New Testament in a Year
ଆଧ୍ୟାତ୍ମିକ ଦାନଗୁଡ଼ିକୁ ମଣ୍ଡଳୀ ସେବାର ଲଗାଅ
14 ପ୍ରେମର ଅନୁସରଣ କର। ଆଧ୍ୟାତ୍ମିକ ଦାନସବୁ ପାଇବା ପାଇଁ ଏକାନ୍ତ ଚେଷ୍ଟା କର, ବିଶେଷ ଭାବରେ ଭାବବାଣୀ କହିବାକୁ ଏକାନ୍ତ ଇଚ୍ଛା କର। 2 ମୁଁ ବୁଝାଇ କହୁଛି: ଯେଉଁ ଲୋକ ବିଭିନ୍ନ ଭାଷାରେ କଥା କହିବାକୁ ଦାନ ପାଇଛି, ସେ ପ୍ରକୃତରେ ମନୁଷ୍ୟର ସହିତ ନୁହେଁ ବରଂ ପରମେଶ୍ୱରଙ୍କ ସହିତ କଥାବାର୍ତ୍ତା କରେ। କେହିହେଲେ ତା’କଥା ବୁଝି ପାରନ୍ତି ନାହିଁ, ସେ ଆତ୍ମାଙ୍କ ଦ୍ୱାରା ନିଗୂଢ଼ ବିଷୟ କହେ। 3 କିନ୍ତୁ ଯିଏ ଭାବବାଣୀ କହେ, ସେ ଲୋକମାନଙ୍କୁ ଦୃଢ଼ତା, ଉତ୍ସାହ ଓ ସାନ୍ତ୍ୱନାର କଥା କହେ। 4 ଯେଉଁ ଲୋକକୁ ବିଭିନ୍ନ ଭାଷାରେ କହିବା ଶକ୍ତି ପ୍ରାପ୍ତ ହୋଇଛି, ସେ ନିଜକୁ ନିଷ୍ଠା ଜନ୍ମାଏ; କିନ୍ତୁ ଯେଉଁ ଲୋକ ଭାବବାଣୀ କହେ, ସେ ମଣ୍ଡଳୀର ନିଷ୍ଠା ଜନ୍ମାଏ।
5 ତୁମ୍ଭେମାନେ ସମସ୍ତେ ଅନେକ ଗୁଡ଼ିଏ ଭାଷା କୁହ, ଏହା ମୁଁ ଇଚ୍ଛା କରେ, କିନ୍ତୁ ତୁମ୍ଭେମାନେ ଯେ ଭାବବାଣୀ କୁହ, ଏହା ମୋହର ଅଧିକ ଇଚ୍ଛା। ଯେଉଁ ଲୋକ ଭାବବାଣୀ କହେ, ସେ ବିଭିନ୍ନ ଭାଷା କହି ପାରିବା ଲୋକଠାରୁ ଶ୍ରେଷ୍ଠ। କିନ୍ତୁ ସେ ଯଦି ସେହି ଭାଷାଗୁଡ଼ିକର ଅର୍ଥ କରି ପାରୁଥିବ ତେବେ ସେ ଭାବବାଣୀ କହୁଥିବା ଲୋକ ସହିତ ସମାନ। ଏହା ଦ୍ୱାରା ମଣ୍ଡଳୀକୁ ସାହାଯ୍ୟ ହେବ।
6 ଭାଇ ଓ ଭଉଣୀମାନେ! ଯଦି ମୁଁ ତୁମ୍ଭମାନଙ୍କ ପାଖରେ ଅନ୍ୟଭାଷାରେ କଥା କହେ, ତା’ହେଲେ ତୁମ୍ଭର ବା କ’ଣ ଲାଭ ହେବ? କେବଳ ଯଦି ମୁଁ କୌଣସି ନିଗୂଢ଼ କଥା ବା କାର୍ଯ୍ୟ ବା କିଛି ଭବିଷ୍ୟଦ୍ବାଣୀ ବା କିଛି ଉପଦେଶର କଥା କୁହେ ତେବେ ତୁମ୍ଭମାନଙ୍କର ପ୍ରକୃତରେ ଲାଭ ହେବ। 7 ଅନ୍ୟଥା ମୋର କଥା ତୁମ୍ଭମାନଙ୍କ ପାଇଁ କୌଣସି ନିର୍ଜୀବ ବଂଶୀ ବା ବୀଣାର ଧ୍ୱନି ତୁଲ୍ୟ ହେବ। ଯଦି କୌଣସି ବାଦ୍ୟଯନ୍ତ୍ରର ସ୍ୱରଗୁଡ଼ିକରେ ପାର୍ଥକ୍ୟ ନ ରହିବ, ତା’ହେଲେ ଜଣେ କିପରି ଜାଣି ପାରିବ ଯେ, ବଂଶୀ ବା ବୀଣା କ’ଣ ବାଜୁଅଛି? 8 ଯୁଦ୍ଧରେ ଯଦି ତୂରୀଟି ସ୍ପଷ୍ଟ ଭାବରେ ନ ଶୁଭେ ତା’ହେଲେ ସୈନିକଗଣ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାର ସମୟ ଜାଣି ପାରିବେ ନାହିଁ।
9 ସେହିଭଳି ତୁମ୍ଭେମାନେ ଜିହ୍ୱା ଦ୍ୱାରା ଯଦି ସ୍ପଷ୍ଟ ଭାବରେ କଥା ନ କହିବ, ତା’ହେଲେ କୌଣସି ଲୋକ କିଛି ବୁଝି ପାରିବ ନାହିଁ। ତାହା ପବନରେ କଥା କହିଲାପରି ହେବ। 10 ଏହା ସତ୍ୟ ଯେ, ସଂସାରରେ ଅନେକ ପ୍ରକାରର ଭାଷା ଅଛି ଓ ସେ ସବୁଗୁଡ଼ିକ ଅର୍ଥପୂର୍ଣ୍ଣ। 11 ଅତଏବ, ଯଦି ଜଣକର କଥା ଶୁଣି ତାହା ବୁଝି ନ ପାରେ ତା’ହେଲେ ସେହି କଥା ମୋତେ ଅଦ୍ଭୂତ ମନେ ହେବ। 12 ତୁମ୍ଭପାଇଁ ମଧ୍ୟ ଏହା ପ୍ରଜୁଜ୍ୟ। ତୁମ୍ଭେମାନେ ଆଧ୍ୟାତ୍ମିକ ଦାନ ପାଇବା ପାଇଁ ଅତି ଉତ୍ସୁକ। ଅତଏବ, ମଣ୍ଡଳୀର ନିଷ୍ଠା ନିମନ୍ତେ ଆତ୍ମିକ ଦାନ ସବୁ ପ୍ରଚୁର ପରିମାଣରେ ପାଇବାକୁ ଚେଷ୍ଟା କର।
13 ଅତଏବ, ଯିଏ ଅନ୍ୟ ଭାଷାରେ କହୁଛି, ସେ ଯେପରି ତାହା ବୁଝାଇ ପାରିବ, ଏଥିପାଇଁ ପ୍ରାର୍ଥନା କରିବା ଉଚିତ୍। 14 ଯଦି ମୁଁ ଅନ୍ୟ ଭାଷାରେ ପ୍ରାର୍ଥନା କରୁଛି, ତା’ହେଲେ ମୋର ଆତ୍ମା ପ୍ରାର୍ଥନା କରେ, ମୋର ବୁଦ୍ଧି କିଛି କରେ ନାହିଁ। 15 ତାହାହେଲେ ମୋର କ’ଣ କରିବା ଉଚିତ୍? ମୁଁ ମୋହର ଆତ୍ମା ଦ୍ୱାରା ପ୍ରାର୍ଥନା କରିବି ଓ ବୁଦ୍ଧିଦ୍ୱାରା ମଧ୍ୟ ପ୍ରାର୍ଥନା କରିବି। ପୁଣି ଆତ୍ମାଦ୍ୱାରା ସ୍ତୁତିଗାନ କରିବି ଓ ବୁଦ୍ଧିସହ ମଧ୍ୟ ସ୍ତୁତିଗାନ କରିବି। 16 ତୁମ୍ଭେମାନେ ଯଦି ଆତ୍ମା ଦ୍ୱାରା ପରମେଶ୍ୱରଙ୍କ ପ୍ରଶଂସା କର, ତେବେ ସାଧାରଣ ଲୋକ ତୁମ୍ଭକଥା ନ ବୁଝିବାରୁ କିପରି ତୁମ୍ଭ ଧନ୍ୟବାଦରେ “ଆମେନ୍” କହିବେ? 17 ତୁମ୍ଭେମାନେ ପରମେଶ୍ୱରଙ୍କୁ ପ୍ରକୃତରେ ଭଲ ଭାବରେ ଧନ୍ୟବାଦ ଜଣାଉଛ, କିନ୍ତୁ ତା’ଦ୍ୱାରା ଅନ୍ୟ ଲୋକ ଆଧ୍ୟାତ୍ମିକ ଲାଭ ପାଉ ନାହିଁ।
18 ମୁଁ ତୁମ୍ଭ ସମସ୍ତଙ୍କ ଅପେକ୍ଷା ଅଧିକ ରୂପେ ବିଭିନ୍ନ ଭାଷାଗୁଡ଼ିକରେ କଥା କହିବାର ଦାନ ପାଇଛି ବୋଲି ପରମେଶ୍ୱରଙ୍କୁ ଧନ୍ୟବାଦ ଦେଉଛି। 19 କିନ୍ତୁ ମଣ୍ଡଳୀରେ ଅନ୍ୟ ଭାଷାରେ ହଜାର ହଜାର କଥା କହିବା ଅପେକ୍ଷା ବରଂ ସେମାନେ ବୁଝୁଥିବା ପାଞ୍ଚୋଟି କଥା କହିବାକୁ ଭଲ ପାଏ। ଏହା ଦ୍ୱାରା ମୁଁ ନିଜେ ବୁଝି ପାରିବି ଓ ଅନ୍ୟ ଲୋକମାନଙ୍କୁ ଶିକ୍ଷା ଦେଇ ପାରିବି।
20 ଭାଇ ଓ ଭଉଣୀମାନେ, ବୁଦ୍ଧିରେ ପିଲାମାନଙ୍କ ପରି ହୁଅ ନାହିଁ ବରଂ ମନ୍ଦ ବିଷୟରେ ଶିଶୁ ପରି ହୁଅ ଓ ବୁଦ୍ଧିରେ ପୂର୍ଣ୍ଣ ବୟସ୍କ ହୁଅ।
2010 by World Bible Translation Center