Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ବଂଶାବଳୀର ଦ୍ୱିତୀୟ ପୁସ୍ତକ 13-14

ଯିହୁଦାର ରାଜା ଅବିୟ

13 ରାଜା ଯାରବିୟା‌ମଙ୍କ ରାଜତ୍ୱର ଅଠର ବର୍ଷରେ ଅବିୟ ଯିହୁଦାର ନୂତନ ରାଜା ହେଲେ। ଅବିୟ ଯିରୁଶାଲମରେ ତିନି ବର୍ଷ ରାଜାରୂପେ ରହିଲେ। ଅବିୟଙ୍କର ମାତା ଥିଲେ ମୀଖାୟା, ସେ ଉରିୟେଲଙ୍କର କନ୍ୟା ଥିଲେ। ଉରିୟେଲ ଗିବିୟା ସହରରୁ ଆସିଥିଲେ। ଅବିୟ ଓ ଯାରବିୟା‌ମଙ୍କ ମଧ୍ୟରେ ଯୁଦ୍ଧ ଲାଗି ରହିଥିଲା। ଅବିୟଙ୍କ ସୈନ୍ୟଦଳରେ 400,000 ଜଣ ସାହସୀ ସୈନିକ ଥିଲେ। ଅବିୟ ସେହି ସୈନ୍ୟଦଳକୁ ଯୁଦ୍ଧକ୍ଷେତ୍ରକୁ କଢ଼ାଇ ନେଲେ। ଯାରବିୟା‌ମଙ୍କ ସୈନ୍ୟଦଳରେ 800,000 ଜଣ ସାହସୀ ସୈନିକ ଥିଲେ। ଅବିୟଙ୍କ ସହିତ ଏକ ଯୁଦ୍ଧ ନିମନ୍ତେ ଯାରବିୟାମ୍ ପ୍ରସ୍ତୁତ ହେଲେ।

ଏହା ପରେ ଇଫ୍ରୟିମର ପାର୍ବତ୍ୟମୟ, ଦେଶସ୍ଥ ସମାରୟିମ୍ ପର୍ବତ ଉପରେ ଅବିୟ ଠିଆ ହେଲେ। ଅବିୟ କହିଲେ, “ଯାରବିୟାମ୍ ଓ ସମଗ୍ର ଇସ୍ରାଏଲ, ମୋ’ କଥା ଶୁଣ! ତୁମ୍ଭେମାନେ ଜାଣିବା ଉଚିତ୍ ଯେ, ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱର ଦାଉଦ ଓ ତାଙ୍କର ପୁତ୍ରମାନଙ୍କୁ ଚିରକାଳ ନିମନ୍ତେ ଇସ୍ରାଏଲର ରାଜା ହେବା ନିମନ୍ତେ ଅଧିକାର ଦେଇଥିଲେ। ପରମେଶ୍ୱର ଦାଉଦଙ୍କୁ ଲବଣ ଚୁକ୍ତି ସହିତ ଏହି ଅଧିକାର ପ୍ରଦାନ କରିଥିଲେ। କିନ୍ତୁ ଯାରବିୟାମ୍ ତାଙ୍କର ମାଲିକଙ୍କର ବିରୁଦ୍ଧରେ ଉଠିଲେ। ନବାଟର ପୁତ୍ର ଯାରବିୟାମ୍ ଦାଉଦଙ୍କ ପୁତ୍ର ଶଲୋମନଙ୍କ ଜଣେ ଦାସର ପୁତ୍ର ଥିଲା। ଏହା ପରେ ନିହାତି ଅଯୋଗ୍ୟ, ମନ୍ଦ ଲୋକମାନେ ଯାରବିୟାମର ସାଙ୍ଗୀ ହେଲେ। ଆଉ ଯାରବିୟାମ୍ ଓ ସେହି ମନ୍ଦ ଲୋକମାନେ ଶଲୋମନଙ୍କର ପୁତ୍ର ରିହବିୟାମଙ୍କର ବିପକ୍ଷରେ ଉଠିଲେ। ରିହବିୟାମ୍ ଅଳ୍ପବୟସ୍କ ଓ ଅନୁଭୂତିହୀନ ଥିଲେ। ତେଣୁ ରିହବିୟାମ୍, ଯାରବିୟାମ୍ ଓ ତାଙ୍କର ମନ୍ଦ ସଙ୍ଗୀମାନଙ୍କୁ ଅଟକାଇ ପାରିଲେ ନାହିଁ।

“ବର୍ତ୍ତମାନ, ତୁମ୍ଭେମାନେ ସଦାପ୍ରଭୁଙ୍କ ରାଜତ୍ୱକୁ ପରାସ୍ତ କରିବା ନିମନ୍ତେ ସିଦ୍ଧାନ୍ତ ନେଇଅଛ ଯେଉଁ ରାଜ୍ୟ ଦାଉଦଙ୍କ ପୁତ୍ରମାନଙ୍କ ଦ୍ୱାରା ଶାସିତ ହେଉଅଛି। ତୁମ୍ଭମାନଙ୍କ ସହିତ ବହୁତ ସଂଖ୍ୟକ ଲୋକ ଅଛନ୍ତି ଓ ତୁମ୍ଭମାନଙ୍କ ନିକଟରେ ସେହି ସୁବର୍ଣ୍ଣ ବାଛୁରିଗୁଡ଼ିକ ଅଛି, ଯେଉଁ ‘ଦେବତାମାନଙ୍କୁ’ ଯାରବିୟାମ୍ ତୁମ୍ଭମାନଙ୍କ ନିମନ୍ତେ ନିର୍ମାଣ କରିଅଛ। ତୁମ୍ଭେମାନେ ହାରୋଣଙ୍କ ବଂଶଧର, ସଦାପ୍ରଭୁ ଯାଜକମାନଙ୍କୁ ବାହାର କରିଦେଲେ। ଆଉ ତୁମ୍ଭେମାନେ ଲେବୀୟମାନଙ୍କୁ ବାହାର କରିଦେଲ। ଏହା ପରେ ତୁମ୍ଭେମାନେ ନିଜେ ନିଜର ଯାଜକମାନଙ୍କୁ ବାଛିଲ, ଠିକ୍ ଯେପରି ପୃଥିବୀର ଅନ୍ୟ ଦେଶର ଲୋକମାନେ କରିଥା’ନ୍ତି। ଆଉ ବର୍ତ୍ତମାନ ଯେକୌଣସି ବ୍ୟକ୍ତି ଗୋଟିଏ ଅଳ୍ପବୟସ୍କ ବୃଷ ଓ ସାତୋଟି ମେଣ୍ଢା ଆଣି ଦେଲେ ଜଣେ ଯାଜକ ହୋଇ ପାରିବ। ଜଣେ ଯାଜକ ଯିଏ କି ‘ଅଣଦେବତାମାନଙ୍କର’ ସେବା କରିବ।

10 “କିନ୍ତୁ ଆମ୍ଭମାନଙ୍କ ନିମନ୍ତେ, ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଅଟନ୍ତି। ଆମ୍ଭେମାନେ ଯିହୁଦାର ଲୋକମାନେ ପରମେଶ୍ୱରଙ୍କୁ ମାନିବା ନିମନ୍ତେ ମନା କରି ନାହୁଁ। ଆମ୍ଭେମାନେ ତାହାଙ୍କୁ ପରିତ୍ୟାଗ କରି ନାହୁଁ। ଯେଉଁ ଯାଜକମାନେ ସଦପ୍ରଭୁଙ୍କର ସେବା କରନ୍ତି, ସେମାନେ ହାରୋଣଙ୍କର ପୁତ୍ରଗଣ ଅଟନ୍ତି। ଲେବୀୟମାନେ ସେମାନଙ୍କୁ ସେମାନଙ୍କର କାମ କରିବାରେ ସାହାଯ୍ୟ କରନ୍ତି। 11 ସେମାନେ ପ୍ରତି ପ୍ରଭାତରେ ଓ ପ୍ରତି ସନ୍ଧ୍ୟାରେ ସଦାପ୍ରଭୁଙ୍କ ନିକଟରେ ହୋମବଳି ଓ ସୁଗନ୍ଧି ଧୂପ ଉତ୍ସର୍ଗ କରନ୍ତି। ସେମାନେ ମନ୍ଦିର ମଧ୍ୟରେ ଥିବା ବିଶେଷ ମେଜ ଉପରେ ଧାଡ଼ିରେ ରୋଟୀ ସଜାଇ ରଖନ୍ତି। ଆଉ ସେମାନେ ସୁବର୍ଣ୍ଣ ପ୍ରଦୀପଧାର ଗୁଡ଼ିକର ଯତ୍ନ ନିଅନ୍ତି, ତେଣୁ ପ୍ରତ୍ୟେକ ସନ୍ଧ୍ୟାରେ ପ୍ରଦୀପ ଝ‌କ୍‌ମକ୍ କରେ। ଆମ୍ଭେମାନେ ଅତି ଯତ୍ନପୂର୍ବକ ଆମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କର ସେବା କରୁ। କିନ୍ତୁ ତୁମ୍ଭେମାନେ ତାଙ୍କୁ ସମ୍ପୂର୍ଣ୍ଣ ରୂପେ ତ୍ୟାଗ କରିଅଛ। 12 ପରମେଶ୍ୱର ସ୍ୱୟଂ ଆମ୍ଭମାନଙ୍କ ସହିତ ରହିଛନ୍ତି। ସେ ଆମ୍ଭମାନଙ୍କର ଶାସକ ଅଟନ୍ତି, ଆଉ ତାଙ୍କର ଯାଜକମାନେ ଆମ୍ଭମାନଙ୍କ ସହିତ ଅଛନ୍ତି। ତୁମ୍ଭ ବିରୁଦ୍ଧରେ ଯୁଦ୍ଧର ଆହ୍ୱାନ ରୂପେ ପରମେଶ୍ୱରଙ୍କ ଯାଜକମାନେ ତାଙ୍କର ତୂରୀ ବଜାନ୍ତି। ହେ ଇସ୍ରାଏଲର ଲୋକମାନେ, ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କ ବିରୁଦ୍ଧରେ ଯୁଦ୍ଧ କର ନାହିଁ। ତୁମ୍ଭେମାନେ କେବେ ସଫଳ ହେବ ନାହିଁ।”

13 କିନ୍ତୁ ଯାରବିୟାମ୍ ଅବିୟଙ୍କ ସୈନ୍ୟଦଳର ପଛେ ପଛେ ଗୋପନରେ ଯିବା ନିମନ୍ତେ ଏକ ଦଳ ସୈନ୍ୟଙ୍କୁ ପଠାଇଲେ। ଯାରବିୟା‌ମଙ୍କ ସୈନ୍ୟଦଳ ଯିହୁଦୀୟଙ୍କ ସୈନ୍ୟଦଳର ସମ୍ମୁଖରେ ଥିଲେ। ଯାରବିୟା‌ମଙ୍କ ସୈନ୍ୟଦଳରୁ ଲୁଚି ରହିଥିବା ସୈନ୍ୟମାନେ ଯିହୁଦାର ପଶ୍ଚାତ୍‌ରେ ଥିଲେ। 14 ଅବିୟଙ୍କ ସୈନ୍ୟଦଳରେ ଥିବା ଯିହୁଦାର ସୈନ୍ୟଗଣ ଯେତେବେଳେ ଚତୁର୍ଦ୍ଦିଗକୁ ଗ୍ଭହିଁଲେ, ସେମାନେ ଦେଖିଲେ ଯେ, ଯାରବିୟା‌ମଙ୍କ ସୈନ୍ୟଦଳ ସମ୍ମୁଖରୁ ଓ ପଶ୍ଚାତ୍‌ରୁ ଉଭୟ ପାର୍ଶ୍ୱରୁ ଆକ୍ରମଣ କରୁଛନ୍ତି। ଯିହୁଦାର ଲୋକମାନେ ସଦାପ୍ରଭୁଙ୍କ ନିକଟରେ ପାଟି କରି ଡାକ ପକାଇଲେ ଓ ଯାଜକମାନେ ତୂରୀ ବଜାଇଲେ। 15 ଏହା ପରେ ଯିହୁଦାର ଲୋକମାନେ ଜୋ‌ର୍‌ରେ ଚିତ୍କାର କଲେ। ଯିହୁଦାର ଲୋକମାନେ ଯେତେବେଳେ ଜୋ‌ର୍‌ରେ ଚିତ୍କାର କଲେ, ପରମେଶ୍ୱର ଯାରବିୟାମଙ୍କ ସୈନ୍ୟଦଳକୁ ପରାସ୍ତ କଲେ। ଇସ୍ରାଏଲରୁ ଆଗତ ଯାରବିୟା‌ମଙ୍କ ସମସ୍ତ ସୈନ୍ୟଦଳ ଯିହୁଦାରୁ ଆଗତ ଅବିୟଙ୍କ ସୈନ୍ୟଦଳ ଦ୍ୱାରା ପରାସ୍ତ ହେଲେ। 16 ଇସ୍ରାଏଲର ଲୋକମାନେ ଯିହୁଦାର ଲୋକମାନଙ୍କଠାରୁ ପଳାୟନ କଲେ। ପରମେଶ୍ୱର ଇସ୍ରାଏଲର ସୈନ୍ୟଗଣଙ୍କୁ ପରାସ୍ତ କରିବା ନିମନ୍ତେ ଯିହୁଦାର ସୈନ୍ୟଦଳକୁ ଆଗେଇ ନେଲେ। 17 ଅବିୟଙ୍କ ସୈନ୍ୟଦଳ ଇସ୍ରାଏଲର ସୈନ୍ୟଦଳକୁ ଅତି ଗୁରୁତର ଭାବରେ ପରାସ୍ତ କଲେ ଓ ଇସ୍ରାଏଲର 500,000 ଜଣ ସର୍ବଶ୍ରେଷ୍ଠ ବ୍ୟକ୍ତିମାନେ ନିହତ ହେଲେ। 18 ତେଣୁ ସେହି ସମୟରେ ଇସ୍ରାଏଲର ଲୋକମାନେ ପରାସ୍ତ ହେଲେ ଓ ଯିହୁଦାର ଲୋକମାନେ ବିଜୟୀ ହେଲେ। ଯିହୁଦାର ସୈନ୍ୟଦଳ ସେମାନଙ୍କ ପୂର୍ବପୁରୁଷମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କ ଉପରେ ନିର୍ଭର କରିଥିବାରୁ ବିଜୟଲାଭ କଲେ।

19 ଅବିୟଙ୍କ ସୈନ୍ୟଦଳ ଯାରବିୟା‌ମଙ୍କ ସୈନ୍ୟଦଳର ପଛେ ପଛେ ଗୋଡ଼ାଇଲେ। ଅବିୟଙ୍କ ସୈନ୍ୟଦଳ ବୈଥଲ, ଯିଶାନା ଓ ଇଫ୍ରୋନ୍ ସହରଗୁଡ଼ିକ ଯାରବିୟା‌ମଙ୍କଠାରୁ ଦଖଲ କରି ନେଲେ। ସେହି ସହର ଓ ସେହି ସହରଗୁଡ଼ିକର ନିକଟରେ ଥିବା କ୍ଷୁଦ୍ର ଗ୍ରାମଗୁଡ଼ିକୁ ମଧ୍ୟ ସେମାନେ ଅଧିକାର କରି ନେଲେ।

20 ଅବିୟ ଜୀବିତ ଥିବା ପର୍ଯ୍ୟନ୍ତ ଯାରବିୟାମ୍ ଆଉ କଦାପି ପରାକ୍ରମୀ ହୋଇପାରିଲେ ନାହିଁ। ସଦାପ୍ରଭୁ ଯାରବିୟା‌ମଙ୍କୁ ବଧ କଲେ। 21 କିନ୍ତୁ ଅବିୟ ପରାକ୍ରମୀ ହୋଇ ଉଠିଲେ। ସେ ଚଉଦ ଜଣ ସ୍ତ୍ରୀଙ୍କୁ ବିବାହ କଲେ, ଏବଂ ବାଇଶ ଜଣ ପୁତ୍ର ଓ ଷୋହଳ ଜଣ କନ୍ୟାଙ୍କର ପିତା ହେଲେ। 22 ଅବିୟ ଆଉ ଯେଉଁସବୁ କର୍ମ କରିଥିଲେ, ତାହା ଇଦ୍ଦୋ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକମାନଙ୍କରେ ଲେଖାଯାଇଅଛି।

14 ଅବିୟ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ ଶୟନ କଲେ, ଲୋକମାନେ ତାଙ୍କୁ ଦାଉଦଙ୍କ ନଗରରେ କବର ଦେଲେ। ଏହା ପରେ ଅବିୟଙ୍କ ପୁତ୍ର ଆସା, ଅବିୟଙ୍କ ସ୍ଥାନରେ ନୂତନ ରାଜା ହେଲେ। ଦଶ ବର୍ଷ ପର୍ଯ୍ୟନ୍ତ ଦେଶରେ ଶାନ୍ତି ଅବସ୍ଥାନ କରିଥିଲା।

ଯିହୁଦାର ରାଜା ଆସା

ଆସା ତାଙ୍କର ସଦାପ୍ରଭୁ ପରମେଶ୍ୱରଙ୍କ ସମ୍ମୁଖରେ ଉତ୍ତମ ଓ ଯଥାର୍ଥ ବିଷୟମାନ କଲେ। ଆସା ଉଚ୍ଚ ସ୍ଥାନରେ ଥିବା ବିଦେଶୀୟ ଯଜ୍ଞବେଦିକୁ ଉଠାଇ ଦେଲେ। ଆସା ଉଚ୍ଚସ୍ଥାନସବୁ ଦୂର କରିଦେଲେ ଓ ସ୍ମରଣାର୍ଥକ ପବିତ୍ର ପ୍ରସ୍ତରସବୁକୁ ଭାଙ୍ଗି ଚୂରମାର୍ କରିଦେଲେ। ଆଉ ଆସା ଆଶେରା ସ୍ତମ୍ଭ ସବୁକୁ ଭାଙ୍ଗି ଦେଲେ। ଆସା ଯିହୁଦାର ଲୋକମାନଙ୍କୁ ସଦାପ୍ରଭୁ ପରମେଶ୍ୱରଙ୍କ ଅନୁଗମନ କରିବା ନିମନ୍ତେ ଆଦେଶ ଦେଲେ। ସେମାନଙ୍କର ପୂର୍ବପୁରୁଷମାନେ ସେହି ପରମେଶ୍ୱରଙ୍କୁ ହିଁ ଅନୁଗମନ କରୁଥିଲେ। ଆଉ ଆସା ସେମାନଙ୍କୁ ସଦାପ୍ରଭୁଙ୍କର ସମସ୍ତ ନିୟମ ଓ ଆଜ୍ଞାଗୁଡ଼ିକର ବାଧ୍ୟ ହେବା ନିମନ୍ତେ ଆଦେଶ ଦେଲେ। ଆସା ଆହୁରି ମଧ୍ୟ ଯିହୁଦାର ସମସ୍ତ ସହରଗୁଡ଼ିକରେ ଥିବା ଉଚ୍ଚସ୍ଥାନ ଓ ସୁଗନ୍ଧି ଧୂପର ବେଦିଗୁଡ଼ିକ ଧ୍ୱଂସ କରିଦେଲେ। ତେଣୁ ଆସା ରାଜା ଥିବା ସମୟରେ ରାଜ୍ୟରେ ଶାନ୍ତି ରହିଲା। ଯିହୁଦାରେ ଶାନ୍ତି ଥିବା ସମୟରେ ଆସା ଯିହୁଦାରେ ଦୃଢ଼ ନଗରମାନ ସ୍ଥାପନ କଲେ। ସଦାପ୍ରଭୁ ତାଙ୍କୁ ଶାନ୍ତି ପ୍ରଦାନ କରିଥିବାରୁ ସେହି ବର୍ଷଗୁଡ଼ିକରେ କୌଣସି ଯୁଦ୍ଧ ହୋଇ ନ ଥିଲା।

ଆସା ଯିହୁଦାର ଲୋକମାନଙ୍କୁ କହିଲେ, “ଆସ, ଆମ୍ଭେମାନେ ଏହିସବୁ ସହର ଓ ସେଗୁଡ଼ିକର ଚତୁର୍ଦ୍ଦିଗରେ ପ୍ରାଚୀର ନିର୍ମାଣ କରିବା। ଆସ, ଆମ୍ଭେମାନେ ଦୁର୍ଗ, ଦ୍ୱାର ଓ ଦ୍ୱାରର କିଳିଣିସବୁ ନିର୍ମାଣ କରିବା ଆମ୍ଭେମାନେ ଏହି ଦେଶରେ ବାସ କରୁଥିବା ସମୟରେ ହିଁ ଆସ, ଏହା କରିବା। ଏହି ଦେଶ ଆମ୍ଭମାନଙ୍କର ଅଟେ, କାରଣ ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱରଙ୍କ ଅନୁଗମନ କରିଅଛୁ। ସେ ଆମ୍ଭମାନଙ୍କର ଚତୁର୍ଦ୍ଦିଗରେ ଶାନ୍ତି ପ୍ରଦାନ କରିଅଛନ୍ତି।” ତେଣୁ ସେମାନେ ସମସ୍ତେ ସେସବୁ ନିର୍ମାଣ କଲେ ଓ ସଫଳତା ପାଇଲେ।

ଆସାଙ୍କର ଯିହୁଦା ବଂଶରୁ 300,000 ଓ ବିନ୍ୟାମୀନ ବଂଶରୁ 280,000 ଲୋକଙ୍କର ଏକ ସୈନ୍ୟଦଳ ଥିଲା। ଯିହୁଦାର ଲୋକମାନେ ବିରାଟକାୟ ଢାଲ ଓ ବର୍ଚ୍ଛାମାନ ବହନ କରୁଥିଲେ। ବିନ୍ୟାମୀନର ଲୋକମାନେ ଛୋଟ ଛୋଟ ଢାଲ ଧରୁଥିଲେ ଓ ଧନୁରୁ ତୀର ନିକ୍ଷେପ କରୁଥିଲେ। ଏହି ସମସ୍ତ ଲୋକ ଶକ୍ତିଶାଳୀ ଓ ସାହସୀ ଥିଲେ।

ଏହା ପରେ ସେରହ ଆସାଙ୍କ ସୈନ୍ୟଦଳ ବିରୁଦ୍ଧରେ ଆସିଲା। ସେରହ ଇଥିଓପିଆର ମୁଖ୍ୟ ଥିଲା। ସେରହ ସହିତ ଥିବା ସୈନ୍ୟଦଳରେ 1,000,000 ଲୋକ ଓ 300 ରଥ ଥିଲେ। ସେରହର ସୈନ୍ୟଦଳ ମାରେଶା ସହର ପର୍ଯ୍ୟନ୍ତ ମାଡ଼ିଗଲେ। 10 ଆସା ସେରହଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ବାହାରିଲେ। ମାରେଶାର ସଫାଥା ଉପତ୍ୟକାର ମାରେଶାହ ନିକଟରେ ଯୁଦ୍ଧ କରିବା ନିମନ୍ତେ ଆସାଙ୍କ ସୈନ୍ୟଦଳ ପ୍ରସ୍ତୁତ ହୋଇ ରହିଲେ।

11 ଆସା ତାଙ୍କର ସଦାପ୍ରଭୁ ପରମେଶ୍ୱରଙ୍କୁ ଡାକ ପକାଇଲେ ଓ କହିଲେ, “ସଦାପ୍ରଭୁ, ତୁମ୍ଭ ପାଇଁ ଶକ୍ତିହୀନ ଲୋକଙ୍କୁ ସାହାଯ୍ୟ କରିବା ଯେତିକି ସହଜ ଶକ୍ତିଶାଳୀ ଲୋକଙ୍କୁ ସାହାଯ୍ୟ କରିବା ସେତିକି ସହଜ। ଆମ୍ଭମାନଙ୍କୁ ସାହାଯ୍ୟ କର। ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କର ପରମେଶ୍ୱର ଅଟ। ଏହି ବିଶାଳ ସୈନ୍ୟବାହିନୀ ବିପକ୍ଷରେ ଥିଲେ ହେଁ ଆମ୍ଭେମାନେ ତୁମ୍ଭ ଉପରେ ନିର୍ଭର କରୁ! ତୁମ୍ଭେ, ତୁମ୍ଭ ବିରୁଦ୍ଧରେ କାହାରିକୁ ଜୟ ଲାଭ କରିବାକୁ ଦିଅ ନାହିଁ।”

12 ଏହା ପରେ ସଦାପ୍ରଭୁ ଇଥିଓପିୟ ସୈନ୍ୟଦଳକୁ ପରାସ୍ତ କରିବା ନିମନ୍ତେ ଆସା ଓ ଯିହୁଦାର ସୈନ୍ୟଦଳକୁ ବ୍ୟବହାର କଲେ। ଆଉ ଇଥିଓପିୟ ସୈନ୍ୟଦଳ ଦୌଡ଼ି ପଳାଇଗଲେ। 13 ଆସା ଏବଂ ତାଙ୍କ ସୈନ୍ୟଦଳ ଇଥିଓପିୟ ସୈନ୍ୟଦଳଙ୍କ ପଛେ ପଛେ ଗରାର୍ ସହର ପର୍ଯ୍ୟନ୍ତ ଗୋଡ଼ାଇଲେ। ବହୁସଂଖ୍ୟକ ସୈନ୍ୟଗଣ ସାଂଘାତିକ ଭାବରେ କ୍ଷତାକ୍ତ ହେଲେ ଏବଂ ଆରୋଗ୍ୟ ହୋଇପାରିଲେ ନାହିଁ। ସେମାନେ ସଦାପ୍ରଭୁ ଓ ତାଙ୍କ ସୈନ୍ୟଦଳ ଦ୍ୱାରା ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଗଲେ ଆସା ଓ ତାଙ୍କର ସୈନ୍ୟଦଳ ଶତ୍ରୁମାନଙ୍କଠାରୁ ଅନେକ ବହୁମୂଲ୍ୟ ପଦାର୍ଥ ଲୁଟି ନେଲେ। 14 ଆସା ଓ ତାଙ୍କର ସୈନ୍ୟଦଳ ଗରା‌ର୍‌ର ନିକଟସ୍ଥ ସମସ୍ତ ସହର ଉପରେ ବିଜୟଲାଭ କଲେ। ସେହି ସହରଗୁଡ଼ିକରେ ବାସ କରୁଥିବା ଲୋକମାନେ ସଦାପ୍ରଭୁଙ୍କୁ ଭୟ କଲେ। ସେହି ସହରଗୁଡ଼ିକରେ ଅନେକ ବହୁମୂଲ୍ୟ ପଦାର୍ଥମାନ ରହିଥିଲା। ଆସାଙ୍କ ସୈନ୍ୟଦଳ ସେହି ସହରଗୁଡ଼ିକରୁ ସେହି ସମସ୍ତ ବହୁମୂଲ୍ୟ ପଦାର୍ଥଗୁଡ଼ିକୁ ନେଇଗଲେ। 15 ଆସାଙ୍କ ସୈନ୍ୟଦଳ ମେଷ ପାଳକମାନଙ୍କର ଛାଉଣି ଉପରେ ମଧ୍ୟ ଆକ୍ରମଣ କଲେ। ସେମାନେ ଅନେକ ମେଷ ଓ ଓଟ ନେଇଗଲେ। ଏହା ପରେ ଆସାଙ୍କ ସୈନ୍ୟଦଳ ଯିରୁଶାଲମକୁ ଫେରିଗଲେ।

ଯୋହନ ଲିଖିତ ସୁସମାଗ୍ଭର 12:1-26

ତାହାଙ୍କ ବନ୍ଧୁମାନଙ୍କ ସହ ବେଥନୀୟାରେ ଯୀଶୁ(A)

12 ଯୀଶୁ ନିସ୍ତାରପର୍ବ ଉତ୍ସବର ଛଅ ଦିନ ପୂର୍ବରୁ ବେଥନୀୟାକୁ ଗଲେ। ଲାଜାର ବେଥନୀୟାରେ ରହୁଥିଲେ। (ଯାହାଙ୍କୁ ଯୀଶୁ ମୃତ୍ୟୁରୁ ଉଠେଇ ଥିଲେ)। ସେଠାରେ ଯୀଶୁଙ୍କ ପାଇଁ ଗୋଟିଏ ଭୋଜି ପ୍ରସ୍ତୁତ ହୋଇଥିଲା। ମାର୍ଥା ଖାଦ୍ୟ ପରିବେଷଣ କରୁଥିଲେ। ଯୀଶୁଙ୍କ ସହିତ ଅନ୍ୟ ଲୋକମାନଙ୍କ ମଧ୍ୟରେ ଲାଜାର ମଧ୍ୟ ଖାଉଥିଲେ। ମରିୟମ ଅଧ ଲିଟର ଅତି ମୂଲ୍ୟବାନ ବିଶୁଦ୍ଧ ଜଟାମାଂସର ଅତର ଆଣି ଯୀଶୁଙ୍କ ପାଦରେ ଢାଳି ଦେଲେ। ତା’ପରେ ସେ ତାହାଙ୍କ ପାଦ ନିଜ କେଶରେ ପୋଛି ଦେଲେ। ଘରଟି ଅତର ସୁବାସରେ ମହକି ଉଠିଲା।

ଇଷ୍କାରିୟୋତ ଯିହୂଦା ସେଠାରେ ଥିଲା। ଯିହୂଦା ଯୀଶୁଙ୍କର ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ଥିଲେ। (ସେ ପରେ ଯୀଶୁଙ୍କର ବିରୁଦ୍ଧାଚରଣ କରିଥିଲେ। ଯିହୂଦା ମରିୟମଙ୍କ ଏହି କାର୍ଯ୍ୟ ପସନ୍ଦ କଲେ ନାହିଁ। ସେ କହିଲେ, “ସେହି ଅତରର ମୂଲ୍ୟ ତିନିଶହ ରୂପାଟଙ୍କା। ଏହାକୁ ବୀକ୍ରି କରି ସେହି ଟଙ୍କା ଗରିବ ଲୋକମାନଙ୍କୁ ଦେବା ଉଚିତ୍ ଥିଲା,” କିନ୍ତୁ ଯିହୂଦା ଗରିବ ଲୋକମାନଙ୍କ ପ୍ରତି ପ୍ରକୃତରେ ଚିନ୍ତିତ ନ ଥିଲା। ସେ ନିଜେ ଗ୍ଭେର ଥିବାରୁ ଏ କଥା କହିଲା। ସେ ଶିଷ୍ୟମାନଙ୍କ ପାଇଁ ଟଙ୍କା­-ବାକ୍ସ ନିଜ ପାଖରେ ରଖୁଥିଲା। ଏବଂ ସେ ପ୍ରାୟ ସେହି ବାକ୍ସରୁ ଟଙ୍କା ଗ୍ଭେରି କରୁଥିଲା।

ଯୀଶୁ ଉତ୍ତର ଦେଲେ, “ମରିୟମକୁ ବାଧା ଦିଅ ନାହିଁ। ସେ ଅତର ସଞ୍ଚୟ କରି ମୋର ସମାଧି କ୍ରିୟାର ପ୍ରସ୍ତୁତି ପାଇଁ ଆଜି ଏହା କରିଛି। ତୁମ୍ଭ ପାଖରେ ସବୁବେଳେ ଗରିବ ଲୋକେ ରହିଥିବେ, କିନ୍ତୁ ମୁଁ ସର୍ବଦା ତୁମ୍ଭ ସହିତ ରହିବି ନାହିଁ।”

ଲାଜାରଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର

ଯୀଶୁ ବେଥନୀୟାରେ ଥିବା କଥା ଅନେକ ଯିହୂଦୀମାନେ ଶୁଣିଲେ। ତେଣୁ ସେମାନେ ତାହାଙ୍କୁ ଦେଖିବା ପାଇଁ ସେଠାକୁ ଗଲେ। ସେମାନେ ଲାଜାରଙ୍କୁ ମଧ୍ୟ ଦେଖିବାକୁ ଗଲେ। ଲାଜାରଙ୍କୁ ଯୀଶୁ ମୃତ୍ୟୁରୁ ଉଠେଇ ଥିଲେ, 10 ତେଣୁ ମୁଖ୍ୟ ଯାଜକମାନେ ଲାଜାରଙ୍କୁ ହତ୍ୟା କରିବା ପାଇଁ ମଧ୍ୟ ଯୋଜନା କଲେ। 11 ଅନେକ ଯିହୂଦୀ ଲାଜାରଙ୍କ ହେତୁ ସେମାନଙ୍କର ନେତାମାନଙ୍କୁ ଛାଡ଼ି ଯୀଶୁଙ୍କୁ ବିଶ୍ୱାସ କରୁଥିଲେ। ସେଥି ପାଇଁ ଯିହୂଦୀ ନେତାମାନେ ଲାଜାରଙ୍କୁ ମଧ୍ୟ ମାରିବା ପାଇଁ ଚେଷ୍ଟା କଲେ।

ଯିରୁଶାଲମରେ ଯୀଶୁଙ୍କ ପ୍ରବେଶ(B)

12 ତହିଁ ଆରଦିନ ଲୋକମାନେ ଯିରୁଶାଲମରେ ଶୁଣିଲେ ଯେ, ଯୀଶୁ ସେଠାକୁ ଆସୁଛନ୍ତି। ଏହି ଲୋକମାନେ ଅନେକ ସଂଖ୍ୟାରେ ନିସ୍ତାରପର୍ବ ପାଇଁ ଆସିଥିଲେ। 13 ସେମାନେ ଖଜୁରୀ ବାହୂଙ୍ଗା ଧରି ଯୀଶୁଙ୍କୁ ଦେଖା କରିବା ପାଇଁ ଗଲେ। ସେ ଲୋକମାନେ ଖୁବ୍ ଜୋ‌ର୍‌ରେ କହିଲେ,

“ତାହାଙ୍କୁ ପ୍ରଶଂସା କର,
    ସ୍ୱାଗତ କର, ଯିଏ ପ୍ରଭୁଙ୍କ ନାମରେ ଆସନ୍ତି।
    ପରମେଶ୍ୱର ତାହାଙ୍କୁ ଆଶୀର୍ବାଦ କର। (C)

ପରମେଶ୍ୱର ଇସ୍ରାଏଲର ରାଜାଙ୍କୁ ଆଶୀର୍ବାଦ କରନ୍ତି।”

14 ଯୀଶୁ ଗୋଟିଏ ଗଧ ପାଇଲେ ଓ ତା’ ଉପରେ ଚଢ଼ିଲେ। ଏହା ଶାସ୍ତ୍ରର ବାଣୀ ପରି ସଫଳ ହେଲା। ଏଥିରେ ଲେଖାଥିଲା,

15 “ହେ ସିୟୋନ ନଗର, ଭୟ କର ନାହିଁ।
    ଦେଖ, ତୁମ୍ଭର ରାଜା ଆସୁଛନ୍ତି।
    ସେ ଗୋଟିଏ ଗଧଛୁଆ ଉପରେ ବସି ଆସୁଛନ୍ତି।”(D)

16 ଯୀଶୁଙ୍କର ଶିଷ୍ୟମାନେ ସେତେବେଳେ ଏହି ଘଟଣାର ଅର୍ଥ ବୁଝିପାରି ନ ଥିଲେ। କିନ୍ତୁ ଯୀଶୁ ଯେତେବେଳେ ମହିମାନ୍ୱିତ ହେଲେ ସେତେବେଳେ ସେମାନେ ବୁଝି ପାରିଲେ ଯେ, ଏହା ତାହାଙ୍କ ବିଷୟରେ ଲେଖାଯାଇଥିଲା। ତା’ପରେ ଶିଷ୍ୟମାନେ ମନେ ପକାଇଲେ ଯେ ସେମାନେ ଯୀଶୁଙ୍କ ପ୍ରତି ଏହା ସବୁ କରିଛନ୍ତି।

17 ଯୀଶୁ ଯେତେବେଳେ ଲାଜାରଙ୍କୁ ମରଣ ପରେ ଉଠେଇଲେ ଓ ତାହାଙ୍କୁ କବର ଭିତରୁ ବାହାରକୁ ଆସିବାକୁ କହିଲେ, ସେତେବେଳେ ତାହାଙ୍କ ସହିତ ବହୁତ ଲୋକ ଥିଲେ। ସେହି ଲୋକମାନେ ଯୀଶୁଙ୍କ କାର୍ଯ୍ୟ ବିଷୟରେ ଅନ୍ୟ ଲୋକମାନଙ୍କୁ କହୁଥିଲେ। 18 ଯେତେବେଳେ ସେମାନେ ଶୁଣିଲେ ଯେ ଏହି ଆଶ୍ଚର୍ଯ୍ୟ କାର୍ଯ୍ୟ ଯୀଶୁଙ୍କ ଦ୍ୱାରା ହୋଇଛି, ଅନେକ ଲୋକ ତାହାଙ୍କୁ ଭେଟିବା ପାଇଁ ଗଲେ। 19 ତେଣୁ ଫାରୂଶୀମାନେ ପରସ୍ପର ମଧ୍ୟରେ କଥାବାର୍ତ୍ତା ହେଲେ, “ଦେଖ, ଆମ୍ଭର ଯୋଜନା କାମ କରୁ ନାହିଁ। ସାରା ଜଗତ ତାହାଙ୍କର ଅନୁସରଣ କରିଲେଣି।”

ଜୀବନ ଓ ମୃତ୍ୟୁ ବିଷୟରେ ଯୀଶୁଙ୍କ କଥା

20 ନିସ୍ତାରପର୍ବରେ ଉପାସନା କରିବା ପାଇଁ ଯିରୁଶାଲମ ଯାଇଥିବା ଲୋକମାନଙ୍କ ମଧ୍ୟରୁ କେତେକ ଗ୍ରୀକ୍ ଲୋକଥିଲେ। 21 ସେହି ଗ୍ରୀକ୍ ଲୋକମାନେ ଫିଲି‌ପ୍‌ପଙ୍କ ପାଖକୁ ଗଲେ। ଗ୍ରୀକ୍ ଲୋକମାନେ କହିଲେ, “ମହାଶୟ, ଆମ୍ଭେ ଯୀଶୁଙ୍କୁ ଦେଖିବାକୁ ଗ୍ଭହୁଁ।” 22 ଫିଲି‌ପ୍‌ପ ଆନ୍ଦ୍ରିୟଙ୍କୁ ଯାଇ ଏ କଥା ଜଣାଇଲେ। ତା’ପରେ ଆନ୍ଦ୍ରିୟ ଓ ଫିଲି‌ପ୍‌ପ ଯୀଶୁଙ୍କୁ ଯାଇ କହିଲେ।

23 ଯୀଶୁ ସେମାନଙ୍କୁ କହିଲେ, “ବର୍ତ୍ତମାନ ମନୁଷ୍ୟପୁତ୍ରଙ୍କର ଗୌରବ ପାଇବା ସମୟ ଆସିଯାଇଛି। 24 ମୁଁ ତୁମ୍ଭକୁ ସତ୍ୟ କହୁଛି। ଗୋଟିଏ ଗହମ ଦାନା ଭୂମିରେ ପଡ଼ି ନିଶ୍ଚୟ ମରିବା ଆବଶ୍ୟକ। ତା’ପରେ ଏହା ବଢ଼ି ବହୁତ ଶସ୍ୟ ଦିଏ। କିନ୍ତୁ ଯଦି ଏହା କଦାପି ମରେ ନାହିଁ, ତେବେ ଏହା ସର୍ବଦା ଗୋଟିଏ ମଞ୍ଜି ହୋଇ ରହିଥାଏ। 25 ନିଜ ଜୀବନକୁ ଭଲ ପାଉଥିବା ବ୍ୟକ୍ତି ଏହା ହରାଇବ। ନିଜ ଜାଗତିକ ଜୀବନକୁ ଘୃଣା କରୁଥିବା ଲୋକ ଏହାକୁ ସୁରକ୍ଷିତ ରଖିବ। ସେ ଅନନ୍ତ ଜୀବନ ପାଇଁ ତାହା ପାଇ ପାରିବ। 26 ମୋର ସେବା କୁରଥିବା ଲୋକେ ନିଶ୍ଚୟ ମୋର ଅନୁସରଣ କରନ୍ତୁ। ତେବେ ମୋର ସେବକମାନେ ମୁଁ ଯେଉଁଠାରେ ଥିବି, ସେଠାରେ ମୋ’ ସହିତ ରହିବେ। ଯେଉଁ ଲୋକମାନେ ମୋର ସେବା କରିଥିବେ, ମୋର ପରମପିତା ସେମାନଙ୍କୁ ସମ୍ମାନ ଦେବେ।

Oriya Bible: Easy-to-Read Version (ERV-OR)

2010 by World Bible Translation Center