ଶୁଣିବା ଓ ପାଳନ କରିବା
19 ମୋ’ ପ୍ରିୟ ଭାଇ ଓ ଭଉଣୀମାନେ, କହିବା ଅପେକ୍ଷା ଶୁଣିବାରେ ବେଶି ଇଚ୍ଛୁକ ହୁଅ। ସହଜରେ ରାଗି ଯାଅ ନାହିଁ। 20 କାରଣ ଜଣେ ମଣିଷର କ୍ରୋଧ ତାହାକୁ ପରମେଶ୍ୱରଙ୍କ ଇଚ୍ଛାନୁମୋଦିତ ଧାର୍ମିକ ଜୀବନ କାଟିବାକୁ ସାହାଯ୍ୟ କରେ ନାହିଁ। 21 ତେଣୁ ତୁମ୍ଭମାନଙ୍କ ଜୀବନରୁ ପ୍ରତ୍ୟେକ ମନ୍ଦ ବିଷୟ ଓ ମନ୍ଦ କର୍ମକୁ କାଢ଼ି ପକାଅ। ତୁମ୍ଭର ହୃଦୟରେ ବୁଣା ଯାଇଥିବା ପରମେଶ୍ୱରଙ୍କ ଶିକ୍ଷାଗୁଡ଼ିକୁ ନମ୍ରତାର ସହିତ ଗ୍ରହଣ କର। ଏହି ଶିକ୍ଷା ତୁମ୍ଭର ଆତ୍ମାକୁ ରକ୍ଷା କରି ପାରିବ।
22 ପରମେଶ୍ୱରଙ୍କ ଶିକ୍ଷାଗୁଡ଼ିକ ପାଳନ କର, କେବଳ ଯେ ଶୁଣିବ ତାହା ନୁହେଁ, କିନ୍ତୁ କାର୍ଯ୍ୟରେ ଦେଖାଇବା ଦରକାର। କେବଳ ବସି ରହି ଶୁଣିବା ଦ୍ୱାରା ତୁମ୍ଭେ ପ୍ରକୃତରେ ନିଜକୁ ଠକୁଛ। 23 ଯଦି ଜଣେ ପରମେଶ୍ୱରଙ୍କ ଶିକ୍ଷାକୁ କେବଳ ଶୁଣେ ଓ କିଛି କରେ ନାହିଁ, ସେ ଲୋକ ଦର୍ପଣରେ ନିଜ ମୁହଁ ଦେଖିଲା ଭଳି ଅଟେ। 24 ସେ ଦର୍ପଣରେ ନିଜକୁ ଦେଖେ ଓ ଦୂରେଇ ଗ୍ଭଲିଯାଏ ଓ ଶୀଘ୍ର ଭୁଲିଯାଏ ଯେ, ସେ କିପରି ଦିଶୁଥିଲା। 25 କିନ୍ତୁ ପ୍ରକୃତ ସୁଖୀ ଲୋକ ଯତ୍ନ ସହକାରେ ପରମେଶ୍ୱରଙ୍କ ସିଦ୍ଧ ବ୍ୟବସ୍ଥାକୁ ଅଧ୍ୟୟନ କରେ ଯାହା ମନୁଷ୍ୟମାନଙ୍କୁ ସ୍ୱାଧୀନ କରିଥାଏ। ସେ ସର୍ବଦା ତାହା ଅଧ୍ୟୟନ କରୁଥାଏ। ସେ ପରମେଶ୍ୱରଙ୍କ ଶିକ୍ଷାକୁ ଶୁଣେ ଓ ସେହି ଶୁଣିଥିବା ବିଷୟ ଭୁଲିଯାଏ ନାହିଁ। ତା’ପରେ ସେ ପରମେଶ୍ୱରଙ୍କ ସେହି ଶିକ୍ଷାକୁ ପାଳନ କରେ। ଏପରି କରିବା ଦ୍ୱାରା ସେ ସୁଖୀ ହୁଏ।
ପରମେଶ୍ୱରଙ୍କୁ ଉପାସନା କରିବାର ପ୍ରକୃତ ମାର୍ଗ
26 ଜଣେ ଲୋକ ଭାବିପାରେ ଯେ, ସେ ନିଜେ ଜଣେ ଧାର୍ମିକ ଲୋକ ଅଟେ। କିନ୍ତୁ ଯେଉଁସବୁ କଥା କହିବା ଉଚିତ୍ ନୁହେଁ, ତାହା କହିବା ଦ୍ୱାରା ସେ ନିଜକୁ ଠକେ। ତେଣୁ ତା’ର “ଧର୍ମ”ର କିଛି ମୂଲ୍ୟ ରହେ ନାହିଁ। 27 ପରମେଶ୍ୱର ଯେଉଁ ଧର୍ମକୁ ଭଲ ପାଆନ୍ତି, ତାହା ହେଲା: ଅନାଥ, ବିଧବା ଓ ଅସହାୟ ଲୋକମାନଙ୍କର ଯତ୍ନ ନେବା ଓ ନିଜକୁ ଏହି ସଂସାରର ମନ୍ଦ ପ୍ରଭାବରୁ ମୁକ୍ତ ରଖିବା। ଏହି ପ୍ରକାର ଧର୍ମକୁ ପରମେଶ୍ୱର ସମ୍ପୂର୍ଣ୍ଣ ଶୁଦ୍ଧ ଓ ଉତ୍ତମ ବୋଲି ଗ୍ରହଣ କରନ୍ତି।
2010 by World Bible Translation Center